Unknown

 

 

 

 

 

 

 

 

 

 

 

ନେତି ନେତି

ଶ୍ରୀ ସୁରେନ୍ଦ୍ର ମହାନ୍ତି

 

ଓଡ଼ିଆରେ ଆତ୍ମଚରିତଧର୍ମୀ ଉପନ୍ୟାସ ଲେଖାଯାଇଛି ବୋଲି ମୋର ମନେହୁଏ ନାହିଁ-। ଆତ୍ମଚରିତଧର୍ମୀ ଉପନ୍ୟାସର ଲକ୍ଷଣ ହେଲା–ଏକ କାଳ୍ପନିକ ଚରିତ୍ରର ଆତ୍ମଚରିତ ଆଙ୍ଗିକରେ ଏହା ରଚିତ ହୋଇଥାଏ–

 

ଯେପରିକି‌ ଚାର୍ଲସ ଡିକେନ୍‌ସଙ୍କ ‘‘ଡେଭିଡ଼ କରଫିଲ୍‌ଡ଼” ବା “ଅଲିଭର୍ ଟ୍ରଲଷ୍ଟ” ବା ସାମ୍ପ୍ରତିକ ଆମେରିକାନ୍ ଔପନ୍ୟାସିକ ଜେ. ଡି. ସାଲିଙ୍ଗରଙ୍କ “ଦି କାଚର ଇନ୍ ଦି ରାୟ” (The Catcher in the Rye) ଉପନ୍ୟାସ । ସେ ଦିଗରେ ଓଡ଼ିଆରେ ଏହା ପ୍ରଥମ ପ୍ରୟାସ-

 

କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ବିଶେଷର ଆତ୍ମଚରିତ ଭାବି, କେହି ଯଦି ଏହାକୁ ପଢ଼ି ବସନ୍ତି ତାହାହେଲେ ତାଙ୍କ ପକ୍ଷରେ ଡାଆଣୀ–ଆଲୁଅ ପଛରେ ଗୋଡ଼ାଇବାଇ ସାର ହେବ ।

 

ମାନବେନ୍ଦ୍ର ବା ମାନ୍ନା–ଏ ଉପନ୍ୟାସର ନାୟକ ଏକ...ପ୍ରତୀକ ଶତନିଗ୍ରହ ନିପୀଡ଼ିତ ଏଇ ସମାଜର ପରିବେଶ ମଧ୍ୟରେ ଲାଳିତ, ବର୍ଦ୍ଧିତ ହୋଇଥିବା ଏକ ଅଶାନ୍ତ ଯୁବକର । ପ୍ରତିଷ୍ଠିତ ଆଚାର, ବିଚାର ଓ ମୂଲ୍ୟବୋଧ ବିରୁଦ୍ଧରେ ବିଦ୍ରୋହୀ ହୋଇ, ସେ ଏକ କକ୍ଷଚ୍ୟୁତ ଉଲ୍‌କା ପରି ଘୂରିବୁଲିଛି । ମାତ୍ର ତାରି ଭିତରେ ସେ ମଧ୍ୟ ପାଇଛି, ତା’ର ଲକ୍ଷ୍ୟର ସନ୍ଧାନ । ତା’ର ନୂତନ ମୂଲ୍ୟବୋଧ ।

 

ମାନବେନ୍ଦ୍ରର ସ୍ଵପ୍ନବିଳାସୀ କୈଶୋରରୁ ଯନ୍ତ୍ରଣା କଣ୍ଟକିତ ଯୌବନ ପଥରେ ଅଶାନ୍ତି ଯାହାର ଶତ ଅନୁଭୂତି ମଧ୍ୟରେ ଅନେକ ନିଜନିଜ ଜୀବନର କିଛିଟା ଅନୁଭୂତି କେଉଁଠି କେଉଁଠି ପାଇପାରନ୍ତି ।

 

କିନ୍ତୁ ମାନବେନ୍ଦ୍ର ଓ ଏଥିରେ ବର୍ଣ୍ଣିତ ସମସ୍ତ ଚରିତ୍ର ସଂପୂର୍ଣ୍ଣ କାଳ୍ପନିକ, ଯଦ୍ୟପି ‘ଭାରତ ଛାଡ଼’ ଆନ୍ଦୋଳନର ପୃଷ୍ଠଭୂମି ବାସ୍ତବ ଓ ଐତିହାସିକ ।

 

ଶିବାନୀ

ପା: କଟକ–୮

ତା ୯-୧୧-୮୨ ରିଖ

Image

 

ଏକ

 

ସଜନାଗଛ ଚୂଡ଼ାରେ ସକାଳର ସୁନେଲି ଖରା ବିଞ୍ଚି ହୋଇପଡ଼ିଲାଣି । ଆଜି ସ୍କୁଲ୍ ଯିବିନାହିଁ । ରାତିରୁ ସ୍ଥିର କରିଛି । ‘‘ଉଃ...ଉଃ... ମରିଗଲି ଲୋ ବୋଉ”–ସକାଳୁ ସକାଳୁ ପେଖନା ଆରମ୍ଭ କରିଦେଲି ମୁଁ–ବାପାଙ୍କ କଠୋଉ ଠକ୍‍ଠକ୍ ଅଗଣାରେ ଶୁଣିବାବେଳୁ । ସ୍କୁଲ ଗଲାବେଳକୁ ଉଁ–ଆ ଆରମ୍ଭ କଲେ, ବାପା ଠିକ୍ ଧରିନେବେ, ଇଏ ଗୋଟାଏ ପେଖନା ।

 

ସିଧାକଥା ପାଠ ପଢ଼ିବା ପାଇଁ ମୁଁ ଚାହେଁନା । ରାଜୁଆ କ’ଣ ପାଠ ପଢ଼ୁଛି ? ମଦନା ବି-! ବୋଉ ହଠାତ୍ ଉଠିପଡ଼ି ମୋର କପାଳ ଆଉ ମୁଣ୍ଡ ଆଉଁସି କହିଲା...’’ ଇଲୋ ମାଲୋ ! ଜରରେ ଦିହ କ’ଣ ଖଇ ଫୁଟୁଛି !” ପେଖନାଟା ବଢ଼େଇଦେଇ, ମନେମନେ ମୁଁ ହସିଲି । କୁନ୍ଥେଇବାଟାକୁ ଆଉରି ଟିକିଏ ବିକଳ କରି ନାକକାନ୍ଦଣା ସୁରରେ କହିଲି... ‘ମୁଣ୍ଡ ! ମୁଣ୍ଡ !’ –ମୁଣ୍ଡ ବିନ୍ଧୁଚି କି ନାଇଁ, କୋଉ ଡାକ୍ତର ଧରିବ ଧରୁଥାଉ ! ଦାନ୍ତ ଦି’ପାଟି ଚାପିଲେ କାନମୁଣ୍ଡା ଶିରା ଦପ୍‍ଦପ୍ ହେବ-। କୌଶଳଟା ମୁଁ ଶିଖିଚି ।

 

“ମାଲୋ ! ସତେତ ମୁଣ୍ଡ ଶିରା ଢିଙ୍କି ପାହାର ପରି ପଡ଼ୁଛି ।’–ବୋଉ ମୋ କପାଳ ଉପରେ ହାତରଖି କହିଲା–“ହେଇତି ଶୁଣିଲଣି ।” ବୋଉର ଆର୍ତ୍ତନାଦ ଶୁଣି କଠୋଉ ଶବ୍ଦଟା ନିକଟତର ହୋଇଆସିଲା । ମୁଁ ଆଖିଦୁଇଟା ବୁଜି, ନାକକାନ୍ଦଣା ଆରମ୍ଭ କରିଦେଲି... “ମରିଗଲି ଲୋ !”

 

ବୋଉ କହିଲା, “ଦେଖିଲ, ଜରରେ ମନୁଆଁ ଦିହ କେମିତି ଖଇଫୁଟୁଚି ! ନାରଣ ଡାକ୍ତର ପାଖରୁ ଦି’ପାନ ହୋମିଓପାଥି ଆଣ । କହିବ ସକାଳକୁ ଅନହୁତି ଜର ଆସିଲା । ସବୁ ଲକ୍ଷଣ ସେ ନ ଜାଣିଲେ, ଜର ପାଇଁ ପେଟ ଔଷଧ ଦେଇଦେବ ।”

 

ବାପା ମୋ କପାଳ ଉପରେ ହାତରଖି କହିଲେ... “ତାତି ନାହିଁ ତ ! ତମର ଖାଲି ଖଇ ଫୁଟିଯାଉଚି !” ବାପାଙ୍କ କଣ୍ଠରେ ବିରକ୍ତି !

 

“ମରିଗଲି ଲୋ ବୋଉ”...ବାପାଙ୍କ ସାମ୍‌ନାରେ ନାକକାନ୍ଦଣାଟା ଠିକ୍ ଉତୁରିଲା ନାହିଁ ।

 

ବୋଉ ଆକ୍ରମଣ କଲା... “ତାତିରେ ଖଇଫୁଟୁଚି । ତମେ କହୁଚ ତାତି ନାଇଁ ? କାନମୁଣ୍ଡ ଶିରା ଢିଙ୍କି ପାହାର ପରି ପଡ଼ୁଚି । ମନାକରୁଚି କାଲି ପୋଖରୀରେ ଏତେ ବୁଡ଼ ନାଇଁ ! “ବୋଉ ତଳକୁ ଡେଇଁପଡ଼ିଲା ଅମୃତାଞ୍ଜନ ଡବା ଖୋଜିବା ପାଇଁ । ବାପା କିନ୍ତୁ ନିଦକ । ସିଏ କହିଲେ... “ସର୍ଦ୍ଦିଜର ହେଇଥିଲେ ଆପେ ଛାଡ଼ିଯିବ । ନାରଣ ଡାକ୍ତର ପାଖକୁ ଯିବା ଦରକାର ନାହିଁ-।”

 

ପିଣ୍ଡାରେ ଶୁଭିଲା, ବାପା ବିଡ଼୍‍ବିଡ଼୍ ହେଉଛନ୍ତି–“ଆଗରେ ବୃତ୍ତି ପରୀକ୍ଷା । ବାବୁ ପଡ଼ିଗଲେ ଜରରେ । ପୁଣି କେତେଦିନ ସ୍କୁଲ ବନ୍ଦ୍ ।”

 

ବାପାଙ୍କର ଏକମାତ୍ର ଚିନ୍ତା ବୃତ୍ତି ପରୀକ୍ଷା । ଉଚ୍ଚ ପ୍ରାଥମିକ ବୃତ୍ତି ମୋତେ ପାଇବାପାଇଁ ପଡ଼ିବ । ପ୍ରାଥମିକ ଦିନୁ ଏମିତି ବୃତ୍ତି ନ ପାଇଲେ କୁଆଡ଼େ ବଡ଼ ହାକିମ ହୋଇହେବ ନାହିଁ ।

 

ବୋଉ ମୋତେ ଥାପୁଡ଼େଇଦେଇ କହିଲା... “ଆଉ ଟିକିଏ ଶୋଇପଡ଼ । ଇସ୍କୁଲ୍ ଆଜି ବନ୍ଦ୍ ! ବାପା ଫାପା କାହା କଥା ମୁଁ ଶୁଣିବି ନାଇଁ ।” ସାବାସ୍ ବୋଉ !

 

ଆଜି ସକାଳ ବସ୍‌ରେ ଅଜା ଆସିବେ । ଆଉ ମୁଁ ଥିବି ସ୍କୁଲ୍‌ରେ ? ସେଇଥିପାଇଁ ତ ଏ ଜର ! ...ମୋ ଆଖି ଆଗରେ ଭାସିଉଠିଲା, ଦାଣ୍ଡ ମଝିରେ ଧୂଳି ଉଡ଼ାଇ, ହାତରେ ଗୋଟାଏ ଟିଣ ସୁଟ୍‌କେସ୍ ଓହଳାଇ, ଚନ୍ଦାମୁଣ୍ଡ ଚାରିପଟେ ଝାମ୍ପେ ପାଚିଲାବାଳ ଝୁଲାଇ, ଖଳିଆ ପାଦରେ ଆସୁଚନ୍ତି ଅଜା । ଏଥର ସୁଟ୍‌କେସ୍‌ରେ ମୋ ପାଇଁ କ’ଣ ଆଣିଥିବେ କେଜାଣି ? ଆରବର୍ଷ ଆଣିଥିଲେ ଦଶଟା କାଚଗୁଲି ।

 

ଅଜା ସିନା ବୁଢ଼ା ହେଲେଣି । ନଇଲେ ଗୁଲି ଖେଳରେ ଓସ୍ତାତ୍ । ଗୁଲିଖେଳ ଶିଖାଇ ଦେଇଥିଲେ ମୋତେ ନାଖ କରି ଟାଙ୍କିବା ପାଇଁ । ଘରୁଆ, କାନ୍ଥୁଆ, ଗାତୁଆ ସବୁ ଗୁଲି ଖେଳରେ ମୁଁ ହୋଇଉଠିଥିଲି ଓସ୍ତାତ୍ ! ପହିଲେ ଅଜା ଆଉ ମୁଁ ଗୁଲି ଖେଳୁଥିଲୁ ଦାଣ୍ଡରେ । ଅଜା ଚାଲିଯିବା ପରେ, ମିଳିଗଲେ ଆସି ଉପର ସାହିର ରାଜୁ, ଦାମ ଆଉ ନବୀନ । ଗୁଲି ଖେଳରେ ଚାଖଣ୍ଡ ମାପିବାବେଳେ, ମୋର ଯେତେବେଳେ ସେମାନଙ୍କ ସାଙ୍ଗରେ ଝଗଡ଼ା ଲାଗେ, ଆମ ପାଟିରେ ସାହି ଦାଣ୍ଡ ପଡ଼େ ଆଉ ଉଠେ । ଝଗଡ଼ା ମଜା ଦେଖିବା ପାଇଁ, ସାଇପିଲା ସବୁ ଆମ ଗୁଲିଘର ଚାରିପଟେ ମାଛିପରି ମେଳା ବାନ୍ଧିଯାନ୍ତି । ସେମାନଙ୍କ ପକ୍ଷ ସମର୍ଥନ ଆଉ ପାଟିରେ, ଆମ ପାଟି ବୁଡ଼ିଯାଏ ।

 

ବାପା ଦିନେ କୁଆଡ଼ୁ ଫେରୁଥିଲେ, ଆମର ସେଇପରି ଝଗଡ଼ାବେଳେ । ରାଗି ମାଗି ସେଇ ଗୁଲିଗୁଡ଼ାକୁ ଦାଣ୍ଡ କଡ଼ରେ ସେଇ ଭଙ୍ଗା କୂଅ ଭିତରକୁ ଫିଙ୍ଗିଦେଲେ... “ପାଠ ନାଇଁ, ଶାଠ ନାଇଁ, ଦିନ ନାହିଁ, ରାତି ନାହିଁ, ସବୁବେଳେ ଗୁଲିଖେଳ ! ଦେଖ୍ ମନୁଆ, ଆଉ ଦିନେ ଗୁଲି ଖେଳିଚୁ ତ ତୋର ଦିନେକୁ ମୋର ଦିନେ ! ଘରଭିତରେ ମଣିଷ ଦଣ୍ଡେ ବସିପାରିଲା ନାହିଁ !”

 

ଅଜା ଏତେ ଆଦରରେ ଦେଇଥିବା ଗୁଲିଗୁଡ଼ାକ ଭଙ୍ଗା କୂଅର ଅତଳ ଗର୍ଭରେ ଯିବାର ଦୁଃଖ ମୁଁ ସମ୍ଭାଳି ପାରୁନଥିଲି । ମୋର କୋହ ଉଠୁଥିଲା । ବୋଉ ଘର ଭିତରୁ ବାଘୁଣୀ ପରି ଦାଣ୍ଡପିଣ୍ଡାକୁ ଝାମ୍ପିଆସି କହିଲା... “ପିଲାଟା ସରାଗରେ ଗୁଲି ଖେଳୁଥିଲା । ତା’ ଗୁଲିଗୁଡ଼ାକ କୂଅକୁ ପକେଇଦେଲ ! ପିଲାଖେଳ ଭାଙ୍ଗନ୍ତି ?”

 

ବାପା ପାଟି କରି ଉଠିଲେ... “ମୁଣ୍ଡଉପରେ ପରୀକ୍ଷା ! ସେ ଖବର ରଖିଚ ! ଅଜା ହୋଇ ଭଲକଥା ଶିଖାନ୍ତେ କ’ଣ ! ଶିଖାଇ ଦେଇଗଲେ ଗୁଲିଖେଳ !”

 

ସେଇ ଗୁଲିରୁ ତଥାପି ଦୁଇଟା ମୋ ବହି ବାକ୍‌ସରେ ଲୁଚାଇ ରଖିଚି । ଉପରସାହି ରାଜୁଆ ଦାଣ୍ଡରେ ଦିନେଦିନେ ସେଇ ଗୁଲିରେ କାନ୍ଥୁଆ ଗୁଲି ଖେଳେ । ବାପା ଜାଣନ୍ତି, ମୁଁ ସେଇଦିନୁ ଗୁଲିଖେଳ ଛାଡ଼ିଦେଇଚି ! କିନ୍ତୁ ମୁଁ ଟିଫିନ୍ ପଇସା ସଞ୍ଚୁଚି ହାଟରୁ ଗୁଲି କିଣିବା ପାଇଁ । ସବୁ ବାପା ମାନେ ଏପରି କାହିଁକି ?

 

ୟା ଆଗରୁ ଅଜା ବର୍ଷେ ଆଣିଥିଲେ ଗୋଟାଏ ଛୋଟିଆ ଫୁଟ୍‌ବଲ । ପାଦରେ କିମିତି କିକ୍ ମାରିବାକୁ ପଡ଼େ, ଶିଖାଇ ଦେଇଥିଲେ ମୋତେ–“ତୁ ଦିନେ ଗୋଟାଏ ବଡ଼ ଖେଳୁଆଡ଼ ହେବୁ-। ହେଲେ ଏଇଦିନୁ ଅଭ୍ୟାସ ଦରକାର ।”

 

“ଅଜା ତୁମେ ଖେଳୁଆଡ଼ ଥିଲ ?”

 

ଅଜାଙ୍କ ଓଠରେ ଫୁଟିଉଠେ, ରହସ୍ୟବିଜଡ଼ିତ ହସ । ମୋର ବହୁ ପ୍ରଶ୍ନର ଉତ୍ତର ଦିଅନ୍ତି ଅଜା ଏହିପରି ଚେନାଏ ହସରେ । ଖଲିଆ ପାଦରେ ସେ ଖେଳିବେ କ’ଣ ?

 

ପ୍ରଥମେ ପ୍ରଥମେ ଅଜାଙ୍କ ସାଙ୍ଗରେ ମୁଁ ଦାଣ୍ଡରେ ବଲ୍ ଗଡ଼ାଗଡ଼ି କରୁଥିଲି । ଅଜା ଚାଲିଯିବା ପରେ, ସାଇଯାକର ପିଲା, ଆମ ଦାଣ୍ଡରେ ଜମିଲେ ବଲ୍ ଖେଳିବା ପାଇଁ । ଆମ କିଳିକିଳା ରଡ଼ିରେ ସାଇଦାଣ୍ଡ ଉଚ୍ଛନ୍ନ । ଧୂଳି ଉଡ଼ିଲା ମେଘ ପଟଳ ପରି । ଗୁହାଳ ଲେଉଟା ଗୋରୁଗାଈ ସବୁ ତରିକିଲେ–ବାପା ଦିନେ ରାଗ ତମତମ ବଲ୍‌ଟାକୁ ମଧ୍ୟ ଫିଙ୍ଗିଦେଲେ, ସେଇ ଭଙ୍ଗା କୂଅ ଭିତରକୁ । ବଲ୍‌ଟା ବି ଫାଟି ଆସିଥିଲା । ଏବେବି ସେ ବଲ୍ ଭାସୁଚି କୂଅ ପାଣିରେ । ଦିନେଦିନେ ମୁଁ ସେଇ ଭଙ୍ଗା କୂଅ ଫନ୍ଦ ଉପରେ ହାମୁଡ଼ି, ସେଇ ବଲ୍‌ଟାକୁ ଚାହିଁ ଦେଖେ । ଅନ୍ଧାରରେ ଠିକ୍ ଦେଖାଯାଏ ନାହିଁ । କିନ୍ତୁ ଯୋଉଠି ଗୋଟାଏ ଆଗଛା କୂଅ ନନ୍ଦଭିତରୁ ଉଠିଚି, ସେଇଠି ବଲ୍‌ର ପିଠିଟା ଦେଖାଯାଏ, ଗୋଟାଏ ବାହ୍ମୁଣୀ ବେଙ୍ଗ ପିଠି ପରି–ବୋଉ ହଠାତ୍ କୁଆଡ଼ୁ ଝାମ୍ପି ଆସି, ମୋ ଖୁଆ ଟାଣିଧରି ଚିତ୍କାର କରେ, “ଭଙ୍ଗା କୂଅ ଫନ୍ଦରେ ତୁ ହାମୁଡ଼ୁଚୁ ! ହେ ମା’ ଜାଗୁଳେଇ !”

 

ମୋ ଆଗରୁ ଚାରୋଟି ପିଲା, ବୋଉର କୋଡ଼ ଖାଲି କରି ଯାଇଛନ୍ତି । ସେଥିପାଇଁ ମୋ ପାଦରେ କଣ୍ଟାଟିଏ ଯେପରି ନ ଫୁଟେ, ଜାଗୁଳେଇଙ୍କ ପାଖରେ, ସଂକ୍ରାନ୍ତିକୁ ସଂକ୍ରାନ୍ତି, କେତେ ମାଜଣା, କେତେ ଘିଅଦୀପ–ବୋଉ ଘରର ମୁରବି ହୋଇଥିଲେ, ମୋତେ କେଜାଣି ସ୍କୁଲ୍ ଛାଡ଼ନ୍ତା ନାହିଁ; ବିପଦଆପଦ ଭୟରେ । କିନ୍ତୁ ବାପାଙ୍କର ଏକମାତ୍ର ଚିନ୍ତା–ବୃତ୍ତି ପରୀକ୍ଷା ! –“ହେଇଟି, ଏଇଦିନୁ ବୃତ୍ତି ନ ପାଇଲେ, ବଡ଼ ହାକିମ ହୋଇପାରିବ ନାହିଁ ! ପିଲାଙ୍କୁ ଏଦିନେ ମୁହଁ ଦବା ଠିକ୍ ନୁହେଁ ।” ବୋଉକୁ ସବୁବେଳେ ବାପାଙ୍କର କଡ଼ା ତାକିଦ୍ ।

 

ଆଜି ଅଜା ଆସିବେ...ସେଇଥିପାଇଁ ତ ସକାଳୁ ସକାଳୁ ଏଇ ଜର । ଅଜା ଏଥର କ’ଣ ଆଣିଥିବେ ? ...ଇଚ୍ଛା ହେଉଥିଲା, ଦାଣ୍ଡକୁ ଦଉଡ଼ିଯାଇ, ଅଜାଙ୍କ ଆସିବା ବାଟକୁ ଅନେଇ ବସିବା ପାଇଁ । କିନ୍ତୁ କଠୋଉ ଠକ୍ ଠକ୍ ତଥାପି ନୀରବ ହୋଇନାହିଁ । ବାପା ବୋଉଙ୍କ ଭିତରେ ଚାଲିଛି କ’ଣ କଥା କଟାକଟି; ଅଜାଙ୍କୁ କେନ୍ଦ୍ର କରି । ଅଜା, ବାପାଙ୍କୁ ଗୋଟାଏ ସାଇକଲ୍ ଯୌତୁକ ଦେବେ ବୋଲି କହି ଦେଇନଥିବାର କ୍ରୋଧ, ବାପା ତଥାପି ଭୁଲିପାରିନଥିଲେ ।

 

“ହେଇତି ଏଥର ବାପାଙ୍କୁ କହିଦେବ, ମନୁଆକୁ ସିଏ ଆଉ ବିଗାଡ଼ିବେ ନାହିଁ ।”

 

“ମଲା ! କାଳେ ଅକାଳେ ସିଏ ଝିଅଘରକୁ ଆସନ୍ତି ଦିନ କେତେଟା ପାଇଁ । ସେଇଥିରେ ତମ ପୁଅ ବିଗିଡ଼ିଯାଉଛି ।” –ବୋଉର ଝଙ୍କାର ।

 

“ତମେ ମାଇପି ଲୋକ ବୁଝିପାରିବ ନାଇଁ । ମନୁଆଁ ଏଇଦିନୁ ବୃତ୍ତି ନ ପାଇଲେ ହାକିମ ହୋଇପାରିବ ନାଇଁ ।”

 

ହାକିମ ହେବା କଥା ଶୁଣି ମୁଁ ଖଟଉପରୁ ନାକକାନ୍ଦଣା ଆଉରି ଲମ୍ବାଇଦେଲି... “ଇଲୋ ବୋଉଲୋ ।”

 

ବାପା ଭାରି ଧୂର୍ତ୍ତ । ସିଏ କହିଲେ, “ଏ ନାକକାନ୍ଦଣା ଗୋଟାଏ ପେଖନା । ତମେ ଯେତେବେଳେ ମା’ ହୋଇ, ପୁଅର ମୁଣ୍ଡ ଖାଉଚ, ମୋର କ’ଣ ଅଛି ? ଯାଅ, ଯାଅ ତା’ ମୁଣ୍ଡରେ ଢିଙ୍କି ପାହାର ପଡ଼ୁଥିବ । ଉଁସେଇଦବ ।”

 

ବାପା ଗରଗର ହୋଇ, ତାଙ୍କ କାମରେ ଚାଲିଗଲେ । ମୁଁ ଦାଣ୍ଡପିଣ୍ଡାକୁ ଉଠିଆସି, ଦୁଆରବନ୍ଧ ଦାଣ୍ଡକୁ ଚାହିଁ ବସିଲି ।

 

ଏଇ ଅଜା ଆସୁଚନ୍ତି ପରା ! ଦି’ହାତରେ ହେଣ୍ଡି ପିଟି ମୁଁ ଚିତ୍କାର କରିଉଠିଲି... “ହେଇ ଅଜା ଆସିଲେ ! ଅଜା ଆସିଲେ ।”

 

ଦାଣ୍ଡମୋଡ଼ରେ ଯୋଉଠି ବଇଂଶିଆ ଘର ବଣସିଝୁ ବାଡ଼ କଡ଼ ମୋଡ଼ିଚି, ସେଇଠି ଦେଖାଯାଉଥିଲା, ଅଜାଙ୍କ ଚନ୍ଦାମୁଣ୍ଡ ଚାରିପଟେ କେରି କେରି ଝାମ୍ପୁରା ବାଳ । ପାଚି ଝୋଟ ହେଲାଣି ।

 

“କିରେ ମନୁଆ, ଇସ୍କୁଲ୍ ଯାଇନାଉଁ ?”

 

ଇଏ କ’ଣ ଗୋଟାଏ ସମ୍ଭାଷଣ ? ପୁଣି ଅଜାଙ୍କଠାରୁ ? ଯାହାପାଇଁ ଏତେ ପେଖନା, ସିଏ ପୁଣି ପଚାରୁଚି ଇସ୍କୁଲ୍ କଥା ? –ତମ ବାଟ ଚାହିଁ ବସିଚି ଯେ ! କିନ୍ତୁ ସେ କଥାଟା ମୁହଁ ଖୋଲି କହିବାପାଇଁ ଲାଜ ଲାଗିଲା ।

 

ବୋଉ ହାଣ୍ଡିଶାଳ ଭିତରୁ ଧାଇଁଆସି ଅଜାଙ୍କୁ ଜୁହାର ହୋଇ କହିଲା–ସକାଳୁ ପରା ମନୁଆକୁ ଜର ।”

 

ଅଜା ମୋ କପାଳ ଉପରେ ହାତ ବୁଲାଇ ମୁରୁକି ହସିଲେ । ଠିକ୍ ତାତି ନାହିଁ ନାଁ କ’ଣ-? ମୋ ପେଖନା କ’ଣ ଧରାପଡ଼ିଗଲା ? ଅଜା ତାପରେ ମୁହଁ ଗମ୍ଭୀର କରି କହିଲେ... “ଇଏ ଋତୁବଦଳ ବେଳ । ଦିହ ନସମା ଲାଗୁଥିବ !”

 

ସୁଟ୍‌କେସ୍‌ଟା କେତେବେଳେ ଫିଟିବ; ସେଇଥିପାଇଁ ମୁଁ ଟାକି ବସିଛି । କିନ୍ତୁ ଅଜାଙ୍କ ସୁଟ୍‌କେସ୍ ଏତେ ସଅଳ ଫିଟେ ନାହିଁ । ବୋଉ ଢାଳେପାଣି ଦେଇଗଲା । ଅଜା ସେଥିରେ ଗୋଡ଼ ଧୋଇଲେ, ମାଙ୍କଡ଼ା ପଥର ପାହାଚରେ ଗୋଇଠି ଘଷିଘଷି । ତାପରେ ଗୋଟିଏ ଗାମୁଛାରେ ନିଠେଇ ନିଠେଇ ପୋଛିହେଲେ ।

 

“ନେତିକୁ ସର୍ଦ୍ଦି, ମୋତିର ନାଳରକ୍ତ ବନ୍ଦ ହେଉନାଇଁ, ସନ୍ତିଆଟା ଭୋଗୁଚି । ଘର ଜଞ୍ଜାଳରେ ଘରୁ ଦଣ୍ଡେ ପାଦ କାଢ଼ିବାର ଜୁ ନାହିଁ । କଣ୍ଠ ଛୁଟି ନେଇଆସିଲା । ମୁଁ କହିଲି ଯାଏ ସେଆଡ଼ୁ ଟିକିଏ ବୁଲିଆସେ ।”

 

ଅଜା ଆଉ ବୋଉ ଭିତରେ, ଏଇପରି ଗୁଡ଼ାଏ ବେଳ ଚାଲିଲା, କୁଶଳ ଜିଜ୍ଞାସା । ସତେଯେପରି ଏଇ ବାଜେ ଗପଗୁଡ଼ା ଶୁଣିବାପାଇଁ ମୁଁ ଆଜି ପେଖନା କାଢ଼ି ଇସ୍କୁଲ୍ ଯାଇନାଇଁ !

 

ଅଜା ଖଞ୍ଜାଭିତରେ ଆମ ଭାରତ–ଘର ପିଣ୍ଡାରେ କାନ୍ଥକୁ ଆଉଜି ବସିଥିଲେ । ଦୁଆର ସଜନାଗଛ ମଥାନ ଉପରେ ଗୋଟାଏ ଗୁଡ଼ି ଉଡ଼ୁଥିବା ହଠାତ୍ ତାଙ୍କ ନଜରରେ ପଡ଼ିଗଲା ।

ଅଜା ନେତି ମୋତିଙ୍କ ସର୍ଦ୍ଦି, ନାଳରକ୍ତ ଭୁଲି, କହିଉଠିଲେ... “ବାଁକୁ ଖାଲି କାନି କାଟୁଚି-। ଟୋକାଟା ଗୁଡ଼ି ଉଡ଼େଇ ଜାଣେ ନାହିଁ ।” ଅଜା ସେଇ ଗୁଡ଼ିଉଡ଼ା ଆଡ଼େ ଚାହିଁ ରହିଗଲେ-। ଗୁଡ଼ିଟା ସେତେବେଳକୁ ଖସିପଡ଼ିଥିଲା, ବାଉଁଶବାଡ଼ି ଉପରକୁ; ଡେଣାଭଙ୍ଗା ଗୋଟାଏ ଚିଲ ପରି-

ଆମେ ସବୁ ଭାବିଥିଲୁ ରାଜୁଆ ଗୁଡ଼ିଉଡ଼ାରେ ଗୋଟିଏ ହିରୋ । ଅଜା କିନ୍ତୁ ନାପସନ୍ଦ କରିଦେଲେ ।

ବୃତ୍ତି ପରୀକ୍ଷା ପାଇଁ ଏ ଘରେ ଗୁଡ଼ି ନିଷିଦ୍ଧ । ନଇଲେ ମୁଁ କେବେଠୁ କିଣି ସାରନ୍ତିଣି, ନଟେଇ, ସୁତା ଆଉ ଗୁଡ଼ି । ଖାଇବାବେଳେ ଦି’ଥର ଅଡ଼ି ବସିଲେ, ପେଟ ଟାଣୁଚି ଛଳନା କଲେ, ବୋଉ ଲୁଚେଇ କାଢ଼ିଦିଅନ୍ତା ପଇସା । ବାପା ବି ବୋଉ ମୁଣ୍ଡରେ ପୂରେଇଦେଲେଣି, ବୃତ୍ତି–ପରୀକ୍ଷା ଭୂତ । ଗୁଡ଼ିଉଡ଼ା ପରି ଗୋଟାଏ ମାରାତ୍ମକ କଥା ମୁଣ୍ଡରେ ଥରେ ପଶିଲେ, ବୃତ୍ତି–ପରୀକ୍ଷା ମଧ୍ୟ ଛିଣ୍ଡାଗୁଡ଼ି ପରି କାନିକାଟି କୁଆଡ଼େ ଉଡ଼ିଯିବ ।

ଅଜା ସଜନାଗଛ ଆଡ଼େ ଚାହିଁ ସେମିତି ବସିଛନ୍ତି, ଗୁଡ଼ିଟା ବୋଧହୁଏ କେତେବେଳେ ଉପରକୁ ପୁଣି ଉଠିବ, ଅପେକ୍ଷା କରି । ବୋଉ ଟିଣ ସୁଟ୍‌କେସ୍‌ଟାକୁ ଭାଗବତ ଘର ଭିତରେ ରଖିଦେଇ ଆସିଲାଣି ।

ସୁଟ୍‌କେସ୍ କେତେବେଳେ ଫିଟିବ ସେଥିପାଇଁ ମୋର ଅପେକ୍ଷା । କିନ୍ତୁ ଅଜାଙ୍କ ସୁଟ୍‌କେସ୍‌ ଏତେ ସଅଳ ତ ଫିଟେନାହିଁ । ବୋଉ କହିଲା... “ଗାଧୁଆ ବେଳ ଗଡ଼ିଯାଉଚି । ପୋଖରୀରେ ବୁଡ଼ାଟାଏ ପକାଇଆସ ।”

 

“ରହ ଟିକିଏ ଦମ୍ ମାରେ । ଆଗେ ଚା’ ମୁନ୍ଦାଏ ଆଣ ।

 

“ପୁଣି ଚା’ ଖାଇଲଣି ? ଛାଡ଼ିଦେଇଥିଲ ପରା କବିରାଜ କଥାରେ ।”

 

ଅଜା କ’ଣ ବିଧି ନିଷେଧ ମାନନ୍ତି ? ଚୁପ୍ ରହିଲେ । ଅଜାଙ୍କ ସମ୍ପର୍କରେ ବାପା ଯୋଉ ଆକ୍ଷେପ କରନ୍ତି, ସେଥିରୁ ଜାଣିଚି ଅଜା ପିଲାଦିନେ କୁଆଡ଼େ ଭାରି ଦୁର୍ଦ୍ଦାନ୍ତ ଥିଲେ–“ଯେମିତି ମଞ୍ଜି ସେମିତି ଗଛ । କଣ୍ଠ, କାନ୍ତ (ମୋର ଦୁଇ ମାମୁଁ) ତମରି ବାପାଙ୍କ ଯୋଗୁ ତ କିଛି ହୋଇପାରିଲେ ନାହିଁ । କଣ୍ଠ ହୋଇଚି କେଟିଆ କିରାଣିଟିଏ । କାନ୍ତ କଲିକତାରେ କ’ଣ ଯେ କରେ, ସେଇ ଜାଣେ-। କେତେ ଲୋକ ତ କହନ୍ତି କେତେ କଥା । ସବୁ ତମ ବାପାଙ୍କ ଯୋଗୁ । ପିଲାଦିନୁ କଡ଼ା ଶାସନ କଲେନାଇଁ”–ଅର୍ଥାତ ମୋଉପରେ ମଧ୍ୟ କଡ଼ା ଶାସନ ଜାରି କର ।

 

ବୋଉ ଚୁପ୍‌ରହେ ।

 

ଅଜା ଏବେସିନା ଏମିତି ସୁଧାର ଦିଶୁଚନ୍ତି । ନୋହିଲେ ପିଲାଦିନେ ସେ କୁଆଡ଼େ ପାଠଚୋର ଥିଲେ । ଇସ୍କୁଲ ଯିବା ନାଁରେ ହାଟ ବଜାରରେ ବୁଲୁଥିଲେ । ପାଠବହି ବିକ୍ରିକରି ବିଡ଼ି ଟାଣୁଥିଲେ । ଜୁଆନ ଦିନେ ତାଙ୍କ ନାଁରେ ଶୁଣାଯାଉଥିଲା ନାନା କଳଙ୍କ । ଅଜାଙ୍କ ଉପରେ ବାପା ଏତେ ଚିଡ଼ନ୍ତି କାହିଁକି କେଜାଣି ? ବୋଧହୁଏ ଯୌତୁକରେ ସାଇକଲଟା ପାଇଲେ ନାହିଁ ବୋଲି–“ତମ ବାପା ତ ଏଣ୍ଟ୍ରାନ୍‌ସ୍‌ ଦୁଆର ମାଡ଼ିପାରିଲେ ନାହିଁ । ତମେ ଯେମିତି ପୁଅକୁ ତୁଣ୍ଡରେ ବସେଇଚ, ସିଏ ମଧ୍ୟ ଏଣ୍ଟ୍ରାନ୍‌ସ୍ ଦୁଆର ମାଡ଼ିପାରିବ ନାହିଁ ।”

 

“ତମେ ଏବେ କୋଉ ଗୋଟିକ ପଣେ ତୁଳସୀ ? କହିବି ନାଇଁ ନା, କହିଲେ ଏ ଘରେ ରହିବି ନାଇଁ । ତମେ ତ ଏତେ ‘ପଣ୍ଡିତ’ ହୋଇ ହେଲ ପେଟୀ ଠିକାଦାର । ଆଉ ମୁଁ ଖାଲି ପିଲାଟାକୁ ବିଗାଡ଼ି ଦଉଚି ।’ ସାବାସ୍‌ ବୋଉ । ମୁଁ ମନେମନେ ତାରିଫ୍‌ କଲି ।

 

କିନ୍ତୁ ସୁଟ୍‌କେସ୍‌ଟା ଏପର୍ଯ୍ୟନ୍ତ ଫିଟିଲା ନାଇଁ ଯେ । ଅଜାତ ଏଇମାତ୍ର ଗିଲାସରୁ ମୁନ୍ଦାଏ ଚା’ ଢୋକିଲା ।

 

ମୁଁ କହିଲି... “ଉଠ ଅଜା, ଆଉ ଡେରି କରନାହିଁ ।”

 

ଅଜା ମୁରୁକିହସି କହିଲେ... “ଆରେ ଥୟଧର ! ମୁଁ ଚା ମୁନ୍ଦାକ ପିଇବାରେ ।”

 

ରାଜୁଆ ଗୁଡ଼ି ସେତେବେଳକୁ ଚିଲ ପରି ପୁଣି ଉପରକୁ ଉଠିଯାଇଁ ବାଉଁଶ ବଣ ଉପରେ ଚକ୍କର କାଟୁଥିଲା । ମୋର ମନେପଡ଼ିଗଲା–ଆରବର୍ଷ ଅଜାଙ୍କୁ କହିଥିଲି ଗୁଡ଼ି ପାଇଁ ।

 

“ଅଜା ଗୁଡ଼ି ଆଣିଚ ?”

 

ଅଜା ଉତ୍ତର ନ ଦେଇ, ମୁରୁକି ହସିଲେ । ତାପରେ ତେଲ ଗିନାରୁ ତେଲ ଟୋପାଏ ନେଇ ଦେହରେ ବୋଳୁ ବୋଳୁ ପଚାରିଲେ... “ତୁ ଗୁଡ଼ି ଉଡ଼େଇ ଜାଣିଚୁ ? କାନିକଟା, ପେଞ୍ଚମରା-?”

 

ଗୁଡ଼ିଉଡ଼ାରେ ସେପର୍ଯ୍ୟନ୍ତ ମୁଁ ଯାଇଥିଲି, ଖଣ୍ଡେ ବାଉଁଶ କାଠିରେ ସୂତା ଗୁଡ଼େଇ, ଚଉକୋଣିଆ ନାଲି, ନେଳୀ କାଗଜ ଉଡ଼ାଇବା ପର୍ଯ୍ୟନ୍ତ । ରାଜୁଆ ମୋ ଗୁଡ଼ି ଦେଖିଲେ ଥଟ୍ଟାକରେ-। ତା’ର କାଠ ନଟେଇ ଅଛି ।

 

ଅଜାଙ୍କ ପଛେପଛେ ମୁଁ ଗାଧୁଆ ପୋଖରୀ ତୁଠକୁ ଆସିଲି । ଅଜା ପାଣିଭିତରେ ପଶି, ଦୁଇକାନରେ ଦୁଇଟା ଆଙ୍ଗୁଠି ଚିପି, ଦି’ ବୁଡ଼ ପକାଇବା ଆଗରୁ ପ୍ରଥମେ ପେଟରେ ପାଣି ବାଡ଼ାନ୍ତି । ଏ ପାଣି ବାଡ଼ାର ରହସ୍ୟଟା ମୁଁ ଆଦୌ ବୁଝିପାରେ ନାହିଁ । ତା’ପରେ ଦି’ହାତରେ ପାଣି ଆଡ଼େଇ, ଡୁବ ପକାନ୍ତି । ପାଣିଉପରେ ତେଲ ଭାସିଉଠେ ସପ୍ତରଙ୍ଗୀ ଇନ୍ଦ୍ରଧନୁ ପରି । ଅଜାଙ୍କ ଝାମ୍ପୁରା ବାଳରୁ ପାଣିବିନ୍ଦୁ ସବୁ ତଳକୁ ଟୋପି ଟୋପି ପଡ଼ିବାବେଳେ ମୋର ମନେହୁଏ–ମୋର ବି ଏମିତି ଝାମ୍ପୁରା ବାଳ ଥାନ୍ତା କି !

 

ଗାଧୁଆ ତ ସରିଲା । ଏବେ ସୁଟ୍‌କେସ୍ ଫିଟୁ !

 

ଅଜା ଅବଶ୍ୟ ଓଦା ଗାମୁଛା ପିନ୍ଧି, ଖୋଷଣିରୁ ଚାବି କାଢ଼ି ସୁଟ୍‌କେସ୍ ଫୁଟାଇଲେ । କିନ୍ତୁ ତା’ ଭିତରୁ କୋଥଳିଟା କାଢ଼ି, ସୁଟ୍‌କେସ୍‌ରେ ପୁଣି ତାଲା ପକାଇ, ଅଣ୍ଟାରେ ଚାବି ଖୋଷିଦେଲେ । ଅଜାଙ୍କ କୋଥଳୀ ପୂଜା ମୋ ପକ୍ଷରେ ଏକ ଦର୍ଶନୀୟ ବ୍ୟାପାର । କୋଥଳିରୁ ପ୍ରଥମେ ବାହାରେ ଗୋଟାଏ ଅଇନା ଆଉ ଚିରୁଣି । ଅଇନାକୁ କୋଥଳି ଉପରେ ଡେରି, ଗୋଟାଏ ପାନିଆରେ ଅଜା ଝାମ୍ପୁରା ବାଳଗୁଡ଼ାକ ଆଞ୍ଚୁଡ଼ନ୍ତି । ତାପରେ କୋଥଳିରୁ ବାହାରେ ଖଣ୍ଡେ ଛୋଟ ପଥର ଆଉ ଖଡ଼ି । ଚିତା ଘୋରି, ଅଜା କପାଳ, ଛାତି ଆଉ ବାହାରେ ଛାପିଛାପିଆ ଚିତ୍ର ଆଙ୍କନ୍ତି । ମୋର ସେମିତି ଚିତା କାଟିବା ପାଇଁ ଇଚ୍ଛାହୁଏ । ମୁଁ ବି ମୁଣ୍ଡରେ ଚିତା ଟିକିଏ ବୋଳିପକାଏ ।

 

ଅଜା ମୁରୁକି ହସି କହନ୍ତି... “ହେଲା ନାଇଁ !” ତାପରେ ନିଜ ହାତରେ ମୋ କପାଳରେ ଗାରେ ଚିତା ଟାଣିଦିଅନ୍ତି । ଚିତାକଟା ପରେ, ଅଜା ଦୁଇଆଖି ବୁଜି ବସନ୍ତି । ତାଙ୍କ ଓଠ ଦୁଇଟା ଥରଥର କମ୍ପେ । ମୁଁ ମଧ୍ୟ ସେହିପରି ଆଖିବୁଜି ବସେ । ଅଜା ଆଖିବୁଜିଲେ କ’ଣ ଦେଖନ୍ତି ଜାଣେ ନାହିଁ । ମୁଁ କିନ୍ତୁ ଆଖିବୁଜିବା ମାତ୍ରେ ମୋ ଆଖିଆଗରେ ଭାସିଉଠେ ରାଜୁଆ ଗୁଡ଼ି । ଅଜା କ’ଣ ଦେଖନ୍ତି କେଜାଣି ?

ହଉ ପୂଜା ତ ସରିଲା ! ଏଥର ସୁଟ୍‌କେସ୍‌ ଫିଟିବ ପରା ! ନାଇଁ, ଅଜା ସୁଟ୍‌କେସ୍‌ଟାରେ କୋଥଳି ରଖି, ପୁଣି ତାଲା ପକାଇଦେଲେ । ବୋଉ ପିଣ୍ଡାରେ ପିଢ଼ା ପକାଇ, କଂସାରେ ଚୁଡ଼ା ଚକଟି ରଖି ଦେଇଗଲା । ଅଜା ତାକୁ ଚାକୁଳେଇ ଚାକୁଳେଇ ଖାଇଲେ । ମୋତେ ବି ଖୁଆଇଦେଲେ ଗୁଣ୍ଡାଏ । ସେଇ ଚୁଡ଼ା ବୋଉ ହାତରେ ଖାଇଲେ କିନ୍ତୁ ଏତେ ଭଲ ଲାଗେ ନାହିଁ । ବୋଉ ତାକିଦ୍ କରିଦେଲା... “ତତେ ଜର କଞ୍ଚା ଚୁଡ଼ା ଖା ନାହିଁ ।”

ୟାପରେ ଅଜା ବୋଧହୁଏ ସୁଟ୍‌କେସ୍‌ ଖୋଲିବେ । ବୋଉ ପାଖରେ ଠିଆ ହୋଇଥିଲା-। ହାତ ଧୋଇସାରି, ଅଜା ତା’ ସଙ୍ଗରେ ପୁଣି ଆରମ୍ଭ କରିଦେଲେ, ସେଇ ନେତି, ମୋତି ଆଉ କାନ୍ତିଆ କଥା–“କାନ୍ତ, କଲିକତାରେ ବୁଲୁଚି । ଘରକୁ ପଇସାଟିଏ ପଠାଇଲା ନାହିଁ । ସଜମାଛରେ ଲୋକେ ତ ପୋକ ପକାନ୍ତି । ହେଲେ କାନ୍ତିଆ କଥା କେତେ ସତ କେତେ ମିଛ ଠାକୁରେ ଜାଣନ୍ତି-।”

ଏସବୁ ବାଜେକଥା ଶୁଣିବାରେ ମୋର ଆଗ୍ରହ ନଥିଲା । ମୁଁ ଅଭିମାନ ଆଉ ବିରକ୍ତିରେ ଦାଣ୍ଡପିଣ୍ଡାକୁ ଉଠିଆସିଲି । ଆକାଶରେ ରାଜୁଆ ଗୁଡ଼ି ନଥିଲା । ଗୋଟାଏ ମାଟିଆ ଚିଲ କେବଳ ଉଡ଼ୁଥିଲା ଚକ୍‌କର କାଟି । ଆଣ୍ଠି ଉଷରେ ମୁହଁ ରଖି ଖାଁ ଖାଁ ଗାଁ ଦାଣ୍ଡକୁ ମୁଁ ଅନେଇ ବସିଲି ।

 

“ମନୁ”... ଚମକିପଡ଼ିଲି । ଅଜା କେତେବେଳେ ଆସି ମୋ ପଛରେ ଠିଆହୋଇ ମୋ ଅଲରାବାଳ ସାଉଁଳେଇ ଦେଉଛନ୍ତି ।

 

ଅଜାଙ୍କ ପଛେ ପଛେ ଅଭିମାନ ଭୁଲି ଉଠିଆସିଲା ।

 

ଏଥର ସୁଟକେସ୍ ଫିଟିଲା । ମୁଁ ତ ପ୍ରଥମେ ନିଜ ଆଖିକୁ ବିଶ୍ଵାସ କରିପାରିଲି ନାହିଁ । ଅଜା ଆଣିଛନ୍ତି, ଗୋଟାଏ କାଠ ନଟେଇ । ମୁଁ ତାଙ୍କ ହାତରୁ ନଟେଇଟାକୁ ଛଡ଼େଇ ଆଣୁଥିଲି; ଅଜା କହିଲେ... “ଏଥିରେ କେମିତି ମାଞ୍ଜା ଦବାକୁ ହୁଏ, ବଢ଼େଇଦେବି ତୋତେ । ହେଇତି ପୁଡ଼ିଆରେ କାଚଗୁଣ୍ଡି ବି ଆଣିଚି । ଏ ମାଞ୍ଜାଦିଆ ସୁତାରେ ଅନ୍ୟ ଗୁଡ଼ିର ସୂତା କଟିଯିବ । ବୁଝିଲୁ-।”

 

ରାଜୁଆ ଗୁଡ଼ି କେମିତି କାଟିବି ସେଥିପାଇଁ ଉଚ୍ଛନ୍ନ ହୋଇଉଠିଲି । ଭାରି ଫୁଟାଣି । ସେଦିନ ରାଜୁଆକୁ ତା’ ଗୁଡ଼ି ଟିକିଏ ମାଗିଲି । ଛୁଆଇଁ ଦେଲାନାହିଁ । ଅଜା ବି ଆଣିଚନ୍ତି ନାଲି, ହଳଦି କାଗଜ । ଏଇଠି ଗୁଡ଼ି ତିଆରି ହବ । ତିଆରି କରି ଆଣିଥିଲେ ସୁଟକେସ୍ ଭିତରେ ଧରିନଥାନ୍ତା । “ଏଇଠି ତିଆରି କରିବା ଗୁଡ଼ି । ତମ ଘରେ କତୁରୀ ଅଛି ? ବୋଉକୁ ଯା କହିବୁ, ମଇଦାରେ ଲେହି ତାଟିଆଏ କରିବା ପାଇଁ ।”

 

“ତମେ କୁହ । ବୋଉ ଗାଳିଦବ ମୋତେ ।”

 

“ଆଲୋ ସତୀ । ଘରେ ମଇଦା ଅଛି ?”

 

“କ’ଣ ନୁଚି ଖାଇବ କି ?” –ବୋଉ ରନ୍ଧାଘର ଭିତରୁ ପଚାରିଲା ।

 

“ନାଇଁମ; ଏଇ ଅଠା ଟିକିଏ ଦରକାର ଥିଲା ।” –ଅଜା କୈଫିୟତ୍ ଦେଲେ ।

 

“ମଲା, ଅଠା କ’ଣ ବା ?” ...ବୋଉର ସବୁକଥା ଜାଣିବା ଦରକାର ।

 

ଅଜା ମୋ ଆଡ଼େ ଚାହିଁ ମୁରୁକି ହସି ଉତ୍ତର ଦେଲେ... “ମୋତେ ଦରକାର ଅଛି ।” ଅଜାଙ୍କ ଆଖିଦୁଇଟା ଦୁଷ୍ଟାମିଭରା । ଗୁଡ଼ି ତିଆରି କଥା ସେ ବୋଉକୁ କହିଲା ନାହିଁ ।

 

ମୁଁ ସଙ୍ଗେ ସଙ୍ଗେ ରୋଷେଇ ଘରକୁ ଦଉଡ଼ି ଆସିଲି ଲେହି ପାଇଁ ବୋଉ ବୋଧହୁଏ ଅଜାଙ୍କ ଉପରେ ଚିଡ଼ିଗଲା । ସେ ମନକୁମନ କହିଲା... “ଆରେ ରହ, ଏ ଶାଗଟା ଆଗେ ଚୁଲିରୁ ଓହ୍ଲେଇସାରେ । ବୃଦ୍ଧ ବାଳ ସମାନ ।”

 

ଲେହି ତାଟିଆଟା ଅଜାଙ୍କ ପାଖରେ ରଖିଦେଲା ପରେ, ଅଜା କହିଲେ... “ଆଜି ମାଂଜା ଦେବା । ଗୁଡ଼ି ତିଆରି ପାଇଁ କାଠି କାଟିବା । କାଲି ତିଆରିହବ ଗୁଡ଼ି ।”

 

“କାଲିକି ଯଦି ପୁଣି ଜର ନହେଲା ?” –ମୁଁ ପଚାରିଲି, ଅସହାୟ କଣ୍ଠରେ । କାଲି ତ ପୁଣି ଆଜିପରି ପେଖନା କାଢ଼ିହବ ନାଇଁ ?

 

ଅଜା ଦୁଇହାତରେ ସୁତାକେରା ଟାଣୁଟାଣୁ କହିଲେ... “କାଖ ତଳେ ରସୁଣ ଜାକିଦବୁ । ଦିହରେ ତାତି ଆସିଯିବ ।”

 

ବାଡ଼ି ଦୁଆରବାଟେ ଆମେ ଓଉବାଡ଼ିକୁ ଚାଲିଆସିଲୁ, ସୁତାରେ ମାଞ୍ଜା ଦେବାପାଇଁ । ଅଜା କହିଲେ... “ତୋ ବାପା ଆସି ଯଦି ଦେଖିବନାଁ !”

 

ସବୁ ସତର୍କତା ସତ୍ତ୍ଵେ ବାପାଙ୍କ ଧୂର୍ତ୍ତ ଆଖିରୁ ଆମ ଗୁଡ଼ି ତିଆରି ଯୋଜନା କିନ୍ତୁ ବାଦ୍ ଗଲାନାହିଁ ।

 

ତା’ ପରଦିନ ବଡ଼ିସକାଳୁ ଭାଗବତଘର ସାମ୍ନାରେ ବାପାଙ୍କ କଠୋଉ ଠକ୍‍ଠକ୍ ବନ୍ଦ ହୋଇଗଲା–“ଗୋଟିଏ ମୂଷା କୋଉଠି ମରି ପଚୁଛି ନାଁ କ’ଣ ?” –ଭାଗବତଘର କୋଣରେ ଅଜା ଗୋଟିଏ ମାଟି ବଢ଼ାରେ ରଖିଥିଲେ ଲେହି, ସୁତାରେ ମାଞ୍ଜା ଦେବାପାଇଁ ।

 

ବୋଉ ଚୁପ୍ ରହିଥିଲେ ହୋଇନଥାନ୍ତା ? ସେ କହିଲା......ମୂଷା ମରିନଥିବ ମ । କାଲି ମଇଦାଲେହି କରିଥିଲି ଯେ, ସେଇ ଗନ୍ଧୋଉ ଥବ ।”

 

“ମଇଦା ଲେହି କ’ଣ କରିବ ?”

 

“ବାପା ମନୁଆ ପାଇଁ ଗୁଡ଼ି ତିଆରି କରୁଛନ୍ତି ।” –ବୋଉ କଥାଟାକୁ ଚେଇ ରଖିପାରିଲା ନାହିଁ । ହାୟ ବୋଉ ! ଆଉ କିଛି ଗୋଟାଏ ଉତ୍ତର ଦେଇପାରିଲୁ ନାହିଁ ?

 

ବାପା ଚିତ୍କାର କରିଉଠିଲେ, ଅଜାଙ୍କୁ ଶୁଣାଇବା ଭଳି କଣ୍ଠରେ–କିନ୍ତୁ ଭାଗବତ ଘରେ ବିଛଣାରେ ପଡ଼ି ସେ ପର୍ଯ୍ୟନ୍ତ ଘୁଙ୍ଗୁଡ଼ି ମାରୁଥିଲେ–ବୁର୍ତ୍ତି ପରୀକ୍ଷା ମୁଣ୍ଡଉପରେ । ପିଲାଟାକୁ ନଷ୍ଟ କରିଦେଲେ । ତମେବି କେମିତି ମା’ ହୋଇ ଗୁଡ଼ିପାଇଁ ଅଠା ତିଆରିକରି ଦେଇଥିଲ ?” ବୋଉ ଚୁପ୍ ରହିଥିଲା । ବାପା ବଡ଼ପାଟିରେ କହିଲେ..... “ମନୁଆକୁ ଆଜି ଶିଏ ପାଞ୍ଚ ଡିଗ୍ରୀ କରି ହେଲେ ବି ସିଏ ସ୍କୁଲ ଯିବ ।” ଏଇ ଚରମ ଘୋଷଣା ପରେ ବାପାଙ୍କ କଠୋଉ ଠକ୍‍ଠକ୍ ଦାଣ୍ଡ ପାହାଚରେ ମିଳାଇଗଲା ।

 

କାଖରେ ରସୁଣ ଜାକିଲେ ବି ରକ୍ଷା ନାହିଁ । ଦିହ ତାତିରେ ଖଇଫୁଟିଲେ ବି ଇସ୍କୁଲ ଯିବାପାଇଁ ପଡ଼ିବ । ତା’ ଛଡ଼ା ବୋଉ ବୁଝିପାରୁଛି, କାଲି କାଢ଼ି ମୁଁ ଇସ୍କୁଲ୍ ଯାଇନାହିଁ । ଆଜି ତାଠାରୁ କୌଣସି ଅନୁଭୂତି ଆଶା କରିବା ବୃଥା ।

 

ଅଜା ବିଛଣାରେ ପଡ଼ି, ଘୁଙ୍ଗୁଡ଼ି ମାରିବାର ଛଳନାକରି, ବୋଧହୁଏ ଶୁଣିଥିଲେ, ବାପାଙ୍କର କୁହଟା ଦାଣ୍ଡପିଣ୍ଡାରେ କାନ୍ଥକୁ ଆଉଜି ବସି ସେ ପିଲାବେଳେ, ମୁଁ ତାଙ୍କ ପାଖରେ ମୁହଁ ଶୁଖାଇ ଯାଇଁ ବସିଲି ।

 

ଦାଣ୍ଡ ବରଗଛ ଡାଳରେ ଗୋଟାଏ ହଳଦୀବସନ୍ତ କୁଆଡ଼ୁ ପିଉ ପିଉ ଉଡ଼ିବସିଲା । ମୁଁ ପ୍ୟାଣ୍ଟ୍‌ କକେଟ୍‌ରୁ ବାହାର କରି ଛିଟ୍‌କିନି ଆଉ ପଡ଼ୀ ।”

 

ଲାଖ କରୁଥିଲି; ଅଜା ମୋ ହାତରୁ ଛିଟିକିନିଟା ଛଡ଼ାଇନେଇ କହିଲେ...... “ଛି ଛି, ଏଇ ପାଠ ତୁ ପଢ଼ିଚୁ ? ଏମିତି ସୁନ୍ଦର ଚଢ଼େଇମାନଙ୍କୁ ଗଛ ଡାଳରେ ଦେଖନ୍ତି ସିନା । କ’ଣ ମାରନ୍ତି ? ମାରିଲେ ଏମିତି ଚଢ଼େଇଟା ଗଢ଼ିପାରିବୁ ?”

 

ହଳଦିବସନ୍ତ ଆଡ଼େ ଚାହିଁ ମୁଁ କହିଲି.... “ଅଜା ଦେଖୁଚ, ହଳଦିଆ ଦେହରେ କେମିତି କଳା ପଟିଟାଏ ପଡ଼ିଚି । ଏମିତି ସୁନ୍ଦର ଚଢ଼େଇ ତିଆରିକରି କିଏ ?”

 

ପିଉ ପିଉ ଡାକ ଡାକି ହଲଦିବସନ୍ତଟା ଲାଞ୍ଜ ନଚେଇ ଉଡ଼ିଗଲା ।

 

ଅଜା ଗିଲାସରୁ ଚା’ ଟୋପେ ତୋକି ଉପରକୁ କେବଳ ଆଙ୍ଗୁ ଦେଖେଇଦେଲେ । କିନ୍ତୁ କିଏସେ ? ଅଜା କୌଣସି ଉତ୍ତରଦେଲେ ନାହିଁ ଓଠରେ କେବଳ ସେଇ ମୁରୁକି ହସ ।

 

ଅଜା ତାପରେ, ଥାଳିଆରେ ମୋ ପାଇଁ ଚା’ ମୁନ୍ଦେ ଢାଳିଦେଇ କହିଲେ...... “ଏଥର ବୃତ୍ତି ପରୀକ୍ଷାରେ ପାସ୍ କରିବୁ । ତୋ ବାପା ଖୁସିହବ ମୁଁ ଖୁସିହେବି ।”

 

ମୁଁ କହିଲି..... “ତୁମେ ଖୁସିହବ ? ମୁଁ ବୃତ୍ତି ପାଇଲେ କ’ଣ ଆଣି ମୋ ପାଇଁ ?”

 

ଅଜା ଉତ୍ତରଦେଲେ..... “ଆରଥରକୁ ଗୋଟିଏ ବଇଁଶୀ ଆଣିକି ନଈବନ୍ଧରେ, ଆମ୍ବତୋଟାରେ ବସି ବଇଁଶୀ ବଜେଇବୁ ।”

 

ଶୈଶବର ସବୁ ଐଶ୍ଵର୍ଯ୍ୟ, ଅଜା ମୋ ଆଗରେ ଫିଟାଇ ଦେଉଥିଲେ ଗୋଟିଗୋଟି କରି-। ଅଜା ଜାଣିଲେ କେମିତି, ମତେ ଭଲଲାଗେ, ନିଛାଟିଆ ଖରାବେଳେ ବଇଁଶୀର ନଗେଶ୍ୱରୀ ସ୍ୱର ଶୁଣିବା ପାଇଁ ?

 

ହଠାତ୍ ରସଭଙ୍ଗ କରି, ଭିତରୁ ବାପାଙ୍କ କଠୋଉ ଠକ୍‍ଠକ୍ ଶୁଭିଲା । ଅଜା କହିଲେ “ପଳା, ପଳା, ତୋ ବାପା ତୋତେ ମୋପାଖରେ ଦେଖିଲେ ଅବିକା ରାଗିବ ।”

 

“ଗୁଡ଼ି ?” –ମୁଁ ପଚାରିଲି ଅସହାୟ କଣ୍ଠରେ ।

 

“ତୁ ଇସ୍କୁଲ୍‌ରୁ ଫେରିବାବେଳକୁ, ମୁଁ ତିଆରି କରି ରଖିଥିବି ।”

 

“ରସୁଣ କାଖତଳେ ଜାକିବି ନାଇଁ ?” ସ୍କୁଲକୁ ଯିବାପାଇଁ ମୋର ମନ ନଥିଲା ।

 

ଅଜାଙ୍କ କଣ୍ଠସ୍ଵର କଠିନ ହୋଇଉଠିଲା, “ତୁଟା ସତରେ ପାଠଚୋର । ତୁ ଇସ୍କୁଲ୍ ନ ଗଲେ, ମୁଁ ଆଉ ଗୁଡ଼ି ତିଆରି କରିବି ନାହିଁ ।”

 

ମୁଁ ଭିତରକୁ ଦୌଡ଼ିଯାଇ, ଦୁଆରେ ଗୋଟାଏ ଯୁଦ୍ଧ ଧ୍ଵନି ଦେଲି, ବୋଉ ଇସ୍କୁଲ୍ ବେଳ ହୋଇଗଲା ।”

 

ବାପା ପୁଣି ତାକିଦ୍ କରିଦେଲେ.. “ହଁ, ଆଜି ଇସ୍କୁଲ୍‌କୁ ଯିବୁ । କ’ଣ ଏତିକିବେଳୁ ? ଇସ୍କୁଲ୍ ବାହାନାରେ ଯାଇ କୋଉଠି ଗୁଲି ଖେଳିବୁ ।”

 

ବାଃରେ ! ଇସ୍କୁଲ୍ ଗଲେ ଦୋଷ, ନ ଗଲେ ଦୋଷ !

 

ଗୋଟାଏ ନୁହେଁ, ଅଜା ତିଆରି କରିଥିଲେ ଚାରିଟା ଗୁଡ଼ି । ଅଜାଙ୍କର ସବୁ କାରିଗରୀ ସତ୍ତ୍ୱେ ସେଥିରୁ କୋଉଟା କିନ୍ତୁ ଠିକ୍ ଚାରିକୋଣିଆ ହୋଇପାରିନଥିଲା । ଗୋଟାଏ ଥିଲା ଲାଞ୍ଜିଆ ଗୁଡ଼ି । ସେଇଟା ଉଡ଼ୁଥିଲା ଗାଁମୁଣ୍ଡ ଦାଣ୍ଡରେ, ଛୋଟିଆ ଆକାଶ ଖଣ୍ଡକରେ ତା’ର ପ୍ରଭୁତ୍ୱ ଘୋଷଣା କରି । ଅଜା ଉଡ଼ାଇଲେ–ମୁଁ ସେଥିରେ କେବଳ ନିମିତ୍ତ ମାତ୍ର । ଗୁଡ଼ିଟା ଉପରକୁ ଉଠିଯିବା ପରେ, ଅଜା ମୋ ହାତରେ ନଟେଇଟା ଧରେଇଦେଇ କହିଲେ... “ପଛକୁ ପଛକୁ ହଟି ସୂତା ଛାଡ଼ ।”

 

ଗୁଡ଼ିଟା କିନ୍ତୁ କଟିଲା ।

 

ଆମ ଚାରିପଟେ ଜମିଥିବା ଦଳେ ପିଲାଙ୍କ ପାଟିକୁ ବୁଡ଼ାଇ ଅଜାଙ୍କ ଚିତ୍କାର ଶୁଭୁଥିଲା... “ଗୁଡ଼େଇପକା । ଗୁଡ଼େଇପକା ।”

 

ଗୁଡ଼ି ପୁଣି ଉଠିଗଲା ଉପରକୁ...ସେଇ ନିଛାଟିଆ ତାଳଗଛ ମଥାନଆଡ଼େ ।

 

ଏହି ସମୟରେ, ଆକାଶରେ ହଠାତ୍ ଭାସିଉଠିଲା, ରାଜୁଆର ସେଇ ହଳଦିଆ ଗୁଡ଼ିଟା-। ଗୋଟାଏ ବଡ଼ ଚିଲ ପରି ମାଡ଼ିଆସୁଥିଲା, ମୋର ଲାଞ୍ଜୁଆ ଗୁଡ଼ିକୁ ଆକ୍ରମଣ କରିବାପାଇଁ । ଏଇ ଚେନାଏ ଆକାଶରେ ଅନ୍ୟ ଗୋଟାଏ ଗୁଡ଼ିର ଆସ୍ଫାଳନ, ସେ ଯେପରି ବରଦାସ୍ତ କରିପାରୁନଥିଲା-

 

ପିଲାଗୁଡ଼ା ଦୁଇହାତରେ ତାଳିପିଟି କହିଲେ–“ରାଜୁଆ ଗୁଡ଼ି, ରାଜୁଆ ଗୁଡ଼ି ।” ...ଏ ଗାଁର ଆକାଶରେ ରାଜୁଆ ଗୁଡ଼ିର ଏକଛତ୍ର ରାଜତ୍ଵ । ତା’ର ପ୍ରତିଦ୍ୱନ୍ଦ୍ୱିତା କରିବ ପୁଣି ଏଇ ବେହେଡ଼ା–ଲାଞ୍ଜୁଆ ଗୁଡ଼ିଟା ?

 

ରାଜୁଆ ଗୁଡ଼ିର ଆସ୍ଫାଲନ ଦେଖି, ଅଜା ମୋ ହାତରୁ ନଟେଇଟା ଛଡ଼େଇନେଇ କହିଲେ... “ଦେ, ଦେ ତ ମୋତେ । ଦେଖୁଚି ତା’ କରାମତି ।”

 

ସୂତାରେ ମାଞ୍ଜା ଘଷିଛନ୍ତି ଅଜା । ରାଜୁଆ ଗୁଡ଼ି ନିଶ୍ଚୟ କଟିବ । କିନ୍ତୁ ଇଏ କ’ଣ ? କତୁରୀରେ କାଟିବାପରି ରାଜୁଆ ଗୁଡ଼ିଟା ମୋ ଲାଞ୍ଜୁଆ ଗୁଡ଼ିକୁ ନିମିଷକେ କାଟିଦେଇ, ହଁ କରି ଉପରକୁ ପୁଣି ଚିଲପରି ଉଠିଗଲା ।

 

ଅଜା ମନକୁମନ କହିଲେ... “ମାଞ୍ଜା ଠିକ୍ ଧରିନଥିଲା ପରା !”

 

ଲାଞ୍ଜିଆ ଗୁଡ଼ିଟା, ମଲା ଚଢ଼େଇ ପରି, ମହଲ ଆକାଶରେ ତେରରୁ ହୋଇ କିଆ ଗୋହିରି ଆଡ଼େ ତଳକୁ ଖସି ଆସୁଥିଲା । ତାକୁ ଧରିବାପାଇଁ ଦଳେ ପିଲା, ଲଗୀ ଝଟା ଧରି ଦ‌ଉଡ଼ିଥିଲେ, କିଳିକିଳା ରଡ଼ି ଛାଡ଼ି । ସମସ୍ତଙ୍କ ମୁହଁରେ ରାଜୁଆ ଗୁଡ଼ିର ଜୟଜୟକାର । ଅଥଚ ଏଇ ଅଳ୍ପ ପୂର୍ବେ, ସେମାନେ କେତେ ତାରିଫ୍ କରୁନଥିଲେ, ମୋର କଞ୍ଜୁଆ ଗୁଡ଼ିକୁ ! ମୋର ଦୁଇଆଖି ଲୁହ ଛଳଛଳ ହୋଇଉଠିଲା । ଅଜା ବୋଧହୁଏ ରାଜୁଆ ଉଦ୍ଦେଶ୍ୟରେ କହିଲେ... “କାଲି ଦେଖେଇଦେବି ତୋ ଗୁଡ଼ିର କରାମତି କେତେ !”

 

ସାନ୍ତ୍ୱନା ପାଇଲି । କିନ୍ତୁ ଆଶ୍ଵସ୍ତ ହୋଇପାରିଲି ନାହିଁ । ବାପା ସେତିକିବେଳେ, ସାଇକଲ୍‌ରେ ଫେରୁଥିଲେ ଘରକୁ । ସେ ନିଶ୍ଚୟ ଦେଖିଛନ୍ତି ମୋ ଗୁଡ଼ିଉଡ଼ା । ନ‌ଇଲେ ମୋଆଡ଼େ ସେମିତି ଗାରଡ଼େଇ ଚାହିଁଥାନ୍ତେ କାହିଁକି ?

 

ଘରେ ପାଦଦେବା ମାତ୍ରେ, ଶୁଣିଲି ବାପାଙ୍କ ରଡ଼ି... “ମୁଣ୍ଡଉପରେ ବୃତ୍ତି ପରୀକ୍ଷା । ପାଠ ଛାଡ଼ି ବାବୁଙ୍କର ଦଣ୍ଡାରେ ଗୁଡ଼ିଉଡ଼ା ଚାଲିଛି !”

 

ମୁଁ ତଳକୁ ମୁଣ୍ଡ ନୁଆଇଁ ବୋଉ ପାଖକୁ ଧାଇଁଯାଉଥିଲି, ବାପା ମୋ କାନଟା ଝିଙ୍କିଧରି କହିଲେ... “ହ‌ଇରେ ରିଭିଜନ୍ ସାରିଲୁଣି ? ତମରି ବାପା ମନୁଆ ମୁଣ୍ଡ ଖାଇଲେ ।” –ଏ ଆକ୍ଷେପଟା ବୋଉ ପ୍ରତି ।

 

ଇଏ କଟାଘାରେ ଲୁଣଛିଟା ! ପରାଜୟ ଉପରେ ଅପମାନ ! ମୋ ଆଖିରୁ ଧାରଧାର ଲୁହ ଝରିପଡ଼ିଲା ।

 

ସେଦିନ ରାତିରେ ଖିଆପିଆ ପରେ, ଅଜା କହିଲେ... “ଆଲୋ ସତୀ, ମୋ ଲୁଗାପଟା ଦିଖଣ୍ଡ ସଜାଡ଼ିଦବୁ । କାଲି ସକାଳ ବସ୍‌ରେ ମୁଁ ଗାଁକୁ ଫେରିବି ।”

 

“ମଲା, ଏ ଦିନ ତିନିଟା ରହିନା, ଘରକୁ ଫେରିଯିବ ?”

 

“କଣ୍ଠ ଛୁଟି ପରା ସରିବଣି । ଘର କଥା ତ ଜାଣିଚୁ । ନେତି, ମୋତି, ସନ୍ତିଆ କାହାରି ଦିହ ଭଲନଥିଲା ।”

 

ଅଜାଙ୍କ କାନରେ ମୁଁ ଫିସ୍‍ଫିସ୍ କରି କହିଲି...‘‘କହିଥିଲ ପରା କାଲି ରାଜୁଆ ଗୁଡ଼ି କାଟିବ !”

 

ଅଜା ଉତ୍ତରଦେଲେ ନାହିଁ । ଓଠରେ ସେଇ କ୍ଷୀଣ ହସ–ଯାହାର ଅର୍ଥ ମୁଁ କେବେ ବୁଝିପାରେ ନାହିଁ ।

 

ତା’ ପରଦିନ ସକାଳୁ, ଅଜା ତାଙ୍କ ଗାଁକୁ ବାଟ କାଟିଲେ । ତାଙ୍କ ଝାମ୍ପୁରାବାଳ ଦାଣ୍ଡ ମୋଡ଼ରେ ଲୁଚିଯିବା ପର୍ଯ୍ୟନ୍ତ, ଦାଣ୍ଡ ପାହାଚ ଉପରେ ମୁଁ ଠିଆହୋଇଥିଲି, ଛଳଛଳ ଆଖିରେ ।

 

ମୁଁ ବୃତ୍ତି ପାଇଲି ସେ ବର୍ଷ ।

 

ବୋଉ ଅଜାଙ୍କ ପାଖକୁ ଚିଠିଲେଖି ଜଣାଇଦେଲା ସେ ସମ୍ବାଦ । ମୋ ଅପେକ୍ଷା–ଅଜା କୋ‌ଉଦିନ ଆସିବେ ବଂଇଶୀ ଧରି । ମୋତେ କଥା ଦେଇଥିଲେ–ବୃତ୍ତି ପାଇଲେ, ଆଣିଦେବ ବଂଇଶୀ । ବୃତ୍ତି ତ ପାଇଲି । କିନ୍ତୁ ସେ ବର୍ଷ ଅଜା ଆଉ ଆସିଲେ ନାହିଁ । ବୋଉକୁ ଚିଠି ଲେଖିଲେ–ଅଣ୍ଟାରେ ଆମବାତ । ଯିବାଆସିବା କରିପାରୁନାହାନ୍ତି ।

 

ତା’ ପରବର୍ଷ ବି ନୁହେଁ ।

 

ତିନି ଚାରିବର୍ଷ ଅଜା ଆଉ ଆସିଲେ ନାହିଁ । ଅଜା–ମୋ ହାତରେ ଧରାଇଦେଇଥିଲେ ଶୈଶବର ଯେଉଁ ସବୁ ଐଶ୍ୱର୍ଯ୍ୟର ଚାବିକାଠି, ତାକୁ ଏ ଭିତରେ କେଉଁଠି ହଜାଇ ସାରିଥିଲି । ଅଜା–ମୋ ଜୀବନରେ ଆଉ ଐ ଜାଲିକ, ଜାଦୁକର ନଥିଲେ । ସେ ଥିଲେ କେବଳ ବୋଉର ବାପା–ଜ ବୃଦ୍ଧ ଆତ୍ମୀୟ । ତାଙ୍କ ବାଟକୁ ଚାହିଁ ମୋର ଆଉ ବସିବାର ପ୍ରୟୋଜନ ନଥିଲା ।

 

ସେଦିନ ସ୍କୁଲ୍‌ରୁ ଫେରି ଗୋଡ଼ ନ ଧୋଉଣୁ ବୋଉ କହିଲା...‘‘ଅଜା ଚିଠି ଦେଇଛନ୍ତି କାଲି ସକାଳ ବସ୍‌ରେ ଆସିବେ ।”

 

ଏ ସମ୍ବାଦ, ମୋ ମନରେ କିନ୍ତୁ ପୂର୍ବପରି କୌଣସି ରେଖାପାତ କଲାନାହିଁ । ଆଲୋଡ଼ନ ତ ଦୂରର କଥା । ମୁଁ ନିଷ୍ପୃହ କଣ୍ଠରେ ଉତ୍ତରଦେଲି... “ହଁ, ଆସିଥିଲେ ସେଇ ତିନି ଚାରିବର୍ଷ ତଳେ ।”

 

ପରଦିନ ସକାଳୁ ତାଙ୍କ ବାଟ ଅନାଇ ବସିବାର କୌଣସି ପ୍ରୟୋଜନ ନଥିଲା । ଅଜା ଆସିବେ–ସେ କଥାଟା ପୂରାପୂରି ମନରୁ ପାଶୋର ଯାଇଥିଲା ।–ମୁଁ ଓଠରେ ସୁସୁରୀ ବଜାଇ ସାଇକଲ୍‌ଟା ଓହ୍ଲାଇ ଆଣିଲି ଦାଣ୍ଡକୁ ।

 

ଗାଁ ଡେଇଁ, ତୋଟା ପାଖରେ ଦେଖିଲି ସଡ଼କ ଧାରେଧାରେ ଖଲିଆ ଦରେ ଆସୁଚନ୍ତି ଅଜା–ଚାଲିବାବେଳେ ଧୂଳି ଉଡ଼ାଉନାହାନ୍ତି; କିମ୍ବା ତାଙ୍କ ଚନ୍ଦାମୁଣ୍ଡ ଚାରିପଟେ ଝାମ୍ପୁରା ବାଳ ନାଚୁନାହିଁ । ଅଜା ସତରେ ବୁଢ଼ା ହୋଇଯାଇଛନ୍ତି । ହାତରେ ସେଇ ଟିଣ ସୁଟ୍‌କେସ୍‌ଟା ଓହଳାଇ ଧରିବାକୁ ତାଙ୍କୁ ବୋଧହୁଏ କଷ୍ଟ ହେଉଚି । ଆଉ...ଏ ଦିନରେ କାହିଁକି ଯେ ସେ କଷ୍ଟ କରି ଏତେବାଟ ଆସୁଚନ୍ତି !

 

ଅଜା ମୋତେ ଅଳ୍ପଦୂରରୁ ଚିହ୍ନିପାରି ଡାକିଲେ “ଇଏ କିଏ ତୁ ନା ?”

 

ତାଙ୍କ ପାଖରେ, ମୁଁ ତଳେ ଗୋଡ଼ ଟିପ ରଖି, ସାଇକଲ୍ ସିଟ୍ ଉପରେ ସେମିତି ବସିରହି ପଚାରିଲି–”ଅଜା ଭଲ ଅଛ ?”

 

ଅଜା କହିଲେ–“କେଡ଼େ ଡେଙ୍ଗାଟା ହେଲୁଣିରେ !”

 

ଅପେକ୍ଷା କରିବାକୁ ମୋର ସମୟ ନଥିଲା । ହାଣ୍ଡଲି୍–ବାର୍ ପରେ ମୁଣ୍ଡ ନୁଆଇଁ ସୁବଳ ପିଁ ପିଁ କରି ସାଇକଲ୍ ଉଡ଼ାଇ ଚାଲିଗଲା । ତାକୁ ଯିବାପାଇଁ ପଡ଼ିବ । ମୁଁ ପାଡ଼ଲ୍ ଚାପି, ହାଣ୍ଡଲ୍‌ବାର୍ ଉପର ମୁଣ୍ଡ ନୁଆଇଁ ଚାଲି ଗଲାବେଳେ କହିଲି... “ଅଜା, ମୋର ଫେରିବାପାଇଁ ଡେରିହେବ । ଆମର ଆଜି ମ୍ୟାଚ୍ ଅଛି ।” ଯଦ୍ୟପି ମୋର ଭୂମିକା ସେଥିରେ ଲାଇନ୍‌ସମାନ୍ ।

 

ସେଦିନ ମାଚ୍ ଶେଷରେ ଘରକୁ ଫେରିବା ବେଳକୁ ମହଳ ଅନ୍ଧାର । ସାଇକଲ୍‌ଟା ପିଣ୍ଡାରେ ଡେରି, ମୁଁ ପାହାଚ ଉପରେ ଖପ୍‍ଖାପ୍ ଉପରକୁ ଉଠିଆସିଲି । ମୁହଁ ସଞ୍ଜର ମାଛି ଅନ୍ଧାର ଭିତରୁ ଅଜା ଖଁ ଖଁ କାଶି ପଚାରିଲେ, “ମନୁକିରେ । ଏତେ ଡେରିକରି ଫେରିଲୁ !” –ସେ ପର୍ଯ୍ୟନ୍ତ ଲକ୍ଷ୍ୟ କରିନଥିଲି, ଅଜା କାନ୍ଥକୁ ଆଉଜି, ଘୋଡ଼ାଘୋଡ଼ି ହୋଇ ବସିଥିଲେ, ମେଞ୍ଚାଏ ମାଛି ଅନ୍ଧାର ପରି ।

 

ଅଜା କହିଲେ... “ତୋ ପାଇଁ ବଂଇଶୀଟାଏ ଆଣିଛି ।”

 

ବଂଇଶୀରେ ମୋର ଆଉ ଆଗ୍ରହ ନଥିଲା । ମୁଁ ହେବି ସ୍ପୋର୍ଟସ୍‌ମାନ୍ ! ବଂଇଶୀ ପରେ ଦେଖିଲେ ଚଳିବ ।

 

ଭିତରକୁ ପଶି ଯାଉଁ ଯାଉଁ କହିଲି... “ଆମର ମାଚ୍ ଥିଲା ।”

 

ଅଜା ପୁଣି ହଜିଗଲେ, ମହଳ ମୁହଁ ସଞ୍ଜ ଭିତରେ ।

 

ଅଜା ସେଦିନ ଆସୁଥିଲେ, ହୁଏତ ତାଙ୍କ ହଜିଲା ଶୈଶବର ସନ୍ଧାନରେ ! ମୁଁ ମଧ୍ୟ ସନ୍ଧାନ କରୁଥିଲି ଶୈଶବର ଐଶ୍ୱର୍ଯ୍ୟ । ସେଇ ରହସ୍ୟଲୋକର ଚାବିକାଠି । ଦୁଇଟି ବୃତ୍ତର ଚ୍ଛେଦବିନ୍ଦୁରେ ଆମର ହୋଇଥିଲା ଭେଟାଭେଟି ।

 

ଆଜି ଆମ ଦୁହିଁଙ୍କ ଭିତରେ କିନ୍ତୁ ଦୁର୍ଲଂଘ୍ୟ ଦୂରତ୍ଵ । ଶୈଶବର ଐଶ୍ୱର୍ଯ୍ୟ ଆଜି ନିଃଶେଷିତ । ରକ୍ତରେ ମୋର ଦୁରନ୍ତ ଯୌବନର ଆହ୍ଵାନ ।

 

ଅଜା ସଞ୍ଜ ଅନ୍ଧାର ଭିତରେ ଖଁ ଖଁ କାଶୁଥିଲେ ।

 

ଦୁଇ

 

“ଅପା......ନିଧିଭାଇ’’

 

ଦାଣ୍ଡରେ ଗୋଟିଏ ଘାଘଡ଼ା ଗଳାଇ ଚିତ୍କାରରେ ମୁଁ ପ୍ରାପ୍ତ ଚମକିଉଠିଲି । ମାଟ୍ରିକ ପରୀକ୍ଷା ପରେ ସ୍କୁଲ ଝାମେଲା ଆଉ ନାହିଁ । ଦାଣ୍ଡଘରେ ସକାଳୁ ମୁଁ ଖଣ୍ଡେ ଓଡ଼ିଆ ପରେ ଡିଟେକ୍‌ଟିଭ ଉପନ୍ୟାସ ମେଲି ଉପନ୍ୟାସର ପୃଷ୍ଠା ଭିତରେ ବୁଡ଼ି ଯାଇଥିଲି । ଡିଟେକ୍‌ଟିଭ ସେତେବେଳେ ଗୋଟାଏ ହୋଟେଲ ବାହାରେ ଆଖିରେ କଳା ଚଷମା ପିନ୍ଧି, ଗୋଟାଏ ଲାଇଟ୍ ପୋଷ୍ଟ ଦେହରେ ଆଉଜି ଠିଆହୋଇଥିଲା । ହୋଟେଲ ବାହାରେ ଡାକୁ ସର୍ଦ୍ଦାର...ନାଟକୀୟ ଉଦବେଗ...ଏହି ସମୟରେ ଦାଣ୍ଡରେ ଚିତ୍କାର.... “ଅପା–ନିଧିଭାଇ” !

 

ଏଇ ଡାକ ଅପେକ୍ଷାରେ କିନ୍ତୁ ସକାଳୁ ମୁଁ ଦାଣ୍ଡଘରେ ବସି ଉପନ୍ୟାସ ପଢ଼ୁଛି । ନଇଲେ ମୁଁ ଉପନ୍ୟାସ ପଢ଼େ, ଆମ ଢିଙ୍କି ଚାଳିଆକୁ ଲାଗି ସେଇ ପିଜୁଳି ଗଛ ଡାଳରେ । ଇଏ କାନ୍ତ ମାମୁଁ-। ମତେ ଲାଜ ଲାଜ ମାଡ଼ିଲା ତାଙ୍କ ଆଗକୁ ଯିବାପାଇଁ । ଅନେକ ବର୍ଷ ତଳେ କୁଆଡ଼େ ସିଏ ବି.ଏ. ଫେଲ୍ ହୋଇ ଆମ ଘରେ ଆସି, କେଇଦିନ ମୁହଁମାଡ଼ି ଶୋଇ ରହିଥିଲେ । ସେତେବେଳକୁ ମୋ ବୟସ ଚାରି ବା ପାଞ୍ଚ ! ତାପରେ ଆଉ କାନ୍ତ ମାମୁଁଙ୍କୁ ଦେଖିନାହିଁ । ସେ ମଧ୍ୟ ନିଖୋଜ-! ଖାଲି ଅଜାଙ୍କ ହା–ହୁତାଶରୁ ବୁଝେ–କାନ୍ତ କୁଆଡ଼େ ଦେଶାନ୍ତରୀ ପରି ବୁଲୁଛି, ପଇସାଟିଏ ପଠାଉ ନାହିଁ, ଚିଠିଖଣ୍ଡେ ବି ନାହିଁ ! ଅଥଚ ସେଇ କାନ୍ତ ମାମୁଁ ଆଜି ସଶରୀରେ ! ତାଙ୍କ ବିଷୟରେ ପୁଣି ନାନା ଲୋକ କୁଆଡ଼େ ନାନା କଥା କହନ୍ତି !

 

ବାପା ତିନି ଚାରିଦିନ ତଳେ, ଓଭରସିଅର ବାବୁଙ୍କ ଘରଆଡ଼ୁ ବଜାର ସଉଦା ବୁଝି’ ମାଟିକାମ ତଦାରଖ କରି, ଝାଳ ଗମଗମ ଦେହରେ ଦାଣ୍ଡଘରୁ ବୋଉକୁ କୁହାଟ ଛାଡ଼ିଲେ:

 

...“ହେଇଟି ଶୁଣିଲଣି’ କାନ୍ତ ଆସି ପହଞ୍ଚୁଛି !”

 

“କୋଉ କାନ୍ତ ବା ?” ବୋଉ ହାଣ୍ଡିଶାଳ ଭିତରୁ ବାହାରିଆସି ଓଦା ହାତଟା ଲୁଗା କାନିରେ ପୋଛି ପଚାରିଲା ! ...କାନ୍ତିଆ ତ ଦେଶାନ୍ତରୀ...ସିଏ ଆସୁଛି ବୋଲି ବୋଉ ବା–କାହିଁକି ବୁଝିବ ?

 

“ମଲା, କୋଉ କାନ୍ତ କଣମ ? ତମ ଭାଇ ! ଡାକରେ ଆଜି ଚିଠି ପାଇଲି !”

 

“ହାଃ ବାସ୍ତୁରାଟା କୁଆଡ଼େ ଯାଇଁ ବୁଲିଲା । ବାପା, ତାକୁ ଦେଖିବେ ଦେଖିବେ ବୋଲି, ଆଖିବୁଜିଲେ । ଥରେ ଦେଖିପାରିଲେ ନାହିଁ । ଭାଇ ଗାଁରୁ ଘରଦ୍ଵାରା ବିକି ସହରକୁ ଉଠିଗଲେ । ସେଇ କାନ୍ତ କୁଆଡ଼େ ଆସୁଥିଲା, ଭଉଣୀ ଭିଣେଇଙ୍କ ଘରକୁ, ଭିଣେଇ ସଙ୍ଖୋଳିବା ପାଇଁ ।”

 

ବାପା ପକେଟରୁ ଖଣ୍ଡେ ପୋଷ୍ଟକାର୍ଡ଼ କାଢ଼ି ବୋଉକୁ ଦେଖାଇ କହିଲେ–“ଏଇ ଚିଠି ଲେଖିଚି ପରା । ଚିଠି ତ ଦି’ଧାଡ଼ି । ଶୁକ୍ରବାର ଦିନ ପହଞ୍ଚିବ ।”

 

“ହଉ ଆସୁ । କୋଉ ଯୁଗରୁ ଦେଖିନାହିଁ ବାସ୍ତୁରାଟାକୁ ।”

 

ବୋଉ ହାଣ୍ଡିଶାଳକୁ ପୁଣି ଚାଲିଗଲା ।

 

ବୋଉ କାନ୍ତ ମାମୁଁଙ୍କୁ ଯେତେ ବାସ୍ତୁରା କହିଲେ ବି ତାଙ୍କ ପ୍ରତି ବାପାଙ୍କର ପ୍ରଗାଢ଼ ପ୍ରଶଂସା । କାନ୍ତମାମୁଁ କଥା ଉଠିଲେ, ବାପା କହନ୍ତି–“ତମ ଘରେ ସେଇତ ଗୋଟାଏ ମଣିଷ !” କାହିଁକି ଏପରି ତାରିଫ୍ କରନ୍ତି ବାପା, ତା’ର କାରଣ ବି ଜାଣେ । ବେଳେବେଳେ ବାପାଙ୍କ ଠିକାଦାରୀ ବ୍ୟବସାୟ ପାଇଁ ମନିଅର୍ଡ଼ରରେ ପାଞ୍ଚଶହ; ସାତଶହ ଟଙ୍କା କଲିକତାରୁ ପଠାନ୍ତି କାନ୍ତମାମୁଁ । ଗୋଟାଏ ମନିଅର୍ଡ଼ର କୁପନ ଥରେ ଦେଖିଥିଲି “ସେଥିରେ ଥିଲା ଧାଡ଼ିଏ ଲେଖା–ମାଲ ଆଉ ଜୁଟିଲା ନାହିଁ । ଏଇ ତିନିଶହ ପଠାଇଲି ।” ବାପା ସେ ଟଙ୍କା ଫେରାନ୍ତି କି ନାହିଁ କିଏ ଜାଣେ ? କାନ୍ତ ମାମୁଁ ଟଙ୍କାକୁ କହନ୍ତି ମାଲ୍ ।

 

ଦାଣ୍ଡରେ ସେଇ ଘାଘଡ଼ା ଚିତ୍କାର... ଅପା ! ନିଧି ଭାଇ !

 

ମୁଁ ଅଗତ୍ୟା ବହିଟା ରଖିଦେଇ ଦାଣ୍ଡକୁ ବାହାରିଆସିଲି । ଉପରେ ଏଇ କ’ଣ କାନ୍ତମାମୁଁ-? ମୁଣ୍ଡରେ ଝାମ୍ପୁରା ବାଳ, ଲମ୍ବାକଲି, ନିଶ, ହାଡ଼ୁଆ ମୁହଁ, କଳା ପ୍ୟାଣ୍ଟ ଉପରେ ଗୋଟିଏ ଛିଟ ବୁସ୍‌ସାର୍ଟ । ପିନ୍ଧିଛନ୍ତି କଳା ଚଷମା । –ସେଇ ଡିଟେକ୍‌ଟିଭ ପରି ! କାନ୍ଧରେ ଗୋଟାଏ ବଡ଼ ଝୁଲାମୁଣି ! ଖପ୍ କରି ପାହାଚ ଉପରକୁ ଡେଇଁପଡ଼ିଲେ କାନ୍ତମାମୁଁ । ମୁଁ ଗୋଟାଏ ଜୁହାର ପକାଇ ଦଉଡ଼ିଗଲି ବୋଉ ପାଖକୁ–“କାନ୍ତ ମାମୁଁ ! କାନ୍ତ ମାମୁଁ ଆସିଲେଣି !”

 

ବୋଉ କଡ଼େଇରେ କ’ଣ ଖଡ଼ଖଡ଼ କରୁଥିଲା । କଡ଼େଇଟା ଚୁଲିରୁ ଓହ୍ଲେଇ ରଖି ଦଉଡ଼ିଆସିଲା । କାନ୍ତମାମୁଁଙ୍କୁ ଦେଖିବାମାତ୍ରେ ଭଦ୍ର ସମ୍ଭାଷଣ କରନ୍ତା କ’ଣ, ତା’ର ନାକକାନ୍ଦଣା ଆରମ୍ଭ ହୋଇଗଲା... “ଆରେ ମୋ କାନ୍ତରେ ଏତେଦିନେ ତୋ ଭଉଣୀଟା ମନେପଡ଼ିଲାରେ ! ବାପା ତତେ ଦେଖିବେ ଦେଖିବେ ବୋଲି, ହା ହୁତାଶରେ ମଲେ ! ତୁ କୁଆଡ଼େ ବାସ୍ତୁରା ପରି ବୁଲିଲୁରେ ମୋ କାନ୍ତରେ... !”

 

ବୋଉର ନାକକାନ୍ଦଣା ଶୁଣି ମୋତେ ଲାଜମାଡ଼ିଲା । ମୁଁ ପୁଣି ଦାଣ୍ଡଘର ଭିତରକୁ ପଳାଇଲି ।

 

ଯୋଉ କାନ୍‌ଭାସ୍ ଆରାମ ଚୌକିଟା ଓଭରସିଅର ବାବୁ ଆମ ଘରକୁ ଆସିଲେ ବାହାରେ, ସେଇଟା ପଡ଼ିଥିଲା ଭାଗବତ ଘର ପିଣ୍ଡାରେ । ତା’ ଉପରେ କାନ୍ତ ମାମୁଁ ବସିପଡ଼ି ଚାହିଁଲେ ଆମ ଦୁଆର ସଜନା ଗଛଟା ଆଡ଼େ । ଗୋଟାଏ ଡାଳରେ ହଳଦିବସନ୍ତଟାଏ ବସି ଲାଞ୍ଜ ନଚାଉଥିଲା । କାନ୍ତ ମାମୁଁ କହିଲେ... “ବିଉଟିଫୁଲ ! ବୁଝିଲୁ ଅପା କଲିକତାରେ ଅନେକ ବର୍ଷ ରହି ରହି ମନଟା ଚିଟା ଲାଗିଗଲା । ଭାବିଲି କୁଆଡ଼େ ଟିକିଏ ବୁଲିଆସେ । ସେଇଠୁ ତୋ ଗାଁ କଥା ମନେପଡ଼ିଲା ।”

 

ବୋଉର ଯୋଉ କଥା ! କାନ୍ତ ମାମୁଁଙ୍କୁ ଯେତେବେଳେ ଆରାମଚୌକିଟା ଉପରେ ବସି ହଳଦିବସନ୍ତ ଚଢ଼େଇଟାକୁ ଚାହିଁ ଦେଖିବାପାଇଁ ଭଲ ଲାଗୁଛି, ବୋଉ ଠିକ୍ ସେତିକିବେଳେ ପାଟିକରି କହୁଛି... “ଆଉ ବସିଲୁ କାହିଁକି ବା ? ଯା ଗାଧୋଇପଡ଼ି ଆ, ଖରାଟା ଯେଉଁ ଟାଣ ହୋଇଚି !”

 

“ତୁ ଆଗେ ଚା’ କପେ ଦେ’ ତ ଅପା; ମୁଁ ଟିକିଏ ଦମ୍‌ମାରେ । ସେ ଟୋକାଟା କାହିଁ ?”

 

“କିଏ ମନୁଆଁ ? ଆରେ ହେ ମନୁଆଁ ! ମାମୁଁ ଡାକୁଚି ପରା । ଲାଜକୁରାଟା !”

 

ବୋଉ ଉପରେ ରାଗିଗଲି ! ମାଟ୍ରିକ୍ ପରୀକ୍ଷା ଦେଲିଣି ! ତଥାପି ସେଇ ମନୁଆଁ ! ପୁଣି ମାମୁଁ ଆଗରେ ! ମୁଁ ତଳକୁ ମୁହଁପୋତି ଠିଆହେଲି ଆସି, ମାମୁଁଙ୍କ ପାଖରେ । ମାମୁଁ ପକେଟରୁ ଖଣ୍ଡେ ପାଞ୍ଚଟଙ୍କିଆ ନୋଟ୍ ମୋ ଆଡ଼କୁ ବଢ଼ାଇ ପଚାରିଲେ “ତମର ଏଠି ସିଗାରେଟ୍ ମିଳେ ? ପାଞ୍ଚ ପକେଟ ସିଜରସ, କଇଁଚୀମାର୍କା ଜାଣିଚୁ ତ ! ଏଇ ଖୋଳଟା ନେ ।” ଖୋଳରେ ଅବଶିଷ୍ଟ ଥିବା ସିଗାରେଟ୍ ଖଣ୍ଡକ ଓଠରେ ଚାପି କାନ୍ତ ମାମୁଁ ସିଗାରେଟ୍ ପାକେଟଟା ଫିଙ୍ଗିଦେଲେ ମୋ ଉପରକୁ !

 

ମୁଁ ଏ ସିଗାରେଟ୍ ଚିହ୍ନିଛି । ପିଁ କରି ସାଇକେଲ ଭିଡ଼ିଦେଲି, ଗାଁ ମୁଣ୍ଡ ବସ୍‌ଷ୍ଟାଣ୍ଡ ବଜାରକୁ ।

 

ସିଗାରେଟ୍ ଧରି ଫେରିବାବେଳକୁ, ଚଉଧୁରୀଘର ବଡ଼ କୋଠା ଫାଟକ ଉପରେ ଝୁଙ୍କି ଠିଆହୋଇଛି ନିତ । “କୁଆଡ଼େ ପିଁ କରି ଛୁଟିଚୁରେ ?”

 

“ମାମୁଁ ଆସିଚନ୍ତି କଲିକତାରୁ । ତାଙ୍କ ପାଇଁ ସିଗାରେଟ ନେଇଯାଉଚି ।” ...ଏଇଟା ଯେମିତି ଗୋଟାଏ ବଡ଼ ଖବର !

 

ତମେ ଖାଲି ସିଗାରେଟ ଟାଣ ? ଆମ ମାମୁଁ ବି ସିଗାରେଟ ଟାଣନ୍ତି । ଛାତିଟା ଗର୍ବରେ ଫୁଲିଉଠିଲା ।

 

ବୋଉର ହୁଣ୍ଡୀପଣ ଗଲା ନାହିଁ । ସିଏ ପିଣ୍ଡାଉପରେ ବସି କାନ୍ତ ମାମୁଁ ସାଙ୍ଗରେ ଗପ ଯୋଡ଼ିଦେଇଚି... “ଆରେ ତୁ ବାହାସାହା ହବୁନାଇଁ କିରେ ! କ’ଣ ଏମିତି ଅଭିଅଡ଼ା ବୁଲୁଥିବୁ ?”

 

କାନ୍ତ ମାମୁଁ ରେଜା ଟଙ୍କା ଫେରାଇନେଲେ ନାହିଁ । ପାକେଟଗୁଡ଼ାକୁ ସେଇ ଝୁଲାଭିତରେ ରଖିଦେବା ପାଇଁ କହି ଆଉଖଣ୍ଡେ ସିଗାରେଟରେ ନିଆଁ ଲଗାଇଲେ । ଉପନ୍ୟାସରେ ଡିଟେକ୍‌ଟିଭ୍ ରାୟ ଏମିତି ଗୋଟାକ ପରେ ଗୋଟାଏ ସିଗାରେଟ ପୋଡ଼ି ଚାଲନ୍ତି ।

 

ବୋଉ କହିଲା... “ରାଜି ହବୁତ, ଭଲ ଝିଅଟାଏ ମୋ ଆଖିରେ ଅଛି ।”

 

କାନ୍ତ ମାମୁଁ କଳେ ଧୂଆଁ ଛାଡ଼ି ଅସହିଷ୍ଣୁ କଣ୍ଠରେ କହିଲେ... “ବାହାହେଇ କ’ଣ ଭାଇଙ୍କ ପରି ଗୋଠେ ଛୁଆ ଧରି ସେଇ ମଫସଲି ସହରରେ ଗୋଟାଏ ସନ୍ତସନ୍ତିଆ ଗଳିରେ ପଡ଼ିଥିବି ?”

 

ବଡ଼ଭାଇ କ’ଣ ଭୁଲ୍‍ଟା କରିଛନ୍ତି ବୋଉ ବୁଝିପାରିଲା ନାହିଁ । ସିଏ କହିଲା... “ଭାଇ ତାଙ୍କ କର୍ମ ଆଦରି ରହିଛନ୍ତି ନାଁ ! ତୋ ମେତି ଅଘୋରୀ ପରି ବୁଲୁଚନ୍ତି ?”

 

“ମୁଁ ସେମିତି କର୍ମ ଆଦରି ପଡ଼ି ରହିବାକୁ ଚାହେଁନାଇଁ । ମୁଁ ଚାହେଁ ଧନୀଲୋକ ହେବାପାଇଁ । ତା’ପରେ ଆଉ ଯାହା–”... !

 

କାନ୍ତ ମାମୁଁଙ୍କ ଆଖିଦୁଇଟା ଦପ୍‍ଦପ୍ କରିଉଠିଲା ।

 

ବୋଉ ଅଭିମାନରେ କହିଲା... “ବାପାଙ୍କ କଥାତ ଶୁଣିଲୁ ନାଇଁ । ଆଉ ଏ ଗରିବ ଭଉଣୀଟା କଥା ଶୁଣିବୁ ! ଯାହା ଖୁସି କର । ମୁଁ ଯାଏଁ ଲୋ ମା’, ତେଣେ ରୋଷେଇ ଅଧାପଡ଼ିଚି । ମନୁଆଁ କୂଅମୂଳେ ଯା ଦି’ଗରା ପାଣି କାଢ଼ିଦବୁ । ମାମୁଁ ଗାଧୋଇପଡ଼ିବ । ଖରାରେ ଦିହମୁହଁ ସିଝିଯାଇଚି ।”

 

ମାମୁଁ ଅଧାଜଳା ସିଗାରେଟ୍‌ରୁ ଦମେ ଲମ୍ବା ଟାଣିନେଇ କହିଲେ... “ତମ ସୁଇମିଙ୍ଗ୍ ପୁଲ୍‌ଟା ପୋତି ହୋଇପଡ଼ିଲାଣି କି ଅପା ?”

 

ବୋଉ ବୁଝିପାରିଲା ନାହିଁ । “କ’ଣ କହିଲୁ ?” ମୁଁ କିନ୍ତୁ ଅଧା ଅଧା ବୁଝିଲି । କାନ୍ତ ମାମୁଁ ବୋଧହୁଏ । ପଚାରୁଛନ୍ତି, ଆମ ବାଡ଼ି ପୋଖରୀ କଥା । ବୋଉ ପୁଣି ପଚାରିଲା... “କ’ଣ କହୁଚୁ ବା ?”

 

ମୁଁ କହିଲି... “ମାମୁଁ ବୋଧହୁଏ ଆମ ବାଡ଼ି ପୋଖରୀ କଥା ପଚାରୁଚନ୍ତି । କୂଅମୂଳେ ଗାଧୋଇବେ ନାହିଁ ।”

 

“ରାଇଟ୍ ୟୁଆର୍ ! ଠିକ୍ କହିଚି । ତୋ ନାଁଟା କଣରେ ?”

 

ଛାତି ଫୁଲାଇ ଉତ୍ତରଦେଲି... “ମାନବେନ୍ଦ୍ର ।”

 

“ଗୁଡ୍‌ । ଏ ଝୁଲାଟା ଧରି ଚାଲ ମୋ ସାଙ୍ଗରେ ! ତମ ସୁଇମିଙ୍ଗ୍ ପୁଲ୍‌ରେ ଗାଧୋଇବା-।”

 

ଅଜାଙ୍କର ବି ବଡ଼ ପ୍ରିୟ ଥିଲା ଆମ ବାଡ଼ି ପୋଖରୀ । କିନ୍ତୁ ତାଙ୍କର ଗାଧୋଇ ଯିବାର ଥିଲା ଗୋଟାଏ ନିଜସ୍ଵ ଭଙ୍ଗୀ । ପ୍ରଥମେ ତେଲ ବୋଳିହେବେ, ପାଦ ଆଙ୍ଗୁଠିଠାରୁ ମୁଣ୍ଡ ଚନ୍ଦା ପର୍ଯ୍ୟନ୍ତ । ତାପରେ ଗେରୁଆ ଗାମୁଛାଟାଏ କାନ୍ଧରେ ପକାଇ ବାହାରିପଡ଼ିବେ ଖଲିଆ ପାଦରେ, ହାତରେ ଗୋଟାଏ ଢାଲ ଧରି । କିନ୍ତୁ କାନ୍ତ ମାମୁଁଙ୍କ ଆଚରଣ ସମ୍ପୂର୍ଣ୍ଣ ବିପରୀତ । ସିଏ ପ୍ୟାଣ୍ଟ୍‌ଟା ଫିଙ୍ଗିଦେଇ, ଖାଲି ଖଣ୍ଡେ ଅଣ୍ଡରଓୟାର୍ ପିନ୍ଧି, ସିଗାରେଟ୍ ଟାଣି ଟାଣି ବାହାରିଲେ ପୋଖରୀ ତୁଠକୁ-

 

ଝୁଲାଟା କାନ୍ଧରେ ଝୁଲାଇ ମୁଁ ଚାଲିଲି ମାମୁଁଙ୍କ ପଛେପଛେ ।

 

‘ବାଃ...ବିଉଟିଫୁଲ–କାନ୍ତ ମାମୁଁଙ୍କ କଥାକଥାକେ ‘ବିଉଟିଫୁଲ ।” ଆମ ପୋଖରୀ ତୁଠରେ ଦୁଇପାଖେ ଦୁଇଟା ଝଙ୍କାଳିଆ ଗଛ–ଗୋଟାଏ ଆମ୍ବ, ଅନ୍ୟଟା ତେନ୍ତୁଳି । ନିଦୁଆଳି ଛାଇରେ ଦଳୁଆ ପୋଖରୀଟା ଯେମିତି ଘୁମେଇପଡ଼ିଚି । ତା’ର ନିଦ ଭଙ୍ଗାଇବା ପାଇଁ ଚେଷ୍ଟା କରୁଚି, ଗୋଟାଏ ଭଦଭଦଳିଆ । ବାଗଚରାରୁ ଗୋଟାଏ ବଗ ଉଡ଼ିଗଲା ତେନ୍ତୁଳି ଗଛଉପରକୁ ।

 

ମାମୁଁ ତୁଠ ପାହାଚଉପରେ ପାଣିଭିତରକୁ ପାଦ ଲମ୍ବାଇ ବସି କହିଲେ... “ଝୁଲାଟା ଆଣ ତ ମାନା ।” ମନୁଆଁ ଅପେକ୍ଷା ଏ ମାନା ନାଁଟା ତ ଚମତ୍କାର !

 

ଝୁଲାଭିତରୁ ମାମୁଁ ବାହାରକଲେ ଗୋଟାଏ ଲମ୍ବା ବୋତଲ । “ଆଃ । ଓପନର୍‌ଟା ଛାଡ଼ିଆସିଲି ।” ତା’ପରେ ମୁହଁ ବିକୃତ କରି ଦାନ୍ତ ଲଗାଇ ଫିଟାଇଦେଲେ ବୋତଲଟା । ବୋତଲରୁ ଗଜ୍‍ଗଜ୍ ହୋଇ ବାହାରିପଡ଼ିଲା ଫେଣ । କି ଦ୍ରବ୍ୟ ଏଇଟା ? ଇଂରେଜୀରେ ଲେଖାହୋଇଛି ବିଅର୍ । ମାମୁଁ ପଚାରିଲେ ...ପିଇବୁକିରେ ? କାନ୍ତ ମାମୁଁ କ’ଣ ମଦ ପିଅନ୍ତି ?

 

ମୁଁ ତଳକୁ ମୁଣ୍ଡ ନୁଆଁଇ ଲାଜରେ ଉତ୍ତରଦେଲି ‘ନା !’ ... ଛିଃ ! ମାମୁଁ ହୋଇ ମଦ ଯାଚୁଛନ୍ତି !

 

“ତମର ଏଠି ବରଫ ମିଳିବ ?”

 

“ବଜାର ଛକରେ ମିଳିବ ଯେ । ଏଠିକି ଆଣୁଆଣୁ ଖରାରେ ତରଳିଯିବ ।”

 

“ଥାଉ...ଏଇ ଚଳିବ ।” ମୁହଁରେ ବୋତଲ ଲଗାଇ ଏକା ଶୋଷାରେ ମାମୁଁ ବୋତଲଟା ଅଧା କରିଦେଲେ । ତାଙ୍କ ଦାଢ଼ି ଉପରଯାକ ମେଞ୍ଚାମେଞ୍ଚା ଫେଣ । ମାମୁଁଙ୍କ ଚେହେରା ଦେଖି ମୋତେ ଡରମାଡ଼ିଲା । ମୁଁ ମୋ ବୁଦ୍ଧିରେ ଠଉରେଇ ନେଲି, ଇଏ କଡ଼ା ମଦ । ହଁ ସେମିତି ପଚାପଚା ବାସନା । ହେଲେ ଓଭରସିଅର ବାବୁଙ୍କ ଚର୍ଚ୍ଚା ପାଇଁ ବାପା ଯେଉଁ ମଦ ଆଣନ୍ତି, ଯୋଉଥିପାଇଁ ଓଭରସିଅର୍ ବାବୁ ଢଳିଢଳି, ଚାଲିଯିବା ପରେ, ଘରେ ବାପା ମଦ ପୂରେଇଲେ ବୋଲି ବୋଉ ଝଗଡ଼ା ଲଗାଏ ସେ ବୋତଲଗୁଡ଼ାକ ତ ଚେପ୍‌ଟା ଚେପ୍‌ଟା ଇଏ କେଜାଣି ଅନ୍ୟ କୋଉ କିସମର ହୋଇଥିବପରା । କିନ୍ତୁ ଯାହାକୁହ କାନ୍ତ ମାମୁଁ ମୁହଁରେ ବୋତଲ୍ ଲଗାଇ ପିଇବାରେ ଗୋଟାଏ ଷ୍ଟାଇଲ୍ ଅଛି କାନ୍ତ ମାମୁଁଙ୍କ ଓଠରେ ଆଉଖଣ୍ତେ ସିଗାରେଟ ଦପ୍‍ଦପ୍ ହୋଇଉଠିଲା ।

 

କାନ୍ତମାମୁଁ ନୀରବ । ସେ ବୋଧହୁଏ ଉପଭୋଗ କରୁଛନ୍ତି ଏଇ ଶାନ୍ତ ପରିବେଶ । ଏତେଶୀଘ୍ର ଗଧୋଇବା ମତଲବ୍ ବୋଧହୁଏ ତାଙ୍କର ନାହିଁ ତେନ୍ତୁଳି ଡାଳରେ ଗୋଟିଏ କାପ୍ତା ଘୁମୁରା ଉଠିଲା । ମାମୁଁ ପଚାରିଲେ “ଏଇଟା କି ଚଢ଼େଇରେ ? ହୁଁ ଏସବୁ ମୁଁ ଭୁଲିଗଲିଣି !”

 

ମୁଁ କହିଲି ... “କାପ୍ତା !”

 

ଏମିତି ନିଛାଟିଆ ଖରାବେଳେ କାପ୍ତାରେ ଶୁଣିବା ପାଇଁ ମୋତେ ଭଲଲାଗେ ! ଅନନ୍ତ ଯୁଗର ସଞ୍ଚିତ ବେଦନା ଯେପରି ଫୁଟିଉଠେ, ସେ ବିଳାପ ଭିତରେ ! ତା’ ପଛରେ ଅଛି ଯେପରି ବହୁ ଲହୁ, ବହୁ ଲୁହ, ବହୁ ଦୀର୍ଘଶ୍ୱାସର ଇତିହାସ !

 

ମାମୁଁ ତେନ୍ତୁଳି ଗଛର ପତ୍ର ଗହଳ ଭିତରକୁ ଚାହିଁଲେ । କେତେକ୍ଷଣ ପରେ, ଝୁଲାମୁଣି ଭିତରୁ କାନ୍ତ ମାମୁଁ ହଠାତ୍ ବାହାରକଲେ ଗୋଟାଏ ପିସ୍ତଲ୍ ! ଡାକୁ ସର୍ଦ୍ଦାର ଆଉ ଡିଟେକ୍‌ଟିଭ୍ ମାନଙ୍କ ପକେଟ୍‌ରେ ଥାଏ ଏଇପରି ପିସ୍ତଲ୍ । ମୁଁ ପଢ଼ିଚି, ଅନେକ ଡିଟେକ୍‌ଟିଭ୍ ଉପନ୍ୟାସରେ । ହେଲେ କୋଉଦିନ ଦେଖିନଥିଲି ! ଆଜି କାନ୍ତ ମାମୁଁଙ୍କ ହାତରେ ସେଇ ପିସ୍ତଲ୍ ! ମାମୁଁ ଡାକୁ ସର୍ଦ୍ଦାର ନା ଡିଟେକ୍‌ଟିଭ୍ ? ମୋର ଦେହ ଉତ୍ତେଜନାରେ କମ୍ପିଉଠିଲା ।

 

ଗଛ ଡାଳକୁ ଲକ୍ଷ୍ୟ ମାମୁଁ ଫୁଟାଇଲେ ପିସ୍ତଲ୍ ! ଗୋଟାଏ କାପ୍ତା ଲହୁ ଲୁହାଣ ହୋଇ ତଳେ ଖସିପଡ଼ିଲା ! ବେକଟା ତା’ର ମୋଡ଼ିହୋଇ ଭାଙ୍ଗିପଡ଼ିଚି !

 

ମାମୁଁଙ୍କର କୌଣସି ବିକାର ନାହିଁ । କିନ୍ତୁ କାପ୍ତାଟାକୁ ଦେଖି ମୋ ଦୁଇଆଖି ଲୁହରେ ଛଳଛଳ ହୋଇଉଠିଲା । ମାମୁଁ ଅଧା ବୋତଲଟାକୁ ଶେଷ କରି ଝୁଲାମୁଣି ଭିତରୁ ବାହାରକଲେ ଗୋଟାଏ ଛୁରା ! ...କାନ୍ତ ମାମୁଁଙ୍କ ପ୍ରତି ମୋ ମନେମନେ ଭୟ ଆଉ ଭକ୍ତିର ଗୋଟାଏ ମିଶାମିଶି ଭାବ ! କାନ୍ତ ମାମୁଁ ତାହେଲେ ରୀତିମତ ଗୋଟାଏ ହିରୋ ! ତାଙ୍କ ପାଖରେ ପିସ୍ତଲ ଅଛି ଛୁରା ବି ଅଛି ! କିନ୍ତୁ କାହିଁକି ?

 

“ତୋ ବୋଉ ଅବିକା ନାକ ଟେକିବ ! ମୁଁ ଗାଧୋଇ ଆସେ, କାଟିବି ଏଇ ଚଢ଼େଇଟାକୁ-। ତୁ ଜଗିଥା । ନଇଲେ ଚିଲ ଝାମ୍ପିନେବ !”

 

ମାମୁଁ ଖାଲି ବୋତଲଟା ଫିଙ୍ଗିଦେଇ ପୋଖରୀ ଭିତରକୁ । ଗୋଟାଏ ବୁଦା ମାରିଲେ-! ...ଇସ୍ ! କାନ୍ତ ମାମୁଁଙ୍କ ଗାଧୋଇବାରେ ବି ଗୋଟାଏ ଷ୍ଟାଇଲ ଅଛି !

 

ଅଜାଙ୍କ ଗାଧୁଆ କିନ୍ତୁ ଗୋଟାଏ ପଦ୍ଧତି । ଗାଧୋଇ ସାରିବା ପରେ ସେ ଅଣ୍ଟାଏ ପାଣିରେ ଠିଆହୋଇ, ସୂର୍ଯ୍ୟଙ୍କୁ ଚାହିଁ ପାଣି ଆଞ୍ଜୁଳା ଇଡ଼ନ୍ତି । “ଅଜା ସୂର୍ଯ୍ୟଙ୍କୁ ଶୋଷ କରୁଚିକି ?” ମୁଁ ଥଟ୍ଟାକରେ ହୁଡ଼ାରେ ବସି । ଅଜା କେବଳ ମୁରୁକି ହସନ୍ତି । ତାପରେ ଗୋଟାଏ କିଛି ମନ୍ତ୍ର ଗୁଣୁଗୁଣୁ ବୋଲି, ସେ ଉଠିଆସନ୍ତି ଉପରକୁ, ଢାଳେ ପାଣି ଧରି । ଗଛମୂଳେ ପାଣି ଇଡ଼ନ୍ତି । ତାପରେ ତୁଳସୀ ଚଉରାରେ ପାଣି ଇଡ଼ି ଆସି ବସନ୍ତି ଭାଗବତ ଘରେ କୋଥଳୀ ଫିଟାଇ ।

 

ସେଇ ଅଜାଙ୍କ ପୁଅ କାନ୍ତ ମାମୁଁ ଓଦାସରସର ଦେହରେ ପୋଖରୀରୁ ଉଠିଆସି, ବସିପଡ଼ିଲେ ସେଇ ମଲା କାପ୍ତା ପାଖରେ ! କହିଲେ କାଟିବେ, ତ ବେକଟାକୁ ! ମୋ ହାତରୁ ଛୁରିଟା ଖସିପଡ଼ିଲା ! ମୁଁ କହିଲି... “ମତେ ଡରମାଡ଼ୁଚି !”

 

କାନ୍ତମାମୁଁ ହୋ ହୋ ହସିଉଠିଲେ । ତାଙ୍କର ସେତେବେଳର ଚେହେରା ଦେଖିଲେ, ଯିଏ ନାଇଁ ସିଏ ଡରିଯିବ । ମୁହଁ ଉପରଯାକ ଭିଜା ଲମ୍ବ ବାଳ । ତା’ ଭିତରୁ ଦୁଇମୁଣ୍ଡା ରଡ଼ନିଆଁ ପରି ଆଖିଦୁଇଟା ଦପ୍‍ଦପ୍ କରୁଛି ହାଡ଼ୁଆ ଛାତିଉପରେ କଳା ଫିତାରେ ଝୁଲୁଚି ଗୋଟାଏ ମାଦୁଲୀ-। ହାତରେ ଛୁରି । କାନ୍ତ ମାମୁ କହିଲେ... “ଡରମାଡ଼ୁଚି କଣରେ ? ଜୀବନଟା କ’ଣ ବୁଝିଚୁ-?”

 

ମୁଁ ମୁଣ୍ଡ ହଲାଇଲି । ...ମନେପଡ଼ିଗଲା ନିଃଶବ୍ଦେ ଜୀବନ ସ୍ରୋତ ବହୁଛି କିପରି ! ସାହିତ୍ୟ–ପ୍ରସଙ୍ଗର ଜୀବନଚିନ୍ତା–ଦୂତ୍ ।

 

କାନ୍ତ ମାମୁଁ ଦୁଇଦାନ୍ତ ଚିପି କାପ୍ତାଟାର ବେକ କାଟୁକାଟୁ କହିଲେ... “ରକ୍ତ ଦେବା, ନୋହିଲେ ରକ୍ତ ନେବା ହେଲା ଜୀବନ ! ଯା ଖଣ୍ଡେ ସାରୁପତ୍ର କି କଦଳୀପତ୍ର ଆଣ !”

 

ମୁଁ ଖଣ୍ଡେ କଦଳୀପତ୍ର ଗୋଟାଏ ଖପରରେ କାଟି ରଖିଦେଲି କାନ୍ତ ମାମୁଁଙ୍କ ଆଗରେ । ଜୀବନଟା ତାହେଲେ କି ଭୟଙ୍କର ! ରକ୍ତ ଦେବା ନୋହିଲେ ରକ୍ତ ନେବା ଯଦି ଜୀବନ ହୁଏ ! କିନ୍ତୁ ଅଜା ତା’ହେଲେ ପିଂପୁଡ଼ିମାନଙ୍କୁ ଗୁଡ଼ ଖୁଆନ୍ତି କାହିଁକି ?

 

କାନ୍ତ ମାମୁଁ ଚଢ଼େଇଟାକୁ ସେତେବେଳକୁ ଟିକିଟିକି କାଟି ସାରିଥିଲେ । କାପ୍ତାଟାର କଟାମୁଣ୍ଡଟା ତଥାପି ପଡ଼ି ରହିଥିଲା ମାଟିଉପରେ । ସେଠି ଲହୁଭିଜା ଅରାଏ ମାଟି । ଦୁଇଟି ନିଷ୍ପ୍ରାଣ ଡୋଳା ପରି ଦୁଇଆଖିରେ ଯେପରି ପ୍ରବଳ ଆସ୍ଵୀକୃତି...ନାଁ, ଇଏ ଜୀବନ ନୁହେଁ ! ହୋଇପାରେନା !

 

କାନ୍ତମାମୁଁ ରକ୍ତ ସାଲୁବାଲୁ ହାତରେ ଛୁରିଟାକୁ ନେଇ ଧୋଇଆସିଲେ ପୋଖରୀରେ । ତା’ପରେ କଦଳୀପତ୍ର ପୁଡ଼ିଆରେ ମାଂସତକ ଧରି, ଲମ୍ବ ଲମ୍ବ ପାହୁଲ ପକାଇ, ଚାହିଁଲେ ଘରଆଡ଼େ । ମୁଁ ପଛେ ପଛେ ଚାଲିଲି, ଝୁଲାମୁଣିଟାକୁ ଧରି । ଆମର ବିଳମ୍ବ ହେଉଥିବାରୁ ବୋଉ ତେଣୁ ରନ୍ଧା ଘରଭିତରୁ ଡାକୁଥିଲା... “ମନୁଆରେ ।” ଏଥର ମନୁଆଁ ଡାକ ମୋତେ କେଜାଣି କାହିଁକି ଭଲଲାଗିଲା । ବୋଉଉପରେ ଆଉ ଚିଡ଼ିଲି ନାହିଁ !

 

“ଅପା, ଗୋଟାଏ କାପ୍ତା ମାରିଆଣିଚି । ଭାଜିଦେ ତ ଟିକିଏ !”–କାନ୍ତ ମାମୁଁ ବଢ଼ାଇ ଧରିଲେ କଦଳୀପତ୍ର ପୁଡ଼ିଆ ।

 

ବୋଉ କିନ୍ତୁ ତାଙ୍କ ହାତରୁ କଦଳୀପତ୍ର ପୁଡ଼ିଆଟା ଛୁଇଁଲା ନାହିଁ । ସିଏ କହିଲା... “ମୋ ହାଣ୍ଡିଶାଳ ମାରା ହୋଇଯିବ !” ବୋଉର ଅଦ୍ଭୁତ ବିଚାର । ସାଗୁଆତି ଛଡ଼ା, ସେ ଅନ୍ୟ କୌଣସି ମାଂସ ଛୁଏଁ ନାହିଁ, କି ପୂରାଏ ନାହିଁ ହାଣ୍ଡିଶାଳରେ । ଓଭରସିଅର୍ ବାବୁଙ୍କ ଚର୍ଚ୍ଚା ପାଇଁ ବାପା କୁକୁଡ଼ା ଆଣିଲେ, ନିଜେ ରାନ୍ଧନ୍ତି ହାତରେ, ଢିଙ୍କିଶାଳରେ । ସେଥିପାଇଁ ଅଛି ଷ୍ଟୋଭ୍ ଆଉ ଗୋଟାଏ କାଠଚୁଲି ।

 

ବାପା ସେତେବେଳକୁ ଫେରିଆସି ଦାଣ୍ଡଘରେ ଦମ୍ ମାରୁଥିଲେ । ବୋଉ କଥା ଶୁଣି, ସେ ବାହାରିଆସି କହିଲେ... ‘‘କାନ୍ତ କିରେ ! ତମର ଯୋଉ କଥା ! ପିଲାଟା ଖାଇବ ବୋଲି ଚଢ଼େଇଟାଏ ମାରିଆଣିଚି ! ରାନ୍ଧିଦେଲେ ଆଙ୍କ ହାଣ୍ଡିଶାଳ ମାର ହୋଇଯାଉଛି ! ମତେ ଦିଅ କାନ୍ତ-। ମୁଁ ରୋଷ୍ଟ୍ କରିଦଉଚି ଷ୍ଟୋଭ୍‌ରେ । ତମେ ଟିକିଏ ମସଲା ବାଟିଦିଅ ତ ।”

 

ବୋଉ କହିଲା... “ରନ୍ଧିବ ତ ସେଇ ଢିଙ୍କିଶାଳରେ । ଓପରଓଳିକୁ କଲିଆ ମା’ ଆସିଲେ, ଗୋବରରେ ତାକୁ ନିପିବ ।”

 

ଓଭରସିଅର୍ ବାବୁଙ୍କ ପାଇଁ ମଧ୍ୟ କୁକୁଡ଼ା ରନ୍ଧାହୁଏ ସେଇଠି !

 

ବାପା କହିଲେ... “ତମେ ଅପାଟି କି ଜନ୍ତୁ ଦେଖୁଚ ତ !”

 

ବୋଉ ଗଣଗଣ ହୋଇ, ମସଲା ବାଟିବା ପାଇଁ ଶିଳପାଖରେ ବସିପଡ଼ିଲା ।

 

ପ୍ରାୟ ସପ୍ତାହକ ପରେ, ରାତିରେ ଖାଇବାବେଳେ, କାନ୍ତ ମାମୁଁ ହଠାତ୍ କହିଲେ...ମନଟା–ମତେ ସିଏ ଡାକୁଚନ୍ତି ମାନା ବୋଲି, ଅନ୍ତତଃ ମନୁଆଁ ଅପେକ୍ଷା ମତେ ଏ ଡାକଟା ଅଧିକ ସମ୍ମାନଜନକ ମନେହେଇଚି–ଗାଁରେ ରହି ମାଇଚିଆ ହୋଇଯାଉଚି । ତା’ର ତ ପରୀକ୍ଷା ସରିଲାଣି । ମୋ ସାଙ୍ଗରେ କଲିକତା ଚାଲୁ ପନ୍ଦରଦିନ ମାସେ ଘୂରିଆସିବ ।” ବୋଉ ବସିଥିଲା; କହିଲା... “କଲିକତା ଭାରି ସହର । ସେଠିକି ତୁ ମନୁଆଁକୁ ନେଇଯିବୁ ?”

 

ପୁଣି ସେଇ ମନୁଆ ! ମାମୁଁ ଡାକୁଚନ୍ତି କଲିକତା ବୁଲିବାପାଇଁ । ମୋର ସାଙ୍ଗସାଥୀ, କେହି କଲିକତା ଏପର୍ଯ୍ୟନ୍ତ ଦେଖିନାହାନ୍ତି । ବୋଉ ସେଥିରେ ଗୋଟାଏ କେଁ ପୂରାଇଲାଣି । ବାପା ଖିଙ୍କାରିଉଠିଲେ... “ବେଶ୍ ତ ମନୁ ଯାଉ ! କଲିକତା ପରି ସହରକୁ ଗଲେସିନା ତା’ର ଆଖିଫିଟିବ-। କାନ୍ତ ମତେ କେତେଥର ଡାକିଲାଣି । କାମ ଚାପାରେ ମୁଁ ସିନା ଯାଇପାରୁନାହିଁ !”

 

କାନ୍ତ ମାମୁଁ ଦିନେ ସକାଳେ ତାଙ୍କର ସେଇ ବିଚିତ୍ର ପୋଷାକ ପିନ୍ଧି କାନ୍ଧରେ କାନ୍‌ଭାସ୍ ମୁଣିଟା ଝୁଲାଇ, ବସ୍‍ଷ୍ଟାଣ୍ଡକୁ ବାହାରିଲେ । ତାଙ୍କ ପଛେପଛେ ମୁଁ ଗୋଟିଏ ବାମନ ପରି, ଖଣ୍ଡେ ଧୋତି ଆଉ ହାଫ୍‌ସାର୍ଟ ପିନ୍ଧି, ପାଦରେ ହଳେ କାନ୍‌ଭାସ୍ ଯୋତା ଗଳାଇ, ହାତରେ ଟିଣ ସୁଟ୍‌କେସ୍‍ଟାଏ ଓହଳାଇ ଚାଲିଲି, ଲମ୍ବ ଲମ୍ବ ପାହୁଣ୍ଡ ପକାଇ ! ମନର ଉତ୍ତେଜନା, ପାଦକୁ ଚଞ୍ଚଳ କରିଦେଉଛି ।

 

କାନ୍ତ ମାମୁଁ ହଠାତ୍ ବଡ଼ କୋଠା ସାମନାରେ ରହିଯାଇ ପଚାରିଲେ “ଏତେବଡ଼ କୋଠାଟା କାହାରରେ ମାନା ?”

 

ମୁଁ କହିଲି... “ଜମିଦାର ଘର ସେଇଟା । ଭାରୀ ବଡ଼ଲୋକ ସେମାନେ !”

 

କାନ୍ତ ମାମୁଁ ଚିଡ଼ିଉଠିଲେ–“ପୁଣି କହିଲୁ ବଡ଼ଲୋକ ! କୋଟିକରେ ଗୋଟିଏ ବଡ଼ଲୋକ ମିଳିବେ ନାହିଁ ! କହ ଧନୀ ଲୋକ ! କିନ୍ତୁ ଅନ୍ୟକୁ ହାତରେ ନୋହିଲେ ଭାତରେ ନମାରି କିଏ ଧନୀ ଲୋକ ହୋଇଚିରେ ?”

 

ମୋ ଆଖିଆଗରେ ଭାସିଉଠିଲା, ଆମ ଦାଣ୍ଡରେ ମଜୁରି ହିସାବ ବେଳେ, ମାଟିହଣା ମୂଲିଆମାନଙ୍କର ଝାଳୁଆ ଚେହେରା । ଓଭରସିଅର୍ ବାବୁଙ୍କ ପାଉଣା ଅଛି ଯେ ! ସେ ବା ଆଣିବେ କୋଉଠୁଁ ?... ପ୍ରତ୍ୟେକ ପ୍ରତ୍ୟେକର ରକ୍ତ ଶୋଷିବା ପାଇଁ ଜିଭ ଲହଲହ କରୁଛନ୍ତି ! ଅଜାଙ୍କ ପରି ମଣିଷ, ଏ ପରିବେଶରେ କେଡ଼େ ଖାପ୍‌ଛଡ଼ା ସତେ !

 

କାନ୍ତ ମାମୁଁ ଆଗେଇ ଯାଇଥିଲେ । ତାଙ୍କ ସାଙ୍ଗ ଧରିବା ପାଇଁ ମୁଁ ପାଦ ସଅଳ କରିଦେଲି । କାନ୍ତମାମୁଁ ଯେପରି ଗୋଟାଏ ପ୍ରବଳ ଧକ୍‌କା ଦେଇଛନ୍ତି ମୋର ବିଶ୍ୱାସ ଆଉ ଚେତନାକୁ !

 

ଏଇ କଲିକତା...ମୁଁ କିନ୍ତୁ ବସ୍ ଭିତରୁ କିଛି ଦେଖିପାରୁନଥିଲି ! ଚାରିପଟେ ମଣିଷ ପାଚେରି !

 

ପିମ୍ପୁଡ଼ି ଭେଳା ପରି ମେଞ୍ଚାମେଞ୍ଚା ମଣିଷ । ଖୁନ୍ଦାଖୁନ୍ଦି ବସ୍ ଭିତରେ ଝାଳୁଆ ଦେହର ଉତ୍କଟ ଗନ୍ଧରେ ମୋ ନିଶ୍ଵାସ ରୁଦ୍ଧି ହୋଇଆସୁଥିଲା । ତଥାପି ଆଉରି ମଣିଷ ଡେଉଁଥିଲେ ସେଇ ଖୁନ୍ଦାଖୁନ୍ଦି ବସ୍ ଭିତରକୁ । ଅନ୍ୟକୁ ଠେଲି ବସ୍ ବାହାରେ ରାସ୍ତାଉପରକୁ ଫିଙ୍ଗିଦେଇପାରିଲେ, ସେମାନେ ନିଜପାଇଁ ଯେପରି ଟିକିଏ ଯାଗା କରିନିଅନ୍ତେ ! ଜୀବନ ସଂଗ୍ରାମର ପ୍ରତିଯୋଗିତା !

 

ବଡ଼ ରାସ୍ତାକଡ଼ରେ ବସ୍‌ଟା ଅଟକିଲା ଦୁଇମିନିଟ୍ ପାଇଁ । କାନ୍ତମାମୁଁ ମତେ ହିଡ଼ି ହିଡ଼ି କରି ଟାଣି ଗୋଟାଏ କୁଦାମାରିଲେ ରାସ୍ତାଉପରକୁ । ବସ୍ ଭିତରୁ ବାହାରି ମୁଁ ସ୍ଵସ୍ତିର ନିଶ୍ଵାସ ମାରିଲି ।

 

ତା’ପରେ ପ୍ରାୟ ଦୁଇହାତ ଓସାରର ଗୋଟାଏ ଗଳି । ଦୁଇପାଖରେ ତା’ର ଧାଡ଼ିବନ୍ଧା ଏକମହଲା, ଦୁଇମହଲା କୋଠା । ବାରଣ୍ଡାମାନଙ୍କରେ ଲୁହା ରେଲିଙ୍ଗ୍ । ଘର ନୁହେଁତ; ଧାଡ଼ିଧାଡ଼ି ଜନ୍ତା ! କୋଠାଗୁଡ଼ାକର ଚେହେରା, କାନ୍ଦୁରା କାନ୍ଦୁରା, କୋଉ କାଳରୁ ଯେପରି ଚୂନବୋଳା ହୋଇନାହିଁ ସେଥିରେ । ଗଳିରେ ଲୋକ ଚଳାଚଳ ନାହିଁ । କାନ୍ତ ମାମୁଁ ସେଇ ଗଳିରେ ଚାଲିଥିଲେ, ସମ୍ରାଟ ପରି...ମୁଁ ତାଙ୍କ ପଛେ ପଛେ ବୋହିଚାଲିଛି, ସେଇ ଟିଣ ସୁଟ୍‌କେସ୍ !

 

ଜନ୍ତାମାନଙ୍କ ଭିତରୁ କ୍ରମେ ଗୋଟିଏ ଦିଓଟି ମୁହଁ ଉଙ୍କିମାରିଲା । କଲେଇ ଛଡ଼ା ଟିଣ ବାସନ ପରି ମୁହଁ । ରାତିରେ ହୁଏତ ରଙ୍ଗବୋଳା ହୋଇଥିଲା, ସକାଳକୁ ଅଧେ ଛାଡ଼ିଚି, ଅଧେ ଛାଡ଼ିନାହିଁ । ବାଳ ଅଲରା, ଆଖି ଫୁଲିଲା ଫୁଲିଲା ।

 

“ଦାଦା, ପେନ୍ନାମ୍ ! ଦେଶକୁ ଯାଇଥିଲା ପରା !”

 

କାନ୍ତମାମୁଁ କୌଣସି ଉତ୍ତର ନଦେଇ, ସେମିତି ଆଗକୁ ଆଗକୁ ଚାଲିଲେ ।

 

ଆଉ ଜଣେ କହିଲା... “ସେଇଆ କହ, ଦାଦା ଏ କେତେଦିନ ଦେଖାନଥିଲା ! ଅମୀର ଚାଚ୍ଚା କହୁଥିଲା ଦାଦାକୁ ସେମାନେ ଧରିନେଇଛନ୍ତି ଲାଲ୍‌ବଜାର ଥାନାକୁ ।”

 

କାନ୍ତ ମାମୁଁ ଏଥର ଉତ୍ତର ନଦେଇ ରହିପାରିଲେ ନାହିଁ । ସେ ଗୋଟାଏ ଏବାଉଟ୍‌ର୍ଣ୍ଣ ମାରି କହିଲେ...‘‘ଶାଲା ମିଲିଟାରୀ ପୋଲିସ ହେଲେ ବି ଟିପ ଦେଇପାରିବ ନାହିଁ କାନ୍ତ ଦେହରେ ! ପୋଲିସ୍ ବାଲା ତ ପୋଲିସ୍ ବାଲା । ପ୍ରତି ହପ୍ତାରେ ଭାଗନିଅନ୍ତି ମୋଠାରୁ ।... ଏ ନୁଟ୍‌ନା ।”

 

ହାଫ୍‌ପ୍ୟାଣ୍ଟ ଆଉ ନେଳି ସାର୍ଟ୍ ପିନ୍ଧା ମୋରି ବୟସର ଗୋଟାଏ ପିଲା ଦଉଡ଼ି ଯାଉଥିଲା ସେବାଟେ ।

 

ନୁଟନା କାନ୍ତମାମୁଁଙ୍କ ଡାକରେ ରହିଗଲା ।

 

“କ’ଣ ଶିକାର ପାଇଲୁ ଦେଖି ।”

 

ନୁଟ୍‌ନା ଗୋଟାଏ ଛିଣ୍ଡା ମନିବ୍ୟାଗ ନାହିଁମୁଣ୍ଡାରୁ କାଢ଼ି କାନ୍ତ ମାମୁଁଙ୍କ ହାତକୁ ବଢ଼ାଇଦେଲା ।

 

କାନ୍ତମାମୁଁ ମନିପର୍ସଟା ଖୋଲି ଦେଖିଲେ, ତା’ ଭିତରେ ଖଣ୍ଡେ କାନମୋଡ଼ା ପାଞ୍ଚଟଙ୍କିଆ ନୋଟ୍‌ ଆଉ କିଛି ଖୁଚୁରା । ନୁଟ୍‌ନା ପିଚାରେ ଯେ ଯୋତା ମିଶା ଗୋଟାଏ ଲାତ୍‌ ମାରି, ପର୍ସଟା ରାସ୍ତାଉପରକୁ ଫିଙ୍ଗିଦେଇ, କାନ୍ତ ମାମୁଁ କହିଲେ... “ଶାଲା, କୋଉ ବିଚାରର ବଜାର ସଉଦା ମାଟି କଲୁ ଆଜି । ତତେ କହିଥିଲି ପରା, ଚୁଚୁନ୍ଦ୍ରା ମାରିବୁନାଇଁ !”

 

ନୁଟ୍‌ନା ଚିଲ ପରି ପର୍ସଟା ତଳୁ ଝାମ୍ପି ଧରି ଦଉଡ଼ି ପଳାଇଲା ।

 

ଗଳିକଡ଼ରେ ଗୋଟାଏ ଲୁଣିଧରା କୋଠା ପିଣ୍ଡାରେ ଚାରିକାତ ମେଲି, ଲୁଙ୍ଗିପିନ୍ଧା ମଣିଷଟାଏ ଶୋଇଥିଲା ଅର୍ଘାସୁର ପରି । ମୁଣ୍ଡରେ ତା’ର ବାବୁରୀ । ନାକ ତଳେ ଦୁଇପଟ ମୋଟା ମୋଟା ବହଳ ନିଶ । ଛାତିଯାକ ନିଘଞ୍ଚ ବାଳ । ତା’ ଭିତରେ ଉପରକୁ ଦେଖାଯାଉଛି ଗୋଟାଏ ନାଲିଆ ହିଡ଼–ବୋଧହୁଏ କ୍ଷତ ଚିହ୍ନ । ଏଇ ବୋଧହୁଏ ଅମୀର ଚାଳା । କାନ୍ତମାମୁଁ ତାକୁ ଅକାରଣରେ ଗୋଟାଏ ଲାତ୍‌ ମାରିବାକୁ ସେ ନିଦ ମଳମଳ ଆଖିରେ ଉଠିବସିଲା । ତା’ପରେ ପାଟିଏ ହସ ହସି କହିଲା... “ଆରେ କାନ୍ତୁ ଦାଦା ଯେ !”

 

“ଆବେ ଶାଲା; ତୁ ପାରୁଲ୍‌କୁ କହିଚୁ ପୋଲିସ ମୋତେ ଲାଲ ବଜାରରୁ ଧରିନେଇଚି ବୋଲି !”

 

ଅମୀର୍‌ ଚାଚ୍ଚା ନିର୍ବିକାର ଭାବରେ ଖଣ୍ଡେ ସିଗାରେଟ୍‌ରେ ନିଆଁଲଗା କହିଲା... “ତମକୁ କେତେଦିନ ଧରି ଦେଖିନଥିଲି ତ !”

 

“କାନ୍ତକୁ କୋଉ ପୋଲିସ ଧରିବ ବେ ! ଏ ଇଲାକାର ସବୁ ପୋଲିସ କାନ୍ତୁ ହାତ ମୁଠାରେ ! ଜାଣିନୁ ତୁ ?”

 

“ସେ କଥା, ଆଉ ଜାଣିନି ଗୁରୁ !”

 

କାନ୍ତମାମୁଁ ଆଗେଇ ଚାଲିଲେ । କାନ୍ତମାମୁଁ ତାହେଲେ ଏ ଇଲାକାର ଜଣେ ପ୍ରତାପଶାଳୀ ଲୋକ ! ସମସ୍ତେ ତାଙ୍କ ହାତମୁଠାରେ ! ମୋ ଛାତିଟା ଗର୍ବରେ ଫୁଲିଉଠିଲା !

 

ଗଳିଟା ଶେଷ ହୋଇଛି, ଅଳ୍ପ ଆଗରେ । ତା’ପରେ ପୁଣି ବଡ଼ ରାସ୍ତା ଗୋଟାଏ ସରୁ ଦୋତାଲା କୋଠା ଆଗରେ ଅଟକିଗଲେ କାନ୍ତ ମାମୁଁ । କୋଠାର ଗୋଟାଏ ପାଖରେ, ଗୋଟାଏ ହୋଟେଲ–କଷା ମାଉଁସ ବାସ୍‌ନା ରେଡ଼ିଓ ଗୀତର ପଟା ଝଙ୍କାର ସହିତ ମିଶି ବାହାରୁଥିଲା ସେଥିରୁ–ଅନ୍ୟ ପାଖରେ ବୋଧହୁଏ ଗୋଟାଏ ମଦ ଦୋକାନ । ଦୁଇ ଦୋକାନ ଭିତରେ ଉପରକୁ ଉଠିଯାଇଛି, ଗୋଟାଏ ନହନହକା ସରୁ କାଠ ଶିଡ଼ି ।

 

କାନ୍ତମାମୁଁଙ୍କୁ ଦେଖି, ତାଙ୍କୁ ସମ୍ଭାଷଣ ଜଣାଇବା ପାଇଁ, କେତେକ ଅମୀର୍ ଚାଚ୍ଚା ପରି ଚେହେରାର ମଣିଷ ବାହାରିଆସିଲା । କାନ୍ତ ମାମୁଁ କିନ୍ତୁ କାହାରି ପ୍ରତି ଦୃକ୍‌ପାତ ନ କରି, ଶିଡ଼ିରେ ଉଠିଗଲେ ଉପରକୁ । ତାଙ୍କ ପଛେପଛେ ସେଇ ଲହକା ଶିଡ଼ିରେ ଉଠିବାବେଳେ, ମୋର ଭୟ ହେଉଥିଲା, ଭାଙ୍ଗିପଡ଼ିବ କି କାଳେ ! ହାତରେ ପୁଣି ସେଇ ଟିଣ ସୁଟ୍‌କେସ୍‌ଟା !

 

ଗୋଟାଏ ଝିଅର ଖିଲିଖିଲି ହସ ଆଉ ଚିତ୍କରରେ ମୁଁ ଚମକିଉଠିଲି । ମୋରି ବୟସର ଝିଅଟିର ଶିଡ଼ି ମୁଣ୍ଡରେ ଠିଆହୋଇ ଖିଲ୍‍ଖିଲ୍ ହସି ବଙ୍ଗଳାରେ କହୁଥିଲା... “ହିଃ ହିଃ... ଦେଖୁଚ ମାସୀମା, ପିଲାଟା ଶିଡ଼ିରେ ଉଠିବାକୁ କେମିତି ଡରୁଚି !”

 

ମୁଁ ଲାଜେଇଗଲି । ଶିଡ଼ିଟା ପ୍ରକୃତରେ ଯେପରି ହଲୁଚି, ମଝିରୁ ଭାଙ୍ଗିପଡ଼ିବା ଅସମ୍ଭବ ନୁହେଁ । କାନ୍ତମାମୁଁ ତା’ ଉପରେ କିପରି ମଚ୍‌ମାଚ୍ ପାଦରେ ଉଠିଗଲେ କେଜାଣି ?

 

ମାସୀମାରେ–ବୋଧହୁଏ–ପଟା କଂସା ପରି କଣ୍ଠରେ ଝଙ୍କାର ଶୁଭିଲା... “ହି ହି ହସୁଚୁ କ’ଣ ? ତା’ ହାତ ଧରି ଉଠାଇଆଣନା ! ନୂଆ ମଣିଷ ହୋଇଥିବ ।”

 

ଝିଅଟା ଖପାଖପ୍ ଶିଡ଼ିରେ ଓହ୍ଲାଇ, ମୋର ଗୋଟାଏ ହାତଧରି କହିଲା... “ଉଠିଆସ ଶିଡ଼ି ଭାଙ୍ଗିବ ନାଇଁ !”

 

ମୋ ଦେହରେ ବିଦ୍ୟୁତର ସ୍ପର୍ଶ ! ମୋର ମୁଣ୍ଡଟା ଗୋଳମାଳ ହୋଇଗଲା । ମୁଁ ତା’ର ହାତଧରି ପାଦେ ପାଦେ ଉଠିଆସିଲି । ଏପରି ଶିହରଣ ମୁଁ ଆଉ କେବେ ଅନୁଭବ କରିନଥିଲି ତ ! ଏ କି ପୁଲକ ! କି ରୋମାଞ୍ଚ !

 

ଝରକା ବାହାରେ, ବଡ଼ରାସ୍ତା କଡ଼ରେ ଉଞ୍ଚା ଉଞ୍ଚା କୋଠାମାନଙ୍କୁ ମୁଁ ଚାହିଁ ଦେଖୁଥିଲି, ବିସ୍ମୟଭରା ଆଖିରେ...ଏତେ ଉଞ୍ଚା ଉଞ୍ଚା କୋଠା । ମୋ ଦେହରୁ ସେଇ ସ୍ପର୍ଶର ରୋମାଞ୍ଚ କଟିନଥିଲା ।

 

କାନ୍ତମାମୁଁ ଡାକିଲେ... “ଶୋଭା । ଏଆଡ଼େ ଆସ୍ ।”

 

ଦରଜା ବାହାରେ ଉଙ୍କିମାରିଲା ସେଇ ଝିଅଟିର ମୁହଁ । କପାଳ ଉପରେ ମୁଣ୍ଡର ଅଲରା ବାଳ ସୃଷ୍ଟି କରିଚି ଗୋଟିଏ ଅର୍ଦ୍ଧବୃତ୍ତ । ବେଣୀଟା ଫିଟିପଡ଼ିଚି ଅଣ୍ଟା ତଳକୁ । ଶାଢ଼ିଟା ଅଧା ମଇଳା-। ଦେହରେ ଖଣ୍ଡେ ନାଲି ବ୍ଲାଉଜ୍ । ଓଠ ଦୁଇଟା ତା’ର ହସହସ । ଆଖିରେ ଉଜ୍ଜ୍ଵଳ ନିଷ୍ପାପତା-। ସେ ଚାହିଁଥିଲା ମୋ ଆଡ଼େ । ସେ ପର୍ଯ୍ୟନ୍ତ ତା’ର ସ୍ପର୍ଶର ଶିହରଣ ଭୁଲିନଥିଲି । ଏବେ ତା’ର ଆଖିଦୁଇଟା ମୋର ମୁଣ୍ଡକୁ ପୁଣି ଗୋଳମାଳ କରିଦେଲା ।

 

କାନ୍ତ ମାମୁଁ କହିଲେ... “ତଳୁ ଯା ନେଇଆସିବୁ ଦୁଇଟା ବିଅର୍ ଆଉ ବରଫ । କହିବୁ କାନ୍ତୁଦା କହିଚି ।”

 

ଝିଅଟା ମୋଆଡ଼େ ଥରେ ଚାହିଁ, ଧାଇଁଗଲା କାନ୍ତମାମୁଁଙ୍କ ବିଅର ଆଣିବା ପାଇଁ ।

 

ଗଳିରେ ଆସିବାବେଳେ କଲେଇଛଡ଼ା ଟିଣ ବାସନ ପରି ମୁହଁ ସବୁ ଯେପରି ଦେଖିଥିଲି, ସେଇପରି କେତେଟା ମୁହଁ ଆସି ଉଙ୍କିମାରିଲେ ଦରଜାରେ । କାନ୍ତ ମାମୁଁ ସେମାନଙ୍କ ପ୍ରଣାମ, ଅଭିବାଦନ, ନିରବରେ ଗ୍ରହଣ କଲେ, ସିଗାରେଟ୍ ଟାଣିଟାଣି । କାହାକୁ କିଛି କହିଲେ ନାହିଁ, କିମ୍ବା କିଛି ପଚାରିଲେ ନାହିଁ । ଶିଡ଼ିରେ ଉଠିବାବେଳେ, ଯେଉଁ ବୁଢ଼ୀର ଫଟା କଂସା ପରି ଝଙ୍କାର ଶୁଣିଥିଲି, ସେଇ ବୁଢ଼ୀ–ନାଁ ଦରବୁଢ଼ୀ–ଆସି ପଚାରିଲା... “ଦେଶରେ ତ ରହିଗଲ ଅନେକଦିନ ?”

 

“କ’ଣ ହେଲା ସେଠୁ ? ଇଏ ମୋର ଭଣଜା । ନେଇଯା ଆକୁ ଗାଧୁଆ ଘର ଦେଖାଇଦେବୁ । ଗାଧୋଇ ସାରିଲେ ଖାଇବାଟା ବୁଝିଦେବୁ ।”

 

ଆଉ କେତେବେଳେ ଯେ ଶୋଇରହିଥାନ୍ତି ଜାଣେନାଁ । ହଠାତ୍ କାନ ସୁଲୁସୁଲୁ ହେବାରୁ ନିଦ ଭାଙ୍ଗିଗଲା । ସେଇ ଝିଅଟି ଗୋଟାଏ ଚଢ଼େଇ ପରରେ ଖିଲ୍‍ଖିଲ୍ ହସି ମୋ କାନ ସୁଲୁସୁଲୁ କରୁଥିଲା ।

 

–“ଓ ! ବାବା ! କୁମ୍ଭକର୍ଣ୍ଣ ପରି ସେତିକିବେଳୁ ଶୋଇଚ !”

 

ଝରକାବାଟେ ଅପରାହ୍ନର ଖରା ପଡ଼ିଥିଲା, ସେଇ ଝିଅଟି ମୁହଁରେ । କାନ୍ତ ମାମୁଁଙ୍କ ଖଟଉପରେ ପଡ଼ିଚି କେବଳ ତାଙ୍କର ସେଇ ଥଳିଟା ।

 

–“ମାମୁଁ ?” ମୁଁ ପଚାରିଲି, ଉଦ୍‌ବିଗ୍ନ କଣ୍ଠରେ ।

 

“ତମ ମାମୁଁଙ୍କର କ’ଣ କିଛି ଠିକ୍‍ଠିକଣା ଥାଏ ? କୋଉଦିନ ଫେରନ୍ତି ରାତିଅଧକୁ ତ କୋଉଦିନ ପାହାନ୍ତାକୁ ! ଫ୍ଳାସ୍ ଖେଳୁଥିଲେ ଅବିକା ଖେଁତୁଦି ଘରେ !”

 

ଫ୍ଳାସ୍ କ’ଣ ?” ଫ୍ଳାସ୍ ନାଁଟା ଆଗରୁ କେବେ ଶୁଣିନଥିଲି !

 

“କାନ୍ତୁଦାର ଭଣଜା ହୋଇ, ତୁମେ ଫ୍ଳାସ୍ ଜାଣିନାଁ ? ଫ୍ଳାସ୍ ହେଉଛି ତାସରେ ଜୁଆଖେଳ । ପଟେ ଚାରିପଟ ତାସରେ ଖେଳନ୍ତି ! କାନ୍ତୁଦା କାୟଦା ଜାଣେ ! ବ୍ଳାଇଣ୍ଡ ଖେଳେ ସେ-! ଦିନେଦିନେ ରାତିକୁ ଜିଣେ ହଜାର ହଜାର ଟଙ୍କା ଆଉ ଦିନକୁ ଫତୁର୍ ! ସେପରି ରାତିରେ ଖୁବ୍ ମଦପିଏ ସେ !”

 

କାନ୍ତ ମାମୁଁ ତାହେଲେ ଖୁବ୍ ମାରାତ୍ମକ ଲୋକ ତ ! ବାପାଙ୍କ ପାଖକୁ ମନିଅର୍ଡ଼ରରେ ସେ ଯୋଉ ଟଙ୍କା ପଠାନ୍ତି, ସିଏ ତାହେଲେ ଏଇ ଜୁଆଖେଳ ଟଙ୍କା ? ପରିସ୍ଥିତି ଆଉ ପରିବେଶ ବୁଝିବାପାଇଁ ମୋର ବାକିନଥିଲା । କଲେଇଛଡ଼ା ଟିଣ ବାସନ ପରି ଚେହେରାର ସେଇ ସ୍ତ୍ରୀଲୋକମାନଙ୍କ ପରିଚୟ ମୁଁ ଏବେ ଠିକ୍ ବୁଝିପାରୁଥିଲି ! କାନ୍ତ ମାମୁଁଙ୍କ ପ୍ରତି ଘୃଣାରେ ମୋର ମନଟା ହଠାତ୍ ତିକ୍ତ ହୋଇଉଠିଲା । ଅଜାଙ୍କ ପରି ମଣିଷର ପୁଅ ପୁଣି ହୋଇପାରନ୍ତି କାନ୍ତ ମାମୁଁ-? କିନ୍ତୁ କାନ୍ତ ମାମୁଙ୍କ ସିଧା କଥା–ରକ୍ତ ଦେବା ନୋହିଲେ ରକ୍ତ ନେବା ହେଲା ଜୀବନ ! ଚୋରି ନକରି, ଜୁଆଡ଼ୀ ନ ହୋଇ କିଏ ବା ଧନୀ ଲୋକ ହୋଇଚି ? ନୁଟ୍‌ନା ପକେଟ କାଟୁଚି ହାତରେ-। ଓଭରସିଅର ବାବୁ କ’ଣ ବାପାଙ୍କ ପକେଟ କାଟୁନାହାନ୍ତି ? ବାପା କ’ଣ କାଟୁନାହାନ୍ତି ସେଇଦିନ ମଜୁରିଆମାନଙ୍କ ପେଟ ? ଏପରି ସୁନ୍ଦର ପୃଥିବୀଟାକୁ, କିଏ ଏମିତି ଭୟଙ୍କର ରକ୍ତମୁଖା କଲା କାହିଁକି ? କାନ୍ତ ମାମୁଁ ତ ଦେଲେ ମତେ ଜୀବନର ଏଇ ପ୍ରଥମ ପରିଚୟ । ଠିକ୍ ଅଛି କାନ୍ତ ମାମୁଁ-

 

ମନ ବହଲେଇଲା ପାଇଁ, ମୁଁ ଝରକାବାଟେ ଦେଖାଯାଉଥିବା ଗୋଟାଏ ଉଞ୍ଚା କୋଠାର ମହଲା ସବୁ ଗଣିବାରେ ଲାଗିଲି । କୋଠା ପୁଣି ପାଞ୍ଚମହଲା ହୋଇପାରେ ? ସେ ଝିଅଟି ସବ୍‌ଜାନ୍‌ତା କଣ୍ଠରେ କହିଲା... “ଏ ସହରରେ ଆଉରି ଉଞ୍ଚାଉଞ୍ଚା କୋଠା ଅଛି ଯେ ! ଇଏତ ମୋଟେ ପାଞ୍ଚମହଲା !”

 

ମୁଁ ପଚାରିଲି... “ଏ କୋଠାରେ ରହନ୍ତି କୋଉମାନେ !”

 

“ସିଏ ଗୋଟାଏ ହୋଟେଲ୍ !”

 

ଡିଟେକ୍‌ଟିଭ ଉପନ୍ୟାସପଢ଼ା ମୋର ଜ୍ଞାନରେ ଅନୁମାନ କଲି–ଡକାୟତମାନେ ରହୁଥିବେ ସେଇ ହୋଟେଲ୍‌ରେ !

 

ଝିଅଟା ମୋ ପାଖକୁ ଲାଗି ଆସିଥିଲା ଝରକା ପାଖରେ । ତା’ର ଗରମ ନିଃଶ୍ୱାସ ମୁଁ ଅନୁଭବ କରୁଥିଲି, ମୋର ଗାଲ ଉପରେ ! ଦେହରେ ପୁଣି ସେଇ ଶିହରଣ । ଭାରି ଭଲଲାଗୁଥିଲା ତା’ର ସ୍ପର୍ଶ, ତା’ର ସାନ୍ନିଧ୍ୟ !

 

ମୁଁ ପଚାରିଲି... “ତମେ ସେ ହୋଟେଲ ଦେଖିଚ ଶୋଭା ?”

 

ସେ ଉତ୍ତର ଦେଲା ‘‘ତା’ ଭିତରକୁ ଏପର୍ଯ୍ୟନ୍ତ ଯାଇନି ! କିନ୍ତୁ ଆମ ପଡ଼ାର ଅନେକେ ରାତିରେ ଯାନ୍ତି ସେଇ ହୋଟେଲ୍‌କୁ । ହୋଟେଲ୍ ଲୋକେ ମଧ୍ୟ ଆସନ୍ତି ଆମ ପଡ଼ାକୁ ! ସେମାନେ ସବୁ ଜାହଜୀ ସାହେବ ! ଦଲାଲ୍‍ମାନେ ଭାଗ ବସାନ୍ତି ଏଥିପାଇଁ !”

 

ଶୋଭାଉପରେ ମୋର ଗୋଟାଏ ଅଧିକାର, କେତେବେଳେ କିପରି ସାବ୍ୟସ୍ତ ହୋଇଯାଇଥିଲା ଜାଣେନାଁ–କିନ୍ତୁ ଅଭିଭାବକ ସୁଲଭକଣ୍ଠରେ ତାକୁ ତାଗିଦ୍ କରିଦେଲି–“ତମେ ସେ ହୋଟେଲ୍‌କୁ ଯିବନାଇଁ କେବେ !”

 

ଶୋଭା କୌଣସି ଉତ୍ତର ଦେଲାନାହିଁ !

 

ଭିତରୁ ଫଟା କଂସାର ସେଇ ଝଙ୍କାର ଶୁଭିଲା... “ସେ ଘର ଭିତରେ ପଶି, କ’ଣ କରୁଚୁ ଶୋଭା ? ସେମାନେ ଆସିବେ ଯେ ! ଯା ତିଆରି ହୋଇପଡ଼ !”

 

ଶୋଭା ବଡ଼ପାଟି କରି କହିଲା... “ଏଇ ଯାଉଚି ମାସୀମା !”

 

ମୋ ଭିତରେ ଗୋଟାଏ ଦ୍ଵନ୍ଦ୍ଵ–ଗୋଟିଏ ପାଖରେ ଏଇ ନିଃଶ୍ଵାସ ରୁନ୍ଧା କ୍ଲେଦ୍ଦାକ୍ତ ପରିସ୍ଥିତି ଭିତରୁ ଗାଁକୁ ପଳାଇବା ପାଇଁ ଉତ୍କଣ୍ଠା, ଅନ୍ୟପାଖରେ ଶୋଭାର ଆକର୍ଷଣ ! ପାଖରେ ପଇସା ନାହିଁ । କାନ୍ତ ମାମୁଁ ପୁଣି, ମୁଁ ଗାଁକୁ ଫେରିବାର ନାଁ ଧରୁନାହାନ୍ତି ! ମୁଁ ଏଠି ନୁଟ୍‌ନା ହେବି ନାଁ କ’ଣ ? କିନ୍ତୁ ଶୋଭା ସହିତ ଇତିମଧ୍ୟରେ ମନର ଯେଉଁ ଗଣ୍ଠି ପଡ଼ିଯାଇଛି, ତାଙ୍କୁ ଏତେଶୀଘ୍ର ଛିଣ୍ଡାଇ ଦେବାର ଭାବନା ସୁଦ୍ଧା ମୋତେ ବାଧୁଥିଲା !

 

“କାନ୍ତ ମାମୁଁ ଏତେ ଟଙ୍କା କ’ଣ କରନ୍ତି ?” ...ବାରମ୍ବାର କାନ୍ତ ମାମୁଁ ମୋର ଚେତନାକୁ ଆହତ କରୁଥିଲେ ।

 

ଆଖି ଡୋଳାଦୁଇଟି ନଚାଇ ଶୋଭା ଉତ୍ତର ଦେଲା... “ବାଃରେ ! ଏ ପଡ଼ାରେ କେତେ ମଣିଷଙ୍କୁ ସାହାଯ୍ୟ ନ କରନ୍ତି ସେ ! ଯେଉଁ ମାନଙ୍କର ବ୍ୟବ୍‌ସାୟ ନ ଚଳିଲା, ଯେଉଁମାନେ ବେରାମ୍‌ରେ ପଡ଼ିଲେ–କାନ୍ତୁଦା ତ ସେମାନଙ୍କର ଆଶ୍ରୟ ! ସେଥର ଅମୀରଚାଚ୍ଚା ଛାତିରେ ଅନ୍ୟ ପଡ଼ାର ଗୋଟାଏ ଗୁଣ୍ଡା ଛୁରି ଭୁସି ଦେଇଥିଲା । କିଏ ଭାବିଥିଲା ଅମୀର୍ ଚାଚ୍ଚା ଆଉ ବଞ୍ଚିବ ବୋଲି-? ଶହ ଶହ ଟଙ୍କା ଖର୍ଚ୍ଚ କରି କାନ୍ତୁଦା ତାଙ୍କୁ ବଞ୍ଚାଇଲା ନାଁ ! ସିଏ ତ ଏ ପଡ଼ାର ମସ୍ତାନ୍ !”

 

ଅମୀର୍ ଚାଚ୍ଚାର ବାଳୁଆ ଛାତିରେ ପ୍ରାୟ ଚାରିଇଞ୍ଚି ଚଉଡ଼ାର ସେଇ ଯେଉଁ ନାଲି ଚିହ୍ନଟା, ସେଇଟା ତାହେଲେ ସେଇ ଛୁରି ଭୁସାର ଚିହ୍ନ !

 

ଶୋଭା କହିଲା... “କରପୋରେସନ୍ ଇଲେକସନ୍ ଆସୁ, ଦେଖିବ ସବୁ ପାର୍ଟିର ନେତାମାନେ ଆସିବେ କାନ୍ତୁଦା ପାଖକୁ ! କାନ୍ତୁଦାକୁ ନଧରିଲେ, ଏ ୱାର୍ଡ଼ରୁ ଭୋଟ ପାଇଚି କିଏ ? ପାର୍ଟି ପାର୍ଟି ଭିତରେ ଦଙ୍ଗା ଚାଲିଲେ, କାନ୍ତୁଦାକୁ ନଧରି ଉପାୟ ଅଛି ?”

 

କାନ୍ତ ମାମୁଁଙ୍କୁ କିନ୍ତୁ ମୁଁ ଠିକ୍ ବୁଝିପାରୁନଥିଲି ! ସେ ଗୁଣ୍ଡା, ଜୁଆଡ଼ି; ଗୁଣି ଅସହାୟର ରକ୍ଷକ, କ୍ଷୁଧାର୍ତ୍ତର ଅନ୍ନଦାତା ।

 

ଗୋରୁ ମାରି ଜୋତାଦାନ ପରି, ଧର୍ମ, ଅର୍ଥନୀତି ଓ ସଭ୍ୟତାର ଯେଉଁ ପ୍ରହସନ ଚାଲିଛି, କାନ୍ତ ମାମୁଁ ତା’ର ବୋଧହୁଏ ବିଶେଷ ଦ୍ରଷ୍ଟବ୍ୟ...ପାଦଟୀକା ।

 

ଭିତରୁ ଫଟା କଂସାର ସେଇ ଝଙ୍କାର ଶୁଭିଲା...‘‘ଶୋଭା” ।

 

“ଏଇ ଗଲି ମାସୀ ମା” ।

 

ଶୋଭା କ’ଣ ଯିବ ସେଇ ହୋଟେଲକୁ ? ମୋ ପାଦତଳୁ ପୃଥିବୀଟା ଗୋଟାଏ ଭୂମିକମ୍ପର ଧକ୍‌କାରେ ଖଣ୍ଡ ଖଣ୍ଡ ଭାଙ୍ଗି ତଳେ ଭୁଶୁଡ଼ିପଡ଼ିଲା ।

 

ସେଇ ଉଁଞ୍ଚା ହୋଟେଲ୍ କୋଠାଉପରେ ବୋଧହୁଏ ଚତୁର୍ଥୀ ତିଥିର ଚାନ୍ଦଉଠିଛି । ଶୋଭା ଥିଲେ, ଏ ଜହ୍ନଟାକୁ ସେ ଦୁହେଁ ଉପଭୋଗ କରିଥାନ୍ତେ ଏକାନ୍ତ ଭାବରେ । କୋଠରୀରେ କେହିନାହାନ୍ତି । କଲେଇ ଛଡ଼ା ଟିଣ ବାସନ ପରି, ସେଇ ମୁହଁ ସବୁ, କେତେବେଳୁ ଓହ୍ଲାଇଗଲେଣି ରାସ୍ତାକୁ । ସେମାନେ ଅବିକା ଠିଆ ହୋଇଥିବେ ଲାଇଟ୍ ପୋଷ୍ଟମାନଙ୍କ ତଳେ ଅଧା ଛାଇ, ଅଧା ଆଲୁଅରେ–ନୋହିଲେ ଡଷ୍ଟ୍‌ବିନ୍ ପାଖରେ ।

 

ସିଟି ବଜାଇ, କିଏ ଜଣେ ଉଠିଆସୁଚି କାଠ ଶିଡ଼ିରେ । ପାଦ ଶବ୍ଦରୁ ମନେହେଉଚି ଲୋକଟା ମାତାଲ । ତାକୁ ବାଟ କଢ଼ାଇ ଆଣୁଚି ସୁଟ୍‌କା । ଲୋକଟା ପିନ୍ଧିଚି ଧଳା ହାଫ୍ ପ୍ୟାଣ୍ଟ, ଧଳା ହାଫ୍ ସାର୍ଟ, ମୁଣ୍ଡରେ ଧଳା ଟୋପି, ଧଳା ଜୋତା ।

 

ସୁଟ୍‌କା ଫିସ୍‍ଫିସ୍ କରି କହିଲା... “ଜାହାଜୀ ସାହେବ ।”

 

ସେମାନେ ଚାଲିଗଲେ ଶୋଭାର ସେଇ ମାସୀମା ଘରଆଡ଼େ । ମୋ ଦେହରେ କିଏ ଯେପରି ବିଷ ଲେପି ଦେଇଗଲା । ଇଚ୍ଛା ହେଉଥିଲା ସୁଟ୍‌କାକୁ ଖୁନ୍ କରିବାପାଇଁ ।

 

କିଛି କ୍ଷଣ ପରେ, ସେଇ ଜାହାଜୀ ସାହେବ ସାଙ୍ଗରେ, ଶୋଭା ଓହ୍ଲାଇଗଲା କାଠ ଶିଡ଼ିରେ । ଶୋଭାର ଅଣ୍ଟା ଚାରିପଟେ ସେ ବେଢ଼ାଇଥିଲା ହାତ । ଓହ୍ଲାଇବାବେଳେ ଶୋଭା ଥରେ ଚାହିଁଲା ମୋଆଡ଼େ । କଜ୍ଜଳ ଅଙ୍କା, ଦୁଇଟା ଆଖିରେ, ନୀରବ, ଅସହାୟ କୈଫିୟତ୍...ମୋତେ ଭୁଲ୍‍ ବୁଝିବ ନାଇଁ । ଏଇ ତ ଆମର ଜୀବନ !

 

ଶିଡ଼ିରେ ଧାପେ ତଳକୁ ଓହ୍ଲାଇ ମୁଁ ପାଗଳ ପରି ଚିତ୍କାର କରିଉଠିଲି ...‘‘ତମେ ଯାଇପାରିବ ନାହିଁ ଶୋଭା ! ମୁଁ ଛାଡ଼ିବି ନାହିଁ ତମକୁ !”

 

ଶୋଭା ମୋଆଡ଼କୁ ମୁହଁ ଫେରାଇ ଅନୁଯୋଗ ଭରା କଣ୍ଠରେ କହିଲା... “ଆଜି ମୁଁ ପ୍ରଥମେ ନୂଆ କରି ଯାଉଚି । ପଛରୁ ଡାକନା ମୋତେ !”

 

ମୋ ପାଦତଳୁ ବିଶ୍ଵାସର ପୃଥିବୀ ଯେପରି ତଳକୁ ଧସିପଡ଼ିଲା । ଏଇ ବିଷାକ୍ତ ପରିବେଶରେ ଏକମାତ୍ର ଶୋଭା ଥିଲା ମୋର ଆଶ୍ରୟ ଓ ଅବଲମ୍ବନ ! କିନ୍ତୁ ଗୋଟାଏ ଅଶ୍ଳୀଳ ଭୂମିକମ୍ପରେ ସେ ଭିତ୍ତିଭୂମିଟା ଯେପରି ହଠାତ୍ ଦୋହଲିପଡ଼ିଲା ।

 

କାନ୍ତ ମାମୁଁ ଫେରିନାହାନ୍ତି ।

 

ଶୋଭା ଫେରିବ କି ନାହିଁ କିଏ ଜାଣେ ?

 

ତଳ ବସ୍ତି ରାସ୍ତା କ୍ରମେ ନୀରବ ନିର୍ଜନ ହୋଇପଡ଼ିଲାଣି । ମୁଁ ତଥାପି ଠିଆହୋଇଛି ସେଇ ଝରକା ପାଖରେ ହୋଟେଲର ଆଲୋକିତ ଝରକାଗୁଡ଼ା ଆଡ଼େ ଚାହିଁ । ଗଙ୍ଗା ଜେଟୀରୁ ଗୋଟାଏ ଷ୍ଟୀମର୍‌ର ସାଇରେନ୍ ବାଜିଉଠିଲା, ନୀରବ ରାତିରେ ଛାତିରେ ଛୁରି ଭୁଷିଲା ପରି ! ମୁଁ ପାଗଳ ପରି, ମୋର ସେଇ ଟିଣ ସୁଟ୍‌କେସ୍‌ଟା ଧରି, ଶିଡ଼ିରେ ଓହ୍ଲାଇଗଲି ! ...ନାଁ, ଏଠି ଆଉ ଦଣ୍ଡେ ସୁଦ୍ଧା ନୁହେଁ !

 

ମୁଁ ଚାଲିଲି ଷ୍ଟେସନ ଆଡ଼େ ।

 

ଗଳି ମୁଣ୍ଡରେ ଫୁଟ୍‌ପାଥ୍ ଉପରେ ଚିତ୍ ହୋଇ ଶୋଇଥିଲା ନୁଟ୍‌ନା । ଚାହିଁଥିଲା ବୋଧହୁଏ, କୌଣସି ଶିକାରକୁ ଅପେକ୍ଷା କରି । ମୋତେ ପଛରୁ ଡାକିଲା... “ଦାଦା ବାବୁ, ଏତେ ରାତିରେ ଚାଲିଚ କୁଆଡ଼େ ?”

 

ମୁଁ ଅଟକିଯାଇ କହିଲି, “କାନ୍ତ ମାମୁଁଙ୍କୁ କହିଦେବୁ, ମୁଁ ଗାଁକୁ ଫେରିଯାଇଛି !”

 

ଦୁଇ ବ୍ୟଗ୍ର ବାହୁ ମେଲି ଗାଁର ଆକର୍ଷଣ ମୋତେ ଯେପରି ଆଗକୁ ଆଗକୁ ଟାଣିନେଉଥିଲା, ସେଇ ଅଚିହ୍ନା ବାଟରେ ।

 

ନୁଟ୍‌ନା ମୋ ପଛେପଛେ ଦଉଡ଼ିଆସି କହିଲା... “ରୁହ, ରୁହ ।” ତାପରେ ନାହିମୁଣ୍ଡାରୁ ଗୋଟାଏ ମନିପର୍ସ କାଢ଼ି ସେଥିରୁ ଖଣ୍ଡେ ଦଶଟଙ୍କିଆ ନୋଟ୍ ମୋ ହାତରେ ଗୁଞ୍ଜିଦେଇ କହିଲା... “ରଖିଥା ପକେଟରେ । ଦରକାରରେ ଆସିବ ।”

 

ପ୍ରକୃତରେ ମୋପାଖରେ ଟିକେଟ୍ ପାଇଁ ଟଙ୍କାନଥିଲା । ରାସ୍ତାକଡ଼ରେ, ଗ୍ୟାସ ଆଲୁଅରେ ନୁଟ୍‌ନାର ହସ ହସ ପରିତୃପ୍ତ ମୁହଁରେ ଦୁଇପାଟି ଦାନ୍ତ ଚିକ୍‍ଚିକ୍ କରୁଥିଲା ।

 

ତିନି

 

ଆଜି ବୋଧହୁଏ ଗୁରୁବାର ବା ସେଇପରି କିଛି...ଜଇମା ମା’ ସକାଳୁ ଦାଣ୍ଡପିଣ୍ଡା, ଘର, ଗୋବରରେ ଲିପି ପୋଛି ଯାଇଚି । ଗୋବରଲିପା ମାଟିପିଣ୍ଡା ଆଉ ମଧୁମାଳତୀର ବାସନା...ମୋର ଅପାପବିଦ୍ଧ ଶୈଶବର ଗନ୍ଧ । ପାହାଚ ଉପରେ ଠିଆହୋଇ ମୁଁ ମନଭରି ଆଘ୍ରାଣ କଲି...ଆଃ ! କଲିକତାରେ ସେଦିନ କେତେଟା ପରେ !

 

କଲିକତାରୁ ଏକବସ୍ତ୍ର ହୋଇ ଫେରିଥିଲି ମୁଁ । ହାତରେ ସେଇ ଟିଣ ସୁଟ୍‌କେସ୍ । କାନ୍ତ ମାମୁଁ, ମୋ ପାଇଁ କଲିକତାରେ ସିଲେଇ କରାଇ ଦେଇଥିଲେ ଯୋଉ ପାଇଜାମା ଆଉ ଛିଟ ବୁସ୍‌ ସାର୍ଟ, ତାକୁ ଫିଙ୍ଗିଦେଇ ଆସିଥିଲି ସେଇଠି । ସେଥିରେ ଯେପରି ସେଇ ଅନ୍ଧଗଳିର ସ୍ପର୍ଶ ! ସେଦିନ କେତେଟାର ବିଷାକ୍ତ ସଂକ୍ରମଣରୁ ମୁଁ ଚାହୁଁଥିଲି ତ୍ରାହି ପାଇବାପାଇଁ । ଶୋଭା...ମୋ ଜୀବନରେ ପ୍ରଥମ ପ୍ରବଞ୍ଚନା ! ତଥାପି ତା’ର ଗରମ ନିଶ୍ଵାସ ଏବେବି ଲାଗି ରହିଛି ଯେପରି ମୋ ଗାଲରେ । ସେଇ ବିଷାକ୍ତ, ସଂକ୍ରମିତ ଦେହରେ ମୁଁ ଚାହୁଁନଥିଲି, ଏଇ ପଲ୍ଲୀକୁଟୀରର ସ୍ନିଗ୍‌ଧ, ଶାନ୍ତ, ଶୁଚି ବିନଷ୍ଟ କରିବାପାଇଁ ।

 

“ଇଏ କିଏ ମନୁଆଁନା ?” –ବୋଉ ଗାଧୋଇସାରି, ଓଦାଲୁଗାରେ ଆସୁଥିଲା, ଦାଣ୍ଡ ତୁଳସୀ ଚଉରାରେ ପାଣି ଇଡ଼ିବା ପାଇଁ ।

 

ବୋଉ ମୋତେ ଦେଖି ଯୋଉ ଆର୍ତ୍ତନାଦ ଆରମ୍ଭ କଲା, ପଡ଼ା ପଡ଼ୋଶୀ ଆସି ନ ଜୁଟିଲେ ରକ୍ଷା ! “ଆରେ ମନୁଆଁ, ଏ ଦିନ କେଇଟାରେ ତୋ ଚେହେରା କ’ଣ ହେଇଚି ? ହନୁ ହାଡ଼ ବାହାରିପଡ଼ିଲାଣି । ଆଖିତଳେ କଳାଗାର । ପୋଷେ ଚାଉଳ ପଶିଯିବ ! ଇଏ କ’ଣ ହେଇଚିରେ ! ତତେ ମୁଁ କାହିଁକି କଲିକତା ଛାଡ଼ିଲିତି ?”

 

“ରାତିସାରା ରେଳରେ ବସି ଆସିଚି ତ । ଶୋଇନାହିଁ । ହବ ଆଉ କ’ଣ ?” –ଦାଣ୍ଡରେ ଆଉ ଠିଆହୋଇ ରହିବା ନିରାପଦ ନୁହେଁ ଭାବି ମୁଁ ଘରଭିତରକୁ ଚାଲିଆସିଲି ।

 

ଭିତର ଅଗଣାକୁ ଆସି ଭାଗବତ ଘର ପିଣ୍ଡାରେ ବସିପଡ଼ିଲି–ଅଜା ଆମ ଘରକୁ ଆସିଲେ, ଘରେ ପାଦଦେଲା ପରେ, ଯୋଉଠି ପ୍ରଥମେ ବସନ୍ତି ।

 

ସଜନା ଗଛ ଡାଳରେ ଆଜିବି ହଳଦୀବସନ୍ତଟାଏ କୁଆଡ଼ୁ ଉଡ଼ିଆସି, ଲାଞ୍ଜ ନଚାଇ ‘ପିଉ’ ‘ପିଉ’ ଡାକିଉଠିଲା । କଲିକତାରେ ସେଇ ଗଳିର କୁତ୍ସିତ ଅନ୍ଧକୂପ ଭିତରୁ ତ୍ରାହି ପାଇ ଆକଣ୍ଠ ପାନ କରୁଥିଲି ଯେପରି ଏଇ ଶୁଚିତ୍ସ୍ନାତ ପ୍ରଭାତ ! ନୁଟ୍‌ନାର ସେଇ ଦି’ ପାଟି ଚିକ୍ ଚିକ୍ ଦାନ୍ତ ମୋ ଆଖିଆଗରେ ହଠାତ୍ ଭାସିଉଠିଲା । ବିଚରା ନୁଟ୍‌ନା । ଭଦ୍ରସମାଜ ଦୃଷ୍ଟିରେ ନରକପୁରୀର ଜୀବ...ଅଥଚ କାହାର ପକେଟମରା ଟଙ୍କା ଦଶଟା ମୋତେ ରାତି ଅଧରେ ଧରାଇଦେଲା ତ ! ତା’ ନହେଲେ କଲିକତାରୁ ଫେରିଥାନ୍ତି କିପରି ? ଟି. ଟି. ଆଇ. ମୋତେ ଧକ୍‌କା ମାରି, କୋଉ ଅପନ୍ତରା ଷ୍ଟେସନରେ ଓହ୍ଲାଇ ଦେଇଥାନ୍ତା କେଜାଣି ? ନୁଟ୍‌ନାମାନଙ୍କର କୌଳିନ୍ୟ ନାହିଁ; କିନ୍ତୁ ଅଛି ହୃଦୟ !

 

“ନୁଟ୍‌ନା ତୋର ଗାଁ କଥା କେବେ ମନେପଡ଼େନାହିଁ ?”–ଥରେ ଆମେ ଦୁହେଁ ସେଇ ଗଳିମୋଡ଼ର ଗୋଟାଏ ରେଷ୍ଟୁରାଁରେ ବସି ନୁଟ୍‌ନାର ପକେଟମରା ପଇସାରେ ଖାଉଥିଲୁ ରୁଟି ଆଉ ଆମ୍‌ଲେଟ୍ ! ନୁଟ୍‌ନା କଳେ ରୁଟି ଚୋବାଇ ଚୋବାଇ କହିଲା...”ମୋର ଦେଶ ହେଲା ତ ଏଇ ଗଳିରେ, କ୍ଷେଁତୁ–ମାସୀର ପିଣ୍ଡା । ମୋର ଜନ୍ମହୋଇଥିଲା କୋଉ ରାସ୍ତାକଡ଼ରେ । ମତେ କୁଆଡ଼େ ଫିଙ୍ଗି ଯାଇଥିଲା ମୋ ମା’ ! କ୍ଷେଁତୁ ମାସୀ ମତେ ସେଠୁ ଗୋଟାଇ ଆଣି ବଢ଼ାଇଲା ସିନା-!” ଅଥଚ କ୍ଷେଁତୁ ମାସୀ ଘରେ ଯେତେ ସବୁ ଗୁଣ୍ଡା, ଜୁଆଡ଼ୀ ମଦତୀଙ୍କ ଆଡ଼୍‌ଡ଼ା-! ...ଏବେବି ଗାଲରେ ବାଜୁଚି ଶୋଭାର ଗରମ ନିଃଶ୍ୱାସ । କଲିକତାରେ, ଝରକାବାଟେ ସେଇ ପାଞ୍ଚ ମହଲା କୋଠା ଚାହିଁ ଦେଖିବାବେଳେ, ଏବେବି ଅନୁଭବ କରିପାରୁଛି, ମୋର ହାତ ପାପୁଲି ଉପରେ ଶୋଭାର ନରମ ହାତର ସ୍ପର୍ଶ ! ବହିମାନଙ୍କରେ ଏଇ ଅନୁଭୂତିକୁ କ’ଣ ଲେଖାଯାଇଛି, ପ୍ରେମ-? ଭଲପାଇବା ? ମୋର ଆଖିଆଗରେ ଭାସିଉଠିଲା, ଶୋଭା ଅଣ୍ଟା ଚାରିପଟେ ହାତ ବେଢ଼େଇ ଶିଡ଼ିରେ ତଳକୁ ଓହ୍ଲାଇଯାଉଛି, ସେଇ ଜାହାଜୀ ସାହେବ । କଳା ଲାଞ୍ଜିଟଣା ଶୋଭାର ଦୁଇଟା ଢଳ ଢଳ ଆଖିରେ ଅନୁନୟ... “ଇଏ ମୋର ପ୍ରଥମ ରାତି ! ମୋତେ ପଛରୁ ଡାକ ନାହିଁ-।” ଭଲଲାଗୁଥିଲା, ସେଇ ସ୍ମୃତିର ରୋମନ୍ଥନ ! ଅଥଚ ମୁଁ ଚାହୁଁଥିଲି, ସେଥିରୁ ପରିତ୍ରାଣ ପାଇଁ-। ଏ ମନ ଅଦ୍ଭୁତ ।

 

ବେଳେବେଳେ ବୋଉର ସ୍ନେହଟା ହୋଇଉଠେ ରୀତିମତ ଗୋଟାଏ ଅତ୍ୟାଚାର । ତୁଳସୀ ଚଉରାରେ ସେ ପାଣି ଦେଇସାରି କେତେବେଳେ ଆସି ମୋ ପଛରେ ଠିଆହୋଇଛି ଜାଣେନା !” ଆରେ ତୁ ବସିଲୁ କ’ଣ ବା ? ଯା ଗାଧୋଇପଡ଼ି ଆ !”

 

“ଯିବି ଯିବି ବୋଉ, ଟିକିଏ ଦମ୍ ମାରିବାକୁ ଦେ !”

 

“କଲିକତାରେ ତୋର ଦିହପା ଖରାପ ହୋଇଥିଲା କିରେ ? ଏମିତି କଣ୍ଟା ପରି ହେଇଚୁ-!”

 

ଏଇ ଚାଲିଲା ଜବାବ୍ ସୁଆଲ୍ ! ମତେ ଦଣ୍ଡେ ଚୁପ୍‌ଚାପ୍ ଛାଡ଼ିଦେଲେ ହୁଅନ୍ତା ନାହିଁ ?

 

ବାପା ଆଜି ଓଭରସିଅର୍ ବାବୁଙ୍କ ବଜାର ସଉଦା ବୁଝିବାପାଇଁ ଯାଇନାହାନ୍ତି କି ? ନାଁ ମାଟିକାମ ଆଜି ବନ୍ଦ ? ...ବାପା ଭିତରକୁ ପଶିଆସି ହେଣ୍ଟାଳ ଛାଡ଼ିଲେ–“ଗୁଣମଣି କଲିକତାରୁ ଫେରିଆସିଲେଣି କି ? ବେଶ୍ ତ କଲ୍‌କତୀ ବାବୁ ହୋଇ ଫେରିଚନ୍ତି !” ଅଥଚ ବୋଉ ଆର୍ତ୍ତନାଦ କରୁଥିଲା ଯେ–ହନୁ ହାଡ଼ ବାହାରିପଡ଼ିଚି ! ଆଖି କୋରଡ଼ ପରି ପଶିଯାଇଛି ! ନିଜ ଚେହେରା ଅଇନାରେ ଦେଖିପାରୁନଥିଲେ ସୁଦ୍ଧା, ମୋର ଚେହେରା କିନ୍ତୁ ବୋଉ ଆଖିରେ ଠିକ୍ ଧରାପଡ଼ିଥିଲା-। ବାପାଙ୍କର ହଠାତ୍‌ ଗୁଣମଣି ସମ୍ବୋଧନ କାହିଁକି ? ମୁଁ ଜାଣେ, ବାପା ମୋ ଉପରେ ଘୋର ବିରକ୍ତ ହେଲେ, ଗୁଣମଣି ବୋଲି ଡାକିଥାନ୍ତି ! ତାଙ୍କ ଆଖିରେ ବିରକ୍ତି ଓ କ୍ରୋଧ ବେଶ୍ ଧରାପଡ଼ି ଯାଉଥିଲା ।

 

–“ହଇରେ, ରାଧୁ ଗୁଡ଼ିଆ ପୁଅ ଫାଷ୍ଟ୍ ଡିଭିଜନରେ ପାଶ୍ କଲା ! ଆଉ ତୋର ସେକେଣ୍ଡ ଡିଭିଜନ ?” ପରୀକ୍ଷା ଫଳ ବାହାରିଲାଣି ତାହେଲେ ?

 

ମୋର ଉତ୍ତର ଦେବାପାଇଁ ଇଚ୍ଛା ହେଉଥିଲା–“ମୋର ତ ହେଲେ ସେକେଣ୍ଡ ଡିଭିଜନ୍‌, କିନ୍ତୁ ତମେ କ୍ଲାସ ନାଇନ୍‌ ଡେଇଁପାରିଲ ନାହିଁ ଯେ !” କିନ୍ତୁ ଭରସି ପାରିଲି ନାହିଁ । ଫେଲ୍‌ ହୋଇଥିଲେ ମୁଁ ଦୁଃଖିତ ହୋଇନଥାନ୍ତି ।

 

ବାପା କହିଲେ–“ସିଏ ବୃତ୍ତି ପାଇବ । କଲେଜରେ ପଢ଼ିବ । ତମକୁ ପଚାରିବ କିଏ ?”

 

ମୋର ଧୈର୍ଯ୍ୟର ସୀମା ଭାଙ୍ଗିଗଲା । ମୁଁ ଉତ୍ତର ଦେଲି, “ରାଜନ୍‌ ପରି ମୁଁ ବି କପି ଉତାରିଥିଲେ ଫାଷ୍ଟ ଡିଭିଜନରେ ପାଶ୍ କରିପାରିଥାନ୍ତି ।”

 

ପରୀକ୍ଷା ହଲ୍‌ରେ ରାଜନ୍‌ ସେଦିନ ଯୋଉଁ କାଣ୍ଡ କରି ବସିଲା; ଦେଢ଼ ଚାଖଣ୍ଡ ଲମ୍ବର ଗୋଟାଏ ଛୁରି ଡେସ୍‌କ ଉପରେ ଭୁସାଇଦେଇ ସେ ନରି ପଣ୍ଡିତଙ୍କୁ ଶୁଣାଇ ଶୁଣାଇ କହିଲା... “ଆସୁ କୋଉ ମୋ ପୁଅର ମାମୁଁ, କପି ଧରିବ ।” ବାଁ ଜଙ୍ଘରେ ସେ କୃଷ୍ଠୀଙ୍କ ପରି ଗୁଡ଼ାଇ ନେଇଥିଲା କପି ।

 

ନରି ପଣ୍ଡିତ ପରୀକ୍ଷା ହଲ୍‌ରେ ଏ ଛୁରି ବ୍ୟାପାରଟା ହଠାତ୍‌ ବୁଝିପାରିଲେ ନାହିଁ । କହିଲେ “ଏ ଛୁରି କଣରେ ରାଜନ୍‌ ?”

 

ରାଜନ୍‌ ପକେଟ୍‌ରୁ ବିଡ଼ାଏ କପି କାଢ଼ି, ନିର୍ବିକାର ଭାବରେ ଉତ୍ତରଦେଲା... “ପେନ୍‌ସିଲ୍‌ କାଟିବି ।”

 

ଏଇ ରାଜନ୍‌ ତାଙ୍କର ପୁତ୍ର । ସିଏ ତା’ର ଗୁରୁ । ଧପ୍‌ପାବାଜିର ଏ ଦେଶରେ ଗୁରୁ–ଦିବସ ପାଳନ କରା ନଯାଏ କି ଆଡ଼ମ୍ବରରେ ! ନରି ପଣ୍ଡିତ ଅବସ୍ଥା ବୁଝିଲେ । କଥାଟା ପ୍ରାଞ୍ଜଳ ହୋଇଗଲା । ସେ କହିଲେ, “ହଉ ପେନ୍‌ସିଲ୍‌ କାଟ, ଭଲ କରି କାଟ ବାବା । ମୁଁ ସେଆଡ଼କୁ ଚାହୁଁନାହିଁ । ହେଲେ ଏଥିରେ ତ ଗୋଟାଏ ଛେଳି କାଟି ହୋଇଯିବରେ ।”

 

ନରି ପଣ୍ଡିତ ହଲ୍‌ ବାହାରକୁ ଯାଇଁ ଗୋଟାଏ ଟୁଲ୍‌ ଉପରେ ବସିଲେ ।

 

“କପି ନବୁକିରେ ?” ରାଜନ୍ ପଚାରିଲା । ମୋ ସିଟ୍ ପଡ଼ିଥିଲା, ଠିକ୍ ତା’ ପଛକୁ । ମୁଁ ଘୃଣାରେ ଉତ୍ତର ଦେଲି–“ନାହିଁ ।” ନରି ପଣ୍ଡିତ ପିତୃତୁଲ୍ୟ, ସହଜେ ଗୁରୁ । ତାଙ୍କ ପ୍ରତି ଅପମାନରେ ମୁଁ ମନେମନେ ଦୁଃଖିତ ହେଲି ।

 

ବାପା ପଚାରିଲେ... “ତୁ ରାଜନ୍‌ ପରି କପି କଲୁ ନାହିଁ ?”

 

ନିର୍ଭୀକ କଣ୍ଠରେ ଉତ୍ତର ଦେଲି... “ମୁଁ ଯାଇଥିଲି ବିଦ୍ୟାର ପରୀକ୍ଷା ଦବାପାଇଁ । ଗୁଣ୍ଡାମିର ନୁହେଁ !”

 

“ହଃ ! ବିଦ୍ୟା ! ଆମର ଦରକାର ସାର୍ଟିଫିକେଟ୍ ! ବିଦ୍ୟାକୁ ନେଇ ସେ ମୂର୍ଖମାନେ ଯେତେ ନାଚିବେ ନାଚନ୍ତୁ ।”

 

ବିଦ୍ୟା ତାହାଲେ ବାପାଙ୍କ ଦୃଷ୍ଟିରେ ମୂର୍ଖତା । ସାର୍ଟଫିକେଟ୍‌ଟାଇ ବଡ଼କଥା । ଅଜାଙ୍କ କଥା ମନେପଡ଼ିଲା । ବୋଉ ଦିନେଦିନେ ଅଜାଙ୍କ ଆଗରେ ଫିରଆଦ କରେ...ମନୁଆଁଟା ଦୁଷ୍ଟ ହଉଚି । ପାଠରେ ମନ ଦଉନାହିଁ । ଅଜା କୌଣସି ଉତ୍ତର ଦିଅନ୍ତି ନାହିଁ । କିନ୍ତୁ ତାଙ୍କ ଓଠରେ ଫୁଟିଉଠେ ସେଇ ରହସ୍ୟମୟ ହସ । ଥରେଥରେ ସେ କହନ୍ତି.. “ଇସ୍କୁଲ ପାଠ ବଡ଼ କଥା ନୁହେଁ ।” ବଡ଼ କଥା ଜ୍ଞାନ–ଯାହା ମଣିଷକୁ ମଣିଷ କରେ ।

 

କିନ୍ତୁ ବାପାଙ୍କର ଦରକାର ସାର୍ଟିଫିକେଟ୍ !

 

ମୋ ମୁଣ୍ଡଟା ପୁଣି ଗୋଳମାଳ ହୋଇଗଲା । ମୋର ପରିଚିତ ପୃଥିବୀ ପାଦତଳେ ଖଣ୍ଡଖଣ୍ଡ ହୋଇ ଭୁଶୁଡ଼ିପଡ଼ୁଚି ଯେ !

 

ବାପା କହିଲେ... “ଯାଏଁ, ଓଭରସିଅର୍ ବାବୁଙ୍କ ଘରଆଡ଼ୁ ବୁଲିଆସେ । ମନୁଆଁ ଫାଷ୍ଟ ଡିଭିଜନ୍‌ରେ ପାସ୍ କରିଥିଲେ ଓଭରସିଅର୍ ସ୍କୁଲରେ ନାଁ ଲେଖାଇ ଦେଇଥାନ୍ତି ।”

 

ବାପା ଚାଲିଯିବା ପରେ ମୁଁ ସ୍ୱସ୍ତିରେ ଗୋଟାଏ ନିଃଶ୍ୱାସ ମାରିଲି । ହେଲେ ବୋଉର ଜ୍ୱାଳାର ସ୍ୱସ୍ତି କାହିଁ ? ବୋଉ ସେମିତି ଓଦାଲୁଗାରେ ପାଟି କରିଉଠିଲା....“କିରେ ଆଉ ବସିଲୁ କାଇଁକି ? ଯା ଗାଧୋଇପଡ଼ । ଚେହେରା ତ ଯାହା ହୋଇଚି !”

 

ହଁ, ପ୍ରଥମେ ଗାଧୋଇବା ଦରକାର । ମୋର ପ୍ରତି ଲୋମକୂପରେ କଲିକତାର ଯେତେସବୁ ବିଷାକ୍ତ ଧୂଳିକଣା ଜମିଛି, ସେ ସବୁ ଧୋଇପୋଛି ପରିଷ୍କାର ନକଲେ, ଏ ପରିବେଶ ସହିତ ମୁଁ ଯେପରି ଖାପ୍ ଖାଇପାରିବି ନାହିଁ ।

 

ଟିଣ ସୁଟ୍‌କେସ୍‌ରୁ ଖଣ୍ଡେ ସନ୍‌ଲାଇଟ୍ ସାବୁନ୍ ଆଉ ଗାମୁଛା କାଢ଼ି ମୁଁ ବାହାରିଗଲି ବାଡ଼ି ପୋଖରୀକୁ । ପାଗଳ ପରି ଗାମୁଛା ବଦଳି, ମୁଁ ପୋଖରୀ ପାହାଚରେ ଲୁଗା ଗେଞ୍ଜି ଆଉ ହାଫସାର୍ଟକୁ ସାବୁନ୍‌ରେ ଘଷିଘାଷି ବାଡ଼େଇଲି ଧୋବାମାନଙ୍କ ପରି । ଏଇ ଲୁଗା ଆଉ କାମିଜ୍‌ର ତନ୍ତୁରେ ତନ୍ତୁରେ ଯେପରି ମିଶି ରହିଛି ମୋହଭଙ୍ଗର ବିଷ ! ସାରା ପୋଖରୀଟାର ପାଣି କେଜାଣି ଶୁଖିଯିବ ସେ ବିଷ ଧୋଇବାରେ !

 

ଲୁଗାପଟା କାଚିସାରି ମୁଁ ପୋଖରୀ ଭିତରକୁ ମାରିଲି ଗୋଟାଏ କୁଦା ! ଏ ପାଖରୁ ସେପାଖ କେତେଥର ଯେ ପହଁରିଲି, କେତେଥର ବୁଡ଼ା ମାରିଲି, ଉଠିଲି, କେତେବେଳ ଯାଏଁ ଯେ ମଇଁଷୀ ପରି ପଡ଼ିଲି ତା’ର ପତ୍ତା ରଖିନାହିଁ ! ଯେତେ ବୁଡ଼ିଲେ ବି ମୋ ଗାଲଉପରୁ ଶୋଭାର ଉତ୍ତପ୍ତ ନିଃଶ୍ଵାସ, ମୋର ହାତ ପାପୁଲି ଉପରୁ ତା’ର ନରମ ହାତର ସ୍ପର୍ଶ ତଥାପି ପୂରାପୂରି ଛାଡ଼ିନାହିଁ !

 

ବୋଉ ମୋର ଡେରି ହେଉଥିବାରୁ, କେତେବେଳେ ଆସି ପୋଖରୀ ହୁଡ଼ା ଉପରେ ଠିଆହୋଇ ଚିତ୍କାର କରୁଥିଲା... “ମନୁଆରେ !”

 

ବୋଉର ଆଶଙ୍କା–ମୁଁ ବୋଧହୁଏ ପୋଖରୀ ଭିତରେ ବୁଡ଼ି ମଲିଣି । ଦୁଇ ତିନିଟା କ୍ଷେପାରେ ମୁଁ ତୁଠକୁ ଉଠିଆସିଲି ।

 

“ତୁ ପାଗଳ ହୋଇଗଲୁ କିରେ ମନୁଆଁ ?”

 

“କ’ଣ ହେଲା ?” –ମୁଣ୍ଡ ବାଳରୁ ପାଣି ଝାଡ଼ି ମୁଁ ପଚାରିଲି ।

 

“ଏମିତି କ’ଣ ମଣିଷ ଗାଧାନ୍ତି ?”

 

“ଦେହରେ ଯେତେ ଧୂଳି ଜମିଛି ନା ବୋଉ, ଦିନସାରା ଗାଧୋଇଲେ ଛାଡ଼ିବ ନାହିଁ ।” ତା’ପରେ ଗାମୁଛା ବଦଳି, କଛା ମାରି ଅଜା ଯେପରି ସୂର୍ଯ୍ୟଙ୍କୁ ପାଣି ଆଞ୍ଜୁଳା ଇଡ଼ନ୍ତି, ମୁଁ ଠିକ୍ ସେଇପରି ପାଣି ଆଞ୍ଜୁଳା ଇଡ଼ିଲି । ଅଜାଙ୍କୁ ଥଟ୍ଟା କରୁଥିଲି–“ଅଜା, ସୂର୍ଯ୍ୟଙ୍କୁ ଶୋଷ କରୁଛି କି ?” ହଁ, ପ୍ରକୃତରେ ସୂର୍ଯ୍ୟ ଆଜି ତୃଷାର୍ତ୍ତ ! କିନ୍ତୁ ସେ କ’ଣ ଶୋଷି ନେଇପାରିବେ ମୋର ମୋହଭଙ୍ଗର କାଳିମା ?

 

ଗାଧୋଇସାରି ଅଇନା ଆଗରେ ଠିଆହୋଇ ମୁଣ୍ଡରେ ଚିରୁଣୀ ଚଳାଇବା ବେକେ ପ୍ରକୃତରେ ନିଜ ଚେହେରା ଦେଖି ମୁଁ ଚମକିଉଠିଲି । ଆଖିଦୁଇଟା ପାଣିରେ ବୁଡ଼ିବୁଡ଼ି କୁମ୍ଭାଟୁଆ ଆଖିପରି ଲାଲ । ବାଳଗୁଡ଼ା ଲମ୍ବି ସାପ ପରି ମୁହଁଉପରେ ଝୁଲୁଛି । ଆଖିଦୁଇଟା ପ୍ରକୃତରେ କୋରଡ଼ ପରି ପଶିଯାଇଛି । ସେଥିରେ ପୋଷେ ପୋଷେ ଚାଉଳ ଧରିବ । ଗାଲରେ ଗୋଟାଏ ଜାଗା ସିଝିଯାଇଛି ପରା ! ଏବେବି ସେଠି ଅନୁଭବ କରିପାରୁଛି, ଶୋଭାର ଉତ୍ତପ୍ତ ନିଃଶ୍ୱାସ ।

 

ପଖାଳ କଂସାରେ ହାତ ପୂରାଇବାବେଳେ ମୋ ଆଖିଆଗରେ ଭାସିଉଠୁଥିଲା, ଶୋଭାର ସେଇ ମାସୀମା–ଫଟା କଂସା ପରି ଗଳାର ଝଙ୍କାର । ବେଶ୍ ଆଦରରେ ଖୁଆଏ । “ଆଉ ଦି’ଟା ଭାତ ଦିଏ, ସୁକ୍ତ ଟିକିଏ । ଶୋଭା, ମାଛ ଝାକ୍ ଟିକିଏ ଦେ’ତ !”–ଶୋଭା ମୋ ହୃଦୟରେ ଯେପରି ଗୋଟାଏ ଦୁରାରୋଗ୍ୟ କ୍ଷତ ! ତାକୁ ଏଡ଼ାଇବା ପାଇଁ ଯେତେ ଚେଷ୍ଟା କଲେ ସୁଦ୍ଧା, ସ୍ମୃତିର ସ୍ପର୍ଶଟା ବାରମ୍ବାର ଫେରିଆସୁନି ସେଇ ସ୍ପର୍ଶକାତର ସ୍ଥାନକୁ !

 

ବାଡ଼ି ଦୁଆରବାଟେ ଅଗଣା ଭିତରକୁ ଡେଇଁ ଡେଇଁ ପଶିଆସିଲା, ଆମ ସାଇର କେତକୀ ! –“ମନୁଭାଇ ଆଜି କଲିକତାରୁ ଫେରିଲ କି ?” ପଖାଳ କଂସା ଉପରେ ମୁଁ ମୁଣ୍ଡ ନୁଆଇଁ ନେଲି !

 

ମୋର କଲିକତାରୁ ଫେରିବା ନ ଫେରିବାରେ କେତୀର ପ୍ରୟୋଜନ କ’ଣ ? ନବମରୁ ଆଉ ସ୍କୁଲକୁ ଯାଉନାହିଁ । ଫ୍ରକ୍ ତଳେ ପର ବଳିଲା ବଳିଲା ପାଦଭଣ୍ଡା ଦୁଇଟା ଦିନେ ଥିଲା ମୋ ପକ୍ଷରେ ଭାରୀ ଲୋଭନୀୟ । ଦିନେଦିନେ ସ୍କୁଲରୁ ଫେରିବାବେଳେ, ସାଇକଲ୍‌ ଖରାପ ହୋଇଥିବାର ଛଳନା କରି, କେତକୀ ପଛେପଛେ ମୁଁ ସାଇକଲ୍‌ ଗଡ଼ାଇ ଆସେ କେବଳ ତା’ର ପାଦ ଭଣ୍ଡା ଦୁଇଟା ଦେଖି, ସ୍ଵପ୍ନର ଜାଲ ବୁଣିବା ପାଇଁ ! କେତକୀ କ୍ରମେ ଫ୍ରକ୍ ଛାଡ଼ି ଶାଢ଼ି ପିନ୍ଧିଲା-। କ୍ଲାସ ପିଲାମାନଙ୍କ ଭିତରେ ଅନେକ ଟୁପୁର୍ ଟାପର୍–କେତକୀ ବଡ଼ ହେଲାଣି । ଝିଅ ‘ବଡ଼’ ହେବାର ଅର୍ଥ ଅନେକଦିନ ପରେ ମୋତେ ବୁଝାଇଦେଲା ରଞ୍ଜନ ! ରଞ୍ଜନ କବିତା ଲେଖେ ତ-! ଦିନେ ରଞ୍ଜନ ମୋତେ କହିଲା... “ଅନେକ କଣ୍ଟା କେତକୀ ଫୁଲରେ । ଭ୍ରମର ସେଥିପାଇଁ ସହଜରେ ବସିପାରେ ନାହିଁ !” ରାଜନ ଚୁପ୍‍ଚାପ୍ ବସି ସିଗାରେଟ ଟାଣୁଥିଲା । କଳେ ଧୂଆଁ ଛାଡ଼ି ସେ କହିଲା... “ଯାଃ ବେ ! ରାଧୁ ସାର୍ ସାଙ୍ଗରେ ଲଟରପଟର୍ । କହୁଚି ଅନେକ କଣ୍ଟା ।” –କ୍ରମେ ସ୍କୁଲରେ ଚାଞ୍ଚଲ୍ୟ ସୃଷ୍ଟି କଲା, ଦିନେ ବ୍ଲାକ୍‌ବୋର୍ଡ଼ରେ “ରାଧୁ ସାର୍ + କେତକୀ” ସମ୍ବାଦ–ପୁଣି ଖୋଦ୍ ହେଡ୍‌ ମାଷ୍ଟରଙ୍କ ଇଂରାଜୀ କ୍ଲାସରେ ! ତା’ପରେ କାନ୍ଥରେ ବାଡ଼ରେ ସବୁଠି ସେଇ ଚିତ୍କାର–“ରାଧୁ ସାର୍ + କେତକୀ !” ରାଧୁ ସାର୍‌ଙ୍କ ଗୋଟାଏ ପ୍ରେମପତ୍ର ଜବତ୍‌ ହେଲା ମଧ୍ୟ କେତକୀର ଏକ୍‌ସରସାଇଜ୍‌ ଖାତାରୁ । ହେଡ୍‌ମାଷ୍ଟର କେତକୀ ବାପାଙ୍କୁ ସ୍କୁଲକୁ ଡକାଇ କହିଲେ...କେତକୀର ଟି.ସି. ନେଇଯିବା ପାଇଁ । ଏ ସ୍କୁଲରେ ତା’ର ଆଉ ସ୍ଥାନ ନାହିଁ । କେତକୀର ବାପା ଧରିବସିଲେ, ମାନେଜିଙ୍ଗ୍ କମିଟି ମେମ୍ବରମାନଙ୍କୁ । ଗୋଟାଏ ହାତରେ ତ ତାଳି ବାଜେ ନାହିଁ-। ରାଧୁମାଷ୍ଟର୍ ଏବେ ବାହାହୁଅନ୍ତୁ କେତକୀକୁ । ରାଧୁମାଷ୍ଟର୍ ରାଜି । ସେମାନଙ୍କ ମଧ୍ୟରେ ପଡ଼ିଛି ବିବାହ ପ୍ରସ୍ତାବ !

 

ସେଇ କେତକୀ, ମୋର କଲିକତା ଯିବାଆସିବାର ଖବର ରଖିବା ମତଲପ୍ କ’ଣ ? କେତକୀ ବସିପଡ଼ିଲା ପିଣ୍ଡାଦାଢ଼ରେ, ମୋଠାରୁ ଅଳ୍ପ ଛଡ଼ାରେ । ଶୋଭାର ଛାତି ଅନେକ ବଳିଲା ବଳିଲା, ସେଥିରେ ତୀକ୍ଷ୍‌ଣତା ଅଛି । ମୁଁ କଣେଇ କଣେଇ ଚାହୁଁଥିଲି, କେତକୀର ବାହୁମୂଳ ଆଡ଼େ-

 

ବୋଉ ହଠାତ୍‌ ରସଭଙ୍ଗ କରି ପଚାରିଲା... “କ’ଣ କିଲୋ କେତୀ ?”

 

“ଜିରା, ହାଣ୍ଡିଫୁଟା ଦି’ଟା ଦିଅ । ବୋଉ ପଠେଇଚି ।” –ମାଟିଉପରେ ପାଦ ନଖରେ ଗାର ଟାଣୁଟାଣୁ, ମୋ ଆଡ଼କୁ କଣେଇଁ ଚାହିଁ ଉତ୍ତର ଦେଲା କେତକୀ ।

 

ମୁଁ ଭାବୁଥିଲି, ଜିରା ହାଣ୍ଡିଫୁଟା ଖୋଜିବାରେ ବୋଉର ଯେତେ ବିଳମ୍ୱ ହୁଏ, ସେତେ ଭଲ । ବୋଉ କିନ୍ତୁ ଅଳ୍ପ ସମୟ ପରେ ଗୋଟାଏ କାଗଜ ପୁଡ଼ିଆ କେତକୀ ହାତରେ ଧରାଇଦେଇ କହିଲା... “ଏତିକି ଥିଲା ଘରେ ।”

 

କେତକୀ ଅକାରଣରେ ଦେହଟାକୁ ହଲେଇ, ଦୋଳାଇ ଉଠି ଚାଲିଗଲା । ମୁଁ ଚାହିଁ ଦେଖୁଥିଲି ଶାଢ଼ି ଉପୁଚି ଦିଶୁଥିବା, ତା’ର ବଳିଲା ବଳିଲା ଜଙ୍ଘ ଦୁଇଟାକୁ !

 

“କିରେ ଖାଉନୁ !” ...ବୋଉ ପାଟିରେ ମୁଁ ଲାଜୁରା ହୋଇ ଆଖି ଫେରାଇ ଆଣିଲି ! ବୋଉ, ଏଇ କ’ଣ ତୋର ବେଳ ଥିଲା, ଖାଇବା କଥା ମୋତେ ମନେପକାଇ ଦେବାପାଇଁ ?

 

ଅପରାହ୍ନର ଛାଇ ବାଉଁଶବଣ ଉପରେ ଓହ୍ଲାଇ ଆସିଥିଲା ।

 

ମୁଁ ଆଉ କେତେବେଳ ଧରି ଯେ ଶୋଇଥାନ୍ତି, ଜାଣେନାଁ ! ହଠାତ୍ ମନେହେଲା, କିଏ ଯେପରି କାନ ସୁଲୁସୁଲୁ କରୁଚି । ଚିତ୍କାର କରିଉଠିଲି... “ଏଃ ! ଶୋଭା !” ନାଁ, ଶୋଭା ନୁହେଁ । ଗୋଟାଏ ପିମ୍ପୁଡ଼ି ପଶି ଯାଉଥିଲା କାନଭିତରେ !

 

ମୁଁ ଉଠିବସିଲି ।

 

ବୋଉ ଢିଙ୍କିଶାଳରେ ସାଇର ମାଇପିମେଳରେ ବସି କ’ଣ ଗପ ଜୋଡ଼ିଦେଇଛି । ଅଗଣାଟା ଖାଁଖାଁ କରୁଛି, ଉଦାସ । ମୁଁ ଦେହରେ ଖଣ୍ଡେ ସାର୍ଟ ଗଳାଇ, ବୁଲି ବାହାରିପଡ଼ିଲି, ଅନିର୍ଦ୍ଦିଷ୍ଟ ଭାବରେ ।

 

ଗାଁର ପୂର୍ବମୁଣ୍ଡରେ ନେଉଳୀମଠର ବିରାଟ ହତା । ମଠର ନିଛାଟିଆ ପୋଖରୀ ତୁଠଟା ମୋର ଭାରୀ ପ୍ରିୟ । ଦିନେଦିନେ ଉଦାସ ଲାଗିଲେ, ଏକୁଟିଆ ବସେ ଯାଇଁ, ତୁଠ ପାହାଚ ଉପରେ-। ପୋଖରୀ ଚାରିପଟେ ଆମ୍ବ ଆଉ ପିଜୁଳି ତୋଟା । ପିଜୁଳି ଗଙ୍ଗାକୂଳିଆ ବାରମାସୀ-। ମଞ୍ଜି ନଥାଏ । ସେଥିପାଇଁ ପାଚେରି ଡେଇଁ ବାହୁଡ଼ି ପଲ ପରି ଖରାବେଳେ ଗାଁ ପିଲାମାନେ ଆକ୍ରମଣ କରନ୍ତି, ପିଜୁଳି ତୋଟା ।

 

ତୁଠ ପାହାଚ ଉପରେ ବସି ମୁଁ ଚାହିଁ ରହିଚି, ପୋଖରୀ ହୁଡ଼ାରେ ଗୋଟାଏ ନିଛାଟିଆ ତାଳଗଛ ଚୂଡ଼ାରେ ଅପରାହ୍ନର ଶେଷ ଉଚ୍ଛ୍ୱାସ । ସେଇ ନିର୍ଜନ ପରିବେଶରେ ତାଳ ଗଛର ବାଉଙ୍ଗା ସବୁ ପବନରେ ଯେପରି ଦାମାମା ପିଟୁଥିଲା । ଏ ତାଳଗଛଟା ଅନେକ ସମୟରେ, ଅନେକ କଥା କହେ ମୋତେ ମୁଁ ତା’ କଥା ଠିକ୍ ବୁଝେ–କିନ୍ତୁ ପ୍ରକାଶ କରିପାରେ ନାହିଁ । ଆଜି ମଧ୍ୟ ଶୁଣିବାକୁ ଚେଷ୍ଟା କରୁଥିଲି ତା’ କଥା ! ହଠାତ୍ ଗୋଟାଏ ଖଣ୍ଡିଆ ପିଜୁଳି କୁଆଡ଼ୁ ଆସି ପଡ଼ିଲା ମୋ ଉପରେ । ପିଜୁଳି ଦେହରେ ଦାନ୍ତ ଚିହ୍ନ । ଖଣ୍ଡିଆ, ଦରକାମୁଡ଼ା ପିଜୁଳିଟା ମୋ ଉପରେ ପଡ଼ିଲା କୁଆଡ଼ୁ ? ବିସ୍ମୟରେ ପୋଖରୀ ହୁଡ଼ା ଉପରେ ପିଜୁଳି ତୋଟା ଭିତରକୁ ଚାହିଁଲି । ଗୋଟାଏ ପିଜୁଳି ଗଛରୁ ଝୁଲୁଛି, ଗୋଟାଏ ଅନାବୃତ ମାଂସଳ ଜଙ୍ଘ । ଜଙ୍ଘ ଉପରେ ଲାଗି ରହିଛି ଶାଢ଼ିର ନାଲିଆ ଧଡ଼ି । ଅସ୍ତସୂର୍ଯ୍ୟର ଆଲୋକରେ ଜଙ୍ଘଟା ଭାରୀ ଲୋଭନୀୟ ଦିଶୁଛି ।

 

ଇଏତ କେତୀ !

 

ମୁଁ ଉଠୁଥିଲି ପିଜୁଳି ତୋଟାକୁ ଯିବାପାଇଁ, ହାତରେ ସେଇ ଦରକାମୁଡ଼ା ପିଜୁଳିଟା ଧରି-। କେତୀ ହଠାତ୍ ପିଜୁଳି ଗଛରୁ ଡେଇଁପଡ଼ି ଧାଇଁଆସିଲା ମୋ ପାଖକୁ । ମୁଣ୍ଡବାଳ ଅଲରା-। ତା’ ଭିତରୁ କେତୀର ଆଖିଦୁଇଟା ଦିଶୁଥିଲା, ଅନେକଟା ଶୋଭାର ଆଖିପରି ।

 

କେତୀ ଆସି ବସିପଡ଼ିଲା ମୋପାଖରେ । ଝିଅମାନଙ୍କର ନିଃଶ୍ୱାସ ଏତେ ଗରମ କାହିଁକି-? ମୋର ଗାଲଟା ଯେପରି ଜଳିଯାଉଥିଲା ତା’ର ଝାସରେ । କେତୀ ତା’ର ଛାତିଟା ମୋ ବାହୁରେ ଚାପି ମୋତେ ଯେପରି ତା’ର ଛାତି ସମ୍ପର୍କରେ ସଚେତନ କରାଇଦେବାକୁ ଚାହୁଁଛି ।

 

କେତୀ ମୋ ହାତରୁ ସେଇ ଦରକାମୁଡ଼ା ପିଜୁଳିଟା ନେଇ, ମୋ ଓଠଉପରେ ଚାପିଧରି କହିଲା...”ଆରେ ଖା ନା !” ମୁଁ କଳେ ପିଜୁଳି କାମୁଡ଼ିନେଲି ।

 

କିନ୍ତୁ କେତୀର ମତଲପ୍ କ’ଣ ? ରାଧୁ ସାର୍‌ଙ୍କ ସାଙ୍ଗରେ ପରା ତା’ର ବିବାହ ପ୍ରସ୍ତାବ ପଡ଼ିଛି ?

 

ମୁଁ ପଚାରିଲି... “ରାଧୁ ସାର୍ ଜାଣିଲେ କ’ଣ ଭାବିବେ ତୁ ? ତାଙ୍କୁ ଭଲପାଉ ପରା ! ତମର କୁଆଡ଼େ ବିବାହ ପ୍ରସ୍ତାବ ପଡ଼ିଛି ।”

 

କେତୀ ଗୋଟାଏ ପିଜୁଳି ଚୋବାଇ ଚୋବାଇ କହିଲା...”ରାଧୁ ସାର୍‌‌ର ଗାଁରେ ଭାରିଯା ଅଛି । ପ୍ରସ୍ତାବ ଭାଙ୍ଗିଗଲାଣି ।”

 

“ତାହେଲେ ? ତମର ଭଲପାଇବା ?”

 

ମୋ ଗାଲରେ ଗୋଟାଏ ଟିପା ମାରି କେତୀ କହିଲା... “ଭଲପାଇବା, ପ୍ରେମ ଏସବୁ ବହିରେ ଲେଖାଥାଏ ସିନା ! ସେସବୁ କିତାବୀ କଥା ଜୀବନରେ କାହିଁ ?”

 

ମୁଁ ବୁଝିପାରୁନଥିଲି, କେତୀ ତାହେଲେ ଏ ପରିବେଶରେ ମୋ ପାଖରେ ଏପରି ଭାବରେ କାହିଁକି ? ତା’ର ସ୍ତନଟା ତଥାପି ଚାପି ରହିଥିଲା ମୋର ବାହୁ ଉପରେ । ମୁଁ ପଚାରିଲି... “ତୁ ମୋତେ ଭଲପାଉ କେତୀ ?”

 

କେତୀ ଉତ୍ତର ଦେଲା... “ତୁମେ ଭଲଲାଗ ମୋତେ ।”

 

କିନ୍ତୁ ଭଲଲାଗିବା ଆଉ ଭଲପାଇବା ମଧ୍ୟରେ ପାର୍ଥକ୍ୟଟା କେଉଁଠି ମୁଁ ଠିକ୍ ବୁଝିପାରୁନଥିଲି । ସେଇଟା ସଂପୂର୍ଣ୍ଣ ଭାବରେ ନାରୀ ମନର ନିଭୃତ ଅନୁଭୂତି !

 

“ଭଲଲାଗିବା ଆଉ ଭଲପାଇବା ଭିତରେ ତଫାତ୍ କ’ଣ କେତୀ ?”

 

କେତୀ ତା’ର ଜିଭଟା ମୋ ଗାଲଉପରେ ଥରେ ବୁଲାଇନେଇ, ଯେପରି ଝଡ଼ ପରି ଆସିଥିଲା, ସେହିପରି ଦଉଡ଼ି ପଳାଇଲା ।

 

ଭଲପାଇବାଟା ତାହେଲେ କିତାବୀ କଥା ? ବହିରେ ଲେଖାଥାଏ କେବଳ ? ସେଇ ଜାହାଜୀ ସାହେବ ସାଙ୍ଗରେ ହୋଟେଲ୍‌କୁ ଗଲେ ବି ଶୋଭାକୁ ମୁଁ ମୋର ଅଜଣାରେ କେତେବେଳେ ଭଲପାଇ ସାରିଥିଲି । କିନ୍ତୁ ସିଏ କ’ଣ ଭଲପାଇବା ନୁହେଁ ? କେବଳ ଭଲଲାଗିବା ? ଯେପରି ଦିନେ ଭଲ ଲାଗୁଥିଲା ମୋତେ, ଫ୍ରକ୍ ତଳେ କେତକୀର ବଳିଲା ବଳିଲା ପାଦ ଭଣ୍ଡା ଦୁଇଟା ଚାହିଁ ଦେଖିବାପାଇଁ ?

 

ଭଲପାଇବା ତାହେଲେ ମିଛ କଥା ?

 

କିନ୍ତୁ ଗୋଟିଏ ଜୀବନରେ କେତେ ସହିପାରିବି, ଏତେ ମିଛ କଥାର ଆଘାତ ? ସବୁ ଭୁଶୁଡ଼ି ପଡ଼ିବ ଯେ ! –କେତୀଠାରୁ ଏ ପ୍ରଶ୍ନର ଉତ୍ତର ମୋତେ ସଂଗ୍ରହ କରିବାପାଇଁ ପଡ଼ିବ ।

 

ମୁଁ ପାଗଳ ପରି ଚିତ୍କାର କରିଉଠିଲି... “କେତୀ...ଶୋଭା !”

 

ନିର୍ଜନ ପୋଖରୀ ତୁଠରେ ମୋର ଚିତ୍କାରର ପ୍ରତିଧ୍ଵନି !

 

ହୁଡ଼ାଉପରେ ତାଳଗଛଟା ମୋଆଡ଼େ ଚାହିଁ ଯେପରି ମୁରୁକି ହସୁଥିଲା...ଅଜାଙ୍କ ଓଠରେ ସେଇ ହସ ପରି !

 

ଚାରି

 

ଶୋଭା...କେତୀ । କେତୀ...ଶୋଭା ! କାହାକୁ ଧରିବି କାହାକୁ ଛାଡ଼ିବି, ଏବେ ମୋ ପକ୍ଷରେ ଏକ ଉତ୍କଟ ସମସ୍ୟା–ଅବଶେଷରେ ଉତ୍ପୀଡ଼କ ବିକୃତି । ଦିନେ ଚଉକୋଣିଆ କରି କେତେଖଣ୍ଡ କାଗଜ କାଟି, ଖଣ୍ଡକରେ ଶୋଭା ତ ଆଉ ଖଣ୍ଡକରେ କେତୀ ଲେଖି ଧର୍ମଗୁଳା ଉଠାଇଲି, ଭାଗବତ–ଗାଦୀ ସାମନାରେ ବସି । ଆଖିବୁଜି ଓଁ ଓଁ ହୋଇ ଖଣ୍ଡେ କାଗଜ ଉଠାଇନେଲି । ଫିଟାଇ ଦେଖିବାପାଇଁ ଛାତି ଧଡ଼ପଡ଼ କଲା । କେତୀ ! କେତୀ ! ...ଧର୍ମ ଗୁଳା ଉଠିଲା କେତୀ ନାଁରେ ! ଶୋଭା ଆଜି ବହୁ ଦୂରରେ କୁଞ୍ଚୁକୁଞ୍ଚିକା ନେଳୀ ପାହାଡ଼ । ହାତ ପାଆନ୍ତାର ବାହାରେ । କେତୀତ ଗାଁ ଝିଅ ! କିନ୍ତୁ ତାକୁ ଠିକ୍ ବୁଝିହୁଏନା ଶୋଭା ପରି ସେ ଏତେଟା ସ୍ପଷ୍ଟ ନୁହେଁ । କୁହୁଡ଼ିଆ ଜହ୍ନ ଆଲୁଅ । ନେଉଳୀ ମଠ ହତାରେ, ପୋଖରୀ ତୁଠରେ କେତୀ ସେଦିନ ମୋ ଗାଲଉପରେ ଜିଭ ବୁଲାଇ ନେଲାବେଳେ, ମୋ ଦେହରେ ଅନୁଭବ କରିଥିଲି ଗୋଟାଏ ଶିହରଣ ! ମୋର ପ୍ରତି ଲୋମ ଟାଙ୍କୁରିଉଠିଥିଲା ତା’ର ଦଂଶନରେ । ପ୍ରତି ଲୋମକୂପ କ୍ଷୁଧାର୍ତ୍ତ ହୋଇଉଠିଥିଲା । ଏଇ ଅନୁଭୂତିକୁ ବହିମାନଙ୍କରେ କ’ଣ ଲେଖାଯାଇଚି ଭଲପାଇବା ? ସେଇ ପ୍ରଶ୍ନ ତ ପଚାରିଥିଲି କେତୀକୁ । କିନ୍ତୁ ସିଏ ଉତ୍ତର ଦେଇଥିଲା... “ତୁମେ ଭଲଲାଗ ମୋତେ-!” ଭଲଲାଗିବା ଆଉ ଭଲପାଇବା ଭିତରେ ତଫାତ୍‌ଟା କ’ଣ କବି ରଞ୍ଜନ୍‌ ବି ତା’ର ଉତ୍ତର ଦେଇପାରିଲା ନାହିଁ ! ତାପରେ କେତେଥର ନେଉଳୀ ମଠ ହତାକୁ ଯାଇଛି କେବଳ କେତୀର ଆକର୍ଷଣରେ । କିନ୍ତୁ କେତୀର ଦେଖା ଆଉ ପାଇନାହିଁ । ଆଉ ଥରେ କେବଳ ତାକୁ ଦେଖିପାରିଥିଲି । ସେଇ ପିଜୁଳି ତୋଟାରେ । କିନ୍ତୁ ମୋତେ ଦେଖି ସେ ଦଉଡ଼ି ପଳାଇଲା-। ସେଦିନ ପରି ମୋ ପାଖକୁ ଛୁଟିଆସି ନଥିଲା । ତାଙ୍କ ଦାଣ୍ଡରେ ମଧ୍ୟ କେତେଥର ଅକାରଣରେ ବେଲ୍‌ ବଜାଇ ସାଇକେଲ୍‌ ଚଳାଇ ଯାଇଛି । କେବେକେବେ କେତୀକୁ ଦାଣ୍ଡପିଣ୍ଡାରେ ଠିଆ ହୋଇଥିବା ଦେଖେ । ମୋ ଆଡ଼େ ଚାହିଁ ଫିକ୍ କରି ହସିଦେଇ, ସେ ଘର ଭିତରେ ଲୁଚିଯାଏ-। ମୋର ମନେହୁଏ ବଉଦ ଫାଙ୍କରେ ଜହ୍ନଟା ଯେପରି ମୁହଁ ଦେଖାଇ, ପୁଣି ହଠାତ୍ ଲୁଚିଗଲା-। କେତୀର ମତଲବ କ’ଣ ? ମୁଁ କେତୀକୁ ଭଲଲାଗେ ପରା ? ...ତାହେଲେ ? ଏବେ ଯେ କେତୀ ନାଁରେ ଧର୍ମଗୁଳା ଉଠିଲା ! ତାକୁ ଭଲପାଇବି । କିନ୍ତୁ ଭଲପାଇବା କାର୍ଯ୍ୟଟା ଆରମ୍ଭ କରିବା କିପରି-? ଭଲପାନ୍ତି କିପରି ?

 

ରଞ୍ଜନକୁ ପଚାରିଲି । ସେ କବି ତ । ପ୍ରେମ ନେଇ ତା’ର କାରବାର । ସେ ପରାମର୍ଶ ଦେଲା–ପ୍ରଥମେ କେତୀକୁ ଖଣ୍ଡେ ପ୍ରେମପତ୍ର ଲେଖ । ଆଶ୍ଚର୍ଯ୍ୟ, ଏଇ ସହଜ କଥାଟା ମୋ ମୁଣ୍ଡରେ ଏପର୍ଯ୍ୟନ୍ତ ଢୁକୁନଥିଲା । କିନ୍ତୁ କଥାଟା ଯେତେ ସହଜ, କାର୍ଯ୍ୟରେ ସେତେ ସହଜ ମନେହେଲା ନାହିଁ । ଅନେକ ଚେଷ୍ଟା କରି ଚିଠିଟାର ଆରମ୍ଭ କରିପାରିଲି ନାହିଁ । ଚିଠି ଲେଖିବାପାଇଁ ପ୍ରଥମେ ତ ଗୋଟାଏ ସମ୍ବୋଧନ ଆବଶ୍ୟକ । କୌଣସିଟା ମନକୁ ପାଇଲା ନାହିଁ । ପୁଣି ଦଉଡ଼ିଲି ରଞ୍ଜନ ପାଖକୁ । ରଞ୍ଜନ ସେଦିନ, ତାଙ୍କ ଦାଣ୍ଡ ବଉଳ ଚଉତରା ଉପରେ ଗଛକୁ ଆଉଜି କ’ଣ ଖଣ୍ଡେ ବହି ପଢ଼ୁଥିଲା । ଖରାଦିନ ସକାଳ । ଗୋଟାଏ କୋଇଲି ବୋବାଉଥିଲା ପାଖରେ କେଉଁଠି । ସୁନ୍ଦର ପରିବେଶ । କିନ୍ତୁ ତାକୁ ଚୁପ୍‍ଚାପ୍ ଉପଭୋଗ କରିବାପାଇଁ ମୋର ସମୟ ନଥିଲା ।

 

“ରଞ୍ଜନ” ...ସାଇକଲ୍‌ରୁ କୁଦିପଡ଼ି ଡାକିଲି ।

 

ରଞ୍ଜନ ମୋଆଡ଼େ ଚାହିଁ ପୁଣି ବହିଉପରକୁ ଆଖି ଫେରାଇଲା । ସେମିତି ମୋତେ ଦେଖିପାରି ନାହିଁ ।

 

ଚଉତରା ଉପରେ ବସି ପଚାରିଲି... “କ’ଣ ପଢ଼ୁଚୁ କିରେ ?”

 

“କବି ମାନସିଂହଙ୍କ ଧୂପ ପଢ଼ିଚୁ ? ...ସେ ପଚାରିଲା ।”

 

ତାଙ୍କ ନାଁ ଶୁଣୁଥିଲି ପ୍ରଥମଥର ପାଇଁ । ମୁଣ୍ଡ ହଲାଇଲି ।

 

“ଶୁଣ ଶୁଣ କ’ଣ ଲେଖିଚନ୍ତି କବି...” ତାପରେ ସେ ଆବୃତ୍ତି କଲା କବିଆଳୀ ଢଙ୍ଗରେ–

 

“ଏକଇ ଫଲ୍‍ଗୁନେ ଲକ୍ଷ ଫୁଲ୍ ଫୁଟେ

ଭ୍ରମର ଗୋଟିକରୁ ଗୋଟିକୁ ଚୁମି ଛୁଟେ ।”

 

ମୋ ଆଖିଆଗରେ ଭାସିଉଠିଲେ ଶୋଭା ଆଉ କେତୀ

 

“ଗୋଟିଏ ଜୀବନେ ତା’ କୋଟିଏ ସଖୀ ଡାକ,

କାହାକୁ ରଖି ଦୂରେ ଯିବ ସେ କାହା ପାଖ ?”

 

ଇଏ ଯେପରି ମୋରି ମନ, ପ୍ରାଣ, ହୃଦୟର ପ୍ରଶ୍ନ ! ଏପରି କବିତା ସବୁ ଇସ୍କୁଲରେ ନପଢ଼ାଇ ‘‘ରେ ଆତ୍ମନ ନିଦ୍ରା ପରିହରି ଫେଡ଼ି ଚିନ୍ତାର ଲୋଚନ” ପରି ଦାନ୍ତଭଙ୍ଗା କବିତା ସବୁ ସେମାନେ କାହିଁକି ପଢ଼ାନ୍ତି କେଜାଣେ ? ଏମିତି କବିତାର ଭାବାର୍ଥ ଲେଖ ବୋଲି ପରୀକ୍ଷାରେ ପ୍ରଶ୍ନପଡ଼ିଲେ ତ ସେ ପୃଷ୍ଠା ଧରି ଲେଖିପାରନ୍ତା ଭାବାର୍ଥ !... ରଞ୍ଜନ ଗୋଟାଏ ଦୀର୍ଘଶ୍ୱାସ ପକାଇ ଘୋଷା ଧରିଥିଲା–“ଗୋଟିଏ ଜୀବନେ ତୋ କୋଟିଏ ସଖୀ ଡାକ !” ତା’ର ସଖୀ ଛୁଟିଲେଣି ନାଁ କ’ଣ ?

 

କିନ୍ତୁ କେତୀ ନାଁରେ ତ ଉଠିଚି ଧର୍ମଗୁଳା ! ସେଇ କେତୀ ମୋର ସଖୀ ! ଆଉ କୋଟିଏ ସଖୀ ନୁହେଁ । ଗୋଟିଏ । କେତୀ ।

 

“ରଞ୍ଜନ ।”

 

ତା’ର କୋଟିଏ ସଖୀ ଲୋକରୁ ରଞ୍ଜନ ମୋତେ ପଚାରିଲା... “କ’ଣ କହିବୁ କିରେ ?”

 

ମୁଁ ଲାଜୁରା କଣ୍ଠରେ କହିଲି... “ସେ ଚିଠିଟା, ମାନେ କେତୀକୁ, ଏ ପର୍ଯ୍ୟନ୍ତ ଲେଖିପାରିଲି ନାହିଁ, ଭାଇ !”

 

“ଦୂତ”... ବହିଟା ବନ୍ଦ କରି ରଞ୍ଜନ କହିଲା... “ତୁ ଆଉ ପ୍ରେମ କରିବୁ କ’ଣ ?”

 

“ଅନେକ ଚିଠି ଲେଖି, ଚିରିସାରିଲିଣି, ପ୍ରଥମେ କ’ଣ କିପରି ସମ୍ବୋଧନ କରିବି, ଭାବିପାରୁ ନାହିଁ । କୋଉଟା ମନକୁ ପାଉନାହିଁ !”

 

ବିଶେଷଜ୍ଞସୁଲଭ କଣ୍ଠରେ ରଞ୍ଜନ ପଚାରିଲା... “ଯଥା ?”

 

“ପ୍ରିୟା, ପ୍ରିୟତମା, ପ୍ରାଣର କେତୀ !”

 

“ଯାଃ ବେ ! ଏମିତି ସମ୍ବୋଧନରେ କ’ଣ ପ୍ରେମପତ୍ର ଲେଖାଯାଏ ? ସିଏ ଭାବିବ, ତୁ ଗୋଟାଏ ନିର୍ଘାତ ମାଟିଆ ଠିକାଦାର ! ଏ ସବୁ ନିତାନ୍ତ ମଫସଲିଆ ।”

 

“ସେଇଥିପାଇଁ ତ ତୋ ପାଖକୁ ଆସିଚି ଭାଇ !” –ମୋ କଣ୍ଠରେ ଅନୁନୟ ।

 

ରଞ୍ଜନ ଖଣ୍ଡେ ପାସିଙ୍ଗ–ଶୋ ସିଗାରେଟରେ ନିଆଁ ଲଗେଇ, ଗମ୍ଭୀର ଭାବରେ କଳେ ଧୂଆଁ ଛାଡ଼ି କହିଲା... “ଆରମ୍ଭ କରିଦେ, ହୁତ୍‍ପିଣ୍ଡେଶ୍ୱରୀ ନୋହିଲେ ହୃଦୟେଶ୍ଵରୀ !”

 

ହୃତ୍‍ପିଣ୍ଡେଶ୍ୱରୀ ! ହୃତ୍‍ପିଣ୍ଡେଶ୍ୱରୀ ! କେତୀ, ହୃତ୍‍ପିଣ୍ଡେଶ୍ୱରୀ ! ମନକୁ ପାଇଲା, ବିଶେଷତଃ ରଞ୍ଜନ ପରି ଜଣେ କବି ଯେତେବେଳେ କହୁଚି । ମୁଁ ଚଉତରା ଉପରୁ ତଳକୁ କୁଦିପଡ଼ି ସାଇକେଲ୍ ଧରିଲି । ବାପା ଯାଇଥିବେ ମାଟିକାମ ତଦାରଖରେ । ପ୍ରେମପତ୍ର ଲେଖିବାପାଇଁ ଏଇଟା ତ ଉପଯୁକ୍ତ ସମୟ ନୋହିଲେ ସିଏ ପଚାରିବେ “କ’ଣ ଲେଖୁଚୁ କିରେ ?”

 

କେତୀଘର ଦାଣ୍ଡବାଟେ ଫେରିଲି । କାଳେ ଦେଖାହୋଇଯିବ । କେତୀ ଗାଧୋଇସାରି ଦାଣ୍ତ ଚାଳରେ ଓଦା ଶାଢ଼ି ଶୁଖେଇବା ପାଇଁ ଗଣ୍ଠି ପକାଉଥିଲା । ତା’ର ଗୋଟାଏ ସ୍ତନଉପରୁ ଶାଢ଼ିକାନିଟା ତଳକୁ ଖସିପଡ଼ିଛି । ମୋ ଦେହରେ ବିଜୁଳିର ଗୋଟାଏ ତରଙ୍ଗ ଖେଳିଗଲା । ସେଦିନ ନେଉଳୀମଠ ପୋଖରୀ ପାହାଚ ଉପରେ ପାଇଥିଲି ଏଇ ମାଂସପେଶୀର ସ୍ପର୍ଶ–କିନ୍ତୁ ତା’ର ଚେହେରା ଏପର୍ଯ୍ୟନ୍ତ ଦେଖିନଥିଲି । ମର୍ମଭେଦୀ । ତୀକ୍ଷ୍ମଣ–ରଞ୍ଜନ ହୋଇଥିଲେ ଗୋଟାଏ କବିତା ଲେଖିପକାଇଥାନ୍ତା । ପ୍ରିୟାର ସ୍ତନ ଉପରେ କବିତା ନ ଲେଖିଲେ । ଆଉ କବିତା ଲେଖାଯିବ କାହାଉପରେ ? କିନ୍ତୁ ମୋ ହାତୁଡ଼ିଆ କଲମରେ କବିତା ଉତୁରେ ନାହିଁ । ରଞ୍ଜନ ପ୍ରତି ଈର୍ଷା ହେଲା । କେତୀର ଦୃଷ୍ଟି ଆକର୍ଷଣ କରିବାପାଇଁ ଦୂରରୁ ବେଲ୍‌ ଟିଙ୍ଗ୍‍ଟିଙ୍ଗ୍ କଲି । କେତୀ ମୋଆଡ଼େ ଚାହିଁବା ମାତ୍ରେ, ହାଣ୍ଡଲରୁ ଦୁଇହାତ ଛାଡ଼ିଦେଇ, ବେପରୁଆ ଭାବରେ ସାଇକଲ୍‌ ଚଳାଇଲି ଯେପରି ମୁଁ ତାକୁ ଦେଖିନାହିଁ ! ଦେଖିଲେ ବି ଉପେକ୍ଷା କରୁଛି ! ହାଣ୍ଡଲ ନଧରି ମୁଁ ଯେ ସାଇକଲ୍ ଚଳାଇପାରୁଛି–କେତୀ ଏଥିରେ ଯଦି ମୋ ପ୍ରତି ଆକୃଷ୍ଟ ହୋଇପାରେ ! କେତୀ ହସ ହସ ମୁହଁରେ ଚାହିଁ ଦେଖିଲା, ମୋ ସାଇକଲ୍‌ ଚଳାଇବାର ବାହାଦୁରି । ଦାଣ୍ଡରେ କେହି କୁଆଡ଼େ ନାହାନ୍ତି । ଇଚ୍ଛା ହେଉଥିଲା, ଡାକିବା ପାଇଁ–କେତୀ ! କିନ୍ତୁ ସାହସ କୁଳାଇଲା ନାହିଁ ।–ମୁଁ ପଛକୁ ମୁହଁ ବୁଲାଇ ଚାହିଁବା ବେଳକୁ କେତୀ ଆଉ ସେଠାରେ ନଥିଲା ।

 

ମୁଁ ଘରକୁ ଫେରି, ଚିଠି ଲେଖିବା ପାଇଁ ଦାଣ୍ଡଘର ଖଟଉପରେ କାଗଜ କଲମ ଧରି ବସିପଡ଼ିଲି ।

 

“ହୃତ୍‌ପିଣ୍ଡେଶ୍ଵରୀ କେତୀ” ଆରମ୍ଭ କରିଛି କି ନାହିଁ–ବୋଉ ସେଆଡ଼ୁ ଡାକିଉଠିଲା, “ମନୁଆଁ ମନୁଆଁରେ” ! ଏଇ ବାହାରିଲା ମନୁଆଁ । ବୋଉ ଜ୍ଵାଳାରେ ବେଳେବେଳେ ମୋର ଇଚ୍ଛାହୁଏ ବାବାଜୀ ହୋଇ ପଳାଇବା ପାଇଁ । ଇଏ କ’ଣ ମୋତେ ମନୁଆ ମନୁଆ ଡାକିବା ବେଳ-?

 

“ବାପା ଯାଇଚନ୍ତି ଉଗ୍ରେସର ବାବୁଙ୍କ ଘରକୁ । କହି ଯାଇଚନ୍ତି, ମାଟି କାମ ଆଡ଼ୁ ବୁଲି ଆସିବୁ । ମୁଲିଆଗୁଡ଼ା ଭାରି ଠକୁଚନ୍ତି !” –ବୋଉ ସିଧା ଆସି ଦାଣ୍ଡରେ ହାଜର !

 

ମୁଁ ଗମ୍ଭୀର ଭାବରେ ଉତ୍ତର ଦେଲି... “ମୁଁ ବାପା ଫାପା ଜାଣେନା ମତେ ଡିଷ୍ଟର୍ବ କରନା, କହିଦଉଚି ବୋଉ !”

 

ବୋଉ କିଛି ବୁଝିପାରିଲା ନାହିଁ । ପଚାରିଲା... “କାହିଁକି କ’ଣ କରୁଚୁକି ? ଯିବୁ ସାଇକଲ୍‌ରେ ଥରେ ବୁଲି ଆସିବୁ !”

 

ମୁଁ କହିଲି... “ମୁଁ ପଢ଼ୁଚି । ଲେଖାଲେଖି କରୁଚି । ବର୍ତ୍ତମାନ ଯାଇପାରିବି ନାହିଁ ।”

 

“କିରେ ପରୀକ୍ଷା ସରିଲାଣି ! ଏଣ୍ଟେନ୍‌ସ୍‌ ପାସ୍‌ କଲୁଣି । ଆଉ ଲେଖାଲେଖି, ପଢ଼ାପଢ଼ି କ’ଣ ?”

 

“ତୁ ଏଠୁ ଗଲୁ ବୋଉ ! କହିଲି ପରା ମତେ ଡିଷ୍ଟର୍ବ କରିବୁ ନାହିଁ ।” –କେତୀର ସ୍ତନରୁ ଚିଠି କିପରି ଆରମ୍ଭ କରିବି ସେଇଆ ଭାବୁ ଭାବୁ ଏଇ ଦୁର୍ଘଟଣା ।

 

Unknown

“ହଉ ପଢ଼ିବୁ ଯଦି, ଯା ଗାଧୋଇପଡ଼ି ପଖାଳଦିଟା ଖାଇ ପଢ଼ି ବସ । ଖରା ମାଡ଼ିଆସିଲାଣି !” –ବୋଉ ଦାଣ୍ଡଘରୁ ଚାଲିଗଲା ।

 

ମୁଁ ରାଗରେ ଦାନ୍ତ ଚିପି, ଓଠ କାମୁଡ଼ି ତାକୁ ଶୁଣାଇଦେଲି... “ଯାଃ ମୁଁ ଆଜି ଗାଧୋଇବି ନାହିଁ, କି ଖାଇବି ନାହିଁ ।”

 

ପ୍ରକୃତରେ ଏଇ ମୋର ସଂକଳ୍ପ । ପ୍ରେମପତ୍ରଟା ଆଜି ନ ଲେଖିଲେ, ମୁଁ ଗାଧୋଇବି ନାହିଁ, କି ଖାଇବି ନାହିଁ ।

 

“ତୋର ଯାହ ଇଚ୍ଛା କର ।” –ହାଣ୍ଡିଶାଳ ପିଣ୍ଡାରୁ ବୋଉ ବିଡ଼ିବିଡ଼ି ହେଉଥିଲା ।

 

ଅନେକ କଟାକଟି ପରେ ଏକସରସାଇଜ୍‌ ଖାତାର ଦୁଇ ପୃଷ୍ଠା କାଗଜରେ ଚିଠିଟା ଲେଖା ସରିଲା । ଆଗରୁ କେତେଖଣ୍ଡ ନେଳୀ ଲଫାଫା କିଣି ରଖିଥିଲି । ଲଫାଫା ଉପରେ, ଗୋଟାଏ କୋଣରେ ଦୁଇଟା ଚଢ଼େଇ ଥଣ୍ଟ ଯୋଡ଼ି ବସିଥିବାର ଚିତ୍ର । ରଞ୍ଜନକୁ ଚିଠିଟା ପ୍ରଥମେ ପଢ଼ାଇଲେ କିପରି ହୁଅନ୍ତା ? କିନ୍ତୁ ସେ ଚିଠିଟା ରଞ୍ଜନକୁ ଦେଖାଇବା ପାଇଁ ମୋତେ ଲାଜ ଲାଗିଲା । ଚିଠିଟା ଲୁଚାଇ ରଖିଦେଲି, ମୋ ତକିଆ ଖୋଳ ଭିତରେ ।

 

ଚିଠିଟା ଲେଖିସାରିବା ପରେ ଆଉ ଏକ ଚିନ୍ତା–କେତୀ ଚିଠିଟା ପାଇବ କିପରି ? ଡାକରେ ପଠାଇବା ତ ସମ୍ଭବ ନୁହେଁ ! ଚିଠି ପଡ଼ିଯିବ ତା’ ବାପା କି ଭାଇ ମଦନ ହାତରେ ! ତାହେଲେ ତ କଥା ସରିଲା ! ସେଇ ଚିନ୍ତାରେ ଘାରିହୋଇ ମୁଁ ବାଡ଼ି ପୋଖରୀ ଆଡ଼େ ପାଗଳ ପରି ଧାଇଁଲି ଗାଧୋଇବା ପାଇଁ । ପାଣି ଭିତରେ ଗୁଢ଼ା ମାରି ଅନେକ ପହଁରିଲି । ପଁହରୁ ପଁହରୁ ହଠାତ୍ ଗୋଟାଏ ବୁଦ୍ଧି ଜୁଟିଲା । ନଖୀ ଭଣ୍ଡାରୁଣୀ ଗାଁରେ ସବୁ ବୋହୁ, ଝିଅଙ୍କ ପାଖକୁ ଯାଏ, ପାଦରେ ଅଳତା ରଙ୍ଗାଏ । ତା’ ଘର ପୁଣି କେତୀଙ୍କ ସାହିରେ ! ସିଏ ଯଦି ଚିଠିଟା କେତୀକୁ ଦେଇପାରେ !

 

ଗାଧୋଇସାରି ଲୁଗା ବଦଳି, ହାଫ୍ ସାର୍ଟଟା ଦେହରେ ଗଳାଇ, ଧରିଲି ସାଇକେଲ୍ । ନଖୀ ଘର ଗାଁ ମୁଣ୍ଡରେ । ବୋଉର ଚିତ୍କାର... “ଆରେ ମନୁଆଁ । ପଖାଳ ବାଢ଼ିଲିଣି ପରା !”

 

ବୋଉ ଦଉଡ଼ି ଆସିଲା ଦାଣ୍ଡକୁ । ସେ ବିଡ଼ି ବିଡ଼ି ହୋଇ ମନକୁମନ କହିଲା... “ଇଏ କ’ଣ ବାୟା ବାତୁଳ ହୋଇଗଲା କି ?” ମୁଁ କିନ୍ତୁ ସେତେବେଳକୁ ଗାଁ ଦାଣ୍ଡରେ ଉଭାନ ହୋଇଯାଇଥିଲି ।

 

ନଖୀ ଭଣ୍ଡାରୁଣୀ ଘର ଭିତରୁ ବନ୍ଦ । ଦାଣ୍ଡ ଅବାକରେ ଗୋଟାଏ ଟଗର ଗଛ, ଫୁଲରେ ନଦି ହୋଇପଡ଼ିଛି । ତା’ ତଳେ ଚେନାଏ ଛାଇ । ସାଇକେଲ୍‌ଟା ଟଗର ଗଛରେ ଡେରିଦେଇ, ମୁଁ ବାହାରୁ କବାଟ ଶିକୁଳା ଝଣଝଣ କଲି । କେତେ କ୍ଷଣ ପରେ ଭିତରୁ ଫଟା କଂସା ତଳେ ପଡ଼ିବା ପରି ଝଙ୍କାର ଶୁଭିଲା... “କୋଉ ଅଳପେଇସିଆ ମୋ କବାଟ ଝଣଝଣ କରୁଚିରେ ?” ଇଏ ପୁଣି ହେବ ମୋର ଦୂତୀ ! ପକେଇବି କି ? ଭାବୁ ଭାବୁ, ନଖୀ ଦାଣ୍ଡ କବାଟ ଅଧାମୁକୁଳା କରି ଜିଭଟା କାମୁଡ଼ି ପକାଇ କହିଲା... “ମନୁଆ ବାବୁ ! ମୁଁ କହୁଚି କିଏ ! କ’ଣ ଛଅର ହବାକୁ ଆସିଚ କି ?”

 

ହାୟ ଦୁର୍ଭାଗ୍ୟ । ମୁଁ ଆସିଚି ତାକୁ ପ୍ରେମପତ୍ର ଦେବାପାଇଁ । ସେ ପଚାରୁଚି ମୁଁ ଛଅର ହବାକୁ ଆସିଚି କି ବୋଲି ! ପ୍ରକୃତରେ ମୋର ମୁଣ୍ଡବାଳ–ଗୁଡ଼ାକ ଯେମିତି ଲମ୍ବହୋଇ କପାଳ ଉପରେ ଓହଳିଲାଣି, ଯେ କେହି ସେପରି ଭାବିବା ସମ୍ଭବ । ନଖୀଠାରେ କିନ୍ତୁ ଦୂଢ଼ୀତ୍ଵର କୌଣସି ଲକ୍ଷଣ ନାହିଁ । ହାଡ଼ୁଆ ମୁହଁ, ଗାଲ ପଶିଯାଇଛି, ମୁଁହରେ ରେଖାସବୁ ଛନ୍ଦାଛନ୍ଦି । ଆଖିଦୁଇଟା କୋରଡ଼, ମୁଣ୍ଡ ବାଳ ଅଧେ ପାଚିଗଲାଣି । ଇଏ କିନ୍ତୁ ଝିଅ ବୋହୂମାନଙ୍କ ପାଦ ଏତେ ସୁନ୍ଦର ଅଳତାରେ ରଞ୍ଜାଏ କେମିତି କେଜାଣି ? ଚିଠି କଥା କିପରି ଆରମ୍ଭ କରିବି ଭାବୁଚି, ଶୁଖିଲା ଓଠ ଉପରେ ଜିଭ ବୁଲାଉଚି ! ନଖୀ ଯଦି ଚିଠି କଥା ପ୍ରଘଟ କରିଦିଏ ? କେତୀକୁ ନଦେଇ ତା’ ବୋଉକୁ ଦେଇଦିଏ ? ...ନାନାପ୍ରକାର ଗୋଳମାଳିଆ ଚିନ୍ତା...ନଖୀ କହିଲା–”ନଟିଆବାପ ବେଭାର ନେଇ ଦୂର ଗାଁକୁ ଯାଇଚିନି । ସିଏ ଫେରିଲେ ଛଅର କରିବା ପାଇଁ ପଠେଇଦେମି ।”

 

ନଖୀକୁ ପ୍ରେମକଥା କହି, ତା’ ହାତରେ ଚିଠି ଦେବାପାଇଁ ସାହସ କୁଳେଇଲା ନାହିଁ । ମୁଁ ସେଠାରୁ ପଳାଇଆସିଲି ।

 

ବୋଉ ସେମିତି ଦାଣ୍ଡଦୁଆରେ ଠିଆହୋଇଚି:–“କିରେ ତୁ କୁଆଡ଼େ ନଖାଇ ନପିଇ ପଳେଇଲୁ ?”

 

କୌଣସି ଉତ୍ତର ନଦେଇ ମୁଁ ଦାଣ୍ଡଘର ଭିତରକୁ ପଶି ଯାଇଁ ଚିତ୍କାର କଲି... “ଦେ କ’ଣ ଅଛି ଖାଇବାକୁ !”

 

ବୋଉ ହାଣ୍ଡିଶାଳ ଭିତରକୁ ଯିବାବେଳେ ବିଡ଼ିବିଡ଼ି ହେଉଥିଲା... “ହେ ମା’ ଜାଗୁଳେଇ, ମୋ ପୁଅକୁ କିଏ କ’ଣ କିମିଆଁ କରିଦେଲା କି !”

 

ଖାଇସାରିବା ପରେ, ଭାଗତି ଘରେ ଖଣ୍ଡେ ସଉପ ଉପରେ ପଡ଼ି, ଅନେକ ବେଳ ପର୍ଯ୍ୟନ୍ତ ଛଟପଟ ହେଲି...ଉପାୟ ? ଉପାୟ ? ପ୍ରେମପତ୍ରଟା କେତୀ ପାଇବ କିପରି ? ରଞ୍ଜନ ଠିକ୍ କହିଥିଲା । ପ୍ରେମପତ୍ରଟାଏ ତ କେତୀ ପାଇପାରିଲା ନାହିଁ ! ଆଉ ପ୍ରେମ ହେବ କିପରି ? ନିଜକୁ ଶତ ଧିକ୍‌କାର ଦେଲି । କାହାଣୀରେ ଶୁଣା ମାଲ୍ୟାଣୀମାନଙ୍କ କଥା ମନେପଡ଼ିଲା । କିନ୍ତୁ ଏ ହତଭାଗା ଗାଁରେ ମାଲ୍ୟାଣୀ ନାହାନ୍ତି ? ଭାଗବତ ଗୋସେଇଁ, ତମ ଘରେ ଶୋଇ, ଏପରି ସବୁ କଥା ଚିନ୍ତା କରୁଚି ବୋଲି, ଦୋଷ ଘେନିବ ନାହିଁ । ଚିଠିଟା ଭଲରେ ଭଲରେ କେତୀକୁ ମିଳିଲେ, ଘିଅସଞ୍ଜ ଦେବି ।

 

ଛାଇ ନେଉଟି ନାହିଁ, ଅଗଣାରେ ଖରା ମଉଳି ନାହିଁ । କାଠହଣା ଚଢ଼େଇଟାଏ କୋଉଠି କୁକ୍‌କୁକ୍ ହେଉଚି । କାଉଟାଏ ଧକୋଉଚି ସଜନା ଡାଳରେ । ମୁଁ ଶବ୍ଦ ନହେବା ଭଳି, ଦାଣ୍ଡ କବାଟ ଫିଟାଇ, ପଳାଇ ଆସିଲି ନେଉଳୀମଠ ତୋଟାକୁ । କେତୀ ଯଦି ଆସିଥାଏ–ହଁ, ଆସିଥିବ ନିଶ୍ଚୟ ପିଜୁଳି ଚୋବାଇବା ପାଇଁ–ତାହେଲେ ତାକୁ ସିଧା କହିଦେବି... “କେତୀ, ହୃତ୍‌ପିଣ୍ଡେଶ୍ଵରୀ, ମୁଁ ଭଲପାଏ ତମକୁ ।” ତାପରେ ତା’ ହାତରେ ଦେଇଦେବି, ଚିଠିଖଣ୍ଡିକ ! ନଅ ପଢ଼ । ଇଏ ମୋ ହୃଦୟର କଥା !

 

ପିଜୁଳିତୋଟାରେ ଦଳେ ଗାଈଆଳ ଟୋକା, ବାଦୁଡ଼ି ପରି ପଲ ପଲ ହେଉଚନ୍ତି । ମୁଁ ଗୋଟାଏ ଭୁଲ୍ ବେଳରେ ଆସିଗଲି । କେତୀ କ’ଣ ଏଇ ଗାଈଆଳ ଟୋକାଙ୍କ ମେଳକୁ ଆସିବ ? ଗାଈଆଳ ଟୋକାଗୁଡ଼ାଙ୍କୁ ହୁରୁଡ଼େଇଲି... ହେଃ ! ଏ ମଠ ତୋଟାରେ ତମେ ସବୁ ପଶିଚ କାହିଁକି ? ସେମାନେ ବି ଭଙ୍ଗା ପାଚେରୀ ବାଟେ ଡିଆଁଡେଇଁ ହୋଇ ପଳାଇଲେ । ମଠ ତୋଟା ନିର୍ଜନ । କାଠହଣାଟାଏ କୋଉଠି ସେମିତି ଏକ୍‌ଟଣା ଭାବରେ କୁକ୍‌କୁକ୍ ହେଉଚି । ସିଏ ଯେପରି ମୋର ହୃଦୟର ସ୍ପନ୍ଦନ । ଆଉ ଟିକିଏ ଛାଇ ଲେଉଟିଲେ କେଜାଣି, କେତୀ ଆସିବି । ପୋଖରୀ ପାହାଚ ଉପରେ ବସି, ପକେଟରୁ ଚିଠି ଖଣ୍ଡ ପଢ଼ିଲି । ହୃତ୍‌ପିଣ୍ଡେଶ୍ଵରୀ । ଚିଠିଟା ଆଉ ନ ପଢ଼ି ଭାଙ୍ଗିଭୁଙ୍ଗି ପୁଣି ପକେଟ ଭିତରେ ରଖିଦେଲି । ଏ ଚିଠି ପଢ଼ିବାର ଏକମାତ୍ର ଅଧିକାର କେତୀର ! ତାପରେ ପାଟିକରି ଗାଇଲି, ରଞ୍ଜନ ପାଖର ଶୁଣା, ସେଇ କେଇପଦ...ଏକଇ ଫାଲ୍‌ଗୁନେ ଲକ୍ଷ ଫୁଲ ଫୁଟେ-। ନିଛାଟିଆ ତାଳଗଛ ଆଡ଼େ ଚାହିଁଲି...ବରଡ଼ା ହଲୁଚି, ତାଳଗଛ ମୋ ଆଡ଼େ ଚାହିଁ ହସୁଛି...ଅଜାଙ୍କ ଓଠର ସେଇ ରହସ୍ୟବୋଳା ହସ ! କେତୀ ଆସିବ କି ନାହିଁ, ତା’ର କୌଣସି ଜବାବ ଦେଉନାହିଁ-। ଏ ତାଳଗଛଟା ମୋର ବନ୍ଧୁ ।

 

କେତୀ ଆସିଲା ନାହିଁ । ତାହେଲେ ? ତାହେଲେ ଯିବି ତା’ ଘରକୁ । କେତୀ ଘରକୁ କେତେଥର ଯାଇଛି । ତା’ ଭାଇ ମଦନ ମୋର ସାଙ୍ଗ ନହେଲେ ବି ମୋ ତଳ କ୍ଳାସରେ ପଢ଼େ । ଭୟ କ’ଣ ? ଏକା ଗାଁରେ ଘର । ଖାଲି ସିନା ତଳ ସାହି, ଉପର ସାହି !

 

ଛାଇ ନେଉଟିଲାଣି । ଲମ୍ବା ଲମ୍ବା ଛାଇ, ଆଖିପତା ଭଳି ମୁଦି ହୋଇଆସୁଛି । ମଦନ ମଦନ ଡାକି ମୁଁ କେତୀଙ୍କ ଦାଣ୍ଡଘର ଭିତରକୁ ପଶିଆସିଲି; ଯଦିଓ ମୁଁ ଜାଣେ ମଦନ ଏବେ ଘରେ ନଥିବ; ବଜାରରେ ବୁଲି ସାଙ୍ଗପିଲାଙ୍କ ମେଳରେ ଦୋସ୍ତି ଜମାଉଥିବ; ନୋହିଲେ ସ୍କୁଲ ପଡ଼ିଆରେ ଭଲିବଲ ଖେଳୁଥିବ ।

 

କେହି କୁଆଡ଼େ ନାହାନ୍ତି । କେତୀ ବାହାର ଖଞ୍ଜା ପିଣ୍ଡାରେ ବସି ପାଦଠାରୁ ଜଙ୍ଘ ପର୍ଯ୍ୟନ୍ତ ଶାଢ଼ି ଓଲଟାଇ ଗୋଡ଼ ଲମ୍ବାଇ ଜଙ୍ଘ ଉପରେ ସଳିତା ବଳୁଛି । ଗୋଟାଏ ସଳିତା ମାତ୍ର ବଳିଛି । କେତୀର ଜଙ୍ଘ ଦେଖି ମୁଁ ସବୁ ଭୁଲିଗଲି–ଆଃ ! ମୁଁ ସଞ୍ଜସଳିତା ହୋଇପାରନ୍ତି କି ? ହଁ ସେମିତି ଜଳିଯାନ୍ତି ପଛେ, ଚଉରାମୂଳେ ତିଳ ତିଳ ହୋଇ ! ଦୁଃଖ ନାଇଁ ।

 

କେତୀ ପ୍ରଥମେ କଥା ଆରମ୍ଭ କଲା... “କ’ଣ ବାଟ ଭୁଲିଆସିଲ କି ?” ମୋ ଆଡ଼େ ଚାହିଁଲା, ହସ ହସ ଆଖିରେ !“ନାଁ, ମାନେ...” କ’ଣ କିପରି କଥା । ଆରମ୍ଭ କରିବି, ଚିଠିଟା ତାକୁ କିପରି ଦେବି, ସ୍ଥିର କରିପାରିଲି ନାହିଁ ।

 

“ଭାଇ ଘରେ ନାହିଁ । ତାକୁ ଖୋଜି ଆସିଛ କି ?” କେତୀ ଆଉ ଗୋଟାଏ ବଳିତା ବଳୁଥିଲା, ନିଠେଇ ନିଠେଇ ।

 

ହାୟ ଦୁର୍ଭାଗ୍ୟ ! ମୁଁ ଯେ ତୋରି ପାଇଁ ଧାଇଁଆସିଚି କେତୀ ! କେତୀ କହିଲା... “ବୋଉ, ବାରିଆଡ଼କୁ ଯାଇଚି । ତମେ ପଳା ଏଠୁ ।”

 

ମୁଁ ସାହସ ସଞ୍ଚୟ କରି ପଚାରିଲି... “ତୁ ଆଜିକାଲି ନେଉଳୀମଠ ତୋଟାକୁ କାହିଁକି ଯାଉନୁ କେତୀ ?”

 

କେତୀ ସେହିଁପରି ହସହସ ଆଖିରେ ମୋଆଡ଼େ ଚାହିଁ କହିଲା, “ମୋର ପରା ବାହାଘର । ଟିପଣା ସୁଜିଚି । ମାପ୍ରସାଦ ନିର୍ବନ୍ଧ ହବ ଆରି ଭିତରେ । ବୋଉ ମନାକରିଚି ଏଣିକି ଦାଣ୍ଡକୁ ବାହାରିବା ପାଇଁ ।”

 

ପକେଟ ଭିତରେ ଚିଠିଟାକୁ ମୁଠାମୁଠା କରି, ମନେମନେ ମୁଁ ଆର୍ତ୍ତନାଦ କରିଉଠିଲି... “ସର୍ବନାଶ !” ଚିଠିଟା କେତୀକୁ ଦେବାପାଇଁ ଆଉ ଉତ୍ସାହ ନଥିଲା । ଦେଇ ଲାଭ କ’ଣ ?

 

ପକାଇଯିବି କି ନାହିଁ ଭାବୁଚି, ଢିଙ୍କି ଚାଳିଆ ଆଡ଼ୁ କେତୀବୋଉର ଝଙ୍କାର ଶୁଭିଲା... “ତୁ କାହା ସାଙ୍ଗରେ ଗପୁଚୁ କିଲୋ କେତୀ ?”–କେତୀବୋଉ ସଶରୀରେ ହାଜର !

 

“ଇରେ ମନୁଆଁ ! ତୁ ଏ ସଞ୍ଜବେଳେ କୁଆଡ଼େ ?” –କେତୀବୋଉ କଣ୍ଠସ୍ଵରରେ ଅପ୍ରସନ୍ନ ତୀକ୍ଷ୍‌ଣତା !

 

ମୋ ଜିଭ ଅଠା ଅଠା ହୋଇଗଲା–“ମଦନକୁ ଖୋଜି ଆସିଥିଲି ।”

 

“ମଦା ଠେଇଁ ତୋର କି କାମ ? ତୁ ତ ଏଣ୍ଟେନସ୍ ପାସ୍ କଲୁଣି !” –ମୋ ଉତ୍ତରରେ କେତୀବୋଉର ପ୍ରତ୍ୟୟ ହେଉନଥିଲା ।

 

“ତା’ ପାଖରୁ ଖଣ୍ଡେ ବହି ନେଇଥାନ୍ତି !”

“ବହି ନେବାପାଇଁ କ’ଣ ଆଉ ବେଳନଥିଲା ?” ...ଗୁଡ଼େଇ ତୁଡ଼େଇ ପଚାରୁଥିଲେ କେତୀବୋଉ । ଏ ଗାଁରେ ସଜ ମାଛରେ ପୋକ ପଳାଇବା ପାଇଁ ଲୋକଙ୍କର ତ ଅଭାବ ନାହିଁ !

କେତୀ ସେତେବେଳକୁ ସେଠାରୁ ଭିତରକୁ ପଳାଇଥିଲା । ମୁଁ ପଳାଇ ଆସିଲାବେଳେ, ଦାଣ୍ଡଘରୁ ଶୁଣିଥିଲି, କେତୀ ଉପରେ କେତୀବୋଉର ଚିତ୍କାର...” “ସେ ଟୋକାଟା କାହିଁକି ଆସିଥିଲା କିଲୋ କେତୀ ?”

କେତୀ ମଧ୍ୟ ସମାନ ଗଳାରେ ଉତ୍ତରଦେଲା... “ତାକୁ ପଚାରିଲୁ ନାଇଁ ? ମୁଁ କ’ଣ ସର୍ବଜାଣ ବିଦ୍ୟା ପଢ଼ିଚି ?”

ଚିଠିଟା ଆଉ ଦିଆହୋଇ ପାରିଲା ନାହିଁ । ଦେଇ ମଧ୍ୟ ଲାଭ କ’ଣ ? କେତୀର ମହାପ୍ରସାଦ ନିର୍ବନ୍ଧ । ବାହାହେବ କେତୀ ! ତା’ପରେ ସିଏ ଯିବ ତା’ ବର ଘରକୁ !

ଈର୍ଷା ଆଉ କ୍ରୋଧରେ ମୋ ଦେହଟା ଜଳିଗଲା । ଦାନ୍ତ କଡ଼ମଡ଼ କରି ମୁଣ୍ଡବାଳ ମୁଠାମୁଠା କରି ମୁଁ ଚାହିଁଲି ଉପର ଆକାଶକୁ ! ତାପରେ ଚିତ୍କାର କରିଉଠିଲି... ଆଚ୍ଛା ଦେଖିବି, ତୋର କେମିତି ମହାପ୍ରସାଦ ନିର୍ବନ୍ଧ ହବ; କେମିତି ବେଦୀରେ ବସି ବାହାହବୁତୁ !

ଖଣ୍ଡେ ଭଙ୍ଗାଇଟା ଟୁକ୍‌ରା ପଡ଼ିଥିଲା ଦାଣ୍ଡରେ । ସେଇ ଇଟା ଖଣ୍ଡକ ଉଠାଇନେଇ, କେତୀଘର ଦାଣ୍ଡ ଗୁହାଳ କାନ୍ଥରେ ବଡବଡ଼ ହରଫରେ ଲେଖିଗଲି, କେତୀ+ମନୁଆଁ, କେତୀ+ ମନୁ-। କେତୀ ବରଘର ଲୋକେ ଆସିବା ମାତ୍ରେ ଦେଖନ୍ତୁ ଏଇ ଲିପି । ତାପରେ ସାହିଯାକ ଯେତେ ଯେଉଁଠି ନିରୋଳା, ନିଛାଟିଆ କାନ୍ଥ ପାଇଲି, ସବୁଠି ଲେଖିଗଲି କେତୀ+ମନୁଆଁ । ଗୋଟାଏ ଦୁଇଟା କାନ୍ଥରେ ଅସଭ୍ୟ କଥା ସବୁ ମଧ୍ୟ ଲେଖିପକାଇଲି । ଦୁନିଆ ଜାଣୁ କେତୀ ମୋର ପ୍ରାଣପ୍ରିୟା, ହୃତ୍‌ପିଣ୍ଡେଶ୍ଵରୀ ! ଶେଷକୁ ଆମ ଦାଣ୍ଡ ଗୁହାଳ କାନ୍ଥରେ ସୁଦ୍ଧ ପ୍ରଚାର କରିଦେଲି, ସେଇ ଘୋଷଣା–କେତୀ+ମନୁଆଁ ! ବାପା ଦେଖନ୍ତୁ ! ପରବାୟ ନାହିଁ !

 

ବୋଉ ଭାଗବତ ଘରେ ସଞ୍ଜଦୀପ ଦେଇ, ମାଟିଉପରେ ମୁଣ୍ଡ ଠକ୍‍ଠକ୍ କରୁଥିଲା । ହାଂଡ଼ିଶାଳରୁ ଧୂଆଁ ମୋଡ଼ି ମୋଡ଼ି ହୋଇ ବାହାରୁଚି ଚାଳ ଉପରକୁ । ହାଣ୍ଡିଶାଳ ଭିତରକୁ ପଶିଯାଇଁ ଚିଠିଟାକୁ ଚୁଲିରେ ମୁହାଁଇଦେଲି । ମୋ ପ୍ରେମକଥାରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା । ଛାତିରେ ମୋର କିଏ ଯେପରି ହାତୁଡ଼ି ପିଟୁଚି !

 

ବୋଉ ଭାଗବତ ଘରୁ ବାହାରି ଅକାରଣଟାରେ ପାଟିକଲା... “ମନୁଆଁ କିରେ ? ସେମିତି ଖୁଣ୍ଟ ପରି ସରଗକୁ ଚାହିଁ କାଇଁକି ଠିଆ ହେଇଚୁ ?”

 

ମୋତେ କିଏ କିମିଆଁ କରିଛି ବୋଲି ତା’ର ସନ୍ଦେହ, ମୋର ଏହି–ପ୍ରକାର ସବୁ ଆଚରଣରେ କ୍ରମେ ଦୃଢ଼ୀଭୂତ ହେଉଥିଲା । କିନ୍ତୁ ମୋର ସବୁ କ୍ରୋଧ କାହାଉପରେ ଛିଣ୍ଡାଇ ପାରିଲେ, ମୁଁ ଯେପରି ଶାନ୍ତି ପାନ୍ତି ! ମୁଁ ଚିତ୍କାର କରିଉଠିଲି...”ତୁ କ’ଣ ମୋତେ ରଖାଇଦବୁ ନାଇଁ ବୋଉ ? ମୁଁ କଥା ହଉଚି ? ସରଗ ସାଙ୍ଗରେ !”

 

କେତୀର ମହାପ୍ରସାଦ ନିର୍ବନ୍ଧ ପାଇଁ ବୋଉ ଯେପରି ଦାୟୀ ! ବୋଉ ମୋର ଆକସ୍ମିକ ବିସ୍ଫୋରଣର ଅର୍ଥ ବୁଝିପାରିଲା ନାହିଁ । ସିଏ ଫେରିଗଲା ହାଣ୍ଡିଶାଳକୁ–ତା’ର ନିଶ୍ଚିନ୍ତ ପୃଥିବୀ । କିନ୍ତୁ ଏଇଟା ସରଗ ସାଙ୍ଗରେ କଥା ହଉଚି କ’ଣ ? ହେମା ଜାଗୁଳେଇ !

 

ମୁଁ ଗୋଟାଏ ସଉପ ଭାଗବତ ପିଣ୍ଡାରେ ପକାଇ ଶୋଇପଡ଼ିଲି । ଆକାଶରେ ବୁଣିହୋଇ ପଡ଼ିଲାଣି, ଅସୁମାରି ଝିକିମିକି ତାରା–ସେସବୁ ଯେପରି ଲକ୍ଷଲକ୍ଷ ବୃଶ୍ଚିକ ଦଂଶନ ! ସେଥିରୁ ମୁକ୍ତି ପାଇବା ପାଇଁ ମୁଁ ହଠାତ୍ ଚେକା ପକାଇ ବସି ଆଖିବୁଜି ଗୋଟାଏ ପ୍ରାର୍ଥନା ଗାଇଲି...

 

“ହେ ଅନନ୍ତ ମହାପ୍ରଭୋ କେ ପାରିବ ବର୍ଣ୍ଣି

ତୋର ମହିମାର କଥା ଅପାର ଅଗମ୍ୟ ।”

 

ବୋଉ ହାଣ୍ଡିଶାଳ ପିଣ୍ଡାରେ ବସି କ’ଣ ଗୋଟାଏ କରୁଥିଲା ବୋଧହୁଏ । ମୋ ପାଟିଶୁଣି, ସେ ବିକଳ କଣ୍ଠରେ ଚିତ୍କାର କଲା... “ତୁ କାହିଁକି ସେମିତି ବିଳିବିଳୋଉଚୁ କିରେ ? ହେ ମା’ ଜାଗୁଳେଇ ।”

 

ମୁଁ ବିରକ୍ତ କଣ୍ଠରେ ଉତ୍ତର ଦେଲି–“ମତେ ଠାକୁରଙ୍କୁ ଟିକିଏ ପ୍ରାର୍ଥନା କରିବାପାଇଁ ବି ତୁ ଦବୁନାଇଁ ବୋଉ ?” ମୋତେ କିଏ କିମିଆ କରିଥିବା ସନ୍ଦେହଟା ବୋଉର ଦୃଢ଼ୀଭୂତ ହୋଇଗଲା ।

 

ଦୁଇଦିନ ଘରେ ମୁହଁମାଡ଼ି ଶୋଇଲି ।

 

ରଞ୍ଜନ ଆସିଥିଲା । ବୋଉ କହିଲା–“ଖରାରେ ତା’ର ପିତ୍ତ ପଡ଼ିଛି, ମୁଣ୍ଡ ବୁଲୋଉଚି, ଶୋଇଚି ।”

 

ରଞ୍ଜନ ମୋ ପାଖକୁ ଆସିଲା । ମୁଁ ଖଟଉପରେ ଉଠି ବସିଲି ।

 

ରଞ୍ଜନ କହିଲା–“ପ୍ରେମପତ୍ରର କରାମତି ଦେଖିଲୁ ତ ! ଏକାଥରେ ଯୁକ୍ତଚିହ୍ନ !”

 

ମୁଁ କୌଣସି ଉତ୍ତର ନଦେଇ ହସିଲି–ଅଜାଙ୍କ ଓଠରେ ସେଇ ରହସ୍ୟବୋଳା ହସର ଅନୁକରଣ କରି !

 

ରଞ୍ଜନ କହିଲା–“ତୁ ତ ହିରୋ ବନିଗଲୁ । ତୋ ନାଁରେ କାନ୍ଥରେ ବାଡ଼ରେ କିଏ ସବୁ ଗାରେଇ ଗଲେଣି କେତୀ+ମନୁ ! ଏଇ ଯେ ହିରୋ ପରି କଥା–

 

“ଏକଇ ଫାଲ୍‌ଗୁନେ ଲକ୍ଷ ଫୁଲ ଫୁଟେ

ଭ୍ରମର ଗୋଟିକରୁ ଗୋଟିକୁ ଚୁମି ଛୁଟଟେ ।”

 

କବିଆଳୀ ସ୍ୱରରେ ଆବୃତ୍ତି କଲା ରଞ୍ଜନ !

 

ରଞ୍ଜନ ଦେଖିଲାଣି ତ କେତୀ+ମନୁଆଁ ! ସଫଳତା ଆଉ ଗର୍ବରେ ମୋର ଛାତି ଫୁଲିଉଠିଲା । କିନ୍ତୁ ମୁଁ ବୁଝିପାରିଲି ନାହିଁ, ସିଏ ଆନନ୍ଦ ନୁହେଁ । ସିଏ ଜ୍ଵାଳା ଈର୍ଷାର ! ବ୍ୟର୍ଥତାର ! ଏତେ କଷ୍ଟରେ ଲେଖା, ସେ ପ୍ରେମପତ୍ରଟା ଶେଷକୁ ଚୁଲିରେ ଗଲା, ସେ କଥା କିପରି ବା କହିବି ରଞ୍ଜନକୁ !

 

ଦୁଇଦିନ ପରେ, ସଂଧ୍ୟାରେ ବୁଲି ବାହାରିଥିଲି ସାଇକଲ୍‌ରେ, ବସ୍‌ଷ୍ଟାଣ୍ଡ ବଜାର ଆଡ଼େ-। ରାଜନ ଗୋଟାଏ ପାନଦୋକାନ ସାମନାରେ କଳେ ପାନ ଚୋବାଇ, ଖଣ୍ଡେ ସିଗରେଟ୍‌ରେ ଗୋଟାଏ ଠାଣିରେ ନିଆଁ ଲଗାଉଥିଲା । ସିଏ ବି କହିଲା–“କି ବେ, ତୁ ବି ସେଇ କେତୀ ସାଙ୍ଗରେ ଲଟର ପଟର !” ତାହେଲେ କେତୀ+ମନୁ ସମ୍ବାଦ ସବୁଆଡ଼େ ପ୍ରଚାରିତ ହୋଇଗଲାଣି-! କେତୀ ବରଘର କ’ଣ ଆଉ ଶୁଣିନଥିବେ ? ମୁଁ କୌଣସି ଉତ୍ତର ନଦେଇ, ହସିଲି ସେଇ ରହସ୍ୟବୋଳା ହସ !

 

ଘରକୁ ଫେରି, ପାହାଚ ଉପରେ ସାଇକେଲ୍ ଉଠାଉଚି; ଶୁଣିଲି–ବାପା ବୋଉଙ୍କ ମଧ୍ୟରେ ଚାଲିଚି କ’ଣ କଥା କଟାକଟି । ତାରି ଭିତରେ ମୋ ନାଁଟା ବାରମ୍ବାର ଶୁଣିପାରି, ମୁଁ ଦାଣ୍ଡଘରେ ଦଣ୍ଡେ କାନ ପାରି ଠିଆ ହୋଇଗଲି ।

 

ବାପା କହୁଚନ୍ତି–“ଗୁଣମଣିଙ୍କର ଗୁଣ ବିକଶିଲାଣି !”

 

ବୋଉ ଜବାବ ଦେଉଚି–“ମୋ ପୁଅ ଏଣ୍ଟେନସ୍ ପାସ୍ କଲାଣି । ତା’ ଗୁଣ ଆଉ ବିକଶନ୍ତା ନାଇଁ କି ?”

 

“ତମ ଦୁନିଆଁ ତ ହାଣ୍ଡିଶାଳ । ଦାଣ୍ଡକୁ ଯାନ୍ତ କି ଦେଖନ୍ତ, ଶୁଣନ୍ତ ! ଲଜ୍ଜ୍ୟାରେ ମଣିଷ ମୁଣ୍ଡ ଟେକି ପାରିଲା ନାହିଁ ।”

 

“କ’ଣ ଶୁଣିବି ବା ? ତମେ ଶୁଣୁଥା !”

 

“ସେଇ କେତୀ ଟୋକୀ ସାଙ୍ଗରେ ମନୁଆଁକୁ ଯୋଡ଼ି, ବାରଲୋକେ ବାରକଥା କହୁଚନ୍ତି-!” –ବାପା କହିଲେ, ରାଗମିଶା କଣ୍ଠରେ !

 

“ପୋଡ଼ିଯାଉ, ସେଗୁଡ଼ାଙ୍କ ମୁହଁ । ପୋକ ପଡ଼ୁ । ମୋ ପୁଅ ତ ଉପରକୁ ମୁଣ୍ଡଉଠେଇ ଦାଣ୍ଡରେ ବାଟ ଚାଲେ ନାଇଁ ! ତା’ ନାଁରେ ପୁଣି ଏ ବୋଲଣା ! ମୋ ପୁଅ ପୁଣି ସେଇ ଟୋକୀ ସାଙ୍ଗରେ... ! କିଏ କହିବ ମୋ ମୁହଁ ଆଗରେ କହୁତ, ତା’ ଜିଭ ଓପାଡ଼ି ଦେବିନାଇଁ !”

 

ବୋଉର ଉଗ୍ରମୂର୍ତ୍ତି ଦେଖି ବାପା ଟିକିଏ ବୋଧହୁଏ ଶଙ୍କିଗଲେ । ବାପାଙ୍କ ଆଡ଼ୁ ଆଉ କୌଣସି କଥା ଶୁଣାଗଲା ନାହିଁ ! ସେଇ ବିରତି ଭିତରେ ମୁଁ ଗଳାଖଙ୍କାର ମାରି ଭିତରକୁ ପଶି ଆସିଲି ।

 

ବାପା କହିଲେ... “କଲେଜରେ ନାଁଲେଖା ଆରମ୍ଭ ହେଲାଣି । ଯୋଗୀ ନାହାକକୁ କହିଚି ଗୋଟାଏ ଭଲ ଦିନ ବାର ଦେଖିବା ପାଇଁ । ତୁ କଟକ ଚାଲିଯା । ଓଭରସିଅର୍ ବାବୁଙ୍କ ଜଣେ ସାଙ୍ଗ ସାରଦା ବାବୁ ଓଡ଼ିଆ ବଜାରରେ ଜୟମଙ୍ଗଳା ମେସ୍ କରିଚନ୍ତି । ସେଇ ମେସ୍‌ରେ ରହିବୁ । ସାରଦା ବାବୁ ହେବେ ତୋର ଲୋକାଲ୍ ଗାର୍ଜନ୍ !”

 

କଟକ...କଟକ...କଲେଜରେ ନାଁ ଲେଖା...ଜୟମଙ୍ଗଳା ମେସ୍...ମୋ ମନ ଉଚ୍ଚାଟ ହୋଇଉଠିଲା ।

 

ସେଦିନ ରାତିରେ ଅନେକ ବେଳ ଯାଏଁ ଦାଣ୍ଡଘର ଖଟଉପରେ ପଡ଼ି ମୁଁ ଶୁଣିଛି ବାଉଁଶବଣରେ ବାତୁଳ ପବନରେ ସାଇଁ ଦୀର୍ଘଶ୍ଵାସ ଆଉ ବାଉଁଶ ସାଙ୍ଗରେ ବାଉଁଶ ଘଷି ହୋଇଯିବା ବେଳେ କେଁ କଟ୍‍କଟ୍ ! ମୋ ଆଖିରେ ନିଦ ନାହିଁ । ବାଉଁଶ ବଣ ମତେ କ’ଣ ସବୁ କହିଯାଉଛି । ...ଏ ଗାଁ ଆଉ ଭଲ ଲାଗୁନଥିଲା । ଶୋଭାକୁ ତ କେଉଁ ଦିନୁ ବିଦାୟ ଦେଇସାରିଥିଲି, ଏବେ କେତୀ ବ୍ୟାପାରଟା ମଧ୍ୟ ଫିକା ପଡ଼ି ଆସିଥିଲା ! କେତୀ ଠିକ୍ କହିଥିଲା–ପ୍ରେମ ଫ୍ରେମ ସବୁ କିତାବ କଥା । ବହି ମାନଙ୍କରେ ଲେଖାଥାଏ କେବଳ ।

 

ଯୋଗୀ ନାହାକ କାଲି ଦିନ ଠିକ୍ କରିଦିଅନ୍ତା କି !

 

ଅବଶେଷରେ ଆସିଲା ମୁକ୍ତିର ସେହି ପ୍ରତ୍ୟାଶିତ ଦିନ ।

 

ମୁଁ ସାଇକେଲ୍‌ରେ ଚଢ଼ି ବାହାରିଲି ବସ୍‍ଷ୍ଟାଣ୍ଡକୁ । ଆମ ମୂଲିଆ ଗୋଟାଏ ବାଉଙ୍ଗୀରେ ଗୋଟାଏ ଟିଣଟ୍ରଙ୍କ୍ ଆଉ ବିଛଣା କାନ୍ଧେଇ ପଛେପଛେ ଆସିଲା ।

 

କେତୀ+ମନୁ ସମ୍ବାଦ–ଦେଖିଲି କୋଉ କାନ୍ଥରେ ଆଉ ନଥିଲା । ମିଶି ଯାଇଥିଲା ମାଟି ଗୋବର ପୋଛା ତଳେ ।

 

ମୋ ମନରୁ ମଧ୍ୟ ପୋଛି ହୋଇଯାଉଥିଲା କେତୀ ।

 

ପାଞ୍ଚ

 

କଟକ ଷ୍ଟେସନ ବାହାରେ, କଳା ଫିତା ପରି ଅଙ୍କେଇ ବଙ୍କେଇ ଫିଟି ପଡ଼ିଥିବା ପିଚୁରାସ୍ତା ଉପରେ ପାଦଦେବା ମାତ୍ରେ, ମୁଁ ଅନୁଭବ କଲି ମୋ ଦେହ ଓ ମନରେ ଗୋଟାଏ ନୂଆ ଉତ୍ତେଜନା । ବାପାଙ୍କ ଗାରଡ଼ିଆ ଚାହାଣି ନାହିଁ–ବୋଉର ମନୁଆଁ ମନୁଆଁ ଚିତ୍କାରର ଅଭାବ ଅନୁଭବ କରୁଥିଲି ଅବଶ୍ୟ–ମୁଁ ଏଣିକି ମୁକ୍ତ ବିହଙ୍ଗ । ବାପା ବେଳେବେଳେ, ମୋ ଉପରେ କୌଣସି କାରଣରୁ ଚିଡ଼ିଲେ, ବ୍ୟଙ୍ଗୋକ୍ତି କରନ୍ତି, “ଗୁଣମଣିଙ୍କ ଡେଣାରେ ପର ଲାଗିଚି । ମୁଁ ଏଣିକି ଉଡ଼ିବି, ଏଇ ମୁକ୍ତ ଆକାଶରେ । ...ଆକାଶ ଗାଢ଼ ସୁନୀଳ । ସେଥିରେ ଡେଣା ମେଲିବାର ଆମନ୍ତ୍ରଣ । ଆକାଶ ହସୁଚି !

 

“ଏୟ, ରିକ୍‌ସା”

 

ବାପା ମୋତେ କହିଦେଇଥିଲେ, ଟେସନ୍‌ରେ ଓହ୍ଲେଇ ସେମିତି ମଫସଲିଙ୍କ ପରି ଆବାକାବା ହୋଇ ଅନେଇବୁ ନାହିଁ । ସେମାନେ ଧରିନେବେ ମଫସଲିଆ, ଆଖିରୁ କଳା କାଢ଼ିନେବେ... ମୁଁ ମନେମନେ କହିଲି, କଲିକତା ବୁଲିଆସିଚି ମୁଁ... କଟକ ଟା କି ବା ସହର ? ବାପା ପୁଣି କହିଦେଇଥିଲେ, କୁଲିକୁ ଦି’ ପ‌ଇସାରୁ ବେଶୀ ଦବୁ ନାଇଁ । ଓଡ଼ିଆ ବଜାରରେ ଜୟମଙ୍ଗଳା ମେସ୍‌କୁ ଭଡ଼ା ଦଶପ‌ଇସା ରେକ୍‌ସାରେ ।

 

ମୋ ଚାରିପଟେ ଘେରିଗଲେ ଦୁଇ ତିନିଟା ହାତଟଣା ରିକ୍‌ସାବାଲା, ଘଣ୍ଟି ଟୁଙ୍ଗ୍‍ଟାଙ୍ଗ୍ କରି–ସାଇକେଲ୍ ରିକ୍‌ସା ମଧ୍ୟ ଥିଲା ଗୋଟାଏ ଦୁଇଟା, ଘୋଡ଼ାଗାଡ଼ି ବି ! କିନ୍ତୁ ମୋ ଚେହେରା ଦେଖି ବୋଧହୁଏ ସେମାନେ କେହି ମୋ ଆଡ଼େ ଅନେଇଲେ ନାହିଁ ! ଗୋଟାଏ ହାତଟଣା ରିକ୍‌ସା ଉପରେ କୁଦି ବସିପଡ଼ିଲି, କାନ୍ତମାମୁଁଙ୍କ ଠାଣିରେ । କୁଲି ମୁଣ୍ଡରୁ ମୋର ଟିଣଟ୍ରଙ୍କ ଆଉ ସତରଞ୍ଜିରେ ଦ‌ଉଡ଼ିବନ୍ଧା ବିଛଣାଟା ଓହ୍ଲାଇ ରିକ୍‌ସା ଉପରେ ଲଦିଦେଲା । ସାଇକଲ୍‌ଟାକୁ ମଧ୍ୟ ଟେକାଟେକି କରି ଲଦାଗଲା ତା’ ଉପରେ । କୁଲିକୁ ଦେଲି ଦୁଇପ‌ଇସା । ହାତ ପାପୁଲି ଉପରେ ପ‌ଇସା ଦୁଇଟା ଧରି, ସେ ଅଳି ବା ଜିଗର କଲା ନାହିଁ; କିନ୍ତୁ ଏପରି ଆଖିରେ ଚାହିଁଲା, ଯାହାର ଅର୍ଥ–ମୁଁ ତ ପୁଣି ବଞ୍ଚିବି ! ଆଉ ପ‌ଇସାଟାଏ ଦେଲେ ହୁଅନ୍ତା ନାହିଁ ? ମୁଁ ଆଉ ଦି’ଟା ପ‌ଇସା ତା’ ହାତରେ ପକାଇଦେଲି । କୃତ୍ୟକୃତ୍ୟ ହେଲାପରି ସେ ଚାଲିଗଲା । ବାପା ଯଦି ଦେଖିଥାନ୍ତେ ନାଁ, ତାହେଲେ ତା’ ହାତରୁ ଅଧିକା ସେ ଦୁଇପ‌ଇସା ନିଶ୍ଚୟ ଝାମ୍ପି ନେଇଥାନ୍ତେ ଚିଲ ପରି । ଇଏ ବଦଖର୍ଚ୍ଚ । ମୋଉପରେ ଚିତ୍କାର କରିଥାନ୍ତେ, ପ‌ଇସା କ’ଣ ଶସ୍ତାପଡ଼ିଚି ? ପ‌ଇସାଟାଏ କାଟିଥାନ୍ତୁ ସିନା !

 

ରିକ୍‌ସାବାଲା ଦଣ୍ଡାଉପରେ ଦୁଇ ହାତମୁଠା ଜାବୁଡ଼ି, ବେକଭାଙ୍ଗି ପଚାରିଲା, “କୋଉଠିକି ଲେବି ବାବୁ ?”

 

ବେପରୁଆ କଣ୍ଠରେ ମୁଁ କହିଲି...ଓଡ଼ିଆ ବଜାର ।

 

ବାପା ବତେଇ ଦେଇଥିବା ଠିକଣା, ମୁଁ ଆଉଥରେ ମନେପକାଇଲି । ଓଡ଼ିଆ ବଜାରରେ ନନ୍ଦବୋଷ କୋଠା, ସେଉଠୁ ବାଁହାତକୁ ପଡ଼ିଚି ଗୋଟାଏ ଗଳି, ଦୁଇପଟେ ବଣସିଝୁ ବାଡ଼, ସେଇ ଗଳିରେ ଗଲେ ଯୋଉଠି ଗୋଟାଏ ମ୍ୟୁନିସିପାଲଟି ବତୀଖୁଣ୍ଟ ପଡ଼ିବ, ସେଠୁ ପୁଣି ଭାଙ୍ଗିଯିବୁ ଡାହାଣ ହାତ, ସେଇ ଡାହାଣହାତି ଗଲେ ଜୟମଙ୍ଗଳା ମେସ୍ । ନପାଇଲେ ପଚାରିଦବୁ ସାରଦାବାବୁଙ୍କ ଜୟମଙ୍ଗଳା ମେସ୍‌ । ଓଭରସିଅର୍ ବାବୁ ବନ୍ଦୋବସ୍ତ କରି ଦେଇଥିଲେ, ସାରଦାବାବୁଙ୍କ ମେସ୍–ବାରିକମୟୀ ଇଲାକାରେ ସେ ବଡ଼ବାବୁ । ସେହି ସୂତ୍ରରେ ସାରଦାବାବୁଙ୍କ ସହିତ ଓଭରସିଅର୍ ବାବୁଙ୍କ ପରିଚୟ । ଓଭରସିଅର୍ ବାବୁ କହିଥିଲେ... “ମନୁ ସେଇ ମେସ୍‌ରେ ରହିଲେ ଭଲହବ । ସାରଦା ବାବୁ କଡ଼ା ଲୋକ, ସିଏ ହେବେ ତା’ର ଲୋକାଲ୍ ଗାର୍ଜନ୍ !” ଓଭରସିଅର୍ ବାବୁ ଖଣ୍ଡେ ଚିଠି ମଧ୍ୟ ଲେଖିଦେଇଥିଲେ ସେଇ ମର୍ମରେ ସାରଦାବାବୁଙ୍କ ପାଖକୁ । ଜୟମଙ୍ଗଳା ମେସ୍‌ଟା ତାଙ୍କରି । ଅର୍ଥାତ୍ ସେଇ ତା’ର ପ୍ରତିଷ୍ଠାତା ।

 

କଟକ ସହର କୁଙ୍କୁରିକାଙ୍କରି ହୋଇ ଧକୋଉଚି ଧ‌ଇଁପେଲା ବୁଢ଼ାଟିଏ ପରି ! କଲିକତାର ଗତି ଚଞ୍ଚଳତା ନାହିଁ ! ରାସ୍ତାକଡ଼ର ଦୋକାନ ଗୁଡ଼ା ଆଖି ମିଞ୍ଜିମିଞ୍ଜି କରୁଛନ୍ତି । ହାତଟଣା ରିକ୍‌ସା କେତେଖଣ୍ଡ ଚାଲିଛି ଘଣ୍ଟି ଠଣ୍‍ଠଣ୍ କରି । ବେଳେବେଳେ ଘୋଡ଼ାଗାଡ଼ିଟାଏ ଯେତେବେଳେ ଯାଉଛି... ସ‌ଇସର୍ ହଟୋ ହଟୋ ଚିତ୍କାରରେ ଝିମେଇ ପଡ଼ିଥିବା ରାସ୍ତାଟା ଚମକିଉଠୁଚି । ଏ ରାସ୍ତାଟା ଯେପରି ସେଇମାନଙ୍କର । ରିକ୍‌ସାବାଲା ବା ବାଟଚଲା ମଣିଷଗୁଡ଼ାକ ଯେପରି ସେଇମାନଙ୍କ ଦୟାରେ କେବଳ, ଚଳପ୍ରଚଳ ହେଉଛନ୍ତି ସେ ରାସ୍ତାରେ । ମଟରଗାଡ଼ି କାଁଭାଁ ଗୋଟାଏ । ହର୍ଣ୍ଣ ବଜାଇ ଚାଲିଗଲା ବେଳେ, ପଛରେ ଉଡ଼ୁଚି ନାଲିଧୂଳିର ଘୂର୍ଣ୍ଣୀ !

 

ତଥାପି ଏଠିବି ଅଛି ବାଉଁଶବଣ, ଦଳପୋଖରୀ, ଗ‌ଉଡ଼ଗୋବିନ୍ଦ ଆଉ ଭୁତିଆରି ଜଙ୍ଗଲ । ତାରି ପାଖରେ ଏଠିସେଠି ମୁଣ୍ଡଟେକି ଉଠିଚି କୋଠାଟାଏ ! ଇଏ ପୁଣି ଗୋଟାଏ ସହର-? କିନ୍ତୁ ଏହାର ମାଟି ଆଉ ପବନରେ ଗୋଟାଏ ନୂଆ ଉତ୍ତେଜନା ! କଟକ ସହର ଧବଳ ଟଗର...ମନେପଡ଼ିଗଲା ମଧୁରାଓଙ୍କ ବର୍ଣ୍ଣବୋଧ ।

 

ଓଡ଼ିଆ ବଜାରରେ ପହଞ୍ଚି ରିକ୍‌ସାବାଲା ମୋ ଆଡ଼େ ବେକଭାଙ୍ଗି, ପଚାରିଲା... “କୋଉଠିକି ଯିବେ ବାବୁ !”

 

“ନନ୍ଦବୋଷଙ୍କ କୋଠାପାଖକୁ ଚାଲ ।”

 

ନନ୍ଦବୋଷଙ୍କ କୋଠା, ଗୋଟାଏ ଶିଉଳି ବସା, ପ୍ରକାଣ୍ଡ ଦୋମହଲା ଭୂତକୋଠି । ବାହାରୁ ତା’ ଭିତରେ ଜନଜୀବନର ସଙ୍କେତ ନାହିଁ । ଡାହାଣଛାତି ଚାଲିଯାଇଛି ଗୋଟାଏ ସରୁଗଳି-। ଦୁଇପାଖେ ବଣସିଝୁ ବାଡ଼ । ନାଲିମାଟି ପଡ଼ିନଥିଲେ ମନେହୁଅନ୍ତା ଗାଁ ଗୋହିରୀ ପରି-! ଆମ ଗାଁ ଦାଣ୍ଡରେ ସେଇ ଚଉଧୁରା କୋଠା । ତା’ର ଚେହେରା ଅନେକଟା ବି ଏଇପରି ଶିଉଳିବସା... କାନ୍ଦୁରା, କାନ୍ଦୁରା । କାନ୍ତମାମୁଁଙ୍କ କଥା ହଠାତ୍ ମନେପଡ଼ିଗଲା... ମୁଁ କହିଲି, ସେମାନେ ବଡ଼ଲୋକ-! କାନ୍ତମାମୁଁ ଚିଡ଼ିଉଠିଲେ, କହିଲେ, “ବଡ଼ଲୋକ ? କାଟିକରେ ଗୋଟିଏ ବଡ଼ଲୋକ ବି ମିଳିବେ ନାହିଁ । କହ ମାଲ୍‍ଦାର୍ ଲୋକ, ନୀଲୋକ ! ଅନ୍ୟକୁ ହାତରେ ନୋହିଲେ ଭାତରେ ନମାରି କିଏ ଧନୀଲୋକ ହୋଇଚିରେ ?” ନନ୍ଦବୋଷ ହୁଏତ ସେଇପରି ମାଲଦାର୍ । କିନ୍ତୁ ତାଙ୍କ କାଠା ଉପରେ ଶିଉଳି ବୋଳି ହୋଇଗଲାଣି କାହିଁକି ? କେଜାଣି ? ଚେହେରାଟା କାହିଁକି କାନ୍ଦୁରା କାନ୍ଦୁରା ? ଅନେକ ଲୋକଙ୍କର ଲୁହବୋଳି ହାଇଯାଇଚି ତା’ର ଚେହେରା ଉପରେ ।

 

ରିକ୍‌ସା ଘଣ୍ଟି ଠିଣ୍‍ଠିଣ୍ କରି ଗଳି ଭିତରକୁ ପଶିଲା ।

 

ମୁଁ କହିଲି... “ଜୟମଙ୍ଗଳା ମେସ୍” ।

 

“କୋଉଠି ?”

“ଚାଲ ଆଗକୁ... ସେଇ ବତୀଖୁଣ୍ଟ ପାଖକୁ ।”

ଆଗରେ ଦେଖାଯାଉଛି ବତୀଖୁଣ୍ଟ ! କାଠଖୁଣ୍ଟଟା ଟିକିଏ ଅଣେଇ ପଡ଼ିଚି । ତା’ ଉପରେ ଗୋଟାଏ କାଚଅଣ୍ଟା ଚାରିକୋଣିଆ ଲୁଣ୍ଠନ୍ । ଏଇଟା ଏତିକିରେ ଜଳେ ପରା ! ଏ ବୁଢ଼ାଟା କିଏ ଗୋଟାଏ ହାତରେ ଟିଣ ଝୁଲାଇ, କାନ୍ଧରେ ଶିଡ଼ିଟାଏ ପକାଇ ଆସୁଚି ? ତା’ର ଚେହେରାଟା ବି ଏଇ ବତୀଖୁଣ୍ଟ ପରି । ବୟସର ଭାରରେ ଢଳିପଡ଼ିଚି । ଏମାନଙ୍କ ଦିନ କାଳ ପୂରିଆସୁଛି ପରା !

ରିକ୍‌ସାବାଲା ପଚାରିଲା... “ମଙ୍ଗଳା ଠାକୁରାଣୀ ମେସ୍ କୋଉଠି ?”

ବୁଢ଼ା କୌଣସି ଉତ୍ତର ଦେଲା ନାହିଁ । କାନ୍ଧରୁ ଶିଡ଼ିଟା ଓହ୍ଲାଇ ସେଇ ଖୁଣ୍ଟଉପରେ ଡେରିଲା । ତାପରେ ସେଠାରେ ବସିଲା–କେତେକ୍ଷଣ ।

ମୁଁ କହିଲି–“ଚାଲ୍ ସେଇ ଡାହାଣହାତୀ”–ମୁଁ ତାକୁ ଜଣାଇଦେବାକୁ ଚାହୁଁନଥିଲି ଯେ ମୁଁ ନିପଟ ମଫସଲୀ । ସହରର ରାସ୍ତାଘାଟ ଚିହ୍ନେନା । ରିକ୍‌ସାବାଲା ଅକାରଣରେ ଘଣ୍ଟି ଠିଣ୍‍ଠିଣ୍ କରି, ଡାହାଣ ହାତି ମୋଡ଼ିଲା ।

ଏଇତ ନର୍ଦ୍ଦମା ଧାରରେ ସେଇ ଯୋଉ ଚାଳଘରଟା–ଚକ୍‌ଖଡ଼ିରେ ଆଲକାତରାବୋଳା କବାଟରେ, ଗୋଲ ଗୋଲ ଅକ୍ଷରରେ ଲେଖାହୋଇଛି, ଜୟମଙ୍ଗଳା ମେସ୍ । ରିକ୍‌ସାକୁ ଅଟକାଇଲି ସେଠୁ । ଅପରାହ୍ନର ତେରେଛା ଖରା ପଡ଼ିଥିଲା, ମେସ୍ ଦୁଆରେ ଗୋଟାଏ ସଜନାଗଛ ଡାଳରେ । ଏଠି ବି ଗୋଟାଏ ସଜନା ଗଛ ! ଦରଜା କଡ଼ା ଝଣଝଣ କଲି । କେତେ କ୍ଷଣ ପରେ ଭିତରୁ କବାଟ ଫିଟିଲା ।

“କିଏକିରେ ଦଧି ?” –କଣ୍ଠ ସ୍ୱରଟା ଘାଘଡ଼ା । ଇଏ କ’ଣ ସାରଦାବାବୁଙ୍କ କଣ୍ଠସ୍ୱର ? ଦଧିର ଆଖିଦୁଇଟା ଧୂର୍ତ୍ତ । ଆଖିପତା ଦୁଇଟା ସଁବାଳୁଆ ପରି ।

“କାହାକୁ ଖୋଜୁଚ ?”

“ଇଏ । ସାରଦାବାବୁ–” ହଠାତ୍ ଅପ୍ରତିଭ ହୋଇପଡ଼ିଥିଲି, ଏଇ ଅପରିଚିତ ପରିବେଶରେ । ରିକ୍‌ସାବାଲା ପିଣ୍ଡାଦାଢ଼ରେ ବସି ଖଣ୍ଡେ ମଇଳା ଗାମୁଛାରେ କପାଳରୁ ବିନ୍ଦୁବିନ୍ଦୁ ଝାଳ ପୋଛୁଥିଲା ।

ସାରଦାବାବୁ ବାହାରି ଆସିଲେ । ଅଳ୍ପପୂର୍ବେ ଅଫିସରୁ ଫେରିଚନ୍ତି ପରା ! ମିଜାଜ୍‌ଟା ସେଇଥିପାଇଁ ଚଢ଼ା, ଅପ୍ରସନ୍ନ । ପିନ୍ଧିଛନ୍ତି ଖଣ୍ଡେ ଲୁଙ୍ଗୀ । ଉଦରଟି ପୃଥୁଳ, ବଡ଼ବାବୁସୁଲଭ । ଗୁଡ଼ାଖୁ ଘଷୁଛନ୍ତି ଭଦ୍ରଲୋକ, ଆଉ ଛେପ ପକାଉଚନ୍ତି, ପିକ୍‍ପିକ୍ ।

“କ’ଣ ଦରକାର ?”

ସାରଦାବାବୁଙ୍କୁ ବଢ଼ାଇଦେଲି ଓଭରସିଅର୍ ବାବୁଙ୍କ ଚିଠି । ସାରଦା ବାବୁ ଚିଠିଟା ଉପରେ ଥରେ ଆଖିବୁଲାଇ ପଚାରିଲେ... ‘‘ତମେ ଯୋଗୀବାବୁ ଓଭରସିଅରଙ୍କୁ ଜାଣିଲ କେମିତି-?”

 

“ସିଏ ମୋ ବାପାଙ୍କ ବନ୍ଧୁ ତ !”

 

“ବାପା କ’ଣ କରନ୍ତି ?”

 

‘‘ଠିକାଦାରି !” –ପେଟୀ ବୋଲି କହିଲି ନାହିଁ ।

 

ସାରଦା ବାବୁ ଏଣିକି ତେଣିକି କ’ଣ ଭାବିଲା ପରି ଚାହିଁଲେ; ମୋଆଡ଼େ ଚାହିଁଲେ କିଛି କ୍ଷଣ; ତା’ପରେ କହିଲେ... “ହଁ, ମୁଁ କହିଥିଲି ଲୋକାଲ୍ ଗାର୍ଜନ ହେବି ବୋଲି । ହେଲେ ମେସରେ ତ ଆଉ ସିଟ୍ ନାହଁ । ଆଛା ଦଧି ଏ ବାବୁ ଅବିକା ରହନ୍ତୁ ପଦବାବୁଙ୍କ ରୁମ୍‌ରେ । ପରେ ଆଉ କୋଉ ମେସ୍ ଦେଖିଦେ । ମେସରେ ସୀଟ୍‌ରେଣ୍ଟ୍ ମାସକୁ ଚାରିଟଙ୍କା ଆଉ ଖୋରାକି ଛଅଟଙ୍କା । ସବୁ ମାସ ପ୍ରଥମ ସପ୍ତାହରେ ବୁଝିଲ !”–ସାରଦା ବାବୁ କଳେ ଗୁଡ଼ାଖୁ ଛେପ ପିଚ୍ କରି ପକାଇ ଭିତରକୁ ଚାଲିଗଲେ ।

 

ଦଧି ମୋର ଚେହେରା ଦେଖି ଖୁବ୍ ପ୍ରସନ୍ନ ହେବାପରି ଜଣାପଡ଼ିଲା ନାହିଁ । ମୁଁ ଆସିଲେ, ତା’ର କି ଲାଭ ? ଦଧି ମୋ ଟ୍ରଙ୍କ୍ ଆଉ ବିଛଣାଟା ନେଇ ପଦ ବାବୁଙ୍କ ରୁମ୍‌ରେ କଚାଡ଼ିଦେଲା । ରୁମ୍‌ଟା ଅଣଓସାରୀ । ପଦ ବାବୁ ଖଟ ବ୍ୟବହାର କରନ୍ତି ନାହିଁ ପରା ! ତଳେ ମଶିଣାଟାଏ ପଡ଼ିଛି । ମୁଣ୍ଡଆଡ଼କୁ ଖଣ୍ଡେ ଇଟା । ମୁଣ୍ଡଉପରକୁ କାନ୍ଥ ଉପରେ ଝୁଲୁଛି ରାମକୃଷ୍ଣ ପରମହଂସ, ଗାନ୍ଧୀ, ବିବେକାନନ୍ଦଙ୍କ ଫଟ–ଏହି କ୍ରମରେ । ପ୍ରତି ଫଟ ଦେହରେ କିଛି କିଛି ଫୁଲ । ତା’ ତଳେ ଗୋଟାଏ ଟ୍ରଙ୍କ୍ ଉପରେ ବହି ଆଉ ଖାତା ଥାକହୋଇ ରହିଛି । ସାମାନ୍ୟ ଇତଃସ୍ତତତା ନାହିଁ । ଟ୍ରଙ୍କ୍ ପାଖକୁ ଗୋଟାଏ ଚରଖା ।

 

ମୁଁ ପଚାରିଲି, ‘‘ଇଏ କ’ଣ ଗାନ୍ଧୀବାଲା କି ?”

 

ଦଧି ଉତ୍ତର ଦେଲା... “କଲିଜ୍‌ରେ ପଢ଼ନ୍ତି । ତାଙ୍କ ଛଡ଼ା ଏ ମେସରେ ଆଉ କେହି କଲିଜ୍‍କି ଇସ୍କୁଲରେ ପଢ଼ନ୍ତି ନାହିଁ । ଅତସୀ ବାବୁଙ୍କ ନାଁ ଅଛି କଲିଜ୍‌ରେ । କଦବା ସିଏ ଯାନ୍ତି କଲିଜ୍‌କୁ । ଜମିଦାର ଘର ପିଲାତ ! ...ହେଇତି ଯାଇଁଲ ଏ ପଦବାବୁ ଆଡ଼ପାଗଳା । ହୁସିଆରିରେ ଚଳିବ ତାଙ୍କ ସାଙ୍ଗରେ ।”

 

ନାଁ, ଦଧି ଲୋକ ମନ୍ଦ ନୁହେଁ ! ଆଉ କ’ଣ ଗପିଥାନ୍ତା ପରା ! ଅନ୍ୟ ରୁମ୍‌ରୁ କିଏ ଜଣେ ଗମ୍ଭୀର କଣ୍ଠରେ ଡାକିଲା... “ଦଧି...ଦଧି”

 

“ଏଇ ଅତସୀବାବୁ ଉଠିଲେଣି । ହୁକା ସଜଡ଼ା ହୋଇନାଇଁ । ଦଧି ଚାଲିଗଲା ତରତର ହୋଇ ।

 

ଅତସୀ ବାବୁ କଲେଜରେ ପଢ଼ନ୍ତି, ଅଥଚ କଲେଜ ଯାନ୍ତି ନାହିଁ । ହୁକା ଟାଣନ୍ତି ଆରାମରେ, ବଡ଼ ବିଚିତ୍ର ତ ! ପଦବାବୁ ମଧ୍ୟ କଲେଜରେ ପଢ଼ନ୍ତି ଅଥଚ ଗାନ୍ଧୀବାଲା ! ପୁଣି ଆଡ଼ପାଗଳା ! ପରିବେଶଟା କିପରି ରହସ୍ୟମୟ ଲାଗୁଥିଲା ।

 

ଏଣିକି ତେଣିକି ଚାହିଁ ପରିବେଶଟା ସହିତ ପରିଚିତ ହେବାପାଇଁ ଚେଷ୍ଟା କରୁଛି, ଆଉ ଆଘ୍ରାଣ କରୁଛି, ଅତସୀବାବୁଙ୍କ ହୁକାରୁ ଗୁଡ଼ାଖୁଧୂଆଁରବାସନା; ହଠାତ ସାରଦା ବାବୁଙ୍କ ଆବିର୍ଭାବ-। ଏବେ ସେ ଦେହରେ ଖଣ୍ଡେ ଫତେଇ ଗଳେଇଛନ୍ତି...ମେସ୍‌ ମାନେଜର ସୁଲଭ ଚେହେରା-

 

ଏ ରୁମ୍‌ରେ କିଛି ଅସୁବିଧା ହେବ ନାହିଁ ।”

 

“ମୁଁ ତାଙ୍କୁ ସମର୍ଥନ ଜଣାଇ ଉତ୍ତରଦେଲି... “ନାଁ !”

 

“ଦଶଟଙ୍କା ଏବେ ଦେବ ନାଁ କାଲି ସକାଳେ ?”

 

ମୁଁ ଟ୍ରଙ୍କ ଫିଟାଇ, ବୋଉ ଦେଇଥିବା ଗୋଟାଏ ସୁତା ଗାଞ୍ଜିଆରୁ ଦଶଟା ଟଙ୍କା କାଢ଼ି ସାରଦାବାବୁଙ୍କ ହାତକୁ ବଢ଼ାଇଦେଲି । ସାରଦା ବାବୁ ଟଙ୍କା ଦଶଟା ଆଙ୍ଗୁଠିରେ ଠନ୍‍ଠନ୍‌ ବଜାଇ ପରୀକ୍ଷା କରି ଦେଖିନେଲେ... ନାଁ ଏଥିରେ ନକ୍‌ଲୀ ନାହିଁ । ବାପା ବି ଏମିତି ଆଙ୍ଗୁଠିରେ ଟଙ୍କା ଠନ୍‍ଠନ୍‌ ପିଟନ୍ତି । କାନ୍ତମାମୁଁ କିନ୍ତୁ ନିଆରା । ତାଙ୍କ ପାଇଁ ଟଙ୍କା ମାଲ୍‌ ।

 

ସାରଦା ବାବୁ ଚାଲିଗଲେ । ମଶାମାନେ ସେଇ ଦିନ ନ ବୁଡ଼ୁଣୁ ଆରମ୍ଭ କରିଦେଇଥିଲେ ଐକ୍ୟତାନିକ ସଙ୍ଗୀତ !

 

ସକାଳେ ଉଠିବା ବେଳକୁ, ଖୋଲା ଝରକାବାଟେ ଚେନାଏ ଖରା ପଡ଼ିଥିଲା ମୋ ବିଛଣା ଉପରେ । ରାତିରେ କାଲି ବିଛଣାରେ ପଡ଼ୁପଡ଼ୁ, ନିଦ ଲାଗି ଯାଇଥିଲା...କ୍ଳାନ୍ତ ହୋଇପଡ଼ିଥିଲି ତ ! ସେଥିପାଇଁ ମୋର ରୁମ୍‌–ସାଥି ପଦବାବୁ କେତେବେଳେ ଫେରିଲେ ଜାଣିପାରିନଥିଲି ।

 

ବାହାରୁ ଫେରିଆସି ଦେଖେ ଆଚମ୍ବିତ ବ୍ୟାପାର । ପଦ ବାବୁ ମୋ ମଶାରି ଫିଟାଇ, ବିଛଣା ଉଠାଇ, ଚାହର ମଶାରି ଭାଙ୍ଗିଭୁଙ୍ଗି ଅତି ପରିଚ୍ଛନ୍ନ ଭାବରେ ରଖିସାରିଲେଣି ମୋ ଟିଣ ବାକ୍‌ସ ଉପରେ । ଏବେ ଘରଟାକୁ ଚଳାଉଛନ୍ତି ଛାଞ୍ଚୁଣିରେ । ମୁଁ ଭରସି ଭିତରକୁ ପଶିପାରିଲି ନାହିଁ-। ଉଠିବା ମାତ୍ରେ ବିଛଣାଟା । ଉଠାଇଦେବା ମୋର ନିଶ୍ଚୟ କର୍ତ୍ତବ୍ୟ ଥିଲା । ପଦବାବୁ ସେଇ କଥା ମୋତେ ଶିକ୍ଷା ଦେଲେ ପରା ! ଘରଟା ଓଳାଇ ସାରିବା ପରେ, ପଦବାବୁ ମୋ ସତରଞ୍ଜିଟା ଫିଟାଇ ପକାଇଦେଲେ ମୋ ସ୍ଥାନରେ । ସତେଯେପରି ମୁଁ କୁଣିଆଁ !

 

ମୁଁ ଅପ୍ରତିଭ ଭାବରେ ସତରଞ୍ଜି ଉପରେ ବସି, ଟ୍ରଙ୍କରୁ ବୋଉ ଦେଇଥିବା ଚୁଡ଼ାଭଜା ଉଖୁଡ଼ା ପୁଟୁଳିଟା ଫିଟାଇବା ପାଇଁ ଭାବୁଚି, ପଦ ବାବୁ ମୋ ଆଡ଼େ ଚାହିଁ କହିଲେ... “ତୁମର ପ୍ରକୃତି ହେଉଛି ତାମସୀ । ତା’ ନହେଲେ ନିଦ୍ରା, ଆଳସ୍ୟ ତମକୁ ଏତେ ଘାରନ୍ତା କାହିଁକି ? ସୂର୍ଯ୍ୟୋଦୟ ଦେଖିଚ କେବେ ?”

 

ଏକ ବିଚିତ୍ର ପ୍ରଶ୍ନ ! କି ବିଚିତ୍ର ସମ୍ଭାଷଣ ! ତାମସୀ ପ୍ରକୃତିର ଅର୍ଥ କ’ଣ ସୁଦ୍ଧା ବୁଝିପାରିଲି ନାହିଁ ! ଅପରାଧୀ ପରି ଲାଗିଲା ।

 

ପଦବାବୁ କହିଲେ... “ମେଧା ପାଇଁ ତମକୁ ସାତ୍ତ୍ୱିକ ପ୍ରକୃତି ଆଚରଣ କରିବା ପାଇଁ ପଡ଼ିବ । ତା’ ନହେଲେ ବିଦ୍ୟାଦାତ୍ରୀ ହେବ ନାହିଁ । ବୁଝିଲ ।”

 

ଇଏ ତାମସୀଠାରୁ ଆଉରି ଜଟିଳ ମନେହେଲା । ମୁଁ ମୁଣ୍ଡ ହଲାଇଲି ।

 

ପଦ ବାବୁ କହିଲେ... “କାଲିଠୁ ସକାଳୁ ଉଠିବ । ବୁଝିଲ ।”

 

ପଦବାବୁ ପୁଣି ବହିଉପରେ ମୁଣ୍ଡ ନୁଆଇଁଲେ ।

 

କିଛି ସମୟ ପରେ ପଦବାବୁ ଉଠି କୁଆଡ଼େ ବାହାରିଗଲେ । ସେଦିନ ରାତିରେ, ଖାଇବା ବେଳ ପର୍ଯ୍ୟନ୍ତ ସୁଦ୍ଧା ପଦବାବୁ ଫେରିନଥିଲେ । ଦଧି କହିଲେ... “ଟିଉସନ୍ ‌ସାରି କୁଆଡ଼େ ବୁଲୁଥିବେ । କି ଗାନ୍ଧୀବାଲାଙ୍କ ମଠକୁ ଯାଇଥିବେ । ଆଡ଼ପାଗଳା ମଣିଷ ତ !” ରାତିରେ ପଦବାବୁଙ୍କୁ ଆଉ ଦେଖିପାରିନଥିଲି । କୌତୂହଳଟା ମନରେ ଚାପି ଶୋଇପଡ଼ିଥିଲି । କିନ୍ତୁ ଅତସୀ ବାବୁଙ୍କୁ ଦେଖିଥିଲି ସନ୍ଧ୍ୟାବେଳେ । ସଞ୍ଜ ପରେ ମେସ୍‌ ବାହାରେ ଗୋଟାଏ ଘୋଡ଼ାଗାଡ଼ି ଟମ୍‍ଟମ୍‌ ଶବ୍ଦ କରି ଆସି ରହିଲା । ଅତସୀ ବାବୁ କଲିକତୀ ବାବୁମାନଙ୍କ ପରି, ଗିଲ କରା ବସୀ ପଞ୍ଜାବୀ ପିନ୍ଧି ଧୋତି କୁଞ୍ଚ ଲମ୍ବାଇ ହଳେ କଳା ଚିକ୍‌ ଚିକ୍‌ ହାଫ୍ ସୁ ପିନ୍ଧି ବାହାରିଗଲେ । ଘୋଡ଼ାଗାଡ଼ିଟା ଚାଲିଗଲା । ତାରି ଗତିରେ ମସୃଣ ଆଭିଜାତ୍ୟ । ମୋର ମନେପଡ଼ିଗଲା, କଲିକତାର ସେଇ ଗଳି କଥା । ସେଇ ଗଳିରେ ଏଇ ଅତସୀ ବାବୁଙ୍କୁ ଦେଖିଚି–ଗଳିମୋଡ଼ରେ ସେମାନେ ଏଇପରି ବେଶରେ ଓହ୍ଲାନ୍ତି, ଘୋଡ଼ାଗାଡ଼ି ମାନଙ୍କରୁ ।

 

ସକାଳେ ନିଦ ଭାଙ୍ଗିବା ପରେ, ମଶାରି ଉହାଡ଼ରୁ ଥରେ ପଦବାବୁଙ୍କୁ ଚାହିଁ ଦେଖିନେଲି-। ଲଣ୍ଡାମୁଣ୍ଡ–ବାଳ ଗଜୁରି ଆସୁଛି ଫୁଲ ପରି । କଳା, ନିଦା, ଚଉଖୁଣ୍ଟିଆ ଚେହେରା-। ବେକରେ ତୁଳସୀକଣ୍ଠି । କୋଉ ସକାଳୁ ଉଠି ସେ ଗାଧୋଇ ସାରିଲେଣି କେଜାଣି ? ମେସ୍‌ର ଅନ୍ୟ ବାବୁମାନଙ୍କର କଠୋଉ ଠକ୍‍ଠକ୍ ଅଗଣାରେ ଶୁଭୁଚି । ସାରଦାବାବୁ କେଉଟୁଣୀ ବୁଢ଼ୀ ସାଙ୍ଗରେ କଟାଳ କରୁଚନ୍ତି–ଇଏତ ସାତ ଛଟାଙ୍କି, ଆଉ ଅଧସେର ହେଲା କୋଉଠି ? ସେର ଛଅଣା ନବୁତ, ଠିକ୍ ଠିକ୍ ଓଜନ କର । ପଦବାବୁ ମଶିଣା ଉପରେ ବସି ମୁଣ୍ଡପୋତି କ’ଣ ଖଣ୍ଡେ ବହି ପଢ଼ୁଚନ୍ତି-। ମୁଁ ମଶାରିଟା ଟେକିଦେଇ ବାହାରକୁ ଚାଲିଆସିଲି । ପବନରେ ସହରର ଗୋଟାଏ ନୂଆ ବାସ୍ନା-

 

ପଦବାବୁ ବହିଉପରୁ ହଠାତ୍ ମୁଣ୍ଡଉଠାଇ କହିଲେ... “ହଁ ଆଉ ଗୋଟାଏ କଥା । ମୋ ସହିତ ବିନା କାରଣରେ କେବେ କଥାବାର୍ତ୍ତା କରିବ ନାହିଁ । ପ୍ରଗଲ୍‌ଭତା ।”

 

ମୁଁ ଚୁଡ଼ାଭଜା ଉଖୁଡ଼ା ଚୋବାଉଥିଲି । ଉତ୍ତର ଦେବାପାଇଁ କିଛି ନଥିଲା । ପ୍ରଗଲ୍‌ଭର ଅର୍ଥଟା ମଧ୍ୟ ବୁଝିପାରିଲି ନାହିଁ । ପଦବାବୁ ବହିଉପରେ ପୁଣି ମୁଣ୍ଡ ନୁଆଇଁଲେ । ଉହୁଙ୍କି ଚାହିଁ ଦେଖିଲି, ବହିଟାର ନାଁ ବ୍ରହ୍ମଚର୍ଯ୍ୟ ! ଏ ବହିଟା କଲେଜରେ ପଢ଼ାଯାଏ ନା କ’ଣ ?

 

ପଦବାବୁ କିଛି ସମୟ ପରେ ପଢ଼ା ବନ୍ଦ କରି, ବହିଟାକୁ ଯଥାସ୍ଥାନରେ ରଖିଦେଇ, ଉଠି ଚାଲିଗଲେ ।

 

ଗୁରୁବାର । ବାପା ବାରଣ କରିଥିଲେ, ଗୁରୁବାର ଆଡ଼ମିସନ୍ ପାଇଁ ଯିବୁ ନାହିଁ । ଚାଦାଳୀ ମାଷ୍ଟର୍ ତ କହନ୍ତି ବିଦ୍ୟାରମ୍ଭେ ଗୁରୁ ଶ୍ରେଷ୍ଠ । ବାପା କାହିଁକି ମନାକଲେ, କେଜାଣି ?

 

ବାବୁମାନେ ଜଣ ଜଣ ହୋଇ ଅଫିସକୁ ବାହାରିଗଲେଣି । ଅତସୀ ବାବୁଙ୍କ ରୁମ୍‌ରୁ କୌଣସି ସାଡ଼ା ଶବ୍ଦ ନାହିଁ । ସେ ବୋଧହୁଏ ତଥାପି ଶୋଇଛନ୍ତି ।

 

ଦଧି ଆସି ପଚାରିଲା... “ତମେ ଖାଇବ ନାଇଁକି ?”

 

ମୁଁ ପଚାରିଲି... “ପଦବାବୁଙ୍କ ମଶିଣା ଉପରେ ଏ ଇଟାଖଣ୍ଡ କାହିଁକି ରହିଥାଏ ? କ’ଣ ମଶିଣା ଉଡ଼ିଯିବ ବୋଲି ?”

 

ଦଧି ଉତ୍ତର ଦେଲା... “ପଦବାବୁ ତକିଆରେ ମୁଣ୍ଡଦେଇ ଶୁଅନ୍ତି ନାହିଁ । ସେଇ ଇଟା ଖଣ୍ଡକ ତାଙ୍କର ତକିଆ ।”

 

ବଡ଼ ଅଦ୍‌ଭୁତ ଲୋକ ତ ! ଦଧି ପଛେପଛେ ରୋଷେଇ ଘରକୁ ଆସିଲି । ମାଛ କାହିଁ ? ସାରଦା ବାବୁ ଯେ ମାଛ କିଣିଥିଲେ, ସାତ ଛଟାଙ୍କୀ–“ସିଏ କ’ଣ ମେସ୍ ପାଇଁ ? ଅତସୀ ବାବୁଙ୍କ ପାଇଁ ହେବ ମାଛଭଜା । ଖଣ୍ଡେ ଖାଲି ଝୋଳ କରିଦେଇଥିଲି, ସାରଦାବାବୁଙ୍କ ପାଇଁ । ଆମ ମେସ୍‌ରେ ହପ୍ତାରେ ଦିନେ ମାଂସ, ଦିନେ ମାଛ, ଅନ୍ୟ ସମସ୍ତଙ୍କ ପାଇଁ ।”

 

ଦୀପ ତେଜି ହାତ ଚିକ୍‌କଣ କଥାଟା ମିଛ ନୁହେଁ । ଏ ମେସ୍‌ରେ ଭଲଟାଏ ମନ୍ଦଟାଏ ଯାହା ହୁଏ ଅତସୀବାବୁଙ୍କ ପାଇଁ । ସାରଦା ବାବୁଙ୍କ ସେଥିରେ ଗୋଟାଏ ସାମାନ୍ୟ ଭାଗ ଥାଏ, ବୋଧହୁଏ ତାଙ୍କ ତତ୍‌କିରୀ ପାଇଁ ।

 

ମୁଁ ଖାଉ ଖାଉ ପଚାରିଲି...”ପଦବାବୁ ଖାଇଲେ ନାହିଁ ତ ?

 

“ପଦବାବୁ ଭାତ ଖାନ୍ତି ନାହିଁ !”

 

“ଆଉ କ’ଣ ରୁଟି ?”

 

“ନାଁ ତା’ ବି ନୁହେଁ ! ଦିନେଦିନେ ବି ।”

 

“ତାହେଲେ ?”

 

“କଞ୍ଚା ପରିବା ଯାହା ମିଳିଲା ! ହେଲେ ମେସ୍ ଖର୍ଚ୍ଚ ଦିଅନ୍ତି ମାସକୁମାସ । ଏଥିରେ ସାରଦାବାବୁଙ୍କ ଲାଭ ! କେମିତି ସେ କଞ୍ଚା ପରିବା ଗୁଡ଼ା ଖାନ୍ତି କେଜାଣି ?”

 

ଆମ ଫାଷ୍ଟ ଇୟର୍‌ରେ ମୋଟେ ଦୁଇଜଣ ଛାତ୍ରୀ–ଅନିତା ରାୟ, ଶ୍ୟାମଳୀ ମହାନ୍ତି ! ନୁହେଁ ସାଇନସ୍‌ର ଛାତ୍ରୀ । ସବୁବେଳେ ଥାନ୍ତି ସାଇନ୍‌ସ୍ ବ୍ଲକ୍‌ରେ । କିନ୍ତୁ ଜେନେରାଲ୍ ଇଂରେଜୀ ଆଉ ଓଡ଼ିଆ କ୍ଲାସ୍ ଲେକ୍‌ଚର ପାଇଁ ସେମାନେ ଆସନ୍ତି, ଆମ ଆର୍ଟ୍ ବ୍ଲକ୍‌କୁ । ଯେଉଁ ହଲରେ ଜେନେରାଲ୍ ଇଂରେଜୀ ଆଉ ଓଡ଼ିଆ କ୍ଲାସ୍ ହୁଏ, ସେଇ ହଲ୍‌ରେ ସେ ଦୁହିଙ୍କ ପାଇଁ, ଦୂରଛଡ଼ା ହୋଇପଡ଼ିଥାଏ ଦୁଇଟା ଡେସ୍‌କ୍ ଆଉ ଦୁଇଖଣ୍ଡ ହାତ ନଥିବା ଚଉକି । କଲେଜରେ ଆମ କ୍ଲାସ୍‌ରେ ସେତେବେଳେ ମାତ୍ର ସେଇ ଦୁଇଜଣ ଛାତ୍ରୀ । ଥାର୍ଡ଼ଇୟର ଫୋର୍ଥ୍ ଇୟର୍‌ରେ ଜଣେ ଜଣେ ! ସେଥିପାଇଁ ଆମ ସମସ୍ତଙ୍କ ଦୃଷ୍ଟି ଅନିତା ଆଉ ଶ୍ୟାମଳୀଙ୍କ ଉପରେ । ନିଗ୍ରହ ଭିତରେ ଆମେ ସମସ୍ତେ ବଢ଼ିଚୁ ତ !

 

ପ୍ରଥମ ପିରିୟଡ଼ରେ ଥାଏ ଇଂରାଜୀ । ପ୍ରଥମ ଧାଡ଼ିରେ କିଏ ବସିବ ସେଥିପାଇଁ ଆମ ଭିତରେ ଅନୁଚ୍ଚାରିତ ପ୍ରତିଯୋଗିତା । ଏ କଥାଟା ଅବଶ୍ୟ ପରେ ଜାଣିଲି । ଲକ୍ଷ୍ୟକରି ଦେଖିଲେ, କ୍ଲାସ ଆରମ୍ଭ ହେବାର ଅନେକ ପୂର୍ବରୁ ଚାରି ପାଞ୍ଚଜଣ ପାଷ୍ଟ ରୋ ଅକ୍ତିଆର କରି ବସିଥାନ୍ତି । ଅନ୍ୟମାନଙ୍କ ଇଙ୍ଗିତ ପରିହାସରୁ କ୍ରମେ ବୁଝିଲି ଫାଷ୍ଟରୋରେ ଆଗରୁ ଆସି ବସନ୍ତି, ଅନିତା ଆଉ ଶ୍ୟାମଳୀଙ୍କ ସହିତ ଆଖି ମିଳାଇବା ପାଇଁ । ରସିକ ରସିକ ଚେହେରା ସେମାନଙ୍କର । ଚିକ୍‌କଣ ମୁହଁ । କାହାରି କାହାରି ଓଠ ପାନ ବୋଳରେ ନାଲ । ସିଲ୍‌କ ନୋହିଲେ ଆଦ୍ଦି ପଞ୍ଜାବୀ । ଛାତି ପକେଟରେ କାପ୍‌ସଟେନ୍ ନୋହିଲେ ଗୋଲ୍‌ଡ଼ଫ୍ଲେକ୍ ପାକେଟ । ଲକ୍ଷ୍ୟକରି ଦେଖିଚ, ସେମାନେ ନାନା ଭାବରେ ଶ୍ୟାମଳୀ ଆଉ ଅନିତାର ଦୃଷ୍ଟି ଆକର୍ଷଣ କରିବାପାଇଁ ଚେଷ୍ଟା କରନ୍ତି ସେମାନଙ୍କ ପ୍ରତି... ଏପରିକି ରୋଲ୍‌କଲ୍ ବେଳେ ‘ପ୍ରେଜେଣ୍ଟ୍ ସାର’ କହିଲାବେଳେ ସୁଦ୍ଧା ସେମାନଙ୍କର ଥାଏ ଗୋଟାଏ ନିଜସ୍ଵ ଭଙ୍ଗୀ । ମାତ୍ର ଅନିତା ବା ଶ୍ୟାମଳୀ, ସେମାନଙ୍କ ପ୍ରତି ବିଶେଷ ଇମ୍ପ୍ରେଷ୍ଟ ହେଲାଭଳି, ମନେହୁଏ ନାହିଁ ମୋର । ସେମାନଙ୍କ ଦୃଷ୍ଟି ତ ସବୁବେଳେ ବହି ଖାତା ଉପରେ, ନୋହିଲେ ପ୍ରଫେସରଙ୍କ ଆଡ଼େ । କଣେଇ କଣେଇ ଚାହାନ୍ତି କ୍ଵଚିତ ।

 

ମୁଁ ମଧ୍ୟ ଦିନେ ହଠାତ୍ ଯୋଗଦେଲି, ସେମାନଙ୍କ ଦଳରେ । ଦଧିକୁ ଲାଞ୍ଚ ଦେବାପାଇଁ ପଡ଼ିଲା ମାସକୁ ଟଙ୍କାଏ–ଯେପରି ସକାଳ ନଟା ସୁଦ୍ଧା ସିଏ ମୋତେ ଭାତ ଦେଇଦେବ । ତାହେଲେ କ୍ଲାସ ଆରମ୍ଭର ଯଥେଷ୍ଟ ପୂର୍ବରୁ, ଏପରିକି ସବା ପ୍ରଥମେ ମୁଁ ପହଞ୍ଚି ଯାଇପାରିବି କଲେଜରେ, ଆଉ ଦଖଲ କରି ନେଇପାରିବି, ଅନିତା ଶ୍ୟାମଳୀଙ୍କ ପାଖାପାଖି ଗୋଟାଏ ସିଟ୍, ଯେଉଁଠୁ ଅକସ୍ମାତ୍, କେଉଁ ଶୁଭ ମୁହୂର୍ତ୍ତରେ, ସେମାନଙ୍କ ଚୋରା ଚାହାଣି ସହିତ ମିଶି ଯାଇପାରିବ ମୋର କ୍ଷୁଧିତ ଆଖି !

 

କ୍ଲାସ ଆରମ୍ଭ ହେବାପାଇଁ ତଥାପି ଚାଳିଶ ମିନିଟ୍ ବାକି । ଜୋର୍‌ରେ ପାଡ଼ଲ ପେଲିପେଲି, ମୋ କପାଳରେ ବିନ୍ଦୁବିନ୍ଦୁ ଝାଳ ଫୁଟିଉଠିଚି । ହେଲେ ଅତର ଛିଞ୍ଚା ରୁମାଲ୍ ଖଣ୍ଡେ କ’ଣ ଅଛି, ପକେଟରୁ କାଢ଼ି କପାଳ ପୋଛିବା ପାଇଁ ? ହାଫ୍ ସାର୍ଟ ସ୍ତରରୁ ତଥାପି ମୋର ବେଶଭୁସାରେ ଉନ୍ନତି ଘଟିଲା ନାହିଁ । ସେଦିନ ଗୋଟାଏ ଫିଲ୍ମରେ ଦେଖିଲି ପ୍ରମଥେଶ ବଡ଼ୁଆପଞ୍ଜାବୀ ପିନ୍ଧି ବେଶ୍ ରୁଚିମନ୍ତ ଦିଶୁଛି । ସେହିପରି ଗୋଟାଏ ଲମ୍ବା ପଞ୍ଜାବୀ ପାଇଁ କଟକ ଟେଲରିଙ୍ଗ୍ ସପ୍‌ରେ ଅର୍ଡ଼ର ଦେଇଛି, ଆଉ କାନ୍ତମାମୁଁଙ୍କୁ ଲେଖିଛି କିଛି ଟଙ୍କା ପଠାଇବା ପାଇଁ । ଏ ହାଫ୍‌ସାର୍ଟରେ ପ୍ରେମିକ–ପ୍ରେମିକ ରୋମାଣ୍ଟିକ ଚେହେରା ଠିକ୍ ଫୁଟୁ ନାହିଁ । ତଥାପି ବୋତାମ ଦୁଇଟା ମୁଁ ଫିଟାଇ ରଖିଛି, ରୋମାଣ୍ଟସିଜମର ସ୍ପର୍ଶ ପାଇଁ । ରୁମାଲଟାଏ ହେଲେ ହୋଇଥାନ୍ତା, ଏଇ ଏମାନଙ୍କ ଛାତି ପକେଟ୍‌ରୁ କାହାର ଲାଲ୍, କାହାର ବା ନୀଳ ରୁମାଲ ଯେପରି ଉଙ୍କିମାରୁଛି । ମୁଁ କୁଞ୍ଚ କାନିରେ କପାଳରୁ ଝାଳ ପୋଛିଲି । ଦୁତ୍...

 

ମୋର ଝାଳ ପୋଛିବାର ଭଙ୍ଗୀରୁ ହେଉ ବା ତା’ର ଅନ୍‌ଫାସନେବଲ ଦୈନ୍ୟରୁ ହେଉ, ସେମାନେ କାହିଁକି କେଜାଣି, ଆଖି ଠରାଠରି ହୋଇ ହସିଉଠିଲେ । ମୁଁ ସଙ୍କୁଚିତ ହୋଇପଡ଼ିଲି ।

 

ସେଇ ଯତୀନ୍‌–ନାଁ ତା’ର ଯତୀନ୍ଦ୍ର–ବୋଲି ଯେଉଁ ଟୋକାଟା, ଚମ୍ପା ରଙ୍ଗ ପରି ରଙ୍ଗର ସିଲ୍‌କ୍ ପଞ୍ଜାବୀ ପିନ୍ଧିଚି–ମୋତେ ଶୁଣାଇ ନଶୁଣାଇବା ପରି କହିଲା, ଇଏ ପୁଣି ଆସିଛି କୋଉ ଜଙ୍ଗଲରୁ ? ମୁଁ ଅଭିନୟ କଲି, ମୁଁ ଯେପରି ଏଇ ତୁଚ୍ଛ ଆକ୍ଷେପ ଶୁଣି ନାହିଁ ! କାନ୍ତମାମୁଁ କେବେ ଟଙ୍କା ପଠାଇବେ, ମୌଲା ଇବ୍ରାହିମ ଦୋକାନରୁ କେବେ ଆଣିବି ସେଇ ପଞ୍ଜାବୀ...ରୁହ, ରୁହ ସେଦିନ ଦେଖାଇଦେବି ତମମାନଙ୍କୁ କେଉଁ ଜଙ୍ଗଲରୁ ଆସିଛି ମୁଁ ! ଡେସ୍‌କ୍ ଉପରେ ଖାତା ବହି ରଖିଦେଇ, ମୁଁ ବାହାରକୁ ଆସିଲି... ସିଟ୍ ତ ରିଜର୍ଭଡ଼ । କିନ୍ତୁ ପିରିଅଡ଼ ଆରମ୍ଭ ହେବାର ପାଞ୍ଚ ମିନିଟ୍ ପୂର୍ବରୁ କ୍ଲାସ ଭିତରକୁ ଆସି ଦେଖେ, ମୋ ଖାତା ବହି କିଏ ରଖିଦେଇଛି ବହୁତ ପଛରେ, ଗୋଟାଏ କଣରେ ! ଇଏ ଏଇ ବଦ୍‌ମାସ ଗୁଡ଼ାଙ୍କର କାଣ୍ଡ ! ଆଚ୍ଛା କାଲିଠୁ ଦେଖୁଛି ! ସେମାନଙ୍କର ହି ହି ହସ !

 

ପ୍ରଫେସର୍ ରାୟ ଆସିଲେ...ପଢ଼ାଇବେ ଥମାସ୍ ହାର୍ଡି–‘ଦି ମେୟର ଅଫ୍ କାଷ୍ଟରବ୍ରିଜ୍’ । ତାଙ୍କ ପଛେ ପଛେ ଆସିଲେ ଅନିତା ଆଉ ଶ୍ୟାମଳୀ । ସେମାନଙ୍କୁ ଭଲ ହେଖିହୁଏନା ଏଠୁ ! ମୋ ଭିତରେ ଏକ ପିପାସା... ମୁଁ ଯେପରି ଚାଲିଛି ଏକ ମରୁ ପ୍ରାନ୍ତର ଭିତରେ ! ଏଇପରି ପିପାସା ଥିଲା, ଶୋଭା ପାଇଁ । ମାତ୍ର ତାହା ଥିଲା ସୁପ୍ତ ଆନୁଚ୍ଚାରିତ । କେତୀ ପାଇଁ କିନ୍ତୁ ମୁଁ ଅନୁଭବ କରିଚି ଠିକ୍ ଏଇ ପ୍ରକାର ଜ୍ୱାଳା । କେତୀର ବାହାଘର ଆରବର୍ଷ ବୈଶାଖ ମାସରେ ! କେତୀ ଖଣ୍ଡେ ଭସା ମେଘ ପରି ମୋ ମନର ଆକାଶରୁ କେବେଠାରୁ ଭାସିଗଲାଣି । ଏବେ ଅନିତା ଆଉ ଶ୍ୟାମଳୀ ! କିନ୍ତୁ ସେଇ ପ୍ରଶ୍ନ କାହାକୁ ଛାଡ଼ିବି ! ଅନିତା ଦେହର ରଙ୍ଗ ଚମ୍ପା ଫୁଲ ପରି । ମୁହଁଟି ଗୋଲ । ପଦ୍ମପାଖୁଡ଼ା ପରି ଦୁଇ ଆୟତ ଆଖି । ଶୋଭା ବା କେତୀର ସ୍ତନ ପ୍ରତି, କେବେ ମୋର ଦୃଷ୍ଟି ପଡ଼ିନଥିଲା । ସେମାନଙ୍କ ପରିଧାନ ପରିପାଟୀରେ ସ୍ତନକୁ ପ୍ରକାଶ କରିବାର ପ୍ରଚେଷ୍ଟା ନଥିଲା । କିନ୍ତୁ ଅନିତାର ସ୍ତନ ଯେପରି ଘୋଷଣା କରୁଛି ତା’ର ଔଦ୍ଧତ୍ୟ । ଅଥଚ କି ବିନୟ ସେଥିରେ ! ଅକାରଣରେ ଶାଢ଼ିର ଅଞ୍ଚଳଟା ଅନିତା ବାରମ୍ବାର ଟାଣିନେଉଛି ଛାତିଉପରକୁ–ଜାଣେ, ଜାଣେ, ବହୁ କ୍ଷୁଧିତ ଆଖିକୁ ଆଉରି ପ୍ରଲବ୍‌ଧ କରିବାପାଇଁ ! କିନ୍ତୁ ଶ୍ୟାମଳୀ ମହାନ୍ତି, ଅନିତାର ଠିକ୍ ବିପରୀତ । ରଙ୍ଗ ତା’ର ଶ୍ୟାମ ବର୍ଣ୍ଣ । ମୁହଁଟା ଲମ୍ବା, ପାନପତ୍ର ପରି । କାନରେ ଦୁଲ୍ । ମୁଣ୍ଡ ସାମାନ୍ୟ ହଲାଇଲେ ବା କଣେଇ ଚାହିଁଲେ ଗାଲ ଛୁଇଁଯାଉଛି । କାହାର କବିତା ଧାଡ଼ିଏ ମନେପଡ଼ିଯାଏ–ତୋ ପାଦର ଅଳତା କରିବୁକି ମୋତେ ସଜନୀ’ ! ମୁଁ ଯଦି ଏଇ ଦୁଲ୍ ହୋଇଥାନ୍ତି-! ମୋ ପାଖରେ ବସିଥିଲା ନିହାତ୍ ବେରସିକ ଚେହେରାର ଜଣେ ପିଲା–ସଂସ୍କୃତ ତା’ର ସବ୍‌ଜେକ୍ଟ-। ତା’ ନାଁ ମାଧବ ବା ସେଇପରି କିଛି । ସଂସ୍କୃତ, ଓଡ଼ିଆ, ହିଷ୍ଟ୍ରି । ଏଗୁଡ଼ା ପୁଣି ସବ୍‌ଜେକ୍‌ଟ-? ଆମ ହାଇସ୍କୁଲରେ ସଂସ୍କୃତ ପଣ୍ଡିତଙ୍କୁ ଚିଡ଼ାନ୍ତି ଡେଡ୍ ଲାଙ୍ଗୁଏଜ୍ ! ପଣ୍ଡିତଙ୍କ କାନରେ ପଡ଼ିଲେ ସେ ରାଗି ଦୁର୍ବାସା । “କୁଳାଙ୍ଗାର ଦେବଭାଷାକୁ ଅପମାନ କରୁଛ ? ନର୍କଗାମୀ ହେବରେ ! “ଇଏ କାହିଁକି ସଂସ୍କୃତ ନେଇଛି କେଜାଣି ? କୋଉ ଟୋଲରେ ପଣ୍ଡିତ ହେବ ପରା !” ଇଏ କ’ଣ ରୋମାନ୍‌ସ ଜାଣିଛି ? ମୋର ସଂସ୍କୃତ ବିଦ୍ୟା ଅସ୍ତି ଗୋଦାବରୀ ତୀରେ ପର୍ଯ୍ୟନ୍ତ, ଇଏ କ’ଣ ବୁଝିବ ପ୍ରେମ-? ମୁଁ ଶ୍ୟାମଳୀ ଆଡ଼େ ଚାହିଁଚି–ସିଏ ମୋ ହାତରେ ଖଣ୍ଡେ କାଗଜ ଧରାଇଦେଲା । ସେଥିରେ ଲେଖିଛି....

 

“କୂପୋଦକ ବଟଚ୍ଛାୟା

ଶ୍ୟାମାସ୍ତ୍ରୀ ଚେଷ୍ଟକାଳୟଂ

ଉଷ୍ଣ କାଳେ ଭବେତ୍ ଶୀତମ୍

ଶୀତକାଳେ ଚ ଉଷ୍ଣତା ।”

 

ଆରେ ୟାର ଅର୍ଥ କ’ଣ ? ତାକୁ ପଚାରିଲି । ସିଏ କହିଲା–ପରେ । ନାଁ ମୋର ବର୍ତ୍ତମାନ ଜାଣିବା ଦରକାର । ପରେ ବୁଝିବିତ ଅବିକା ଦେଲ କାହିଁକି ? ସିଏ ମୋ ରଫ୍ ଖାତାରେ ଲେଖିଦେଲା–“କୂଅ ପାଣି, ବରଗଛ ଛାଇ, ଶ୍ୟାମଙ୍ଗୀନୀ ସ୍ତ୍ରୀ, ପକାଘର, ଖରାଦିନେ ଥଣ୍ଡା, ଶୀତଦିନେ ଉଷୁମ ।” ବାଃ ଚମତ୍କାର କଥାତ ! ଯିଏ ଏ ପଦ ଲେଖିଚନ୍ତି ଶ୍ୟାମାସ୍ତ୍ରୀ ଅନୁଭବ ନିଶ୍ଚୟ ଥିବ ତାଙ୍କର । ଆରେ ଏଇ ତ ପକ୍‌କା ରସିକ ! କିଏ କହେ, ସଂସ୍କୃତ ଡେଡ଼୍ ଲାଙ୍ଗୁଏଜ ? ଶ୍ୟାମଳୀ ପ୍ରତି ଆହୁରି ଆକୃଷ୍ଟ ହୋଇପଡ଼ିଲି । ସେମାନେ ଅନିତା ପାଇଁ ଯେତେ ରସିକତା କରିବେ କରନ୍ତୁ–ମୁଁ ଆଜିଠୁ ଶ୍ୟାମଳୀର ବଶମ୍ବଦ ! ତା’ର ପ୍ରେମିକ । କିନ୍ତୁ ପ୍ରେମ କ’ଣ ଏକ ତରଫା ବ୍ୟାପାର ?

 

କିନ୍ତୁ ପ୍ରମଥେଶ ବଡ଼ୁଆ ପଞ୍ଜାବୀ ପରି ଲମ୍ବା ପଞ୍ଜାବୀ, ପକେଟରେ ଅତରଛିଞ୍ଚା ରୁମାଲ ନହେବା ପର୍ଯ୍ୟନ୍ତ ମୁଁ ଆଉ ଆଗଧାଡ଼ିକୁ ଯାଉନାଇଁ ! ସେଇଦିନୁ ମୋ ମନରେ ଗୋଟାଏ ଇନ୍‌ଫିସିଅରିଟୀ କମ୍‌ପ୍ଳକ୍‌ସ ଜନ୍ମିଯାଇଛି ! କାନ୍ତମାମୁଁ ତ ଏ ପର୍ଯ୍ୟନ୍ତ ଟଙ୍କା ପଠାଇଲେ ନାହିଁ । ଇବ୍ରାହିମ୍ ଦୋକାନରୁ ପଞ୍ଜାବୀ କିପରି ଆସିବ, ଜାଣେନାଁ । ଆଡ଼୍‌ଭାନ୍‌ସ୍ ତିନିଟଙ୍କା ଶେଷକୁ ମାରା ପଡ଼ିଲା । ବୋଉକୁ ଲେଖିବି କିଛି ଟଙ୍କା ପାଇଁ ? ସେ ବିଚାରୀ ଟଙ୍କା କୋଉଠୁ ପାଇବ ? ବାପା ହିସାବକିତାବ କରି, ଯାହା ଟଙ୍କା ମାସରେ ପଠାଉଛନ୍ତି, ସେଥିରୁ ଟଙ୍କାଟିଏ ସୁଦ୍ଧା ଅଧିକା ଦେବେ ନାହିଁ !

 

ସେଦିନ କୋଉଥିପାଇଁ କଲେଜ ଛୁଟି । ପଦବାକୁ ରୁମ୍‌ରେ ନାହାନ୍ତି । ମୁଁ ବିଛଣାରେ ପଡ଼ି ଖରାବେଳେ, ଛଟପଟ ହେଉଚି–ଶ୍ୟାମଳୀକୁ ଆଜି ଦେଖିପାରିଲି ନାହିଁ ବୋଲି ହା ହୁତାଶ ପକାଉଚି । ମୋର ମାନସିକ ବିଷାଦ ପ୍ରତି ସହାନୁଭୂତି ଜଣାଇ, ଆକାଶ ମଧ୍ୟ ମେଘ ଥମଥମ ! ଝରକାବାଟେ ଚେନାଏ ଆକାଶ ଦେଖାଯାଉଚି । ହଠାତ୍ ବାହାରେ, ବାହାର ଦରଜାର ଶିକୁଳି ଝଣଝଣ ହେଲା । ଦଧି ବାହାରିଆସିଲା ଫିଟାଇବା ପାଇଁ । ମୁଁ ଶୁଣିଲି କେବଳ ମନିଅର୍ଡ଼ର ! ଅତସୀବାବୁଙ୍କର ହୋଇଥିବ । ବାପା ତ ଏଇ ସେଦିନ ମନିଅର୍ଡ଼ର ଆସିଚି, ଶଏ ଟଙ୍କା ! ମୋ ପ୍ରତି ଦଧି କଣ୍ଠରେ ଗୋଟାଏ ଭକ୍ତି ! ଶଏ ଟଙ୍କା ? ମୋ ନାଁରେ ? ଏତେଗୁଡ଼ାଏ ଟଙ୍କା ଏକା ସାଙ୍ଗରେ କେବଳ ଥରେ ଦେଖିଥିଲି, ଆଡ଼ମିସନ ପାଇଁ କଲେଜ ଆସିବାବେଳେ ! ଛାତି ଦପ୍‍ଦପ୍ ହେଲା ଉତ୍ତେଜନାରେ ! ଦଧି ମୋ ସାଙ୍ଗରେ ଥଟ୍ଟା ତାମସା କରୁନାହିଁ ତ ! ନାଁ–ମୋ ନାଁରେ ଠିକ୍ ଆସିଛି ମନିଅର୍ଡ଼ର ! କାନ୍ତମାମୁଁ ପଠାଇଚନ୍ତି । ଦିଟା ଦସ୍ତଖତ ମାରିଦେଲି ଛଟା ଅକ୍ଷରରେ । ପୋଷ୍ଟମ୍ୟାନ ନଅଖଣ୍ଡ ଦଶଟଙ୍କିଆ ନୋଟ ଦେଇ ଆଉ ଟଙ୍କା ଦଶଟା, ଅନ୍ୟୂନ ତିନିଥର ଗଣିଗଣି ମୋ ହାତକୁ ବଢ଼ାଇଦେଲା । ଉଦ୍ଦେଶ୍ୟ ବକ୍‌ସିସ୍ ଯଦି ମିଳିଯାଏ !

 

ମୁଁ ଝାମ୍ପିନେଉଥିଲି ଦଧି କହିଲା...ଗଣି ରଖନ୍ତୁ । ମୁ ଆଜି ବଡ଼ଲୋକ ବା ଧନୀଲୋକ ଯାହା ଇଚ୍ଛା ହେଉଛି କୁହ । କାନ୍ତମାମୁଁ କୁପନରେ ଲେଖିଛନ୍ତି, ଏତେଦିନ ହାତରେ ମାଲ ଚଢ଼ିନଥିଲା । ସେଇଆ କୁହ । ନୋହିଲେ କାନ୍ତମାମୁଁ ମୋ ଚିଠି ପାଇ କ’ଣ ଏତେ ଡେରି କରନ୍ତେ-? ବ୍ଳାଇଣ୍ଡ୍ ଫ୍ଳସ୍‌ରେ ପ୍ରଚୁର ଟଙ୍କା ଜିତିଛନ୍ତି ପରା; ସେଇ କ୍ଷେଁତୁ ଦି ଘରେ, ଜୁଆ ଆଡ଼୍‌ଡ଼ାରେ-। ଝାପ୍‌ସା ଝାପ୍‌ସା ହେଲେବି ମନରୁ ଏବେବି ଯାଇନାହିଁ, କଲିକତାରେ ସେଇ ଅନ୍ଧଗଳିର ସ୍ମୃତି ! ପୋଷ୍ଟମ୍ୟାନ ସାଇକେଲ ହାଣ୍ଡଲବାର୍‌ରେ ଧୀରେ ସୁସ୍ଥେ ତାର ଝୁଲା ଝୁଲାଉଛି । ମୁଁ ତାକୁ ଗୋଟିଏ ଟଙ୍କା ଧରାଇଦେଲି । ନିଅ ବକ୍‌ସିସ୍ । ସେ କୃତକୃତ୍ୟ ହୋଇ ମୋତେ ଗୋଟାଏ ସଲାମ୍ ଠୁଙ୍କିଲା-। ଆଜି ମୁଁ ଧନୀଲୋକ, ହୃଦୟ ଆଜି ମୋର ଉଦାର । ଦଧି ମୋ ଆଡ଼େ କଣେଇ କଣେଇ ଚାହିଁଛି-। ତା’ ହାତରେ ଧରାଇଦେଲି ଦୁଇଟା ଟଙ୍କା । ସେ ସଲାମ୍ ଠୁଙ୍କିଲା ନାହିଁ, କିନ୍ତୁ କୃତକୃତ୍ୟ ହୋଇ ଟଙ୍କା ଦୁଇଟା ଅଣ୍ଟାରେ ଖୋସିଲା । ନାଃ...ଇଏ ବି କୋଉ ଜମିଦାର ଘର ପିଲା ! ତା’ ନହେଲେ, ଏକା ଥରକେ ଶଏ ଟଙ୍କା ମନିଅର୍ଡ଼ର ଆସନ୍ତା ? ଅତସୀ ବାବୁଙ୍କର ଅବଶ୍ୟ ଆସେ-। ମୋ ପଛେପଛେ ଦଧି ବାହାର ଦରଜା ବନ୍ଦ କଲା । ତାପରେ ରୋଷେଇ ଘର ପିଣ୍ଡାରେ ବସି ଦାର୍ତ୍ୟତାଭକ୍ତି ପଢ଼ିଲା, ବେଶ୍ ସୁର ଲମ୍ବାଇ । ଆଜି ତା’ କଣ୍ଠରେ ଗୋଟାଏ ନୂଆ ଲହର-! ଅତସୀ ବାବୁଙ୍କ ଦି’ପହରିଆ ପହଡ଼ ଭାଙ୍ଗିବାକୁ ତଥାପି ଅନେକ ଡେରି !

 

ପ୍ରଥମେ ଇବ୍ରାହିମ ଦୋକାନରୁ ପଞ୍ଜାବୀଟା ମୁକୁଳାଇବା ପାଇଁ ପଡ଼ିବ ! ସାଇକେଲ କାଢ଼ି ଧାଇଁଲି ମୌଲାନା ଇବ୍ରାହିମ ଦୋକାନ ଆଡ଼େ । ଆଃ...ଆଜି ମୁଁ ଧନୀଲୋକ ! ଏ ସାରା ସହରଟାକୁ ସୁଦ୍ଧା କିଣିପାରେ ! ହଠାତ୍‌ ମନରେ ଦୟା ଆସିଲା ସାରଦା ବାବୁଙ୍କ ପ୍ରତି । ମେସ୍‌ ଖର୍ଚ୍ଚ ଦଶଟଙ୍କା ନେବାବେଳେ, ସେ କେତେଥର ଟଙ୍କାଗୁଡ଼ାକୁ ଆଙ୍ଗୁଠି ଟିପରେ ଠଣ୍‍ଠଣ୍‌ ବଜାଇ ପରଖ କରି ଫତେଇ ପକେଟ୍‌ରେ ରଖନ୍ତି ! ଇଏ ଦୈନ୍ୟ ! ସେଥିରେ ବେପରୁଆମି ନାହିଁ ।

 

ଆନନ୍ଦ ତ ଏକାଏକା ଉପଭୋଗ କରିହୁଏନା ! “ପ୍ରଭାତୀ ମେସ୍‌” ପାଖରେ ଅଟକିଗଲି-। ସାଇକେଲରୁ ନ ଓହ୍ଲାଇ, ଗୋଟିଏ ପାଦ ପାହାଚ ଉପରେ ରଖି, ବଡ଼ପାଟିରେ ଡାକିଲି...”ଗୋଲଖ, ଗୋଲଖ, ଅଛୁ କିରେ ? ବିଚରା ରବର୍ଟ ବ୍ରୁସ ପରି ଏବେ କି ଗତ ତିନିବର୍ଷ ହେଲା ମାଟ୍ରିକ କାନ୍ଥ ଡେଇଁବା ପାଇଁ ଚେଷ୍ଟା କରୁଛି । ସ୍କୁଲରେ ସିଏ ଥିଲା ମୋର ଘନିଷ୍ଠ ସାଙ୍ଗ-!

 

‘ମନୁ “ପଦାକୁ ବାହାରିଆସିଲା ଗୋଲଖ । ଡାକିଲା “ଆ, ଭିତରକୁ !” ପିନ୍ଧିଚି ଧୋତି ହାଫ୍‌ସାର୍ଟ । ପାଦରେ ହଳେ ବର୍ମିଜ ଚଟି । ଗୋଲଖ ଅନେକବର୍ଷ ଧରି ସହରରେ ରହିଗଲାଣି ତ ! ତା’ର ପରିପାଟୀ ମୋ ଅପେକ୍ଷା ଅଧିକ ମାର୍ଜିତ ।

 

“କୁଆଡ଼େ ବାହାରିଚୁ କିରେ ?

 

“ତଇଆ ଘରେ ତାସ୍ ଖେଳ । ଯିବୁ ?”

 

ମୁଁ କହିଲି “ଆ ମୋ ସାଙ୍ଗରେ ।”

 

“କୁଆଡ଼େ ?”

 

“ଇବ୍ରାହିମ ଦୋକାନରେ ଗୋଟାଏ ପଞ୍ଜାବୀ ସିଲାଇ ପାଇଁ ଦେଇଥିଲି । ଆଣିବା ।” –ଆଜିକୁ ପଚିଶ ଦିନ ଧରି, ପଞ୍ଜାବୀଟାକୁ ଯେ ମୁକୁଳାଇ ପାରୁନଥିଲି, ସେ କଥା କହିଲି ନାହିଁ । ଗୋଲଖ ସବୁ କଥାରେ ଏଭରରେଡ଼ୀ । ତା’ର ବ୍ଳାକ ମଡ଼େଲ ରାଲେ ସାଇକେଲଟା କାଢ଼ି ସେ ରାସ୍ତାଉପରକୁ ବାହାରିଆସିଲା । ମୋ ସାଇକଲଟା ଏକଦା ବାପାଙ୍କର ଥିଲା, ଏବେ ପିତୃଦତ୍ତ । ଫିଲିପ୍‌ସ୍‌–ଗୋଲଖର ବ୍ଳାକ ମଡ଼େଲ ରାଲେ ପାଖରେ ଅନ୍ତ୍ୟଜ ଦିଶୁଛି ।

 

ମୌଲାନା ଇବ୍ରାହିମ ମୁଣ୍ଡରେ ଗୋଟାଏ ଫେଜ୍‌ ଟୋପି ପିନ୍ଧି ଦୋକାନ ଭିତରେ ଏପାଖ ହେଉଛି–ଯେପରି କି କୌଣସି ସମ୍ରାଟ ପରିଦର୍ଶନ କରୁଛି ତା’ର ସାମ୍ରାଜ୍ୟ । ଦଶ ପନ୍ଦରଟା ସିଲାଇ ମେସିନ୍‌ ଏକା ସାଙ୍ଗରେ ଚାଲିଛି । ଇବ୍ରାହିମ ଆମକୁ ଦେଖି ସୁଦ୍ଧା ଯେପରି ଦେଖିଲା ନାହିଁ । ତା’ର ଦୃଷ୍ଟିର ଭଙ୍ଗୀରେ ଉପେକ୍ଷା ନହେଲେ ବି ନିସ୍ପୃଦତା–ମୋ ପରି ଗରାଖ କ’ଣ ବା ଅର୍ଡ଼ର ଦେବ ସେଠି ? ଗୋଟାଏ ହାଫ୍‌ସାର୍ଟ ବା କାମିଜ୍‌ ! ଅଗତ୍ୟା ଇବ୍ରାହିମ ପାଖକୁ ଯାଇଁ, ମୁଁ ପକେଟରୁ ଆଡ଼୍‌ଭାନସ ମେମୋଟା କାଢ଼ି କହିଲି... “ମୋ ପଞ୍ଜାବୀଟା ହୋଇଯାଇଛି ?”

 

ଇବ୍ରାହିମ୍‌ ନାକ ଆଗକୁ ଚଷମାଟା ନୁଆଁଇ ଆଡ଼୍‌ଭାନ୍‌ସ ମେମୋଟାକୁ ଦେଖିଲା, ତା’ ପରେ ମୋତେ ଚାହିଁ କହିଲା...” ପଚିଶଦିନ ତଳର ଅର୍ଡ଼ର ପଡ଼ିଥିବ ଗୋଦାମରେ । ଆଗରୁ ଡେଲିଭରୀ ନେଲ ନାହିଁ କାହିଁକି ? ଖୋଜିବା ମୁସ୍କିଲ୍ । ଏୟ ଖଇରାତ ମିଆଁ...”

 

ପ୍ରାୟ ପନ୍ଦର କୋଡ଼ିଏ ମିନିଟ୍ ପରେ ଖୟରାତ ମିଆଁ ଗୋଦାମ ଘରେ ଆବିଷ୍କାର କଲା ମୋର ପଞ୍ଜାବୀ । ମୁଁ ଆଗ୍ରହରେ ତା’ ହାତରୁ ଖୋଳଟାକୁ ଛଡ଼ାଇନେଲି ।

 

ଇବ୍ରାହିମ୍ କହିଲା... “ପହିଲେ ଇଟ୍ରାଇ କର ! ସେଇ ଗୋଦାମ ଘରକୁ ଚାଲିଯା !”

 

ଇଟାଇ ପୁଣି କ’ଣ ? ଗୋଲଖ କହିଲା... “ଆରେ ପିନ୍ଧି ଦେଖ ଫିଟ୍ କରୁଚି କି ନାଇଁ !

 

ଓ ! ଟ୍ରାୟ କରିବି ? ଠିକ୍ କଥା । ହରିପୁର ବଜାରର ନିଧି ନାୟକ ଦରଜୀ କଥା ମନେପଡ଼ିଲା । ଥରେ ଗଣେଶ ପୂଜାକୁ ମାସକ ଆଗରୁ ନିଧି ଗୋଟିଏ ହାଫସାର୍ଟ ସିଲେଇ ପାଇଁ ମୋର ମାପ ନେଇଥିଲା । ଅନେକ ଦୌଡ଼ାଦୌଡ଼ି, ଅନେକ ତାଗିଦ୍ ପରେ, ଗଣେଶ ପୂଜା ଦିନ ହାଫ୍ ସାର୍ଟଟା ପିନ୍ଧିବା ବେଳକୁ ଦେଖିଲି ସେଇଟା ଢିଲା ହୋଇ ଝୁଲୁଛି ଆଲଖାଲା ପରି । ବୋଉ କହିଲା... “ଏଇଟା ତୋ ମାପକୁ ମାନୁ ନାଇଁରେ ! ଦରଜୀକୁ ଫେରାଇଦେ !” ବାପା କହିଲେ... “ଥାଉ ଢିଲାଥିଲେ ଭଲ । ବେଶୀଦିନ ପିନ୍ଧିବ ।”

 

ଠିକ୍ କଥା । ଟ୍ରାୟ କରିବା ଦରକାର ! ନୋହିଲେ ଇବ୍ରାହିମ ଦୋକାନର ଏତେ ଖ୍ୟାତି-?

 

ଗୋଦାମ ଘରେ ଅଇନା ସାମନାରେ ଠିଆହୋଇ ପଞ୍ଜାବୀଟା ପିନ୍ଧିଲି । ଚମ୍ପା ଆଉ ଗେରୁଆ ମିଶାମିଶି ରଙ୍ଗର ସିଲ୍‌କ୍ ପଞ୍ଜାବୀ । ବେଶ୍ ଲମ୍ବା । ଗୋଲଖ କହିଲା... “ବେଶ୍ ମାନୁଚିରେ !” –ହଁ ମାନୁଚି । କିନ୍ତୁ ମୁଣ୍ଡ ବାଳଗୁଡ଼ା ଲମ୍ବା ଲମ୍ବା ହେବା ଦରକାର, ଯେପରି କପାଳ ଉପରକୁ ଝୁଙ୍କି ରହିବ ।

 

ଇବ୍ରାହିମର ବିଲ୍ ଛିଣ୍ଡାଇ ବାହାରକୁ ଚାଲିଆସିଲି । କୁଞ୍ଚଟା ଠିକ୍ ପାଦଉପରକୁ ଝୁଲୁନାହିଁ ବୋଲି ମନଟା ଖୁନ୍ତ୍‍ଖୁନ୍ତ୍ । ରୁମାଲ ଗୋଟାଏ କିଣିଲି, ଗୋଟାଏ ଷ୍ଟେସନାରୀ ଦୋକାନରୁ-। –“ଗୋଲଖ, ଗୋଟାଏ ଅତର କିଣନ୍ତି !” –ଗୋଲଖ, ଦେଖିଚି, ଏ ସବୁ ବିଷୟରେ ବେଶ୍ ଅଭିଜ୍ଞ-! ସେ କହିଲା, “କିଣିବୁ ତ ଯାମିନୀ ସେଣ୍ଟ୍ କିଣ । ଧୋବା ଘରେ ପଡ଼ିଲେବି ବାସନା ଯିବନାଇଁ-।” ଯାମିନୀ ନାଁଟା ତ ବେଶ୍ ରୋମାଣ୍ଟିକ୍ । ଯାମିନୀ ସେଣ୍ଟ୍ ଗୋଟାଏ ଶିଶି କିଣି ରୁମାଲ୍‌ରେ ଛିଞ୍ଚିଲି-। ମଲ୍ଲି ଫୁଲର ଭୁରୁଭୁରୁ ମହକ । ଶ୍ୟାମଳୀକୁ ଭଲ ଦିଶିବ କ’ଣ ଏଇ ପଞ୍ଜାବୀ-? ଭଲଲାଗିବ କ’ଣ ଯାମିନୀ ସେଣ୍ଟ୍‌ର ଏଇ ଭୁରୁଭୁରୁ ବାସନା ? ଏସବୁ ତ ତାରି ପାଇଁ । ମେଘ ଥମଥମ ଆକାଶର ରଙ୍ଗ ମୋର ଚେତନାକୁ ଯେପରି ଦଗ୍‌ଧ କରିଦେଲା–ଶ୍ୟାମଳୀ ! ଶ୍ୟାମଳୀ-!

 

ଗୋଲଖ ଲକ୍ଷ୍ୟ କଲାଣି, ମୋ ପକେଟ୍‌ରେ “ମାଲ୍” ଅଛି । କହିଲା...”ଚାଲ ଯିବା ଡେଜ୍ ହୋଟେଲକୁ । ଦାମ ନନା ଅବିକା ଗରମ ଗରମ ମାଂସଚପ୍ ଭାଜୁଥିବ ।”

 

ଦାମ ନନାର ମାଂସଚପ୍ ପ୍ରସିଦ୍ଧ । ଏହା ଭିତରେ ଗୋଲଖ ମୋତେ ଦୁଇ ତିନିଥର ଖୁଆଇ ସାରିଲାଣି, ଡେଜ୍ ହୋଟେଲରେ ମାଂସ ଚପ୍ । ତାକୁ ତ ପୁଣି ଥରେ ଖୁଆଇବାକୁ ପଡ଼ିବ ।

 

ଡେଜ୍ ହୋଟେଲରେ ଆକଣ୍ଠ ଭୋଜନ ପରେ, ଗୋଲଖ କହିଲା... “ଚାଲ ଯିବା ହଲମୁକ୍ । ଇଭିନିଙ୍ଗ୍, ଶୋରେ ଗୋଟିଏ ବଙ୍ଗଳା ଫିଲିମ ପଡ଼ିଚି ।” ତଥାସ୍ତୁ । ସାଇକେଲ ଛୁଟାଇଲୁ ହଲମୁକ୍ ଆଡ଼େ । ଆଜି ମୁଁ ବେପରବାୟ । ପକେଟ୍‌ରେ, ସବୁ ଯାଇଁ କାନ୍ତମାମୁଁଙ୍କ ଟଙ୍କାରୁ ତଥାପି ଷାଠିଏ ଟଙ୍କା ବଳିଛି । ଆଃ ! ଏତେଗୁଡ଼ାଏ ଟଙ୍କା ଖର୍ଚ୍ଚ କରିବି କିପରି ? ହଲମୁକ୍ ସିନେମା ବାହାରେ ନସରା ମିଆଁ ପାନ ସିଗାରେଟ ଦୋକାନ ପାଖରେ, ସାଇକେଲରୁ ନ ଓହ୍ଲାଇ, ପାଦଟା ରାସ୍ତାଉପରେ ଢିରାଦେଇ, କହିଲି “ଦୁଇଟା ଆଇସ୍‌କ୍ରିମ୍ ଲିମୋନେଡ଼୍ ।”

 

ନସରା ତଳକୁ ମୁଣ୍ଡ ନୁଆଇଁ ପାନରେ ଚୂନ ବୋଳୁଥିଲା । ପାନଭଙ୍ଗା ଛାଡ଼ିଦେଇ, ଦୁଇଟା ଲିମୋନେଡ଼ ବୋତଲ ଖୋଲି, ଆମଆଡ଼େ ବଢ଼ାଇଦେଲା । ମୁଁ ସେମିତି ସାଇକେଲ ଉପରେ ବସି ବେକଭାଙ୍ଗି ଏକା ନିଶ୍ଵାସରେ ବୋତଲଟା ଖାଲି କରିଦେଲି । ଏଇଟା କାନ୍ତମାମୁଁଙ୍କ ଷ୍ଟାଇଲ୍ !

 

ସିଗାରେଟ୍ ଗୋଟାଏ ପାକେଟ୍... ନାଁ, ଦୂତ୍‍ କଇଞ୍ଚି ମାର୍କା ନୁହେଁ ଗୋଲ୍‌ଡ଼ଫ୍ଲେକ୍ ।

 

ସେମିତି ସାଇକେଲ ଉପରେ ବସି, କଢ଼ାଦଉଡ଼ି ନିଆଁରୁ ସିଗାରେଟ ଲଗାଇ, ନାକବାଟେ ଧୂଆଁ ଛାଡ଼ିଲି । ନସରା ଆଖିରେ ମୋ ପ୍ରତି ସମ୍ବ୍ରମ ! କେବେ କେବେ ତା’ ଦୋକାନରୁ କିଣେ ଖଣ୍ଡେ ବା ଦୁଇଖଣ୍ଡ ଖୁଚୁରା ସିଗ୍ରେଟ... କଇଞ୍ଚିମାର୍କା, ନୋହିଲେ ପାସିଙ୍ଗ ସୋ ! ଆଜି ଏକାଥରେ ପୂରା ଗୋଟାଏ ଗୋଲଡ଼୍‌ଫ୍ଲେକ୍ ପେକେଟ୍ !

 

ଫାଷ୍ଟ ଶୋ ସିନେମା ପରେ, ମେସ୍‌କୁ ଫେରିବାବେଳକୁ କାହା ଘଣ୍ଟାରେ ଠନ୍‍ଠନ୍ ହୋଇ ରାତି ଦଶଟା ବାଜିଲା । ମେସ୍ ସାମନା କିରୋସିନ ବତୀଖୁଣ୍ଟର ମହଳ ଆଲୁଅ, ବଣସିଝ୍ ବାଡ଼ର ପତ୍ର ଉପରେ ପଡ଼ି ବିଷଣ୍ଣ ଦିଶୁଛି...ବତୀଖୁଣ୍ଟ ଯେପରି ଆଖି ମିଞ୍ଜିମିଞ୍ଜି କରି କହୁଚି, ଅନ୍ଧାର ଦୂର କରିବା ମୋର କାମ ନୁହେଁ, ମୋର କାମ ଏ ଅନ୍ଧାର କେତେ ଗଭୀର ସେଇଆ କେବଳ ଚେତେଇଦେବା ! ରାସ୍ତା ଦେଖାଇବା ମୋର ଦାୟିତ୍ଵ ନୁହେଁ ! ମୋର ଦାୟିତ୍ଵ ତମକୁ ହୁସିଆର କରିଦେବା, ସାବଧାନ ନହେଲେ ଝୁଣ୍ଟିବ !

 

ମାତାଲଟାଏ ଗଳି କଡ଼ରେ କୋଉଠି ବାନ୍ତି କରୁଛି ପରା ! ଖକ୍‌ଖକ୍ ହିକା ମାରୁଛି । ଗଳିରାସ୍ତା ଶୂନଶାନ୍ । ଦରଜା କଡ଼ା ଝଣ ଝଣ କଲି । ଦଧି ଅପ୍ରସନ୍ନ ମୁହଁରେ ନିଦ ମଳମଳ ଆଖିରେ ଆସି ଦରଜା ଫିଟାଇଲା । ଇଏ ସବୁ ରାତିରେ ଗୋଟିଏ ଝାମେଲା । ଅତସୀ ବାବୁ ରାତି କରି ଫେରୁଥିଲେ । ଏବେ ଆଙ୍କର ବି ପର ଲାଗିଲାଣି !

 

ସାରଦା ବାବୁଙ୍କ ଛାଇ ନିଦ ଭାଙ୍ଗିଗଲା ପରା ! ପଚାରିଲେ... ‘କିଏ ?’ ଦଧି ଉତ୍ତର ଦେଲା... “ମନୁବାବୁ” । ସାରଦା ବାବୁଙ୍କ କଣ୍ଠସ୍ୱର ଶୁଭିଲା... “ତାଙ୍କୁ କହିଦେ ମୁଁ ତାଙ୍କୁ ଲୋକାଲ୍ ଗାର୍ଡ଼ନ । ଏତେ ରାତିରେ ଫେରିବା ମନା ।”

 

ତେଲୁଣୀପୋକ ପରି ମୋ ମନଟା ପୁଣି ସଙ୍କୁଚିତ ହୋଇଗଲା ।

 

ପରଦିନ ସକାଳ ନ’ଟାରେ ସେଇ ନୂଆ ପଞ୍ଜାବୀ ପିନ୍ଧି, ଅତରଛିଆ ରୁମାଲ ଛାତି ପକେଟରେ ଅଳ୍ପ କାଢ଼ି, ସାଇକେଲରେ ବାହାରିଛି କଲେଜ ଆଡ଼େ–ଆଜି ପ୍ରଥମ ଧାଡ଼ିରେ ମୋତେ ନିଶ୍ଚୟ ଶ୍ୟାମଳୀର ଆଖିପଡ଼ିବାପରି ସିଟ୍‌ରେ ବସିବା ପାଇଁ ପଡ଼ିବ । ମେସ୍‌ରୁ ସାଇକେଲ କାଢ଼ିବା ବେଳେ, କଣେଇ ଚାହିଁ ଦେଖିଲି, ସାରଦା ବାବୁ ଅଫିସ ବାହାରିବା ପୂର୍ବରୁ, ତୃତୀୟଥର ପାଇଁ ମେଞ୍ଚାଏ ଗୁଡ଼ାଖୁ ଘଷି, ପିକ୍ ଛେପ ପକାଇ ମୋଆଡ଼େ ଗାରେଡ଼େଇ ଗାରେଡ଼େଇ ଚାହିଁଛନ୍ତି–ବୋଧହୁଏ ମୋର ପ୍ରସାଧନ ପରିପାଟୀ ଦେଖି ! ହୁଃ । ମୁଁ କାହାକୁ କେୟାର କରିଚି ? ଲୋକାଲ ଗାର୍ଜନ୍ ଫାର୍ଜନ୍ ମୁଁ ମାନେ ନାହିଁ ।

 

ସାଇକେଲ ଛୁଟାଇଦେଲି ।

 

ଏଇଯେ ଆଗରେ ଲମ୍ବ ଲମ୍ବ ପାହୁଲ ପକାଇ, ଚାଲିଛନ୍ତି ପଦାରବିନ୍ଦ ବାବୁ । ଦେହରେ ଖଣ୍ଡେ ଚାଦର, କାନ୍ଧରେ ଝୁଲାମୁଣି । ସେଥିରେ ଅଛି ତାଙ୍କର କଲେଜ ବହି‌ ଆଉ ସୂତା ତାକୁଡ଼ୀ । କ୍ଳାସ୍ ନଥିବାବେଳେ, ସେ ଟେନିସ୍ କୋର୍ଟରେ ଗୋଟାଏ ଦେବଦାରୁ ଗଛ ଛାଇରେ ବସି ସୂତା କାଟନ୍ତି । କଳା ମଚ୍‍ମଚ୍ ପାଦ ଭଣ୍ଡା ଦୁଇଟା ତାଙ୍କର ଉପୁଚି ଦିଶୁଛି । ପଦାରବିନ୍ଦ ବାବୁ ସେପରି ଚାଲିଛନ୍ତି, କୋର ଦିଗ୍ ବିଜୟରେ ।

 

ତାଙ୍କୁ କାରିଅର୍‌ରେ ବସାଇନେଲେ ହୁଅନ୍ତା ନାଇଁ ?

 

ରାସ୍ତାରେ ପାଦ ଢିରା ରଖି ଡାକିଲି, “ପଦାରବିନ୍ଦ ବାବୁ !”

 

ସେ ଫେରିପଡ଼ି ମୋ ଆଡ଼େ ଗାରଡ଼େଇ ଚାହିଁଲେ, ଯେପରି ତାଙ୍କର ଜୟଯାତ୍ରାରେ ମୁଁ ବାଧାଦେଇଚି !

 

ଅଦ୍‌ଭୁତ ପ୍ରଶ୍ନ–“ପଦାରବିନ୍ଦ କି ସମାସ ?”

 

ମୁଁ ଟିକିଏ ଭାବିଚିନ୍ତି ଉତ୍ତର ଦେଲି... “ମଧ୍ୟପଦଲୋପୀ !”

 

“କି ମଧ୍ୟପଦଲୋପୀ ?”

 

ଉତ୍ତର ଦେଇପାରିଲି ନାହିଁ !

 

“ଉପମେୟପଦଲୋପୀ ସମାସ ! ବ୍ୟାକରଣ ଠିକ୍ ଭାବରେ ପଢ଼ ! କିନ୍ତୁ ମୋ ପାଦ କ’ଣ ପଦ୍ମଫୁଲ ପରି ଦିଶୁଛି ?”

 

ଧୂଳିଆ ଚଉଡ଼ା ପାଦ । ବୁଢ଼ା ଆଙ୍ଗୁଠି ଦୁଇଟା ଅସ୍ୱାଭାବିକ ଭାବରେ ବଡବଡ଼ । ଗୋଇଠି କଡ଼ୁ ଫାଟିଫାଟି ଯାଇଛି । ସେଥିରେ କଳା କଳା ଗାର । “ପଦାରବିନ୍ଦ ଡାକି ମୋତେ ଆଉ ଦିନେ ଥଟ୍ଟା କରିବ ନାଇଁ । ଡାକିବ ତ ପଦିଆ ! ପଦିଆ ! ମୁଁ ପଦିଆ । ମୋର ପାଦ ଅଛି ।” ଅଦ୍‌ଭୁତ !

 

ପଦାରବିନ୍ଦ ବାବୁ ତାଙ୍କ ବାଟରେ ଚାଲିଯାଉଥିଲେ । ମୁଁ କହିଲି... “କଲେଜ୍ ଯିବେ ତ ! ବସନ୍ତୁ କାରିଅର୍‌ରେ ।”

 

ସେ ହଠାତ୍ ବିରକ୍ତ ହୋଇଉଠିଲେ । ବିରକ୍ତ ହେବାର କ’ଣ କାରଣ ଥିଲା । ବୁଝିପାରିଲି ନାହିଁ, ସେ କହିଲେ “ଗତିରେ ସମୟକୁ ଫାଙ୍କି ଦେଇପାର । କିନ୍ତୁ ରାସ୍ତାକୁ ନୁହେଁ ।” ତାଙ୍କ ବାଟରେ ସେ ସେଇପରି ଚାଲିଗଲେ । କଥାଟା ଠିକ୍ ବୁଝିପାରିଲି ନାହିଁ । ତାଙ୍କୁ ଅତିକ୍ରମ କରିଯିବା ପାଇଁ କୁଣ୍ଠିତ ଲାଗୁଥିଲା । ମୁଁ ଖଣ୍ଡେ ସିଗ୍ରେଟ ଲଗାଇ ଅନ୍ୟ ଗଳି ଭିତରକୁ ସାଇକଲ୍ ବୁଲାଇଦେଲି ।

 

ଛଅ

 

ମନଟା ଖରାପ । ଖରାପ ତ କେବଳ ନୁହେଁ, ଜୀବନ ପ୍ରତି କେମିତି ଗୋଟାଏ ବୈରାଗ୍ୟ ଆସିଯାଇଛି । ମୌଲାନା ଇବ୍ରାହିମ୍ ଦୋକାନରେ ଏତେ ସଉକରେ, ସେଦିନ ଯୋଉ ପଞ୍ଜାବୀଟା ତିଆରି କରାଇଥିଲି, ତା’ ପିଠିରେ କେହି ଈର୍ଷାତୁର ହୋଇ, କ୍ଲାସ୍‌ରେ ବାହାରି ଆସିବାବେଳେ, ସେମାନଙ୍କର କି ହସ ! ହସିବାର କାରଣ ବୁଝିଲି, ଯେତେବେଳେ ନରେନ୍ଦ୍ର କହିଲା... “ଆରେ ତୋ ପଞ୍ଜାବୀ ପଛରେ ସ୍ୟାହି ଛାଟିଲା କିଏ ? ଆଃ...ଚୁ ଚୁ, ଏତେ ସୁନ୍ଦର ପଞ୍ଜାବୀଟା ମାଟି ହୋଇଗଲା ! ଏ ସ୍ୟାହି କ’ଣ ଆଉ ସହଜରେ ଛାଡ଼ିବ ?” କମନ୍‌ରୁମ୍‌କୁ ଆସି ପଞ୍ଜାବୀଟା ଓହ୍ଲେଇ ଦେଖିଲି, ପ୍ରକୃତରେ କେହି ଦୁର୍ବୃତ୍ତ ଗୁଡ଼ାଏ ସ୍ୟାହି ଛାଟିଦେଇଛି...ପଛ ସିଟ୍‌ର କେହି ନିଶ୍ଚୟ ! କିନ୍ତୁ କିଏ ? କିଏ ସେ ? ହୋଇପାରେ ସେମାନଙ୍କ ଦଳରେ କେହି...କାରଣ ମୁଁ ଯେଉଁଦିନ ପ୍ରମଥେଶ ବଡ଼ୁଆ ଷ୍ଟାଇଲ୍‌ରେ ଆଣ୍ଠୁ ପର୍ଯ୍ୟନ୍ତ ଝୁଲା, ସେଇ ଲମ୍ବା ସିଲ୍‌କ ପଞ୍ଜାବୀ ପିନ୍ଧା, ଅତରଛିଞ୍ଚା ରୁମାଲ୍‌ରେ ମୁହଁ ପୋଛି ପୋଛି ପ୍ରଥମ ଧାଡ଼ିରେ ଆସି ଆସି ବସିପଡ଼ିଲି, କଣେଇ କଣେଇ ଚାହିଁ ଲକ୍ଷ୍ୟ କଲି, ସେମାନଙ୍କ ଆଖି ସବୁ ଈର୍ଷା, ବିସ୍ମୟରେ ଡବ ଡବ ହୋଇଉଠିଲା...କେଉଁ ମଫସଲ ସ୍କୁଲରୁ ସେଦିନ ଧରାହୋଇ ଆସିଛି ଏ ପିଲା ! ତା’ର ପୁଣି ଏତେ ଷ୍ଟାଇଲ୍ ।

 

ନଗେନ୍ କହିଲା, ‘‘ସାଙ୍ଗେସାଙ୍ଗେ ସ୍ପିରିଟ୍ ବୋଳିଦେଲେ କାଳି ଉଡ଼ିଯିବ !” କିନ୍ତୁ ସ୍ପିରିଟ୍ ମିଳିବ କୋଉଠୁ ? “କାଇଁକି ଲାବୋରେଟରୀ !” –କିନ୍ତୁ ଲବୋରେଟରୀକୁ ଯିବ କିପରି ? ମୁଁ ଯେ ଆର୍ଟ୍‌ସ୍ ଷ୍ଟୁଡ଼େଣ୍ଟ୍ ! ଶ୍ୟାମଳୀ ପାଇଁ, ସାଇନସ୍ ବ୍ଳକ୍‌କୁ ଆସିଛି ବୋଲି, କେହି ସନ୍ଦେହ କରିବା ଅସମ୍ଭବ ନୁହେଁ । ତା’ ଛଡ଼ା ପ୍ରଫେସର୍ ଯଦି ତଡ଼ିଦିଅନ୍ତି ? –“ହ୍ଵାଟ୍ ବିଜିନେସ୍ ୟୁ ହାଭ୍ ହିଅର୍ ?” ଆରେ କଲେଜ ଡାକ୍ତରଖାନାରେ ତ ସ୍ପିରିଟ୍ ମିଳିବ ! ମୁଁ ମିଛଟାରେ ଏତେ ଧନ୍ଦି ହେଉଚି । ନଗେନ୍‌କୁ ଧରି ଡାକ୍ତରଖାନାକୁ ଆସିଲି । –ଡାକ୍ତରବାବୁ ଚଷମାଟା କପାଳ ଉପରକୁ ଟେକି ପଚାରିଲେ, “କ’ଣ ହେଇଚି ?” ସତେ ତ ! ଏ ପ୍ରଶ୍ନର କି ଜବାବ ଦେବି ? ମୋର କିଛି ହୋଇନାହିଁ-। ମୋ ପଞ୍ଜାବୀର ହୋଇଛି କହିଲେ, ଡାକ୍ତରବାବୁ ତ ମତେ ପାଗଳ ତାଲିକାରେ ଲେଖିବେ-! ନଗେନ୍ଦ୍ର କହିଲା, “ସାର୍ ଟିକିଏ ମେଥିଲେଟେଡ୍ ସ୍ପିରିଟ୍ ଦରକାର ! ତା’ ପଞ୍ଜାବୀରେ କିଏ ସ୍ୟାହି ଛାଟିଦେଇଛି । ଏତେ ଦାମୀ, ସୁନ୍ଦର ପଞ୍ଜାବୀଟା ।” ନଗେନ୍ଦ୍ର ମୋ ପିଠି ଡାକ୍ତରବାବୁଙ୍କ ଆଡ଼େ ବୁଲାଇଦେଲା ! ଡାକ୍ତରବାବୁ କହିଲେ... “ହୁଃ ! ମୁଁ ଏଠି ତମମାନଙ୍କ ରୋଗ ଦେଖିବାପାଇଁ ମେଡ଼ିକାଲ୍ ଅଫିସର୍ ଦେଇଚି ନାଁ ତମ ଜାମାପଟାର ?” –ଏ ଯୁକ୍ତି ଅକାଟ୍ୟ । ଡାକ୍ତରବାବୁ କିନ୍ତୁ ମୋ ପଞ୍ଜାବୀ ପଛରେ ସ୍ୟାହିର ଚିଢ଼ାଫୁଟା ଦେଖି ହସିଉଠିଲେ । ତାପରେ ବେହେରାକୁ କହିଲେ, ସ୍ପିରିଟ୍‌ରେ ତୁଳା ବୁଡ଼ାଇ, ସ୍ୟାହି ସବୁ ପୋଛିଦେ । ମାତ୍ର ଫଳ ହେଲା ହିତେ ବିପରୀତ । ସ୍ୟାହି ସବୁ ଲେସି ହୋଇ, ପଞ୍ଜାବୀ ପଛପଟେ ଖଣ୍ଡଖଣ୍ଡ ଫିକା କଳାଛଉ ପରି ଫୁଟିଉଠିଲା । ଶେଷକୁ ଅନ୍ତା ଧୋବାର କାରିଗରୀ ଉପରେ ନିର୍ଭର କରିବାକୁ ପଡ଼ିବ । କିନ୍ତୁ ଭରସା ନାହିଁ । ସାରଦାବାବୁଙ୍କ ସିଲ୍‌କ ହାଫସାର୍ଟର ଛାତି ପକେଟଟା ତାଙ୍କର ଘରୋଇ ଅଫିସ୍; ସେଥିରେ ପକେଟ–ପଞ୍ଜିକାଠାରୁ ଚିଠି, ପୋଷ୍ଟକାର୍ଡ଼ ପର୍ଯ୍ୟନ୍ତ ସବୁ ରହିଥାଏ । ଖୋଷାଥାଏ ଅନାଦି କାଳର ଗୋଟାଏ ବ୍ଳାକବୋର୍ଡ଼ ଫାଉଣ୍ଟେନ ପେନ । ସେଥିରୁ କେମିତି କାଳି‌ ଲିକ୍ କରି, ପକେଟ ତଳୁ ଅରାଏ କଳା ହୋଇଯାଇଥିଲା । ଅନ୍ତାର ବହୁ ଉଦ୍ୟମ ସତ୍ତ୍ୱେ, ଏବେବି ସେ କାଳିଦାଗ ପୂରାପୂରି ଛାଡ଼ି ନାହିଁ-! ଠିକ୍ ଅଛି, ମୁଁ ବି ଦିନେ ନେବି ଏହାର ପ୍ରତିଶୋଧ ! ଥାର୍ଡ଼ ପିରିଅଡ଼ରେ କ୍ଳାସ ନାହିଁ-। ଫୋର୍ଥ ପିରିଅଡ଼ରେ ଓଡ଼ିଆ । ନଗେନ୍ଦ୍ର ପ୍ରକ୍‌‌ସି ପକାଇଦେବ । ପ୍ରଫେସର ମହାନ୍ତି, ଆଖିବୁଜି ପଢ଼ାନ୍ତି, ଅଧା ଆଖି ମେଲି ରୋଲ୍‍କଲ୍ ନିଅନ୍ତି । ତାଙ୍କ କ୍ଳାସ୍‌କୁ ନଗଲେ ଚଳିବ । ସାହିତ୍ୟ ପଢ଼େଇବେ ପୁଣି ‘‘ବ୍ରହ୍ମଶାଙ୍କୋଳୀ’’ ! ଚାଲିଲି ଲାଇବ୍ରେରୀ ଆଡ଼େ । ବାଁ ହାତରେ ତମାସ ହାର୍ଡିଙ୍କ ‘‘ମେୟର୍ ଅଫ୍ କାଷ୍ଟରବିଜ” ଆଉ ନୋଟ ଖାତା ସାଙ୍ଗକୁ ସେଲୀଙ୍କ କମପ୍ଳିଟ୍ ୱାର୍କସ୍ । ସେଲୀ ଠିକ୍ ଭାବରେ ବନାନ କରିପାରିବି ନାହିଁ । ସତ କହିଲେ ତାଙ୍କର ଧାଡ଼ିଏ କବିତା ସୁଦ୍ଧା ପଡ଼ିନାହିଁ । ତଥାପି ଅନ୍ୟମାନଙ୍କୁ ଇମ୍ପସେଡ୍ କରିବା ପାଇଁ, ଏମିତି ମୋଟା ମୋଟା ବହି ସବୁ କାଖତଳେ ଜାକି ବୁଲେ-। ସିଏ ସେଲୀ ହେଉ ବା ‘‘ଥିଓରୀ ଅଫ୍ ଷ୍ଟେଟ୍” ହେଉ !

 

କାଳୀପ୍ରସାଦ ମୋର ସହପାଠୀ । ତା’ ସାଙ୍ଗରେ ଆକସ୍ମିକ ଭାବରେ ଦିନେ ବନ୍ଧୁତା ହୋଇଯାଇଛି । କବି ହିସାବରେ ଏବଠାରୁ ସେ ଜଣାଶୁଣା ହୋଇଗଲାଣି ! ତା’ର କବିତା, କେବେକେବେ ସାହିତ୍ୟ ପତ୍ରିକାମାନଙ୍କରେ ବାହାରେ । କେହି କେହି ତାରିଫ୍ କରନ୍ତି, ମୁଁ ବି ତାରିଫ୍ କରେ,–

 

“ତମ ମୁକୁଳା ବେଣୀରୁ

ବିଞ୍ଚି ପଡ଼ିବ କି ରାଶି ରାଶି ଜୁଇର ପାଖୁଡ଼ା’’ !

 

ତା’ର ଗୋଟାଏ ପ୍ରେମ କବିତାରୁ ଧାଡ଼ିଏ ମନେଅଛି ମୋର । ଏ ଧାଡ଼ିଟା ମନେପକାଇ ଦିଏ, କେତୀ...ତା’ର ବାହାଘର ବୈଶାଖ ମାସରେ ! କାଳୀପ୍ରସାଦ ଦିନେ ପଚାରିଲା... ‘‘ବାଇରନ୍ ପଢ଼ିଚୁ ?” ମୁଁ ଉତ୍ତର ନଦେଇ, ହସିଲି ! ସେଲଦିନୁ ବାଇରନ୍ ସେଲୀ, ଓ୍ୱାର୍ଡ଼ସ୍‌ଓ୍ୱାର୍ଥ୍, ଟେନିସନ୍‍ମାନଙ୍କୁ କାଖତଳେ ଜାକି ବୁଲେ !

 

ଆର୍ଟସ୍ ବ୍ଳକରୁ ଲାଇବ୍ରେରୀ ଆଡ଼େ ଲମ୍ବିଯାଇଛି, ନାଲି ସୁର୍‌କୀୟ ବିଛାରାସ୍ତା । ଦୁଇପାଖରେ ତା’ର ସବୁଜ ଲନ୍ ଧାରେଧାରେ ଲାଲ୍, ହଳଦିଆ କେନାର ମହୋତ୍ସବ । ଏଇ ଯେ ଲବୋରେଟରୀ ବ୍ଳକ ଆଡ଼େ ଚାଲିଛି, ଶ୍ୟାମଳୀ । ଅନିତା ଆଜି ନାହିଁ ସାଙ୍ଗରେ । ରାଇବିନୋଦିନୀ ଆଜି ଏକାକିନୀ ! ଏଇ ତ ସୁବର୍ଣ୍ଣ ସୁଯୋଗ ! ଆତ୍ମ ନିବେଦନ କରିବି । କହିବି “ମୁଁ ତୁମକୁ ଭଲପାଏ ଶ୍ୟାମଳୀ ।” ଶ୍ୟାମଳୀର ପ୍ରାୟ ପାଖାପାଖି ହୋଇଯାଇଥିଲି । ସେ ପଛରୁ ଚାହିଁ ମୁହଁ ଫେରାଇନେଲା । ବନ୍ୟ ହରିଣୀର ଆଖି । ଶ୍ୟାମଳୀର ମୁହଁଟା ମୋତେ ଦେଖି ସ୍ମିତ ହସରେ ଉଜ୍ଜ୍ଵଳ ହୋଇଉଠିଲା ପରା ! ପ୍ରେମ କରିବା ଭୀରୁର କାର୍ଯ୍ୟ ନୁହେଁ ! ପ୍ରେମ ଆଉ ଯୁଦ୍ଧ, ଦୁଇଥିରେ ବୀରତ୍ଵ ପ୍ରୟୋଜନ–ନଗେନ୍ଦ୍ର ମୋତେ ଏ ତତ୍ତ୍ୱ ଶିଖାଇଥିଲା–“ଆବେ କଣେଇ କଣେଇ ଚାହିଁଲେ କ’ଣ ହେବ ? ଝିଅମାନେ ୟାକୁ କହନ୍ତି ମାଇଚିଆମି ! ସେମାନେ ତାରିଫ କରନ୍ତି ପୌରୁଷ ! ଅଗ୍ରେସିଭ୍‍ନେସ୍‌ ! ନଗେନ୍ଦ୍ରର ଥିଓରିକୁ ପରୀକ୍ଷା କରିବାପାଇଁ ଏଇ ତ ସୁବର୍ଣ୍ଣ ସୁଯୋଗ ! ନଗେନ ମୋର କନସେନ୍‌ସ୍‌–କିପର !

 

“ମିସ୍...ଶ୍ୟାମଳୀ ଦେବୀ” ଆଉ କିଛି କହିପାରିଲି ନାହିଁ । ଶ୍ୟାମଳୀ ଦଣ୍ଡେ ଅଟକି ଯାଇ ମୋ ଆଡ଼େ ଫେରି ଚାହିଁଲା । ଏମିତି ଚାରିଆଖି ମିଶାଇବା ପାଇଁ ମୁଁ କେତେ ଆକୁଳ, ବ୍ୟାକୁଳ ନ ହୋଇଛି ! ଶ୍ୟାମଳୀ କହିଲା... “ନନ୍‌ସେନ୍‌ସ” ! ତାପରେ ପାଦ ଚଞ୍ଚଳ କରି ଚାଲିଗଲା ଲାଇବ୍ରେରୀ ଆଡ଼େ । କିନ୍ତୁ ମୋତେ ନନ୍‌ସେନ୍‌ସ ବୋଲି ଗାଳିଦେବାର ମତଲପ୍ କ’ଣ ? ଓ ଇଏ ବୋଧହୁଏ ସେଇ ଦୁଶ୍ଚରିତ୍ର ଗୁଡ଼ାଙ୍କ ପ୍ରତି ରସିଛି ! ମୋର ମନ, ହୃଦୟ, ଅନ୍ତର ବିଦ୍ରୋହ କରିଉଠିଲା । ଏ ଝିଅଗୁଡ଼ା ମାରାତ୍ମକ ଜୀବ ! ସେଦିନ ପଦବାବୁ ଖରାବେଳେ ମୋତେ ବ୍ରହ୍ମଚର୍ଯ୍ୟ ବିଷୟରେ ବୁଝାଇବାକୁ ଯାଇଁ, ତୁଳସୀ ଦାସଙ୍କର ଦୋହା ପଦେ ବୋଲୁଥିଲେ... “ଦିନକେ ମୋହନୀ, ରାତ୍‍କେ ବାଘିନୀ, ପଲକ୍ ପଲକ୍ ଲହୁ ଚୋଷେ । ସାକ୍ଷାତ ବାଘୁଣୀ ! ସାବଧାନ ଥିବ । ନଇଲେ ପଦେ ପଦେ ବିପଦ । ରକ୍ତ ଶୋଷିନେବ !”

 

ସେଠାରୁ ବିଷର୍ଣ୍ଣ ଭାବରେ ଲାଇବ୍ରେରୀକୁ ନଯାଇଁ କମନରୁମ୍ ଆଡ଼େ ଫେରିଆସିଲି ।

 

ଲାଷ୍ଟ ପିରିଅଡ଼ ଇକନମିକ୍‌ସ୍ । କମନରୁମ୍‌ରେ ବସି ଖଣ୍ଡେ ସିଗାରେଟ ଲୁଚାଇ ଲୁଚାଇ ଟାଣୁଛି । ଅଫିସ୍ ଚପରାସି ହରେକୃଷ୍ଣ ଆସି କହିଲା... “ବଡ଼ ବାବୁ ଡକେଇଛନ୍ତି ।” ହଠାତ୍‌ ବଡ଼ବାବୁ କାହିଁକି ଡକାଇଛନ୍ତିରେ ବାବା ? ହରିଆ ପଛେ ପଛେ ଅଫିସକୁ ଆସିଲି ।

 

ସାଧୁବାବୁ ମୋତେ ତାଳୁଠାରୁ ତଳିପା ଯାଏଁ ଚାହିଁ ପଚାରିଲେ... “ତମେ ମାନବେନ୍ଦ୍ର ଦାସ ଫାଷ୍ଟଲୟର ଷ୍ଟୁଡ଼େଣ୍ଟ ?”

 

ମୁଁ ଉତ୍ତର ଦେଲି “ସାର ।”

 

“ସାହେବ ଡକାଇଛନ୍ତି ଯାଅ ।”

 

ସାହେବ ମାନେ ପ୍ରିନ୍‌ସିପାଲ୍‌ । ଦଣ୍ଡମୁଣ୍ଡକର୍ତ୍ତା । ସିଏ କାହିଁକି ଡକାଇଛନ୍ତି ମୋତେ ? ପାଦ ଦିଟା ହଠାତ୍‌ ଯେପରି ଅଚଳ ହେଇପଡ଼ିଲା । ଇଏ ଭାରି କଡ଼ା ଡିସିପ୍ଲିନିଆରିନ୍‌ । କଲେଜରେ ସମସ୍ତେ ତାଙ୍କ ନାଁ ଶୁଣିଲେ ଥରହର !

 

ବଳୀ ମୁହଁକୁ ଛେଳି ଯିବାପରି, ଅଫିସ୍ ଭିତରକୁ ଆସି, ସାହେବଙ୍କଠାରୁ ବେଶ୍ ନିରାପଦ ଦୂରତ୍ଵରେ ଠିଆହେଲି ।

 

“ସୋ ୟୁ ଆର ମାନବେନ୍ଦ୍ର ଦାସ ?” ...କଣ୍ଠସ୍ୱର ବେଶ୍ ଗମ୍ଭୀର ।

 

“ସାର୍” କ୍ଷୀଣ କଣ୍ଠରେ ଉତ୍ତର ଦେଲି । ତଣ୍ଟି ଅଠାଅଠା ଲାଗିଲାଣି ।

 

“ହ୍ୱାଇ ଡିଡ଼ ୟୁ ମିସ୍ ବିହେଭ୍ ଉଇଥ ଶ୍ୟାମଳୀ ?” ଶ୍ୟାମଳୀ ଏହା ଭିତରେ କେତେବେଳେ ଖୋଦ୍ ପ୍ରିନସପାଲ୍‌ ସାହେବଙ୍କ ପାଖରେ ଫେରାଦ୍ କଲାଣି ତାହେଲେ ? ମୁଁ ହଠାତ୍‌ ବିଦ୍ରୋହୀ ହୋଇଉଠିଲି । ଇଏ କି ମିଥ୍ୟା ଅପବାଦ ?

 

“ଆନ୍‌ସର୍ ମି ।” ପ୍ରିନ୍‌ସପାଲ ଗର୍ଜନ କରିଉଠିଲେ ।

 

“ମୁଁ ଆଦୌ ମିସ୍‍ବିହେଭ୍ କରିନାହିଁ । ମିଛକଥା ।”

 

“ସୋ ?” ତାହେଲେ

 

“ଶ୍ୟାମଳୀ ରାୟ ଯାଉଥିଲେ ଲାଇବ୍ରେରୀ ରାସ୍ତାରେ । ମୁଁ ତାଙ୍କୁ ପଛରୁ କେବଳ ଡାକିଛି ମିସ୍...” ।

 

“ବଟ୍ ହ୍ଵାଇ ?”

 

“ହ୍ଵାଇ ଆଉ କ’ଣ ସାର୍ ? ଡାକିଦେଲି ଏମିତି, ଏକା କ୍ଲାସରେ ପଢ଼ୁତ !”

 

ପ୍ରକୃତରେ ଶ୍ୟାମଳୀକୁ ଡାକିବା ପଛରେ ମୋର କ’ଣ ଥିଲା କେବଳ କୌତୂହଳ ? ନାଁ ତା’ଠାରୁ ଆଉରି କିଛି ? ଅନୁରାଗ ? ହେଲେ ବି ମହାଭାରତ କ’ଣ କୋଉଠି ଅଶୁଦ୍ଧ ହୋଇଗଲା ? କିନ୍ତୁ ପ୍ରିନ୍‌ସପାଲ୍‌ଙ୍କୁ କ’ଣ ଏସବୁ କଥା କହିହୁଏ ?

 

ଲକ୍ଷ୍ୟ କଲି ପ୍ରିନ୍‌ସ୍‌ପାଲ ସାହେବଙ୍କ ଆଖିଦୁଇଟାରେ, ଶିକାର ଧରିବାର ହିଂସ୍ର କ୍ଷୁର୍ଦ୍ଧାର–ତୀକ୍ଷ୍ଣତା । ସେ ପଚାରିଲେ, “ହ୍ୱାଟ ୱାଜ୍ ଇଓର୍ ଇଣ୍ଟେନସନ୍ ? ମାନେ ତମର ଉଦ୍ଦେଶ୍ୟ କ’ଣ ଥିଲା ?”

 

ଏ ପ୍ରଶ୍ନର କି ଉତ୍ତର ଦେବି ? ନୀରବ ରହିଲି !

Unknown

 

ପ୍ରିନ୍‌ସ୍‌ପାଲ୍ ସାହେବ ଖଣ୍ଡେ କାଗଜରେ କ’ଣ ଲେଖିଲେ; ତାପରେ କହିଲେ... “ୟୁଆର୍ ଫାଇନ୍‌ଡ଼୍ ଫାଇଭ୍ ରୁପିଜ୍ । ନେକ୍‌ସ୍‌ଟ୍ ଟାଇମ୍ ୟୁ ଉଇଲ୍ ବି ରଷ୍ଟିକେଟେଡ଼୍ । ନାଉ ଗୋ-।”

 

ପାଞ୍ଚଟଙ୍କା ଜୋରିମାନା ତ ! ଠିକ୍ ଅଛି ! ମୁଁ ଝଡ଼ପରି ପର୍ଦ୍ଦା ଆଡ଼େଇ ବାହାରକୁ ଚାଲିଆସିଲି । ସାଧୁବାବୁ, ହରେକୃଷ୍ଣ, ଏମାନେ ମୋ ଆଡ଼େ ଚାହିଁଲେ । ସାଧୁ ବାବୁଙ୍କ ଆଖି କଟାସିଆ, କଟାସିଆ । ହରେକୃଷ୍ଣ ଆଖିରେ ସହାନୁଭୂତିର ଭାବ... ଯାରେ ବାବା, ଅଳ୍ପକେ ରକ୍ଷା ପାଇଗଲୁ !

 

କମନ୍ ରୁମ୍‌କୁ ଆଉ ଗଲି ନାହିଁ । ଇକନମିକ୍‌ସ୍ କ୍ଲାସ୍‌କୁ ବି ନୁହେଁ । ଟେନିସ୍ କୋର୍ଟ୍‌କୁ ଆସି ନିରୋଳାରେ ଦେବଦାରୁ ଛାଇରେ ବସିଲି । ପଦବାବୁଙ୍କ ଗୁରୁବାକ୍ୟ ମନେପଡ଼ୁଥିଲା... ଠିକ୍ କହୁଥିଲେ, ଦିନ୍‌କେ ବାଘିନୀ, ରାତ୍‌କେ ମୋହିନୀ, ପଲକ ପଲକ ଲହୁ ଚୋଷେ ! ଦିନ ବେଳଟାରେ ବାଘୁଣୀ ହାବୁଡ଼ରେ ପଡ଼ିଗଲି । ଆଞ୍ଚୁଡ଼ି ନେଇଛି ଥାବାରେ । ଜ୍ଵାଳା କରୁଛି ! ...ମୁଁ ବ୍ରହ୍ମଚାରୀ ହେବି !

 

ମୋତେ ପ୍ରିନ୍‌ସିପାଲ୍ ପାଞ୍ଚଟଙ୍କା ଜୋରିମାନା କରିଛନ୍ତି... ଏ ଖବରଟା ହଠାତ୍ ରାଷ୍ଟ୍ର ହୋଇଗଲା କିପରି ? ମୋର ଜାତଶତ୍ରୁ ସେ ଦଳର ଦୁଇଟା ଟୋକା, ମୋତେ ଶୁଣାଇ ଶୁଣାଇ କହିଲେ... “ନାଗରଙ୍କୁ ମୋଟେ ପାଞ୍ଚଟଙ୍କା ଜୋରିମାନା ହୋଇଗଲା ! ହାଃ–ହାଃ–ହାଃ...”

 

କଟାଘାରେ ଲୁଣଛିଟା ! ମୁଁ ସାଇକେଲ୍ ଧରି ମେସ୍‌କୁ ପଳାଇ ଆସିଲି ।

 

କିନ୍ତୁ ଇଏ ତତଲା କଡ଼େଇରୁ ଯାଇଁ ଗରମ ତାଉଆରେ ପଡ଼ିବା ପରି ବ୍ୟାପାର ! ହଠାତ୍ ବାପାଙ୍କ ଆବିର୍ଭାବ ମେସ୍‌ରେ କେତେବେଳେ ? ତାଙ୍କ କାନରେ ଯଦି ପଡ଼େ, ମୋତେ ପାଞ୍ଚଟଙ୍କା ଜୋରିମାନା ହୋଇଛି ବୋଲି ନାଁ ! ତାହେଲେ, ପୋଥିରେ ଡୋର ବନ୍ଧା ଏଇଠି ।

 

ପିଣ୍ଡାରେ ସଉପ ପକାଇ ବସି, ବାପା ଆଉ ଦଧି କ’ଣ ଗପ ଜୋଡ଼ି ଦେଇଛନ୍ତି... ମୋତେ କେନ୍ଦ୍ର କରି ନିଶ୍ଚୟ ! ବାପାଙ୍କ ଫୁଲିଲା ନିଶରୁ ମୁଁ ଠିକ୍ ଅନୁମାନ କରିନେଲି, ଏଠି ସହରରେ ମୋ କିର୍ତ୍ତୀକଳାପ ବାପାଙ୍କ କାନରେ କିଛି କିଛି ବୋଧହୁଏ ପଡ଼ିଲାଣି । ଦଧି ପକାଇଲାଣି । କୃତଘ୍ନ !

 

ଆଜିଠାରୁ କର୍ତ୍ତା ସବୁ ଆଉ କର୍ତ୍ତୃତ୍ଵ ବିରୁଦ୍ଧରେ ମୁଁ ବିଦ୍ରୋହୀ ! ମୋ ଭିତରେ “ଯୁଦ୍ଧଂ ଦେହି” ଟଙ୍କାର–ମୁଁ ବାପାଙ୍କୁ ଜୁହାରଟାଏ ପକାଇ ରୁମ୍ ଭିତରକୁ ପଶିଗଲି ।

 

ଝରକା ବାହାରେ, ସେଇ ଆକାଶ ଚେନାକରେ ଆଜି କୌଣସି ଆନନ୍ଦର ବାର୍ତ୍ତା ନାହିଁ ! ଉତ୍ତେଜନା ନାହିଁ ! ବିବର୍ଣ୍ଣ ! ଦିନଟା ଏମିତି କଟିବ ବୋଲି କିଏ ଜାଣିଥିଲା ? ଆଜି ସକାଳୁ ଉଠି କାହା ମୁହଁ ପ୍ରଥମେ ଦେଖିଥିଲି, ମନେପକାଇବାକୁ ଚେଷ୍ଟା କଲି ।

 

ବାହାରୁ ଶୁଭିଲା ବାପାଙ୍କ ଡାକ... “ମନୁ ! ୟାଡ଼େ ଆ ।”

 

ଦଧି ସେତେବେଳକୁ ଚୁଗୁଲି ଗପି ଉଠିଯାଇଥିଲା । ବାପା ମୋତେ ତାଳୁରୁ ତଳିପା ପର୍ଯ୍ୟନ୍ତ ଥରେ କଟାସିଆ ଆଖିରେ ଚାହିଁଗଲେ–ତା’ପରେ ପଚାରିଲେ...

 

“ତୋତେ ଶଏ ଟଙ୍କା ମନିଅର୍ଡ଼ର ପଠାଇଲା କିଏ ?”

 

ଦଧି ଏଇ ତମର କୃତଜ୍ଞତା ? ଶଏ ଟଙ୍କା ମନିଅର୍ଡ଼ର ପାଇ ମୁଁ ତମକୁ ଠନ୍‍ଠନ୍ ଦୁଇଟା ଟଙ୍କା ବକ୍‌ସିସ୍ ଦେଇନାହିଁ ? ଅଥଚ ତୁମେ ସେଇ କଥାଟାକୁ ବାପାଙ୍କ କାନରେ ଫୋଡ଼ିଦେଇଚ-। ‘‘ଇଏ ସହର ବଜାର ଜାଗା, କଲିଜ୍ ପିଲାଙ୍କ ହାତକୁ ଏତେ ଟଙ୍କା ଦବା ଠିକ୍ ନୁହେଁ ।” ଦଧି କହିଥିବ ନିଶ୍ଚୟ ।

 

“କିଏ ପଠାଇଲା ପଚାରୁଛି ପରା ! ଜାଣେ ଜାଣେ ତୋ ବୋଉ, ଧାନ ବିକି ତତେ ଟଙ୍କା ପଠାଇଚି । ଆରେ...କଥା ଯାଇଁ ଏଠି । ମୁଁ ଭାବୁଚି ଅମାରରୁ ଧାନ କମି କମି ଲାଗୁଚି କାହିଁକି ?”

 

ବିଚାରୀ ବୋଉ ମୁଣ୍ଡରେ ଶାର୍ଗୁଣା ଉଡ଼ିବ । ମୁଁ କହିଲି...”କାନ୍ତ ମାମୁଁ ଶଏ ଟଙ୍କା ପଠାଇଥିଲେ, ମନିଅର୍ଡ଼ରରେ ।”

 

“କାହିଁକି ? କ’ଣ ଅଭାବ ଥିଲା ତୋର ? ଶଏ ଟଙ୍କାର ହିସାବ ଦେ ମୋତେ ।”

 

ଲାଇବ୍ରେରୀରୁ ସେଇ ଯୋଉ ମୋଟାମୋଟା ବହି ସବୁ କାଖରେ ଜାକି ଆଣିଥିଲି, ସେ ସବୁ ଆଣି ଗଦେଇଦେଲି ବାପାଙ୍କ ଆଗରେ । ବହି ସବୁର ଆକାର ପ୍ରକାର ଦେଖି ବାପା ସ୍ତବ୍ଧ । ଫିଟାଇ ଦେଖିଲେ ବି ଏସବୁ ଲାଇବ୍ରେରୀ ବହି ବୋଲି ସେ ହଠାତ ଜାଣିପାରିବେ ନାହିଁ । ମୁଁ ପଚାରିଲି... “ଏ ବହି ସବୁ ତମେ କିଣିଦେଇଥିଲ ମୋତେ ? ବହି ନହେଲେ, ପଢ଼ିବି କେମିତି ? ତମକୁ ଟଙ୍କା ପାଇଁ ଲେଖିଲି ତମେ ତ ଟଙ୍କା ପଠାନ୍ତ ନାହିଁ !”

 

“ହୁଁ । ...ତୁ ସିଗାରେଟ ଟାଣିଲୁଣି । ଚା ପିଇଲୁଣି । ହୋଟେଲ୍‌ରେ ଖାଇଲୁଣି ? ତୁ ଡାଳେଡାଳେ ଗଲେ ମୁଁ ପତରେ ପତରେ !” –ବାପାଙ୍କ ନିଶ ଦୁଇଟା ପୁରା ଫୁଲିଉଠିଲା ।

 

ମେସ୍ ବାହାରେ ସାଇକଲ୍ ଘଣ୍ଟି ଠିଣ୍‍ଠିଣ୍ ବାଜିଲା । ସାରଦା ବାବୁ ଅଫିସରୁ ଫେରିଲେ ପରା । ତାଙ୍କ ସାଇକଲ୍ ଘଣ୍ଟିର ଗୋଟାଏ ନିଜସ୍ୱ ଝଙ୍କାର ଅଛି । ଦଧି ରୋଷେଇଘରୁ ତରତର ପାଦରେ ବାହାରିଗଲା ଦରଜା ଫିଟାଇ, ସାରଦା ବାବୁଙ୍କ ସାଇକଲ୍ ଭିତରକୁ ଉଠାଇ ଆଣିବା ପାଇଁ ।

 

ସାରଦା ବାବୁଙ୍କ ଅଫିସ୍ ଲେଉଟାଣି ଚେହେରା ବଡ଼ ଗମ୍ଭୀର; ଯେପରି ଗୋଟାଏ ବିରାଟ ବୋଝ ସେ ମୁଣ୍ଡାଇ ବସିଥିଲେ, ସକାଳ ଦଶଟାରୁ ଦିନ ଚାରିଟା ପର୍ଯ୍ୟନ୍ତ ! ବାପା ତାଙ୍କୁ ଦେଖି ଉଠିଯାଇଁ ପ୍ରଥମେ ଗୋଟାଏ ଦଣ୍ଡବତ ପକାଇଲେ । ସାରଦା ବାବୁ ଅଫିସ୍‍ର ବଡ଼ବାବୁ, ବାପାଙ୍କ ବନ୍ଧୁ । ହିତାକାଂକ୍ଷୀ ଓଭରସିଅର୍, ବାବୁଙ୍କ ଚୁଟି ଆଙ୍କ ହାତରେ । ବାପାଙ୍କ ପ୍ରଣାମ, ସେ ନିତାନ୍ତ ନିଷ୍ପୃହ ଭାବରେ ଗ୍ରହଣ କରି, ତାଙ୍କ ରୁମ୍ ଭିତରକୁ ପଶିଗଲେ । ଏତେବେଳେ ଲକ୍ଷ୍ୟ କଲି ବାପା ସାଙ୍ଗରେ ଆଣିଚନ୍ତି, କାନ୍ଦିଏ ପାଟକପୁରା କଦଳୀ, ଠେକିଏ ଘିଅ ଆଉ ଗୋଟାଏ ଅଖାରେ ବୋଧହୁଏ ବାସନା ଚାଉଳ ! ଦଧି ହାତରେ ସେସବୁ ସମ୍ଭାର ଧରାଇ, ବାପା ସାରଦା ବାବୁଙ୍କ ରୁମ୍ ଭିତରକୁ ପଶିଲେ ।

 

ସାରଦାବାବୁଙ୍କ କଣ୍ଠସ୍ୱର ବେଶ୍ ପ୍ରସନ୍ନ । ସେ କହିଲେ “ଆପଣ କାହିଁକି ଏତେ କଷ୍ଟ କରୁଥିଲେ ?

 

–“ଓଭରସିଓର ଚନ୍ଦ୍ରବାବୁ ଡାଲା ପଠାଇଛନ୍ତି । ମୁଁ କହିଲି ସେଇଠିକି ଯାଉଚିତ । ସାଙ୍ଗରେ ନେବାରେ କଷ୍ଟ କ’ଣ ?”

 

ସାରଦାବାବୁଙ୍କ କଣ୍ଠସ୍ୱର ଏଥର ଗମ୍ଭୀର ! –“ଗୋଟିଏ ଜାଗାରେ ସେ ପାଞ୍ଚବର୍ଷ ରହିଗଲେଣି । ସାହେବ ଧରିଚି, ପୁରୁଣା ଲୋକଙ୍କୁ ଟ୍ରାନସ୍‌ଫର କରିବ । ମୁଁ କେତେ ସମ୍ଭାଳିବି ?”

 

କାନ୍ଦିଏ ପାଟକପୁରା କଦଳୀ, ଠେକିଏ ଘିଅ, ଆଉ ପୁଞ୍ଜାଏ ଚାଉଳରେ ମନଃପୂତ ହେଲାନାହିଁ ପରା ! ବାପାଙ୍କ କଣ୍ଠରେ କାକୁତି... “ଆପଣଙ୍କ ହାତରେ କଲମ । ଯୁଆଡ଼େ ମୋଡ଼ିବେ, ସେଆଡ଼େ ମୋଡ଼ିବ । ହେଲେ ଚନ୍ଦ୍ର ବାବୁ ଓଭରସିଅର ଆମ ଅଞ୍ଚଳରେ ଭାରି ଲୋକପ୍ରିୟ ! ଭାରି ସଚୋଟ ।”

 

ଓଭରସିଅର ବାବୁଙ୍କୁ ସେଠି ରଖିବାପାଇଁ ବାପାଙ୍କ ଓକିଲାତିର ଉଦ୍ଦେଶ୍ୟ ବୁଝିବାକୁ ମୋର ବାକି ରହିଲା ନାହିଁ । ସାରଦାବାବୁ କହିଲେ.... “ଚେଷ୍ଟା କରି ଦେଖିବି । ଚନ୍ଦ୍ରବାବୁ ଓଭରସିଅରଙ୍କୁ କହିବ ସେ ଥରେ ମୋତେ ଦେଖା କରିବେ ।” ମାନେ ଏ ଚାଉଳ ପୁଞ୍ଜାଏ ଆଉ କଦଳୀରେ ମୁଁ ସନ୍ତୁଷ୍ଟ ହେବାର ଲୋକ ନୁହେଁ !

ବାପା କହିଲେ, “ଆପଣଙ୍କ ଭରସାରେ ମନୁକୁ ତ ଏଠି ଛାଡ଼ିଚି । ସେ ପଢ଼ାପଢ଼ି କରୁଛି କିପରି ?

ସାରଦାବାବୁ ମୁରବିଆନା କଣ୍ଠରେ କହିଲେ “ଆପଣ ତ ତା’ ହାତକୁ ଗୁଡ଼ା ଗୁଡ଼ା ଟଙ୍କା ପଠାଇ ତାକୁ ବିଗାଡ଼ୁଛନ୍ତି ।”

ବାପା କହିଲେ “ହିସାବ କିତାବ କଷି ମୁଁ ତା’ ପାଖକୁ ଟଙ୍କା ପଠାଏ । ପଇସାଟିଏ ବି ବେଶି ନୁହେଁ । ବରଂ ମନିଅର୍ଡ଼ର କମିଶନ ସେଥିରୁ କାଟି ରଖେ ।

“ତାହେଲେ ମାସକ ତଳେ ମନିଅର୍ଡ଼ରରେ ତା’ ପାଖକୁ କିଏ ଟଙ୍କା ପଠାଇଥିଲେ ଯେ ! ଶଏ ଟଙ୍କା କମ୍ ହୋଇଚି ?” –ଓଃ ! ଦଧି ତାହେଲେ ସାରଦାବାବୁଙ୍କ କାନରେ ବି ଫୋଡ଼ିଦେଇଚି ସେ କଥା !

“ତା’ ମାମୁଁ କଲିକତାରୁ ସେ ଟଙ୍କା ପଠାଇଥିଲା, ମୁଁ ନୁହେଁ ।”

“ଯିଏ ପଠାଉ । କଲେଜ ପିଲାମାନଙ୍କ ହାତରେ ଏତେଗୁଡ଼ାଏ ଟଙ୍କା ଏକାସାଙ୍ଗରେ ପଡ଼ିବା ଠିକ୍ ନୁହେଁ ।”

ବାପା ନିଶ୍ଚୟ କାନ୍ତମାମୁଁଙ୍କୁ ଚିଠି ଲେଖିବେ, ଆଉ ଟଙ୍କା ନ ପଠାଇବା ପାଇଁ । ଲେଖନ୍ତୁ-। କାନ୍ତମାମୁଁଙ୍କ ଉପରେ ମୋର ପ୍ରତ୍ୟୟ ଅଛି । ବାପାଙ୍କ ଚିଠିକୁ ସେ କେୟାର ସୁଦ୍ଧା କରିବେ ନାହିଁ-

 

ମୁଁ ପିଣ୍ଡାରେ ଠିଆହୋଇ, ବାପା ଆଉ ସାରଦାବାବୁଙ୍କ କଥାବାର୍ତ୍ତ ଶୁଣୁଥିଲି । ବାପା ବାହାରକୁ ଆସିବା ମାତ୍ରେ ମୁଁ ରୁମ୍ ଭିତରକୁ ପଶିଗଲି ।

 

ବାପା ସହରକୁ ଆସିଲେ ରହନ୍ତି କଣ୍ଠମାମୁଁଙ୍କ ଘରେ । ଆଜି ମଧ୍ୟ ଯିବା ପୂର୍ବରୁ ମୋତେ ଶେଷ ତାଗିଦ୍ ଶୁଣାଇଦେଲେ “ଆଉଦିନେ ଯେମିତି ନଶୁଣେ, ତୁ ଚା ପିଉଚୁ ! ସିଗ୍ରେଟ ଟାଣୁଚୁ !”

 

ମନେମନେ ହସିଲି । ବାପା ଯଦି ଜାଣନ୍ତେ, ଆଜି ପ୍ରିନ୍‌ସ୍‌ପାଲ ମୋତେ ଚରିତ୍ରହୀନତା ପାଇଁ ପାଞ୍ଚଟଙ୍କା ଫାଇନ କରିଛନ୍ତି ବୋଲି !

 

ବାପା ଚାଲିଗଲେ ।

 

ମୁହଁ ସଞ୍ଜ ଜାକିଜୁକି ହୋଇ ଆସିଲାଣି । ଦଧି ଅତସୀବାବୁଙ୍କ ରୁମରେ ବୋଧହୁଏ ତାଙ୍କ ହୁକା ସଜାଉଛି । ମେସ୍‌ ବାବୁମାନେ ଜଣ ଜଣ ହୋଇ ଫେରୁଚନ୍ତି । ସେମାନେ ତ ଆଉ ସାରଦାବାବୁଙ୍କ ପରି ବଡ଼ବାବୁ ନୁହନ୍ତି ।

 

ମୁଁ ରୁମ୍ ଭିତରକୁ ପଶିଆସି, ଅକାରଣରେ ମୁଠାମୁଠା ବାଳ କପାଳ ଉପରକୁ ଟାଣିଲି । ମୋ ଭିତରେ ଗୋଟାଏ ବିସ୍ଫୋରଣ, କ୍ରୋଧ–କାହା ବିରୁଦ୍ଧରେ ଠିକ୍ ଜାଣେନାଇଁ । ସଜନା ଗଛ ଉପରେ ଗୋଟିଏ ଏକୁଟିଆ ତାରା, ନିସେଙ୍ଗ ଯନ୍ତ୍ରଣାରେ ଦପ୍‍ଦପ୍ କରୁଛି । ମୁଁ ଟ୍ରଙ୍କ ଫିଟାଇ କାଢ଼ିଲି ଗୋଟାଏ ହାଫ୍‍ସାର୍ଟ । ପଞ୍ଜାବୀଟା ବଦଳି ପକାଇ ସେଇ ହାଫସାର୍ଟଟା ପିନ୍ଧିଲି । ବେକ ପଛପଟେ କଲାର ଦୁଇଟା ଟେକିଦେଲି, ମୋ କାନମୁଣ୍ଡା ଛୁଇଁବା ପର୍ଯ୍ୟନ୍ତ । ଏ ଷ୍ଟାଇଲ୍‍ଟା ଶିଖିଚି କାଳୀପ୍ରସାଦଠାରୁ । ସେଲୀ କୁଆଡ଼େ ଏମିତି ସାର୍ଟ ପିନ୍ଧୁଥିଲେ ! ସିଏ ବି ଏମିତି ଷ୍ଟାଇଲରେ ହାଫ୍‍ସାର୍ଟ ପିନ୍ଧେ । ...କହେ କଲାର୍ ଏମିତି ଉଠାଇଦେଲେ, କଣ୍ଠନଳୀର ବିଉଟି ବଢ଼ିଯାଏ ! ଏ କଣ୍ଠନଳୀଟା ବାସ୍ତବିକ ଅଶ୍ଳୀଳ, ଘଣ୍ଟିକାଟା ସବୁବେଳେ ଉପରତଳ ହେଉଥାଏ । ଝରକାରେ ଅଇନାଟାଏ ଡେରି ରଖି, ମୋ କଣ୍ଠନଳୀକୁ ଚାହିଁ ଦେଖିଲି ସେଇ ମହଳ ଆଲୁଅରେ । ବାସ୍ତବିକ ମୋ କଣ୍ଠନଳୀଟା ବେଶ୍ ଲୋଭନୀୟ ଦିଶୁଛି । ମୁଣ୍ଡବାଳ ଗୁଡ଼ାକୁ ଟିକିଏ ଅସଜଡ଼ା କରି, ଗୋଟାଏ ପାଖରେ ଚିରୁଣୀଟା ଥରେ ବୁଲାଇଦେଲି । ମୋ କପାଳ ଉପରେ ଅଲରା କେଶର ଗୋଟାଏ କୁଣ୍ଡଳୀ !

 

ସାଇକେଲ ଧରି ବାହାରକୁ ବାହାରିବାବେଳେ, ଦଧି ରୋଷେଇଘର ଭିତରୁ ଧପାଲି ଆସି କହିଲା... “ହେଇତି । ଜାଣିଥା । ସାରଦାବାବୁ କହିଛନ୍ତି ତମେ ରାତି ଦଶଟା ପରେ ଫେରିଲେ ମୁଁ ଆଉ କବାଟ ଫିଟାଇବି ନାହିଁ । ବୁଢ଼ାବାବୁ ତାଙ୍କୁ କ’ଣ କହିଯାଇଛନ୍ତି ।”

 

ହଃ ! କବାଟ ନଫିଟାଇଲେ ମାନବେନ୍ଦ୍ର ଦାସ କେୟାର କରିଛି ? ପାଚେରି ଉପରକୁ ଯେଉଁ ପିଜୁଳି ଡାଳଟା ନଇଁପଡ଼ିଛି, ତାକୁ ଧରି ଗୋଟିଏ କୁଦା ମାରିଲେ, ଭିତରେ ! ଖାଲି ଭୟ, ବସ୍ତିର କୁକୁର ଗୁଡ଼ାଙ୍କୁ । ସେମାନେ ଏକା ସାଙ୍ଗରେ ଭୁକିଉଠିଲେ, ବସ୍ତିର ସମସ୍ତେ ଚେଇଁଉଠିବେ । ତା’ଛଡ଼ା, ରାତି ବୀଟ୍ କନେଷ୍ଟବଲ୍ ଦେଖିଲେ ମଧ୍ୟ ବିପଦ ।

 

ପ୍ରଭାତୀ ମେସ୍ ଆଗରେ, ସାଇକେଲ ବେଲ୍ ଟିଣ୍‍ ଟିଣ୍‍ କରି ଡାକିଲି...‘‘ଖାଲଗୋ”...ଇଏ ଆମର ସାନ୍ଧ୍ୟଭାଷା, ପ୍ରତ୍ୟେକ ଶବ୍ଦକୁ ଓଲଟେଇ କହିବା–ଆମ କଥା କେହି ବୁଝିପାରନ୍ତି ନାହିଁ, ଧରିପାରନ୍ତି ନାହିଁ ।

 

“ମାନେସୀ ବାଯି”–

 

“ଣକ ବିଛ ?”

 

“ବେଆ–ନାମୁଯ ରେରଥିଏ ପ୍ଳେ ଛିରିକ ।”

 

ଆମେ ଯେ ସିନେମା ଯିବା କଥା, ଯମୁନା ପ୍ଳେ କରିବା କଥା ହେଉଛୁ, କେହି ବୁଝିପାରନ୍ତି ନାହିଁ ।

 

ଗୋଲଖ ମୋ ଡାକ ଶୁଣିବା ମାତ୍ରେ, ପଦାକୁ ବାହାରିଆସେ । ଆଜି ନାହିଁକି ଆଉ ! ମେସ୍ ଭିତରକୁ ପଶିଆସିଲି । ଗୋଲଖର ରୁମମେଟ୍ ଆଖିରେ ମୋଟା ଲେନସ୍‌ର ଚଷମା ପିନ୍ଧି, ଲଣ୍ଠନ ଆଲୁଅରେ କ’ଣ ପଢ଼ୁଚି । ଦୟାହେଲା, ତା’ର ହାଡ଼ଗିଳା ଚେହେରା, ସେଇ ଲଣ୍ଠନର ଛାଇ ଆଲୁଅ ଭିତରେ ଦେଖି ! ଆରେ, ସେ ବହିରେ କ’ଣ ଅଛି ? ଏତେବଡ଼ ଗୋଟାଏ ଜୀବନ, ଏତେ ରଙ୍ଗୀନ ଗୋଟାଏ ଯୌବନ, ବହିର ପୃଷ୍ଠା ବାହାରେ ଯେ ବିଛେଇ ହୋଇପଡ଼ିଛି, ତମେ କ’ଣ ତା’ର ପାଖୁଡ଼ା ସାଉଣ୍ଟିଲଣି କେବେ ? ତମେ କ’ଣ ପାଇଲଣି ତା’ର ଖବର ?

 

“ଗୋଲଖ ନାହିଁ ?”

 

ଲେନସ୍ ତଳୁ ଗୋଲଖର ରୁମମେଟ ମୋଆଡ଼େ କଟାସିଆ ଆଖିରେ ଚାହିଁଲା । ମୁଁ ତାକୁ ଡିଷ୍ଟର୍ବ କଲି ପରା ! ଇଏ ନିଶ୍ଚୟ ଗୋଟାଏ ହାକିମ ହେବ ।

 

ସେ ବହି ଉପରକୁ ମୁଣ୍ଡ ନୁଆଇଁ କହିଲା... “ମଠକୁ ଯାଇଛି ।”

 

ମନେମନେ ହସିଉଠିଲି । ଗୋଲଖ ମଠକୁ ଯିବା ଅର୍ଥ–ଆଜି ମେସ୍‌ରେ ତା’ର ମିଲ୍ ବନ୍ଦ । ଘରୁ ଟଙ୍କା ଆସିନାହିଁ, କି ଟଙ୍କା ଖର୍ଚ୍ଚ କରିଦେଇଛି । ଏପରି ଦିନମାନଙ୍କରେ ଗୋଲଖ ନିର୍ଲିପ୍ତ ଭାବରେ ଚାଲିଯାଏ ଚଉଧୁରୀସାହି ମଠକୁ । ବେକରେ ତିନିସାରି ମାଳି ପିନ୍ଧିଦିଏ, ଭେକରକ୍ଷା ପାଇଁ । ସଂକୀର୍ତ୍ତନବେଳେ ଗିନି ବଜାଏ ମୁଣ୍ଡ ହଲାଇ । ତାପରେ ହଠାତ୍ ଲମ୍ଫଦେଇ, ନାଚିଉଠେ, ମହନ୍ତ ମହାରାଜ ଓ ଅନ୍ୟ ଭକ୍ତମାନଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ । ଆଃ ! କି ଅହେତୁକ ଭକ୍ତି ! ନିମାଇଁଚନ୍ଦ୍ରଙ୍କର ଏଇପରି ଉନ୍ମାଦଦଶା ହୋଇଥିଲା ଗୋକୁଳରେ ! ସମସ୍ତେ ମୁଗ୍‌ଧ ହୋଇଉଠନ୍ତି । ପଙ୍‍କ୍ତିଭୋଜନ ବେଳେ, ତା’ ପତରରେ ଢଳାଯାଏ ପ୍ରଚୁର ଡାଲମା ଆଉ କ୍ଷୀରୀ ! ଗୋଲଖର ଭକ୍ତି ରସପୃଷ୍ଟି ପାଇଁ ପ୍ରଚୁର ଖାଦ୍ୟ ପ୍ରୟୋଜନ । ମହନ୍ତ ମହାରାଜ କହନ୍ତି...‘‘ତା’ ପତ୍ରରେ ଆଉ ଦିଟା ଚୂଡ଼ାଘସା ପକାଅ ।” –ମେସ୍‌ରେ ମିଲ୍ ବନ୍ଦହେଲେ ଗୋଲଖ କେୟାର କରିଛି ?–ମୁଁ ଥରେ ସଞ୍ଜବେଳେ, ବଜାରରୁ କିଣି ଫେରୁଥିଲି ସାଗୁଦାନା ଆଉ ଚିନି । ଗୋଲଖ ପଚାରିଲା... “ଜର ନା ଡିସେଣ୍ଟ୍ରୀ ?” ମୁଁ ହସି ଉତ୍ତର ଦେଲି...‘‘ସାରଦାବାବୁ ମିଲ୍ ବନ୍ଦ କରିଛି ।” ପକେଟରେ ରଖି ଦେ ସାଗୁ ଦାନା । ଆ ମୋ ସାଙ୍ଗରେ ।” ଗୋଲଖ ସାଙ୍ଗରେ ସେଇଦିନ ଆସିଥିଲି ମଠକୁ । ଗୋଲଖ କହିଲା...‘‘କୀର୍ତ୍ତନବେଳେ ମୋ ପାଖରେ ଆଖିବୁଜି ମୁଣ୍ଡ ହଲେଇ ଗିନି ବଜେଇବୁ । ବାସ୍ ସେତିକି !” ଗୋଲଖ ପାଖରେ ବସି ତାକୁ ଅନୁକରଣ କରି ଗିନି ବଜାଇଲି । ମୋ ଅନଭ୍ୟସ୍ତ ହାତରେ ଗିନି ବେତାଳିଆ ହେବାରୁ ଗୋଲଖ ମୋତେ ପୁଳାଏ ଚୁମୁଟିଦେଇ, ଫିସ୍‍ଫିସ୍ କଣ୍ଠରେ ମୋ କାନରେ ସାନ୍ଧ୍ୟ ଭାଷାରେ କହିଲା... ‘ନିଗି ଉଥା । ଲିତା ରମା ।’ (ଗିନି ଥାଉ ତାଳି ମାର) ମୁଁ ଗିନି ରଖିଦେଇ, ଆଖିବୁଜି, ମୁଣ୍ଡ ଦୋଳାଇ, ଦୁଇହାତରେ ତାଳି ବଜାଇଲି । ସଂକୀର୍ତ୍ତନ ଚୂଡ଼ାନ୍ତକୁ ଉଠିବାବେଳେ, ଗୋଲଖ ହଠାତ ପ୍ରସ୍ତେ ନାଚିଲା । ମୁଁ ବି ତା’ ଦେଖାଦେଖି ନାଚିଲି । ଜଣେ ବୃଦ୍ଧା–ନାସାଗ୍ର ପର୍ଯ୍ୟନ୍ତ ଚିତାତିଳକ କାଟିଛନ୍ତି, ବେକରେ ତୁଳସୀକଣ୍ଠି–ଗଦଗଦ କଣ୍ଠରେ କହିଉଠିଲେ... “ଆଃ ! ମୋର ନିତାଇ ଗୌରରେ”–ସେଦିନ ମଠରେ ଆକଣ୍ଠ ଭୋଜନ ସାରି, ଫେରିବାବେଳେ ଗୋଲଖ କହିଲା... “ମୁଁ ନିତାଇ, ତୁ ଗୌର; ତୋ ରଙ୍ଗଟା ଟିକିଏ ସଫା କିନା !” ତାପରେ ନିଜର ରସିକତାରେ ହସିଲା । ମୁଁ କିନ୍ତୁ ମନେମନେ ଅନୁତପ୍ତ–ସେମାନଙ୍କ ସରଳବିଶ୍ଵାସକୁ ପ୍ରତାରିତ କରୁଛି । ବୁଢ଼ୀର ସେ ଦୁଇଟି କୋମଳ ଆଖି, ତା’ର ତନ୍ମୟ କଣ୍ଠରେ ସେଇ ଉଚ୍ଚାରଣ, “ଆଃ ! ମୋର ନିତାଇ ଗୌରରେ !’ –ବୁଢ଼ୀ ମୋତେ ନିଜ ହାତରେ ଖୁଆଇଥିଲେ ପ୍ରଚୁର ମାଲପୁଆ ଆଉ କ୍ଷୀରୀ ! କିନ୍ତୁ ମୋର ଛଳନା ଯଦି ସେମାନଙ୍କ ପ୍ରାଣରେ ଭକ୍ତି–ଭାବ ସଞ୍ଚାର କରିପାରିଲା, ତାହେଲେ ସେ ଛଳନା, ସବୁ ସାଧନାଠାରୁ କୋଉ ଗୁଣରେ କମ୍ ?

 

ଆଜି ସନ୍ଧ୍ୟାରେ କିନ୍ତୁ ମଠକୁ ଯିବାପାଇଁ ମୁଡ଼୍ ନଥିଲା ।

 

ମୁଁ ଆସିଲି ସୂତାହାଟ ଗଳିରେ କାଳୀପ୍ରସାଦ ଘରକୁ । ଗଳିରାସ୍ତା ଉପରକୁ କାଳୀପ୍ରସାଦର ପଢ଼ାଘରର ଝରକା । କାଳୀପ୍ରସାଦ ଲଣ୍ଠନ ଆଲୁଅରେ, ଟେବୁଲ୍ ଉପରେ ଖଣ୍ଡେ ବହି ମେଲି ବସିଛି । ଅଧେ ଆଲୁଅ ଅଧେ ଛାଇ ଭିତରେ, ତା’ର ଚେହେରାଟା ବେଶ୍ କୋମଳ ଦିଶୁଛି । ସାଇକେଲ୍‌ଟା ବାହାର କାନ୍ଥରେ ଡେରି, ମୁଁ ତାଙ୍କ ଘର ଭିତରକୁ ପଶିଆସିଲି ! କାଳୀପ୍ରସାଦ ପଢ଼ୁଚି ବାଇରନ୍‌ଙ୍କ କବିତା...

 

She walks in beauty

like the night,

Of cloudless climes and

Starry skies,

And all that is best dy

dark and bright

Meet in her aspect

and her eyes,

 

ଏଇ କବିତାଟାକୁ ପଢ଼ି କାଳୀପ୍ରସାଦ, ଆଃ–ଉଃ କରୁଛି । କାଳୀପ୍ରସାଦ ଏହାଭିତରେ ପ୍ରେମ କରିବା ଆରମ୍ଭ କରିଦେଲାଣି–ମୋତେ ନକହିଲେ ବି ମୁଁ ଜାଣିଛି । ଏ କବିତାଟା ହୁଏତ ତା’ର ଏଇ ନିର୍ଜନ ପଢ଼ାଘରେ, ଲଣ୍ଠନର ଛାଇ ଆଲୁଅ ଭିତରେ ଫୁଟାଇଦେଉଛି ତା’ର ସେଇ ମାନସୀ ପ୍ରତିମା ! କାଳୀପ୍ରସାଦ କବି ତ ! ମୁଁ ତା’ର ମାନସୀ–ତପସ୍ୟାରେ ବାଧା ନଦେଇ, ଖଣ୍ଡେ ସିଗାରେଟ କାଢ଼ି ନିଆଁ ଲଗେଇଲି ।

 

ହଠାତ ବାରନ୍ଦାରେ ଭାରୀ ପାଦଶବ୍ଦ ଶୁଭିଲା । ମୁଁ ତରତର ହୋଇ ସିଗାରେଟ ଖଣ୍ଡ ନିଭେଇ, ଝରକା ବାହାରକୁ ଫିଙ୍ଗିଦେଲି । କାଳୀପ୍ରସାଦର ବୋଉ, ପଢ଼ାଘର ଭିତରେ ମୋତେ ଦେଖି ଅପ୍ରସନ୍ନ କଣ୍ଠରେ ପଚାରିଲେ... “ତମର ପଢ଼ାପଢ଼ି ନାହିଁକି ମାନା ?” ...ଏହାର ଅର୍ଥ ମୁଁ ବୁଝିଲି ।

 

କାଳୀପ୍ରସାଦ ମୋ ପକ୍ଷରୁ କୈଫିୟତ୍ ଦେଇ କହିଲା... “ତା’ର ନୋଟ୍ ଖାତା ମୁଁ ନେଇଆସିଥିଲି କଲେଜରୁ । ଫେରେଇନେବା ପାଇଁ ଆସିଛି ସେ !” କାଳୀପ୍ରସାଦ ଯୋଉ ପାଠ ପଢ଼ୁଛି, ଜାଣିଲି ମୁଁ । ଏ ପ୍ରେମକବିତା କୁଆଡ଼େ ଆମର ପାଠ ? ଆମର ପଢ଼ା ହେଉଛି ବର୍ତ୍ତମାନ ଡାଫୋଡ଼ିଲ୍ କବିତା ! ୱାର୍ଡ଼ସ୍‌ୱାର୍ଥ୍ କ’ଣ ଏମିତି ପ୍ରେମ–କବିତା ଲେଖିଛନ୍ତି ? କାଳୀପ୍ରସାଦ ବୋଉ ଅବଶ୍ୟ ମୁହଁ ଫିଟାଇ କହିଲେ ନାହିଁ । ମାତ୍ର ତାଙ୍କ ଆଖିରେ ସେହି ଅନୁନ୍ତ ଭର୍ତ୍ସନାର ଉଚ୍ଚାରଣ...ତମେ ପାଠ ନପଢ଼ିଲେ ନାହିଁ, କାଳୀକୁ ଡିଷ୍ଟର୍ବ୍ କରନାହିଁ !” କାଳୀପ୍ରସାଦ ଆଡ଼ୁ କୌଣସି ପ୍ରଶ୍ରୟର ସୂଚନା ନପାଇ ବାହାରକୁ ଚାଲିଆସିଲି ।

 

ନାଁ ! ଆଉ କୋଉଠିକି ଯିବିନାହିଁ । ଆଜି ଦିନଟା ଖରାପ ! ସାଇକଲ୍‌ କୁଆଡ଼େ ମନକୁମନ ଗଡ଼ିଚାଲିଛି, ସେ ଖିଆଲ୍ ନାହିଁ । ଯୁଆଡ଼େ ଇଚ୍ଛା, ସେଆଡ଼େ ଗଡ଼ିଯାଉ । ମୁଁ ଆଜି ଚାହେଁ, ନିଜକୁ ଏହିପରି ହଜାଇ ଦେବାପାଇଁ । କାଳୀପ୍ରସାଦ ପ୍ରତି ଘୋର ଈର୍ଷା...ସେ ପ୍ରେମ କରିପାରିଲା; ଅଥଚ ମୁଁ ପାରିଲି ନାହିଁ ! ଶ୍ୟାମଳୀ ପୁଣି ମୋ ନାଁରେ ପ୍ରିନସିପାଲ୍‌ଙ୍କ ପାଖରେ ଫେରାଦ କଲା ! ତଥାପି ଶ୍ୟାମଳୀ ପ୍ରତି ମୋହ କଟି ନାହିଁ ! ପ୍ରଚ୍ଛନ୍ନ ବେଦନା ପରି ଶ୍ୟାମଳୀ ବେଳେବେଳେ ମୋର ଚେତନାକୁ ବିନ୍ଧିଦେଉଛି ! ଆହତ ପଶୁ ନିଜର କ୍ଷତକୁ ଚାଟିବା ପରି, ଶ୍ୟାମଳୀର ସ୍ତୁତି–ରୋମନ୍ଥନ ଭଲଲାଗୁଛି–ଆନନ୍ଦ ଆଉ ବେଦନାର ମିଶାମିଶି ଭାବ !

 

ନିର୍ଜନ ନଈକୂଳ । ସିରିସିରି ପବନ । ଆକାଶରେ ବଉଦ ଫାଙ୍କରେ ଜହ୍ନର ଲୁଚକାଳି ଖେଳ । ଛାଇ ଆଲୁଅରେ ବିଚିତ୍ର ଇନ୍ଦ୍ରଜାଲ । ମୁଁ ଖୋଜୁଥିଲି, ଏଇପରି ନିର୍ଜନତା । ସାଇକେଲ୍‍ଟା ଡେରିଦେଇ ମୁଁ ପଥର ବନ୍ଧ ଉପରେ ଚିତ୍ ହୋଇ, ଆକାଶକୁ ଚାହିଁ ଶୋଇପଡ଼ିଲି । ଆଃ...She walks in beauty like the night । କିନ୍ତୁ ଏ She କିଏ ? ଭିଡ଼ ବାନ୍ଧି ଆସିଲେ, ଶୋଭା, କେତୀ ଆଉ ଶ୍ୟାମଳୀ ! କାହାକୁ ସ୍ଥିର କରିପାରିଲି ନାହିଁ । କାହାକୁ ବି ଗ୍ରହଣ କରିପାରିଲି ନାହିଁ । ବଉଦ ଉହାଡ଼ରେ ମୁହଁ ଦେଖାଇ, ଜହ୍ନ ଲୁଚିଯିବା ପରି, ପ୍ରତ୍ୟେକେ ଦଣ୍ଡେ ଦଣ୍ଡେ ମୋ ମନର ଆକାଶରେ ମୁହଁ ଦେଖାଇ ପୁଣି ଲୁଚିଯାଉଛନ୍ତି । ମୋ ଆଖିରେ କେତେବେଳେ ନିଦ ଲାଗିଯାଇଛି ।

 

ଟ୍ରେଜେରୀ ଘଣ୍ଟାରେ ଢଙ୍ଗ୍ ଢଙ୍ଗ୍ ହୋଇ ରାତି ବାରଟା ବାଜିଲା...ରାତ୍ରିର ମୂର୍ଚ୍ଛିତ ପ୍ରହରରେ ଶବ୍ଦର ତରଙ୍ଗ । ଭାରୀ ଗମ୍ଭୀର । ସମୟର ନିର୍ମମ ସଙ୍କେତ ଧ୍ଵନି । ବାରଥର ଘଣ୍ଟାପ୍ରହାର ପରେ, ପୁଣି ଆଉଥରେ ପଡ଼େ କାହିଁକି ? ଏଇ ଶେଷ ଧ୍ଵନିଟା ଶୁଣିବା ପାଇଁ ମୋତେ କାହିଁକି ଭଲଲାଗେ କେଜାଣି ? ମୁଁ ଆଖି ମଳିମଳି ପଥରବନ୍ଧ ଉପରକୁ ଉଠିବସିଲି । ତାପରେ ଖଣ୍ଡେ ସିଗାରେଟ ଓଠରେ ଚାପି, ମୁଁ ସାଇକଲ୍‌ ଛୁଟାଇ ଫେରିଲି ମେସ୍‍ଆଡ଼େ । ଆକାଶରେ ଛାଇ, ଆଲୁଅ ଜହ୍ନ ଆଉ ବଉଦର କୋଳାହଳ ।

 

ମେସ୍‌ ଗଳି ନିର୍ଜନ । ମୋର ସାଇକେଲ୍‌ ଶବ୍ଦ ବାରି, ବୁଲା କୁକୁର କେତେଟା ଏକା ସଙ୍ଗରେ ଭୁକିବା ଆରମ୍ଭ କରିଦେଲେ । ମୁଁ ଯେପରି ସେମାନଙ୍କର ଜାତଶତ୍ରୁ ! ଅନ୍ୟବେଳ ହୋଇଥିଲେ, ମୁଁ ସାଇକେଲରୁ ଓହ୍ଲାଇ ସେଗୁଡ଼ାଙ୍କ ଉପରକୁ କେତେଟା ଢେଲା ଫିଙ୍ଗିଥାନ୍ତି । ମାତ୍ର ଆଜି ସେଥିପାଇଁ ମୋର ମୁଡ଼୍‍ନଥିଲା । ଆମ ବସ୍ତିର ସେଇ ଧଇଁପେଲା ରୋଗୀଟି, ପିଣ୍ଡାରେ ବସି କାଶୁଛି, କଫମିଶା କାଶ... ମୁଁ ଅନେକ ରାତିରେ, ବିଛଣାରେ ପଡ଼ି ତା’ର ଲହରିଆ କାଶର ଉତ୍କଟ ଆର୍ତ୍ତନାଦ ଶୁଣିଛି; ମୃତ୍ୟୁ ଯେପରି ତା’ର କଣ୍ଠନଳୀକୁ ଚାପିଧରିଛି, ହିଂସ କ୍ଷୁଧାରେ ! ମାତ୍ର ସକାଳେ ପୁଣି ତାକୁ ଦେଖିଛି, ଲୁଙ୍ଗି ଉପରେ ହାଫସାର୍ଟ ଖଣ୍ଡେ ଝୁଲାଇ, ହାତରେ ଗୋଟାଏ ବ୍ୟାଗ୍ ଓହଳାଇ, ସେ ଯାଉଛି ବଜାରସଉଦା ପାଇଁ !

 

ମେସ୍‌ ଦରଜା ବନ୍ଦ ! ଦଧିକୁ ଆଜି ରାତିରେ ଉଠାଇବି ନାହିଁ, କିମ୍ଵା ପାଚେରୀ ଡେଇଁ ମେସ୍ ଭିତରେ ପଶିବି ନାହିଁ ! ମେସ୍‌ ପିଣ୍ଡାରେ ମୁଁ କାନ୍ଥକୁ ଆଉଜି, ଦୁଇଗୋଡ଼ ଲମ୍ବାଇ ବସିପଡ଼ିଲି-। ଏଇ ବେଶ୍ । ଗୋଟାଏ କ୍ଲେଦାକ୍ତ ଦିନର ପରିସମାପ୍ତି ! ଜହ୍ନରାତି ବୋଲି ବତୀଖୁଣ୍ଟରେ ଆଲୁଅ ଆଜି ହିକ୍‌କା ମାରୁନାହିଁ । ନୋହିଲେ ରାତି ବାରଟା ବେଳକୁ ତା’ର ହିକ୍‌କାମରା ଆରମ୍ଭ ହୋଇଯାଏ । ହିକ୍‌କା ମାରି ମାରି, ନିଭିଯାଏ । ଆଜି କିନ୍ତୁ ବତୀଖୁଣ୍ଟଟା ଦିଶୁଛି, ଦଣ୍ଡେ ଶାନ୍ତିରେ ନିଦେଇ ଯାଇଥିବା ରୋଗୀର ମୁହଁ ପରି । ଆଜି ତା’ର ଜଳିବା ଆଉ ହିକ୍‌କା ମାରି ନିଭିଯିବା ରୁଟିନରୁ ଛୁଟି ! ଜହ୍ନଟା ଆସି ହେଲାଣି ମେସ୍‌ ସାମ୍‌ନା ସେଇ ନିଛାଟିଆ ଦେବଦାରୁ ଗଛ ଚୂଡ଼ାରେ-। ଚେନାଏ ତେରଛା ଜହ୍ନ ଆଲୁଅ ପଡ଼ିଛି, ମେସ୍ କାନ୍ଥଉପରେ ।

 

ଗଳି ମୁଣ୍ଡରେ ଶୁଭିଲା ଘୋଡ଼ାଗାଡ଼ିର ଶବ୍ଦ, ଗାଡ଼ି ଆମ ଗଳି ଭିତରକୁ ପଶୁଛି । ଇଏ ଅତସୀବାବୁ ନିଶ୍ଚୟ । ହଁ ଅତସୀବାବୁ । ଗାଡ଼ିଟା ମେସ୍ ସାମ୍‌ନାରେ ରହିଲା । ଅନ୍ଧାରରେ ଦେଖାଯାଉନାହାନ୍ତି ଅତସୀବାବୁ, କିନ୍ତୁ ବାରି ହୋଇପଡ଼ୁଛନ୍ତି ଠିକ୍ । ମଦ, ସିଗାରେଟ୍ ଆଉ ଅତରର ଫେଣ୍ଟାଫେଣ୍ଟି ବାସନା । କଚୁଅନ୍ ବେକ ପର୍ଯ୍ୟନ୍ତ ବୋଧହୁଏ ତେଣ୍ଡି ଦେଇଛି । ସେଥିପାଇଁ ସିଟ‌୍‌ରୁ ଓହ୍ଲାଇ ଦରଜା ଖୋଲିବାପାଇଁ ତା’ର ଡେରିଦେଉଛି । ଓହ୍ଲାଉ ଓହ୍ଲାଉ ତା’ କାମଟା ସେ ବେଳେବେଳେ ଭୁଲିଯିବା ପରି ମନେହେଉଛି । ଅବଶେଷରେ ସେ ସିଟ‌୍‌ରୁ ଓହ୍ଲାଇ ଘୋଡ଼ା ଗାଡ଼ିର ଅଧାଦରଜଟା ଫିଟାଇ ଧରିଲା ଟଳିଟଳି । ଅତସୀବାବୁଙ୍କର ମଧ୍ୟ ବେସମାଳ ଅବସ୍ଥା । ସେ ଡାକିଲେ–ଦ–ଧ୍–ଧ୍...କିପରି ଗାଡ଼ିରୁ ଓହ୍ଲାଇବେ ସ୍ଥିର କରିନପାରି ସେଇପରି ଗାଡ଼ିଭିତରେ ବସି ରହିଲେ । କଚୁଆନ୍ ଖୋଲା ଦରଜାଟା ଧରି ମଧ୍ୟ ଝୁଲୁଛି, ଝୁଙ୍କୋଉଚି ପୁଣି ସିଧା ହୋଇ ଠିଆହେଉଛି । ଘୋଡ଼ା ଦୁଇଟା ଅସହିଷ୍ଣୁ ଭାବରେ ଖୁରା ପିଟୁଛନ୍ତି । ସକାଳେ ପୁଣି ସବାରୀ ଅଛି ଯେ ! ଅବସ୍ଥା ଲକ୍ଷ୍ୟକରି, ମୁଁ ପିଣ୍ଡାରୁ ରାସ୍ତାଉପରକୁ ଓହ୍ଲାଇପଡ଼ିଲି, ଅତସୀବାବୁଙ୍କୁ ଗାଡ଼ିରୁ ଓହ୍ଲାଇଦେବା ପାଇଁ । ଦଧି, ମୋଟେ କୁଆଡ଼େ କବାଟ ଫିଟାଇନଥିଲା; କିନ୍ତୁ ଘୋଡ଼ାଗାଡ଼ି ଶବ୍ଦ ଶୁଣି ସେ କେତେବେଳେ ଆସି କବାଟ ଫିଟାଇ, ଠିଆହୋଇ ହାଇମାରୁଛି । ...ସ୍ଲେଭ୍ । ଅର୍ଥର କ୍ରୀତଦାସ !

 

ଗାଡ଼ିଭିତରୁ ଅତସୀବାବୁଙ୍କୁ ଧରି ଓହ୍ଲାଇବାବେଳେ, ତାଙ୍କ ପାଖରେ ଜଣେ ସ୍ତ୍ରୀଲୋକକୁ ହଠାତ୍ ଦେଖି, ଦଣ୍ଡେ ବିସ୍ମିତ ହୋଇପଡ଼ିଲି । ଚେନାଏ ଜହ୍ନଆଲୁଅରେ ତା’ର ଫାଳିଏ ମୁହଁ କେବଳ ଅସ୍ପଷ୍ଟ ଭାବରେ ଦେଖାଯାଉଛି... କୋମଳ, କରୁଣ, ସ୍ଵପ୍ନ ବୋଳା । ମୋର ମନେପଡ଼ିଗଲା ସେଇ କବିତା–

 

“And all that is best of

dark and bright,

meet in her aspect

and her eyes,”

 

ଅତସୀବାବୁ ମୋ କାନ୍ଧଉପରେ ହାତ ରଖି ଥରଥର ପଦରେ ନର୍ଦ୍ଦମା ଡେଇଁ ପିଣ୍ଡାଉପରକୁ ଉଠିବାବେଳେ ସ୍ପଳିତ କଣ୍ଠରେ କହିଲେ... ‘କିଏ ତୁମେ ବାବା ମାଣିକ୍‌ ଚାନ୍ଦ, ମୋତେ ଏ ନର୍ଦ୍ଦମା ବୈତରଣୀ ପାର କରେଇଲ ?”

 

“ମୁଁ ମାନବେନ୍ଦ୍ର–ମାନା ।”

 

‘ଓ ! ଠିକ୍ ଅଛି... ତାକୁ ସମସ୍ତେ ଡାକନ୍ତି ତିଲବାଈ, ମୁଁ କିନ୍ତୁ ତା’ର ନାଁ ରଖିଛି ତିଳୋତ୍ତମା, ତିଳୋତ୍ତମା... ! ଦ–ଧ୍–ଧି... ଧର ମୋତେ !” ଦଧି ଅତସୀ ବାବୁଙ୍କୁ ପହଣ୍ଡି କରାଇବା ଭଳି ନେଇ, ତାଙ୍କ ରୁମ୍‌ରେ ଛାଡ଼ିଲେ ।

 

ସାତ

 

ଫାଷ୍ଟ୍ ପିରିଅଡ଼୍ ଇଂରାଜୀ ନାହିଁ । ଇକନମିକ୍‌ସ । ତେଣୁ କ୍ଳାସ ଆଟେଣ୍ଡ୍ କରିବା ପାଇଁ ଉତ୍ସାହ ନାହିଁ । ତା’ ଛଡ଼ା ଗତ ମାସରେ ଦରମା ନ ଦେବାରୁ ନାଁ କଟିଯାଇଛି । ରୋଲ୍ କଲ୍ ବେଳେ ଲଜ୍ଜାଜନକ ବ୍ୟାପାର । କାନ୍ତମାମୁଁ ଟଙ୍କା ପଠାଇବେ ବୋଲି, ଆଶା ବାନ୍ଧି ଦିନ ଗଣୁଛି । କଲେଜ ଛକ ଗୁଜୁରାଟି ରେସ୍ତୁରାଁ ପାଖରେ ପୋଷ୍ଟଅଫିସ୍ । ମେସ୍ ଠିକଣାରେ ଟଙ୍କା ନ ପଠାଇ, କଲେଜ ଠିକଣାରେ ଟଙ୍କା ପଠାଇବା ପାଇଁ, କାନ୍ତମାମୁଁଙ୍କୁ ଲେଖିଛି । ସେଇ ଦଧି ଅଭିଜ୍ଞତା ପରଠାରୁ । ଆଉ ଟିକକ ପରେ, ଡାକ ଘରକୁ ଯାଇଁ ବୁଝିବି, ମାନବେନ୍ଦ୍ର ଦାସ, ସେକେଣ୍ଡ ଇୟର ଷ୍ଟୁଡ଼େଣ୍ଟ, ମନି ଅର୍ଡ଼ର ଆସିଛି କି ନାହିଁ । ନାହିଁ, ନାହିଁ–ସେହି ଏକ ଉତ୍ତର ଦେଇ ଦେଇ, ଡାକବାବୁ ମନେମନେ ମୋ ଉପରେ ବିରକ୍ତ ହୋଇଉଠିଲେଣି ।

 

ରେସ୍ତୁରାଁରେ ବସି ନଗେନ ଆଉ ମୁଁ ଚା ପିଉଛୁ । ଗୁଜୁରାଟୀ ରେସ୍ତୁରାଁରେ ମୋର କ୍ରେଡ଼ିଟ୍ ଅଛି । ନଗେନ୍ଦ୍ର କହିଲା... “ମାନା ଜାଣିଛୁ ତୋତେ କଲେଜରେ ସମସ୍ତେ କହୁଛନ୍ତି ଚରିତ୍ରହୀନ–ସେଇ ଫାଇନ ହେବା ପରଠାରୁ ।”

 

ମୋ ଓଠରେ ସିଗରେଟ୍‍ଟା ଦପଦପ ଜଳିଉଠିଲା, ମୋ ମନରେ ବାରୁଦସ୍ତୂପ ବିଷ୍ଫୋରଣ କରିବା ପରି । ମୋ ଆଖିଆଗରେ ଭାସିଉଠିଲା ରାତିଅଧରେ ଅତସୀବାବୁ ମଦ ଟଳଟଳ ପାଦରେ, ଘୋଡ଼ାଗାଡ଼ିରୁ ଓହ୍ଲାଉଚନ୍ତି । ପାଖରେ ତିଳୋତ୍ତମା ! କଚୁଆନ ପୁଣି ଆକଣ୍ଠ ତେଣ୍ଡି ଦେଇଛି ଦେଶୀ ! ଦଧି ବଶମ୍ବଦ କ୍ରୀତଦାସ ପରି ମେସ୍ କବାଟ ଫିଟାଇଲା । କୁକୁରମାନେ ସୁଦ୍ଧା ଭୁକିଲେ ନାହିଁ !–ଅତସୀ ବାବୁ ଜମିଦାରଘର ପିଲା । ସାତଗୁଣ ମାଫ୍ । କଚୁଆନ, କଚୁଆନ-! ସେମାନଙ୍କୁ କେହି ତ ଚରିତ୍ରହୀନ କହୁନାହାନ୍ତି ! ସାରଦା ବାବୁ ସୁଦ୍ଧା ଚୁପ୍ ! ମୁଁ କାହିଁକି ହେବି ଚରିତ୍ରହୀନ ? ଚରିତ୍ରଟା ବୋଧହୁଏ ଆମରି ପରି ମଝି ମଝିଆଙ୍କ ପାଇଁ !

 

ମୁଁ ସିଗ୍ରେଟ୍‌ରେ ଗୋଟାଏ ଲମ୍ବା ଟାଣ ଦେଇ କହିଲି...“ଚରିତ୍ର ହେଉଛି ଆମ ମେସ୍‌ର ସାରଦାବାବୁ ଅଥବା ମୋ ବାପାଙ୍କ ପରି, ଘାସକୁ ବଡ଼, ବେଣାକୁ ଛୋଟ ମଣିଷମାନଙ୍କ ପାଇଁ । ଧନୀଲୋକ ସେଥିପାଇଁ କେଆର୍ କରନ୍ତି ନାହିଁ ! କିମ୍ବା ଗରିବ ଲୋକଙ୍କର ସେଥିରେ ପ୍ରୟୋଜନ ନାହିଁ !”

 

ନଗେନ୍ଦ୍ର ମୋ କଥା ବୁଝିଲା କି ନାହିଁ, ଜାଣେନା ! କିନ୍ତୁ ପ୍ରତିବାଦ କଲା ନାହିଁ ବା ଯୁକ୍ତି କଲା ନାହିଁ । ମୁଁ ଅକାରଣ ଉତ୍ତେଜନାରେ ଟେବୁଲ୍ ଉପରେ ହାତପିଟି କହିଲି...“ମୁଁ ଚରିତ୍ରହୀନ । ଚରିତ୍ରହୀନ ! ସେମାନେ ମୋତେ ଚରିତ୍ରହୀନ କହିବେ କ’ଣ ?” ନଗେନ୍ ବିସ୍ମିତ ହେଲା ।

 

ସେକେଣ୍ଡ ପିରିଅଡ଼୍ ଘଣ୍ଟା ପଡ଼ିଲା । ନଗେନ୍ଦ୍ର ହାତରେ ବହି ଖାତା ଧରି ଉଠିଗଲା । କ୍ଳାସ୍ ଅଛି । ଚା’ ସିଗାରେଟ ଝଡ଼ାଇବା ମତଲପ୍‌ରେ ମୋ ସାଙ୍ଗରେ ଗପ ଜୋଡ଼ିବା, କୋଉ ଚରିତ୍ର-? ଓଭରସିଅର୍ ବାବୁଙ୍କ ବଦଳୀ ବନ୍ଦ କରାଇବା ପାଇଁ କାନ୍ଦିଏ କଦଳୀ, ଠେକିଏ ଘିଅ ଆଉ ସରୁଚାଉଳ ‘ଡାଲା’ ନେବା, କୋଉ ଚରିତ୍ର ? ୟା ଭିତରେ ବାଇରନ୍‌ଙ୍କ ଜୀବନୀ ଲାଇବ୍ରେରୀରୁ ଆଣି ପଢ଼ିଲିଣି । ଚରିତ୍ରହୀନତା ଥିଲା ଯେପରି ତାଙ୍କର ଭୂଷଣ ! ମୁଁ ହେବି ଲର୍ଡ଼ବାଇରନ୍ ! ମୁଁ କେୟାର କରିଛି କଲେଜ ସାର୍ଟିଫିକେଟ୍‌କୁ ? ମୁଁ ଠିକ୍ ଚରିତ୍ରହୀନ ତଥାପି ହୋଇପାରିଲିନାହିଁ-। ଆଉରି ହେବି ! ‘ଚା’ ଆଉ ଅଧ କପ୍” !

 

ଡାକଘରକୁ ଆସିଲି । ଡାହାଣ ନାଳପୁଡ଼ାରେ ନିଃଶ୍ୱାସ ଯାଉଛି । ଶୁଭ ସୂଚନା । ଡାକବାବୁ, ମୁଁ ପିଣ୍ଡାଉପରକୁ ଉଠୁଛି, ଦେଖିବା ମାତ୍ରେ ତଳକୁ ମୁଣ୍ଡ ନୁଆଇଁନେଲେ । ତଥାପି ଡାହାଣ ନାକପୁଡ଼ାର ଆଶ୍ୱାସନା ଉପରେ ନିର୍ଭର କରି ମୁଁ ପଚାରିଲି, ମାନବେନ୍ଦ୍ର ଦାସ, ସେକେଣ୍ଡ ଲୟର୍, ମନିଅର୍ଡ଼ର ଅଛି ? ଡାକବାବୁ ମୋ ଆଡ଼େ ସ୍ଥିରଦୃଷ୍ଟିରେ କିଛିକ୍ଷଣ ଚାହିଁଲେ; ତାପରେ ଫିଙ୍ଗିବା ପରି ଉତ୍ତର ଦେଲେ... “ତମ ନାଁରେ ମନିଅର୍ଡ଼ର, କେବେ ଆସିବ ନାହିଁ !” ...କାନ୍ତମାମୁଙ୍କୁ କ’ଣ ବାପା ଚିଠି ଲେଖିଛନ୍ତି, ମୋତେ ଆଉ ଟଙ୍କା ନପଠାଇବା ପାଇଁ ?

 

ଟଙ୍କା ନଥାଉ । ଅଛି ମୋର ଉଦ୍ଦାମ ଯୌବନ । ଦୁଃସାହସୀ ସ୍ଵପ୍ନ । ମୁଁ ଚାଲିଲି–ଷ୍ଟେସନ୍‌ ଡେଇଁ, ମରହଟ୍ଟାଖାଇ କୂଳରେ ବାବୁରୀବଣ ଆଡ଼େ । ଏ ସ୍ଥାନକୁ ଆବିଷ୍କାର କରିଛି ମୁଁ । କଲେଜରୁ ନାଁ କଟିଲେ, ମୁଁ କମନ୍‌ରୁମକୁ ସୁଦ୍ଧା ଯାଏ ନାହିଁ । ସିଧା ଚାଲିଆସେ ଏକ ବାବୁରୀବଣକୁ-। ଆଜି ମଧ୍ୟ ବାବୁରୀବଣକୁ ଆସି, ସାଇକେଲଟା ତଳେ ଫିଙ୍ଗିଦେଇ, ନରମ ଘାସର ଗାଲିଚା ଉପରେ ଶୋଇପଡ଼ିଲି, କଂପ୍ଲିଟ୍ ୱାର୍କସ୍‌ ଅଫ ସେକସ୍ପିୟର ମୁଣ୍ଡତଳେ ରଖି । ଖଣ୍ଡେ ସିଗ୍ରେଟରେ ନିଆଁ ଲଗାଇଲି । ତାପରେ ତଳୁ ଉଠାଇ ଧରିଲି, ଏଡ଼ଗାର୍ ୱାଲେସ୍‌ଙ୍କ “ଥ୍ରୀ ଜଷ୍ଟ ମେନ୍‌” ଡିଟେକ୍‍ଟିଭ ଉପନ୍ୟାସ ! କାପ୍ତା ଗୋଟାଏ ଘୁମୁରୁଛି କୋଉଠି । ବୋଉ କଥା ହଠାତ୍‌ ମନେପଡ଼ିଲା-। ବୋଉ ! ତୋ ପୁଅ ମନୁଆଁ ଏକାଥରେ ଚରିତ୍ରହୀନ ହୋଇଗଲାଣି ! ସେ ଖବର ରଖିଚୁ-?

 

ନିଦ ଭାଙ୍ଗିବା ବେଳକୁ ଦି’ପହର ଗଡ଼ିଯାଇଛି । ଗୁଜରାଟୀ ରେଷ୍ଟୁରାଣ୍ଟରେ ଆଉ କପେ ଚା’ ପିଇ ମେସ୍‌ ଆଡ଼େ ଫେରିଲି । ଦଧି ନାହିଁ । ମେସ୍‌ ଦୁଆର ଅଧା ମେଲା ! ଅତମୀବାବୁଙ୍କ କଣ୍ଠସ୍ୱର ଶୁଭିଲା... “କିଏ ?

 

“ମୁଁ, ମାନବେନ୍ଦ୍ର !”

 

“ଓ ! ମାଣିକଚାନ୍ଦ !” ଆସ, ଆସ, ଏଣେ !

 

ସେଇ ରାତିଠୁ, ଅତସୀବାବୁ ମୋତେ ଡାକୁଛନ୍ତି, ମାଣିକଚାନ୍ଦ । ଗୋଟାଏ ଆରମ ଚୌକି ଉପରେ ଲୁଙ୍ଗି ଆଉ ପଞ୍ଜାବୀ ପିନ୍ଧି, ବସିଛନ୍ତି ଅତସୀ ବାବୁ । –ଚେହେରାରେ କ୍ଷୟିଷ୍ଣୁ ଆଭିଜାତ୍ୟ । ନାକ ତଳେ, ଦୁଇପଟ ସରୁ ବଙ୍କା ନିଶ । ଶୀର୍ଣ୍ଣ, ରେଖାଙ୍କିତ ମୁହଁରେ, ମାର୍ଜିତ ବୈଦଗ୍‌ଧ୍ୟ । ମୋ କାଖତଳେ ବହିଖାତା ଦେଖି, ଅତସୀବାବୁ ଖିକ୍ ଖିକ୍ ହସି କହିଲେ... “ଆଠବର୍ଷ ହେଲା, ମୁଁ ସେଇ ଫିଫ୍‌ଥ୍ ଇୟର ।” ଖିକ୍ ଖିକ୍ । “ସବ୍‌ଜେକ୍‌ଟ୍ ଭୁଲିଗଲିଣି । ଜୀବନରେ ଶିକ୍ଷା କ’ଣ କେବେ ଶେଷ ହୁଏ ?” ଖିକ୍–ଖିକ୍ । ଅତସୀବାବୁଙ୍କର ହସିବାର ଗୋଟାଏ ନିଜସ୍ୱ ଭଙ୍ଗୀ ଅଛି-

 

ଅତସୀ ବାବୁଙ୍କ ସହିତ, ମୋର ତ କୌଣସି ଯୋଗାଯୋଗ ନାହିଁ । ସେଦିନ ରାତିରେ ଯାହା ହୋଇଥିଲା ଆକସ୍ମିକ ପରିଚିୟ ! କିନ୍ତୁ ସେହିଦିନୁ ଆଖିରେ ପଡ଼ିଲେ ସେ ମୋତେ ଡାକୁଚନ୍ତି, ମାଣିକ୍ ଚାନ୍ଦ ! ଆଜି କିନ୍ତୁ ଏକାଥରେ ତାଙ୍କ କୋଠରୀ ଭିତରେ ।

 

ରୁମ୍ ଭିତରକୁ ଆସି ମନେହେଲା, ନିକଟ ଭବିଷ୍ୟତରେ ଅତସୀବାବୁଙ୍କ ଶିକ୍ଷା ସମାପ୍ତିର କୌଣସି ଯୋଜନା ନାହିଁ । ଏବଂ ସେ ଏକାଥରେ ପରମାନେଣ୍ଟ ସେଟଲମେଣ୍ଟ ପରି ବ୍ୟାପାର । ଖୋଲା ଝରକା ପାଖକୁ ଗୋଟାଏ ଚଉଡ଼ା ଖଟ । ତା’ ଉପରେ ଗଦି, ଚାଦର, ମୋଟା ଗୋଲ ତକିଆ । ମୁଣ୍ଡଉପରକୁ ଗୋଟାଏ ଟେବୁଲ । ରୁମ୍ କୋଣରେ ଗୋଟାଏ ଆଲ୍‌ମାରି । ଆଲଣାରେ ଗୁଡ଼ାଏ ଧୋତି ପଞ୍ଜାବୀ ! ...ଅତସୀବାବୁ ଏ ରୁମ୍ ଛାଡ଼ି ଯାଉନାହାନ୍ତି ଏତେଶୀଘ୍ର !

 

“ଦଧି... ରାସ୍କେଲ୍‌ ଅବିକା ଗଞ୍ଜେଇ ଅଡ଼୍ଡ଼ାରେ ବସିଥିବ ।”

 

ହୁକା ପାଇଁ ଅତସୀବାବୁ ଛଟପଟ ହେଉଥିଲେ । ଅଗତ୍ୟା ଖଣ୍ଡେ ସିଗ୍ରେଟରେ ନିଆଁ ଲଗାଇ, ଧୁଆଁର କୁଣ୍ଡଳୀ ଭିତରେ, ମୋତେ ପଚାରିଲେ... “ତିଳୋତ୍ତମା ପାଖକୁ ତାହେଲେ ଯାଇଥିଲ ତମେ ?” ଖିକ୍ ଖିକ୍... !

 

କିନ୍ତୁ ମୁଁ ଏହାଭିତରେ ସେଇ କରୁଆନ୍‍ଠାରୁ ଠିକଣା ଯୋଗାଡ଼ କରି ତିଳବାଈ ଘରକୁ ଦିନେ ସନ୍ଧ୍ୟାବେଳେ ଯେ ଯାଇଥିଲି, ସେ ଖବର ଅତସୀବାବୁ ପାଇଲେ କିପରି ? ତିଳୋତ୍ତମା ହୁଏତ କହିଛି ତାଙ୍କୁ । ତାହେଲେ ସେ ତ ମଧ୍ୟ କହିଥିବ ସେଇ ଲଜ୍ଜ୍ୟାଜନକ ବ୍ୟାପାର “ଓଃ ତମେ ଅତସୀବାବୁଙ୍କ ମେସ୍‌ ସାଙ୍ଗ ପରା ! ସେଦିନ ରାତିରେ ତାଙ୍କୁ ଗାଡ଼ିରୁ ଓହ୍ଲାଇଦେଇଥିଲ !” ତାପରେ ମୋର ଗାଲ ଚିପିଦେଇ କହିଥିଲା... “ଆଃ କି କଅଁଳ ଛନଛନ ଚେହେରା !”

 

ତିଳୋତ୍ତମା ମୋତେ ତା’ ଘର ଭିତରକୁ ନେଇ ଆଦରରେ ବସାଇଥିଲା ଖଟଉପରେ ! ମୋ ଦେହ ବରଡ଼ା ପତ୍ର ପରି ଗୋଟାପଣ ଥରୁଥିଲା । ନାରୀ ସହିତ ଏଇ ମୋର ପ୍ରଥମ ନିଭୃତ ମିଳନ–ଯୋଉ ନାରୀ ଦେହକୁ କେନ୍ଦ୍ର କରି, ମନେମନେ ସ୍ୱପ୍ନର ଏତେ ଜାଲ ବୁଣିଛି; ଇଏ ହେଉଛି ସେଇ ନାରୀର ଦେହ...ତା’ର ଚିବୁକ, ତା’ର ସ୍ତନ, ତା’ର ଜାନୁ । ତିଳୋତ୍ତମା ମୋଠାରୁ ବସିଥିଲା, ଅଳ୍ପଛଡ଼ାରେ କିନ୍ତୁ ନାରୀର ଦେହରେ ସ୍ୱପ୍ନ କାହିଁ ? ...ଗୁଡ଼ାଏ ଶିଥିଳ, ବର୍ତ୍ତୁଳ ମାଂସପେଶୀ–ପଳାଇବିକି ?

 

ତିଳୋତ୍ତମା ଅଳ୍ପ ହସି କହିଲା... “କି ଗୋ ନାଗର, ଚୁପ୍ କାହିଁକି ?”

 

ମୁଁ ପକେଟରୁ ଖଣ୍ଡେ ପାଞ୍ଚଟଙ୍କିଆ ନୋଟ୍ କାଢ଼ି ଧରାଇଦେଲି, ତିଳୋତ୍ତମା ହାତରେ ! ସେ ନୋଟ୍‌ଟା ମୋ ପକେଟରେ ରଖିଦେଇ କହିଲା... “ମୋର ମୂଲ ପାଞ୍ଚଟଙ୍କା ନୁହେଁ ଗୋ ! ତୁମ ପକେଟରେ ଥାଉ । ସିଗାରେଟ ଟାଣିବ !”

 

ପାଞ୍ଚଟଙ୍କା ହେଲାନାହିଁ ପରା । ତିଳବାଈ ଫେରାଇଦେଉଛି ! କିନ୍ତୁ ମୋ ପାଖରେ ଆଉ ଟଙ୍କା ନାହିଁଯେ । ଉପାୟ ? ଆଙ୍ଗୁଠିରେ ମୁଦିଟାଏ ନାହିଁ ଯେ ତାକୁ ଦେଇଦିଅନ୍ତି । ପଳେଇବି ପଳେଇବି ହେଉଛି, ତିଳୋତ୍ତମା ହଠାତ ଖଟଉପରେ ଚିତ୍ ହୋଇ ଶୋଇପଡ଼ି, ମୋତେ ତା’ ଛାତିଉପରକୁ ଟାଣିଧରିଲା ! ମୁଁ ତା’ର ଦୁଇଆଖି ଭିତରକୁ ଚାହିଁଲି । କିନ୍ତୁ ସେଦିନ ରାତିରେ ଜହ୍ନ ଆଲୁଅରେ ତିଳବାଈର ଆଖିଦୁଇଟା ଯେପରି ଦୀଘଳା ସ୍ୱପ୍ନବୋଳା ଦେଖାଯାଉଥିଲା, ଏ ଆଖି ତ ସିଏ ନୁହେଁ ! ନାରୀ ସ୍ୱପ୍ନବିଳାଶୀ ପୁରୁଷ ମନର ସୃଷ୍ଟି...ଅଥଚ ପରିଣତ ହୋଇପଡ଼ିଛି; ଏଇ ବିରାଟ କାବ୍ୟିକ ସତ୍ୟରେ ! କିନ୍ତୁ କେତେ ମିଥ୍ୟା, ସେଇ କାବ୍ୟିକ ସତ୍ୟ !

 

“ତମ ଦେହ ଏମିତି ବରଡ଼ାପତ୍ର ପରି ଥରୁଚି କାହିଁକି ?” ତିଳୋତ୍ତମାର କଣ୍ଠସ୍ୱର ସ୍ନେହବୋଳା । ସତ କହିଲେ, ମୋର ଅଙ୍ଗପ୍ରତ୍ୟଙ୍ଗ ସବୁ ଶିଥିଳ, ଶୀତଳ ! ବର୍ତ୍ତମାନ ଏଠୁ ପଳେଇଲେ ରକ୍ଷା ! କିନ୍ତୁ ଏ କ’ଣ ? ତିଳୋତ୍ତମାର ଦୁଇଆଖିରୁ ଦୁଇଧାର ଲୁହ ଗଡ଼ିପଡ଼ିଲା କାହିଁକି ? ସେ ମୋର ଗାଲ, କପାଳ ଉପରେ ହାତ ବୁଲାଉଛି କାହିଁକି ? ତିଳୋତ୍ତମା ମୋତେ ହଠାତ୍ ଠେଲିଦେଇ ଖଟଉପରେ ବସିପଡ଼ି ଚିତ୍କାର କରିଉଠିଲା... “ପଳାଅ, ପଳାଅ ଏଠୁ । ଆଉ ଦିନେ ଏ ବସ୍ତି ମାଡ଼ିଚ ତ ଦେଖିବ ! ଏ ବିସ୍ତିର ଗୁଣ୍ଡାମାନେ ତମର ହାତଗୋଡ଼ ଭାଙ୍ଗି ନାଗର ପଣ ଛଡ଼ାଇଦେବେ !” ଇଏକି ବିଚିତ୍ର ? ଇଏ ପରା ମୁହୂର୍ତ୍ତକ ପୂର୍ବେ, ମୋତେ ଛାତି ୟଉପରେ ଚାପିଧରିଥିଲା ! ମୁଁ ସେଠୁ ଅଣନିଃଶ୍ଵାସୀ ହୋଇ ପଳାଇଆସିଲି ।

 

ଅତସୀ ବାବୁଙ୍କ ଖିକ୍ ଖିକ୍ ହସରେ ମୋର ଭାବନାର କ୍ଷିଅ ଛିଡ଼ିଗଲା । ସେ ପଚାରିଲେ... “କ’ଣ ? ଦୀକ୍ଷା ନେଲ ତିଳବାଈଠାରୁ ?” ଖିକ୍ ଖିକ୍ । ଇଏ ତ ହସ ନୁହେଁ ପରିହାସ-। ମୁଁ ନୀରବ ରହିଲି ।

 

ଜଳା ସିଗ୍ରେଟ୍‌ଟା ଗୋଟାଏ ଆସ୍‌ଟ୍ରେ ଭିତରେ ଦଳି ନିଭାଉ ନିଭାଉ ଅତସୀବାବୁ କହିଲେ... “ବିନା ଗୁରୁରେ କ’ଣ କେହି ଦୀକ୍ଷା ପାଇଚି କେବେ ?’ ଖିକ୍‍ଖିକ୍ । ମୋ ମନଭିତରେ ଚିନ୍ତାର ଅଡ଼ୁଆ କ୍ଷିଅ । ସେଦିନ ତିଳବାଈର ସେଇ ବିଚିତ୍ର ଆଚରଣର ଅର୍ଥ, ତା’ର କାର୍ଯ୍ୟକାରଣ ସଂପର୍କ, ମୁଁ ତଥାପି ଏପର୍ଯ୍ୟନ୍ତ ବୁଝିପାରିଲି ନାହିଁ । ତିଳୋତ୍ତମା ଏସବୁ କଥା ପୁଣି ଅତସୀବାବୁଙ୍କୁ କହିଲା କାହିଁକି ? ସେଇଦିନୁ କିନ୍ତୁ ନାରୀର ଦେହ ପ୍ରତି ମୋ ମନରେ କିପରି ଗୋଟାଏ ବିତୃଷ୍ଣା ଆସିଯାଇଛି । ଶୋଭା, କେତୀ, ଶ୍ୟାମଳୀ... ଏମାନଙ୍କୁ ନେଇ ମୁଁ ଯେତେ ସ୍ୱପ୍ନର ଜାଲ ବୁଣେନା କାହିଁକି, ଏମାନେ ସବୁ ତିଳୋତ୍ତମାର ସେଇ ଅତସୀବାବୁ ପାଇଲେ କିପରି ? ତିଳୋତ୍ତମା ହୁଏତ କହିଛି ତାଙ୍କୁ । ତାହେଲେ ସେ ତ ମଧ୍ୟ କହୁଥିବ ସେଇ ଲଜ୍ଜ୍ୟାଜନକ ବ୍ୟାପାର “ଓଃ ତମେ ଅତସୀବାବୁଙ୍କ ମେସ୍‌ ସାଙ୍ଗ ପରା ! ସେଦିନ ରାତିରେ ତାଙ୍କୁ ଗାଡ଼ିରୁ ଓହ୍ଲାଇଦେଇଥିଲ !” ତାପରେ ମୋର ଗାଲ ଚିପିଦେଇ କହିଥିଲା... “ଆଃ କି କଅଁଳ ଛନଛନ ଚେହେରା !”

 

ତିଳୋତ୍ତମା ମୋତେ ତା’ ଘରଭିତରକୁ ନେଇ ଆଦରରେ ବସାଇଥିଲା ଖଟଉପରେ ! ମୋ ଦେହ ବରଡ଼ା ପତ୍ର ପରି ଗୋଟାପଣେ ଥରୁଥିଲା । ନାରୀ ସହିତ ଏଇ ମୋର ପ୍ରଥମ ନିଭୃତ ମିଳନ–ଯୋଉ ନାରୀ ଦେହକୁ କେନ୍ଦ୍ର କରି, ମନେମନେ ସ୍ଵପ୍ନର ଏତେ ଜାଲ ବୁଣିଛି; ଇଏ ହେଉଛି ସେଇ ନାରୀର ଦେହ...ତା’ର ଚିବୁକ୍, ତା’ର ସ୍ତନ, ତା’ର ଜାନୁ । ତିଳୋତ୍ତମା ମୋଠାରୁ ବସିଥିଲା, ଅଳ୍ପଛଡ଼ାରେ କିନ୍ତୁ ନାରୀର ଦେହରେ ସ୍ୱପ୍ନ କାହିଁ ? ...ଗୁଡ଼ାଏ ଶିଥିଳ, ବର୍ତ୍ତୁଳ ମାଂସପେଶୀ–ପଳାଇବିକି ?

 

ତିଳୋତ୍ତମା ଅଳ୍ପ ହସି କହିଲା... “କି ଗୋ ନାଗର, ଚୁପ୍ କାହିଁକି ?”

 

ମୁଁ ପକେଟରୁ ଖଣ୍ଡେ ପାଞ୍ଚଟଙ୍କିଆ ନୋଟ୍ କାଢ଼ି ଧରାଇଦେଲି, ତିଳୋତ୍ତମା ହାତରେ ! ସେ ନୋଟ୍‍ଟା ମୋ ପକେଟରେ ରଖିଦେଇ କହିଲା... “ମୋର ମୂଲ୍ୟ ପାଞ୍ଚଟଙ୍କା ନୁହେଁ ଗୋ ! ତୁମ ପକେଟରେ ଥାଉ । ସିଗାରେଟ ଟାଣିବ !”

 

ପାଞ୍ଚଟଙ୍କା ହେଲାନାହିଁ ପରା । ତିଳବାଈ ଫେରାଇଦେଉଛି ! କିନ୍ତୁ ମୋ ପାଖରେ ଆଉ ଟଙ୍କା ନାହିଁ ଯେ । ଉପାୟ ? ଆଙ୍ଗୁଠିରେ ମୁଦିଟାଏ ନାହିଁ ସେ ତାକୁ ଦେଇଦିଅନ୍ତି । ପଳେଇବି ପଳେଇବି ହେଉଛି, ତିଳୋତ୍ତମା ହଠାତ ଖଟଉପରେ ଚିତ୍ ହୋଇ ଶୋଇପଡ଼ି, ମୋତେ ତା’ ଛାତି ଉପରକୁ ଟାଣିଧରିଲା ! ମୁଁ ତା’ର ଦୁଇଆଖି ଭିତରକୁ ଚାହିଁଲି । କିନ୍ତୁ ସେଦିନ ରାତିରେ ଜହ୍ନ ଆଲୁଅରେ ତିଳବାଈର ଆଖିଦୁଇଟା ଯେପରି ଦୀଘଳା ସ୍ଵପ୍ନବୋଳା ଦେଖାଯାଉଥିଲା, ଏ ଆଖି ତ ସିଏ ନୁହେଁ ! ନାରୀ ସ୍ୱପ୍ନବିଳାଶୀ ପୁରୁଷ ମନର ସୃଷ୍ଟି...ଅଥଚ ପରିଣତ ହୋଇପଡ଼ିଛି; ଏକ ବିରାଟ କାବ୍ୟିକ ସତ୍ୟରେ ! କିନ୍ତୁ କେତେ ମିଥ୍ୟା, ସେଇ କାବ୍ୟିକ ସତ୍ୟ !

 

“ତମ ଦେହ ଏମିତି ବରଡ଼ାପତ୍ର ପରି ଥରୁଚି କାହିଁକି ?” ତିଳୋତ୍ତମାର କଣ୍ଠସ୍ୱର ସ୍ନେହବୋଳା । ସତ କହିଲେ, ମୋର ଅଙ୍ଗପ୍ରତ୍ୟଙ୍ଗ ସବୁ ଶିଥିଳ, ଶୀତଳ ! ବର୍ତ୍ତମାନ ଏଠୁ ପଳେଇଲେ ରକ୍ଷା ! କିନ୍ତୁ ଏ କ’ଣ ? ତିଳୋତ୍ତମାର ଦୁଇଆଖିରୁ ଦୁଇଧାର ଲୁହ ଗଡ଼ିପଡ଼ିଲା କାହିଁକି ? ସେ ମୋର ଲାଲ, କପାଳ ଉପରେ ହାତ ବୁଲାଉଛି କାହିଁକି ? ତିଳୋତ୍ତମା ମୋତେ ହଠାତ୍‌ ଠେଲିଦେଇ ଖଟଉପରେ ବସିପଡ଼ି ଚିତ୍କାର କରିଉଠିଲା... “ପଳାଅ, ପଳାଅ ଏଠୁ । ଆଉଦିନେ ଏ ବସ୍ତି ମାଡ଼ିଚ ତ ଦେଖିବ । ଏ ବସ୍ତିର ଗୁଣ୍ଡାମାନେ ତମର ହାତଗୋଡ଼ ଭାଙ୍ଗି ନାଗର ପଣ ଛଡ଼ାଇଦେବେ !” ଇଏକି ବିଚିତ୍ର ? ଇଏପରା ମୁହୂର୍ତ୍ତକ ପୂର୍ବେ, ମୋତେ ଛାତିଉପରେ ଚାପିଧରିଥିଲା ! ମୁଁ ସେଠୁ ଅଣନିଃଶ୍ଵାସୀ ହୋଇ ପଳାଇ ଆସିଲି ।

 

ଅତସୀ ବାବୁଙ୍କ ଖିକ୍‍ ଖିକ୍ ହସରେ ମୋର ଭାବନାର କ୍ଷିଅ ଛିଡ଼ିଗଲା । ସେ ପଚାରିଲେ... “କ’ଣ ? ଦୀକ୍ଷା ନେଇ ତିଳବାଈଠାରୁ ?” ଖିକ୍ ଖିକ୍ । ଇଏ ତ ହସ ନୁହେଁ ପରିହାସ-। ମୁଁ ନୀରବ ରହିଲି ।

 

ଜଳା ସିଗ୍ରେଟ୍‌ଟା ଗୋଟାଏ ଆସଟ୍ରେ ଭିତରେ ଦଳି ନିଭାଉ ନିଭାଉ ଅତସୀବାବୁ କହିଲେ... “ବିନା ଗୁରୁରେ କ’ଣ କେହି ଭୀକ୍ଷା ପାଇଚି କେବେ ?” ଖିକ୍ ଖିକ୍ । ମୋ ମନଭିତରେ ଚିନ୍ତାର ଅଡ଼ୁଆ କ୍ଷିଅ । ସେଦିନ ତିଳବାଈର ସେଇ ବିଚିତ୍ର ଆଚରଣର ଅର୍ଥ, ତା’ର କାର୍ଯ୍ୟକାରଣ ସଂପର୍କ, ମୁଁ ତଥାପି ଏପର୍ଯ୍ୟନ୍ତ ବୁଝିପାରିଲି ନାହିଁ । ତିଳୋତ୍ତମା ଏସବୁ କଥା ପୁଣି ଅତିସୀବାବୁଙ୍କୁ କହିଲା କାହିଁକି ? ସେଇଦିନୁ କିନ୍ତୁ ନାରୀର ଦେହ ପ୍ରତି ମୋ ମନରେ କିପରି ଗୋଟାଏ ବିତୃଷ୍ଣା ଆସିଯାଇଛି । ଶୋଭା, କେତୀ, ଶ୍ୟାମଳୀ...ଏମାନଙ୍କୁ ନେଇ ମୁଁ ଯେତେ ସ୍ଵପ୍ନର ଜାଲ ବୁଣେନା କାହିଁକି, ଏମାନେ ସବୁ ତିଳୋତ୍ତମାର ସେଇ ଉଲଗ୍ନ ଦେହ ! ଏଥିରେ କବିତା ନାହିଁ, ସ୍ୱପ୍ନ ନାହିଁ । ଏଥିରେ କ୍ଷୁଧା, ଏଥିରେ ଜାନ୍ତବତା; ଏଥିରେ ଅଶ୍ଳୀଳତା–ଆନନ୍ଦ ନାହିଁ ବରଂ ଅଛି ବିଷାଦ ! ତାହେଲେ ସେ ତାହେଲେ ଏକ ବିରାଟ ଅସମାଧିତ ପ୍ରଶ୍ନବାଚକ ! ତଥାପି ସେମାନଙ୍କୁ ଚେତନାରୁ ବିଦାୟ ଦେଇପାରୁନାହିଁ କାହିଁକି ?

 

ଗୋଲଖକୁ କହିଥିଲି ମୋର ସେଦିନର ଅନୁଭୂତି । ତିଳବାଈ ଆଖିରୁ କାହିଁକି ଲୁହ ଝରିଲା ? କାହିଁକି ସେ ମୋତେ ହଠାତ୍ ତଡ଼ିଦେଲା ? ତା’ର ରହସ୍ୟ ପଚାରିଥିଲି ତାକୁ । ଗୋଲଖ କଳେ ସିଗାରେଟ ଧୂଆଁ ଶୋଷି ଗାଲଫୁଲାଇ ଫୁତ୍ କରି ଛାଡ଼ିଦେଇ କହିଲା... “ଯାଃ ବେ ! ତୁଟା ନାଁ ମଠରେ ଗିନି ବଜାଇ ପାରୁଚୁ ! ନାଁ ତିଳବାଈ ଘରେ ଆମୋଦ କରିପାରୁଚୁ !”

 

ଦଧି ଆସିଲା ପରା ! ଅତସୀବାବୁ ଆଉ କିଛି କହିଲେ ନାହିଁ । ତାଙ୍କ ପାଖରୁ ମୋ ରୁମ୍‌କୁ ପଳାଇଆସି, ମୁଁ ସ୍ୱସ୍ତିର ଗୋଟାଏ ଲମ୍ବା ନିଃଶ୍ଵାସ ପକାଇଲି ।

 

ଆଉଦିନେ...

 

ସନ୍ଧ୍ୟା କୁଣ୍ଡଳୀ ମୋଡ଼ି ଆସିଲାଣି । ମୁଁ ଅନ୍ୟମନସ୍କ ଭାବରେ ମେସ୍ ବାହାର ରାସ୍ତାଉପରେ ଠିଆହୋଇଛି, ଆଉ ବସ୍ତି ସନ୍ଧ୍ୟାର ଗନ୍ଧ ଆଘ୍ରାଣ କରୁଚି... ଧୂଆଁ, ନର୍ଦ୍ଦମା ଆଉ କି ଗୋଟାଏ ବଣଫୁଲ । ଗୋଲଖ ନାହିଁ । ମଠରେ କେତେଦିନ ଗିନି ବଜାଇବା ପରେ, ଅବଶେଷରେ ଗାଁକୁ ଯାଇଛି ଟଙ୍କା ପାଇଁ । କାନ୍ତମାମୁଁଙ୍କ ଉପରେ ଅନେକ ଭରସା ଥିଲା, ଟଙ୍କା ପଠାଇବେ ବୋଲି-। ହୁଏତ ବାପାଙ୍କ ଚିଠି ପାଇଛନ୍ତି । ହୁଏତ ମାଲ୍ ନାହିଁ !

 

ହୁଏତ ଲାଗ ଲାଗ ହାରୁଛନ୍ତି ବ୍ଳାଇଣ୍ଡ୍ ଫ୍ଳସ୍ ଖେଳରେ । ଆଉ କିଛିଦିନ ଅପେକ୍ଷା କରିବି-। ଟଙ୍କା ନଆସିଲେ, ପଳାଇବି କାନ୍ତମାମୁଁଙ୍କ ପାଖକୁ । କଲିକତା । ଭାରୀ ନିର୍ଜନ, ନିଃସଙ୍ଗ ଲାଗୁଛି-। କାଳୀପ୍ରସାଦ ପାଖକୁ ଗଲେ ହୁଅନ୍ତା । ମାତ୍ର ତା’ ବୋଉଙ୍କ ଚେହେରା ମନେପଡ଼ିବା ମାତ୍ରେ ଯିବାପାଇଁ ସବୁ ଉତ୍ସାହ ମରିଯାଉଛି ! ସିଏ ଅବିକା ଟେବୁଲ ପାଖରେ ବସି ବାଇରନ୍ ବା ଶେଲୀ ଏହିପରି କାହାର କବିତା ଉପରେ ମୁହଁମାଡ଼ି ଆଃ–ଉଃ ହେଉଥିବ !

 

ସନ୍ଧ୍ୟା ପରେ ଏମିତି ନିଃସଙ୍ଗ, ନିର୍ଜନ ଲାଗେ କାହିଁକି ? କାହିଁକି ଇଚ୍ଛାହୁଏ କେଉଁ ପ୍ରିୟଜନ ପାଖକୁ ଧାଇଁ ପଳାଇବା ପାଇଁ ? ଏ ସହରରେ ଅନେକ ପରିଚିତ ଅଛନ୍ତି ସିନା ! କିନ୍ତୁ ପ୍ରିୟଜନ କାହାନ୍ତି ? ଯାହାପାଖରେ ଖୋଲି କହିହେବ, ମନର ଅନେକ ବ୍ୟକ୍ତ ଅବ୍ୟକ୍ତ ଭାବନା ?

 

ବତୀଖୁଣ୍ଟବାଲା ଆସିଲା ଶିଡ଼ି କାନ୍ଧେଇ ଆଲୁଅ ଜଳେଇବା ପାଇଁ । ବତୀଖୁଣ୍ଟ ଦେହରେ ଶିଡ଼ି ଡେରି ଆଲୁଅ ଜଳିବାରେ କୌଣସି ନୂତନତ୍ୱ ବା ଚମତ୍‌କାରିତା ତ ନାହିଁ ! ତଥାପି ସେଇ ଦୃଶ୍ୟଟା ଦେଖିବାପାଇଁ ମୋର ପ୍ରବଳ ଆଗ୍ରହ । ଏହାର ଗୋଟାଏ ଆକର୍ଷଣ ଅଛି ! ମୁଁ ଚିତ୍ରକର ହୋଇଥିଲେ ଏହାର ଚିତ୍ର ଆଙ୍କନ୍ତି । ସିଲଟ୍‌ରେ ତା’ର ଦାଢ଼ିଟା ବେସ୍ ରହସ୍ୟମୟ ଦିଶୁଛି-। ବତୀଖୁଣ୍ଟ ମିଞ୍ଜିମିଞ୍ଜିଆ ଆଖିରେ ଚାହିଁଲା–ସେଥିରେ ଆଗ୍ରହ ନାହିଁ, ଆକାଂକ୍ଷା ନାହିଁ, ଉତ୍ତେଜନା ନାହିଁ । ଆଖିମେଲି ଚାହିଁବା ପାଇଁ ତା’ର ଯେପରି ଆଦୌ ଇଚ୍ଛା ବା ପ୍ରବୃତ୍ତି ନାହିଁ । ବତିଖୁଣ୍ଟବାଲା ବାଧ୍ୟକରି ତାକୁ ଉଠାଇଲା ସିନା ! କିନ୍ତୁ ଏ ଚେଇଁବାରେ କେତେ ଜ୍ଵାଳା ? କେତେ ଯନ୍ତ୍ରଣା-? ଗୋଟାଏ ଠେଲାଗାଡ଼ିବାଲା ସେଇ ବତୀଖୁଣ୍ଟରେ ଆଉଜି ଖଣ୍ଡେ ବିଡ଼ିରେ ନିଆଁ ଲଗାଇଲା-। ଠେଲାଗାଡ଼ି ଭିତରେ ବାରମଜା, ଗାଣ୍ଠିଆ ଆଉ ପେଡ଼ା । ବାରମଜା ଡାକିଡାକି ସେ ଚାଲିଗଲା-। ନିର୍ଜନ ଗଳିରାସ୍ତା, ଅଙ୍କେଇ ବଙ୍କେଇ ହୋଇ ଶୋଇଛି ।

 

ଗଳିମୁଣ୍ଡରେ ଘୋଡ଼ାଗାଡ଼ି ଶବ୍ଦ ଶୁଭିଲା । ଇଏ ବୋଧହୁଏ ଅତସୀ ବାବୁଙ୍କ ପାଇଁ । ତିଳବାଈ ଘରକୁ ବାହାରିବେ । ବତୀଖୁଣ୍ଟ ପରି ଇଏ ବି ଏକ ରହସ୍ୟମୟ ଚରିତ୍ର । ଯାହା ଦେଖାଯାନ୍ତି, ତା’ ନୁହନ୍ତି । ତାଙ୍କ ଖିକ୍ ଖିକ୍ ମାତାଲି ହସରେ ଅଛି ଯେପରି ଅନେକ ବ୍ୟଥା, ଅନେକ ଯନ୍ତ୍ରଣା । ଆଠବର୍ଷ ଧରି, ଏମ୍. ଏ. ପଢ଼ୁଛନ୍ତି, ପୁଣି କଲେଜ ହଷ୍ଟେଲରୁ ତଡ଼ାଖାଇ ଆସି ରହିଛନ୍ତି ଏ ମେସରେ ! ଦଧି ତାଙ୍କ ଜମିଦାରି ଇଲାକାର ପ୍ରଜା ! ଥରେ ଅସତର୍କ ମୁହୂର୍ତ୍ତରେ ସେ କହିପକାଇଥିଲା, ଅତସୀବାବୁଙ୍କ ଜୀବନ–ଇତିହାସ ! ଅତସୀ ବାବୁଙ୍କର ଯେଉଁ କନ୍ୟା ପାଇଁ ମନ ଥିଲା, ବୁଢ଼ା ଜମିଦାର ସେଠି ତାଙ୍କୁ ବାହାଦେଲେ ନାହିଁ, ମାନରେ, କୁଳରେ ଘର ସାନ ବୋଲି । ସେଇଦିନୁ ଅତସୀ ବାବୁ ଆଉ ଘର ମାଡ଼ୁନାହାନ୍ତି । ବୁଢ଼ା ଜମିଦାରଙ୍କ ଜିଦ୍, ଯାହା ହେଲେବି ସେ ଘରେ ସେ ବନ୍ଧୁ ବାନ୍ଧିବେ ନାହିଁ !–ଅନ୍ୟର ଜୀବନ ଉପରେ, ତମମାନଙ୍କର ଅହଙ୍କାରର ଏ ଆସ୍ଫାଳନ କାହିଁକି ? ଅତସୀବାବୁ, ଯେ ତିଳବାଈ ଘରେ ପଡ଼ିଛନ୍ତି, ସେଥିପାଇଁ ସିଏ ତ ଦାୟୀ ନୁହନ୍ତି । ଦାୟୀ, ତାଙ୍କ ବାପାଙ୍କର ମିଥ୍ୟା ଅହଙ୍କାର ! ମୁରବି ପଣ ! ମୁଁ ଯେ ଆଜି ଏକ ଲଗାମଛଡ଼ା ଘୋଡ଼ା ହୋଇଚି; ତା’ର କାରଣ ମୋର ସ୍ୱାଭାବିକ ପ୍ରବୃତ୍ତିକୁ ମୋର ଗୁରୁଜନମାନେ ଯେପରି ନିଗୃହୀତ କରି ଚାପି ରଖିଛନ୍ତି । ମୁଁ ଏକ ବିଦ୍ରୋହ ! ମୁଁ ଏକ ବିସ୍ଫୋରଣ ! ତମେ ଚରିତ୍ରବାନମାନେ ଯେତେ ଯାହା କୁହ ପଛେ ! ମୁଁ ଯଦି ସ୍ୱାଭାବିକ ଭାବରେ କେତୀ ସାଙ୍ଗରେ ମିଶିପାରିଥାନ୍ତି ! ସାଥୀ ଝିଅମାନେ ଯଦି ଏତେ, ଅକାରଣ ଆକଟରେ ରହୁନଥାନ୍ତେ; ତା’ହେଲେ ମୁଁ କ’ଣ ଶ୍ୟାମଳୀ ସହିତ ଏକତରଫା ପ୍ରେମରେ ପଡ଼ି ପାଞ୍ଚଟଙ୍କା ଜୋରିମାନା ଦେଇଥାନ୍ତି ? ମୁଁ ଖରାପ ହୋଇଯିବି ବୋଲି, ଦଧିକୁ ଯଦି ବାପା ମୋ ପଛରେ ସ୍ପାଇ ପରି ଲଗାଇନଥାନ୍ତେ ? ତାହେଲେ ମୁଁ କ’ଣ ତିଳବାଈ ଘରକୁ ଯାଇଥାନ୍ତି ? ଠିକ୍ ଅଛି, ତମେ ଡାଳେଡାଳେ ଗଲେ ମୁଁ ପତରେ ପତରେ !

 

ଘୋଡ଼ା ଗାଡ଼ି ମେସ୍ ଦୁଆରେ ରହିଲା । କଚୁଆନ, ସିଟ୍‌ରେ ଓହ୍ଲାଇଆସି କହିଲା... “ସଲାମ ହଜୁର !” ହଜୁର ସମ୍ବୋଧନ ଶୁଣି, ମନଟା ବେଶ୍ ପ୍ରସନ୍ନ ହୋଇଉଠିଲା । ଏହାର ଅର୍ଥ ମୁଁ ବୁଝିଚି । ସେଦିନ ତା’ ପାଖରୁ ତିଳବାଈ ଘର ଠିକଣା ଯୋଗାଡ଼ କରି, ତାକୁ ଆଠଅଣା ବକ୍‌ସିସ ଦେଇଥିଲି । ଆଜି ମଧ୍ୟ ଦେଇଥାନ୍ତି । କିନ୍ତୁ ପକେଟ୍‌ରେ ମାତ୍ର ଦୁଇଟା ଆଠଣି ! କାନ୍ତମାମୁଁ, ଯଦି ଟଙ୍କା ପଠାନ୍ତି–ସେ ପର୍ଯ୍ୟନ୍ତ ଏଇ ସମ୍ବଳ !

 

“କି ହେ ମାଣିକ୍‍ଚାନ୍ଦ” ! ...ମେସ୍ ଭିତରୁ ଖିକ୍ ଖିକ୍ ହାକୁଟି ମାରି, ଧୋତି କୁଞ୍ଚ ତଳେ ଓହଳାଇ ବାହାରି ଆସୁଛନ୍ତି, ଅତସୀବାବୁ ।

 

କଚୁଆନ ଗାଡ଼ି ଦରଜା ଖୋଲିଦେଲା । ଅତସୀବାବୁ ଗାଡ଼ି ଭିତରେ ବସି କହିଲେ... “ଆସ, ଆଜି ତମକୁ ଦୀକ୍ଷା ଦେବି । ଆରେ ଆସନା ମାଣିକଚାନ୍ଦ୍ ! ଭାବୁଚ କ’ଣ ?” ଖିକ୍ ଖିକ୍ ! ଗାଡ଼ି ଭିତରକୁ ଆସି ସାମନା ସିଟ୍‌ରେ ବସିଲି ।

 

ଘୋଡ଼ା ଗାଡ଼ି ଭିତରୁ ଗଳି ରାସ୍ତାର ଦୃଶ୍ୟରେ ଗୋଟାଏ ଅଭିନବତ୍ୱ ଅଛି । କିନ୍ତୁ ସେଥିରେ ମୋର ମନୋନିବେଶ ନାହିଁ । ଗାଡ଼ି କୁଆଡ଼େ ଚାଲିଛି, ମୁଁ ଜାଣେ । ଅତସୀବାବୁ ମୋତେ କି ଦୀକ୍ଷା ଦେବେ, ଅନୁମାନ କରିପାରୁଛି । ଅତସୀବାବୁଙ୍କର ଅଦଭୂତ ଖିଆଲ୍ । ମୁଁ ତାଙ୍କୁ ମୁହଁଉପରେ, ପ୍ରଥମେ ମନା କରିଦେଇପାରିଲି ନାହିଁ କାହିଁକି ? କାହିଁକି ପଶିଲି, ଏ ଜାଲ ଭିତରେ ? ଅତସୀବାବୁ, ମୁଣ୍ଡ ନୁଆଇଁ, ଦୁଇହାତ ପାପୁଲି ଠୋଲା କରି, ଦିଆସିଲ କାଠି ଜଳାଇ, ସିଗାରେଟ୍ ଲଗାଇଲେ । କପାଳ ଉପରକୁ ଗୋଛାଏ ବାଳ ଝୁଙ୍କିଆସିଲା । ଦିଆସିଲି ଆଲୁଅରେ, ଆଖିରେ ପଡ଼େ, ଅତସୀବାବୁଙ୍କ ମୁହଁରେ କ୍ଷୟିଷ୍ଣୁ ଆଭିଜାତ୍ୟର କୋମଳ ରେଖା, ଦୁଇ ନାକପୁଡ଼ା ତଳୁ ଅର୍ଦ୍ଧ ବୃତ୍ତ ଆକାରରେ ଚିବୁକ ପର୍ଯ୍ୟନ୍ତ ଲମ୍ବି ଆସିଛି । ଆଙ୍ଗୁଠିରେ ଗୋଟିଏ ପଥର ବସା ମୁଦି ! ମୁଁ କାହିଁକି ଏ ବିଚିତ୍ର ଲୋକର ପାଲରେ ପଡ଼ିଲି ?...ମୋ ଆଖିଆଗରେ ଭାସିଉଠିଲା, ଦଧି ଚେହେରା-। ତା’ର ଦୁଇକାନରୁ ଦୁଇ ଗୋଛା ଲମ୍ବା ବାଳ ବାହାରି ଆସିଚି । ବାଁ ଆଖିପତା ତଳେ ଗୋଟାଏ କଳା ଭାତୁଡ଼ି । ଆଖିରେ ଧୂର୍ତ୍ତ ଚାହାଣି । ତା’ ଆଖିରୁ କ’ଣ ବାଦ୍ ପଡ଼ିଥିବ, ମୁଁ ଅତସୀବାବୁଙ୍କ ସାଙ୍ଗରେ ଘୋଡ଼ାଗାଡ଼ିରେ ବସିଲି । ଘୋଡ଼ାଗାଡ଼ିରେ ଅତସୀ ବାବୁ କୁଆଡ଼େ ବାହାରିଛନ୍ତି, ତାକୁ ଅଜଣା ନାହିଁ । ଅତସୀବାବୁଙ୍କ ପରି ଲୋକମାନଙ୍କର ସିନା ଚରିତ୍ରରେ ପ୍ରୟୋଜନ ନାହିଁ-। କିନ୍ତୁ ମୋର ଯେ ଚରିତ୍ର ନହେଲେ ନଚଳେ ! ଦଧି କ’ଣ ଲୁଚାଇ ରଖିବ, ଏ ସମ୍ବାଦ । “ଆଜ୍ଞା, କଲିଜପଢ଼ା ସେଇ ମନୁବାବୁ, ଯାହାଙ୍କ ମୁରବି ଆପଣ, ଏକାଥରେ ନଷ୍ଟ ହୋଇଗଲେ !” କିନ୍ତୁ କିପରି ନଷ୍ଟ ହେଲେ, ସେ କଥା ଦଧି, ହଠାତ୍ ଖୋଲି କହିବ ନାହିଁ, ସାରଦାବାବୁଙ୍କୁ ! ସାରଦା ବାବୁ କୌତୂହଳ ଚାପିନପାରି ପଚାରିବେ, “କ’ଣ ହେଲା ?” ଦଧି ଉତ୍ତର ଦେବ... “ଅତସୀ ବାବୁଙ୍କ ସାଙ୍ଗରେ ସିଏ ସଞ୍ଜବେଳେ, ଘୋଡ଼ା ଗାଡ଼ିରେ ଗଲେ ।” ବାସ୍, କୁଆଡ଼େ ଗଲେ, ସାରଦାବାବୁଙ୍କର ବୁଝିବାକୁ ଆଉ ବାକି ରହିବ ନାହିଁ ! ତାପରେ ମୋ ଆଡ଼େ, ସାରଦାବାବୁଙ୍କ ଗାରଡ଼ିଆ ଗାରଡ଼ିଆ ଚାହାଣି । ମୋତେ ହୁଏତ କିଛି କହିବେ ନାହିଁ । କିନ୍ତୁ କଥାଟା ବିସ୍ତାରିତ ହୋଇ ଠିକ୍ ପହଞ୍ଚିବ ବାପାଙ୍କ କାନରେ ! ସିଏ ଦିନେ ଅନହୁତି ହାଜର ହୋଇଯିବେ ମେସ୍‌ରେ । ତା’ପରେ ଆଉ ଭାବିପାରିଲି ନାହିଁ । –ମୋ ଆଖିଆଗରେ, ଭାସିଉଠିଲା ତିଳବାଈର ସେଇ ବ୍ୟାଘ୍ରୀଣୀ ଚେହେରା-। ତା’ର ଧମକ... ଆଉଦିନେ ଏ ସାହି ମାଡ଼ିଲେ, ଗୁଣ୍ଡାମାନଙ୍କୁ ଲଗାଇଦେବି । ସେମାନେ ନାଗରପଣ ଛଡ଼ାଇଦେବେ । କଲିକତାର ସେଇ ଅନ୍ଧଗଳିରେ ଅମୀର ଚାଚ୍ଚାମାନେ, ଏଠି ବି ଅଛନ୍ତି । ...ଗାଡ଼ିର ବେଗ କେଜାଣି କାହିଁକି ହଠାତ୍ ମନ୍ଥର ହୋଇଯାଇଥିଲା-। ଆଗ ମୋଡ଼ରୁ ବାଙ୍କିବ ବୋଧହୁଏ । ମୁଁ ହଠାତ୍ ଗାଡ଼ିଭିତରୁ ରାସ୍ତାକୁ ଡେଇଁପଡ଼ିଲି-। ଅତସୀବାବୁ ଖିକ୍ ଖିକ୍ ହିକା ମାରିଲେ ମେସ୍‌କୁ । ଦଧି ପହିଲେ ଜାଣୁ, ମୁଁ ଅତସୀବାବୁଙ୍କ ସାଙ୍ଗରେ କୁଆଡ଼େ ଯାଇନାହିଁ-!

 

ତା’ ପରଦିନ । କଲେଜରୁ, ଦରମା ନଦେଇ ନାଁ କଟିଛି । କ୍ଲାସକୁ ଯିବାର ଉପାୟ ନାହିଁ-। ଶ୍ୟାମଳୀ ଅନିତାଙ୍କୁ କଣେଇ ଚାହିଁବାର ମୋହ ଅନେକଦିନୁ ଭାଙ୍ଗିଛି । ଗୁଜରାଟୀ ରେଷ୍ଟୁରାଁରୁ କାଖତଳେ, ଖାତା ବହି ଜାକି ବାହାରି ଡାକ ଘର ଆଡ଼େ ଯିବି କି ନାହିଁ ଭାବୁଚି, ଡାକବାଲା ମୋତେ ଦେଖିପାରି କହିଲା–“ବାବୁ ତମ ନାଁରେ ଗୋଟାଏ ମନିଅର୍ଡ଼ର ଅଛି ।” ମୋ ମନର ଡେଣାରେ ହଠାତ ପର ଲାଗିଗଲା । କିନ୍ତୁ ଉଦାସୀନତାର ଅଭିନୟ କରି କହିଲି– “ଦେଖେ-।” କାନ୍ତମାମୁଁ ପଠାଇଛନ୍ତି ଶଏ ଟଙ୍କା ମନିଅର୍ଡ଼ରରେ–କିନ୍ତୁ କୁପନରେ ଲେଖିଚନ୍ତି, ବଙ୍କାତେଢ଼ା ଅକ୍ଷରରେ “Do not be a beggar” ନୁଟନା ବି କେବେ ମୋତେ ଟଙ୍କା ମାଗେ ନାହିଁ-। ଆଉ ଦିନେ ଟଙ୍କା ପାଇଁ ଲେଖିବୁ ନାହିଁ ।” କାନ୍ତମାମୁଁ ତା’ହେଲେ ମୋତେ ସେଇ ଅନ୍ଧଗଳିର ନୁଟନାଠାରୁ ସୁଦ୍ଧା ହୀନ ଦୃଷ୍ଟିରେ ଦେଖିଲେ ! କୋଡ଼ିଏ ଖଣ୍ଡ ଟଙ୍କିଆ ନୋଟ୍ ଟୁକୁରା ଟୁକୁରା ଚିରି, ଲଫାପାରେ କାନ୍ତମାମୁଁଙ୍କ ପାଖକୁ ପଠାଇ ଦେବାପାଇଁ ଇଚ୍ଛା ହେଉଥିଲା ! କାନ୍ତମାମୁଁ ବୁଝନ୍ତୁ, ମାନା ଭିକାରି ନୁହେଁ ! ତା’ର ବି ମିଜାଜ୍ ଅଛି । କିନ୍ତୁ ଏ ଶହେ ଟଙ୍କା ଅନେକ କାମରେ ଲାଗିବ-!

 

ପ୍ରଥମେ ଜୋରିମାନା, ରିଆଡ଼୍‌ମିସନ ଫିସ୍ ସହିତ ଦୁଇମାସର ଦରମା ଦେଇ ନାଁ ଲେଖାଇଲି । ଗୁଜରାଟୀ ରେସ୍ତୁରାଁରେ ବାକି ଛିଣ୍ଡାଇଲି । ବୈଷ୍ଣବ ସାହୁ ଜଳଖିଆ ଦୋକାନୀର ବି । ତାପରେ ଗୋଟିଏ ଗୋଲଡ଼୍ ଫ୍ଲେକ୍ ସିଗାରେଟ ଟାଣି ଟାଣି ମୁଁ ଆସିଲି କମନରୁମ୍‍କୁ !

 

ନରେନ୍ଦ୍ର କହିଲା... “ମୁଁ ଭାବିଥିଲି ତୁ କଲେଜ ଛାଡ଼ିଦେଲୁ ।”

 

ମୁଁ କଳେ ଧୂଆଁ ଛାଡ଼ି ଉତ୍ତର ଦେଲି “ମୁଁ କଲେଜ ଛାଡ଼ିଲେ ବି, କଲେଜ ମୋତେ ଛାଡ଼ୁଚି କୋଉଠୁ ?”

 

କଲେଜରୁ ଏତେଶୀଘ୍ର ମେସ୍‌କୁ ଫେରିବାର ଇଚ୍ଛାନଥିଲା । କିନ୍ତୁ ଆଉ ପିରିଅଡ଼୍ ନାହିଁ । ଗୋଲଖ ନାହିଁ, ଗାଁରୁ କେବେ ଫେରିବ, କେଜାଣି ? ସହରଟା ଖାଁ ଖାଁ ଲାଗୁଚି । କେହି ବନ୍ଧୁ ନାହାନ୍ତି ।

 

ସେଇ ମଠରାସ୍ତାରେ ଫେରିଲି ! ବେଳେବେଳେ ଗୋଲଖ ସାଙ୍ଗରେ ଏଇ ମଠକୁ ଆସିବା ପାଇଁ ଭଲଲାଗେ । ଶାନ୍ତ, ସମାହିତ, ସ୍ମିଗ୍‌ଧ ପରିବେଶ । ବଉଳଗଛ ତଳେ, ସେଇ ବେଦିଉପରେ ଦଣ୍ଡେ ବସିଲେ, ଅଶାନ୍ତ ମନଟା ଶାନ୍ତ ହୋଇଯାଏ । କେତେଟା ବଉଳ ଫୁଲ ଉପରେ ଝରିପଡ଼େ । ଫୁଲସବୁ ଶୁଖିଯାଇଛି । କିନ୍ତୁ ମହକ ସୁଖିନାହିଁ । ଏ ଫୁଲ ତାହେଲେ ମରେ ନାହିଁ ? ଆଶ୍ଚର୍ଯ୍ୟ–ଏଠି ବସିଲେ ସିଗ୍ରେଟ ଟାଣିବା ପାଇଁ ଇଚ୍ଛାହୁଏ ନାହିଁ । ବଉଳ ଗଛକୁ ବେଢ଼ିଛି, ଗୋଟାଏ ମଧୁମାଳତୀ ଲତା । ସିରିସିରି ପବନରେ ମଧୁମାଳତୀର ନିଦୁଆଳୀ ବାସନା, ଭଲଲାଗେ ମୋତେ । ଇଏ ମୋର ଶୈଶବର ଗନ୍ଧ । ଦିନେ ମହନ୍ତଙ୍କୁ ପଚାରିଲା–“ଏ ଲତା କ’ଣ ଆପଣ ଲଗାଇଛନ୍ତି ?” ସେ ଉତ୍ତର ଦେଲେ... “ଇଏ ପ୍ରକୃତି ପୁରୁଷ” । ବୁଝିପାରିଲି ନାହିଁ । ପୁରୁଷ ତ ବୁଝିଲି । ପ୍ରକୃତ ପୁଣି କ’ଣ ?

 

ମଠ ଭିତରକୁ ପଶିଆସିଲି । ମହନ୍ତ ଝୁଲାଭିତରେ ମାଳା ରଖି ବଉଳ ତଳେ, ସେଇ ବେଦି ଉପରେ ବସିଛନ୍ତି । ମୁଁ ତାଙ୍କ ନଜରରେ ପଡ଼ିବା ମାତ୍ରେ, ସ୍ମିତ ହସି ପଚାରିଲେ ... “ଇଏ ତ ଗୌର । ନିତାଇ କାହିଁ ? ମେସରେ ମିଲ ବନ୍ଦ ହେବା ଦିନମାନଙ୍କରେ, ମଠରେ ସଂକୀର୍ତ୍ତନ ବେଳେ, ଗୋଲଖ ଆଉ ମୁଁ ଉପରକୁ ଦୁଇ ହାତ ଟେକି, ଯେପରି ନାଚୁ, ଆମ ନାଁ ସେମାନେ ରଖିଚନ୍ତି–ନିତାଇ ଗୌର । ମୁଁ ଗୌର, ଆଉ ଗୋଲଖ ନିତାଇ ।

 

ମୁଁ ଉତ୍ତର ଦେଲି, “ଗୋଲଖ ଯାଇଛି ଗାଁକୁ !”

 

“ମୁଁ ଭାବୁଥିଲି, ଏମାନେ ଗଲେ କୁଆଡ଼େ ? ଅନେକଦିନ ଧରି, ତୁମେ ଦୁହିଙ୍କୁ ଦେଖିନାହଁ ତ !”

 

ମେସରେ ମିଲ ତ ଏ ପର୍ଯ୍ୟନ୍ତ ବନ୍ଦ ହୋଇନାହିଁ । ମୁଁ ମଠକୁ ଆସନ୍ତି କାହିଁକି ? ଆଃ–ଏଇ ନିରୀହ ସରଳବିଶ୍ୱାସୀ ଭକ୍ତଟିକୁ ମୁଁ କେତେ ପ୍ରବଞ୍ଚିତ, କେତେ ପ୍ରତାରିତ ନକରୁଛି ! କିନ୍ତୁ ମୋର ପ୍ରତାରଣା ଯଦି ତାଙ୍କ ପ୍ରାଣରେ ଭକ୍ତିର ଉଦ୍ରେକ କରିପାରିଲା, ତାହେଲେ ମୋର ପ୍ରତାରଣା ମଧ୍ୟ ଶୁଦ୍ଧ ସାର୍ଥକ ! ଦିନେ ବିବେକ–ଦଂଶନ ହେବାରୁ, ମହନ୍ତଙ୍କୁ ପଚାରିଥିଲେ–“ପ୍ରତାରଣା କ’ଣ ପାପ ? ମାନେ ଅନ୍ୟକୁ ପ୍ରତାରଣା କରିବା ?”

 

ମହନ୍ତଙ୍କୁ ସେଇ ରହସ୍ୟମୟ ଉତ୍ତର–“ପାପ ନାହିଁ କି ପୁଣ୍ୟ ନାହିଁ । ଭଗବାନ ଗୀତାରେ କହିଛନ୍ତି–ପ୍ରତାରଣା ମଧ୍ୟରେ ମୁଁ ଦ୍ରୁତକ୍ରୀଡ଼ା ! ତାହେଲେ ?”

 

ଭଗବାନ ଏମିତି କହିଛନ୍ତି ନା କ’ଣ ? କିନ୍ତୁ ମୁଁ ତ ଗୀତ ଏ ପର୍ଯ୍ୟନ୍ତ ପଢ଼ି ନାହିଁ । ସେଇକଥା କହିଲି । ମହନ୍ତ ଉତ୍ତର ଦେଲ... “ତମର ଏ ପର୍ଯ୍ୟନ୍ତ ବୟସ ହୋଇନାହିଁ ।”

 

ସେଦିନ ମହନ୍ତଙ୍କୁ ନିରୋଳାରେ ପାଇ, କହିପକାଇଲି... “ବାବା ! ବଡ଼ କଷ୍ଟ ପାଉଚି । ମନ ମୋର ଭାରି ଚଞ୍ଚଳ !”

 

ମହନ୍ତ ଉତ୍ତରଦେଲେ...“ମନ ତ ଚଞ୍ଚଳ ! ତୋ ମନ ଆଉ ସ୍ଥିର ରହିବ କିପରି ? ଗୀତାରେ ଅର୍ଜୁନ ସୁଦ୍ଧା କହିଚନ୍ତି; ହେ କୃଷ୍ଣ ମୋର ମନ ବଡ଼ ଚଞ୍ଚଳ ।”

 

“ତାହେଲେ ! ପାପ ଆଉ ପୁଣ୍ୟ ?” ...ମୁଁ ପଚାରିଲି ।

 

ମହନ୍ତ ଉତ୍ତର ଦେଲେ... “ପାପ ନାହିଁ କି ପୁଣ୍ୟ ନାହିଁ, ଯିଏ ଏହା ଜାଣିଚି ବୁଝିଚି ତା’ର ପାପ ନାହିଁ କି ପୁଣ୍ୟ ନାହିଁ । ସିଏ ଗୁଣାତୀତ । ଏଇ ପବନ ତୋତେ, ତୋ ପରି ଚଞ୍ଚଳ ପ୍ରକୃତିର ଯୁବକକୁ ଯେତିକି ଛୁଉଁଚି, ମୋ ପରି ବ୍ରହ୍ମଚାରୀକୁ ମଧ୍ୟ ସେତିକି ଛୁଉଁଚି ! ତାହେଲେ ? ଗୀତାରେ ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି... “ନାଦତ୍ତେ କସ୍ୟଚିତ୍‌ପାପଂ ନ ଚୈବ ସୂକୃତଂ ବିଭୁଃ ।”

 

ପୁଣି ସେଇ ଗୀତା ! ଏସବୁ ରହସ୍ୟମୟ କଥା ମୁଁ ବୁଝିପାରେ ନାହିଁ । ମୁଁ ନୀରବରେ ବସି ରହିଲି । ତାଙ୍କୁ ପଚାରିବା ପାଇଁ ମୋର ଆଉ କିଛି ନଥିଲା । ତାଙ୍କ ସହିତ ମୋର ଆତ୍ମିକ ସମ୍ପର୍କ ବା କୋଉଠି ? ବୟସର ଅନେକ ବ୍ୟବଧାନ । ପ୍ରକୃତରେ ଆଜି ଇଚ୍ଛାହେଉଥିଲା, ତନ୍ନୟ ଭାବରେ ମୁଣ୍ଡ ହଲାଇ, ଗିନି ବଜାଇବା ପାଇଁ । କିନ୍ତୁ ଭକ୍ତ ନଥିଲେ । କିମ୍ବା ସଂକୀର୍ତ୍ତନ ହେଉନଥିଲା ।

 

କିଛି କ୍ଷଣ ପରେ ମୁଁ ଉଠିଆସିଲି ।

 

ମେସରେ ଦଧି ନାହିଁ । ସାରଦା ବାବୁ ଓ ଅନ୍ୟ ବାବୁମାନଙ୍କର କୋଠରୀରେ ତାଲା ଝୁଲୁଚି । ଅତସୀ ବାବୁଙ୍କ କୋଠରୀ କବାଟ ଦରଆଉଜା । ଭିତରୁ ସାଡ଼ା ଶବ୍ଦ ନାହିଁ । ଦଧି ବୋଧହୁଏ ଯାଇଛି ପ୍ରାତ୍ୟହିକ ଗଞ୍ଜେଇ ଆଡ଼୍ଡ଼ାକୁ ।

 

ମୁଁ ଆମ କଠୋରୀ ଭିତରକୁ ଆସି, କାନ୍ଥରେ ଆଉଜି ବସିପଡ଼ିଲି । ହାତରେ କାମ ନାହିଁ-। ବାହାରକୁ ମଧ୍ୟ କୁଆଡ଼େ ଯିବାର ନାହିଁ । ଭାରୀ କ୍ଳାନ୍ତିକର । ଭାରୀ ଉତ୍ପୀଡ଼କ । ହଠାତ ମେସ୍‌ ଦୁଆରେ କିଏ ହୁଇସିଲ୍‌ ମାରିଲା । ଏ ହୁଇସିଲ୍‌ର ଗୋଟାଏ ନୂଆ ସ୍ଵର । ରହି ରହି ହୁଇସିଲ୍‌ ମାରୁଛି । କୌତୂହଳରେ ବାହାରକୁ ଉଠିଆସିଲି । ଲାମ୍ଫ୍‌ପୋଷ୍ଟ୍‌ ପାଖରେ ଠିଆହୋଇଛି, କେଉଁ ବସ୍ତିର ଗୋଟାଏ ଟୋକା । ପିନ୍ଧିଚି ଲୁଙ୍ଗି, ଦେହରେ ଗୋଟାଏ ଲାଲ୍‌ ଗେଞ୍ଜି । ସେଇ ହୁଇସିଲ୍‌ ମାରୁଛି ।

 

ମୋତେ ମେସ୍‌ରୁ ବାହାରି ଆସିବା ଦେଖି, ସେ ପଚାରିଲା... “ମାନା ବାବୁଙ୍କୁ ଡାକିଦିଅ-।” କିନ୍ତୁ ମୋ ସହିତ ଏ ଟୋକାର କି କାମ ? ମୁଁ ତ ଏହାକୁ କେବେ ଦେଖିନାହିଁ କି ଜାଣିନାହିଁ-! ମୋ ନାଁ ବା ଜାଣିଲା କେମିତି ? ମୁଁ ପଚାରିଲି “କ’ଣ ଦରକାର ? ମୁଁ ମାନା ବାବୁ ।”

 

“ତମ୍‌କୁ ତିଳଦିଦି ଖବର ପଠାଇଚି । ଜରୁର୍‌ ଯିବ ।”

 

“ତିଳଦିଦି !”...ହଠାତ ବୁଝିପାରିଲି ନାହିଁ...ତିଳଦିଦି କିଏ ?”

 

“ଆରେ ଲେଃ ! ତିଳବାଈ ମସୁର୍ ଅଛ । ପଚାରୁଚ ତିଳଦିଦି କିଏ ?”

 

ଓ ତିଳବାଈ ! ତିଳୋତ୍ତମା ! ଟୋକାଟା ଗୋଟାଏ ସିନେମାଗୀତ ସୁର ହୁଇସିଲ୍‌ରେ ବଜାଇ ବଜାଇ ଚାଲିଗଲା । ଇଏ ବୋଧହୁଏ, ସେଇ ବସ୍ତିର ନୁଟ୍‌ନା କିନ୍ତୁ ତିଳବାଈ ମୋ ପାଖକୁ ହଠାତ୍ ଖବର ପଠାଇଲା କାହିଁକି, ଯିବାପାଇଁ ? ସେଦିନର ବ୍ୟାଘ୍ରିଣୀ ଚେହେରା ଆଖିଆଗରେ ଭାସିଉଠିଲା । ସିଏ ମନାକରିଥିଲା ପରା, ଆଉଦିନେ କେବେ ଏ ସାଇ ମାଡ଼ିବ ନାହିଁ ! ତାହେଲେ-?

 

ସାଇକଲ ଛୁଟାଇଦେଲି, ସେଇ ସାହିଆଡ଼େ ।

 

ତିଳବାଈ ତା’ ଘର ଚଟାଣରେ ଗୋଟାଏ ପିଢ଼ା ପକାଇ ବସି, ଦର୍ପଣ ଆଗରେ ବାଳ କୁଣ୍ଡାଉଥିଲା । ଭିତରେ ମୋର ଛାଇ ପଡ଼ିବାରୁ, ଦର୍ପଣ ଉପରୁ ମୁହଁଉଠାଇ, ମୋଆଡ଼େ ସସ୍ମିତ ଦୃଷ୍ଟିରେ ଚାହିଁ ପଚାରିଲା...” ମଲା ! ଏ ଅଦିନ କୁଆଡ଼େ ମ ? ବାଟଭୁଲି ଆସିଲ କି ?” ଦୁଇଆଖିରେ ତା’ର ଚପା ହସ । ମୋର କିଂକର୍ତ୍ତବ୍ୟବିମୂଢ଼ ଚେହେରା ଦେଖି, ସେ ଯେପରି କୌତୂହଳ ବୋଧ କରୁଥିଲା । କହିବାପାଇଁ ଇଚ୍ଛାହେଉଥିଲା; ତମେ ପରା ସେ ଟୋକାହାତରେ ଡକାଇ ପଠାଇଲ ! ନୋହିଲେ ସେହିଦିନୁ ତ, ମୁଁ ଆଉ ଏ ବସ୍ତି ରାସ୍ତା ମାଡ଼ୁନାହିଁ !

 

“ବସ ! ଠିଆହୋଇ ରହିଲ କାହିଁକି ?”

 

ମୁଁ ନୀରବରେ, ଖଟଉପରେ ବସି, ସିଗ୍ରେଟ୍‌ ଟାଣିଲି । ତିଳବାଈ ଯେପରି ଚାହୁଁଥିଲା–ମୁଁ ତା’ର ବାଳକୁଣ୍ଡା ଦେଖେ । ଇଏ ଦେହର କାବ୍ୟ । ଏଥିରେ ମଧ୍ୟ ଛନ୍ଦ ଅଛି, ସଙ୍ଗୀତ ଅଛି ! ...ତିଳବାଈ, ଆଇନାକୁ ଚାହିଁ ଭାବୁଥିଲା; ଆଃ ! କି କଂଅଳ, ଛନଛନ ଚେହେରା ! ଇଚ୍ଛାହୁଏ, ଚାଲରେ ଚୁମା ଦେବାପାଇଁ । ଗୋଟିପଣେ ଗିଳିଦେବା ପାଇଁ ! ଦେଖିଲେ ମନେହୁଏ, ଏ ଦୁନିଆରେ ଖରା ଅଛି, ଆଲୁଅ ଅଛି, ପବନ ଅଛି !

 

“ଚୁପ୍‍ଚାପ ବସିଲ କାହିଁକି ? ...କୋକିଳ !”

 

ଆଠ, ଦଶବର୍ଷର ଫ୍ରକ୍ ପିନ୍ଧା ଝିଅଟିଏ, ଦୁଆର ମୁହଁରେ ଆସି ଠିଆହେଲା । ହୁଷ୍ଟପୁଷ୍ଟ ଗଢ଼ଣ । ଇଏ ବୋଧହୁଏ, ଏ ଗଳିର ଶୋଭା ! ଗଳିମାନଙ୍କର ବ୍ୟାକରଣ, ସବୁଠି ସମାନ ! ତିଳବାଈ କହିଲା ....“ଯା, ରସୀଦଚାଙ୍ଗ ହୋଟେଲରୁ ସିଙ୍ଗଡ଼ା, ମାଉଁସ ଚପ୍ ନେଇଆସିବୁ ।”

 

“ଚୁପ୍ ଚୁପ୍ ବସିଲ କାହିଁକି ? କଥା କୁହ ।” –କିନ୍ତୁ କହିବା ପାଇଁ, ମୋର ଯେପରି କଣ୍ଠରୁଦ୍ଧ ହୋଇଥିଲା ।

 

କୋକିଳ ଗୋଟାଏ କଲେଇ ପ୍ଲେଟରେ ଆଶି ରଖିଦେଲା, ସିଙ୍ଗଡ଼ା ଆଉ ମାଉଁସ ଚପ୍-। “ଖାଅ । ନାଁ ଖୁଆଇଦେବି ?”

 

ନାଁ, ନାଁ ମୋତେ ସେ ଜୁଲମରୁ ରକ୍ଷାକର । ମୁଁ ଦାନ୍ତରେ ଆଳୁ, ଅଳ୍ପ ଛିଣ୍ଡାଇ, ପ୍ଲେଟରୁ ସିଙ୍ଗଡ଼ା ମାଉଁସଚପ୍ ସଫା କରିଦେଲି । ତିଳବାଈର କେଶଚଯ୍ୟା ଶେଷ ହୋଇଥିଲା । ଦୁଇ ବାହୁ ଉଠାଇ ଉପରେ ଖୋଷାରେ ଗୋଟାଏ କ୍ଲିପ୍ ଚାଲିବାବେଳେ, ତା’ର ସ୍ତନମୂଳ ଦିଶୁଥିଲା ଉନ୍ମୁକ୍ତ ! ଇଏ କ’ଣ ସ୍ୱେଚ୍ଛାକୃତ ? କ୍ଲିପ୍ ଖୋଜିବାରେ ତିଳାବାଇ, ଏତେ ଡେରି କରୁଛି କାହିଁକି ? ମୁଁ ଯେପରି ତା’ର ସ୍ତନମୂଳକୁ କ୍ଷୁଧିତ ଦୃଷ୍ଟିରେ ଚାହିଁ ରହେ, ସେଥିପାଇଁ ? କିନ୍ତୁ ନାରୀ ଦେହର ମାଂସପେଶୀ ପାଇଁ, ମୋର ଆଉ ଅକର୍ଷଣ ନାହିଁ ! ପ୍ରବୃତ୍ତି ଭିତରେ ମୁଁ ଉଠିଗଲିଣି ପ୍ରବୃତ୍ତି ଉପରକୁ !

 

ତିଳବାଈ, ଖଟଉପରେ, ମୋ ଦେହକୁ ଲାଗି ବସିପଡ଼ି ପଚାରିଲା; “ସେଦିନ, ଅତସୀବାବୁଙ୍କ ଗାଡ଼ିରୁ ଡେଇଁ ପଳାଇଲ କାହିଁକି ?”

 

ଅତସୀବାବୁ ସେ କଥାଟା ତାହାଲେ କହିଦେଇଛନ୍ତି ତିଳବାଈକୁ ? କିନ୍ତୁ କହିବାର କ’ଣ ଦରକାର‌ ଥିଲା ? ....ମୁଁ ଉତ୍ତର ଦେଲି–“ତମେ ମନାକରିଥିଲ ପରା !”

 

ତିଳବାଈ ଖିଲ୍ ଖିଲ ହସି, ମୋ ଗାଲ ଚିପି କହିଲା.... “ଓଃ ! ସେଇଥିରେ ବାବୁଙ୍କ ରାଗ-!”ଗୋଟାଏ ଉତ୍ତେଜନାରେ ମୋର ଦେହ ଥରିଉଠିଲା । ତିଳବାଈ କହିଲା... “ହଉ, ଯାଅ ଏଥର-!” ବାସ୍, ଏତିକି କଥା ପାଇଁ ଡାକିଥିଲା, ତିଳବାଈ ? ମହାନ୍ତିଙ୍କ କଥାଠାରୁ, ଏ ଆଚରଣ ଆଉରି ରହସ୍ୟମୟ । ମୁଁ ଉଠିଆସିଲି । ତିଳବାଈ ଦୁଆରମୁହଁ ପାଖରେ ଠିଆହୋଇ କହିଲା... “କେବେକେବେ ଆଉଥିବ !”

 

ମୁଁ ମନେମନେ କହିଲି... ଆଉ ଆସିବି ନାହିଁ ତିଳାବାଈ ! ପଙ୍କ କେତେ ଗଭୀର ମାପି ସାରିଲିଣି । ମୋର ପରୀକ୍ଷା ଏଣିକି ପଦ୍ମ ପାଇଁ ! କିନ୍ତୁ ସୂର୍ଯ୍ୟୋଦୟ ପାଇଁ ଅନେକ ଡେରି !

 

ଆଠ

 

ଏ. ଆର. ପି. ସାଇରନ ବାଜୁଛି...ଆତଙ୍କିତ ଧରଣୀର ଆର୍ତ୍ତ ଚିତ୍କାର !

 

ଅଶରୀରୀ ଆତଙ୍କରେ ଦେହ ଛମ ଛମ ହେଉଛି । ଆମର ଏଇ ଛୋଟ ନିଦୁଆଳି ସହରରେ ମଧ୍ୟ ଲାଗିଲାଣି, ଦ୍ଵିତୀୟ ମହାଯୁଦ୍ଧର ଧକ୍‌କା । ଆମ ଆକାଶରେ କାଁଭାଁ ଯଦି ଗୋଟିଏ ଉଡ଼ାଜାହାଜ ଉଡ଼ିଯାଉଛି; ତାହେଲେ ଦଧି, ରୋଷେଇ ଘର ଭିତରେ ମୁହଁମାଡ଼ି ଲେପ୍‌ଟି ପଡ଼ୁଛି । କିଏ ଜାଣେ, ବୋମାରୁ ଉଡ଼ାଜାହାଜ ହୋଇନଥିବ ? ସେଥିରୁ ବୋମା ନ ପଡ଼ିବ ? କୌତୂହଳରେ ମୁଁ ବାହାରକୁ ଆସିଲେ, ଦଧି ଆକଟି ଦେଉଚି ଉଡ଼ାଜାହାଜ ଗଲାବେଳେ ମାଟି ଉପରେ ଲେପଟି ପଡ଼ିବ । ...ସାରଦା ବାବୁ, ସେଇପରି କହିଚନ୍ତି ! ପଦାକୁ ବାହାରିବ ନାହିଁ !

 

ଡନ୍‌କାର୍କ୍...ଫ୍ରାନସର ପତନ...ଲଣ୍ଡନ ଉପରେ ବୋମାବୃଷ୍ଟି ଚର୍ଚ୍ଚିଲ...ହିଟ୍‌ଲର...କ୍ରୀପସ ମିଶନ...ଗାନ୍ଧୀ–ଏମିତି କେତେଟା ଶବ୍ଦ କେତେଟା ନାଁ ଖବରକାଗଜ ହକରମାନଙ୍କ ଚିତ୍କାରରୁ ଖାପ୍‌ଛଡ଼ା ଭାବରେ ଶୁଣୁଛି...କିନ୍ତୁ ସେ ସବୁ ବୁଝିପାରୁନାହିଁ । ଖବରକାଗଜ ପଢ଼ିବାରେ ମୋର ତ କୌଣସି ଦିନ ଆଗ୍ରହନଥିଲା । ମୁଁ ମାତି ରହିଥିଲି, କବିତା, ଟ୍ରାଜେଡ଼ି ଆଉ ସ୍ୱପ୍ନରେ । ଡନକାର୍କ୍‌ର ଭୌଗୋଳିକ ଅବସ୍ଥିତି ମୁଁ ଜାଣନ୍ତି କୁଆଡ଼ୁ ? ସାଇରେନ ବେଳେବେଳେ ବାଜୁନଥିଲେ, ପୃଥିବୀର ଗୋଟାଏ ଭୟଙ୍କର ମହାଯୁଦ୍ଧ ଯେ ଚାଲିଛି; ତାହା ବୋଧହୁଏ ଜାଣି ସୁଦ୍ଧା ପାରିନଥାନ୍ତି ।

 

ଦ୍ଵିତୀୟ ମହାଯୁଦ୍ଧ, ଆମ ଗଳିର ତନ୍ଦ୍ରା କିନ୍ତୁ ଭାଙ୍ଗିପାରିନାହିଁ ଗଳିରାସ୍ତା–କଡ଼ର ବଣସିଝୁ ଗଛ ସବୁ ସେମିତି ଠିଆ ରହିଛନ୍ତି । ଯୋଗାରୁଢ଼ ପରି । ଅତସୀବାବୁଙ୍କ ପାଇଁ ସନ୍ଧ୍ୟା ପରେ ଘୋଡ଼ାଗାଡ଼ି ଠିକ୍ ସେମିତି ଆସୁଛି । ଅତସୀବାବୁ ସେମିତି ଖିକ୍ ଖିକ୍ ହିକା ମାରୁଚନ୍ତି । ମତେ ଆକସ୍ମିକ କେତେବେଳେ ଦେଖିଲେ, ମାଣିକଚାନ୍ଦ ବୋଲି ସେମିତି ଡାକୁଛନ୍ତି । ଉଚ୍ଚାରଣରେ ପ୍ରଚ୍ଛନ୍ନ ବିଦ୍ରୂପ ! ଗଳିର ବୁଲା କୁକୁରମାନେ, ଅଚିହ୍ନା ମଣିଷ ଦେଖିଲେ ସେମିତି ଐକ୍ୟତାନ ବିଳାପ କରୁଛନ୍ତି । ରାତି ବାରଟା ପରେ ସେଇ ଆଜ୍‌ମା ରୋଗୀ, ପିଣ୍ଡାରେ କାନ୍ଥକୁ ଆଉଜି ବସି, ସେମିତି କଫମିଶା କାଶ କାଶୁଛି...ନିଶୁତି ରାତିର ଛାତିରେ ହାତୁଡ଼ି ପିଟିବା ପରି ।

 

ବତୀଖୁଣ୍ଟରେ ଆସିଚି ଅବଶ୍ୟ ପରିବର୍ତ୍ତନ । ତା’ର ସ୍ୱାସ୍ଥ୍ୟରେ କ୍ରମେ ଅଧୋଗତି ଘଟୁଛି-। ପୂର୍ବେ ନିଭିବା ପୂର୍ବରୁ ତା’ର ହିକାମରା ଆରମ୍ଭ ହେଉଥିଲା, ରାତି ବାରଟା ବେଳକୁ...ଏବେ କିନ୍ତୁ ନ’ଟା ପରେ ପରେ ତା’ର ହିକ୍‌କା ଆରମ୍ଭ ହୋଇଯାଉଛି । ସିଡ଼ି କାନ୍ଧେଇ ଯେଉଁ ବୁଢ଼ା ଜଣକ ପୂର୍ବେ ଆସୁଥିଲା, ସିଏ ଆଉ ଆସୁନାହିଁ । ଆସୁଚି ଲୁଙ୍ଗି ଫତେଇ ପିନ୍ଧା ଆଉ ଜଣେ ଟୋକା-। ତାକୁ ଦିନେ ପଚାରିଲି, ବତୀଖୁଣ୍ଟ ରାତି ନ’ଟା ବେଳୁ କାହିଁକି ହିକ୍‌କା ମାରୁଚି ? ସିଏ ଉତ୍ତରଦେଲା... “ମ୍ୟୁନିସିପାଲିଟିବାଲା କମ୍ କିରୋସିନ ଦେଉଚନ୍ତି ।” କିନ୍ତୁ କାହିଁକିର ଉତ୍ତର ସିଏ ଆଉ ଦେଲାନାହିଁ-

 

ଦଧି ସେଦିନ ମୁହଁସଞ୍ଜବେଳେ, ଦୁଇହାତରେ ମଲା ବାଦୁଡ଼ି ପରି ଦୁଇଟା କିରୋସିନ ବୋତଲ ବାଣୀଦଉଡ଼ିରେ ଓହଳାଇ ଆସି କହିଲା... “ବାବୁ କାଲିଠୁ ସଞ୍ଜସଞ୍ଜ ଖିଆପିଆ ବଢ଼େଇଦିଅ । ମୁଁ ଦିନବେଳା ରାନ୍ଧି ଦଉଚି ।”

 

ବ୍ୟାପାର କ’ଣ ?

 

ଦଧି ଉତ୍ତର ଦେଲା.... “କିରୋସିନି ଆଉ ମିଳୁନାହିଁ । ଚାଲିଛି କିଳାପୋତା । ବୋତଲକେ ଛଅ ପଇସା ଅଧିକା କିଳାପୋତା ଦେଇଆଣିଲି । ସେଥିରେ ପୁଣି ଗୁହାରିଆ ପରି ଧାଡ଼ିବାନ୍ଧି ହୋଇ ଠିଆହେବ । କ’ଣ କହୁଛନ୍ତି କି ନାଁ କ୍ୟୁ । କିହୋ ଠିଆହବୁ କାହିଁକି ? ମାଗଣା ଦଉଚ କି ? ହକ ପଇସା ନବ ଦବ !”

 

ମୁସ୍କିଲ୍ ! ଏବେ ବୁଝିଲି, ବତୀଖୁଣ୍ଟରେ ଲଣ୍ଠନ କାହିଁକି ରାତି ନ’ଟା ବେଳକୁ ହିକା ମାରୁଚି ।

 

“କିନ୍ତୁ କୀଳାପୋତା କ’ଣ ?” ଏ ଶବ୍ଦ ତ କେବେ ଶୁଣିନଥିଲି ! ଦଧି ସବ୍‍ଜାନ୍‌ତା କଣ୍ଠରେ ଉତ୍ତର ଦେଲା... “ବିଲାକ୍ !”

 

ଇଏ ପୁଣି ଆଉରି ଦୁର୍ବୋଧ୍ୟ । ମୋଟାମୁଟି ବୁଝିଲି, କିରୋସିନୀ ପାଇଁ ସେମାନେ ନିର୍ଦ୍ଧିଷ୍ଟ ଦରଠାରୁ ଅଧିକା ପଇସା ନେଉଛନ୍ତି । ଆଇ:ଏ ରେ ଅର୍ଥନୀତି ଥିଲା ତ ! ବୁଝିଗଲି ଇଏ ହେଲା ଡିମାଣ୍ଡ ଆଣ୍ଡ୍ ସପ୍ଲାଇ କଥା । ଅର୍ଥାତ କିରୋସିନୀ ପାଇଁ ଚାହିଦା ଅନୁସାରେ ବଜାରରେ କିରୋସିନୀ ମିଳୁ ନାହିଁ । କିନ୍ତୁ ମିଳୁ ନାହିଁ କାହିଁକି ? ଆଗେ ଏମିତି ନଥିଲା ତ ! ବୋତଲକ ଚାରି ପଇସା ! ଦଧି କହିଲା, “ଚେମସାହୁ କହୁଚି ନଢ଼େଇବୁ ସବୁ କିରୋସିନୀ ଚାଲିଯାଉଛି !” ହେଇଥିବ-!

 

ଚିନିରେ ବି ସେ ଅବସ୍ଥା । ଗୁଜୁରାଟୀ ଚା’ ଦୋକାନରେ ମଗନ୍ ଭାଇ କହିଲା.... “ହାଫ୍–କପ୍ ଆଉ ନାହିଁ” ।

 

କିନ୍ତୁ ହାଫ୍–କପ୍ ଉଠିଗଲେ, ଚା’ ଦୋକାନରେ ଘଣ୍ଟା ଘଣ୍ଟା କଟିବ କିପରି ?

 

–‘‘ହାଫ୍ କପ୍ ନାହିଁ କାହିଁକି ?”

 

ମଗନଭାଇର ସେଇ ଉତ୍ତର.... “ଚିନିର ଜୋର କୀଳାପୋତା । ସେରକେ ଚାରିଅଣ । ସେଥିରେ ପୁଣି ମିଳୁନାଇଁ !”

 

ମଗନଭାଇ ଚା’ ଦୋକାନରେ, ଗୁଡ଼ତିଆରି ଚା’ କପ୍ ଚାରିପଇସା । ଚିନି ଚା ଛଅ ପଇସା । ଡକାୟତୀ ଆଉ କାହାକୁ କହନ୍ତି ? ଚିନି ହଠାତ୍ ଉଭାନ ହୋଇଗଲା କୁଆଡ଼େ ? ସବୁଠି ସେଇ ଏକା ଉତ୍ତର–ଲଢ଼େଇକୁ ଚାଲିଯାଉଛି । ଏ ମହାଯୁଦ୍ଧ ଯେପରି ସହର ପରେ ସହର, ଜୀବନ ପରେ ଜୀବନ, ଲେଲିହାନ୍ ଜିହ୍ୱା ଲମ୍ବାଇ ଗ୍ରାସ କରିଯାଉଛି !

 

ମହାଯୁଦ୍ଧ କ୍ରମେ ଆମ ଜୀବନ–କୋଠରୀ ଦୁଆରେ ଧକ୍‌କା ମାରିଲାଣି । ଯୁଗ–ସଂକ୍ରାନ୍ତି ! ଦଧି ଆଉଦିନେ, ତା’ର ଖରାବେଳିଆ ଗଞ୍ଜେଇ ଆଡ଼୍‌ଡ଼ାରୁ ଫେରି କହିଲା.... “ଜାଇଁଲେ ବାବୁ । ମହାପୁରୁଷଙ୍କ ମାଳିକା ବଚନ ଏବେ ଫଳିବ । ତର୍‌କି ଥିବୁ ତେରକୁ । ଚଉଦ ପନ୍ଦର କେହି ନରହିବେ, ସତ ଉପୁଜିବ ସତରକୁ । ଚଉଦ ପନ୍ଦର ବେଳ ଆସିଗଲା ! କେହି ରହିବେ ନାହିଁ ! କଳଙ୍କୀ ସମସ୍ତଙ୍କୁ ନିପାତ କରିବ !”

 

–‘‘କିହୋ ଚଉଦ ପନ୍ଦର କ’ଣ ?”

 

–ଦଧି ଉତ୍ତର ଦେଲା... “ସିଏ ଭାରୀ ଗୁପତ କଥା । କାହା ଆଗରେ କହିବାକୁ ମନା !”

 

ଜିଦ୍ ଧରିଲା । ଖଣ୍ଡେ ସିଗାରେଟ ଲାଞ୍ଚ ଦେଲି । ଦଧି ରୋଷେଇଘର ପିଣ୍ଡାରେ ଆଉଜି ବସି, ଅଣ୍ଟାରୁ ଗୋଟାଏ ଖଡ଼ି ଗୋଟାଳି କାଢ଼ି ମୋତେ କହିଲା “ଏଇଥିରେ କଷ । ଏଇଟା କୋଉ ସାଲ ?”

 

“୧୯୪୨”

 

“ହେଲା ତ, ଶେଷଆଡ଼ୁ ମିଶେଇ ଯା । କେତେ ହେଲା ?”

 

“ଷୋହଳ”

 

“ୟା ପରବର୍ଷ ?”

 

“୧୯୪୩”

 

କେତେ ହେଲା ? ସ–ତ–ର ! ସତ ଉପୁଜିବ । “ହେଲେ ଆଗ ବାରହାତ ଖଣ୍ଡା ନଉଠିଲେ, ସତ ଉପୁଜିବ କିପରି ?”

 

ଦଧି ଖଡ଼ି ଗୋଟାଳିରେ ତଳେ ଲେଖାଯାଇଥିବା ଅଙ୍କ ସବୁ ହାତରେ ନିଭାଇଦେଇ, ଧୂଳି ମୁଣ୍ଡରେ ଲଗାଇଲା !

 

ସେଦିନ ସଞ୍ଜରେ ମ୍ୟୁନିସିପାଲିଟି ବତୀଖୁଣ୍ଟରେ ଲଣ୍ଠନ୍ ଆଉ ଜଳିଲା ନାହିଁ । ତା’ ପରଦିନ ବି ! ଦଧି କହିଲା... “କଲିକତାରେ ଗାଈମୁଣ୍ଡ ହାଡ଼–ବୁଡ଼ୁରେ ଜାପାନୀ ବୋମା ପକାଇଲାଣି । ସେଥିପାଇଁ ରାତିରେ ବିଲାକ୍ ଆଉଟ୍ !” ଦଧି ଏତେ ସମ୍ବାଦ କେଉଁଠୁ ସଂଗ୍ରହ କରେ କିପରି ? ସେ ବୋଧହୁଏ ଏସବୁ ଖବର ସଂଗ୍ରହ କରେ, ଖରାବେଳିଆ ଗଞ୍ଜେଇ ଆଡ଼୍‌ଡ଼ାରୁ । କିନ୍ତୁ କଲିକତାରେ ଗାଈମୁଣ୍ଡ ହାଡ଼ବୁଡ଼ୁ କୋଉଠି ? ପରେ ଖବରକାଗଜରେ ଡାୟମଣ୍ଡ ହାର୍‌ବର, ନାଁଟା ପଢ଼ି ବୁଝିଲି, ଦଧିର ଉଚ୍ଚାରଣରେ ଇଏ ଗାଈମୁଣ୍ଡ ହାଡ଼ବୁଡ଼ ! ହୋ–ହୋ–ହୋଇ ହସିଲି !

 

ଗୁଡ଼ତିଆରି ଚା’, ଉଦ୍‌ବେଗ, ଆଶଙ୍କା, କୃତ୍ରିମ ଅଭାବ, ବ୍ଳାକ୍ ମାର୍କଟ୍, ବ୍ଳାକ୍–ଆଉଟ୍, ସେନସର୍‍ସିପ୍ ଜୀବନର ସହଜ, ମନ୍ଥର ଭଙ୍ଗୀରେ ଆଘାତ...ମହାଯୁଦ୍ଧ ଆମ ଏଇ ନିଦୁଆଳୀ ସହରକୁ ସୁଦ୍ଧା କ୍ରମେ ଗ୍ରାସ କଲାଣି, ତା’ର ସାଙ୍ଗୋପାଙ୍ଗ ଧରି ।

 

ସାରଦାବାବୁ ଦିନେ, ଏ ଦୃଶ୍ୟାବଳୀ ଉପରେ ବୁଲାଇ ଆଣିଲେ ଶେଷତୁଳୀ !

 

କଲେଜ ଯିବା ପାଇଁ, ମେସ୍ ଦୁଆରେ ସାଇକଲଟା ପୋଛୁଚି । ପଛରୁ ଜୋତା ମଚମଚ୍ ଶବ୍ଦ ଶୁଭିଲା । ପାଦଶବ୍ଦରେ ଗୋଟାଏ ଅହଙ୍କାରସ୍ଫୀତ ଔଦ୍ଧତ୍ୟ । କିନ୍ତୁ ଏ ମେସ୍‌ରେ ଏପରି ପାଦଶବ୍ଦ କରି ଚାଲିବ କିଏ ? ପଛକୁ ଚାହିଁଲି । ପ୍ରଥମେ ନିଜ ଆଖିକୁ ବିଶ୍ୱାସ କରିପାରିଲି ନାହିଁ । ବିସ୍ମୟରେ ଆଖି ମଳିଲି । ନାଁ, ଇଏ ସାରଦାବାବୁ ! ମୋର ଦେଖିବାରେ, ଚିହ୍ନିବାରେ ଭ୍ରମ ହୋଇ ନାହିଁ । କିନ୍ତୁ ସାରଦାବାବୁଙ୍କର ଧୋତି, ହାଫ୍‌ସାର୍ଟ୍‌ ହାଫ୍‍ସୁ ଗଲା କୁଆଡ଼େ ? ପିନ୍ଧିଛନ୍ତି ପାଉଁସିଆ ରଙ୍ଗର ଗୋଟିଏ ହାଫପ୍ୟାଣ୍ଟ୍ । ସେଇ ରଙ୍ଗର ଗୋଟାଏ ହାଫ୍‌ସାର୍ଟ । ପକେଟରେ ଗୋଟାଏ ହୁଇସିଲ୍, ଦଉଡ଼ିରେ ବନ୍ଧାହୋଇ କାନ୍ଧ ଉପରବାଟେ, ବେକରେ ଲଟକିଛି । ପାଦରେ ମୋଜା ଉପରେ ହଳେ ଚଢ଼ୋଇ ଜୋତା । ମୁଣ୍ଡରେ ସୋଲହାଟ୍ ବେଢ଼ଙ୍ଗ ଦିଶୁଛି । ହାଫ୍‌ପ୍ୟାଣ୍ଟ ଉପରେ, ପେଟଟା ବେଙ୍ଗଫୁଲା ପରି ବାହାରିପଡ଼ିଚି । ସାରଦାବାବୁଙ୍କର ଏ କି ରୂପାନ୍ତର ? ହସ ଚାପି ନ ପାରି, ଦାନ୍ତରେ ଓଠ କାମୁଡ଼ିଲି । ନୋହିଲେ ଫେଁ କରି ହସିଉଠିଥାନ୍ତି ।

 

ସାରଦାବାବୁ ମଚ୍‍ମଚ୍ ଶବ୍ଦ କରି, ଆମ ରୁମ୍ ପିଣ୍ଡାକୁ ଉଠି ଡାକିଲେ... “ପଦବାବୁ !”

 

କିନ୍ତୁ ପଦବାବୁ କୋଉ ସକାଳୁ ଉଠି ବାହାରିଗଲେଣି । ମୁଁ କହିଲି... “ପଦବାବୁ ନାହାନ୍ତି-!”

 

ସାରଦାବାବୁ ମୋତେ କେଇଦଣ୍ଡ ଗାରେଡ଼େଇ ଗାରେଡ଼େଇ ଚାହିଁଲେ । ତାପରେ କହିଲେ... “ଦଧି, ପଦବାବୁଙ୍କ କଣ୍ଟ ଆଜି ପୂରିଗଲା ।”

 

ଦଧି କ’ଣ ବୁଝିଲା କେଜାଣି ? ଉତ୍ତର ଦେଲା... “ହଉ” । ତାପରେ ଅନ୍ୟ ଦିନମାନଙ୍କ ପରି ସାରଦାବାବୁଙ୍କ ସାଇକେଲ କାନ୍ଧେଇ ବାହାରକୁ କାଢ଼ିଦେଲା । ସାରଦାବାବୁ ଫୁଟ୍‌ପିନ ଉପରେ ଗୋଡ଼ ରଖି, କେଇ ହାତ କୁଦି କୁଦି, ତା’ପରେ ଡାହାଣ ଗୋଡ଼ଟା ସିଟ୍ ଉପରେ ବୁଲାଇ, ସାଇକେଲରେ ବସିଲେ । ଇଏ ହେଉଚି ସାରଦାବାବୁଙ୍କ ସାଇକେଲ ଚଢ଼ିବାର ଷ୍ଟାଇଲ୍ । ସେ ପେଡ଼ାଲ ଉପରେ ପାଦରଖି, ସାଇକେଲ ଚଢ଼ିପାରନ୍ତି ନାହିଁ । ଫୁଟପିନ୍ ଉପରେ ଗୋଡ଼ ରଖି, ସାରଦାବାବୁ କୁଦିକୁଦି ସାଇକେଲ ଚଢ଼ିବା, ଗୋଟାଏ ଦୃଶ୍ୟ । ବେଙ୍ଗ ଫୁଲା ପେଟ ! ସୋଲ ଟୋପି-!

 

ସାରଦାବାବୁ ଚାଲିଯିବା ପରେ ମୁଁ ରୋଷେଇ ଘରକୁ ଆସି ହସି ହସି ପଚାରିଲି... “ଦଧି ସାରଦାବାବୁଙ୍କର ଆଜି ଏଇ କି ନୂଆବେଶ ।” –ଦଧି ତାଙ୍କର ସଖା ଆଉ ମନ୍ତ୍ରୀ । ଜାଣିଥିବ ନିଶ୍ଚୟ-

 

ଦଧି ଉତ୍ତର ଦେଲା... “ସିଏ ବୋମା ହାକିମ ହୋଇଛନ୍ତି ପରା !”

 

ବୋମା ହାକିମ କ’ଣ ହଠାତ୍ ମୁଁ ବୁଝିପାରିଲି ନାହିଁ, କିମ୍ବା ଦଧି ମୋତେ ବୁଝାଇପାରିଲା ନାହିଁ । ଗମ୍ଭୀର ଭାବରେ ଖଣ୍ଡେ ଖଣ୍ଡିଆ ବିଡ଼ି, କାନରୁ କାଢ଼ି ଚୂଲିରୁ ଚିମୁଟାରେ ଜଳନ୍ତା ଅଙ୍ଗାର ଖଣ୍ଡେ କାଢ଼ି, ନିଆଁ ଧରାଇ କହିଲା... “ଏଇ ୱାର୍ଡ଼ଟା ତାଙ୍କ ଇଲାକା । ଏ ଇଲାକାର ହାକିମ ସିଏ ! ଓହୋ ! ବୁଝିଲି ବୁଝିଲି, ସାରଦାବାବୁ ହେଇଚନ୍ତି ଏ ୱାର୍ଡ଼ର ଅନରାରୀ ଏ. ଆର.ପି ୱାର୍ଡ଼େନ୍ । ଏ. ଆର୍.ପି ୱାର୍ଡ଼େନମାନେ ଏଇପରି ପୋଷାକ ପିନ୍ଧୁଚନ୍ତି ଏବେ ।

 

ସାରଦାବାବୁଙ୍କ ରୂପାନ୍ତରରେ ଦଧି ଖୁବ୍ ଇମ୍ପ୍ରେସ୍‌ଡ଼ । ହାକିମ ଶବ୍ଦଟା ଉଚ୍ଚାରଣ କଲାବେଳେ, ସେ ଆସ୍ତେ ଆସ୍ତେ ସମ୍ବ୍ରମପୂର୍ଣ୍ଣ କଣ୍ଠରେ ଉଚ୍ଚାରଣ କରୁଛି...ଯେପରି ଜୋରରେ ଉଚ୍ଚାରଣ କଲେ ହାକିମଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରାଯିବ !

 

ସାରଦାବାବୁଙ୍କ ଅଫିସର ବଡ଼ ସାହେବ କହିଲେ...‘‘ବାବୁ, ୟୁ ମଷ୍ଟ୍ ବି ସ୍ମାର୍ଟ ।” ସେଥିପାଇଁ ସାରଦାବାବୁ ଅକାରଣ ଉତ୍ସାହରେ ଜୋତା ମଚ୍‍ମଚ୍ କରୁଛନ୍ତି । ତା’ନହେଲେ ସେ ସ୍ମାର୍ଟ ବୋଲି, ଜଣାପଡ଼ିବେ କିପରି ? ସାହେବ ଆଶା ଦେଇଚି, ଯେଉଁମାନେ ବୋମା ହାକିମ ହେବେ, ସେମାନଙ୍କର ପ୍ରମୋସନ୍ ଅଛି । ସାରଦାବାବୁ ଏଇ ମହାଯୁଦ୍ଧ ଭିତରେ ଦେଖୁଚନ୍ତି, ଡେପୁଟି ନହେଲେ, ସବ୍‌ଡ଼େପୁଟି ହେବାର ସ୍ଵପ୍ନ ।

 

ମହାଯୁଦ୍ଧରେ ଧକ୍‌କା, ନିଦୁଆଳୀ ସହରର ଏଇ ଉପଗଳିରେ ସୁଦ୍ଧା ଏଇପରି ଭାବରେ ଲାଗିଗଲାଣି... ଉଦ୍‌ବେଗ, ଆଶଙ୍କା, କୃତ୍ରିମ ଅଭାବ, କଳା–ବଜାର, ଲୁଣ୍ଠନ, ଗୁଡ଼ିତିଆରି ଚା ! ଜୀବନର ସହଜ, ମନ୍ଥର ଭଙ୍ଗୀରେ ଲାଗିଗଲାଣି ଆଘାତ ! ସାରଦାବାବୁ ଏ ମହାଯୁଦ୍ଧର ଚୂଡ଼ାନ୍ତ ପ୍ରତୀକ । ତାଙ୍କ ହାକିମ ଚେହେରା ସବୁବେଳେ ଚେତେଇ ଦେଉଛି ମହାଯୁଦ୍ଧ !

 

କଲେଜରେ ଅଫ ପିରିଅଡ଼ ଗୁଡ଼ା ଏଣିକି କଟୁଛି, ଷ୍ଟେସନ ପ୍ଲାଟଫର୍ମରେ । ଷ୍ଟେସନଟା ଏତେକାଳ ମୂର୍ଚ୍ଚିତ ହୋଇପଡ଼ିଥିଲା । ଖରାବେଳେ, ଅପ୍‌ଡ଼ାଉନ୍ ଦୁଇଟା ପାସେଞ୍ଜର ଗାଡ଼ି । ମାତ୍ର ଏବେ ଷ୍ଟେସନଟା କ୍ରମେ ହଠାତ୍ କର୍ମମୁଖର ହୋଇଉଠିଲାଣି । ଲୋକ କୁଆଡ଼େ ଯିବାଆସିବା କରୁଛନ୍ତି ଏତେ ? ସବୁ ଡବାରେ ଯାତ୍ରୀ ଖୁନ୍ଦାଖୁନ୍ଦି । ଫଉଜୀ ସ୍ପେସାଲ ସବୁ ଚାଲିଛି । ଫିକା ସାବଜା ୟୁନିଫର୍ମ ପିନ୍ଧା ଗୋରା ସୈନ୍ୟମାନେ ପ୍ଲାଟଫର୍ମ ଉପରେ କୁଦାମାରି ଓହ୍ଲାଇ, ଏ ମୁଣ୍ଡରୁ ସେ ମୁଣ୍ଡ ମଚ୍‍ମାଚ୍ ହେଉଛନ୍ତି ଚା’ ଦୋକାନ ପାଖରେ । ହାତରେ ଗୋଟାଏ ଗୋଟାଏ ମଗ୍ ଧରି ଭିଡ଼ ବାନ୍ଧୁଛନ୍ତି । ଏଠି ଗୁଡ଼ ଚା’ ନାହିଁ । ଚା’ କପ୍ କିନ୍ତୁ ଦୁଇଅଣା ! ଲୁଟ୍ ଆଉ କାହାକୁ କହନ୍ତି ? ଚା’ ଦୋକାନୀର ଲାଭ ବେଶ୍ ହେଉଛି !

 

ମୁଁ ଆଉ ବାବୁରୀବଣକୁ ଯାଉନାହିଁ । ନଗେନ୍, କାଳୀପ୍ରସାଦ ସହିତ, ଷ୍ଟେସନକୁ ଆସୁଛି, ଫଉଜୀ–ସ୍ପେସାଲ୍ ଦେଖିବାପାଇଁ, ହୁଇଲରସ୍ ଦୋକାନରେ ବହିର ପୃଷ୍ଠା ଓଲଟାଇବା ପାଇଁ । ଏଡ଼୍‌ଗାର ୱାଲେସ୍ ଥ୍ରୀଲର୍ ଖୋଜିବା ପାଇଁ !

 

ପ୍ରଫେସର ମିତ୍ତିର ଟ୍ରାଜେଡ଼ୀ ପଢ଼ାନ୍ତି । ରସଗୋଲା ଚେହେରା ।

 

ଉଚ୍ଛ୍ୱାସିତ ଉଚ୍ଚାରଣ । କ୍ଲାସ୍ ରୁମ୍‌ଟା ଯେପରି ରଙ୍ଗମଞ୍ଚ, ଆଉ ସେଥିରେ ସେ ଏକକ ଅଭିନେତା ! ଓଥେଲୋ, ହାମ୍‌ଲେଟ୍ ପଢ଼ାଇବାବେଳେ ସେ ଯେପରି ଅଭିନୟ କରନ୍ତି । ଭାବପ୍ରବଣ ହୋଇଉଠନ୍ତି । ସେଦିନ, ସେ ମୋତେ ତାଙ୍କ ରୁମ୍‍କୁ ଡାକି, କହିଲେ... “ତମର ସବୁ ଅଛି, କିନ୍ତୁ ଆପ୍ଲିକେସନ୍ ନାହିଁ, ମାନେ ମନୋଯୋଗ ନାହିଁ । ଇଚ୍ଛାକଲେ, ତୁମେ ଇଂରାଜୀ ଅନର୍ସରେ ‘ବି’ କ୍ଲାସ୍ ପାଇପାଇବ ! ମାନେ ହାୟର ସେକେଣ୍ଡ କ୍ଲାସ୍ ।” ଇଂରାଜୀ ଅନର୍ସରେ କେହି କୁଆଡ଼େ ଫାଷ୍ଟକ୍ଲାସ୍ ପାନ୍ତି ନାହିଁ । କାରଣ ପ୍ରଫେସର୍ ମାନେ ସମସ୍ତେ ତ’ ସେକେଣ୍ଡ କ୍ଲାସ୍ ! ଛାତ୍ର ଫାଷ୍ଟକ୍ଲାସ୍ ପାଇବ କିପରି ?

 

ପ୍ରଫେସର୍ ମିତ୍ତିର୍‍ଙ୍କ କଥାରେ ମୋର ହଠାତ ଜ୍ଞାନଚକ୍ଷୁ ଫିଟିଲା ପଢ଼ାରେ ଲାଗିପଡ଼ିଲା-। ମୁଁ ହେବି ପ୍ରଫେସର୍ ! ଏ ଲାଇନ୍ ମୋତେ ଭଲଲାଗୁଛି । ମୁଁ ବି ହେବି ଏଇ ଭୋଳା ମଣିଷଟି, ପ୍ରଫେସର ମିତ୍ତିର୍‌‌ ପରି !

 

କଲେଜରେ ମଧ୍ୟ ମହାଯୁଦ୍ଧରେ ଛାଇ । ସବୁଆଡ଼େ ଗୋଟାଏ ଛମ୍‍ଛମ୍ ଭାବ । ଯେମିତି କ’ଣ, କିଛି ଗୋଟାଏ ଘଟିବ ! ନଗେନ୍‌ଟା ଅନେକ ଖବର ରଖେ । ସେଦିନ, ସେ ମୋତେ ଦୁଇଟା ଲୋକଙ୍କୁ ଟେନିସ୍ କୋର୍ଟରେ ଦେବଦାରୁ ଛାଇ ତଳେ ଦେଖାଇ କହିଲା... “ଏମାନେ ସି.ଆଇ.ଡି-!” କିନ୍ତୁ କୋନାନ୍ ଡୟଲ୍, ଏଡ଼୍‌ଗାର୍ ୱାଲେସ୍‍ମାନଙ୍କର ଡିଟେକ୍‌ଟିଭମାନଙ୍କ ପରି ଏମାନେ ଦିଶୁନାହାନ୍ତି ତ । ନିତାନ୍ତ ସାଦାସିଧା ଚେହେରା । କଲେଜ କରିଡ଼ର୍ ଆଡ଼େ ଚାହିଁ, କେବଳ ଏପାଖ ସେପାଖ ଟହଲ ମାରୁଛନ୍ତି !

 

“କିରେ କଥା କ’ଣ ?”

 

“ୱାର୍ଦ୍ଧାରେ କଂଗ୍ରେସ ୱାର୍କିଂ କମିଟି ବସିଚି ପରା ?”

 

“କ’ଣ ହେଲା ସେଉଠୁ ?” ମୁଁ ନିତାନ୍ତ ନିର୍ବୋଧ ପରି ପଚାରିଲି ।

 

ନଗେନ୍ କହିଲା... “ତୁ ତ ଖବରକାଗଜ ପଢ଼ୁନାହୁଁ । ବୁଝିବୁ କିପରି ? କଂଗ୍ରେସବାଲା ଏ ମହାଯୁଦ୍ଧରେ ଇଂରେଜ ସରକାର ସହିତ ଅସହଯୋଗ କରିବେ ବୋଲି ମସୁଧା ଚଳାଉଚନ୍ତି !”

 

ମୁଁ ତଥାପି ବୁଝିପାରିଲି ନାହିଁ; କିମ୍ବା ଖୋଳି ତାଡ଼ି ପଚାରି, ନଗେନ୍ ଆଗରେ ନିଜର ନିର୍ବୋଧତା ଆଉ ପ୍ରକାଶ କରିବାକୁ ଚାହିଁଲି ନାହିଁ । ଆମେ ମଗନ୍‌ଭାଇ ଚା’ ଦୋକାନ ଆଡ଼େ ଆସିଲୁ ।

 

କପେ ଗୁଡ଼ମିଶା ଚା’ରେ ଚୁମୁକ୍ ଦେଇ ନଗେନ୍ କହିଲା... “ଜାଣିଚୁ; ପ୍ରଜ୍ଞା ଭଦ୍ରଜୀ ଆସି ଲୁଚି ରହିଚନ୍ତି ଏଇ ସହରରେ–ଅଣ୍ଡରଗ୍ରାଉଣ୍ଡ୍ !” ଖବରକାଗଜରେ ଶୁଣାଶୁଣା ନାଁ–ପ୍ରଜ୍ଞାଭଦ୍ର ! ମୁଁ ଚା’ କପ୍‌ରୁ ଢୋକେ ପିଇ ପଚାରିଲି... “ଇଏ ପୁଣି କିଏ ?”

 

“ସିଏ ହେଲେ ସୁଭାଷ ବୋଷ ବାଲା, ଫର୍‌ୱାର୍ଡ଼, ବ୍ଲକ୍ !”

 

ଆଉ ନିଜର ନିର୍ବୋଧତା ପ୍ରକାଶ କରିବାକୁ ଚାହିଁଲି ନାହିଁ । ଖଣ୍ଡେ ସିଗାରେଟ୍‌ରେ ନିଆଁ ଲଗାଇ, ବିଜ୍ଞଜନୋଚିତ ଗାମ୍ଭୀର୍ଯ୍ୟରେ କଳେ ଧୂଆଁ, ଛାଡ଼ି ପଚାରିଲି... “ଲୁଚି ରହିଛନ୍ତି ଅଣ୍ଡରଗ୍ରାଉଣ୍ଡ୍‌ରେ କାହିଁକି ?”

 

“ବୋକା,–ବୁଝିପାରୁନୁ, ଯୁଦ୍ଧ ବିରୁଦ୍ଧରେ ସିଏ ପରା ଲୋକଶକ୍ତି ସଂଗଠିତ କରୁଛନ୍ତି ! ସୁଭାଷବୋଷ ଆଜାଦ୍ ଫଉଜ ବାହିନୀ ଧରି ଆସିବେ ବର୍ମାଆଡ଼ୁ, ହିଟଲର୍‍ର ଯୁଦ୍ଧ ଜାହାଜ ଲାଗିବ, ଭାରତର ପଶ୍ଚିମ ଉପକୂଳରେ । ଭାରତରୁ ଇଂରେଜ ହଟିବ । ଦେଶ ଆଜାଦ୍ ହେବ !”

 

ମୁଁ ନୀରବରେ କପ୍‍ରୁ ଚା’ତକ ଶୋଷି, ସିଗାରେଟ୍ ଟାଣିବାରେ ଲାଗିଲି । ମୋ ଭିତରେ ଗୋଟାଏ ସୁପ୍ତଚେତନା ଭିଡ଼ିମୋଡ଼ି ହୋଇଉଠୁଥିଲା ।

 

ଚା’ ଦୋକାନ ଭିତରକୁ ହଠାତ ପଶିଆସିଲେ, ନିଖିଳ ଦାସ, ଅରୁଣ ମହାନ୍ତି ଆଉ ଜୀବନ ମିଶ୍ର । ଏମାନେ କଲେଜରେ ଛାତ୍ରନେତା । ପୋଷ୍ଟ୍‌ଗ୍ରାଜୁଏଟ୍ କ୍ଲାସ୍‌ରେ ପଢ଼ନ୍ତି । ଆମେ ସବୁ ଏମାନଙ୍କୁ ସିନିଅର ବୋଲି ଖାତିର କରୁ । ନିଖିଳ ଦାସ ଆଉ ଜୀବନ ମିଶ୍ରଙ୍କ ଭିତରେ, ୟୁନିଆନ୍ ପ୍ରେସିଡେଣ୍ଟ୍‌ସିପ୍ ପାଇଁ ସେଦିନ ଚାଲିଥିଲା ପ୍ରବଳ ଭୋଟ୍‍ଯୁଦ୍ଧ । ପ୍ରଫେସିଙ୍ଗ, ରିଆକ୍‌ସନାରୀ ପ୍ରଭୃତି ଶବ୍ଦର ଚାଲିଥିଲା ଖୁବ୍ ଫିଙ୍ଗାଫିଙ୍ଗି । ସେ ଦୁଇଜଣ ଆଜି ପୁଣି ଏକାଠି ହେଲେ କିପରି ? –ସେମାନେ ଚା’ ଦୋକାନର ଗୋଟାଏ କୋଣରେ, ଖଣ୍ଡେ ଟେବୁଲ୍ ଚାରିପଟେ ତିନିଖଣ୍ଡ ଚଉକି ଟାଣି ବସିପଡ଼ିଲେ ।

 

ମଗନ୍‌ଭାଇର ଚା’ ବିକାଳି ଟୋକା ପଚାରିଲା... “ଚିନି ନା ଗୁଡ଼ ?”

 

ମଗନ୍‌ଭାଇ ତା’ କାସ୍ଵାକ୍ ପାଖରୁ ଖିଙ୍କାରିଲା... “ଆବେ ପଚାର, ଇସ୍‌ପୋସାଲ୍ ନାଁ ଚାଲୁ ?” ...ମହାଯୁଦ୍ଧ ଅଲକ୍ଷିତରେ ସୃଷ୍ଟି କଲାଣି, ଚା’ ଦୋକାନର ନୂତନ ପରିଭାଷା !

 

ଜୀବନ ଅର୍ଡ଼‌ର ଦେଲା... “ଚା, ତିନି କପ୍ ସ୍ପେସାଲ୍ ।”

 

ନଗେନ୍ ଆଉ ମୁଁ ବାହାରିଆସିଲୁ । ନଗେନ୍ ବାଟରେ, ଏଣିକି ତେଣିକି ଚାହିଁ, ଫିସ୍‍ଫିସ୍ କଣ୍ଠରେ କହିଲା... “ଏଥିରେ ଗୋଟାଏ ବଡ଼ ଷ୍ଟ୍ରାଇକ୍ ହେବ ! ଦେଖୁନୁ ଦୁଇ ମୁଣ୍ଡିଆଳ, ନିଖିଳ ଦାସ ଆଉ ଜୀବନ ମିଶ୍ର କେମିତି ଏକାଠି ହୋଇଯାଇଚନ୍ତି !”

 

Unknown

କଲେଜରେ ଆଉ ପିରିୟଡ଼୍ ନାହିଁ । ସବୁଆଡ଼େ କେମିତି ଗୋଟାଏ ଛମ୍ ଛମ୍ ଭାବ...ଝଡ଼ ପୂର୍ବର ସ୍ତବ୍‌ଧତା ପରି । ଇକନମିକସ୍ ପ୍ରଫେସର ଭବତୋଷ ମୁଖାର୍ଜୀ ଆଣ୍ଠୁ ପର୍ଯ୍ୟନ୍ତ ଖଦଡ଼ ଧୋତି, ଖଦଡ଼ ପଞ୍ଜାବୀ ପିନ୍ଧନ୍ତି । ମୁଣ୍ଡଟି ଚନ୍ଦା । ଶାନ୍ତ, ନିର୍ବିକାର ମଣିଷ । ସିଏ ସୁଦ୍ଧା, କଲେଜ କରିଡ଼ର୍‌ରେ ଖଣ୍ଡେ ଚୁରୁଟ୍ ଟାଣି ଅସ୍ଥିର ଭାବରେ ଏପାଖ ସେପାଖ ହେଉଚନ୍ତି । ନଗେନ୍‌ଟା ଅନେକ ଖବର ରଖେ । ମୁଁ ସାଇକଲ ଧରି, ମେସ୍‌କୁ ଫେରିଆସିଲି ।

 

ମେସ୍‌ଗଳିରେ ସେଇ ଡଷ୍ଟବିନ୍ ପାଖରୁ ଏଇ ମୋର ପ୍ରଥମ ଶକ୍ ଆରମ୍ଭ ହେଲା ! ଇଏ କ’ଣ ? ଦଧି ଏ. ଆର୍. ପି. କନାର ହାଫ୍ ପ୍ୟାଣ୍ଟ୍ ପିନ୍ଧି, ଅଣ୍ଟାରେ ଖଣ୍ଡେ ନାଲିଗାମୁଛା ବାନ୍ଧି, ସେଇ ପିଣ୍ଡାରେ ଠିଆହୋଇଛି ଦିଗ୍‌ବିଜୟୀ ସେନାପତି ଠାଣିରେ ! ଏ ପ୍ୟାଣ୍ଟ୍ ଖଣ୍ଡ ବୋଧହୁଏ ତା’ ପାଇଁ ଜୋଗାଡ଼ କରିଦେଇଛନ୍ତି–ବୋମାହାକିମ, ସାରଦା ବାବୁ ! କିନ୍ତୁ ପ୍ରକୃତ ଶକ୍‌ଡ଼ ହେଲି, ଯେତେବେଳେ ଦେଖେ, ପଦବାବୁଙ୍କ ଜିନିଷପତ୍ର, ଅରଟ, ହେଁସ, ଏପରିକି ଇଟା ଖଣ୍ଡକ ପର୍ଯ୍ୟନ୍ତ ଗଦା ହୋଇଛି, ବାରନ୍ଦା ଉପରେ–ଆଉ ତା’ର ପ୍ରହରୀ ପରି ଠିଆହୋଇଛି ଦଧି ।

 

“ଦଧି, ଇଏ କଣ ? ଏ ସବୁ ତ ପଦବାବୁଙ୍କ ଜିନିଷପତ୍ର !”

 

“ଦଧି, ଉତ୍ତର ଦେଲା... “ସାରଦା ବାବୁ ତାଙ୍କୁ ଦି’ ଦିଅର କହିସାରିଲେଣି, ମେସ୍ ଛାଡ଼ି ଯିବାପାଇଁ । ସିଏ ଆଜି ଯିବେ, କାଲି ଯିବେ କହି ଯାଉନାହାନ୍ତି । ତଡ଼ି ନଦେବା ଛଡ଼ା ଆଉ କି ବାଟ ଅଛି ?”

 

“କିନ୍ତୁ କାହିଁକି ? ସିଏ ତ ମେସ୍ ଭଡ଼ା ବାକି ରଖନ୍ତି ନାହିଁ । କାହାର ଭଲ ମନ୍ଦରେ ନଥାନ୍ତି ! ତାଙ୍କ ପ୍ରତି ଏ ଅପମାନ କାହିଁକି ?” –ମହାଯୁଦ୍ଧ କ୍ରମେ ପରିଣତ ହୋଇଆସୁଥିଲା, ମୋର ବ୍ୟକ୍ତିଗତ ଯୁଦ୍ଧରେ ।

 

ଦଧି ଉତ୍ତର ଦେଲା... “ପଦବାବୁ ଗାନ୍ଧୀବାଲା । ସାହାବ ଯଦି ଜାଣିବ, ହାକିମ ନିଜ ମେସ୍‌ରେ ଗୋଟାଏ ଗାନ୍ଧୀବାଲାକୁ ରଖିଛନ୍ତି...ତା’ହେଲେ ? ଗୋରା ସରକାର, ମାଛି ନବଖଣ୍ଡ ହେଉଛି ?”

 

ସେଦିନ ସେଇଠି ସାଇକଲ ଧରି ଠିଆହୋଇ, ମନେମନେ ମୁଁ ସଂକଳ୍ପ କଲି...ଏ ଅବିଚାର, ଅପମାନ ବିରୁଦ୍ଧରେ ମୋତେ ଲଢ଼ିବା ପାଇଁ ପଡ଼ିବ । ପଦବାବୁଙ୍କ ପ୍ରତି ଏ ଅପମାନ, ସ୍ଵଦେଶରେ ଦେଶବାସୀଙ୍କ ପ୍ରତି ଗୋରା ଶାସନର ଅବିଚାର, ଅପମାନର ପ୍ରତୀକ । ବାରନ୍ଦାରେ ଟିଣ ଟ୍ରଙ୍କ୍ ଉପରେ ରଖାଯାଇଥିବା ପଦବାବୁଙ୍କ ଅରଟ, ହେଁସ, ଏପରିକି ଇଟାଖଣ୍ଡକ, ଯାହାକୁ ସେ ମୁଣ୍ଡତଳେ ତକିଆ ପରି ଦେଇ ଶୁଅନ୍ତି, ହଠାତ୍ ହୋଇଉଠିଥିଲେ ବାଙ୍‍ମୟ । ପ୍ରତିବାଦରେ ସୋଚ୍ଚାର, ମୁଖର ! ମୁଁ ହାତରୁ ବହିପତ୍ର ବାରନ୍ଦା ଉପରକୁ ଫିଙ୍ଗିଦେଇ, ସେଇ ବାରନ୍ଦା ଉପରେ ପାହାଚ ଉପରକୁ ପାଦ ଲମ୍ବାଇ ବସିପଡ଼ିଲି । ଥାଉ ମୋର ଇଂରାଜୀ ଅନର୍ସ, ଥାଉ ସେକସ୍ ପିରିଆନ୍ ଟ୍ରାଜେଡ଼ୀ...ଇଏ ତ ଆଜି ଭାରତୀୟ ଟ୍ରାଜେଡ଼ୀ ! ଏ ପ୍ରଶ୍ନର ଉତ୍ତର ଲେଖିବାପାଇଁ ପଡ଼ିବ, ଯେତେ କମ୍ ନମ୍ବର ରହୁ ପଛେ ! ଅନର୍ସ ନମିଳୁ ପଛେ !

 

“ଏଠି ବସିଲ କାହିଁକି ?”...ଦଧି ବିସ୍ମିତ ହେଲା ମୋର କିମ୍ଭୂତ ଆଚରଣରେ ! ମୁଁ ଆଉ କାହାକୁ କୌଣସି ପ୍ରଶ୍ନର କୈଫିୟତ୍‌ ଦେବିନାହିଁ ! ମୁଁ ସ୍ଵାଧୀନ । ମୋର ଇଚ୍ଛା ! ମୁଁ ଖଣ୍ଡେ ସିଗ୍ରେଟ୍‌ରେ ନିଆଁ ଲଗାଇଲି । ମୁଁ ଅପେକ୍ଷା କରୁଥିଲି ସାରଦା ବାବୁଙ୍କୁ, ପଚାରିଥାନ୍ତି, ପଦବାବୁଙ୍କ ପ୍ରତି ଏ ଅପମାନ କାହିଁକି ?

 

କିନ୍ତୁ ଆସି ପହଞ୍ଚିଲେ ପଦବାବୁ । ତାଙ୍କ ଜିନିଷପତ୍ର ବାହାରେ ଏପରି ଫିଙ୍ଗି ଦିଆହୋଇଛି ଦେଖି, ମୁଁ ଆଶା କରୁଥିଲି, ସେ ବିସ୍ଫୋରଣ କରିଉଠିବେ ! କିନ୍ତୁ ସେ ବିସ୍ଫୋରଣ କଲେ ନାହିଁ । ତାଙ୍କ ମୁହଁ ନିର୍ବିକାର; କଳା ମୁଗୁନି ପଥରରେ ଖୋଳା ମୁହଁ ପରି । ବରଂ ତାଙ୍କ ଓଠରେ ମୁଁ ଲକ୍ଷ୍ୟ କଲି, ସ୍ମିତହସର ଗୋଟିଏ କ୍ଷୀଣରେଖା । ସାହିବାଲା, କେତେଜଣ କୌତୂହଳୀ ଦର୍ଶକ, ସେତେବେଳକୁ ସେଠାରେ ବେଢ଼ିଗଲେଣି । ଦଧି କିଂକର୍ତ୍ତବ୍ୟବିମୂଢ଼ !

 

ତାଙ୍କ ଜିନିଷପତ୍ର ବାହାରେ ରାସ୍ତାଉପରକୁ କାହିଁକି ଫିଙ୍ଗିଦିଆଯାଇଛି; ସେ ପ୍ରଶ୍ନ ସୁଦ୍ଧା ପଦବାବୁ ପଚାରିଲେ ନାହିଁ । ଓଲଟି କହିଲେ... “ସାରଦାବାବୁ ମୋତେ ଦୁଇ–ଦୁଇଥର କହିସାରିଲେଣି ମେସ୍ ଛାଡ଼ି ଯିବାପାଇଁ । ମୁଁ ଯାଇନାହିଁ । ଇଏ ଠିକ୍ ହୋଇଛି ।”

 

ଦଧି କ’ଣ କହିବାକୁ ଯାଉଥିଲା ପରା, କହିପାରିଲା ନାହିଁ । ତା’ର କଣ୍ଠନଳୀରେ ଘଣ୍ଟିକାଟା କେବଳ ତଳ ଉପର କେଇଥର ନାଚିଲା । ତାକୁ ଲାଗୁଥିଲା, ଅପରାଧୀ ପରି ।

 

ପଦବାବୁ ସ୍ୱର୍ଗତୋକ୍ତି କରିବା ପରି କହିଲେ... “ଠିକ୍ ଅଛି ।”

 

ମୁଁ ପଚାରିଲି... “ରିକ୍‌ସା ଗୋଟାଏ ଡାକିଆଣେ ।”

 

ପଦବାବୁ କହିଲେ–“ରିକ୍‌ସା କ’ଣ ହେବ ?” ତାପରେ ଟ୍ରଙ୍କ୍‌ଟାକୁ ମୁଣ୍ଡାଇ, ହେଁସ ଖଣ୍ଡକ କାଖତଳେ ଜାକିଲେ । ଇଟାଖଣ୍ଡ ସୁଦ୍ଧା ଛାଡ଼ିଲେ ନାହିଁ । ଅରଟଟା କ’ଣ କରିବେ, ସେ ବୋଧହୁଏ ଚିନ୍ତା କରୁଥିଲେ ।

 

ଅରଟଟା ସାଇକଲ ହାଣ୍ଡଲ୍ ବାର୍‌ରେ ଝୁଲାଇ ମୁଁ କହିଲି... “ଚାଲନ୍ତୁ, ଏଇଟାକୁ ମୁଁ ସମ୍ଭାଳିବି ?”

 

ପଦବାବୁ ମୋ ଆଡ଼େ ବିସ୍ମିତ ଦୃଷ୍ଟିରେ ଚାହିଁଲେ । ତାପରେ କଦଳୀ ଭଣ୍ଡା ପରି ମୋଟ ମୋଟ ପାଦଭଣ୍ଡା ଆଗକୁ ବଢ଼ାଇ, ଟ୍ରଙ୍କ୍‌ ମୁଣ୍ଡାଇ, ହେଁସ ଖଣ୍ଡେ କାଖରେ ଜାକି, ସେ ଚାଲିଲେ ଆଗକୁ ଆଗକୁ । କୁଆଡ଼େ ଚାଲିଛନ୍ତି, ମୋତେ କହିଲେ ନାହିଁ । ମୁଁ ତାଙ୍କ ପଛେପଛେ ସାଇକେଲ୍ ହାଣ୍ଡଲବାର୍‌ରେ ଅରଟ ଓହଳାଇ ଚାଲିଲି । ସିଝୁବାଡ଼ ପାଖରେ ସେଇ ବତୀଖୁଣ୍ଟଟା ଆମକୁ ଯେପରି ବିଦାୟ ଦେଉଥିଲା, ଅଣ୍ଟା ନୁଆଁଇ ! ମୋର ଜୀବନରେ କିନ୍ତୁ ସେଇ ମୁହୂର୍ତ୍ତରେ ହଠାତ୍ କି ଗୋଟିଏ ବିରାଟ ପରିବର୍ତ୍ତନ, କାହା ଇଙ୍ଗିତରେ, ଘଟିଗଲା, ବୁଝିପାରୁନଥିଲି । କିନ୍ତୁ ଅନୁଭବ କରୁଥିଲି ଠିକ୍ ।

 

ଏଇଟା କୋଉ ବଜାରର କୋଉ ଗଳି, ଠିକ୍ ଧରିପାରୁନଥିଲି । ମୁଁ ପ୍ରଥମେ ପ୍ରଥମେ ସହରକୁ ଆସିବା ବେଳେ, ଦଧି ମୋତେ ବିଜ୍ଞଜନସୁଲଭ କଣ୍ଠରେ କହୁଥିଲା... “ଜାଇଁଲେ, ଏଠି ବାଉନବଜାର ତେପନ ଗଳି !” ତା’ର ଭୂଗୋଳ ଅନୁସନ୍ଧାନ କରିବା, ଏ ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ସେଇ ତେପନ ଗଳିଭିତରୁ, ଇଏ ଗୋଟାଏ ହୋଇଥିବ ବୋଧହୁଏ । ଅଣଓସାର । ହାତଟଣା ରିକ୍‌ସାଟାଏ ଯିବା ସୁଦ୍ଧା କଷ୍ଟ । ଏଠି ମଧ୍ୟ ସିଝୁବାଡ଼ଘେରା ଗୋଟାଏ ହତାଭିତରେ ଧାଡ଼ିଏ ଶିଉଳିବସା ପୁରୁଣା କୋଠାଘର । କାନ୍ଥରୁ ପଲସ୍ତରା ଖସି, ଯୋଉଠି ମଣିଷ ଖପୁରି ଦାନ୍ତ ଦେଖାଇବା ଭଳି, ଲୁଣୀଧରା ଇଟା ସବୁ ଦେଖାଯାଉଛି, ସେଠି ଓସ୍ତଚାରା ସବୁ କୁଆଁ ମେଲାଇଲାଣି-। ଓସ୍ତ ଗଛ ସବୁ ଭଙ୍ଗା କୋଠା ଘରମାନଙ୍କ କାନ୍ଥରେ ଉଠେ କାହିଁକି, କେଜାଣି ? ଇଏ ଗୋଟାଏ ରହସ୍ୟ । ପଦବାବୁ ଟ୍ରଙ୍କ୍ ମୁଣ୍ଡେଇ ସେଇ ହତା ଭିତରକୁ ପଶିଲେ । ଇଏ ବୋଧହୁଏ ଗାନ୍ଧୀ ମଠ-। ହଁ । ସେଇଆ ମନେହେଉଛି । ଛାତ ଉପରେ ଉଡ଼ୁଚି ଗୋଟାଏ ତ୍ରିରଙ୍ଗୀ ପତାକା ।

 

ମୁହଁସଞ୍ଜବେଳ । ପିଣ୍ଡାରେ ଖଣ୍ଡେ ଖଜୁରିପିଞ୍ଚ ଚଟେଇ ବିଛେଇ, ତା’ ଉପରେ ବସିଛନ୍ତି, ଚାରି ପାଞ୍ଚଜଣ କିଏ । ଦେହ ଫୁଙ୍ଗୁଳା । ଲଣ୍ଠନର ଅଧା ଆଲୁଅ ଅଧା ଛାଇରେ ସେମାନେ ଅରଟରେ ସୂତା କାଟୁଚନ୍ତି । ପଦବାବୁ ମୁଣ୍ଡରୁ ଟ୍ରଙ୍କ୍, ଇଟା, କାଖରୁ ହେଁସ ଓହ୍ଲାଇ, ପିଣ୍ଡାଉପରେ ରଖିଲେ । ଅରଟଚଲାଳିମାନେ ନୀରବ । କେହି ତାଙ୍କୁ ଆସନ୍ତୁ ପଦବାବୁ, ସୁଦ୍ଧା କହିଲେ ନାହିଁ । ସେମାନେ ତ ଅରଟ କାଟୁନାହାନ୍ତି; ଯେମିତି ଆଖିବୁଜି ଧ୍ୟାନରେ ବସିଚନ୍ତି । ପଦବାବୁ ମୋ ସାଇକେଲ୍‌ରୁ ଅରଟଟା ଓହ୍ଲାଇନେଇ, ସେମାନଙ୍କ ସାଙ୍ଗରେ ବସିପଡ଼ିଲେ । ଧନ୍ୟବାଦ ବୋଲି ସୁଦ୍ଧା ମୋତେ କହିଲେ ନାହିଁ; କି ଏଥର ଯାଅ ବୋଲି ସୁଦ୍ଧା ନୁହେଁ ! ମୁଁ ଅନ୍ଧାର ପଡ଼ିଆରେ ଖଣ୍ଡେ ସିଗ୍ରେଟ୍‌ରେ ନିଆଁ ଧରାଇ ଏପାଖ ସେପାଖ ବୁଲିଲି । ପାଦ ଅସ୍ଥିର, ମନ ଅସ୍ଥିର ।

 

କେତେବେଳେ ପରେ ସେମାନଙ୍କର ସୁତାକଟାପର୍ବ ସରିଲା । ତା’ପରେ ଜଣେ ଲଣ୍ଠନଟାକୁ ତେଜିଦେଇ, ଖଣ୍ଡେ ବହି ପଦବାବୁଙ୍କ ହାତକୁ ବଢ଼ାଇଦେଇ କହିଲେ... “ପଦ ତ ଆସିଲେଣି । ଆଜି ଗୀତା ପାଠ ସେଇ କରନ୍ତୁ ।”

 

ଜଣେ କହିଲେ... “ଚତୁର୍ଦ୍ଦଶ ଅଧ୍ୟାୟ ପଢ଼ ।”

 

ସେମାନଙ୍କ ଭିତରୁ ମୁରବି ପରି ଦିଶୁଥିବା ଜଣକ କହିଲେ... “ନାଁ, ଆଜି ପଢ଼ାଯିବ ଦ୍ଵିତୀୟ ଅଧ୍ୟାୟ । ସେଇ ଶ୍ଳୋକଟା ପଢ଼ ତ ପଦ ।”

 

ପଦବାବୁ ପୃଷ୍ଠା ଓଲଟାଇ ସେଇ ଶ୍ଳୋକଟା ଆବୃତ୍ତି କଲେ...

 

“କ୍ଳୈବ୍ୟଂ ମାସ୍ପ ଗମଃ ପାର୍ଥ ନୈତତ୍ ତ୍ୟଯ୍ୟୁପଦ୍ୟତେ

କ୍ଷୁଦ୍ରଂ ହୃଦୟଂଦୌର୍ବଲ୍ୟଂ ତ୍ୟଲ୍ୟକ୍ତୋତ୍ତିଷ୍ଠ ପରନ୍ତପ ।”

 

ବୁଝାଇଲେ “ହେ ଅର୍ଜୁନ; କ୍ଲିବତ୍ଵ ଆଶ୍ରୟ କରନାହିଁ । ଏପରି କାପୁରୁଷତା ତୁମଠାରେ ଶୋଭାପାଏ ନାହିଁ । ହେ ଶତ୍ରୁତାପନ ହୃଦୟର ଏଇ ତୁଚ୍ଛ ଦୁର୍ବଳତା ତ୍ୟାଗ କରି, ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ ।”

 

ପଦବାବୁ ଶ୍ଲୋକର ଅର୍ଥ ବୁଝାଇବା ପ୍ରୟୋଜନ ନଥିଲା । ସେମାନେ ସମସ୍ତେ ଏହାର ଅର୍ଥ ବୁଝିଛନ୍ତି । ତାପରେ ମିଳିତ କଣ୍ଠରେ ସମସ୍ତେ ସେଇ ଶ୍ଲୋକଟା କେବଳ ଆବୃତ୍ତି କରିଚାଲିଲେ... କ୍ଷୁଦ୍ରଂ ହୃଦୟଦୌର୍ବଲ୍ୟଂ ତ୍ୟକ୍ତୋତ୍ତିଷ୍ଠ ପରନ୍ତପ ।

 

ଏମାନେ ସୂତାକାଟି କି ଯୁଦ୍ଧ କରିବେ ? ମୋ ମୁଣ୍ଡରେ କିଛି ପଶିଲା ନାହିଁ ।

 

ବାପା ସବୁଦିନେ ଗାଧୋଇସାରି, ତୁଳସୀ ଚଉରାରେ ପାଣି ଇଡ଼ି, ସ୍ୱାହା ସ୍ଵାହା କରିବା ପରି କ’ଣ ଗୀତା ପଢ଼ନ୍ତି । ସେତେବେଳେ ମୁଁ ଅଝଟ ହେଲେ, କି ଇସ୍କୁଲ ଯିବିନାହିଁ ବୋଲି କାନ୍ଦିଲେ, ବୋଉ ମତେ ଡରାଇଦିଏ, ବାପା ଗୀତା ପଢ଼ୁଚନ୍ତି । ରାଗିବେ । ଅଧୁନା ବୋମା–ହାକିମ ସାରଦା ବାବୁ ବି ଗୀତା ପଢ଼ନ୍ତି । ଗୀତା ବୋଧହୁଏ ଠାକୁର ଠାକୁରାଣୀଙ୍କ କଥା । ସେଥିପାଇଁ ମୁଁ କେବେ ଗୀତା ପ୍ରତି ଆକୃଷ୍ଟ ହୋଇନଥିଲି । କିନ୍ତୁ ସେଥିରେ ଏମିତି କଥା ସବୁ ଲେଖାଅଛି, ଏମିତି କ୍ଷୁଦ୍ର ହୃଦୟଦୌର୍ବଲ୍ୟ ତ୍ୟାଗ କରିବାପାଇଁ ଆହ୍ଵାନ ଦିଆଯାଇଛି, ଏକଥା ତ ଜାଣିନଥିଲି ! ବିଶେଷତଃ ବାପା ଓ ବୋମା–ହାକିମ, ମୋର ଲୋକାଲ୍ ଗାର୍ଜନ୍, ସବୁଦିନେ ଗୀତା ପଢ଼ୁଥିବାରୁ, ଗୀତା ପ୍ରତି ମୋର ଗୋଟାଏ ବିତୃଷ୍ଣା ଜାତ ହୋଇଥିଲା । ଆଜି କିନ୍ତୁ ମୁଁ ଶୁଣୁଥିଲି, ଗୀତାର ପ୍ରଥମ ଉଦାତ୍ତ ଉଚ୍ଚାରଣ । ମୋର ପ୍ରତି ରକ୍ତକଣା ଯେପରି ସଂଜୀବିତ ହୋଇଉଠୁଥିଲା–ଯଦିବା ମୁଁ ତା’ର ବିନ୍ଦୁ ବିସର୍ଗ ବୁଝିପାରୁନଥିଲି !

 

ଜୟମଙ୍ଗଳା ମେସ୍‍ର ବାତାବରଣ ଭିତରକୁ ଫେରିବାର ପ୍ରବୃତ୍ତି ନଥିଲା । ସେଠି ହୀନ କ୍ଲୀବତ୍ଵ । ଦଧିର ପାନରସବୋଳା କଳା ପୋକଖିଆ ଦାନ୍ତ, ଶାବରବାବୁଙ୍କ ବୋମା ହାକିମି । ଅତସୀବାବୁଙ୍କର ଖିକ୍ ଖିକ୍ ହସ–ହିକ୍‌କା ବି ହୋଇପାରେ–ମୋତେ ବିତୃଷ୍ଣ କରିଦେଇଥିଲା । ପଦବାବୁ କହିଥିଲେ, ସେଇଠି ଗାନ୍ଧୀ–ମଠରେ ରହିଯାଇଥାଆନ୍ତି । କିନ୍ତୁ ସେମାନେ କେହି ମୋତେ ପଚାରିଲେ ନାହିଁ । ସେମାନଙ୍କ ଦୃଷ୍ଟିରେ ମୁଁ ଭିନେ ମଣିଷ ।

 

ଅନିର୍ଦ୍ଦିଷ୍ଟ ଅନିଶ୍ଚିତ ଭାବରେ ଆସିଲି ପ୍ରଭାତୀ ମେସ୍‍ଆଡ଼େ । ଗୋଲଖ ଥାଏ ଯଦି ! ଗୋଲଖ କହୁଥିଲା, ଏଥର ମାଟ୍ରିକ ପାସ୍ କରିବ ବୋଲି ସେ ଧଣ୍ଡାପ୍ରସାଦ ଛୁଇଁ ଶପଥ କରିଚି । ନଇଲେ ବାପା କହିଚନ୍ତି, ଆଉ ଏ ଦୁଆର ମାଡ଼ିବୁ ନାହିଁ । ଟଙ୍କା ବି ବନ୍ଦ । ଗୋଲଖ ତେଣୁ ଆଜିକାଲି ପାଠ ପଢ଼ାରେ ମନଦେଇଚି । ତଥାପି ଦିନେଦିନେ ମଠକୁ ଯିବାପାଇଁ ପଡ଼ୁଛି !

 

... “ରେକି, ଖାଦେ ଲାଥିନ !”

 

ଗୋଲଖ ମୋତେ ହଠାତ ଦେଖି, ଆମର ସେଇ ସାନ୍ଧ୍ୟଭାଷାରେ ମତେ ପଚାରିଲା ।

 

କିନ୍ତୁ ସାନ୍ଧ୍ୟଭାଷାରେ ତାକୁ ଉତ୍ତର ଦେବାର ଚଟୁଳତା ଆଉ ନଥିଲା । ଏ ମହାଯୁଦ୍ଧ ମୋତେ ବୟସରେ ହଠାତ କେତେବର୍ଷ ଆଗେଇନେଇଥିଲା କେଜାଣି ? ମୁଁ କହିଲି... “ଆ, ବୁଲିଆସିବା ।” କଣ୍ଠମୋର ଅସ୍ଵାଭାବିକ ଭାବରେ ଭାରାକ୍ରାନ୍ତ, ଚେହେରା ମଧ୍ୟ ବୋଧହୁଏ ଗମ୍ଭୀର, ସୁବିନ୍ୟସ୍ତ ଭାବରେ ଅବିନ୍ୟସ୍ତ ପ୍ରଗ୍‌ଲଭତା ନାହିଁ ମୋର ଏମିତି ଚେହେରା ଗୋଲଖ ଇତିପୂର୍ବରୁ ବୋଧହୁଏ ଦେଖିନଥିଲା । ସେ ଚିନ୍ତିତ କଣ୍ଠରେ ପଚାରିଲା... “ତୋର କ’ଣ ହେଇଚିକିରେ ? ପୁଣି ପ୍ରେମରେ ପଡ଼ିଚୁ ? ନାଁ ମେସ୍‌ ବନ୍ଦ୍‌ ?”

 

ମୁଁ କହିଲି... “ତୁ ଆନା ! ବାହାରେ କହିବି । ଭିତରେ ମୋର ନିଶ୍ଵାସ ରୁନ୍ଧ ହୋଇଯାଉଛି ।”

 

ଗୋଲଖର ଅନିଚ୍ଛା ! ସେ କହିଲା... “ଟେଷ୍ଟ ପରୀକ୍ଷା ଆଉ ଦୁଇମାସ ପରେ । ଏପର୍ଯ୍ୟନ୍ତ ଥରେ ରିଭିଜନ ସୁଦ୍ଧା ସରିଲା ନାହିଁ ।

 

ମୁଁ ଚାଲିଆସୁଥିଲି, ଗୋଲଖ ହଠାତ୍ ଉଠିପଡ଼ି କହିଲା... “ରହ, ମୁଁ ବି ଆସୁଚି । ବାହାରୁ ଟିକିଏ ବୁଲିଆସିଲେ, ମୁଣ୍ଡ ହାଲୁକା ଲାଗିବ ।”

 

ଅନ୍ୟଦିନ ମାନଙ୍କରେ ଆମେ ସାଧାରଣତଃ ନଈକୂଳକୁ ଯାଉ, ପଥର ବନ୍ଧଉପରେ ଚିତ୍‌ ହୋଇ ଶୋଉ । କେବେ ଦେଖୁ ବଉଦ ଉହାଡ଼ରେ ଜହ୍ନର ଲୁଚକାଳି ଖେଳ, ଆଉ କେବେ ଅନ୍ଧାର କେବେ ଅନ୍ଧାର ଆକାଶରେ ଝିଲିମିଲି ତାରା । ଚୁପଚାପ୍ ସିଗାରେଟ ଟାଣୁ । ଟ୍ରେଜେରୀ ଘଣ୍ଟା ଆମକୁ ରାତି ଚେତାଇଦେଲେ, ଫେରୁ ।

 

ଆଜି କିନ୍ତୁ ନଇକୂଳ ଆଡ଼େ ଯିବାପାଇଁ ମୋର ଆଗ୍ରହନଥିଲା । ମୁଁ ସାଇକେଲ ବୁଲାଇଦେଲି ପାର୍କ ଆଡ଼େ । ...“ଆଜି ଚାଲ ଯିବା ପାର୍କ !”

 

“ଦାମନନା ହୋଟେଲରେ ମୋର ବାକି ଗଡ଼ୁଚି !”

 

“ଆରେ ନାଁ; ମହାଯୁଦ୍ଧର ଏ ଅନ୍ଧାର ଭିତରେ କିଏ କାହାକୁ ଦେଖୁଚି ?” ...ଗଳିମାନଙ୍କରେ କିରୋସିନ୍‌ ବତୀଖୁଣ୍ଟସବୁ ତ ଛୁଟି ନେଇଛନ୍ତି । ରାସ୍ତାରେ ଇଲେକ୍‌ଟ୍ରିକ ବତୀ ସବୁ ଏ. ଆର. ପି ଢାଙ୍କୁଣି ଭିତରେ, ଆଲୁଅ ଅପେକ୍ଷା ଛାଇ ସୃଷ୍ଟି କରୁଛନ୍ତି ବେଶୀ ! ଦାମନନା କୋଉ ତୋତେ ଦେଖିପକାଇବ ?

 

ପାର୍କରେ କେହିନାହାନ୍ତି । ବେଞ୍ଚ ସବୁ ଶୂନଶାନ୍‌ । ମହାଯୁଦ୍ଧର କୋକୁଆ । ମୋର ପ୍ରୟୋଜନ ଥିଲା, ଏଇପରି ପରିବେଶ; ଅଡ଼ୁଆ ଚିନ୍ତାଖିଅ ସବୁ ଏକାଠି ଗଣ୍ଠିପକାଇବା ପାଇଁ ।

 

ଘାସଉପରେ ଶୋଇ, ମୁଁ ଖଣ୍ଡେ ସିଗ୍ରେଟରେ ନିଆଁ ଲଗାଇଲି । ଗୋଲଖ ବି ଘାସଉପରେ ଚାରିକାତ ମେଲି, ଗୁଣୁଗୁଣୁ ହୋଇ ଗୀତ ବୋଲିଲା । ମୋଆଡ଼ୁ କୌଣସି ଉପକ୍ରମ ଲକ୍ଷ୍ୟ ନକରି ପଚାରିଲା... “ପୁଣି ପ୍ରେମରେ ପଡ଼ିଲୁ କିରେ ?”

 

ମୁଁ ଉତ୍ତର ଦେଲି... “ପ୍ରେମ ଥାଏ କବିତାରେ, ଶସ୍ତା ଉପନ୍ୟାସରେ, ଜୀବନରେ ନଥାଏ-! ଯାହା ଥାଏ, ସିଏ ମୁହୂର୍ତ୍ତକର ଉତ୍ତେଜନା !”

 

ଗୋଲଖ କହିଲା... “ତାହେଲେ, କଥା କ’ଣ ? ବାପା ଟଙ୍କା ବନ୍ଦ କରିଦେଲେ କିରେ ? ସବୁ ବାପାଙ୍କର ଦେଖୁଚି ଏକ ମିଞ୍ଜାସ ?”

 

“ଜାଣିଚୁ ଗୋଟାଏ ଯୁଦ୍ଧ ଘନେଇଆସୁଚି !”

 

“ଯୁଦ୍ଧ କ’ଣ ? ଇଏ ତ ମହାଯୁଦ୍ଧ !” ...ଗୋଲଖ ମୋତେ ସଂଶୋଧନ କରିଦେବା ପରି କଣ୍ଠରେ କହିଲା ।

 

ମୁଁ ଉତ୍ତରଦେଲି... “ମହାଯୁଦ୍ଧ–ଦୁଇଟା ସାମ୍ରାଜ୍ୟବାଦୀ ଶକ୍ତିଭିତରେ, ବଳ କଷାକଷି । କିନ୍ତୁ ଏ ଯୁଦ୍ଧ ଭାରତର ସ୍ଵାଧୀନତା ପାଇଁ !”

 

ଇଏସବୁ ମୋ କଣ୍ଠରେ ନୂଆ ଉଚ୍ଚାରଣ–ଗୋଲଖ ଶୁଣୁଥିଲା, ପ୍ରଥମଥର ପାଇଁ ।

 

“ତୁ ଗାନ୍ଧୀବାଲା ହେଲୁଣିକିରେ ?”

 

“ଏ ପର୍ଯ୍ୟନ୍ତ ହୋଇନଥିଲି । ଆଜିଠୁ ହେଲି ।”

 

ଗୋଲଖ ମୋ କଥା ବୁଝିପାରିଲା ନାହିଁ । ଘାସଉପରେ ଉଠିବସି ପଚାରିଲା... “କିରେ କଥା କ’ଣ ?”

 

ମୁଁ କହିଲି... “ଶାରଦାବାବୁ ପଦବାବୁଙ୍କୁ ଆଜି ମେସ୍‌ରୁ ତଡ଼ିଦେଲେ, ଅପମାନ ଦେଇ ! ତାଙ୍କ ଜିନିଷପତ୍ର ବାହାରକୁ ଫିଙ୍ଗିଦେବା ଅପମାନ ନୁହେଁ ତ ଆଉ କ’ଣ ?”

 

ଆଦ୍ୟୋପ୍ରାନ୍ତ ବର୍ଣ୍ଣନା କରି ଗଲି ଆଜି ଦିନର ଘଟଣା । ଗୋଲଖ କହିଲା... “କ’ଣ ହେଲା ସେଇଠୁ ? ସାରଦାବାବୁ ଯାହା କଲେ ନିଜ ସ୍ୱାର୍ଥ ଦୃଷ୍ଟିରୁ ! ପ୍ରକୃତରେ ସିଏ ଯେତେବେଳେ ହାକିମ ହୋଇଛନ୍ତି, ଜଣେ ଗାନ୍ଧୀବାଲାଙ୍କୁ ତାଙ୍କ ମେସରେ ଜାଗା ଦିଅନ୍ତେ କିପରି ?

 

ମୁଁ ଚିତ୍କାର କରିଉଠିଲି... “ଗୋରା ସରକାର, ଆଉ ତା’ର ଏଇ ଦେଶୀ ହାକିମଙ୍କ ଦୁଇପଟ ଚକି ଭିତରେ, ଆମ ଭାରତୀୟ ଅପମାନିତ ହେଉଚୁ ! ଆଜି ଏଇପରି ଏ ଦୁଇପଟ ଚକିକୁ ଉଠାଇ ଟେକି ଫିଙ୍ଗିଦବାକୁ ପଡ଼ିବ ।–ମୋ ଆଖିରେ ବୋମା ହାକିମ ସାରଦା ବାବୁ ଆଉ ପଦବାବୁ ହୋଇ ଉଠିଥିଲେ, ଯଥାକ୍ରମେ ସାମ୍ରାଜ୍ୟବାଦୀ ଗୋଲାମି ଆଉ ଅତ୍ୟାଚାରିତ, ଅପମାନିତ ଭାରତର ପ୍ରତୀକ ! ମୋର ମନେପଡ଼ୁଥିଲା, ଗାନ୍ଧୀମଠରେ ପଦବାବୁଙ୍କ କଣ୍ଠରେ ସେଇ ଉଦାତ୍ତ ଉଚ୍ଚାରଣ–“କ୍ଷୁଦ୍ରଂ ହୃଦୟଦୌର୍ବଲ୍ୟଂ ତ୍ୟକ୍ତୋତ୍ତିଷ୍ଠ ପରନ୍ତପ ।” ଗୀତାର ଏ ଶ୍ଳୋକ ସବୁ ମୁଖସ୍ଥ କରିବାପାଇଁ ପଡ଼ିବ । ଗୀତା ବୋଧହୁଏ ଲେଖାହୋଇଥିଲା, ଭାରତ ଇତିହାସର ଏଇପରି ଏକ ସଙ୍କଟ ବେଳେ ।

 

ଟ୍ରେଜେରୀ ଘଣ୍ଟା ଶୁଭିଛି...ଦଶଟା ବାଜିଲା । କିନ୍ତୁ ପ୍ରକୃତରେ ବାଜେ ଏଗାରଟା । ଏ ଶେଷ ପ୍ରହରଟା କାହିଁକି ? ପୂର୍ଣ୍ଣଚ୍ଛେଦ । ତାପରେ ଆଉ ଗୋଟାଏ ଘଣ୍ଟା–ଆଉ ଗୋଟାଏ ଆଧ୍ୟାୟର ଆରମ୍ଭ !

 

ଗୋଲଖ ଉଠିଲା । ମୁଁ ଉଠିଲି ।

 

ପ୍ରଭାତୀ ମେସ୍ ପାଖରେ ଗୋଲଖକୁ ଛାଡ଼ିଦେଇ, ବୁଲିବୁଲି ରାତି ଏଗାରଟା ପାଖାପାଖି, ଜୟ–ମଙ୍ଗଳା ମେସ୍‌କୁ ଫେରିଲି । ଦଧି ଦରଜା ଫିଟାଇବ ନାହିଁ, ଜାଣେ । ଆଜି କିନ୍ତୁ ପାଚେରି ଡେଇଁବି ନାହିଁ । ଦରଜାରେ ମାରିବ ଧକ୍‌କା ପରେ ଧକ୍‌କା, ଯେମିତି ସାଇବାଲା ଉଠିବେ-। ତା’ପରେ ଇଟାପଥର ଫିଙ୍ଗିବି ମେସ୍ ଭିତରକୁ । ବୋମା ହାକିମ ସାରଦାବାବୁଙ୍କ ସାଙ୍ଗରେ, କଣ୍ଟା ବାଡ଼ରେ ଲୁଗାପକାଇ ଝଗଡ଼ା କଲାପରି ଝଗଡ଼ା କରିବା ପାଇଁ, ମୁଁ ମନେମନେ ତିଆର-। ସିଏ ମୋତେ ଲୋକାଲ ଗାର୍ଜନର ଧମକ ଦେଲେ, ମୁଁ ତାଙ୍କୁ ଉତ୍ତରଦେବି... ସେଇ ମୋର ଲଜ୍ଜ୍ୟା, ମୋର ଅପମାନ ! ତମେ ଗୋଟିଏ ଗୋଲାମ୍ ! ତମର ବିବେକ ବୁଦ୍ଧି ନାହିଁ । ତମର ସବୁ ହାକିମି ଦଧି ଆଉ ପଦବାବୁଙ୍କ ଉପରେ । ପଦବାବୁଙ୍କୁ ଏମିତି ଅପମାନ ଦେଇ ମେସ୍‌ରୁ ତଡ଼ିଦେଲ କାହିଁକି-?

 

କିନ୍ତୁ ସେ ସବୁ କିଛି ହେଲା ନାହିଁ । ମେସ୍ ଦରଜା, ଦର ଆଉଜା । ସାଇକେଲ୍ ଉଠାଇ ମୁଁ ମେସ୍ ଭିତରକୁ ଆସିଲି । ଦଧି ରୋଷେଇଘର ପିଣ୍ଡାରେ ଶୋଇଥିଲା, ଘାଘଡ଼ା ଗଳାରେ କହିଲା... “ତମ ଖାଇବା, ତମ ରୁମ୍‌ରେ ଥାଳି ଘୋଡ଼େଇ ରଖିଦେଇଚି !” ସାରଦାବାବୁଙ୍କ ରୁମ୍ ଚୁପଚାପ ! ତାଙ୍କର ଖଣ୍ଡିକାଶ ସୁଦ୍ଧା ଶୁଭିଲା ନାହିଁ ।

 

ସକାଳୁ ମୁଣ୍ଡକୁ ହଠାତ୍ ଯେମିତି ରକ୍ତ ଚଢ଼ିଚି ।

 

ଖବରକାଗଜର ପ୍ରଥମ ପୃଷ୍ଠାରେ ବାହାରିଛି...ମହାତ୍ମାଗାନ୍ଧୀ ଗିରଫ୍ । ଶିବେନାମା ତଳେ ବାହାରିଛି ମହାତ୍ମାଗାନ୍ଧୀଙ୍କ ଫଟୋ...ଲଣ୍ଡି ତମୁଣ୍ଡ, ବୌଦ୍ଧ ଭିକ୍ଷୁ ଚେହେରା, ଓଠରେ ଶିଶୁସୁଲଭ, ରହସ୍ୟମୟ ହସ । ଗୋଲ ଚଷମା ଉହାଡ଼ରେ ଆଖିଦୁଇଟିର ଦୃଷ୍ଟି ଶାନ୍ତ, ସେଥିରେ ଅତଳ ଗଭୀରତା । ଆଶ୍ଚର୍ଯ୍ୟ ଏତେଦିନ ମୁଁ କେବେ ଏପରି ନିବିଡ଼ ଭାବରେ ମହାତ୍ମାଗାନ୍ଧୀଙ୍କ ! ଫଟୋ ଦେଖିନଥିଲି ! କିମ୍ବା ଦେଖିବା ପାଇଁ ଚେଷ୍ଟା କରିନଥିଲି । ସେ କ’ଣ କହୁଛନ୍ତି, ତାଙ୍କର ବକ୍ତବ୍ୟ କ’ଣ–ମୁଁ ବି ଠିକ୍ ଜାଣେନାଁ । ଦୁଇହାତ ଯୋଡ଼ି, ଦେଶବାସୀଙ୍କୁ କେବଳ ନମସ୍କାର ଜଣାଉଛନ୍ତି । ଏଇ ନିରୀହ ଲୋକଟିକୁ କାହିଁକି ଗିରଫ କରାଗଲା, କେଉଁ ଅପରାଧରେ ? ବିସ୍ଫୋରଣ ଅପେକ୍ଷାରେ ଇଏ ଏକ ସୁପ୍ତ ଆଗ୍ନେୟଗିରି !

 

ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିଲା, ବିସ୍ତାରିତ ସମ୍ବାଦ । ମାତ୍ର ସେସବୁ ପଢ଼ିବାରେ ମୋର ଆଗ୍ରହ ନଥିଲା । ଆଖି ବୁଲାଇନେଇ କେବଳ ବୁଝିଲି ବମ୍ବେରେ କଂଗ୍ରେସ କାର୍ଯ୍ୟକାରୀ କମିଟିରେ, ମହାତ୍ମାଗାନ୍ଧୀ ଆହ୍ଵାନ ଦେଇଛନ୍ତି–“କର ବା ମର” “ଭାରତଛାଡ” “କ୍ଵିଟ୍–ଇଣ୍ଡିଆ” ! ଏଥିରେ କି ଉଦ୍ଦୀପନୀ ଶକ୍ତି ଥିଲା, ଜାଣେନାଇଁ ! କିନ୍ତୁ ମୋର ପ୍ରତି ରକ୍ତକଣାରେ କିଏ ଯେପରି ନିଆଁ ଲଗାଇ ଦେଇଗଲା । ପଦବାବୁ ମେସ୍‌ରୁ ତଡ଼ାଖାଇ, ମୁଣ୍ଡରେ ଟ୍ରଙ୍କ ମୁଣ୍ଡାଇ ବାହାରିବାବେଳେ, ତାଙ୍କ ଓଠରେ ମଧ୍ୟ ଦେଖିଥିଲି, ଏଇପରି ହସ ! ଗାନ୍ଧୀଙ୍କ ଓଠରେ ସେଇ ହସକୁ, ଦୁଇହାତ ଯୋଡ଼ି ନମସ୍କାରର ସେ ଭଙ୍ଗୀକୁ, ଯେତେ ଦେଖିଲେ ସୁଦ୍ଧା ମନ ମାନେ ନାହିଁ । ସେଥିରେ ଯେପରି ଉତ୍‌କୀର୍ଣ୍ଣ ରହିଛି, ଗୋଟିଏ ଚେତନା, ଗୋଟିଏ ଆହ୍ଵାନ ଭାଷା ପାଇଛି... ମୋତେ ଗିରଫ କଲ ସିନା; ଏ ଜାତିର ଜାଗ୍ରତ ଚେତନାକୁ ପାରିବ ତ ? କର ବା ମର ! ମୋତେ କିଛି ନିଶ୍ଚୟ ଗୋଟାଏ କରିବାପାଇଁ ପଡ଼ିବ ! କିନ୍ତୁ କ’ଣ କରିପାରେ ମୁଁ ? ଅସ୍ଥିର ଭାବରେ ରୁମ୍ ଭିତରେ ଏପାଖ ସେପାଖ ହୋଇ, ଖଣ୍ଡେ ସିଗ୍ରେଟ୍‌ରେ ଦିଆସିଲି ଜାଳି ନିଆଁ ଲଗାଇଲି । ପଦବାବୁଙ୍କ ରାମକୃଷ୍ଣ, ବିବେକାନନ୍ଦ, ଗାନ୍ଧୀଙ୍କ ଫଟୋ, ତାଙ୍କ ଅରଟ, ଏସବୁ ନଥିବାରୁ ରୁମ୍‌ଟା ଫାଙ୍କା ଫାଙ୍କା ଲାଗୁଥିଲା ।

 

ବୋମା ହାକିମଙ୍କ ସାଙ୍ଗରେ ଝଗଡ଼ା କରିବାପାଇଁ ଇଚ୍ଛା–କଣ୍ଟା ବାଡ଼ରେ ଲୁଗା ପକାଇ ଝଗଡ଼ା କରିବା ପରି । କିନ୍ତୁ ସାରଦାବାବୁ ଆଜି ପଦାକୁ ବାହାରୁନାହାନ୍ତି । ମୁଁ ଖଣ୍ଡେ ପଞ୍ଜାବୀ ଦେହରେ ଗଳାଇ, ସାଇକେଲ ଧରି ବାହାରକୁ ଚାଲିଆସିଲି । ଆସିବାବେଳେ ଦଧିଠାରୁ ରୋଷେଇଘରୁ ମାଗିନେଲି ତା’ର ଖଡ଼ି ଗୋଟାଳି... ଯୋଉଥିରେ ସେ ତରକି ଥିବୁ ତେରକୁର ଅଙ୍କ ବୁଝାଏ ।

 

“ଖଡ଼ି ଗୋଟାଳିଟା କ’ଣ କରିବ ମ ?”

 

“କଲେଜରେ ଦରକାର ।”

 

“କ’ଣ ନଖାଇ, କଲେଜ ବାହାରିଲଣି ?”

 

ଦଧିକୁ କୌଣସି ଉତ୍ତର ନଦେଇ ବାହାରିଆସିଲି ।

 

ଗାନ୍ଧୀ–ଗିରଫ ! ତାଙ୍କର ଆହ୍ଵାନ–କର ବା ମର । ଭାରତ–ଛାଡ଼ । ସୁପ୍ତ ଆଗ୍ନେୟଗିରିର ବିସ୍ଫୋରଣ । ଅଥଚ ଆମର ନିଦୁଆଳୀ ଗଳିରେ ତା’ର କ୍ଷୀଣ ତରଙ୍ଗ ସୁଦ୍ଧା ନାହିଁ ! ମୁଁ ପକେଟରୁ ଖଡ଼ି ଗୋଟାଳିଟା କାଢ଼ି, ମେସ୍ କବାଟ ଉପରେ ବଡ଼ ବଡ଼ ଅକ୍ଷରରେ ଲେଖିଦେଲି–କର ବା ମର; ଭାରତ–ଛାଡ଼ । ବୋମା–ହାକିମ ଦେଖନ୍ତୁ, ତାଙ୍କ ମେସର ସଦର ଦରଜା ଉପରେ ଲେଖାହୋଇଛି, ଏଇସବୁ ମାରାତ୍ମକ ଘୋଷଣା ! ଏହାକୁ ଦେଖି ସାରଦାବାବୁଙ୍କ ଅବସ୍ଥା କ’ଣ ହେବ, ମନେମନେ ଅନୁମାନ କରି, ହୋ–ହୋ ହୋଇ ପାଗଳ ପରି ହସିଉଠିଲି । ତା’ର ଭିତରେ, ମୁକ୍ତ ହୋଇଗଲା ମୋର ସବୁ ରୁଦ୍ଧ ଆବେଗ !

 

କଲେଜର ସଦର ଲୁହାଫାଟକ ଖୋଲା । କଲେଜପିଲା ଫାଟକ ସାମ୍‌ନାରେ ଠିଆ ହୋଇଚନ୍ତି ? ଗୋଟାଏ ପାଚେରି ପରି । ଅଥଚ ଆଶ୍ଚର୍ଯ୍ୟ କେହି ଫାଟକ ଡେଇଁ କଲେଜ ହତା ଭିତରକୁ ଯାଉନାହାନ୍ତି । ଦେଖଣାହାରୀମାନେ ବେଶ୍ ଦୂରଛଡ଼ାରେ ଠିଆହୋଇ, ଏ ଅଭିନବ ଦୃଶ୍ୟଟା ଯେପରି ଉପଭୋଗ କରୁଛନ୍ତି । ଲାଠିଆଳ ପୋଲିସ୍ କନେଷ୍ଟବଲ୍ ମାନେ ମଧ୍ୟ ପୋଜିସନ୍ ନେଇ ଠିଆ ହୋଇଗଲେଣି । ପାଚେରୀ କାନ୍ଥରେ ଚିତ୍କାର କରୁଛି, “କୁଇଟ୍–ଇଣ୍ଡିଅ,” “କର ବା ମର” ...ଆଲକାତରାରେ ଲେଖା ହୋଇଗଲାଣି ସ୍ଲୋଗାନ !

 

ଧର୍ମଘଟ ଆରମ୍ଭ ହୋଇଗଲା ବୋଧହୁଏ । ଜୀବନ ମିଶ୍ର, ପାଚେରୀ ଉପରେ ଠିଆହୋଇ ଗରମ୍ ଗରମ୍ କକ୍ତୃତା ଦେଉଛି । ଘନ ଘନ କରତାଳି ଭିତରେ, ତା’ର ଭାଷଣ ଦୂରରୁ ଶୁଣାଯାଉନାହିଁ । କିନ୍ତୁ ନାଟକରେ ସେନାପତି, ବୀରରସରେ ଅଙ୍ଗଭଙ୍ଗୀ କରି ସଂଳାପ କରିବା ପରି, କେତେବେଳେ ହାତମୁଠା ଉପରକୁ ଉଠାଇ, ଆଗକୁ ଛିଞ୍ଚାଡ଼ି, କପାଳ ଉପରକୁ ଝୁଙ୍କିପଡ଼ିଥିବା ବାଳ, ନାଟକୀୟ ଠାଣିରେ ଛାଣ୍ଟି ଦେଇ, ସେ ଭାଷଣ ଦେଉଛି... ଆଉ ଛାତ୍ରମାନେ ସମୁଦ୍ର ନିର୍ଘୋଷ ପରି ଗର୍ଜନ କରିଉଠୁଛନ୍ତି । ମହାତ୍ମା ଗାନ୍ଧୀଙ୍କ ଜୟ; ଇନ୍‌କିଲାବ୍ ଜିନ୍ଦାବାଦ୍ !

 

ଜଣେ ଗୋରା ସର୍ଜେଣ୍ଟ୍ ଆଟେନ୍‌ସନ୍‌ରେ ଠିଆହୋଇଛି, ଚିତ୍ରପୁତ୍ତଳୀ ପରି । ପାଖରେ ଜଣେ କଳା ହାକିମ । ସେମାନେ ଯେପରି ଏ ଦୃଶ୍ୟ, ଏ ନାଟକ ଉପଭୋଗ କରୁଛନ୍ତି । ସେମାନଙ୍କଠାରେ ସାମାନ୍ୟ ଚଞ୍ଚଳତା ସୁଦ୍ଧା ଲକ୍ଷିତ ହେଉନାହିଁ ।

 

ମୁଁ ସାଇକେଲ୍‌ରୁ ଓହ୍ଲାଇପଡ଼ି, ଛାତ୍ରମାନଙ୍କର ଭିଡ଼ ଠେଲି ଆଗକୁ ମାଡ଼ିଯାଉଥିଲି, ନଗେନ୍ କୋଉଠିଥିଲା; ପଛରୁ ଡାକିଲା... “ଏୟ ମାନା– !”

 

ନଗେନ୍ କୌଣସି ଦିନ କାଦୁଅରେ ପଶେ ନାହିଁ କି ଗୋଡ଼ ଧୁଏ ନାହିଁ । ଅଥଚ ଶୁଖିଲାରେ ବାଳିଆ ମାରେ ଠିକ୍ । ସବୁ ଲୋକଚରର୍, ସବୁ ଲେଡ଼ି ଷ୍ଟୁଡ଼େଣ୍ଟଙ୍କ ଖବର ରଖେ, କିନ୍ତୁ ବାହାରେ ନିତାନ୍ତ ସୁବୋଧ ବାଳକ ! ସିଏ, ଏ ଧର୍ମଘଟ ସପକ୍ଷରେ ନାଁ ବିପକ୍ଷରେ କିଏ କହିବ ? ଯେତେବେଳେ ଆଙ୍ଗୁଠି ଗଣନ୍ତା, କେତେଜଣଙ୍କ ପରି, କଲେଜ ଭିତରକୁ ଯାଉନାହିଁ, ଧରିନେବାକୁ ପଡ଼ିବ, ସିଏ ଧର୍ମଘଟ ସପକ୍ଷରେ । କିନ୍ତୁ ଠିଆହୋଇଛି, ବେଶ୍ ନିରାପଦ ଦୂରତ୍ଵରେ, କଲେଜ ସାମ୍‌ନା ଗୋଟିଏ ଷ୍ଟେସନାରୀ ଦୋକାନ ସାମ୍‌ନାରେ, ସାଇକଲ୍ ଧରି ।

 

ଭାଷଣ ଦେଇ ଦେଇ ଜୀବନ ମିଶ୍ରର ତଣ୍ଟି ପଡ଼ିଗଲାଣି । ଗୋରା ସର୍ଜେଣ୍ଟ୍ ନିର୍ଲିପ୍ତ ଭାବରେ କଳା ହାକିମ ସାଙ୍ଗରେ କ’ଣ କଥାବାର୍ତ୍ତା ହେଉଛି... ଇଏ ଯେପରି ନାଟକରେ ଦୁଇଟି ଅଙ୍କ ଭିତରେ ଗୋଟିଏ ବିରତି । ତାପରେ ଉଠିଲା ଅରୁଣ ମହାନ୍ତି । ଛାତ୍ରମାନଙ୍କ ଭିତରେ ଘନ ଘନ କରତାଳି ।

 

ମୁଁ ଅସହିଷ୍ଣୁ କଣ୍ଠରେ ନଗେନ୍‌କୁ କହିଲି... “ଏଠି ଠିଆହୋଇ କ’ଣ ଦେଖୁଚୁ ? ଚାଲ ଆଗକୁ !”

 

ନଗେନ୍ ଉତ୍ତର ଦେଲା... “ପୋଲିସ୍ ଲାଠିଚାର୍ଜ୍ କରିବ !”

 

ନଗେନ୍ ପ୍ରତି, ତା’ର ଭୀରୁତା ପ୍ରତି ମୋର ଦେହ ଜର୍ଜରିତ ହୋଇଉଠିଲା । ମୁଁ କହିଲି... “ମହାତ୍ମା ଗାନ୍ଧୀ ପରା କହିଛନ୍ତି, କର ବା ମର ! ଡୁ ଅର୍ ଡାଇ ! ତୁ ପୁଲିସ ଲାଠିକୁ ଡରି, ଏଠି ଲୁଚିବୁ ?”

 

ନଗେନ୍ ଖଣ୍ଡେ ସିଗ୍ରେଟ୍‌ରେ ନିଆଁ ଧରାଇ କହିଲା... “କେହି ମରିବେ ନାଇଁରେ ! ଇଏ ଗୋଟାଏ ରେଟୋରିକ୍ !”

 

ମୁଁ ବିରକ୍ତିରେ ନଗେନ୍ ପାଖରୁ ଚାଲିଆସିଲି ।

 

ଅରୁଣ ମହାନ୍ତି, ଯାହାକୁ କହନ୍ତି, ଗୋଟାଏ ଅରେଟର୍ । ସେ ନାଟକୀୟ ଠାଣିରେ କହୁଛି... “ସାଥିଗଣ, ବନ୍ଧୁଗଣ, ବ୍ରିଟିଶ ସାମ୍ରାଜ୍ୟବାଦ ଉପରେ ଆଜି ଚରମ କୁଠାରଘାତ ହାଣିବା ପାଇଁ ପଡ଼ିବ ! ମନେରଖ, ତମର ଗୋଟିଏ ଗୋଟିଏ ବିନ୍ଦୁ ରକ୍ତ ମହାସିନ୍ଧୁ ହେବ, ଯାହାର ତରଙ୍ଗାଘାତରେ ନିଶ୍ଚିହ୍ନ ହୋଇଯିବ ବ୍ରିଟିଶ ସାମ୍ରାଜ୍ୟବାଦ ! ବନ୍ଧୁଗଣ...” । ଘନ ଘନ କରତାଳି ! ମଠରେ ଦୁଇହାତ ଉପରକୁ ଉଠାଇ ସଂକୀର୍ତ୍ତନ ଭୋଳରେ ମୁଁ ନାଚିବା ପରି, ଅରୁଣ ମହାନ୍ତିର ଭାଷଣରେ ଉତ୍ତେଜନାରେ ଗୋଟାଏ କୁଦା ମାରି ଚିତ୍କାର କରିଉଠିଲି...

 

“ମହାତ୍ମା ଗାନ୍ଧୀ କି ଜୟ !”

 

ଆଶ୍ଚର୍ଯ୍ୟ ! ସମସ୍ତେ ମିଳିତ କଣ୍ଠରେ ଘୋଷା ଫେରାଇଲେ–ମହାତ୍ମା ଗାନ୍ଧୀ କି ଜୟ ! ଅରୁଣ ମହାନ୍ତିର ଭାଷଣ ବୁଡ଼ିଗଲା, ସେଇ ନିର୍ଘୋଷ ଭିତରେ ।

 

ଅରୁଣ ମହାନ୍ତିର ବି ତଣ୍ଟି ପଡ଼ିଗଲା । ପାଚେରୀ ଉପରକୁ ଏଥର ଉଠିଲା ନିଖିଳ ଦାସ-

 

ପୋଲିସ୍ ସର୍ଜେଣ୍ଟ୍ ସେମିତି ଠିଆହୋଇଛି, ନାଟକ ଦେଖିବା ପରି; ତା’ର କୌଣସି ଚଞ୍ଚଳତା, କୌଣସି ଅସ୍ଥିରତା ନାହିଁ । ଲାଠିଆଳ ପୋଲିସ କନେଷ୍ଟବଳ ମାନେ ମଧ୍ୟ ଠିଆହୋଇଛନ୍ତି, ଚିତ୍ରପୁତ୍ତଳୀ ପରି !

 

ହଠାତ୍ ମୁହୂର୍ତ୍ତକ ଭିତରେ କ’ଣ ଘଟିଗଲା; ବୁଝିପାରିଲି ନାହିଁ । ଦଳେ ପିଲା ଭୁଷୁଭୁଷୁ ହୋଇ ପଶିଗଲେ କଲେଜ କମ୍ପାଉଣ୍ଡ ଭିତରକୁ । ପଦବାବୁ କଲେଜ ପଛଆଡ଼ୁ ଖଣ୍ଡେ ମୋଟା ବାଉଁଶରେ ଗୋଟାଏ ତ୍ରିରଙ୍ଗୀ ଝଣ୍ଡା କାନ୍ଧେଇ, ଆସୁଚନ୍ତି ଟେନିସ୍‌କୋର୍ଟ ଆଡ଼େ ! ବ୍ୟାପାର କ’ଣ-? ଏହାଭିତରେ ସେଇ ବାଉଁଶ ପୋତିବା ପାଇଁ ଗୋଟାଏ ଗାତ କେତେବେଳେ ଖୋଳା ହୋଇଗଲାଣି ! ଫାଟକ ଆଗରେ ମଣିଷ ପାଚେରି ପତଳା ପଡ଼ିଆସିଲାଣି । ନିଖିଳ ଦାସର ଭାଷଣ ବନ୍ଦ ! ପିଲାମାନେ ସମସ୍ତେ ଟେନିସ୍ କୋର୍ଟ୍‌ରେ ।

 

ଗୋରା ସର୍ଜେଣ୍ଟ ଗୋଟାଏ ହୁଇସିଲ୍ ମାରିଲା ।

ପଦବାବୁ ସେତେବେଳକୁ ଟେନିସ୍‌କୋର୍ଟ୍‌‌ରେ ପତାକା ଉଡ଼ାଇ ସାରିଲେଣି । ପୁଲିସ୍ କନେଷ୍ଟବଲ୍ ମାନେ ଘେରିଗଲେଣି ଟେନିସ୍‌ କୋର୍ଟକୁ ।

ପଦବାବୁ ଶାନ୍ତ କଣ୍ଠରେ ଧ୍ଵନି ଦେଉଛନ୍ତି... “ବନ୍ଦେ ମାତରମ୍ !”

ଶହ ଶହ କଣ୍ଠରେ ତା’ର ପ୍ରତିଧ୍ଵନି... “ବନ୍ଦେ ମାତରମ୍ !”

ତା’ପରେ ପୋଲିସ ଆଉ ଛାତ୍ରମାନଙ୍କ ଭିତରେ ଚାଲିଲା ଧସ୍ତାଧସ୍ତି, ତ୍ରିରଙ୍ଗୀ ଝଣ୍ଡାକୁ ଘେରି । ପୋଲିସ୍‌ର ପ୍ରଚେଷ୍ଟା ତ୍ରିରଙ୍ଗୀଝଣ୍ଡାକୁ ଓପାଡ଼ି ଫିଙ୍ଗିଦେବା ପାଇଁ–ଛାତ୍ରମାନଙ୍କର ତା’ର ମିଳିତ ପ୍ରତିରୋଧ । ତାରି ଭିତରେ ପଦବାବୁଙ୍କ କଣ୍ଠରେ...ବନ୍ଦେ ମାତରମ୍ ! ମୁଁ ବି ଦୁଇହାତ ଉପରକୁ ଉଠାଇ ନଦିଆ –କୀର୍ତ୍ତନ କରୁଛି–ବନ୍ଦେ ମାତରମ୍ !

ଗୋରା ସର୍ଜେଣ୍ଟ ଚିତ୍କାର କରି ଅର୍ଡ଼ର ଦେଲା...ଚାର୍ଜ୍ !

ଚାହୁଁଚାହୁଁ ଲାଠିଆଳ ପୋଲିସ୍ ଦଳ “ହଟୋ ଶାଲେ ଲୋକ୍, ହଟୋ ଶାଲେ ଲୋକ୍” ଧ୍ଵନି ଦେଇ, ଲାଠି ଘୂରାଇ ମାଡ଼ିଆସିଲେ । ଛତ୍ରଭଙ୍ଗ ଦେଇ ପିଲାମାନେ ଯିଏ ଯୁଆଡ଼େ ପାରିଲେ, ଖଣ୍ଡିଆ ଖାବୁଡ଼ା ହୋଇ ପୋଲିସ ଲାଠିରୁ ଆତ୍ମରକ୍ଷା କରିବା ପାଇଁ ପଳାଇଲେ ।

ତାରି ଭିତରେ ପଦବାବୁ କେବଳ ମୁହଁମାଡ଼ି ପଡ଼ିଛନ୍ତି, ପତାକା ଖୁଣ୍ଟ ମୂଳକୁ ଜାବୋଡ଼ି । ଗୋରା ସର୍ଜେଣ୍ଟ ତାଙ୍କ ପଠିଉପରେ ବୁଟ୍‌ମିଶା ପାଦରେ ମାରୁଛି, ଲାଥି ପରେ ଲାଥି ! ସିଏ ଯେମିତି ଗୋଟାଏ କୋଳଥବସ୍ତା !

 

ଟେନିସ୍‌କୋର୍ଟ ଉପରେ ବିଛେଇ ହୋଇପଡ଼ିଛି, କେବଳ ସାଇକଲ୍, ଚଟି ଆଉ ଜୋତା-। ମୋ ପାଦରେ ଚଟି ହଳକ ମଧ୍ୟ ନାହିଁ । ମୁଁ ସାଇକଲ୍‌ଟା ଫିଙ୍ଗିଦେଇ, ପ୍ରାଣମୂର୍ଚ୍ଛ ପାଚେରି ଡେଇଁ ପଳାଇ ଆସିଲି ରାସ୍ତାକୁ ! ପୋଲିସ୍‌ର ଲାଠି ଅଟକାଇବାକୁ ଯାଇ, ମୋ ବାଁ ହାତରେ ବୁଢ଼ା ଆଙ୍ଗୁଠିଟା ଫାଟି, ରକ୍ତ ଝରୁଛି । କପାଳରେ ମଧ୍ୟ ଲାଠି ପାହାର ବାଜି, ଠାଏ ଫାଟିଯାଇଛି-। ରକ୍ତରେ ପଞ୍ଜାବୀରୁ ଅରାଏ ତିନ୍ତିଗଲାଣି । କିନ୍ତୁ କ୍ଷତଟା ସେତେ ଗଭୀର ନୁହେଁ ।

 

“ଏଇ ମାନା ! ମାନା !”

 

ନଗେନ୍ ଠିଆହୋଇଛି, ସେଇ ଷ୍ଟେସନାରୀ ଦୋକାନ ପାଖରେ, ଅନ୍ୟ ଦେଖଣାହାରିଙ୍କ ମେଳରେ ! ସେ ଦେଖୁଚି ଏଇ ଦୃଶ୍ୟ !

 

“କିରେ ମଲୁନାହିଁ ତ ? ପାଚେରୀ ଡେଇଁ ପଳାଇ ଆସିଲୁ କାହିଁକି ?”...କଣ୍ଠରେ ତା’ର କିଛିଟା ପରିହାସ !

 

ମୁଁ କହିଲି... “ୟୁ କାୱାର୍ଡ଼ !”

 

ନଗେନ୍ କହିଲା... “ହଉ ବୀରତ୍ଵ ଜଣାପଡ଼ିଗଲା । ଏଥର ବସ ମୋ ସାଇକଲ୍ ପଛରେ-। ଏଠି ରହିଲେ ପୋଲିସ୍ ତୋତେ ଆରେଷ୍ଟ କରିବ ! ତୋ ଜାମାରେ ରକ୍ତ ।”

 

ମୋତେ ସାଇକେଲ୍ କାରିଅର୍‌ରେ ବସାଇ, ନଗେନ୍ ସାଇକଲ୍ ଭିଡ଼ିଦେଲା, ଗୋଟାଏ ଗଳିଭିତରେ !

 

ପଦବାବୁଙ୍କର କ’ଣ ହେଲା, କେଜାଣି ?

 

“ଇଲୋ ମା’...ଇଏ କ’ଣରେ ନଗ ? ଜାମା ରକତରେ ଜୁଡ଼ୁବୁଡ଼ !”–ନଗେନ୍ ବୋଉ ଦାଣ୍ଡ ପିଣ୍ଡାରେ କାନ୍ଥକୁ ଆଉଜି ବସିଥିଲେ । ନିଛାଟିଆ ଗଳି । ଚାଳ ଘରଟିଏ । ସିମେଣ୍ଟବନ୍ଧାପିଣ୍ଡା, ଚଟାଣ । ମୋତେ ଦେଖି ଚମକିଉଠିଲେ ।

 

ନଗେନ୍ କହିଲା... “ମୋ ସାଙ୍ଗରେ ପଢ଼େ–ମାନା । ସାଇକଲ୍‌ରୁ ପଡ଼ିଗଲା ।” ନଗେନ୍ ସେତେବେଳକୁ ମୋ ହାତଧରି ଉଠାଇନେଇଥିଲା, ପିଣ୍ଡାଉପରକୁ । ମୁଁ ଦେଶର ସ୍ଵାଧୀନତା ପାଇଁ, ପୁଲିସ ଲାଠି ମାଡ଼ରେ ଯେ ରକ୍ତାକ୍ତ, ଏ ସମ୍ବାଦ ନଗେନ୍ ଲୁଚାଇ ରଖିଲା କାହିଁକି ? ନଗେନ୍ ବାପା ସରକାରୀ ଇସ୍କୁଲ ମାଷ୍ଟର । ସେକଥା ଭୁଲିଯାଇଥିଲି !

 

“ଆଲୋ ରେବ...ରେବ !”

 

ଭିତରୁ ଧାଇଁଆସିଲା, ଷୋଳ ସତର ବର୍ଷର ଝିଅଟିଏ–ନଗେନ୍‌ର ଭଉଣୀ । ଶ୍ୟାମଳ ଦେହକୁ ଫୁଲଧଡ଼ିଆ, ଫିକା ଗୋଲାପୀ ଶାଢ଼ିଟା ବେଶ୍ ମାନୁଛି । ଆଖିଦୁଇଟି ବେଶ୍ ଆୟତ । ସେଥିରେ ନିଷ୍ପାପ ସରଳତା, ହରିଣୀର ଆଖି । କପାଳ ଉପରେ ଉଡ଼ି ବୁଲୁଛି, କେଇକେରା କେଶର କୁଣ୍ଡଳୀ ! ...ମନେମନେ ନିଜକୁ ଧୀକ୍‌କାର କଲି । ନଗେନ୍‌ର ଭଉଣୀକୁ ମୁଁ ଏ କି ଦୃଷ୍ଟିରେ ଦେଖୁଛି ?

 

ନଗେନ୍ କହିଲା... “ସିଷ୍ଟର୍ ଆସିଗଲେ । ଏଥର ବୁଝ ସିଷ୍ଟର ତମ ରୋଗୀଙ୍କ କଥା । ଆକ୍‌ସିଡ଼େଣ୍ଟ୍ କେସ୍ ! ସାଇକଲ ଧକ୍‌କା ଲାଗି ପଡ଼ିଗଲେ !”

 

ନଗେନ୍ ରେବକୁ ବୋଧହୁଏ ଚିଡ଼ାଏ ସିଷ୍ଟର୍ ବୋଲି । ରେବ କପଟକ୍ରୋଧରେ ଆଖିଦୁଇଟା ବଡବଡ଼ କରି, ଭ୍ରୂଲତା କୁଞ୍ଚାଇ କହିଲା... “ଦେଖ୍ ବୋଉ, ଭାଇ କେମିତି ଚିଡ଼ୋଉଚି-!”

 

କିନ୍ତୁ ସିଷ୍ଟର୍ କହିଲେ ଚିଡ଼ିବାର କ’ଣ ଅଛି; ମୁଁ ବୁଝିପାରୁନଥିଲି । ପରେ ବୁଝିଲି, ସ୍କୁଲ ସ୍କାଉଟ୍‌ରେ ରେବ ଫାଷ୍ଟ୍‌ଏଡ଼୍‌ରେ ତାଲିମ ପାଉଛି । ନଗେନ୍ ବୋଉ କହିଲେ... “ତମେ ଏମିତି ଝଗଡ଼ା କରୁଥିବ, ନାଁ ପିଲାଟା ରକତରେ ଜୁଡ଼ବୁଡ଼ ହୋଇଚି, କିଛି ଗୋଟାଏ ବେବସ୍ତା କରିବ ?”

 

ରେବ ଇତିମଧ୍ୟରେ ମୋର କ୍ଷତର କଳନା କରିସାରିଥିଲା ପରା ! ସେ କହିଲା... “କ’ଣ ହେଇଚିକି ? କପାଳରେ ଠାଏ ଚୋଟ ଲାଗିଚି । ବିଶେଷ କିଛି ନୁହେଁ । ବାଁହାତ ବୁଢ଼ା ଆଙ୍ଗୁଠି ନଖଟା ଫାଟିଯାଇଛି ! ରକ୍ତ ବନ୍ଦ ହୋଇଯିବ ସାଙ୍ଗେସାଙ୍ଗେ... ।” ରୀତିମତ ହାସପାତାଳ ନର୍ସ !

 

ନଗେନ୍ ରୁମ୍‌କୁ ଆଣି, ରେବ ମୋତେ ବସାଇଦେଲା ଖଟଉପରେ... “ଉତାର ଜାମାଟା-!”

 

ବାଁ ହାତଟା ସାମାନ୍ୟ ଦରଜ । ଲାଠି ବାଜିଥିଲା ହାତରେ । ଉଠାଇବାକୁ କଷ୍ଟ ଦେଉଚି-। ରେବ ମୋ ଦେହରୁ ପଞ୍ଜାବୀଟା ଓହ୍ଲାଇ ତଳେ ଫିଙ୍ଗି‌ଦେଲା । ପକେଟରେ ଦଶଟଙ୍କିଆ ନୋଟ ଖଣ୍ଡେ । କୋଉ ଅପମୁହୂର୍ତ୍ତରେ ଇବ୍ରାହିମ୍ ଦୋକାନରେ ଏ ପଞ୍ଜାବୀଟା ସିଲେଇ କରିଥିଲି କେଜାଣି, ପ୍ରଥମେ ପଡ଼ିଲା ସ୍ୟାହି ଛିଟା ! ଏବେ ରକ୍ତ ଦାଗ ! ଆଉ ବୋଧହୁଏ ଏ ଦାଗ ନିଭିବ ନାହିଁ ! ଛି–ଛି ମୁଁ କ’ଣ ସବୁ ଭାବୁଚି ! ପଦଭାଇଙ୍କୁ ପୁଲିସ ତେଣେ ଲହୁଲୁହାଣ କରି, ବୋହିନେବଣି ଆମ୍ବୁଲାନ୍‌ସ୍‌ରେ । ପ୍ରକୃତରେ ଏ କ୍ଷତ ବା କେତେ ଟିକେ ! ଆଉ ମୋର ପଞ୍ଜାବୀର ବା ମୂଲ୍ୟ କ’ଣ ?

 

ନଗେନ୍ ପାଟିକରୁଚି...ଆଇଡ଼ିନ୍, ଆଇଡ଼ିନ୍ !

 

ନଗେନ୍ ବୋଉ କହୁଚନ୍ତି...ବାଡ଼ିରୁ ରକତଖାଇ ପତର ଦୁଇଟା ତୋଳିଆଣ !

 

ରେବ କହିଲା... “ତମେ ସବୁ ଗଲ ଏଠୁ ! ଏଇ କଥାକୁ ଏତେ !” ତା’ପରେ ଫଡ଼୍ କରି ତା’ ଶାଢ଼ି କାନିରୁ ଫାଳେ ଚିରି, ଗୋଟାଏ ଦିଆସିଲି ଜଳାଇ ତାକୁ ପୋଡ଼ିଦେଲା ! “ଇଲୋ, ଇଲୋ, ଶାଢ଼ିଟାକୁ ଚିରିଦେଲୁ !”

 

“ଘରେ ତ ଖଣ୍ଡେ ସଫା କନା ରଖିବ ନାଇଁ ! ଆଉ କରନ୍ତି କ’ଣ ?”

 

ରେବ ପୋଡ଼ାକନା ମୋ କପାଳ ଉପରେ ଚାପିଧରି, ତା’ ଉପରେ ସେଇ ଛିଣ୍ଡା ଶାଢ଼ିକନାରେ ଗୋଟାଏ ବାଣ୍ଡେଜ୍ ବାନ୍ଧିଦେଲା । ନଗେନ୍ ବୋଉ ରକ୍ତଖାଇ ପତ୍ର ଛେଚି ତା’ର ରସ ଆଉ ପତ୍ର ମୋ ବୁଢ଼ା ଆଙ୍ଗୁଠିର ଫଟା ନଖଉପରେ ଚାପି, ତା’ ଉପରେ ଖଣ୍ଡେ କନାପଟି ବାନ୍ଧିଦେଲେ । ରେବ ମୋ କପାଳରେ ପଟି ବାନ୍ଧିବାବେଳେ, ତା’ର ଲମ୍ବ ଲମ୍ବ ଆଙ୍ଗୁଳିଗୁଡ଼ାକ, ବେଶ୍ ଆରାମ ଲାଗୁଥିଲା ।

 

ରେବ ବାହାରକୁ ଯାଇ ଆଣିଲା, ଗୋଟାଏ କପ୍‌ରେ ଗରମ କ୍ଷୀର । “ଚୁପ୍‍ଚାପ୍ ପିଇ ଦଣ୍ଡେ ଶୋଇପଡ଼ ।” ମୋ ବୋଉ ସୁଦ୍ଧା ମୋ ଉପରେ କେବେ ଏମିତି ହାକିମି କରିନଥିଲା !

 

କୋଉ ଗୋଟାଏ ହିନ୍ଦୀ ଫିଲ୍ମରେ ଦେଖିଥିଲି ଏଇପରି ଗୋଟାଏ ସିନ୍ । ରେବ ବି ସେଇ ଫିଲ୍ମ ଦେଖିଥିଲା ପରା ! କିନ୍ତୁ ଇଏ କ’ଣ, ଏସବୁ ଶସ୍ତା ରୋମାନ୍‌ସ୍‌ର ବେଳ ? ପଦବାବୁଙ୍କ କଥା ମନେପଡ଼ିଲା ବେଳେ ମୋର ଚେତନାରେ କିଏ ଯେପରି ଖଣ୍ଡେ ଜଳନ୍ତା ଅଙ୍ଗାର ଚେଙ୍କି ଦେଉଥିଲା ।

 

ରେବ ପଛେପଛେ, ତା’ ବୋଉ ସେ ଘରୁ ଚାଲିଗଲେ । ଖଟଉପରେ ମୁଁ ଆଖିବୁଜି ଶିଶୁ ପରି ଶୋଇପଡ଼ିଲି ।

 

ନଗେନ୍ କହିଲା... “ତୁ ଏବେ ଟିକେ ଶୋଇପଡ଼ । ମୁଁ ବୁଲିଆସେ କଲେଜଆଡ଼ୁ । କୋଉଠି ପକେଇଚୁ ତୋ ସାଇକଲ ?”

 

ମୁଁ କ୍ଳାନ୍ତ କଣ୍ଠରେ ଉତ୍ତର ଦେଲି... “ପାଚେରୀ କଡ଼ରେ, ସେଇ ଦେବଦାରୁ ମୂଳେ !”

 

ନିଦ ଭାଙ୍ଗିଲା ନଗେନ୍, ଡାକରେ... “କିରେ ଉଠିବୁ ନାଇଁକି ?” ସେତେବେଳକୁ ଚାରିଆଡ଼େ ଗୋଧୂଳିର ନାଲିଚା ଛାଇ ବୁଲି ଆସିଲାଣି । ମୁଁ ଖଟଉପରେ ଉଠି ବସି ଖଣ୍ଡେ ସିଗ୍ରେଟ୍‌ରେ ନିଆଁ ଲଗାଇଲି । କଳେଧୂଆଁ ଛାଡ଼ିଚି କି ନାହିଁ, ନଗେନ୍ ପାଟି କରିଉଠିଲା... “ନିଭା ! ନିଭା ! ବାପାଙ୍କ ଫେରିବା ବେଳ ଇଏ !” ମୁଁ ତରତରରେ ସିଗାରେଟ ଖଣ୍ଡ ନିଭାଇ ଝରକାବାଟେ ବାହାରକୁ ଫିଙ୍ଗିଦେଲି । ଘରଭିତରେ କିନ୍ତୁ ସିଗାରେଟ ଧୂଆଁର କୁଣ୍ଡଳୀ ! ରେବ ଦୁଇହାତରେ ଦୁଇକପ୍ ଚା ଧରି, ଭିତରକୁ ପଶିଆସି କହିଲା... “ବୋଉ, ଦେଖିଲୁଣି, ଭାଇ ସିଗାରେଟ ଟାଣୁଚି !”

 

ନଗେନ୍ କହିଲା... “ତୁ ରେବୀ, ଭାରି ଫାଜିଲ୍ ହୋଇଗଲୁଣି । କିଏ ସିଗାରେଟ ଟାଣୁଚି-? କୋଉଠି ?”

 

ରେବ ଉତ୍ତର ଦେଲା... “ଆଉ ଏ ଧୂଆଁ କ’ଣ ?” ରେବ ଘରୁ ଚାଲିଯିବାବେଳେ କହିଲା... “ହଉ ବାପା ଆସନ୍ତୁ ।” ସବୁ ବାପାମାନଙ୍କ ପ୍ରତି ମୋର ଭୟ ଅଥବା ବିଦ୍ୱେଷ ! ନଗେନ୍ ବାପା ଆସିବା ପୂର୍ବରୁ, ମୋତେ ଏଠାରୁ ପଳାଇବା ପାଇଁ ପଡ଼ିବ ! ମୁଁ ନୀରବରେ ଚା ପିଇଲି । ମୋ ପାଇଁ ବିଚାରା ନଗେନ୍ ଦୋଷୀ !

 

“ନଗେନ୍ ତୋର ଖଣ୍ଡେ ପଞ୍ଜାବୀ ଦେବୁ ? ମୁଣ୍ଡଟା ଭଲ ଲାଗିଲାଣି ।”

 

“କୁଆଡ଼େ ଯିବୁ ?” ନଗେନ୍ ପଚାରିଲା ! “ହଁ ତୋ ସାଇକଲ୍‍ଟା ପଡ଼ିଥିଲା । ଉଠାଇନେଇ ଆସିଚି ।”

 

କୁଆଡ଼େ ? ସେଇତ ପ୍ରଶ୍ନ !

 

ନଗେନ୍ କହିଲା... “ସେମାନେ ପଦବାବୁଙ୍କୁ ଆରେଷ୍ଟ କରିନେଇଚନ୍ତି । ନିଖିଳ ଦାସ, ଅରୁଣ ମହାନ୍ତି, ଜୀବନ ମିଶ୍ର, ଆଉରି ବି କେତେ ପିଲାଙ୍କୁ ଆରେଷ୍ଟ୍ କରିନେଇଛି ପୁଲିସ । ତୁ ଯେମିତି ଦୁଇହାତ ଉଠାଇ କଲେଜ ଫାଟକ ଆଗରେ ନାଚୁଥିଲୁ, ପୁଲିସ ନଜରରେ ପଡ଼ିଚୁ । ପୁଲିସ ତୋତେ ବି ଖୋଜୁଛି ଆରେଷ୍ଟ କରିବାପାଇଁ । ଯିବୁ କୁଆଡ଼େ ? କଲେଜ ହତାରେ ତ କାଉ ଉଡ଼ୁଚି । ତୁ ରାତିଟା ବରଂ ରହିଯା ଏଠି !”

 

ପଦବାବୁଙ୍କୁ ଲହୁଲୁହାଣ କରି, ପୁଲିସ ଅରେଷ୍ଟ କରିନେଲାଣି ! ଆଉ ଭୀରୁ ପରି ମୁଁ ଏଠି ଲୁଚି ରହିବି ?

 

ମୁଁ ପଚାରିଲି... “ସେଇ ଯୋଉ ପ୍ରଜ୍ଞାଭଦ୍ରଜୀଙ୍କ କଥା କହୁଥିଲୁ, ସିଏ କୋଉଠି ?” ତାଙ୍କ ସହିତ ସାକ୍ଷାତ ମୋର ଜରୁରୀ ଦରକାର ! ନଗେନ୍ ଦଣ୍ଡେ ଚୁପ୍ ରହି କହିଲା... “ସିଏ ସେଇ ହଷ୍ଟେଲ୍‌ରେ !” ବିଶ୍ଵାସ ହେଲାନାଇଁ ! ନଗେନ୍ କହିଲା... “ନାଇଁରେ, ସିଏ ଅଛନ୍ତି ଇଷ୍ଟ ହଷ୍ଟେଲ, ତେଇଶି ନମ୍ବର ରୁମ୍‌ରେ । ୱାର୍ଡ଼େନ୍, ସୁପରିଟେଣ୍ଡେଣ୍ଟ ସମସ୍ତେ ଜାଣନ୍ତି !” ୱାର୍ଡ଼େନ୍, ଇକନମିକସ୍ ପ୍ରଫେସର । ଖଦଡ଼ ପିନ୍ଧନ୍ତି । ଅସମ୍ଭବ ନୁହେଁ !

 

ମହଳ ମାଛି ଅନ୍ଧାରରେ, କଲେଜ ହତା, ଦେବଦାରୁ ଗଛମାନଙ୍କର ଅନ୍ଧାରବୋଳା ପତ୍ର ଗହଳି ସାଙ୍ଗରେ ଏକାକାର ହୋଇଗଲାଣି । କଲେଜ ସାମ୍‌ନା ରାସ୍ତାରେ କାଁଭାଁ ଗୋଟାଏ ରିକ୍‌ସା । କୁଳମଣି ପରିବାଦୋକାନରେ କେତେଜଣ ପରିବା କିଣୁଚନ୍ତି ।

 

“କୁଳମଣି ଶୁଣିବ ଟିକିଏ ?”

 

ମୋତେ ଦେଖି କୁଳମଣି ଦୋକାନରୁ ଉଠିଆସିଲା । “ସାଇକଲ୍‌ଟା ବନ୍ଧାରଖି ଟଙ୍କା କୋଡ଼ିଏଟା ଦେଇପାରିବ ?”

 

“ବାବୁ ତମ ମୁଣ୍ଡରେ କନାପଟି ? ପୁଲିସ ପିଟିଲା କି ?”

 

ମୋ ମୁହଁରେ ସହିଦ୍ ସୁଲଭ ନିର୍ଲିପ୍ତତା ।

 

କୁଳମଣି ସାଇକଲ୍ ଚେହେରା ଦେଖିନେଇ କହିଲା... “ଦଶଟଙ୍କା ଦେଇପାରେ । ସେତିକି ଅଛି ।”

 

ଯିଏ ସାଇକଲ୍ ବନ୍ଧା ପକାଏ, ସିଏ କ’ଣ ଆଉ ଟଙ୍କା ଫେରାଏ ? କୁଳମଣିର ବ୍ୟବସାୟୀ ବୁଦ୍ଧି ବେଶ୍ ତୀକ୍ଷ୍ଣ ! ସିଏ ଜାଣେ, କାନ୍ତ ମାମୁଁ କେବେକେବେ ଟଙ୍କା ପଠାଇଲେ, ମୁଁ ନବାବ । ନୋହିଲେ ଅଧିକାଂଶ ଦିନ, ବାକିଆ ଟଙ୍କା ପାଇଁ ଗୁଜରାଟୀ ଚା ଦୋକାନୀ ମଗନ୍‌ଲାଲ ମୋ ପଛେପଛେ ଗୋଡ଼ାଏ !

 

“ହଉ, ସେଇ ଟଙ୍କା ଦଶଟାରେ ଚଳିବ ।”

 

କୁଳମଣି ଅଣ୍ଟା ଗଞ୍ଜିଆରୁ ଦିଖଣ୍ଡ ପାଞ୍ଚ ଟଙ୍କିଆ ନୋଟ ମୋତେ ଧରାଇଦେଇ, କାନମୋଡ଼ି ନେବାପରି, ମୋ ଫିଲିପ୍‌ସ୍ ସାଇକଲ୍‌ଟାକୁ ନେଇଗଲା । ସାଇକଲ୍‌ରେ ବ୍ରେକ୍ ନାହିଁ । ଓହ୍ଲାଇବାବେଳେ, ମୁଁ ଗୋଟାଏ ପାଦ ବଢ଼ାଇ ଆଗ ମଡ଼ଗାର୍ଡ଼ଟା ଚକଉପରେ ଚାପିଧରେ । ସିଏ ଗୋଟାଏ କୌଶଳ । କୁଳମଣି ସେ କୌଶଳ ନଜାଣି, ଯଦି ସାଇକଲରେ ଚଢ଼ି ତା’ ପରିବା ଦୋକାନକୁ ଆସିବ, ନିର୍ଘାତ ଆକ୍‌ସିଡ଼େଣ୍ଟ୍‌ରେ ପଡ଼ିବ । ପଡ଼ୁ । ମୋର କ’ଣ ଅଛି ? ମୁଁ ଚାହୁଁଥିଲି, ଏ ସାଇକେଲ୍‌ ଜଞ୍ଜାଳ ହଟାଇବା ପାଇଁ । ବୋମା–ହାକିମ ଶାରଦାବାବୁ ଆଉ ତାଙ୍କ ସ୍ପାଇ ଦଧି ପାଇଁ, ଜୟମଙ୍ଗଳା ମେସ୍‍କୁ ମୋର ବାଟ ବନ୍ଦ୍ । କେତେ କଥା ଗୁଡ଼େଇ ତୁଡ଼େଇ ପଚାରିବେ, ବୋମା–ହାକିମ, ମୁଣ୍ଡରେ ହାତରେ କନାପଟି ଦେଖି ! ସେ ପର୍ଯ୍ୟନ୍ତ ଆଉ କୋଉ ମେସ୍‌ରେ ଉଠିବାପାଇଁ ତ ପଡ଼ିବ !

 

ମୁଁ ଖଣ୍ଡେ ସିଗ୍ରେଟରେ ନିଆଁ ଲଗାଇ, କଲେଜ ସାମନା ରାସ୍ତାରେ ବିଜୟୀ ସେନାପତି ପରି ଏପାଖ ସେପାଖ ହେଲି । ପୁଲିସ କି ସାଦାପୋଷାକବାଲା, କେହି ଆଖିରେ ପଡ଼ୁନାହାନ୍ତି । କଲେଜ ଫାଟକ ବନ୍ଦ । ଗୋଟାଏ ଅନ୍ଧାର ଜାଗା ବାଛି, ମୁଁ ପାଚେରୀ ଡେଇଁଲି ।

 

ଇଷ୍ଟ–ହଷ୍ଟେଲକୁ ଯିବା ମୋଡ଼ରେ ଗୋଟାଏ ଟଗର ଗଛମୂଳେ, ଠିଆ ହୋଇଛନ୍ତି, ଦୁଇଜଣ ପିଲା ।

 

ଜଣେ ମୋତେ ଆଗୋଳି ପଚାରିଲା... “କିଏ ତମେ ?”

 

ଅନ୍ୟ ଜଣକ କହିଲା... “ଛାଡ଼ିଦେ, ଛାଡ଼ିଦେ ! ସିଏ ମାନାଦାସ, ଫୋର୍ଥ ଇଅର୍ ।”

 

ତାହେଲେ ମୋର କିଛିଟା ପ୍ରସିଦ୍ଧି ଇତିମଧ୍ୟରେ ହୋଇଗଲାଣି ! ମୁଁ ଗମ୍ଭୀର ଭାବରେ, ସେମାନଙ୍କ ବାଟ ଦେଇ ଚାଲିଗଲି, ଇଷ୍ଟ୍ ହଷ୍ଟେଲ୍‌ ଆଡ଼େ ।

 

ସେମାନେ କଥାବାର୍ତ୍ତା ହେଉଥିଲେ...ସଂକୀର୍ତ୍ତନ କରିବା ପରି ଆଜି କେମିତି ନାଚି କୁଦି ଇନ୍‍କିଲାବ୍ ଜିନ୍ଦାବାଦ୍ କରୁଥିଲା ଦେଖିନୁ ? ବିଚାରା ମୁଣ୍ଡରେ ଜୋର ଚୋଟ ଲାଗିଛି !

 

କପାଳରେ ରେବର ଛିଣ୍ଡା ଶାଢ଼ି ଅଞ୍ଚଳ ବ୍ୟାଣ୍ଡେଜ୍‌ ମୋର ପ୍ରବେଶପତ୍ର...ମୋତେ ଅଟକାଇବ କିଏ ?

 

ହଷ୍ଟେଲ୍‌ ଗେଟ୍ ପାହାଚଉପରେ ମଧ୍ୟ ବସିଥିଲେ କେତେଜଣ ପିଲା । ପ୍ରଜ୍ଞାଭଦ୍ରଜୀଙ୍କୁ ଏମାନେ ଗାର୍ଡ଼ ଦେଉଛନ୍ତି ବୋଧହୁଏ ! –ସେମାନେ ମଧ୍ୟ ମୋତେ ଅଟକାଇଲେ ନାଇଁ ।

 

“ଇଏ ମାନା ଦାସ ଭାଗାବଣ୍ଡ୍–ପଢ଼େ ଫୋର୍ଥ ଇଅର୍‌ରେ” ! –ମୋତେ ପ୍ରକୃତରେ ସେତେବେଳେ ଅନେକେ ପଛରେ ଡାକୁଥିଲେ, ଭାଗାବଣ୍ଡ୍ ବୋଲି । କିନ୍ତୁ ଭାଗାବଣ୍ଡ୍ ଜୀବନର ଆନନ୍ଦ ଉତ୍ତେଜନା ଏ ସୁବୋଧ ବିଚାରା ବୁଝିବେ କୁଆଡ଼ୁ ?

 

ଆଶ୍ଚର୍ଯ୍ୟ, ଆଜି ଦିନ ଭିତରେ ମୁଁ ଏତେଟା ଫେମସ୍ ହୋଇଯିବି ବୋଲି ଆଶା କରିନଥିଲି ! ରୁମ୍ ନମ୍ବର ୨୩ ଦୁଆର ମୁହଁରେ ମଧ୍ୟ ମୋତେ କେହି ଅଟକାଇଲେ ନାହିଁ । ବରଂ ପର୍ଦ୍ଦା ଟେକିଦେଲେ !

 

ଏଇ ପ୍ରଜ୍ଞାଭଦ୍ରଜୀ ? ବାଙ୍ଗର ମଣିଷଟିଏ । ପିଟା ଲୁହା ଚେହେରା । ଖଟଉପରେ ଆସନରେ ବସିବା ପରି ବସି, ଗୋଟାକ ପରେ ଗୋଟାଏ ସିଗାରେଟ ଟାଣି ଚାଲିଛନ୍ତି ।

 

“ତୁମ୍ କୋନ୍‌ ହୋ ?”

 

“ମାନା ଦାସ ।”

 

“ଶିର୍‌ମେ ଚୋଟ୍ ଲଗାୟ କ୍ୟା ? ପୋଲିସ୍‌ ଲାଠିମେ ?”

 

“ବିଶେଷ କିଛି ନୁହେଁ । ଆଉରି ରକ୍ତଦାନ ଦେବାପାଇଁ ପଡ଼ିବ !” –କଣ୍ଠସ୍ୱରରେ ମୋର ଶହୀଦ୍ ଶହୀଦ୍‌ ଭାବ ।

 

“ତୁମ୍ ବୁଦ୍ଧୁ ହୋ !”

 

ବୁଦ୍ଧୁ ! ମୋ ପ୍ରତି ପ୍ରଜ୍ଞାଭଦ୍ରଜୀଙ୍କର ଏଇ ସାର୍ଟିଫିକେଟ୍ ?

 

ପ୍ରଜ୍ଞାଭଦ୍ରଜୀ କହିଲେ... “ଏ ବାଣ୍ଡେଜ୍ ଦେଖେଗା ତୋ ପୋଲିସ୍ ପାଗଡ଼େଗା !”

 

ମୁଁ ତ ଚାହୁଁଚି ପୋଲିସ ମୋତେ ପଗଡ଼ୁ !

 

ପ୍ରଜ୍ଞାଭଦ୍ରଜୀ ବୁଝାଇଲେ, ଜେଲ୍ ଯାଇ, ସେଠି କ’ଣ ଆରାମରେ ଖେଚଡ଼ୀ ଖାଇବ ? ଗାନ୍ଧିଜୀ କହିଛନ୍ତି, ଡୁ ଅର୍ ଡାଇ ! ଜେଲ୍‌ରେ ତ ମରିବ ନାଇଁ, ଓଜନ ବଢ଼ିବ । ବର୍ମା ମାଲୟ ଗଲାଣି । ନେତାଜୀ ସୁଭାଷ ମାଡ଼ି ଆସୁଛନ୍ତି ଫଉଜ ଧରି ଇମ୍ଫାହାଲ ଆଡ଼ୁ । ଇମ୍ଫାହାଲର ଭୌଗଳିକ ଅବସ୍ଥିତି ତାଙ୍କୁ ପଚାରିବା ପାଇଁ ଲାଜମାଡ଼ିଲା । ଜର୍ମାନୀର ଯୁଦ୍ଧ ଜାହାଜ ଆସୁଚି । ଏତେବେଳେ ତମେ ଜେଲ୍‌ରେ ବସି କ’ଣ ଖେଚୁଡ଼ି ଖାଇବ ?

 

“ତା’ହେଲେ ?”

 

“ଅଣ୍ଡର୍‌ଗ୍ରାଉଣ୍ଡ୍ ଚାଲିଯାଅ । ଥାନା ପୋଡ଼ । ତାର କାଟ । ନେତାଜୀଙ୍କ ପାଇଁ ରାସ୍ତା ସଫା କର । ଲୋକଶକ୍ତି ଜାଗ୍ରତ କରାଅ ।” ଗୋଟାଏ ମୁଠି ନାଟକୀୟ ଭଙ୍ଗୀରେ ଉପରକୁ ଉଠାଇ ପ୍ରଜ୍ଞାଭଦ୍ରଜୀ କହିଲେ... “ମୁଠ୍‌ଠି ମଜବୁତ୍ କରୋ !” ଆଉରି ଅନେକ କଥାର ତାଲିକା ।

 

“ଯାଓ !”

 

ମୁଁ ଚାଲିଆସୁଥିଲି । ସେ ଗୋଟାଏ ହାତରେ ମୋତେ ଝିଙ୍କିନେଇ, ମୋ ମୁଣ୍ଡରେ ତାଙ୍କ ତଉଲିଆଟା ଗୁଡ଼ାଇଦେଲେ–“ନଜର୍‌ ମେ ନେଇଁ ପଡ଼େଗା !”

 

ମୁଁ ପୁଣି ଫେରିଆସିଲି କଲେଜ ସାମନା ରାସ୍ତାକୁ । ପ୍ରଜ୍ଞାଭଦ୍ରଜୀଙ୍କ ସହିତ ସାକ୍ଷାତ ପରେ, ମୋର ପ୍ରତି ରକ୍ତକଣାରେ ନିଆଁର ଫୁଲ୍‌କୀ । ଷ୍ଟେସନ୍ ଆଡ଼େ ଆସିଲି ।

 

ଷ୍ଟେସନ୍ ପ୍ଳାଟଫର୍ମରେ ଯାତ୍ରୀ ଭିଡ଼ି ସାମାନ୍ୟ । ଗୋଟିଏ ଚା’ ଦୋକାନରେ କପେ ଚା’ ପିଇଲି । ଘଣ୍ଟା ପଡ଼ୁଚି । ଟ୍ରେନ୍ ଆସିବ ପରା ! ପ୍ଳାଟ୍‌ଫର୍ମ ଭିଡ଼ିମୋଡ଼ି ହେଉଚି । କିନ୍ତୁ ମୁଁ ଯିବି କୁଆଡ଼େ ? ମୋ ଜୀବନ ଯୁଦ୍ଧର କୋଉ ସୀମାନ୍ତକୁ ?

 

ଟ୍ରେନ୍‌ରେ ଯାତ୍ରୀ ଖୁନ୍ଦାଖୁନ୍ଦି । ଟିକେଟ୍ ନାହିଁ । ଗୋଟାଏ ଯାତ୍ରୀ ଖୁନ୍ଦାଖୁନ୍ଦି କମ୍ପାର୍ଟମେଣ୍ଟ୍ ଭିତରକୁ କୁଦାମାରି ଉଠିଗଲି ।

 

ମୋ ଭିତରର ମଣିଷଟି କହୁଥିଲା...ରେବ, ବିଦାୟ ! ତମର ସେବା ଯତ୍ନ ପାଇଁ ଅନେକ ଧନ୍ୟବାଦ !

 

ଚଳନ୍ତା ଟ୍ରେନ୍ ବାହାରେ ଅନ୍ଧାର ଭିତରକୁ ଚାହିଁ, ଆଉ ଖଣ୍ଡେ ସିଗ୍ରେଟ୍‌ରେ ନିଆଁ ଲଗାଇଲି ।

 

ରାତ୍ରିର ସଙ୍ଗୀତ ଅଛି । କାଲି ରାତିରେ ଅନେକ ବେଳଯାଏଁ, ଅନ୍ଧାର ପ୍ଳାଟଫର୍ମର ଗୋଟାଏ ସିମେଣ୍ଟ ବେଞ୍ଚ୍ ଉପରେ ଚିତ୍ ହୋଇ ଶୋଇ, ଶୁଣିଥିଲି ଝିଙ୍କାରୀମାନଙ୍କର ଝିଁ ଝିଁ ଝଙ୍କାର-। ସକାଳେ ଶୁଣୁଚି ପ୍ରଭାତର ଗାନ । ମୁଣ୍ଡଉପରେ କାଠଚମ୍ପା ଗଛଡାଳରେ ପକ୍ଷୀମାନଙ୍କ କଣ୍ଠରେ କାକଳୀ । କାଠଚମ୍ପା ଗଛ ପାଖରେ ଗୋଟାଏ ସାଇନ୍‌ବୋର୍ଡ଼ରେ ବଙ୍କାତେଢ଼ା ଓଡ଼ିଆ ଅକ୍ଷର ଆଉ ଇଂରାଜୀରେ ଲେଖାହୋଇଛି ନେଉଳପୁର । ଜାଗାଟା ତାହେଲେ ନେଉଳପୁର !

 

ଆଖି ମଳିମଳି ବେଞ୍ଚ୍ ଉପରେ ଉଠି ବସି, କାଲି ରାତିର ଘଟଣା ସବୁ ମନେପକାଇବା ପାଇଁ ଚେଷ୍ଟାକଲି । କିନ୍ତୁ ଏତେ ସଙ୍ଗୀତ, ଏତେ ଝଙ୍କାର, ଏତେ ମୂର୍ଚ୍ଛନା ଥିଲା କେଉଁଠି ? ଦୂତ୍, ଏସବୁ କ’ଣ କବିତ୍ୱ, ସେଣ୍ଟିମେଣ୍ଟ୍‌ର ବେଳ ? ସାମନାରେ ବିରାଟ ଅନିଶ୍ଚିତତା ହାଇମାରୁଛି, କ୍ରମେ ଫିଟିଆସୁଥିବା ସକାଳର ଖରା ପରି ।

 

କାଲି ରାତିରେ ଅନ୍ଧାରରେ ଓହ୍ଲାଇପଡ଼ିଥିଲି ଏଇ ଷ୍ଟେସନରେ । ଯେତେବେଳେ ଟି. ଟି. ଆଇ. ଗେଟାଏ ଚୁମୁଟା ଠକ୍‍ଠକ୍ କରି ପଶିଲା, କମ୍ପାର୍ଟ୍‌ମେଣ୍ଟ୍‌ର ଆର ମୁଣ୍ଡରେ । ମିଞ୍ଜିମିଞ୍ଜି କିରୋସିନ୍ ଆଲୁଅରେ ଷ୍ଟେସନ୍‌ର ନାଁ ଆଖିରେ ପଡ଼ୁନଥିଲା; କିମ୍ବା ଜାଣିବାର ପ୍ରୟୋଜନ ନଥିଲା । କାଲି ଟ୍ରେନ୍‌ରେ ଉଠିବାବେଳେ ସ୍ଥିର କରିଥିଲି; ଯେଉଁଠି ଓହ୍ଲାଇବି, ସେଇଠୁ ଆରମ୍ଭ ହେବ, ମୋର ଅଣ୍ଡରଗ୍ରାଉଣ୍ଡ୍ ! ଶବ୍ଦଟାରେ ଗୋଟାଏ ଅଦ୍ଭୁତ୍ ଉତ୍ତେଜନା !

 

କେତେଜଣ ପାସେଞ୍ଜର୍ ଓହ୍ଲାଇଗଲେ । ଗେଟ୍ ପାଖରେ ଖଲାସି ଜଣେ ଯାତ୍ରୀମାନଙ୍କ ପାଖରୁ ଟିକେଟ୍ ନେଇ ଛାଡ଼ିଦେଲା ବାହାରକୁ । କେତେଜଣଙ୍କଠାରୁ ଟିକେଟ୍ ଦେଖି ମଧ୍ୟ ଛାଡ଼ିଲା ଭିତରକୁ । ଯୋଉମାନଙ୍କ ମୁଣ୍ଡରେ ଅଖାବସ୍ତା, ବୋଝ ବା ଟୋକେଇ, ସେମାନେ ଅଣ୍ଟାଗୁଞ୍ଜା ଦେଉଛନ୍ତି ବୋଧହୁଏ । ନୋହିଲେ କହୁଛି “ରୁହ ମାଲ୍ ଓଜନ ହେବ । ଇଏ କ’ଣ ମାଲ୍ ଗାଡ଼ି ?” ସେମାନେ ଝମାଲା ବଞ୍ଚେଇବା ପାଇଁ, କିଛି କିଛି ଅଣ୍ଟାଗୁଞ୍ଜା ଦେଉଛନ୍ତି । ସିଏ କିନ୍ତୁ ଅଣ୍ଟାରେ ନ ଗୁଞ୍ଜି, ପକେଟରେ ପୂରାଉଛି ।

 

ହୁଇସିଲ୍ ବାଜିଲା । ଟ୍ରେନ୍ ପୁଣି ଭିଡ଼ିମୋଡ଼ି ହୋଇ, ଧୀରେ ସୁସ୍ଥେ ପ୍ଲାଟଫର୍ମ୍ ବାହାରକୁ ଚାଲିଗଲା । ଲାଲ ଆଲୁଅ କ୍ରମେ ଅଦୃଶ୍ୟ ହୋଇଗଲା । ଷ୍ଟେସନ୍ ମାଷ୍ଟର୍ ଅଫିସରେ ଶୁଭୁଛି କେବଳ ଟରେ...ଟକ୍‌କା !

 

ଖଲାସୀ ଯଦି ଆସି ପଚାରିବ, କିଏ ତୁମେ ? କମ୍ପାନୀ ବେଞ୍ଚ୍ । ଏଠି ଶୋଇଚ କାହିଁକି-? ଅଣ୍ଟାଗୁଞ୍ଜା ଦେବି । ସିଏ କିନ୍ତୁ ଆସିଲା ନାହିଁ । ଷ୍ଟେସନ୍ ପାହାଚ ଉପରେ ବସି ବିଡ଼ିଟାଣୁଛି, ଆଉ ଅଣ୍ଟାଗୁଞ୍ଜା ପଣୁଛି ।

 

ମୁଁ ନିଶ୍ଚିନ୍ତରେ ସିମେଣ୍ଟ ବେଞ୍ଚଉପରେ ଚିତ୍ ହୋଇଗଲି । କିନ୍ତୁ ଗୁଡ଼ାଏ ମୁନିଆଁ ମୁନିଆଁ ଦାନ୍ତ, ପେଟ ଭିତରଟା କୋରି ପକାଉଛି । ଦିନସାରା କିଛି ଖାଇନାହିଁ । ଏତେ ରାତିରେ ଏଠି କ’ଣ ବା ମିଳିବ ? ଭୋକ କ’ଣ, କି ଭୟଙ୍କର ସେଇ ରାତିରେ ପ୍ରଥମ ଜାଣିଲି । ଅଣ୍ଡର୍‌ଗ୍ରାଉଣ୍ଡ୍ ନଆସିଥିଲେ, ଭୋକର ଚେହେରା ଦେଖିଥାନ୍ତି କିପରି ? ମୋରି ପରି କୋଟି କୋଟି ମଣିଷ ଆଜି ରାତିରେ ମଧ୍ୟ ଏଇପରି ଶୋଇଥିବେ, ଓପାସରେ ! ମୁନିଆଁ ମୁନିଆଁ ଦାନ୍ତ ସବୁ ସେମାନଙ୍କ ପେଟଭିତରେ କୋରି ପକାଉଥିବ । ସେମାନେ ଯଦି ସହିପାରୁଛନ୍ତି; ମୁଁ ନ ପାରିବି କାହିଁକି ? କିନ୍ତୁ ଏମାନଙ୍କୁ ଓପାସ ରଖିଛି କିଏ ? ପଦବାବୁଙ୍କୁ ଥରେ ଡରିଡରି ପଚାରିଥିଲି... “ଆପଣ ଭାତ ନଖାଇ, ଏ ଅସିଝା କଞ୍ଚା ପରିବାଗୁଡ଼ା ଖାଉଚନ୍ତି କାହିଁକି ?” ପଦବାବୁ ସ୍ୱଳ୍ପଭାଷୀ ମଣିଷ । ଉତ୍ତର ଦେଇଥିଲେ... “ବ୍ରିଟିଶ ସରକାର କୋଟି କୋଟି ଲୋକଙ୍କୁ ଏ ଦେଶରେ ଭୋକିଲା ରଖିଥିବା ପର୍ଯ୍ୟନ୍ତ, ମୁଁ ଏଇଆକୁ ଖାଇବି !” ମୁଁ ଆଜି ସେଇ ଭୋକିଲାମାନଙ୍କ ମଧ୍ୟରୁ ଜଣେ ! ମନରେ ଶାନ୍ତି ଆସିଲା ! କିନ୍ତୁ କଞ୍ଚା ପରିବା ହେଲେ ମିଳନ୍ତା ?

 

ସକାଳୁ କେତେଜଣ ମୋତେ ନିଠେଇ ନିଠେଇ ଦେଖିଗଲେଣି । ଏପରିକି ଷ୍ଟେସନ୍ ମାଷ୍ଟର୍ ବାବୁ ବି ! ପ୍ରଜ୍ଞାଭଦ୍ରଜୀଙ୍କ ତଉଲିଆ ଖଣ୍ଡକ ବେଶ୍ କାମ ଦେଉଛି । ଆଉ ନଗେନ୍‌ର ଦରମଇଳା ପଞ୍ଜାବୀଟା । କେହି କୌତୂହଳୀ ନୁହନ୍ତି । ମୁଣ୍ଡରେ ବାଣ୍ଡେଜ୍ ଦେଖିଲେ, କେତେଜଣ ଏତେବେଳକୁ ପଚାରିସାରନ୍ତେଣି; ମୁଣ୍ଡ କିପରି ଫାଟିଲା ? କୋଉଠି ଫାଟିଲା । କାହିଁକି ଫାଟିଲା ? ଯିବି କୁଆଡେ଼ ? କିନ୍ତୁ ତଉଲିଆଟା ଲୁଚାଇ ଦେଉଛି, ମୁଣ୍ଡରେ ବାଣ୍ଡେଜ୍ ଆଉ ସେମାନଙ୍କ ମନରେ କୌତୂହଳ !

 

ଗମ୍ଭୀର ଭାବରେ ଫାଟକ ବାହାରକୁ ଚାଲିଆସିଲେ । ୱେଟିଙ୍ଗ୍–ରୁମ୍ କହିଲେ ଖପରଲି ଛାଆଣି ଗୋଟାଏ ଖୋଲା ଚାଳିଆ ! ଆଶ୍ଚର୍ଯ୍ୟ; ତା’ ଭିତରେ ବି କିଏ ଜଣେ ପାଦଠୁ ମୁଣ୍ଡ ପର୍ଯ୍ୟନ୍ତ ଢାଙ୍କିହୋଇ, କୁଣ୍ଡଳୀ ମୋଡ଼ି ଶୋଇଛି । ଆଉ ତା’ ପାଖରେ ଗୋଟାଏ କୁକୁର । ଖଲାସିକୁ ଦେଖିଲି-। ପିନ୍ଧିଛି ଖଣ୍ଡେ ନେଳୀ ହାଫ ପ୍ୟାଣ୍ଟ୍ ଆଉ ସେଇ ରଙ୍ଗର ଗୋଟାଏ ହାଫ୍‌ସାର୍ଟ୍ । ମୋତେ କିଛି ପଚାରିଲା ନାହିଁ । କିନ୍ତୁ ଗାରଡ଼େଇ ଗାରଡ଼େଇ ଚାହିଁଲା । ଷ୍ଟେସନ୍ ହତା ବାହାରେ ଗୋଟାଏ ଗୁଡ଼ିଆ ଦୋକାନ । ବରା ଛଣା ବାସନାରେ ପବନ ମହକୁଛି ।

 

“ସାହୁ ତମକୁ ଧରମ ଛାଡ଼ିଲାଣି ।”

 

ଦୋକାନ ଆଗରେ ଖଣ୍ଡେ ବେଞ୍ଚଉପରେ କେତେଜଣ ବସି ପତର ଠୋଲାରେ ବରା ଖାଉଛନ୍ତି । ସେମାନଙ୍କ ଭିତରୁ ଜଣେ କେବଳ ଗାଉଁ ଗାଉଁଆ କଣ୍ଠରେ ସାହୁକୁ କହିଲା, ଧରମ ଛାଡ଼ିବା କଥା !

 

ଏସବୁ କଥାର ଉତ୍ତର ଦେବାପାଇଁ ସାହୁର ବେଳ ନାହିଁ । ସିଏ ଗୋଟାଏ ହାତରେ ଛାଣୁଛି ବରା, ଆଉ ଗୋଟାଏ ହାତରେ ଛାଣୁଛି ପଇସା । ସିଏ ନିର୍ଲିପ୍ତ କଣ୍ଠରେ ଉତ୍ତର ଦେଲା...“ଧରମ ତ ନିଜେ ଠିଆହୋଇଛି, ଗୋଟାଏ ଗୋଡ଼ରେ ! ତିନିଗୋଡ଼ ଖସିଲାଣି ! ନିଜ ରକ୍ଷଣ ଅସମ୍ଭାଳ !”

 

ସାହୁ କଥାରେ ସମସ୍ତେ ହସିଉଠିଲେ । ଯୋଉ ଲୋକଟି ଧରମ ଛାଡ଼ିବା କଥା କହୁଥିଲା; ସିଏ ଅପଦସ୍ତ ହେଲାପରି ଲାଗିଲା । ସେଇ ବେଞ୍ଚ୍ ଉପରେ ଟିକିଏ ଜାଗାଥିଲା । ମୁଁ ଜାକିଜୁକି ହୋଇ ବସିପଡ଼ିଲି । କିନ୍ତୁ ମୋର ବାବୁଭାୟା ଚେହେରା ଦେଖି, ସେମାନେ ନିଜେନିଜେ ଘୁଞ୍ଚି, ମୋ ପାଇଁ ଜାଗା କରିଦେଲେ ।

 

ସାହୁ କଥାରେ ସେ ଲୋକଟି ଅପଦସ୍ତ ହେଲା ସିନା; କିନ୍ତୁ ନିରସ୍ତ ହେଲା ନାହିଁ । ସେମିତି ଗାଉଁଗାଉଁଆ କଣ୍ଠରେ କହିଲା... “ଆରବର୍ଷ ପଇସାକୁ ଦଉଥିଲ ହେ ବଡ଼ ବରା । ଗୋଟାଏ ଖାଇଲେ ଆତ୍ମାପୁରୁଷ ତୃପ୍ତି ହେଇଯାଉଥିଲା ! ଆଉ ଏ ବରା କଳରେ ବି କଳେ ହଉନାହିଁ !”

 

ସାହୁ ବରାଛଣା ଜାଲିଟାକୁ କଡ଼େଇ ଦାଢ଼ରେ ଠାଉଠାଉ ପିଟି କହିଲା... “ଇରେ ତୁ ମଠରେ ଖାଉଚୁ କିରେ ? ସେଇ ବାଗେ କଥା କହୁଚୁ ଆଁ ! ଆରସନ ଟଙ୍କାକୁ ବିର୍‌ହି ଥିଲା ଜାଣ ଚାରିଗଉଣି । ଏ ସନ ଦି’ ଗଅଣ୍ଠ ଗଉଣି । ବାଦାମ ତେଲ ଆଠସେରିଆ ଟିଣ ଥିଲା ଦଶଟଙ୍କା । ଏ ସନ ସେଇ ତେଲଟିଣ ବାରଟଙ୍କା । ସେଥିରେ ଫେରେ କିଳାପୋତା, ବିଲାକ୍ !”

 

ଆଉ ଜଣେ ଗୋଟାଏ ଚେପା ଆଲୁମିନିଅମ୍ ଗ୍ଲାସ୍‌ରେ ପାଣି ପିଇ, ଅଇଁଠା ପତ୍ରଟା ଫିଙ୍ଗିଦେଇ କହିଲା... “କୋଉଥିରେ କିଳାପୋତା ନାଇଁ ? ଚେନୀ ପାଇଁ ପ୍ରେସିଦନ୍ତ ଦରଖାସ୍ତରେ ଗୋଟାଏ ମୋହର ମାରିଦେଲେ ନଉଚି ଆଠଣା; ତା’ ଉପରେ ପୁଣି ଦୋକାନୀର ଅଛି ବିଲାକ !”

 

ବିଲାକ୍, କିଳାପୋତା ଶବ୍ଦ ସବୁ ତାହେଲେ ନେଉଳପୁର ଗାଁକୁ ସୁଦ୍ଧା ଆମ୍‌ଦାନି ହୋଇଗଲାଣି ।

 

ସାହୁ ପଚାରିଲା... “ବାବୁ ବରା ଖାଇବେ ଆଁ ?”

 

ମୁଁ କହିଲି... “ଦିଅ । ଦି’ଅଣାର । ତରକାରି ଅଛି ?”

 

ସାହୁଠାରୁ ସକାଳୁ ଏ ପର୍ଯ୍ୟନ୍ତ କୌଣସି ଜଣେ ଗରାଖ ଏକାଥରେ ଦି’ଅଣାର ବରା ନେଇନାହାନ୍ତି ପରା ! ସାହୁ ଠୋଲାଭର୍ତ୍ତି ବରାଉପରେ କରଛୁଲୀରେ ଆଳୁବୁଟ ତରକାରି ଢାଳି, ମୋଆଡ଼େ ବଢ଼ାଇଦେଲା । ...“ବାବୁଙ୍କୁ ଟିକିଏ ଜାଗା ଛାଡ଼ିଦଉନାଁ ।”

 

ମୁଁ ଗୋଗ୍ରାସରେ ବରା ତରକାରି ଗିଳିଗଲି । ଜଣେ ମାଗିଲା... “ଚାଲୁ ଚା’ ଗିଲାସେ ?” ସାହୁ ଗୋଟାଏ କଳା କେଟ୍‌ଲିରୁ ଆଉରି କଳା ଚା’ ଗୋଟାଏ କସରା କାଚ ଗିଲାସରେ ଢାଳି ବଢ଼ାଇଦେଲା ।

 

ବିଲାକ୍, କୀଳାପୋତା, ଚାଲୁ ଚା’ ...ଅଭିଧାନକୁ ମହାଯୁଦ୍ଧର ନୂତନ ଅବଦାନ !

 

ଚା’ ଗିଲାସରୁ ଢୋକେ ପିଇ, ସେଇ ଲୋକଟି ପଚାରିଲା, “ଇଏ ଚା’ ନାଁ ଚିରେଇତା ପାଣି ବା ?”

 

“ଚାଲୁ ଚା’ ତ ସେଇଆ !” ...ସାହୁର କଣ୍ଠସ୍ୱର ନିର୍ଲିପ୍ତ ।

 

ବରାର ଆକାର ଓ ମୂଲ୍ୟ ଘେନି ଯିଏ ପ୍ରଥମେ ଆପତ୍ତି ଆରମ୍ଭ କହିଥିଲା, ସିଏ ବେଞ୍ଚ ଉପରେ ଆଣ୍ଠୁଭାଙ୍ଗି ଠୁଙ୍ଗା ବସି, ଦୁଇହାତ ଟେକି, କପାଳରେ କର ଜୋଡ଼ିଲା ପରି ଦୁଇକର ଜୋଡ଼ି ପଚାରିଲା... “ହଇଏ ବିରି, ଚେନୀ, କିରାସିନି, ବାଦାମ ତେଲ, ଏସବୁ ଯାଉଚି କୁଆଡ଼େ ?”

 

–“ନଢ଼େଇକୁ, ଆଉ ଯିବ କୁଆଡ଼େ ?”

 

“ନଢ଼େଇରେ ଗୋରା ଫଉଜ କ’ଣ ବରା ଖାଉଚନ୍ତି ?” କଣ୍ଠସ୍ୱରରେ ତା’ର ତାତ୍ସଲ୍ୟ, ପରିହାସ !

 

ସାହୁ ଉତ୍ତରଦେଲା... “ଆରେ ପୁଅ, ବିର୍‌ହୀରେ କେତେ ତାକତ ଜାଣିଚୁ ? ବିର୍‌ହୀ ନଖାଇଲେ ଗୋରା ଫଉଜ ନଢ଼ିବେ କେମତେ ?”

 

“ନାଇଁହେ, ଘୋଡ଼ା ଏ ବିର୍‌ହୀ ଖାନ୍ତି । ଗୋରା ଫଉଜ ଘୁଷୁରି ମାଂସ ଖାନ୍ତି । ଆମ ଗାଁ ପଦ ପଧାନ ନଢ଼େଇକୁ ଯାଇଚି ! ମୁଁ ଜାଣିନାଇଁ ?”

 

ସାହୁ ତଳେ କୁଢ଼ା ହୋଇଥିବା ପଇସାତକ ଗଣି, ଗୋଟାଏ ବାକ୍‌ସ ଭିତରକୁ ଗଳାଇଦେଲା । ବର୍ତ୍ତମାନ ତା’ ହାତକୁ ଦଣ୍ଡେ ଫୁରସତ୍ ମିଳିଚି । ମୁଁ କହିଲି... “ଚା” !

 

“ଇସ୍‌ପେସାଲ୍ ?”

 

ସାହୁ ଅନ୍ୟ ଗୋଟାଏ କେଟ୍‌ଲୀ ଚୁଲିଉପରେ ଗୋଟାଏ ସଣ୍ଡୁଆସୀରେ ଲଟକାଇ ଧରି କହିଲା... “ଇସ୍‌ପେସାଲ୍ ଚା’ ବାବୁ ଛଅ ପଇସା ।”

 

“ସାହୁ, ପଇସା ଲୁଟୁଚି ତ !”

 

“ହଁରେ ପୁଅ କଇବୁ ନାଇଁ କାହିଁକି ? ଚେନୀ ପାଇଁ ସହରକୁ ଯାଇଥିଲି ଯେ, କଚିରୀରେ ଅମଲା ନେଲା ଅଣ୍ଟାଗୁଞ୍ଜା ଦି’ ଟଙ୍କା ପରିମିଟି ପାଇଁ । ମୁଁ କହିଲି, ଟଙ୍କାଏ ନେଲେ ପଛେ ନିଅ, ଏକାଥରେ ଦି’ ଟଙ୍କା ? ଅମଲା କହିଲା ଟଙ୍କାକୁ ତିନିସେର ଚାଉଳ । ପିଲା ବିକଲା ନେଇ ଆମେ ଚଳିବୁ କେମତେ ? ଦି’ ଟଙ୍କା ଦେଲି । ସେଠୁ ଗୋଦାମରେ ବେପାରୀ କିଳାପୋତା ବସ୍ତାକରେ ନେଲା ଆଉରି ଦିଟଙ୍କା । ଫେରେ ଏଇ ରେଳ ଖଲାସିଟା ! ବସ୍ତା ମୁଣ୍ଡେଇ ଆସିଲା ବେଳକୁ, ସିଏ ନେଲା ଆଠଣା ! ଇସ୍‌ପେସାଲ୍ ଚେନୀ ଚା’, ଛ ପଇସାରେ ନ ବିକିଲେ କ’ଣ ଘରୁ ଖାଇ ଘୋଡ଼ା ଆଗରେ ଡେଇଁବି ଆଁ ?”

 

ସାହୁ କଥା ଯୁକ୍ତିଯୁକ୍ତ । ଘରୁ ଖାଇ କିଏ ଘୋଡ଼ା ଆଗରେ ଡେଇଁବ, ପୁଣି ବଣିଜରେ ?

 

ବେଞ୍ଚ୍ ଉପରୁ ଜଣେ ଜଣେ ହୋଇ ଗରାଖ ଉଠିବାର ଉପକ୍ରମ କରୁଛନ୍ତି । କାହା ହାତରେ ଦଉଡ଼ିରେ ବନ୍ଧା ହୋଇ ଝୁଲୁଚି ପତ୍ରକାହାଳୀ ଠିପିଦିଆ ବୋତଲ...ସିଏ ବୋଧହୁଏ ବାହାରିଚି କିରାସିନି ପାଇଁ; ଆଉ କିଏ ବା ଧରିଚି ଖାଲି ଟୋକେଇ ! ବୋଧହୁଏ ଧାନ ଖୋଜୁଚି ! ...ଇଏ ଜୀବନ । ଏହା ସହିତ ମୋର କେବେ ପରିଚୟ ନଥିଲା ତ ! ଦେଶ କହିଲେ ମାନଚିତ୍ରରେ ହଳଦିଆ, ନାଲି ବା ସାବ୍‌ଜା ଚେନାଏ ଭୂଖଣ୍ଡ ତ ନୁହେଁ ! ଦେଶ କହିଲେ ଏଇମାନେ...ଏଇ ବରା ଦୋକାନୀ ସାହୁ, ତା’ର ଗରାଖ, ପତ୍ରକାହାଳି ଠିପିଦିଆ କିରାସିନି ବୋତଲ, ଖାଲି ଟୋକେଇ !

 

ମୋର ଆଖି ଖୋଲିଗଲା ! ଦେଶର ମାନଚିତ୍ର ସହିତ ଇଏ ମୋର ଆଜି ନୂତନ ପରିଚୟ ।

 

ମୋର ଚା’ ଗ୍ଳାସଟା ଶେଷ ହୋଇଥିଲା । ଖରା କ୍ରମେ ଫିଟିଫିଟି ଆସୁଚି ! କ’ଣ କରିବି, କୁଆଡ଼େ ଯିବି, ସେଇତ ସମସ୍ୟା । ପ୍ରଜ୍ଞାଭଦ୍ରଜୀଙ୍କ କଥା ମନରେ ଉତ୍ତେଜନା ଆଣିଲା–ସୁଭାଷବୋଷ ମାଡ଼ିଆସୁଚନ୍ତି, ମାଳୟ, ସିଙ୍ଗାପୁର, ବର୍ମା ଗଲାଣି, ଭାରତ ଯିବ ! ଯାଅ, ସେଥିପାଇଁ ଲୋକମାନଙ୍କ ଭିତରେ କ୍ଷେତ୍ର ପ୍ରସ୍ତୁତ କର ! କିନ୍ତୁ କିପରି ? କିପରି ? ଏମାନଙ୍କ ଭିତରେ ଅଶାନ୍ତି ଅଛି, ମାତ୍ର ଏମାନେ ଅଶାନ୍ତି ନୁହନ୍ତି । ଏମାନଙ୍କ ଭିତରେ ବିକ୍ଷୋଭ ଅଛି; କିନ୍ତୁ ନାହିଁ ବିଦ୍ରୋହ ! ଏମାନେ ସବୁ ମାନିନେଇଛନ୍ତି, ଲଲାଟ ଲିଖନ ପରି ।

 

ବେଞ୍ଚ୍ ଉପରେ ଠୁଙ୍ଗାହୋଇ ଯିଏ କପାଳରେ କରଯୋଡ଼ି କାହାକୁ ଗୁହାରି କରିବା ପରି ବସିଥିଲା; ସିଏ କହିଲା... “ଏ ନଢ଼େଇ ଘରେଘରେ କଳାକନା ବୁଲେଇଦେଲା ! ସାହୁ, ଡିବି ତେଲ ବୋତଲେ କେମିତି ମିଳିବ କହିଲ ? ପ୍ରେସିଦନ୍ତ ପାଖରେ ଆଠଣା ପଇସାଗଣି, ଦରଖାସ୍ତରେ ମୋହର ମରେଇ ବୁଲୁଚି । ଦୋକାନୀ କହୁଚି, ପ୍ରେସିଦନ୍ତ ମୋହର ମାରିଦେଲେ ଦେଇଗଲା ? ବିଲାକ୍ ନେ ପଛେ ! ତେବେ କି କହୁଚି, ଆରେ ଚିଜ ଥିଲେ ସିନା ଦେବ ! ଡିବି ତେଲ ଉଭାନ୍‌ ହୋଇଗଲା କୁଆଡ଼େ ?”

 

“ସବୁ ଯାଉଚି ନଢ଼େଇକୁ !”

 

ନଢ଼େଇ ! ନଢ଼େଇ ! ...ଏ ସୀମାନ୍ତକୁ ଆଗୋଳିବ କିଏ ?

 

ଜଣେ କହିଲା... “ମାଳିକା କହିଚି ପରା, ମୋହନା ମୁଗଲ ମାତିବ । ଏ ଦେଶରୁ ଗୋରା ଶାସନ ହଟିବ । ତେବେ ଯାଇଁ ମାଟିରେ ଦୁବ କଅଁଳିବ ।”

 

ସାହୁ ଖଣ୍ଡେ ବିଡ଼ିରେ ନିଆଁ ଲଗାଇ କହିଲା... “ଗାନ୍ଧୀ ମହାତ୍ମାଙ୍କୁ ନେଇ ତ ଗୋରା ସରକାର ଜିଅଲ୍‌ରେ ପୂରାଇଲାଣି ! ମୋହନା ମୁଗଲ ଆଉ ମାତିବ କୁଆଡ଼ୁ ?”

 

“ଜିଅଲ୍‌ରେ ପୂରାଇଲାଣି ? କେବେ ବା ?”

 

“ଆରେ ତୁ ଜାଣିନୁ ? କଂସ ସେମିତି ବାସୁଦେବଙ୍କୁ ନେଇ ଜିଅଲ୍‌ରେ ରଖିନଥିଲା କି ? ଆରେ ଗାନ୍ଧୀ ମହାତ୍ମା ସେଇ ବିଷ୍ଣୁକଳାରେ ଜନ୍ମ ନେଇଚନ୍ତି ! ଗୋରା ସରକାରକୁ ଧ୍ଵଂସିବେ !”

 

ସାହୁ କହିଲା... “ସତ କହିଚ । ତା’ନହେଲେ ଦେଖିଲ ନାଇଁ, ଗାନ୍ଧୀ ମହାତ୍ମାଙ୍କ ହାତରେ ଗୋରା ସରକାର ଯୋଉଦିନ କଡ଼ି ପକେଇଲା, ସେଦିନ ଗଛ ପତର ସବୁ କେମିତି ଝାଉଁଳିପଡ଼ିଲେ-!”

 

ପ୍ରଜ୍ଞାଭଦ୍ରଜୀ କହିଥିଲେ ଏଇମାନଙ୍କ ଭିତରେ ଜାଗରଣ ସୃଷ୍ଟି କରିବାପାଇଁ । କାହିଁକି କହିଥିଲେ, ଏବେ ସ୍ପଷ୍ଟ ବୁଝିପାରୁଚି । ମାଳିକା, ମୋହନା ମୁଗଲ ଖାଲି ଟୋକେଇ ଆଉ କିରାସିନି ବୋତଲ ଲଟକେଇ ଏମାନେ ବୁଲୁଚନ୍ତି । ବରା ଖାଉଚନ୍ତି । ଦେଶରେ ଯେ ଏତେବଡ଼ ଗୋଟାଏ ମୁକ୍ତି–ସଂଗ୍ରାମ ଚାଲିଛି, ଆଉ ସେଥିରେ ଏମାନଙ୍କର ଗୋଟାଏ ଭୂମିକା ଅଛି, ଜାଣିନାହାନ୍ତି ଏମାନେ ! ସ୍ଲୋଗାନ୍‌ ଦେଇ ଜାଣିନାହାନ୍ତି...ଇନ୍‌କିଲାବ୍ ଜିନ୍ଦାବାଦ୍ !

 

ମୁଁ ବି ତ ଜାଣିନଥିଲି ! ମୁଁ ଛୁଟିଥିଲି, ପାଣିଚିଆ ରୋମାନ୍‌ସ୍‌ ଆଉ ଟ୍ରାଜେଡ଼ୀ ପଛରେ ।

 

ମୁଁ କହିଲି... “ସୁଭାଷ ବୋଷ ମାଡ଼ିଆସୁଚନ୍ତି । ବର୍ମା ଗଲାଣି । ଭାରତ ବି ଯିବ !”

 

“ସୁବାସ ବୋଷ କିଏ ବା ?” ...ଅନେକ କଣ୍ଠରେ ମିଳିତ ପ୍ରଶ୍ନ ! ନାଁଟା ପ୍ରଥମେ ମୋ ମୁହଁରୁ ଶୁଣୁଥିଲେ ପରା !

 

ମୁଁ ବା ସୁଭାଷଙ୍କ ସମ୍ପର୍କରେ ଜାଣିଥିଲି କ’ଣ ? ଜୟମଙ୍ଗଳା ମେସ୍‍ଠାରୁ ଅଳ୍ପଦୂରରେ ଥିଲା ତାଙ୍କ ବାପାଙ୍କ କୋଠା । ସିଏ କୁଆଡ଼େ ଏଇ ସହରରେ ପାଠ ପଢ଼ିଥିଲେ । ଯୋଉ ବୁଢ଼ୀ ଦୋକାନରୁ ପିଲାଙ୍କ ମେଳରେ ସିଏ ବରା କିଣି ଖାଉଥିଲେ–ଆମ ଗଳି ମୁଣ୍ଡରେ–ସିଏ ଦିନେଦିନେ ବରା ଛାଣୁଛାଣୁ କହେ ସୁଭାଷଙ୍କ କଥା । ଶୁଣିଥିଲି ଖାଲି ନାଁଟା ମାତ୍ର ।

 

ତା’ପରେ ଖବରକାଗଜରେ ଦିନେ ପଢ଼ିଥିଲି, ସେଇ ଚାଞ୍ଚଲ୍ୟକର ସମ୍ବାଦ ! ଗୋରା ଜଗୁଆଳି ଆଖିରେ ଧୂଳିଦେଇ, ସୁଭାଷ ବୋଷ ହଠାତ୍‌ ଦିନେ କଲିକତା ଘରୁ ହୋଇଗଲେ ଉଭାନ୍‌-। ନିଶ୍ଚୟ ଅଦ୍ଭୁତକର୍ମା ପୁରୁଷ । ପ୍ରଜ୍ଞାଭଦ୍ରଜୀଙ୍କ କଥା, ମୋ ମନରେ ଗୋଟାଏ ଦୃଢ଼ ପ୍ରତ୍ୟୟ ଜନ୍ମାଇ ଦେଇଥିଲା–ସେଇ ଏକା ପରିତ୍ରାଣ କରିବେ, ଏଇ ପରାଧୀନ ଦେଶକୁ ! ଓପାସ କରି, ଚରଖା କାଟି ନୁହେଁ–ଖଣ୍ଡା ଧାରରେ !

 

ମୁଁ କହିଲି... “ସୁଭାଷ ବୋଷ ଆଜାଦ୍ ହିନ୍ଦ୍ ଫଉଜ ପରି ମାଡ଼ିଆସୁଚନ୍ତି, ଗୋରାଙ୍କୁ ଏ ଦେଶରୁ ନିପାତ୍ କରିବାପାଇଁ !”

 

ମୋ କଥାରେ ସାହୁର ପ୍ରତ୍ୟୟ ହେଲା ନାହିଁ ।

 

ମୋହନା ମୁଗଲ ତ ଗାନ୍ଧୀ ମହାରାଜ ! ଆଉ ଏ ସୁଭାଷ ବୋଷ ନାଁ ମାଳିକାରେ ନାଇଁ ତ ! ସାହୁ ପଚାରିଲା, “ବାବୁ ତମେ ଗାନ୍ଧୀବାଲା ନୁହଁ କି ? ମାଳିକାରେ ଅଛି ମୋହନା ମୁଗଲ ମାତିବ !” କ’ଣ ଉତ୍ତର ଦେବି, ହଠାତ୍ ସ୍ଥିର କରିପାରିଲି ନାହିଁ । ମୁଁ କି ବାଲା ଏ ପର୍ଯ୍ୟନ୍ତ ନିଜେ ତ ଠିକ୍ ଜାଣେନାଁ ! ଗାନ୍ଧିଜୀକୁ ଜାଣେନାଁ । ଗାନ୍ଧୀ ମୋ ପକ୍ଷରେ ଏକ ସଂଜୀବନୀ ନାମ ମାତ୍ର ! ସୁଭାଷ ଏକ ରହସ୍ୟମୟ ଉପକଥାର ନାୟକ ! କିନ୍ତୁ ଗାନ୍ଧିଜୀଙ୍କ ନାମ ଉଚ୍ଚାରଣ କରି, ସେଦିନ ଯେ ମୁଁ କଲେଜ ଫାଟକ ଆଗରେ ଲମ୍ଫଝମ୍ପ ଦେଇଥିଲି, ଅସ୍ଵୀକାର କରିବାର ଉପାୟ ନାହିଁ । ଏହା ତ ସେଦିନ ସାମୟିକ ଉତ୍ତେଜନା ନଥିଲା । ଏହା ଥିଲା ମୋର ନିଷ୍ପେଷିତ ଆବେଗର କ୍ରୁଦ୍ଧ ବିସ୍ଫୋରଣ । ସେଇ ବିସ୍ଫୋରଣର ଆଘାତ ମୋର ଜୀବନର ଗତିପଥ ବଦଳାଇଦେଇଛି । ମୁଁ ଉତ୍ତର ଦେଲି... “ମୁଁ ଗାନ୍ଧୀବାଲା । ସୁଭାଷ ବୋଷ ବି ଗାନ୍ଧୀବାଲା !”

 

ସାହୁ ଏଣିକି ତେଣିକି ଚାହିଁ, କଣ୍ଠସ୍ୱର ନୁଆଇଁ କହିଲା... “ହୁସିଆରଥିବ ବାବୁ । ଗାନ୍ଧୀବାଲାଙ୍କ ଉପରେ ପୁଲିସର କଡ଼ା ନଜର । କେତେବେଳେ ବାନ୍ଧି ନେଇଯିବେ, ଠିକଣା ନାଇଁ । କେତେଙ୍କୁ ବାନ୍ଧିନେଲେଣି ! ଇଆଡ଼େ ଯିବ କୁଆଡ଼େ ?”

 

ସତେ ତ ଯିବି କୁଆଡ଼େ ? ଏପର୍ଯ୍ୟନ୍ତ, ଏପରି ପ୍ରଶ୍ନର ଉତ୍ତର ତ କେବେ ଭାବିନଥିଲି । ଟ୍ରେନ୍‌ରେ ଉଠିବା ବେଳେ, ମନେମନେ କେବଳ ଗୋଟାଏ ନିଷ୍ପତ୍ତି ନେଇଥିଲି, ଯୋଉଠି ଓହ୍ଲେଇବି, ସେଉଠୁ ଆରମ୍ଭ ହେବ ମୋର ଅଣ୍ଡର୍‌ଗ୍ରାଉଣ୍ଡ୍ ! କିନ୍ତୁ ଅଣ୍ଡର୍‌ଗ୍ରାଉଣ୍ଡ୍‌ର ଅର୍ଥ ତ ନେଉଳପୁର ନୁହେଁ !

 

ସାହୁକୁ ବିଶ୍ୱାସ କଲେ ଚଳିବ । ମୁଁ ଅଗତ୍ୟା କହିଲି “ଏ ଅଞ୍ଚଳକୁ ଗାନ୍ଧୀ ମହାରାଜଙ୍କ କାମ କରିବାପାଇଁ ନୂଆ ଆସିଚି ତ ! ସେଥିପାଇଁ କୋଉଠିକି ଯିବି ସ୍ଥିର କରିନାହିଁ !”

 

ସାହୁର ଏ ଓଳି ଦୋକାନ ବନ୍ଦ କରିବା ବେଳ ହୋଇଯାଇଥିଲା । ସକାଳ ବିକ୍ରି ପଇସାତକ ଗୋଟାଏ ଅଖାମୁଣିରେ ବାନ୍ଧୁ ବାନ୍ଧୁ ସେ କହିଲା... “ଏଇ ବାଟେ ବାଟେ ସିଧା ଚାଲି ଯା ମଙ୍ଗରାଜପୁର ଆଶ୍ରମକୁ । ସେଠି କେତେଜଣ ଗାନ୍ଧୀବାଲା ଅଛନ୍ତି ।”

 

ଅଥଳ ଦରିଆରେ ଗୋଟାଏ ଦ୍ୱୀପର ସନ୍ଧାନ ମିଳିଗଲା...ମଙ୍ଗରାଜପୁର ! କିନ୍ତୁ କେଉଁଠି-?” କେତେବାଟ ?”

 

“ହେଇତି ମ ବାଟ ଅଧକୋଶ ହବ ନାଇଁ । ବିରୂପା ନଈ ଏ ପାଖରେ ପ୍ରୀତିପୁର, ସେଇ ଘାଟରେ ପାରିହୋଇଗଲେ ତ ମଙ୍ଗରାଜପୁର !”

 

ମାଟି ସଡ଼କ । ମଝିରେ ମଝିରେ ଶଗଡ଼ଗୁଳା ଲମ୍ବିଯାଇଛି ମଲା ଅଜଗର ପରି । ଠାଏ ଠାଏ ଦହ । ସଡ଼କ ଦୁଇଧାରରେ ପାଦଚଲା ବାଟ କେବଳ ଶୁଖିଲା । ଭାଦ୍ରବର ମୁଣ୍ଡଫଟା ଖରା ନିଆଁ ଝାଡ଼ୁଚି । ରାସ୍ତାରେ ଲୋକ ଚଳାଚଳ ପ୍ରାୟ ନାହିଁ । ରାସ୍ତା ଦୁଇପାଖରେ ଧାନକ୍ଷେତ ସବୁ ରୋଗିଣା ଦିଶୁଛି । ଚାଷ ବିଷୟରେ ଜ୍ଞାନ ତ ଖୁବ୍ କମ୍ । ତଥାପି ମନେହେଲା, ବର୍ଷା ଅଭାବରୁ ଧାନଗଛ ସବୁ ବୋଧହୁଏ ଝାଉଁଳି ପଡ଼ିଲାଣି । ତଥାପି ଏଠିସେଠି ମଣିଷମାନେ ବିଲ ଭିତରେ ଆଣ୍ଠେଇ କ’ଣ ସବୁ ବିଲକାମ କରୁଛନ୍ତି । ବାଳୁଙ୍ଗା ବାଛୁଥିବେ ପରା ! ମଣିଷର ଏ ଚେହେରା ତ କେବେ ଦେଖିନଥିଲି ! କିନ୍ତୁ ଦେଶ କହିଲେ ତ ଏଇମାନେ !

 

ବିଲ ଭିତରୁ ତିନି ଚାରିଜଣ ମଣିଷ, ମୁଣ୍ଡଉପରେ ଗୋଟାଏ ଗୋଟାଏ ଖାଲି ଟୋକେଇ ଉଗୁଡ଼ାଇ ରାସ୍ତା ଉପରକୁ ଉଠିଆସିଲେ । ଦେହ ଫୁଙ୍ଗୁଳା । ଆଣ୍ଠୁ ନ ଲୁଚିଲା ଭଳି ଖଣ୍ଡେଖଣ୍ଡେ କୋଚଟ ଲୁଗା ! କେହି କେହି ହାତରେ ଝୁଲାଇଛନ୍ତି, ପତ୍ରକାହାଳୀ ମୋଡ଼ା ଖାଲି ବୋତଲ । ଏଇ ଟୋକେଇ ଆଉ କାହାଳୀଚୁଣ୍ଟା ବୋତଲ ଇ ଏମାନଙ୍କର ପରିଚୟ...ବାହାରିଛନ୍ତି ନିଶ୍ଚୟ କଣ୍ଟ୍ରୋଲ ଚାଉଳ ଆଉ କିରାସିନି ସନ୍ଧାନରେ । ସୀମାନ୍ତଠାରୁ ବହୁ ଦୂରରେ ମହାଯୁଦ୍ଧର ଶିକାର ! କିନ୍ତୁ ଏମାନେ ମୂକ, ମୌନ କାହିଁକି ? କାହାରି ତୁଣ୍ଡରେ କଥା ନାହିଁ ! ପରିବେଶର ନିଃସଙ୍ଗତା, ନିର୍ଜନତାକୁ ବଢ଼ାଇ ଦେଇଛନ୍ତି ଏମାନେ ! ଅଥଚ ଏଇ ମୌନମାନଙ୍କୁ ମୁଖର କରିବାପାଇଁ ତ ପ୍ରଜ୍ଞାଭଦ୍ରଜୀ ମୋତେ ଦେଇଥିଲେ ନିର୍ଦ୍ଦେଶ ! ...କିନ୍ତୁ କିପରି ? କିପରି ?

 

“ଭାଇ ଶୁଣିବ ଟିକିଏ ?”

 

ଦୁଇଜଣ ସେଇ ଚେହେରାର ମଣିଷ, ଲମ୍ବ ଲମ୍ବ ପାହୁଲ ପକାଇ ମୋତେ ଅତିକ୍ରମ କରି ଯାଉଥିଲେ । ସେମାନେ ମୋ ଆଡ଼େ ଚାହିଁଲେ । ଆଖିରେ ସେମାନଙ୍କ ସନ୍ଦେହ । ସହରୀ ଧୋବଧାଉଳିଆ ଚେହେରା । ମୋ ଉପରେ ସେମାନଙ୍କର ପ୍ରତ୍ୟୟ ହେଲା ନାହିଁ ପରା ! ଏମାନଙ୍କ ଦୃଷ୍ଟିରେ କେଜାଣି, ଆମେ ଦୁଇଟା ନିଆରା ଦୁନିଆର ମଣିଷ ! ଇଏ ପୁଣି ଡାକିବ ଭାଇ ? ମତଲପ୍ ଥିବ ପରା !

 

ସେମାନେ ମୋ ଆଡ଼େ ଚାହିଁ ଅଟକିଗଲେ । ମୋତେ ଦେଖୁଛନ୍ତି, ଅଥଚ ଦେଖିପାରୁନାହାନ୍ତି ! ଏପରି ବିଚିତ୍ର ଆଖି ମୁଁ ଆଉ କେବେ ଦେଖିନଥିଲି । ମାଟି ପରି ଉଦାସୀନ ! ଆକାଶ ପରି ନିସ୍ପୃହ ।

 

“କୁଆଡ଼େ ଯିବ ?” –ମୁଁ ପଚାରିଲି ।

 

ଜଣେ ଉତ୍ତର ଦେଲା–“ପ୍ରେସିଦନ୍ତ ଘରକୁ । ସେଠୁ ଗୋଲାକୁ । ସେଠୁ କନ୍‌ଟ୍ରୋଲ ଦୋକାନକୁ ! ଆଉ କୁଆଡ଼େ ?”

 

କନ୍‌ଟ୍ରୋଲ ଶବ୍ଦଟାବି ତାହେଲେ ଆମଦାନୀ ହୋଇଗଲାଣି ?

 

ଆର ଜଣକ କହିଲା... “ମୋହର ବାଡ଼େଇବା ପାଇଁ ପ୍ରେସିଦନ୍ତର ଅଣ୍ଟାଗୁଞ୍ଜା ଆଠଅଣା-। ଗୋଲା ଚାଉଳରେ ଅଧା ଚାଉଳକୁ ଅଧା ଗୋଡ଼ି । କନ୍‌ଟ୍ରୋଲ ଦୋକାନରେ କିରାସିନି ପାଇଁ କୀଳାପୋତା !” ...ମହାଯୁଦ୍ଧ ! ସେମାନେ ଲମ୍ବ ଲମ୍ବ ପାହୁଲ ପକାଇ ଆଗେଇଗଲେ-। ମଙ୍ଗରାଜପୁର କୋଉଠି, କେତେବାଟ ପଚାରିପାରିଲି ନାହିଁ ସେମାନଙ୍କୁ ।

 

ମାଟି ସଡ଼କ ଅଙ୍କେଇ ବଙ୍କେଇ ଲମ୍ବିଯାଇଛି, ଉଦାସ ନାଗେଶ୍ୱରୀ ପରି । ଖଜୁରି ଗଛଟାଏ ଅଲିରା ବାଳ ଲମ୍ୱାଇ ଚିରଗୁଣୀ ପରି ଏକୁଟିଆ ଠିଆହୋଇଛି । ଭଦଭଦଳିଆଟାଏ ଖଜୁରି ଡାଳରୁ ଉଡ଼ିଗଲା । ବୋଉ କହେ ଭଦଭଦଳିଆ ଦେଖିଲେ ଶୁଭ । କୋଉ ଶୁଭ ଯୋଗ ଆଜି ଅଛି ମୋ ଯୋଗରେ ? ମ–ନୁ–ଆଁ...ପଛକୁ ଫେରି ଚାହିଁଲି । ନାଁ, ଇଏ ମୋର ଭ୍ରମ ! କେହି ମୋତେ ଡାକୁ ନାହିଁ । ରାସ୍ତାଟା କିନ୍ତୁ ଭାରୀ ଏକଟଣା, ନିଛାଟିଆ ଲାଗୁଛି ! ଭୋଦୁଅ ଆକାଶ ଖଣ୍ଡା ଦାଢ଼ ପରି ଖରାରେ ଚକ୍‍ଚକ୍ କରୁଛି ।

 

ବୁଢ଼ାଟିଏ ବସିଛି ସଡ଼କ ଧାରରେ ଗୋଟାଏ ଗଛ ଛାଇରେ । ମୁଣ୍ଡରେ ଗୁଡ଼ାଇଛି ଖଣ୍ଡେ ଗାମୁଛା । ଏକ ଲୟରେ ଚାହିଁ ରହିଛି ରୋଗିଣା ଧାନକ୍ଷେତ ଆଡ଼େ । କୃଷି ବିଷୟରେ ମୋର ଜ୍ଞାନ ବା ଅଭିଜ୍ଞତା ନାହିଁ । କିନ୍ତୁ ସେଇ ନେଉଳପୁରରୁ ବାହାରିବା ବେଳଠୁ ଦେଖିଆସୁଛି, ରାସ୍ତାକଡ଼ରେ ଧାନକ୍ଷେତ ମାନଙ୍କରେ ଧାନଗଛର ସବୁଜଛନଛନ ଚେହେରା ନାହିଁ । ଶେତା ରୋଗିଣା ଦିଶୁଛି ! ରୁଗ୍‍ଣ ଶିଶୁର ମୁହଁପରି ।

 

ଛାଇରେ ବୁଢ଼ାପାଖରେ ବସିପଡ଼ିଲି । ମୋର ମଧ୍ୟ ପ୍ରୟୋଜନ ଥିଲା, ଟିକିଏ ବିଶ୍ରାମ । ପଞ୍ଜାବୀଟା ଝାଳରେ ଭିଜିଗଲାଣି । ତଉଲିଆଟା ଯୋଗୁ ମୁଣ୍ଡକୁ ଖରା ବାଧୁ ନାହିଁ । ବୁଢ଼ା ମୋ ଆଡ଼େ ଥରେ ସେଇପରି ସନ୍ଦିଗ୍ଧ ଦୃଷ୍ଟିରେ ଚାହିଁ ପୁଣି ଆଖି ଫେରାଇନେଲା । ତା’ ଆଖି ଲାଖିଯାଇଛି, ସେଇ ଧାନକ୍ଷେତର ରୋଗିଣା ଚେହେରା ଉପରେ । ଗୋଟାଏ ଦୀର୍ଘଶ୍ୱାସ ବେଳେବେଳେ ବାହାରିଆସୁଛି ।

 

ମୁଁ ଖଣ୍ଡେ ସିଗାରେଟ୍‌ରେ ଦିଆସିଲିରୁ ନିଆଁ ଧରାଇ ପଚାରିଲି... “ମଉସା, କ’ଣ ଦେଖୁଚ ?”

 

“ଧାନକିଆରି” ...କଣ୍ଠସ୍ୱର ନିସ୍ପୃହ । ସେଥିରେ ଆବେଗ ନାହିଁ, ଉତ୍ତାପ ନାହିଁ, ଶୋଚନା ନାହିଁ ! ଏମାନଙ୍କ କଣ୍ଠସ୍ୱର ସବୁ ଏପରି କାହିଁକି ?

 

“କ’ଣ ହେଲା ?”

 

“କେଇ ଅସରା ଟାଣ ମେଘ ହୋଇଥିଲେ, ଧାନ ଏ ସନ ଭଲ ଉତୁରିଥାନ୍ତା । ଇନ୍ଦ୍ର ଉପରେ ବଳ କାହାର ?”

 

“ସେଉଠୁ ?”

 

“ସେଉଠୁ ଆଉ କ’ଣ ? ଟଙ୍କାରେ ଚାରଣା ସୁଦେ ଅମଳ ହେବନାଇଁ !” ନିରୁଦ୍‌ବିଗ୍ନ କଣ୍ଠସ୍ୱର । ବୁଢ଼ା କହିଲା... “ଏ ସନ ମରୁଡ଼ି !” ମରୁଡ଼ି ଯେପରି ତା’ର ଦେହସାରା ! ସିଏ ତାକୁ ମାନିନେଇଛି, ଅଲଘଂନୀୟ ବିଧାନରୂପେ ।

 

ଆଶ୍ଚର୍ଯ୍ୟ ! ତା’ର ଏତେ ଶ୍ରମ, ଏତେ ଆଶା ବୃଥା ହୋଇଗଲା ! ତଥାପି ତା’ର ସନ୍ତାପ ନାହିଁ !

 

“କ’ଣ କରିବି ?” ...ମୁଁ ପଚାରିଲି । ଏଇ ମୁଖାମାନଙ୍କ ସହିତ, କେମିତି ମୁଁ ଯୋଗସୂତ୍ର ସ୍ଥାପନ କରିବି, ସେଇ ଥିଲା ମୋ ପକ୍ଷରେ ସମସ୍ୟା । ଏମାନେ କ’ଣ ବୁଝିବେ, ସୁଭାଷ ବୋଷଙ୍କୁ ଦିଲ୍ଲୀ–ଚଲୋ ଡାକର ଅର୍ଥ ? ଏମାନେ କ’ଣ ବୁଝିବେ, ଗାନ୍ଧୀ ମହାତ୍ମାଙ୍କ ନିର୍ଦ୍ଦେଶ କର ବା ମର ? ଦେଶରେ ସ୍ଵାଧୀନତା ପାଇଁ ଯେ ଏତେ ବଡ଼ ଆନ୍ଦୋଳନ ଚାଲିଛି, ତା’ର ତରଙ୍ଗ କାହିଁ ଏମାନଙ୍କ ଜୀବନରେ ?

 

“କ’ଣ କରିବ ଭାବୁଚ ?” ...ମୁଁ ଆଉଥରେ ପଚାରିଲି ।

 

“ପୁଣି ଧାନ ରୋଇବି । ତଳି ମିଳିଲେ ହେଲା ।”

 

“ଏ ସନ ?”

 

“ପ୍ରେସିଦନ୍ତ ଦାଣ୍ଡକୁ ଧାଇଁ ବି । ମୋହର ମାରିଲେ ଅଣ୍ଟାଗୁଞ୍ଜା ଆଠଅଣା । ପଇସା ମିଳିଲେ ଗୋଲାରୁ ଗୋଡ଼ ମିଶା ଚାଉଳ କିଣିବି । ନଇଲେ କଇଁନାଡ଼, କଇଁମୂଳ !”

 

“ପ୍ରେସିଡ଼େଣ୍ଟ ମୋହର ମାରିଲେ ଆଠଅଣା ନଉଚି କାହିଁକି ?”

 

“କୀଳାପୋତା !” –ଇଏ ଯେମିତି ଜୀବନର ସାଧାରଣ ନିୟମ ହେଲାଣି ।

 

ମୋର ଅନ୍ତରାତ୍ମା ବିଦ୍ରୋହ କରିଉଠିଲା । କିଏ ଶୋଷଣ କରୁଚି, କିଏ ଲୁଣ୍ଠନ କରୁଚି ଏଇ ନିରନ୍ମ ଜନତାକୁ ? ଇଂରେଜ ସରକାର ନାଁ ସେମାନଙ୍କର ଅସ୍ତ୍ର ଏଇ ପ୍ରେସିଦନ୍ତ ମାନେ ? ଗାନ୍ଧୀ, ସୁଭାଷ, ଗୋରାମାନଙ୍କୁ ତ ଏ ଦେଶରୁ ତଡ଼ିବେ । କିନ୍ତୁ ଏଇ ପ୍ରେସିଦନ୍ତମାନେ ଦେଖାଦେବେ ଭିନ୍ନ ରୂପରେ, ଭିନ୍ନ ନାମରେ ! ସେମାନେ ତ ଆଉ ବିଦେଶୀ ନୁହଁନ୍ତି ! ତାହେଲେ ? ଆଗେଇଗଲି, ଅଛିଣ୍ଡା ବାଟରେ ।

 

ଆଉରି ଏକ ବିଚିତ୍ର ଦୃଶ୍ୟ ।

 

ଗୋଟାଏ ବାଉଁଶ ବୋଝେଇ ଶଗଡ଼ ବିପରୀତ ଦିଗରୁ ଆସୁଥିଲା କେଁ–କଟର ବିଳାପ କରି; ଦୁଇଟା ବଳଦ ଆଉ ଦୁଇଜଣ ମଣିଷ । କାଦୁଆ ଶଗଡ଼ ଗୁଲାରେ ଚକ ଧଷିଯାଉଚି । ପଛ ମଣିଷଟା ଝାଳନାଳ ହୋଇ, ହାଁ–ହାଁ–ଶବ୍ଦ କରି, ପଛରୁ ଶଗଡ଼ ଦଣ୍ଡା ଠେଲୁଚି । ଡାହାଣପଟର ବଳଦଟା ଆଖି ଡିମା ଡିମା କରି ପାଦେପାଦେ ଆଗୋଉଚି । କିନ୍ତୁ ବାଁପଟ ବଳଦଟା ଆଉ ପାରୁନାହିଁ । ତା’ ପିଠିରେ ପଡ଼ୁଚି ଅର୍ଦ୍ଦାଳୁଆ ପାଞ୍ଚଣ ପାହାର ! ଏଇ ମୋର ଦେଶ ! ଯିଏ ପିଟୁଚି, ସିଏ ମଧ୍ୟ କଙ୍କାଳସାର ! ପଛରୁ ଦଣ୍ଡା ଠେଲିବାଟା କଷ୍ଟ କାର୍ଯ୍ୟ ! ସେଥିପାଇଁ ସିଏ ନେଉଚି ପାଞ୍ଚଣ ପିଟି ଶଗଡ଼ ଆଗେଇବାର ଦାୟିତ୍ଵ ! କିନ୍ତୁ ବାଁପାଖ ବଳଦର ଶେଷ ନିଷ୍ପତ୍ତି...ଆଉ ପାଦେ ସିଏ ହୁଙ୍କିପାରିବ ନାହିଁ ! ଏ ବୋଝ ସିଏ ଆଉ ସମ୍ଭାଳିପାରିବ ନାଇଁ । ଯେତେ ପାଞ୍ଚଣ ଅଛି ତା’ ପିଠିରେ ସବୁ ଭାଙ୍ଗି ଚୁନା ହୋଇଯିବ ସିନା, ପାଞ୍ଚଣ ପିଟି ଖାଉନ୍ଦ ତାକୁ ଆଗକୁ ଆଉ ପାଦେ ହୁଙ୍କାଇ ପାରିବ ନାହିଁ ! ପଦବାବୁଙ୍କ ପିଠିରେ ପୋଲିଶ ସେଦିନ କଲେଜ ହତାରେ ଏଇମିତି ନିର୍ଘାତ ପିଟୁଥିଲା ।

 

ବାଇଆଁଟା ସଡ଼କ ଉପରେ ଥୋମଣି ଲମ୍ବାଇ ଶୋଇପଡ଼ିଲାଣି । ଆଖି କିନ୍ତୁ ବୁଜି ନାହିଁ-। ଡିମାଡ଼ିମା ଆଖିରେ ତା’ର ବିକାର ନାହିଁ । ପିଠିରେ ପାଞ୍ଚଣ ପରେ ପାଞ୍ଚଣ ଭାଙ୍ଗିବା ବେଳେ, ଯନ୍ତ୍ରଣାବୋଧର କ୍ଷୀଣତମ ସୂଚନା ନାହିଁ । ଏ ପାଞ୍ଚଣ ମାଡ଼ ତ ଦିହସହା ବ୍ୟାପାର !

 

ଶଗଡ଼ିଆ ପାଞ୍ଚଣଟା ଫିଙ୍ଗିଦେଇ କହିଲା...ଯାଃ ଶଳା ।” ତା’ପରେ ସଡ଼କ କଡ଼ରେ ଆଣ୍ଠୁ ଭାଙ୍ଗି, ଗୋଟାଏ ଖଜୁରି ଗଛ ମୂଳେ ଠୁଙ୍ଗା ବସିପଡ଼ିଲା ! ...ପଦବାବୁଙ୍କ ଆଖିଦୁଇଟା ଠିକ୍ ଏଇ ବଳଦର ଆଖିପରି; ସର୍ବଂସହା ଧରିତ୍ରୀର ଆତ୍ମା ! ପୋଲିସ ସେଦିନ ତାଙ୍କୁ ଠିକ୍ ଏଇପରି ପିଟିଥିଲା, କଲେଜ ହତାରେ । ହାତରେ ତ୍ରିରଙ୍ଗା ପତାକା । ଯନ୍ତ୍ରଣାର ଆର୍ତ୍ତନାଦ ନାହିଁ ! କେବଳ ମହାତ୍ମା ଗାନ୍ଧୀ କି ଜୟ ! ହାତ ଜାବ ପଡ଼ିଯାଇଛି । ପତାକା ଛଡ଼ାଇ ନପାରି, ପୋଲିସ–ବାଲା ଅବଶେଷରେ ତାଙ୍କୁ ଭ୍ୟାନ୍‌ରେ ପକାଇ ନେଇଗଲେ ଲାସ୍ ପରି । କିଏ ହାରିଲା, କିଏ ଜିତିଲା କେଜାଣି ?

 

ମୁଁ ଖଜୁରିଗଛ ମୂଳକୁ ଆସି, ସେଇ ଶଗଡ଼ିଆ ପାଖରେ ବସିପଡ଼ିଲି । ସେ ମୋ ଆଡ଼କୁ ଥରେ ସୁଦ୍ଧା ଚାହିଁଲା ନାହିଁ । ବାଇଁଆଟା ସେମିତି ଆଖି ଡିମା ଡିମା କରି, ମାଟିଉପରେ ଥୋମଣି ଲଦି ଚାହିଁଛି ! ଖଣ୍ଡେ ସିଗ୍ରେଟ୍‌ରେ ନିଆଁ ଲଗାଇ ତାକୁ ପରାମର୍ଶ ଦେଲି, “ବାଉଁଶ ବୋଝ ଅଧେ ଓହ୍ଲାଇଦିଅ । ବଳଦ ପାରୁନାହିଁ ।”

 

“ଶଳା ଠାପୁଆଟା !”

 

ମୋ ମନ ଚିଡ଼ିଉଠିଲା । ବଳଦ ଉପରେ ଏ ଜୁଲମ ମୋତେ ଆହତ କରୁଥିଲା ।

 

‘‘ପାରିଲେ ତ ବଳଦ ଟାଣିବ ! ଇଏ କ’ଣ କମ୍ ବୋଝ !”

 

ଶଗଡ଼ିଆ ବିରକ୍ତ କଣ୍ଠରେ ଉତ୍ତର ଦେଲା ... “ମାଲିକ ତ ଆଉ ଦି’ କ୍ଷେପର ଭଡ଼ା ଦେବନାଇଁ !”

 

କରାର କରିଛି, ଭଡ଼ା ଛିଣ୍ଡେଇଚି, ଏତକ ବାଉଁଶ ଗୋଟାଏ କ୍ଷେପରେ ବାଉଁଶ ଡିପୋରେ ପହଞ୍ଚାଇ ଦେବାପାଇଁ ! ସତେ ତ, ଦି କ୍ଷେପରେ ଭଡ଼ା ତାକୁ ଦେବ କିଏ ? ମୋ ଆଖି ଆଗରେ ଏ ମାଟିର ଗୋଟାଏ ନୂଆ ଚେହେରା ଫିଟିଗଲା । ପୀଡ଼ନ ଶୋଷଣ ଲୁଣ୍ଠନ ଉପରେ ଗଢ଼ିଉଠିଛି ଏ ସମାଜର ଇମାରତ ତଳିପାରୁ ତାଳୁଯାଏଁ ? ଦେଶ ସ୍ଵାଧୀନ ହେଲେ, ଏ ଶୋଷଣ, ପୀଡ଼ନ, ଅସହାୟତାରେ କ’ଣ ପୂର୍ଣ୍ଣଚ୍ଛେଦ ପଡ଼ିବ ? ମୋର ସବୁ ଚିନ୍ତାର ଖିଅ ଗୋଳମାଳିଆ ହୋଇଗଲା ବୋଧହୁଏ ଏଥିପାଇଁ ଦାୟୀ ଇଂରେଜ ସରକାର ! ଦେଶ ସ୍ଵାଧୀନ ହେଲେ ଏ ଦେଶର ଚେହେରା କେଜାଣି ବଦଳିବ ! ପଦବାବୁ ସେମିତି ତ କହନ୍ତି !

 

ଶଗଡ଼ିଆ ଗଛମୂଳୁ ଉଠି ଡାଇଁଆ ବେକରୁ ଜୁଆଳ ଫିଟାଇଦେଲା । ଜୁଆଳିରୁ ମୁକ୍ତି ପାଇ ବଳଦଟା ସଡ଼କ ତଳକୁ ଗଡ଼ିଗଲା, ଘାସ ଚରିବା ପାଇଁ ! ବୋଧହୁଏ କେତେବେଳ ପରେ ବାଇଁଆ ପୁଣି ଝାଡ଼ିଝୁଡ଼ି ହୋଇ ଉଠିବ ! କେତେବେଳ ଆଉ ପଡ଼ି ରହିବ ସଡ଼କ ଉପରେ ଥୋମଣି ମାଡ଼ି ? ଶଗଡ଼ ପୁଣି କେଁ କଟର କରି ଗଡ଼ିଚାଲିବ ! ଗୋଟାଏ ଅବସନ୍ନ ଦେଶର ନାକକାନ୍ଦଣା ! ଦେତ୍ !

 

ମୁଁ ଅକାରଣ ବିରକ୍ତିରେ ଉଠି ଆଗକୁ ପାଦ ବଢ଼ାଇଲି । ଅଳ୍ପଦୂରରେ ଘଞ୍ଚ ବାଉଁଶବଣ ଆମ୍ବତୋଟା ଭିତରୁ ସେଇ ଯୋଉ ନିଛାଟିଆ ତାଳଗଛଟା ଭୂତପରି ଦେଖାଯାଉଛି, ସେଇଠି କୁଆଡ଼େ ପ୍ରୀତିପୁର । ପ୍ରୀତିପୁର ଘାଟରେ ବିରୁପା ପାରିହେଲେ ମଙ୍ଗରାଜପୁର । ସକାଳୁ ଚାଲିଛି, ଚାଲିଛି । କୋଶେ ବାଟ ଲମ୍ବି ଲମ୍ବି ଚାରିକୋଶ ହେଲାଣି ! ପ୍ରୀତିପୁର ! ନାଁଟା ତ ଚମତ୍କାର ! କିଏ, କାହିଁକି, କିପରି, ଏ ଗାଁର ନାଁ ରଖିଲା ପ୍ରୀତିପୁର ?

 

ଗାଁ ଦାଣ୍ଡଟା ଅଙ୍କେଇ ବଙ୍କେଇ ଲମ୍ବିଯାଇଛି, ସିଝୁ ବାଡ଼ ଅଙ୍କରାନ୍ତି ବଣ, ବାଉଁଶବୁଦା, ଦଳପୋଖରୀ ଧାରେଧାରେ ! ମାଟି କାନ୍ଥମାନଙ୍କରେ ଚିତାର କାରୁକାମ । ଦାଣ୍ଡଚାଳରେ ଶାଢ଼ିସବୁ ବନ୍ଧାହୋଇ ଶୁଖୁଚି । ତୁଳସୀ ଚଉରା ସବୁ ବେଶ୍ ଉଞ୍ଚା । ପିଣ୍ଡାକୁ କୋଉଠି ମାଙ୍କଡ଼ା ପଥର ପାହାଚ ତ, କୋଉଠି ମାଟିପାହାଚ । କୋଉଠି ପଥରବନ୍ଧା ପିଣ୍ଡା ତ କୋଉଠି ମାଟିପିଣ୍ଡା । ଇଏ ସବୁ ବୋଧହୁଏ ବୁନିଆଦୀର ପାର୍ଥକ୍ୟ । ଅନେକ, ଅନେକ ଦିନ ପରେ; ଗାଁ ମାଟିର ବାସ୍‌ନା ଆଘ୍ରାଣ କରୁଚି । ଗାଁ ମାଟିର ଗୋଟାଏ ଭିନ୍ନ ଚେହେରା ଅଛି, ଭିନ୍ନ ବାସନା ଅଛି । ପ୍ରୀତିପୁର । ଗାଁ ଦାଣ୍ଡରେ କେହି ଜଣେ ହେଲେ ଦେଖାନାହାନ୍ତି ! ଲଙ୍ଗଳା ପିଲା ଗୁଡ଼ାକ ଗଲେ କୁଆଡ଼େ ? ମୁଣ୍ଡଫଟା ଖରାରେ ସମସ୍ତେ ବୋଧହୁଏ ଘରଭିତରେ ।

 

ଚମକିପଡ଼ିଲି । ନାରୀକଣ୍ଠରେ କିଏ କହୁଚି...

 

“ମଲା, ଏଇଠି ପରା । କୁଆଡ଼େ ମାଡ଼ିଯାଉଚ ମ ?”

 

ଫେରି ଚାହିଁଲି ନାହିଁ । କିଏ କାହାକୁ କ’ଣ କହୁଥିବ ! ନାରୀକଣ୍ଠର ଆକର୍ଷଣ ଆଉ ନାହିଁ । ବୟସରେ ହଠାତ ମୁଁ ବଢ଼ିଯାଇଛି କିପରି ? କେଜାଣି !

 

“ମନୁଆଭାଇ !”

 

ପରିଚିତ କଣ୍ଠଶ୍ଵର । କୋଉଠି ଶୁଣିଛି । କିନ୍ତୁ କୋଉଠି ହଠାତ ସ୍ଥିର କରିପାରୁନାହିଁ ! ମୋର ସ୍ମୃତିର ସମୁଦ୍ରରେ କୋଉଠି ସେଇ ପ୍ରବାଳ ଦ୍ଵୀପ ?

 

ଫେରି ଚାହିଁଲି । ପଥରବନ୍ଧ ପିଣ୍ଡାଉପରେ ବୋହୂଟିଏ ଠିଆହୋଇଚି । ଚାଳ ନୁଆଁଣିରେ ମୁହଁଟା ପୂରା ଦେଖାଯାଉ ନାହିଁ । ଦେଖାଯାଉଛି କେବଳ ଚଉଡ଼ା ନାଲିଧଡ଼ିଆ ଶାଢ଼ି, ଆଉ ଦୁଇଟି ହଳଦୀବୋଳା ପାଦ !

 

ବୋହୂଟି ଖିଲ୍‍ଖିଲ୍ ହସି କହିଲା... “ଏଇ ଘର ପରା ! ସକାଳୁ ଆଜି ଶୁଭ କାଉ କା...କା କରୁଥିଲା !”

 

କିନ୍ତୁ କାହା ଘର ? ବୃତ୍ତାନ୍ତ କ’ଣ ? ମୁଁ ତ କାହାଘର ଖୋଜି ବାହାରି ନାହିଁ ! ଶୁଭ କାଉ କା...କା କରୁଥିଲା କାହାପାଇଁ ? ଏ ବୋହୂଟି ବି କାହିଁକି କରୁଥିଲା ମୋର ପ୍ରତୀକ୍ଷା ? ଆଉ କେହି ମନୁ ହୋଇଥିବ ପରା !

 

ଆଗକୁ ପାଦ ବଢ଼ାଉଚି, ବଢ଼ାଉ ନାହିଁ, ଏଇପରି ଅବସ୍ଥା...ବୋହୂଟି ଗୋଟାଏ ପାହାଚ ଓହ୍ଲାଇଆସି, ପୁଣି ଡାକିଲା–“ମନୁଆଇ !”

 

“କେତୀ !” ବିସ୍ମୟରେ ଚିତ୍କାର କରିଉଠିଲା । ଆଖି ମଳିଲି । ଏ ସ୍ୱପ୍ନ ନୁହେଁ ତ !

 

“ଆସ, ଆସ, ସେମିତି ପାଗଳ ପରି ମାଡ଼ିଯାଉଥିଲ କୁଆଡ଼େ ?

 

ନେଉଳପୁର ଷ୍ଟେସନ୍‌ ପାଖର ବରା କେତେବେଳୁ ହଜମ୍ ହୋଇଗଲାଣି । ଭୋକରେ କରଡ଼ି ଜଳୁଚି । ଉପରେ ମୁଣ୍ଡଫଟା ଖରା । ଏବେ ହଠାତ ଅନୁଭବ କଲି ଶୋଷ । ପିଣ୍ଡାଉପରେ ବସିପଡ଼ି କହିଲି... “ପାଣି ଦେ ତ ମୁଦାଏ । ଏ ଖରା ! ତଣ୍ଟି ଶୁଖିଗଲାଣି ।”

 

ପାଣି ପାଇଁ ଭିତରକୁ ଯାଉଁ ଯାଉଁ କେତୀ କହିଲା... “ମଙ୍ଗରାଜପୁର ଘାଟରେ ପାରିହୋଇ ପଡ଼ିଥିଲେ ଏ ଗାଁ ବାଟ ଦେଢ଼ କୋଶ ପଡ଼ିନଥାନ୍ତା ! ତମେ କୋଉବାଟେ ଆସିଲ କି-?”

 

କୌଣସି ଉତ୍ତର ବା କୈଫିୟତ୍‌ ଦେବା ମୋର ପ୍ରୟୋଜନ ନଥିଲା । ଇଏ ଭାବିଚି, ମୁଁ ତା’ ବାପଘର ଗାଁରୁ ଆସିଚି ତାକୁ ସଙ୍ଖୁଳିବା ପାଇଁ । କିନ୍ତୁ ମୁଁ ଯେ ଅଣ୍ଡର ଗ୍ରାଉଣ୍ଡରେ, ସେ ଖବର ସେ ରଖନ୍ତା କାହିଁକି ? ବା ମୁଁ ତାକୁ ବୁଝାଇବି କିପରି ? “ହଉ ପାଣି ମୁନ୍ଦାଏ ଆଣିଲୁ ଆଗେ ।”

 

“ମଲା ଘରଭିତରକୁ ଆସୁନା ! ଏମିତି ଦାଣ୍ଡରେ ବସି କୁଣିଆଁ ପାଣିପିଅନ୍ତି !” କେତୀ ଓଠର ହସ ଆଖିରେ ଉଛୁଳିପଡ଼ୁଛି । ମନେମନେ ହସିଲି । ବାଟର ଅଜଣା ବାଟୋଇ ହଠାତ୍‌ ହୋଇଗଲା କୁଣିଆଁ ? ଇଏ କାହାର ପରିହାସ !

 

ମୁଠୁଣିଏ ଉଚ୍ଚ ଗୋଟାଏ କଂସା ଗିଲାସରୁ ଗିଲାସେ ପାଣି ଢକ ଢକ ପିଇସାରି ମୁଣ୍ଡରୁ ତଉଲିଆଟା ଫିଟାଇ ଆଣିଲି ମୁହଁ ପୋଛିବା ପାଇଁ ! କିନ୍ତୁ ତା’ର ଏପରି ପରିଣତି ହେବ ବୋଲି ଜାଣିଥିଲେ, କ’ଣ ତଉଲିଆ ଫିଟାଇଥାନ୍ତି କେବେ ? ତଉଲିଆଟା ଏପର୍ଯ୍ୟନ୍ତ ତ ଥିଲା ମୋର ଛଦ୍ମବେଶ !

 

କେତୀ ହଠାତ୍ ଓଠରେ ଶାଢ଼ିର ଅଞ୍ଚଳ ଚାପି, ଖିଲ୍‍ଖିଲ୍ ହସିଉଠିଲା । ଏଥିରେ ହସିବାର କ’ଣ ଅଛି, ମୁଁ ବୁଝିପାରିଲି ନାହିଁ । ଖିଲିଖିଲି ହସର ଝରଣା । ନିଃଶ୍ୱାସ ବନ୍ଦ ହୋଇଯିବ କି କ’ଣ !

 

“ହସୁଚୁ କାଇଁକି କେତୀ ? କ’ଣ ହେଲା ?”

 

“ଇଲୋ ମା’ ! ତମେ କାହା ଶାଢ଼ି ମୁଣ୍ଡରେ ବାନ୍ଧିଚ ମନୁଆଇ ?” ...କପାଳ ଉପରେ ହାତ ବୁଲାଇଲି କିଂକର୍ତ୍ତବ୍ୟବିମୂଢ଼ ଭାବରେ !

 

ଆଖିଆଗରେ ଭାସିଉଠିଲା, ରେବର ଦୁଇ ଆୟତ ଛଳଛଳ ଆଖି ! ଯୋଉ କବି ଉପମା ଖଞ୍ଜିଛି ପଦ୍ମପଲାଶନୟନା, ସିଏ ନିଶ୍ଚୟ ପଦ୍ମର ପାଖୁଡ଼ା କେବଳ ଆଖିରେ ଦେଖିନାହିଁ, ଦେଖିଚି ମର୍ମେ ମର୍ମେ ତା’ର ଚେତନାରେ ! ମୁଁ ଭାବୁଚି କ’ଣ ? କାହିଁକି ବା ଭାବୁଚି ? ରେବ ତା’ର ଶାଢ଼ିକାନିରୁ ଫାଳେ ଚିରି ସେଥିରେ ନିଆଁ ଲଗାଉଛି, ଦିଆସିଲି କାଠି ଜାଳି... “ଘରେ ତ ଖଣ୍ଡେ ସଫା କନା ରଖିବ ନାଇଁ ! ଆଉ କରନ୍ତି କ’ଣ ?”

 

କେତୀ ସେମିତି ହସୁଚି । ତା’ର ଆଖିଦୁଇଟାବି ହସୁଚି । ଏ ଆଖିର ଚେହେରା ଅଲଗା-

 

ମୁଁ ଖଣ୍ଡେ ସିଗାରେଟ୍‌ରେ ନିଆଁ ଲଗାଇ, ତାଙ୍କ ଦାଣ୍ଡଘରେ ପଡ଼ିଥିବା ଗୋଟାଏ ସନାତନ କାଳର କାଠ ଖଟଉପରେ ବସିପଡ଼ି, ମୁରବିସୁଲଭ କଣ୍ଠରେ କହିଲି “ତୁ ସେସବୁ ବୁଝିପାରିବୁ ନାହିଁ କେତୀ । ସିଏ ଅନେକ କଥା !”

 

“ମୁଁ ବୁଝିପାରିବି ନାଇଁ କ’ଣ ବା ? ଭାଉଜ କୋଉଦିନ ଆସିଲେ, ଆମେ ସବୁ ଟିକିଏ ଜାଣିଲୁ ବି ନାଇଁ ! କ’ଣ ନଣନ୍ଦ ପୁଟୁଳୀଟା ଛଡ଼ାଇ ନେଇଥାନ୍ତି ? ବୋଲି ?” –ଏଥର କେତୀର କଣ୍ଠସ୍ୱର ଗମ୍ଭୀର । ସେଥିରେ ଚପଳତା ନାହିଁ । ଓଠ ଓ ଆଖିଦୁଇଟା ଅଭିମାନରେ ଛଳଛଳ... ଉର୍ମିଚପଳ ହ୍ରଦର ନିଥର ଛାତିଉପରେ ମେଘ ଛାଇ ହଠାତ୍ ଯେପରି ଓହ୍ଲାଇଆସିଛି ।

 

ସିଗ୍ରେଟ ଧୂଆଁର କୁଣ୍ଡଳୀ ଭିତରେ ମୁଁ ଉତ୍ତର ଦେଲି... “ଆଲୋ ତୁ ସେଇ ହୁଣ୍ଡୀ ରହିଚୁ ଦେଖୁଚି । ଭାଉଜ ଆସିବ କୁଆଡ଼ୁ ?”

 

“ତାହେଲେ ଭାଉଜ କୋଉଠି ଠିକଣା କଲଣି କି ?”

 

ମେଘଛାଇ କଟିଗଲା । ଏଥର ପୁଣି ଆଲୁଅର ଢେଉ । ଖିଲିଖିଲି ହସ !

 

“ସିଏ ଅନେକ କଥା କେତୀ–ଏ ନିର୍ବୋଧ ବୋହୁଟି କ’ଣ ବୁଝିବ କର–ବା–ମର ଲଢ଼େଇ ? ଇଏ କ’ଣ ବୁଝିବ ଅଣ୍ଡରଗ୍ରାଉଣ୍ଡ ? ତଥାପି ଗୋଟାଏ ଉତ୍ତର ନଦେଲେ ତ ଚଳିବ ନାହିଁ-! କୋଉଠୁ ଆସି ପଡ଼ିଲି କୋଉଠି ? “ପୁଲିସ ଲାଠିରେ ମୋ ମୁଣ୍ଡ ଫାଟିଥିଲା !”

 

“ଇଲୋ ମା’ ! ତମ ମୁଣ୍ଡ ଫାଟିଥିଲା । ଦେଖେ, ଦେଖେ !” କେତୀ ଶାଢ଼ି କନା ବାଣ୍ଡେଜ୍‌ଟାକୁ ଟାଣି ଫିଟାଇଦେଲା ! ଆଃ... କ୍ଷୀଣ ଚିତ୍କାର କରିଉଠିଲି; ଯୋଉଠି ରକ୍ତ ଲାଗିଥିଲା, ସେଠୁ ଛଡ଼ାଇ ନେବାବେଳେ ! ରେବ ଶାଢ଼ିକନା ବାଣ୍ଡେଜ୍ ବାନ୍ଧିବାବେଳେ ଦେଖିନଥିଲି । ଚଉଡ଼ା କୁମ୍ଭପକା ଶାଢ଼ିଧଡ଼ି । ଏତେ ସୁନ୍ଦର ଶାଢ଼ିଟା ରେବ ଛିଣ୍ଡାଇଦେଲା !

 

କେତୀ ମୋ ହାତରୁ ଛିଣ୍ଡା ଶାଢ଼ି କାନି ବାଣ୍ଡେଜ୍‌ଟା ଟାଣି, ତଳେ ଫିଙ୍ଗିଦେଲା । ଏଥିରେ ଈର୍ଷାର ହିଂସ୍ରତା କାହିଁକି ? ମୁଁ କହିଲି... “କେତୀ ଗୋଟାଏ ଅଇନା ଆଣତ !”

 

“ଏଇଠି କାନ୍ଥରେ ପରା !”

 

କାନ୍ଥରେ ଝୁଲୁଚି, ଦୁଇଟା ଶୁଆଙ୍କ ଥଣ୍ଟ ବ୍ରାକେଟ୍ ଭିତରେ, ଗୋଟାଏ ଗୋଲ ଦର୍ପଣ । ଏ ଦର୍ପଣ କେତୀର ବାହା ଯୌତୁକ କି ? କ୍ଷତଚିହ୍ନ ଆଦୌ ଗଭୀର ନୁହେଁ । ଯୋଉଠି ରେବ ପୋଡ଼ାକନା ଚାପିଦେଇଥିଲା, ସେ ସ୍ଥାନଟା ଏବେବି କଳା ଦିଶୁଛି !

 

“ପୁଲିସ କାହିଁକି ପିଟିଲା ?” ...କେତୀର କଣ୍ଠସ୍ୱର ସମବେଦନାରେ ଭାରୀ ଭାରୀ ।

 

“ପିକେଟିଙ୍ଗ୍ ବେଳେ, ସ୍ଲୋଗାନ୍‌ ଦେଇ ନାଚୁଥିଲି, କର ବା ମର !” ...କିନ୍ତୁ ଏ ହୁଣ୍ଡୀଟା କ’ଣ ବା ବୁଝିବ ତା’ର ଅର୍ଥ ?

 

“ତାହେଲେ ଏଇ ଶାଢ଼ି ? ଡାକ୍ତରଖାନାରେ ତ ଏମିତି ଶାଢ଼ି କାନି ବାନ୍ଧନ୍ତି ନାହିଁ ?” –ପୁଣି ସେଇ ଶାଢ଼ି ! କହିବି ରେବ କଥା ? ମୁଁ କାହିଁକି ରେବର ସ୍ମୃତିକୁ ଲୁଚାଇ ରଖୁଚି, ଗଭୀର କ୍ଷତ ପରି ? କିନ୍ତୁ କେତୀ ବାରମ୍ବାର ଛୁଇଁଯାଉଚି ! ସେଇ କ୍ଷତକୁ ଆଘାତ ଲାଗୁଚି, ସେ ବୁଝିପାରୁନାହିଁ !

 

ରକ୍ଷା ମିଳିଲା । ଖଞ୍ଜା ଭିତରୁ ଫଟା କଂସା ତଳେ ପଡ଼ି ଝଣ କଲା ପରି ଶୁଭିଲା... “ଆଲୋ ବୋହୂ ଦାଣ୍ଡୁଟାରେ କାହା ସାଙ୍ଗରେ ଗପ ଯୋଡ଼ିଦେଇଚୁ !”

 

ଶାଶୁଙ୍କର ଆଖିଦୁଇଟାକୁ ମୋତିଆବିନ୍ଦୁରେ ସିନା ଏବେ ଝାପ୍‌ସା ଦିଶୁଛି, ବାଟ ଉଣ୍ଡାଳି ହେଉଚନ୍ତି । ନୋହିଲେ କାନଶକ୍ତି ବଡ଼ ପ୍ରଖର । ରେବ ଖତେଇହବା ପରି ମୁହଁ କରି ବଡ଼ପାଟିରେ କହିଲା... “ଭାଇ ଆଇଚନ୍ତି ପରା !”

 

ଗଣଗଣ କଣ୍ଠରେ ଭିତରୁ ଶୁଣିପାରିଲି... “ତୋ ଭାଇ ପରା ସେଦିନ ଆଇଥେଲା !”–କଣ୍ଠରେ ସନ୍ଦେହ !

 

କେତୀ ମୋତେ ଗୋଟାଏ ମୃଦୁ ଠେଲା ଦେଇ କହିଲା... “ଚାଲ, ଚାଲ ଆରେ ମୁଣ୍ଡିଆ ପକାଇ ଆସିବ ! ନଇଲେ ଖୁଣ୍ଟା ଶୁଣିଶୁଣି ମୋ ଚୁଟି ରହିବ ନାଇଁ ! ଯୋଉ କିର୍ତ୍ତୀ ନିଜେ ଅର୍ଜିଛ, ସେ ଫଳ ତମେ ଭୋଗିବ ନାଇଁତ ଆଉ ଭୋଗିବ କିଏ ?”

 

କିନ୍ତୁ କି କିର୍ତ୍ତୀ ଅର୍ଜିଛି ? ଆଉ ତା’ର ଏ ଫଳ ଏଇ ପ୍ରୀତିପୁର ଗାଁରେ, କେତୀ ଶାଶୁଘରେ କାହିଁକି ଭୋଗିବି ବୁଝିପାରିଲା ନାହିଁ ।

 

ଭିତର ଖଞ୍ଜାରେ ଏଇଟା ଠାକୁରଘର ପରା ! ଆମ ଭାଗବତଘରର ବାସନା ଭାସିଆସୁଛି...ପୋଡ଼ା ସଂଜ, ଝୁଣା, ସେବତୀ ଫୁଲ, ପୁରୁଣା ପୋଥି ଆଉ କଦଳୀ । କାନ୍ଥରେ ପଟାପଟା ଚିତା । ବୁଢ଼ୀ ଗୋଟାଏ କନା ଝୁଲି ଭିତରେ ତୁଳସୀମାଳ ଲୁଚାଇ ଶିରାଳ ଆଙ୍ଗୁଠିରେ ଠକ୍‍ଠକ୍ ଜପି ଚାଲିଚନ୍ତି ।

 

ଜେଜେଙ୍କ ଚେହେରା ଆଖିଆଗରେ ହଠାତ ଭାସିଉଠିଲା । ଭାଗବତଘର ପିଣ୍ଡାରେ କାନ୍ଥକୁ ଆଉଜି ମୁଣ୍ଡରେ ହାତଦେଇ ବସିପଡ଼ନ୍ତି । ପାଖରେ ଟିଣ ସୁଟ୍‌କେସ୍‌ କେବେ ଫିଟିବ ସେଥିପାଇଁ କେତେ ବ୍ୟାକୁଳ ପ୍ରତୀକ୍ଷା ! ତାଙ୍କର ବି ଏଇପରି ଗୋଟାଏ ଝୁଲା ଥାଏ । ତନ୍ମୟତା ଭାଙ୍ଗିଗଲା ।

 

ପୁଣି ଗୋଟାଏ ଠେଲା ଆଉ କାନରେ ଫିସ୍‍ଫିସ୍ କଥା... “ମୁଣ୍ଡିଆ ପକୋଉନା !”

 

“ହେଇତି ବୋଉ, ମନୁଆଇ ମୁଣ୍ଡିଆ ପକାଉଚିନି !”

 

କିନ୍ତୁ ମୋର ମୁଣ୍ଡିଆ ପକାଇବା, ବିଶେଷ ଫଳପ୍ରଦ ହେଲା ନାହିଁ ଦେଖୁଚି ! “ଆଲୋ ଇଏ ଫେଣେ ତୋର କୋଉ ଭାଇ ବା ?” ମାଳା ଗଡ଼ା କିନ୍ତୁ ଅବ୍ୟାହତ ରହିଛି !

 

“ଇଏ ପରା ଦାଦିପୁଅ ଭାଇ, ମନୁଆଇ !”

 

“ତୋର କେତେ ଦାଦିପୁଅ ଭାଇ କିଲୋ ? ଆଉଦିନେ ବି ତୋର କୋଉ ଦାଦିପୁଅ ଭାଇ ଆସିଥିଲା ପରା, ବିନଦ ନାଁ କ’ଣ ?”

 

କେତୀ କହିଲା... “ମୋର ଯେମିତି ଏଠି ଖୁଡ଼ୁତାସୁର, ଦେଢ଼ୁତାସୁର ଜଣେଜଣେ ନାହାନ୍ତି, ଗାଁରେ ସେମିତି ବଡ଼ବାପା, ଦାଦି ଜଣେଜଣେ ନାହାନ୍ତି ।

 

କୋଉ ଦାଦିପୁଅ ଭାଇ କୋଉଦିନ ତମ ଘରକୁ ସଙ୍ଖୋଳି ଆସିବ, ମୁଁ କ’ଣ ଜାଣିଚି ?”

 

ବୁଢ଼ି ପାଟି ପାକୁପାକୁ କରି ନୀରବ ରହିଲେ ।

 

ଆରେ,ଏ କେତୀକୁ ମୁଁ କହୁଥିଲି ହୁଣ୍ଡୀ ବୋଲି ! ଏଇଟା ତ ମହା ଚାଲାଖ ! ବୁଢ଼ୀକୁ ଚୁପ୍ କରାଇଦେଲା !

 

ବୁଢ଼ୀ କିନ୍ତୁ ନିରସ୍ତ ହବାର ନୁହନ୍ତି । ପାଟି ଚାକୁଳେଇ ଚାକୁଳେଇ ପଚାରିଲେ... “ତୋ ବୋଉ କ’ଣ ଭାରଥୋର, ଭାଇହାତରେ ପଠେଇଚି ବା ?”

 

କେତୀ ପୁଣି ମୋ ଆଡ଼େ ଚାହିଁ ମୁହଁ ବିକିଟେଇଲା । ତା’ର ଅର୍ଥ ବୁଝିଲି । କୁଣିଆ ଘରକୁ କିଏ କ’ଣ ଖାଲି ହାତରେ ଆସେ ? କିନ୍ତୁ ମୁଁ କ’ଣ କୁଣିଆ ଘର ଆସୁଥିଲି; ନାଁ ଏଇ ପ୍ରୀତିପୁର ଗାଁରେ କୁଣିଆଁ ଘର ବୋଲି ଜାଣିଥିଲି ? ଜାଣିଲେ ବି ମିଠେଇ ହାଣ୍ଡି ହାତରେ ଝୁଲାଇ, କୁଣିଆଘର ଆସିବା ଲୋକ ମୁଁ ନୁହେଁ !

 

କେତୀ କହିଲା... “ମନୁଆଇ କଟକ କଲିଜରେ ପଢ଼ନ୍ତି । କଟକରୁ ସିଧା ଆସିଚନ୍ତି । ବୋଉ ତାଙ୍କ ହାତରେ ଆଉ ଭାର ପଠାନ୍ତା କେମିତି ?”

 

କଲେଜ୍ ଏମାନଙ୍କ ଉଚ୍ଚାରଣରେ କାହିଁକ କିଟିରି କଲିଜ୍ ହୁଏ, ବୁଝିପାରିଲି ନାହିଁ ! ଦଧି ବି ବରାବର କହେ କଲିଜ !

 

ବୁଢ଼ୀ ମାଳା ଗଡ଼ାଇ ଗଡ଼ାଇ କହିଲେ... “କେଜାଣି ଲୋ ମା’ ! ହଉ ଯା ଯା ପିଲାଟା ଖରାରେ ଆସିଚି । ତା’ ଚରଚା ବୁଝ । ଦେବ ଫେରିନାଇଁ ?” କେଜାଣି ଲୋ ମା’ର ଅର୍ଥ ବୁଝିପାରିଲି ନାହିଁ ।

 

ଦେବ ବୋଧହୁଏ କେତୀର ସ୍ଵାମୀ । କାହିଁ ତାକୁ ଦେଖୁନାଇଁତ ! ଭଲ ଘରେ ପଡ଼ିଚି କେତୀ । ଶ୍ରୀମନ୍ତ ଘର । ଅମାର ଚେହେରାରୁ ବେଶ୍ ବାରି ହୋଇଯାଉଚି ।

 

ଦାଣ୍ଡଘରେ ପୁଣି ସେଇ ସନାତନ ଖଟପାଖକୁ ଆସିବାବେଳେ କେତୀ କହିଲା... “ବାହାଆଗରୁ ମୋ ନାଁରେ ନିଜକୁ ଯୋଡ଼ି ବେନାମୀ ଚିଠି ସବୁ ଆଙ୍କ ଘରକୁ ଲେଖୁଥିଲ ପରା ! ଫଳ ପାଇଲ ତ !” ଏବେ ବୁଝିଗଲି !

 

ଦେତ୍...ଦାଣ୍ଡ ମଝିରେ ମଣିଷକୁ ପୁଣି ଏମିତି ବେଜିତ୍ କରନ୍ତି ? ମୋ ମୁହଁଟା ଲାଜରେ ରଙ୍ଗେଇଗଲା ! –“ତତେ କିଏ କହିଲା ତୋ ନାଁରେ ବେନାମୀ ଚିଠି ଲେଖୁଥିଲି ବୋଲି ?”

 

“ମୋ ବାହାଘର ଭାଙ୍ଗିବା ପାଇଁ, ତମେ ବେନାମୀ ଚିଠି ଲେଖୁନଥିଲ ? ସେ ଚିଠି ଆଙ୍କ ଘରକୁ ଆସି, ମୁଁ ପାଇଚି । ଦେଖିବ ? ତମ ହସ୍ତାକ୍ଷର ମୁଁ ଚିହ୍ନିନାହିଁ ?”

 

ଥାଉଥାଉ ! କେତୀଟା ଏମିତି ଦାଣ୍ଡମଝିରେ ହଟହଟା କରିବ ବୋଲି ଜାଣିଚି ? ଭଲା ଅଣ୍ଡରଗ୍ରାଉଣ୍ଡ୍‌କୁ ଆସିଲି !

 

“ତୁ ଥା’ କେତୀ । ମୋର ଅନେକ ବାଟ ଯିବାକୁ ଅଛି ! ମୁଁ ତ ତୋ ଶାଶୁଘରକୁ ଆଉ ଆସୁନଥିଲି ! ମୁଁ ଚାଲିଚି ଅନ୍ୟଆଡ଼େ ।”

 

ପକ୍‌କା ଘରଣୀ ପରି ମୁହଁ ଓଜନ କରି କେତୀ କହିଲା... “ହଃ । ତମକୁ ଏଇ ଖରାରେ ଛାଡ଼ିଦଉଚି ! ଅନହୁତି ଆସିଚ ଯେତେବେଳେ, ଦିନ ଦି’ଟା ରୁହ ! କୋଉ ଯୋଗରେ ଦେଖାହୋଇଗଲା !” କିଂକର୍ତ୍ତବ୍ୟବିମୂଢ଼ ପରି ଠିଆହୋଇଚି, ହଠାତ ନିଶୁତି ଦାଣ୍ଡରେ କାହାର ବଚନିକା ଶୁଭିଲା, ଏକାଥରେ ନାଟକୀୟ ଅମିତ୍ରାକ୍ଷର ଛନ୍ଦରେ...

 

“ପିତାମହ,

 

ଜନ୍ମ ନୁହେଁ ନର କରାୟତ୍ତ !

 

ଶ୍ରେଷ୍ଠତ୍ଵ ଦେଖାଏ ନର, ...ନର...ନର ! ଧେତ୍ !”

 

ଆଉ ମନେପଡ଼ିଲା ନାହିଁ ପରା ! ବଚନିକା ବନ୍ଦ ହୋଇଗଲା ।

 

କେତୀ ଖିଲ୍‍ଖିଲ ହସିଉଠି କହିଲା...

 

“ହେବ ଦୁରୁଜଧନ ଆସିଗଲେଣି” ?

 

ଆରେ ଦୁର୍ଯ୍ୟୋଧନ ପୁଣି କିଏ ?

 

‘ଦୁର୍ଯ୍ୟୋଧନ’ଙ୍କର ବେଶ ସୁପୁଷ୍ଟ ନଧର ଚେହେରା । ବେକରେ ସାରିଏ ସୁନା ଚେନ୍ । ସେଥିରେ ଗୋଟାଏ ମାଦୁଲି । ବାବୁରି ବାଳ କାନ ତଳ ପର୍ଯ୍ୟନ୍ତ ଲମ୍ବିଛି । ଓଠ ଦୁଇଟାରେ ପାନବୋଳ । ଧୋତିକୁଞ୍ଚ ତଳେ ବର୍ମୀଜ୍ ଚପଲ୍ ଉପରେ ଝୁଲୁଛି । ଅଣ୍ଟାରେ ଭିଡ଼ାହୋଇଛି ଚମ୍ପାଫୁଲ ରଙ୍ଗର ଖଣ୍ଡେ ଗାମୁଛା । ବୋଧହୁଏ ପଖାଳକରିଆ ।

 

କେତୀର ସେଇ ଖିଲ୍‍ଖିଲ୍ ହସ ।

 

“ହଉ ହେଲା, ହେଲା । ଇଏ ଘର । ଥେଟର ନୁହେଁ । ମୁଣ୍ଡିଆ ନ ପକାଇ ବସିପଡ଼ିଲେ କ’ଣ ମ ? ଇଏ ପରା ମାନ୍ୟରେ ବଡ଼ !”

 

କେତୀ ଗୃହିଣୀସୁଲଭ ଗାମ୍ଭୀର୍ଯ୍ୟରେ ଚେତାଇଦେଲା ।

 

ସେତେବେଳେ ଯାଇଁ ବୋଧହୁଏ ମୋ ପ୍ରତି “ଦୁର୍ଯ୍ୟୋଧନଙ୍କର” ଦୃଷ୍ଟିପଡ଼ିଲା ।

 

“କିନ୍ତୁ କିଏ ତୁମ୍ଭେ ଆର୍ଯ୍ୟ ?”

 

କେତୀ କହିଲା... “କ’ଣ ସେମିତି ଥେଟର କରୁଚ ମ ? ଇଏ ପରା ମନୁଆ–ଇ । ମୁଣ୍ଡିଆ ପକାଉନାଁ !”

 

“ଦୁର୍ଯ୍ୟୋଧନ” ଅଗତ୍ୟା ମୁଣ୍ଡିଆ ପକାଇଲେ । କିନ୍ତୁ ମନୁଆଇ ? କେତୀର ସନ୍ଧି ବିନ୍ୟାସରେ ମନୁଭାଇ କିପରି ମନୁଆଇ ହେଲା ବୁଝିପାରିଲି ନାହିଁ । କିନ୍ତୁ ଏଇ ଦୁଲାଳଟି ଯେ କେତୀର ସ୍ଵାମୀ ବେଶ୍ ବୁଝିପାରୁଥିଲି । ମୋ ଆଖି ଆଗରେ ଭାସିଉଠୁଥିଲା, ସେଇସବୁ ବେନାମୀ ଚିଠି, ଯାହା ମୁଁ ନିଜକୁ କେତୀର ଚରିତ୍ର ସହିତ ଯୋଡ଼ି, କେତୀର ପ୍ରସ୍ତାବିତ ଶାଶୁଘରମାନଙ୍କୁ ଲେଖୁଥିଲି, ପ୍ରସ୍ତାବ ଭାଙ୍ଗିବା ପାଇଁ । ଚିଠିରେ ମୋ ନାଁ ଅବଶ୍ୟ ଥିଲା ମାନା । “ମାନା ସାଙ୍ଗରେ କେତୀର ଲଟ୍‌ପଟ୍ ଏ ଗାଁରେ କିଏ ନଜାଣେ ?” ଗୁହାଳ କାନ୍ଥମାନଙ୍କରେ ପୁଣି ଚକ୍ ଖଡ଼ିରେ କେତି+ମାନା ଉଦ୍‌ଘୋଷଣା । ମନୁଆଇ ଯେ ସେଇ ମାନା, ଏକଥା ବୁଝିବା ପାଇଁ ଦୁର୍ଯ୍ୟୋଧନଙ୍କୁ କ’ଣ ଡେରି ଲାଗିବ ?

 

“ଆଚ୍ଛା, ଭଲହେଲା, ତୁମମାନଙ୍କ ସାଙ୍ଗରେ ବାଟରେ ହଠାତ୍ ଏମିତି ଦେଖାହୋଇଗଲା-। ମୁଁ ଉଠେ ଏଥର ।” ...ଯିବାପାଇଁ ଉଠିଲି । ମୋତେ ଅପରାଧୀ ଅପରାଧୀ ପରି ଲାଗୁଛି-!

 

କେତୀ ଚିତ୍କାର କରିଉଠିଲା... “କ’ଣ ବନ୍ଧୁଘରୁ ଏମିତି, ଏ ଖରାବେଳୁଟାରେ କେହି ଯାନ୍ତି ?”

 

“ମୁଁ ତ ବନ୍ଧୁ ଘରକୁ ଆସିନଥିଲି ।” –“ଦୁର୍ଯ୍ୟୋଧନ” ମୋର ଆକସ୍ମିକ ଉପସ୍ଥିତିରୁ କ’ଣ ବୁଝିବେ କେଜାଣି ? ଏମାନଙ୍କ ବିବାହିତ ଜୀବନ ଉପରେ ମୁଁ କାହିଁକି ଛାଇଯିବି ଖଣ୍ଡେ କଳାମେଘ ପରି ?

 

“ଦୁର୍ଯ୍ୟୋଧନ” କହିଲେ... “ତୁମେ ଯାଇପାରିବ ନାହିଁ ମନୁଆଇ ! ମା’ ଜାଗୁଳେଇ ତମକୁ ପଠାଇଚନ୍ତି, ଆମର ମାନରକ୍ଷା ପାଇଁ !”

 

ଇଏ ପୁଣି କି ପ୍ରହେଳିକା ? ମୁଁ ବିମୂଢ଼ କଣ୍ଠରେ ପଚାରିଲି... “ମାନେ ?’ ଲୋକଟା ପାଗଳ ନାଁ କ’ଣ ? ମା’ ଜାଗୁଳେଇ କାହିଁକି ପଠାଇବେ ମୋତେ ?

 

“ନାଟକରେ, ମଞ୍ଚଉପରେ ସିନା ହୁଏ ମୂର୍ଚ୍ଛା ଓ ପତନ ! ଆମର ରିହରସାଲ୍ ବେଳୁ ମୂର୍ଚ୍ଛା ଓ ପତନ ଆରମ୍ଭ ହୋଇଗଲାଣି । ମୁଁ ମନାକରୁଚି । କେଳୁ ଦାଦିଙ୍କୁ ଭୀଷ୍ମ ପାର୍ଟ୍ ଦିଅ ନାହିଁ । କିନ୍ତୁ ତାଙ୍କର ଯିଦ୍ ଯେହେତୁ ସେ ପେନ୍‌ସନ୍ ନେଇ ଘରେ ବସିଲେଣି, ଭୀଷ୍ମ ପାର୍ଟ୍ କୁଆଡ଼େ ତାଙ୍କୁ ଇ ମାନିବ । ଦିନ କେଇଟା ରାତିରେ ରିଆର୍‌ସେଲ୍ ପରେ ତାଙ୍କର କଲିକ୍ ବାହାରିଲାଣି । ଖୋଜା ଚାଲିଛନ୍ତି ଭୀଷ୍ମ । କୁନ୍ତୀ ପଲେଇଲେଣି କଲିକତା । ଚଟକଳ ଛୁଟି ପୂରିଲାଣି । ନିଅ ସମ୍ଭାଳ ଏଥର-! ଏଇଥିରେ କୁଆଡ଼େ ପ୍ରୀତିପୁର ଜାଗୁଳେଇ ଡ୍ରାମାଟିକ୍ କ୍ଳବ, ହରିପୁର ୟୁଥ୍–କ୍ଳବ୍‌କୁ ନାଟକରେ ଡିଫିଟ୍ କରିବ ? ସେମାନେ କରୁଛନ୍ତି ପୁଣି କୋଣାର୍କ !”

 

ଓଃ ! ତାହେଲେ ଇଏ ଥିଏଟରର ଦୁର୍ଯ୍ୟୋଧନ ! କି ନାଟକ କରୁଛନ୍ତି ଏମାନେ ? ଲୋକଟି ଥିଏଟର ପାଗଳ ! କିନ୍ତୁ ମୁଁ ତ ଥିଏଟର୍ କରିବାପାଇଁ ଆସିନାହିଁ ! ମୁଁ କହିଲି... “ମୁଁ ଯାଏ । ତମ ଥିଏଟର୍ ଅଟକିବ ନାହିଁ । ଭୀଷ୍ମ ମିଳିବେ, କୁନ୍ତୀ ବି ମିଳିବେ ।”

 

“ଦୁର୍ଯ୍ୟୋଧନ” ଆର୍ତ୍ତନାଦ କଲେ... “ନାଁ, ନାଁ, ଆମର ସ୍ପେଆର୍ ପାର୍ଟ ବି ଦରକାର ! ମନୁଆଇଁଙ୍କୁ ଅଟକାଇପାରୁନୁ କେତୀ ? ଆଉ କେତେବେଳେ କି ଦୁର୍ଘଟଣା ଘଟିବ, କିଏ କହିବ ? ଥିଏଟର୍ ହୋଇନପାରିଲେ, ପ୍ରୀତିପୁର ମୁଣ୍ଡ ସିନା ଲାଜରେ ନଇଁଯିବ, ଏକାଥରେ ମୁଣ୍ଡ କଟିଯିବ ମୋର !”

 

ଓ ! ଇଏ ତାହେଲେ ପ୍ରୀତିପୁର–ଜାଗୁଳେଇ ଡ୍ରାମାଟିକ୍ କ୍ଳବ୍‌ର ସଭାପତି ବା ସେଇପରି କିଛି କର୍ତ୍ତା !

 

“କିନ୍ତୁ ମୁଁ ତୁମ ମୁଣ୍ଡ ରଖିବି କ’ଣ ? ମୋ ମୁଣ୍ଡ ଯେ କଟିବା ଉପରେ !” ...ସବୁ କଥା ଖୋଲି କହିଲି ନାହିଁ । କହିଲେ ଏମାନେ ବୁଝିବେ ବା କ’ଣ ?

 

“ଆମର ଦରକାର ସ୍ପେଆର୍ । କର୍ଣ୍ଣ ଆଉ ଡିରେକ୍ଟରଙ୍କ ଭିତରେ ରିହାର୍‌ସେଲ୍ ବେଳେ ସବୁଦିନେ ଲାଗୁଛି ଝଗଡ଼ା । କର୍ଣ୍ଣର ଭୟେସ୍‌ଟା ବି ଠିକ୍ ଉତୁରୁ ନାହିଁ ବୋଲି ସମସ୍ତଙ୍କର ଧାରଣା । କଣ୍ଠଟା କିପରି ଚେଁ ଚେଁଇଆଁ । ଠିକ୍ ଯେତେବେଳେ ଡ୍ରାମାଟିକ୍ ମୋମେଣ୍ଟ୍, ସେତିକିବେଳେ ତା’ର କଣ୍ଠସ୍ୱରଟା ହୋଇଉଠେ ଅନଡ୍ରାମାଟିକ୍ ! ଖାଲି ଚେହେରାଟା ଲମ୍ବା ବୋଲି, କର୍ଣ୍ଣ ପାର୍ଟ୍ ଦିଆଯାଇଛି ! ସିଏ ବି କୋଉଦିନ ଚଲ୍–ଦେବ, ଠିକ୍ ନାଇଁ !”

 

ତାମାନେ, ଆସିଥିଲି ଅଣ୍ଡର୍‌ଗ୍ରାଉଣ୍ଡ... କର–ବା–ମର ଆନ୍ଦୋଳନରେ ଲୋକଶକ୍ତି ଜାଗ୍ରତ କରିବାପାଇଁ । କିନ୍ତୁ ଏଠି ଦେଖୁଚି, ହେବାପାଇଁ ପଡ଼ିବ ଥିଏଟର୍‌ରେ ସ୍ପେଆର୍ ପାର୍ଟ୍ !

 

ମୁଁ କହିଲି... “କିନ୍ତୁ ମୁଁ ତ ଯାଉଛି ମଙ୍ଗରାଜପୁର ! ସେଠି ଅନେକ କାମ !”

 

“ମଙ୍ଗରାଜପୁର ତ ଏଇ ନଈଟା ଡେଇଁପଡ଼ିଲେ । କୋଉ ବା ଏମିତି ଦୂରବାଟ ? କିନ୍ତୁ ସେଠି ତମର ଅନେକ କାମ କ’ଣ ?” ଦୁର୍ଯ୍ୟୋଧନଙ୍କ କଣ୍ଠସ୍ୱର ଏଥର ଗମ୍ଭୀର ।

 

ମୁଁ ତତୋଽଧ‌ିକ ଗମ୍ଭୀର କଣ୍ଠରେ ଉତ୍ତର ଦେଲି... “ସିଏ ଅନେକ କଥା । ପରେ ଜାଣିବ-। ମୁଁ ଯାଉଛି ମଙ୍ଗରାଜପୁର ଆଶ୍ରମକୁ !”

 

“ଓ ! ଗାନ୍ଧୀବାଲାଙ୍କ ଆଶ୍ରମ ? କିନ୍ତୁ ଆଶ୍ରମକୁ ପୁଲିସବାଲା ତ ସିଲ୍ କରିଦେଇଚନ୍ତି । ଯୋଉ କେତୋଟି ବୁଢ଼ା ସେଠି ପଡ଼ି, ଚଇଖା କାଟୁଥିଲେ, ସେମାନେ ଏବେ ଜେଲ୍‌ରେ !”

 

ଇଏ ଗୋଟାଏ ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ! କେତୀ ମୋତେ ଏଠି ଅଟକାଇନଥିଲେ, ଏ ସମ୍ବାଦ ପାଇଥାନ୍ତି ବା କିପରି ? ମଙ୍ଗରାଜପୁର ଆଶ୍ରମରେ ଯଦି ସିଲ୍ ପଡ଼ିଛି, ତାହେଲେ ସେଠି ରହିବି ବା କୋଉଠି ? କରିବି ବା କ’ଣ ? ତା’ ଅପେକ୍ଷା, ଏଠି କିଛିଦିନ ସ୍ପେଆର୍ ହୋଇଗଲେ ମନ୍ଦ କ’ଣ ? କିନ୍ତୁ ଅଣ୍ଡରଗ୍ରାଉଣ୍ଡ କାର୍ଯ୍ୟ ଏଠାରେ ହେବ ବି କିପରି ? କଟକ ଫେରିଯିବି ?

 

ଭିତର ଖଞ୍ଜାରୁ ଫଟା କଂସା ସ୍ଵରରେ ସେଇ ଝଙ୍କାର ପୁଣି ଶୁଭିଲା... “ଆଲୋ ବୋହୂ, ଦେବ ଆଇଲାଣି କିଲୋ ! ଘରକଥା; ମହାଜନୀ କଥା, ଜମିବାଡ଼ି କଥା, ଗୁମାସ୍ତା ମୁଣ୍ତରେ ଲଦିଦେଇ, ଅଚିନ୍ତାଙ୍କ ପରି ସେ କ’ଣ ସବୁବେଳେ ବୁଲୁଚି କିଲୋ ?”

 

କେତୀ ନୀରବ ରହିଲା । ସିଏ ବା କ’ଣ ଦେବ ଏହାର ଉତ୍ତର ?

 

ମୋ ସମ୍ପର୍କରେ କେତୀଶାଶୁଙ୍କ ମନରୁ ସନ୍ଦେହ ତଥାପି ଯାଇନାହିଁ । ଫଟା କଂସା ପୁଣି ଝଙ୍କାରିଉଠିଲା... “ଆରେ ଦେବ, ବୋହୂର କୋଉ ଭାଇ ଆଇଚି ପରା !”

 

‘ଦୁର୍ଯ୍ୟୋଧନଙ୍କ’ ନାମ ତାହେଲେ ଦେବ ବା ଦେବେନ୍ଦ୍ର ? ଦେବ ବଡ଼ପାଟିରେ ଉତ୍ତର ଦେଲା... “ଇଏ ମନୁଆଇ ପରା ! ଆମ ଥେଟର୍ ପାଇଁ ଆସିଚନ୍ତି !” ଦୁଇଆଖି ଦୁଷ୍ଟାମୀଭରା ହସରେ ଉଜ୍ଜ୍ୱଳ ।

 

ବୁଢ଼ୀଙ୍କ ସ୍ଵଗତ ସଂଳାପ ଶୁଭିଲା... “ମଲା ! ସେଇ କଥା ନକହି, ବୋହୂ ମୋତେ କଲିଜ୍ କଥା କହୁଚି !”

 

କେତୀ ଦେବେନ୍ଦ୍ରକୁ ଠାରରେ ଯାହା ବୁଝାଇଦେଲା, ତା’ର ଅର୍ଥ ବୋଧହୁଏ, କହିଦିଅ ବୋହୂ ତମକୁ ମିଛ କହିନାହିଁ । ମନୁଆଇ କଲେଜରେ ପଢ଼ନ୍ତି । ଦେବେନ୍ଦ୍ର ବୁଢ଼ୀଙ୍କୁ ଶୁଣାଇ କହିଲା... ମନୁଆଇ କଲେଜରେ ପଢ଼ନ୍ତି । ଆସିଚନ୍ତି ଥେଟର ପାଇଁ !

 

କେତୀ ଗୃହିଣୀସୁଲଭ କଣ୍ଠରେ କହିଲା... “ଯାଅ ଯାଅ ଗାଧୋଇପଡ଼ ମନୁଆଇ । ଝାଳ, ଧୂଳି, ଖରାରେ ଯୋଉ ଚେହେରା ହୋଇଚି !” ଏମାନଙ୍କର ଦୁଇଟି କଣ୍ଠସ୍ୱର କାହିଁକି ? ଗୋଟିଏ ଚପଳା କୁମାରୀର, ଅନ୍ୟଟି କ୍ଷିପ୍ତା ଗୃହିଣୀର ! ଗୋଟିଏ କବିତା, ଅନ୍ୟଟି ଗଦ୍ୟ !

 

ପାଖଘରେ ଦେବେନ୍ଦ୍ର ପାର୍ଟ୍ ମୁଖସ୍ଥ କରୁ କରୁ ଘୁଙ୍ଗୁଡ଼ି ମାରିଲାଣି ! ଏ ଘୁଙ୍ଗୁଡ଼ି ଶବ୍ଦରେ କେତୀ ଦେବେନ୍ଦ୍ର ପାଖରେ କିପରି ଶୁଏ କେଜାଣି ? ଦୁଇଟି ସୁଗୋଲ ବାହୁର ମୃଦୁଳତା... ଦୂତ୍ ଏସବୁ ପୁଣି କ’ଣ ଭାବୁଚି ? ଦାଣ୍ଡ ଘରେ ସେଇ ସନାତନ ଖଟଉପରେ ଖଣ୍ଡେ ସଉପ ବିଛଣା ପଡ଼ିଚି ! ତା’ ଉପରେ ଗୋଟାଏ ତକିଆ କେତେବେଳେ ପଡ଼ିଗଲାଣି ! ତକିଆ ଖୋଳଉପରେ ଝିଆଳୀ ଅକ୍ଷରରେ ବଙ୍କାତେଢ଼ା ଅକ୍ଷରରେ ସିଲେଇ ହୋଇଛି ଶୁଭରାତ୍ରି, ଦୁଇଟି ଫୁଲ ଭିତରେ ! ତକିଆ ଉପରେ ମୁହଁମାଡ଼ି ଶୋଇବା ପାଇଁ ଚେଷ୍ଟା କରୁଥିଲି, ହଠାତ୍ ଚିତ୍କାର କରିଉଠିଲା... “କେତୀ, କେତୀ” !

 

କେତୀ ଭିତର ଖଞ୍ଜାରେ କଉଡ଼ି ଖେଳୁଥିଲା ବୋଧହୁଏ । “ହେ ମା’ ଜାଗୁଳେଇ, ସାତ ପଡ଼ ପାଞ୍ଚ ପଡ଼” ବିଭିନ୍ନ କଣ୍ଠରେ ଏହିପରି ପ୍ରାର୍ଥନା ଆଉ ମଝିରେ ମଝିରେ ଖିଲିଖିଲି ହସ ଆଉ ଚୁଡ଼ି ରିଣିଝିଣି ଶୁଣି, ମୁଁ ସେତିକି କେବଳ ଅନୁମାନ କରୁଥିଲି ମାତ୍ର ! ଅନୁମାନ ଠିକ୍ !

 

କେତୀ ମୋ ଡାକ ଶୁଣି ଧାଇଁଆସି ପଚାରିଲା... “କ’ଣ ହେଲା ? କଉଡ଼ି ଖେଳରୁ ଉଠାଇ ଆଣିଲ ?”

 

ମୁଁ କହିଲି... “ଏଇଟା ତକିଆ ନାଁ ପଥର ? ମୋତେ ଆଉ ଗୋଟାଏ ତକିଆ ଦେ ! ତକିଆ ନହେଲେ ବି ଚଳିବ ।”

 

ଖେଳରୁ ଉଠିଆସିଥିବା ହେତୁ କେତୀର ମିଞ୍ଜାସଟା ବୋଧହୁଏ ଭଲନଥିଲା । ତକିଆଟା ଉଠାଇନେଇ ଶାଣଦିଆ କଣ୍ଠରେ ସେ ଉତ୍ତର ଦେଲା... “ତାହେଲେ ଖାଲି ଖଟରେ ଶୁଅ-। ତକିଆଟା କୁଆଡ଼େ ପଥର !” କେତୀର କଣ୍ଠସ୍ଵରରେ ହଠାତ ଏ ପରିବର୍ତ୍ତନ କାହିଁକି ?

କେତୀର ନାଲିଧଡ଼ିଆ ଶାଢ଼ି ଅଞ୍ଚଳଟା ଦୁଆରବନ୍ଧ ସେପଟେ ଲୁଚିଗଲା । ଖଟଉପରେ ମୁଁ ଉଠି ବସିଥିଲି । କେତୀ ଯିବାପରେ ଦୁଇହାତ ପାପୁଲି ଛନ୍ଦି ତା’ ଉପରେ ମୁଣ୍ଡରଖି ଚିତ ହୋଇ ଶୋଇପଡ଼ିଲି । ପଦବାବୁଙ୍କ ମୁଗୁନି–ପଥରରେ ଖୋଳା ନିଦା ଚେହେରା ଆଖିଆଗରେ ଭାସିଉଠିଲା । ପଦବାବୁ ଅବିକା ହୁଏତ କୋଉଠି କୋଉ ଜେଲ୍ ଖାନାରେ, ମୁଣ୍ଡ ତଳେ ଖଣ୍ଡେ ଇଟା ରଖି ଶୋଇଥିବେ । ନୋହିଲେ ତାକୁଡ଼ୀରେ ସୂତା କାଟୁଥିବେ ! ଆଃ ! ଚରଖାରେ ସୂତାକଟା ପଦବାବୁଙ୍କଠାରୁ ଶିଖିପାରିଲି ନାହିଁ । ସୂତାକାଟି ଗାନ୍ଧୀ ମହାତ୍ମା ଦେଶକୁ କିପରି ସ୍ଵାଧୀନ କରିବେ କେଜାଣି ? କିନ୍ତୁ ଗାନ୍ଧୀବାଲାମାନଙ୍କର ବିଶ୍ୱାସ–ଇଏ ସୁଦର୍ଶନ ଚକ୍ର ! ଦୂତ୍, ସୁଭାଷ ବୋଷଙ୍କ ହାତର ଖଣ୍ଡା ଏହାଠୁ ଅଧିକ ନିର୍ଭର ଯୋଗ୍ୟ ! କିନ୍ତୁ ଦୁର୍ଭାଗ୍ୟ, ଖଣ୍ଡାର ଚେହେରା ସୁଦ୍ଧା ଏପର୍ଯ୍ୟନ୍ତ ଦେଖିପାରିଲି ନାହିଁ !

କ୍ଳାନ୍ତି, ଅବିସାଦରେ ଦେହ ଝିମେଇପଡ଼ୁଛି ! କିନ୍ତୁ ଆଖିକୁ ନିଦ ଆସୁନାହିଁ । ହାତଟା ହଠାତ୍ ପଡ଼ିଗଲା କପାଳରେ ସେଇ କ୍ଷତ ଉପରେ । ଦରଜ ଆଉ ସେତେଟା ନାହିଁ । ରେବର ସେଇ ଆଖିଦୁଇଟା ...କବିମାନେ ଏଇପରି ଆଖିକୁ ହୁଏତ ତୁଳନା କରିଛନ୍ତି, ପଦ୍ମପାଖୁଡ଼ା ସହିତ ! ମୁଁ ଚରିତ୍ରହୀନ ନାଁ ଲାବଣ୍ୟଲାଳସୀ ! ରୂପ ଯଦି ମୁଗ୍‌ଧ କରେ ତାହେଲେ ସେଇ ମୁଗ୍‌ଧ ଅନୁଭୂତି କ’ଣ ହେବ ଚରିତ୍ରହୀନତା ? କିନ୍ତୁ ରୂପ ସହିତ କାମନାର ସମ୍ପର୍କ କାହିଁକି ? ପାଣି ସହିତ ଶୋଷର ସମ୍ପର୍କ ଯୋଉଥିପାଇଁ ! ଇଏ ଏକ ବିଚିତ୍ର ରହସ୍ୟ ! ସୀମାରେଖା ହଜିଯାଏ ।

ଆଣ୍ଟୁରୁ ଝୁଲୁଚି ଗୋଟାଏ ଧାନବେଣ୍ଟୀ । ବେଣ୍ଟୀ ଚାରିପଟେ ଧାର ଧାର କଉଡ଼ି । ଇଏ ମଧ୍ୟ କେତୀର କାରୁକାମ । ପାଖରେ ଯୋଉ ନାଲି ଝାଲରଲଗା ବିଞ୍ଚଣାଟା ପଡ଼ିଛି, ତା’ ମଝିରେ ବଙ୍କା ତେଢ଼ା ଇଂରେଜୀ ଅକ୍ଷରରେ ଲେଖାହୋଇଚି କେତୀ ! ଦୂତ, ମୂର୍ଖ ! ମୁଁ ସିଧା ମଙ୍ଗରାଜପୁର ନଯାଇଁ, ଏଠି ଅଟକିଲି କାହିଁକି ? ବିଞ୍ଚଣାଟା ବୁଲାଉ ବୁଲାଉ, କେତେବେଳେ ମୁଁ ଶୋଇପଡ଼ିଲି !

ଘୁଙ୍ଗୁଡ଼ି ଶବ୍ଦ ପାଖ ଘରୁ ଆଉ ଶୁଭୁନାଇଁ । ଅଚିହ୍ନା ଜାଗାରେ ନିଦଟା ପୁଣି ଭାଙ୍ଗିଗଲା । କେତୀର କଉଡ଼ିଖେଳ ସରିନାହିଁ ପରା ! ତିନି ପଡ଼ିଲେ, ଜାଗୁଳେଇଙ୍କୁ କିଏ ଘିଅ ସଞ୍ଜ ମନାସିଲାଣି-! ଛାଇଲେଉଟା ବେଳ ! ପବନରେ ଜହ୍ନିଫୁଲର ବାସନା । କେତେ ଜନ୍ମ, କେତେ ଯୁଗ ପରେ, ଏ ବାସ୍ନା ଆଜି ମୁଁ ଆଘ୍ରାଣ କରୁଛି କେଜାଣି ? ଏ ବାସ୍ନା ଗାଁ ମାଟିର ।

ମୁଗ୍‌ଧ ଆବେଗ ଭାଙ୍ଗିଗଲା । ଦେବେନ୍ଦ୍ର ହାଇ ମାରି ମାରି, ଖଟ ଧାରରେ ବସିପଡ଼ି ପଚାରିଲା... “କେତୀ ଚା’ ଦେଲାଣି ନେତାଜୀ ?” ରାମଃ ରାମଃ ନେତାଜୀ ହେଲେ ସୁଭାଷ ବୋଷ-! ମୁଁ ତାଙ୍କ କର୍ମୀର କର୍ମୀ ହେବାର ଯୋଗ୍ୟତା ସୁଦ୍ଧା ପାଇଁ ନାହିଁ । କିନ୍ତୁ ଖାଇବାବେଳେ, ଦେବେନ୍ଦ୍ରକୁ ମୋର ଯେଉଁ ଅଣ୍ଡରଗ୍ରାଉଣ୍ଡ୍ ବୃତ୍ତାନ୍ତ କହିଥିଲି, ବାଧ୍ୟହୋଇ, ସେଇଥିରୁ ସେ ମୋତେ ଧରିନେଲାଣି ନେତାଜୀ ବୋଲି । କିନ୍ତୁ ଏ ସମ୍ୱୋଧନରେ ପରିହାସ ଯେପରି ପ୍ରଚ୍ଛନ୍ନ, ତା’ ମଧ୍ୟ ବେଶ୍ ବୁଝିପାରୁଥିଲି ।

 

ଓ ! ଏଠି ତାହେଲେ ଚା’ର ବ୍ୟବସ୍ତା ଅଛି ? ଆଶ୍ଵସ୍ତ ହେଲି ।

 

“କେତୀ, ଚା”...ଦେବେନ୍ଦ୍ର ଗୋଟାଏ କୁହାଟ ଛାଡ଼ି, ଖଣ୍ଡେ ବିଡ଼ିରେ ନିଆଁ ଲଗାଇଲା । ହରିଣଛାପ ବିଡ଼ି ! ମୁଁ ମଧ୍ୟ ଖଣ୍ଡେ ବିଡ଼ି ନେଇ ନିଆଁ ଲଗାଇଲି । ଭିତରୁ କେତୀର ଝଙ୍କାର ଶୁଭିଲା... “ରୁହ, ଏଇ ବାଜିଟା ସରିଯାଉ । ଦାନ ପକେଇଲା ବେଳକୁ ଡାକିଦେଲେ । ହେ ମା’ ଜାଗୁଳେଇ... !”

 

ଦେବେନ୍ଦ୍ରର ବିଡ଼ି ଟାଣିବାର ଗୋଟାଏ ଷ୍ଟାଇଲ୍ ଅଛି । ବୁଢ଼ା ଆଙ୍ଗୁଠି ଆଉ ବିଶି ଆଙ୍ଗୁଠି ଭିତରେ ବିଡ଼ିଟା ଚାପି, ସେ ଫୁଟ୍‌କି ମାରି ବିଡ଼ି ଶୋଷେ, ଆଉ ଗୁଳ ଝାଡ଼େ । ବେଶ୍ ଆମୋଦୀ ଲୋକ । ଦୁଲାଳ ଦୁଲାଳ ଚେହେରା । କେତୀ ଭଲ ଘରେ ପଡ଼ିଛି ।

 

ଦେବେନ୍ଦ୍ର କହିଲା... “ମୁସ୍‌କିଲ୍ ହେଉଚି, ବୋଉ ହାଣ୍ଡିଶାଳ ଭିତରକୁ ତା’ ବୋହୂ ଛଡ଼ା ଆଉ କାହାକୁ ଛାଡ଼ିବ ନାହିଁ, ଛାଡ଼ିଲେ ହାଣ୍ଡିଶାଳ କୁଆଡ଼େ ମାରା ହୋଇଯିବ ! କିନ୍ତୁ ବୋହୂ ବର୍ତ୍ତମାନ ଯେପରି କଉଡ଼ିଖେଳରେ ମାତିଛନ୍ତି, ଚା ପାଇଁ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାପାଇଁ ପଡ଼ିବ । ତେଣେ ରିହାରସାଲ୍... ଉଠେ ମୁଁ ଚେଷ୍ଟା କରେ ଆତ୍ମନିର୍ଭରଶୀଳ ହେବାପାଇଁ !”

 

ଦେବେନ୍ଦ୍ର ଉଠିଗଲା । କିଛି ସମୟ ପରେ ଗୋଟାଏ ଷ୍ଟୋଭ୍ ଗର୍ଜନ କରିଉଠିଲା । ଦେବେନ୍ଦ୍ର ଇଚ୍ଛାକଲେ, ତାହେଲେ, ଆତ୍ମନିର୍ଭରଶୀଳ ହୋଇପାରେ ! ପଦବାବୁ ବି ବେଳେବେଳେ କହୁଥିଲେ, ସ୍ୱାବଲମ୍ବୀ ହୁଅ । ଚରଖାର ମାନେ କୁଆଡ଼େ ସେଇଆ । ଷ୍ଟୋଭ୍‌ର ଗର୍ଜନ ବୁଡ଼ାଇ, ହଠାତ୍ ଗୁଡ଼ାଏ ବାସନ, କପ୍ ପ୍ଳେଟ୍ ତଳେ ଝଣଝାଣ ହୋଇ ଖସିପଡ଼ିବାର ଶବ୍ଦ ଶୁଭିଲା; ଆଉ ତା’ ସହିତ କେତୀ ଆଉ ତା’ ଶାଶୁର ଚିତ୍କାର ।

“ଆଲୋ ବୋହୁ ହାଣ୍ଡିଶାଳରେ ବିଲେଇ ପଶିଲା !”

“ହେଇଲୋ ମା’ !”

“କପ୍ ପେଲେଟ୍ ଗୁଡ଼ା ଭାଙ୍ଗିଲା ତ !” ଏ ଆକସ୍ମିକ ଦୁର୍ଘଟଣାରେ କଉଡ଼ି ଖେଳ ଭାଙ୍ଗିଗଲା ପରା ! ବୋଉ, ହାଣ୍ଡିଶାଳରେ ବିଲେଇ ପଶିଛି ଭାବି, ଆଉ କିଛି ପଚାରିଲେ ନାହିଁ । ନିଆଁ ନଗା ଭୁଆଁଟା ! କେତୀ ପାଦ ଦୁମ୍‍ଦୁମ୍ କଚାଡ଼ି ଆସୁଥିଲା । ହଠାତ୍ ଖିଲ୍‍ଖିଲ୍ ହସିଉଠିଲା । ଦୁମ୍‍ଦୁମ୍ ଚାଲି ଆଉ ଖିଲିଖିଲି ହସର ଉଦ୍ଦେଶ୍ୟ ବୁଝିପାରିଲି ନାହିଁ । ଦେବେନ୍ଦ୍ର, ସେଆଡ଼ୁ ବାଁହାତ ପାପୁଲିଟା ପବନରେ ଛାଟିଛାଟି, ଉହୁ ଉହୁ ଫୁଙ୍କି, ଦାଣ୍ଡଘରେ ମୋ ପାଖରେ ଆସି ବସିପଡ଼ିଲା... “ଦୂତ୍ ! ହାତରେ ଧାସ ଲାଗିଗଲା !”

କେତୀ ହାତରେ ଗୋଟାଏ ଶିଶି ଧରି, ସେମିତି ଖିଲିଖିଲି ହସି, ଦେବେନ୍ଦ୍ରକୁ କହିଲା... “ଆଣ ଆଣ ସିଦ୍ଧାଞ୍ଜନ ବୋଳିଦିଏ, ନଇଲେ ଫୋଟକା ପଡ଼ିଯିବ । ବାବୁ ଯାଇଥିଲେ ହାତରେ ଚା କରିବା ପାଇଁ । ଛେଳି ଗୋଡ଼ରେ ଯଦି ବେଙ୍ଗଳା ପଡ଼ନ୍ତା...ହିଃ ହିଃ ହିଃ !”

ଦେବେନ୍ଦ୍ର ବାଧ୍ୟ ଶିଶୁ ପରି ହାତ ଦେଖାଇ କହିଲା... “କ’ଣ ମୁଁ ଚା ତିଆରି କରିପାରିବି ନାହିଁ ? କେଟଲି ରଖୁରଖୁ ହାତରେ ଷ୍ଟୋଭ୍ ଧାସଟା ଟିକିଏ ଲାଗିଗଲା ତ, କ’ଣ ହେଲା ? ପାର୍ଟ ମୁଖସ୍ତ କରୁକରୁ ଅନ୍ୟମନସ୍କ ହୋଇପଡ଼ିଥିଲି ।”

“ଆଉ କପ୍ ପେଲେଟ୍ ଭାଙ୍ଗିଲ ଯେ !”

“ଶୁଣ ମନୁଆଇ, ଆକ୍‌ସିଡ଼େଣ୍ଟ୍ ଇଜ୍ ଆକ୍‌ସିଡ଼େଣ୍ଟ୍ ! ଗୋଟାଏ ହାତରେ ଧରିଥିଲି କେଟ୍‌ଲୀ, ଅନ୍ୟ ହାତରେ କପ୍ ପ୍ଳେଟ୍ !”

ସିଦ୍ଧାଞ୍ଜନ ପ୍ରଲେପରେ ଦେବେନ୍ଦ୍ରର ପୋଡ଼ାଜ୍ଵଳାଟା କମି ଆସିଥିଲା ! ଧାସଟା ଲାଗିଥିଲା ମାତ୍ର । ସେ ଆଉ ଖଣ୍ଡେ ବିଡ଼ିରେ ନିଆଁ ଲଗାଇ କହିଲା... “ହଉ ଚଟ୍ ଚଟ୍ ଦୁଇକପ୍ ଚା’ ନେଇଆ ! ରିହାରସାଲ୍ ପାଇଁ ବେଳ ହୋଇଗଲା !”

“ଯୋଉ ଥେଟର୍ ତ କରିବ ! ହିଃ–ହିଃ–ହିଃ...ହରିପୁରିଆ ତମକୁ ଯଦି ନ ହରେଇଛନ୍ତି ତା ହେଲେ ମୋ ନାଁ କେତୀ ନୁହଁ !” ସବୁ କଥାରେ କେତୀର ହସ । ନୂଆବୋହୂ ମାନେ ଏମିତି ହସି ପାରନ୍ତି କିପରି ?

ଦେବେନ୍ଦ୍ର ଏଥର ବିରକ୍ତ ହୋଇ କହିଲା... “ତୁ ମୋ କ୍ଳବ୍ ବିଷୟରେ କହିବାକୁ କିଏ ? ପ୍ରୀତିପୁର ଜାଗୁଳେଇ ଡ୍ରାମାଟିକ୍ କ୍ଳବ୍‌ର ପ୍ରେସିଡ଼େଣ୍ଟ୍ ମୁଁ । ଆମେ ଏଥର କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କର୍ଣ୍ଣ ଡ୍ରାମା ଧରିଚୁ । ହରିପୁରିଆ କରୁଚନ୍ତି ସେଇ ପୁରୁଣା “କୋଣାର୍କ” । ଦେଖିବୁ ଏଥର ତାକ୍ ଲଗେଇଦବୁ ଆମେ ! ଯା ଚା ନେଇଆ !”

କେତୀ ଭିତରକୁ ଚାଲିଯିବାବେଳେ କହିଲା... “ସେଇଥିରେ ତ ପାର୍ଟ୍ ମୁଖସ୍ତ କରିପାରୁନା !” ଏ ଆକ୍ରମଣର ଉତ୍ତର ଦେବାପାଇଁ ଦେବେନ୍ଦ୍ରର ପ୍ରକୃତରେ କିଛି ନଥିଲା । ସେ ନୀରବ ରହିଲା ।

 

ଚାଲୁ ଚା ଇସ୍‌ ପେସାଲ୍ ଚା ଏତେଦିନ ପିଇ ପିଇ ଚାର ସ୍ୱାଦ ପ୍ରାୟ ଭୁଲିଯାଇଥିଲି ! କେତୀ ଦୁଇକପ୍ ଚା’ ଦୁଇହାତରେ ଧରି ଖଟଉପରେ ରଖିଦେଇଗଲା । ସେ ଯେପରି ଡିମନ୍‌ଷ୍ଟେଟ୍ କରୁଥିଲା, ଦେଖ ମୋ ହାତରୁ ଚା କପ୍ ପେଲେଟ୍ କିପରି ପଡ଼ୁନାହିଁ । ଚାର ଖୁସ୍‌ବୁରେ ପବନଟା ମହକିଉଠିଲା ।

 

ଗାଁ ମୁଣ୍ଡରେ ଜଟଜଟାବୃତ ବରଗଛତଳେ ଜାଗୁଳେଇ ଆସ୍ଥାନ ଦିଶୁଥିଲା ସ୍ତୂପୀକୃତ ଖଣ୍ଡେ ଅନ୍ଧକାର ପରି । ଗାଁର ଆଧିବ୍ୟାଧି ଦୂର କରିବାଠାରୁ, କଉଡ଼ି ଖେଳରେ ଦାନ ପଳାଇବା ପର୍ଯ୍ୟନ୍ତ ସବୁ ଦାୟିତ୍ଵ ମୁଣ୍ଡେଇ ନେଇଚନ୍ତି ମା’ ଜାଗୁଳେଇ । ଦୀପ ଦୁଇ ତିନିଟା ଆସ୍ଥାନ ପାଖରେ ଜଳିଉଠିଲାଣି । ପବନରେ ପୋଡ଼ା ସଳିତାର ଗନ୍ଧ । ଆସ୍ଥାନ କଟାଇ ଚାଲିଗଲେ, ଗୋଟାଏ ଚାଳ ଘର... “ଆମ କ୍ଲବ୍” ଚେତାଇଦେଲା ଦେବେନ୍ଦ୍ର । କିନ୍ତୁ ତା’ର କୌଣସି ପ୍ରୟୋଜନ ନଥିଲା ! ଦୂରରୁ ଅନେକ ପାଟି, ଅନେକ କୋଳାହଳରୁ ମୁଁ ତାହା ବେଶ୍ ଅନୁମାନ କରିପାରିଥିଲି !

 

ଦେବେନ୍ଦ୍ର କହିଲା... “ଜାଣେପରା, ମୁଁ ଦଣ୍ଡେ ଚାଲିଗଲେ, କାଉବସାରେ ଢାମଣା ପଶିବ !”

 

ପ୍ରକୃତରେ କାଉବସାରେ ଢାମଣା ପଶିବା ପରି ଅବସ୍ଥା । କ୍ଲବ୍ ଘର ବାହାରେ କିଏ ଚିତ୍କାର କରୁଛି... “ମର୍ଡ଼ର୍ ! ମର୍ଡ଼ର୍ !” କିଏ ଚିତ୍କାର କରୁଚି “ମୁଣ୍ଡ କଟିଗଲା !” କିଏ କହୁଚି “ଇଏ କିନ୍ତୁ ବିନ୍ଦଭାଇର ଅନ୍ୟାୟ !”

 

କିଏ ମର୍ଡ଼ର୍ କଲା କାହାକୁ ? ଆମେ କେହି ବୁଝିପାରିଲୁ ନାହିଁ ! ଦେବେନ୍ଦ୍ର ତା’ର ଉପସ୍ଥିତ ଘୋଷଣା କରିବା ଉଦ୍ଦେଶ୍ୟରେ ହେଉ, ଅଥବା ମର୍ଡ଼ରର୍ କାଳେ ଅନ୍ଧାରରେ କୁଆଡ଼େ ଖସି ପଳାଉଛି କି ଆଉ, ବୋଲି ହେଉ, ଅନ୍ଧାରରେ ଟର୍ଚ୍ଚ ମାରି, ଚାରିଆଡ଼େ ବୁଲାଇନେଲା ! “ଆରେ ଇଏ କ’ଣ ? ଖୋଦ୍ ଡିରେକ୍‌ଟର୍ ନାରଣ ମାଷ୍ଟର୍ ହାତରେ ଟିଣ ସୁଟ୍‍କେଶ୍ ଓହଳାଇ, ହାଫ୍‌ସାର୍ଟ ଉପରେ ଚଉତା ଚାଦର ପକାଇ, ବାହାରିଚନ୍ତି କୁଆଡ଼େ ରିହାର୍‌ସେଲ୍ ବେଳେ-?” ଦେବେନ୍ଦ୍ର ପ୍ରାୟ ଚିତ୍କାର କରିଉଠିଲା ।

 

ମୁହଁରେ ଟର୍ଚ୍ଚ ଆଲୁଅ ପଡ଼ିବାରୁ, ଜଳକା ହେବାପରି ନାରଣ ମାଷ୍ଟର ରହିଗଲେ । କୋଳାହଳଟା କ୍ରମେ ବଢ଼ିଉଠିଲା... “ଅଟକାଅ ଅଟକାଅ ଦେବଭାଇ... ଡିରେକ୍ଟର୍ ପଳାଉଛନ୍ତି... ବିନ୍ଦଭାଇର ଦୋଷ ଇଏ... ବିନ୍ଦ କେତେ ଡ୍ରାମାରେ ପାର୍ଟ କରିଚି... ତାକୁ ନାରଣ ମାଷ୍ଟ୍ର ମୃତସୈନିକ କହିବାକୁ କିଏ ? ...ତା’ ବୋଲି ଡ୍ରାମା ଡିରେକ୍ଟର୍‌ଙ୍କୁ ମୁହଁ ଉପରେ ବିନ୍ଦଭାଇ ଗାଉଁଲି ନାରଣ ମାଷ୍ଟର ବୋଲି ଅପମାନ ଦେବ ? ...ନାନା କଣ୍ଠରେ ନାନା ଅଭିଯୋଗ, ନାନା ଯୁକ୍ତି ! ମୁଁ ତ ଏସବୁର ବିନ୍ଦୁ ବିସର୍ଗ ବୁଝିପାରିବା କଥା ନୁହେଁ; ସ୍ଵୟଂ ପ୍ରେସିଡ଼େଣ୍ଟ୍ ଦେବେନ୍ଦ୍ର ସୁଦ୍ଧା ପ୍ରଥମେ ବୁଝିପାରିଲା ନାହିଁ !

 

“କଥା କ’ଣ ନାରଣ ବାବୁ ? ଆପଣଙ୍କୁ ଆମେ ଧରିଛୁ । ଆପଣ କ’ଣ ଏତିକିବେଳୁ ଚଲ୍ ଦେଲେଣି ?”

 

ନାରଣ ମାଷ୍ଟ୍ରଙ୍କ କଣ୍ଠରେ କ୍ରୋଧ ଆଉ ଆହତ ଅଭିମାନ ମିଶାମିଶି ! ହାଡ଼ଗିଳା ଚେହେରା । କପାଳ ଉପରେ ଝାମ୍ପୁରା ବାଳ । ନାଟକୀୟ ଠାଣିରେ କପାଳ ଉପରକୁ ଗୋଛାଏ ବାଳ ଛାଟିଦେଇ, ଅପସ୍ମାରରୋଗୀ ପରି, କମ୍ପି କମ୍ପି, ନାରଣ ମାଷ୍ଟ୍ର କହିଲେ... “କେତେ ବଡ଼ ବଡ଼ ଡ୍ରାମା ଡିରେକ୍ଟ କରିଚି । ଇଏ ମତେ ମଫସଲୀ ନାଚଦଳ ଓସ୍ତାତ୍ କହି ବେଜିତ କରିବ ?”

 

ଦେବେନ୍ଦ୍ର ସାନ୍ତ୍ଵନା ଦେବାପାଇଁ କହିଲା... “ଓସ୍ତାତ୍ ଆଉ ଡିରେକ୍ଟର, ସେଇ ଏକ କଥା-।”

 

ତତଲା ତେଲ କଡ଼େଇରେ ପାଣି ପଡ଼ିଲେ ଦାଉ କରିଉଠିବା ପରି, ନାରଣ ମାଷ୍ଟ୍ର ତେଜିଉଠି କହିଲେ... “ନାଚଦଳ ଓସ୍ତାତ୍ ଆଉ ଡ୍ରାମା ଡିରେକ୍ଟର୍ ଏକ କଥା ! ଆପଣ ବି ସେଇଆ କହୁଛନ୍ତି ଦେବବାବୁ ? ପୁଣି କ୍ଳବ୍ ପ୍ରେସିଡ଼େଣ୍ଟ୍ ହୋଇ !”

 

ମୁଁ ଅଗତ୍ୟା କହିଲି... “ଦେଖନ୍ତୁ, ସବୁ ଦୃଷ୍ଟିରୁ, ସବୁ କଥା ବୁଝିଲେ ଏକ । ନାଚଦଳ ଓସ୍ତାତ୍ ନାଚ ଡିରେକ୍ଟ କରନ୍ତି, ଡ୍ରାମାଦଳ ଓସ୍ତାତ୍ ଡ୍ରାମା ଡିରେକ୍ଟ କରନ୍ତି । ଦୁହେଁ କର୍ମରେ, ପ୍ରବୃତ୍ତିରେ ଓସ୍ତାତ୍ ! ଆପଣ ଦୟାକରି ଫେରିଚାଲନ୍ତୁ । ହେଃ, ଆପଣଙ୍କ ପରି ଗୁଣୀଲୋକ, ଏଇଥିରେ ରାଗିବା କଥା ?”

 

ଦେବେନ୍ଦ୍ର ନାରଣ ମାଷ୍ଟ୍ରଙ୍କ ଗୋଟାଏ ଖୁଆ ଟାଣି କହିଲା... “ଫେରିଚାଲନ୍ତୁ । ବୁଝିବା କ’ଣ ହୋଇଚି ।” ନାରଣମାଷ୍ଟ୍ରଙ୍କ ଅନ୍ୟ ଖୁଆଟା ଧରି, ଟାଣିନେଲି କ୍ଳବ୍ ଘରଆଡ଼େ । ନାରଣମାଷ୍ଟ୍ରଙ୍କ କ୍ରୋଧ ଶାନ୍ତ ପଡ଼ିଗଲା । କ୍ଳବ୍ ବାହାରର କୋଳାହଳ, ଏବେ ପୁଞ୍ଜିଭୂତ ହୋଇଥିଲା, କ୍ଳବ୍ ଭିତରେ । ମିଞ୍ଜିମିଞ୍ଜିଆ ଲଣ୍ଠନ୍‌ଟାଏ କଡ଼ାରେ ଝୁଲୁଥିଲା ଛାତରୁ । ତା’ର ଅସ୍ପଷ୍ଟ ଆଲୁଅରେ ସବୁ ଛାଇଛାଇଆ ।

 

ବିନ୍ଦ (ବିନୋଦର) ସମର୍ଥକ କେତେଜଣ ତାକୁ ଗୋଟାଏ ଟୁଲଉପରେ ବସାଇ, ଘେରି ଠିଆ ହୋଇଛନ୍ତି । ସେ ମଧ୍ୟ ବସିଛି ପଳାଇବା ପାଇଁ । ନାରଣ ମାଷ୍ଟ୍ରଙ୍କ ସୁଟ୍‌କେସ୍‌ଟା ସେତେବେଳକୁ ମୁଁ ହାତରେ ଓହଳାଇ ସାରିଲିଣି । ଦେବେନ୍ଦ୍ର ତାଙ୍କୁ ଖଣ୍ଡେ ଚଉକି ଉପରେ ବସାଇଦେଇ କହିଲା... “ଡିରେକ୍ଟର୍‌ଙ୍କ ପାଇଁ, ଦାମ ଦୋକାନରୁ ଗିଲାସେ ଚା’ ନେଇଆ ତ ବଇଦା”-!

 

“କ’ଣ, କଥା କ’ଣ ? ରିହାର୍‌ସାଲ୍ ନଚାଲି, ଏସବୁ ଚାଲିଛି କ’ଣ ? ଇଏତ ସତକୁସତ କୁରୁପାଣ୍ଡବ ଯୁଦ୍ଧରେ ବାବା ! ଅଥଚ ଡ୍ରାମା ପାଇଁ ଅମାରରୁ ଲୁଚାଇ ଲୁଚାଇ ଧାନ ବିକ୍ରି କରି, ଅମାର ଅଧା କରିଦେଲିଣି !”

 

ଦେବେନ୍ଦ୍ର କଣ୍ଠରେ ଅବ୍‌ଶୋଷ ! ପ୍ରକୃତରେ ଦେବେନ୍ଦ୍ର ଲୁଚେଇ ଲୁଚେଇ ଅମାରରୁ ଧାନବିକ୍ରି କରି ଖର୍ଚ୍ଚ ତୁଲାଉନଥିଲେ, ଡ୍ରାମାହୋଇପାରନ୍ତା ନାହିଁ । ଗାଁରୁ ଚାନ୍ଦାଭେଦା ଉଠେ ତ ଯାହା ! ସବୁଗୁଡ଼ା କୃପଣ ! ସମସ୍ତେ ହଠାତ୍ ନୀରବ ହୋଇଗଲେ ।

 

ଡିରେକ୍ଟର୍ ନାରଣମାଷ୍ଟ୍ରଙ୍କ କ୍ରୋଧଟା, ଚାଲୁ ଚା’ ଗ୍ଳାସ୍‌ରେ ତୋକେ ତୋକେ ଚୁମୁକ୍‌ରେ ଧୀରେଧୀରେ କମିଆସୁଛି ।

 

ବିନ୍ଦର ଜଣେ ସମର୍ଥକ କହିଲା... “ବିନ୍ଦକୁ ମୃତ ସୈନିକ କହିବାପାଇଁ ଓସ୍ତାତେ କିଏ ? କାର୍ତ୍ତବୀର୍ଯ୍ୟ ଡ୍ରାମାରେ ସେ ଚନ୍ଦ୍ରଧ୍ଵଜ ପାର୍ଟ କରିଛି । ସେଓଜୀରେ...”

 

ଡିରେକ୍ଟର୍ ଚା’ ଗ୍ଳାସଟା ଟେବୁଲ୍ ଉପରେ କଚାଡ଼ିଦେଇ, ବିସ୍ଫୋରଣ କରିଉଠିଲେ... “ପୁଣି ଓସ୍ତାତ୍ !”

 

“ନାଁ, ନାଁ ଆପଣ ଡିରେକ୍ଟର୍ ! ଇଏ ମଫସଲୀ ଗାଁ ତ, ଡିରେକ୍ଟରଙ୍କୁ ଏମାନେ ଓସ୍ତାତ କହନ୍ତି !” ମୁଁ ଅବସ୍ଥାଟାକୁ ସମ୍ଭାଳିଦେଲି !

ଦେବେନ୍ଦ୍ର ଝରକା ଦାଢ଼ଉପରେ ମୋତେ ବସାଇଦେଇ, ନାଟକୀୟ ଭଙ୍ଗୀରେ ହଠାତ୍ ଘୋଷଣା କଲା... “ଇଏ ମନୁଆଇ, କଟକ କଲେଜରେ ପଢ଼ନ୍ତି । ଆମ ଡ୍ରାମା ପାଇଁ ବିଶିଷ୍ଟ ଅତିଥି ହୋଇଆସିଛନ୍ତି । ଇଏ ଗୋଟାଏ ନିଶାପ କରିଦିଅନ୍ତୁ !”

ହାୟ ଦୁର୍ଭାଗ୍ୟ ! ପ୍ରଜ୍ଞାଭଦ୍ରଜୀ ଏ ଖବର ପାଇଲେ ମୋତେ ଭାବିବେ କ’ଣ ? ଆସିଥିଲି ଅଣ୍ଡରଗ୍ରାଉଣ୍ଡ କର–ବା ମର ପାଇଁ । ଏଠି ହେଲିଣି ଡ୍ରାମା କ୍ଳବରେ ବିଶିଷ୍ଟ ଅତିଥି ! ପୁଣି ନିଶାପ କରିବା ପାଇଁ ପଡ଼ିବ ମୋତେ ! ଏହାକୁ ଯେ କହନ୍ତି, ଆଇରାନୀ ! ସମସ୍ତଙ୍କ ଦୃଷ୍ଟି ବର୍ତ୍ତମାନ ମୋଉପରେ ନିବଦ୍ଧ ! ଇଏ ନର୍ଭସ୍ ହେବାର ବେଳ ନୁହେଁ । ମୁଁ ଚଢ଼ା ଗଳାରେ କହିଲି... “ଓ୍ଳାନ୍ ଆଟ୍ ଏ ଟାଇମ୍ ! ମାନେ ଜଣ ଜଣ କରି କୁହ । ମୁଁ ପଚାରୁଛି, ହ୍ଵାଟସ୍ ଦି ହେଲ୍ ?”

ଇଂରାଜୀ ବଚନିକା ଶୁଣିନଥିଲେ ସେମାନେ ଇମ୍ପ୍ରେସଡ଼୍ ହୋଇନଥାନ୍ତେ । ଦେବେନ୍ଦ୍ର ବୁଝାଇଦେଲା... “ମନୁଆଇ ପଚାରୁଛନ୍ତି, କଥା କ’ଣ ? କାହିଁକି ଏ ଗଣ୍ଡଗୋଳ ?”

ବିନ୍ଦ ଏଥର ତା’ର ଅଭିଯୋଗ ବୟାନ କଲା... “ମୁଁ ନେଇଛି କର୍ଣ୍ଣ ପାର୍ଟ ! ମାନେ ମୁଁ ହେଲି ହିରୋ ! ଇଏ ମୋତେ ମୃତସୈନିକ କହିବାକୁ କିଏ ?”

ଡିରେକ୍ଟର ନାଟକୀୟ ଭଙ୍ଗୀରେ ଚଉକି ଉପରେ ସିଧାହୋଇ ବସି କହିଲେ... “ମିଥ୍ୟା କୁହନାହିଁ ବିନୋଦ ! ମୁଁ ତୁମକୁ ମୃତସୈନିକ କହିଛି ? ଆରଓଳି ରିହାର୍‌ସେଲ୍ ବେଳେ, ଦୁର୍ଯ୍ୟୋଧନକୁ ତୁମେ ନିକୁଟି ହୋଇ ହାତ ମକଚି କହିଲ...

 

ଆଜିଠାରୁ ସୁଖେ, ଦୁଃଖେ, ସମ୍ପଦେ, ବିପଦେ

ଉତ୍ସବେ, ବ୍ୟସନେ କିବା ଜୀବନେ ମରଣେ

କର୍ଣ୍ଣ ତବ ଆଜ୍ଞାକାରୀ...

 

ମୁଁ ତମକୁ ବାରମ୍ବାର କହିଚି, ଇଏ କର୍ଣ୍ଣ ଷ୍ଟାଇଲ୍ ନୁହେଁ । ଏଥିରେ କର୍ଣ୍ଣ ପାର୍ଟ୍ ଏକାଥରେ ମର୍ଡ଼ର ହୋଇଯିବ ! ମୁଁ କହିଲି, ବିନୋଦ ମନେରଖ ଇଏ ହେଲା ଗାନ୍ଧର୍ବକଳା । ମୃତ ସୈନିକର ମଧ୍ୟ ମୂର୍ଚ୍ଛା ଓ ପତନ ପାଇଁ ଗୋଟାଏ ଷ୍ଟାଇଲ୍ ଅଛି । ତାନହେଲେ ଯେକୌଣସି ବାତରୋଗୀ ଥେଟରରେ “ମୃତସୈନିକ ପାର୍ଟ କରିପାରନ୍ତେ !”

 

ବିନ୍ଦ କହିଲା... “ସେଇ ଏକ କଥା ! ମତେ ମୃତସୈନିକ କହିବାକୁ ଆପଣ କିଏ ?”

 

ମୁଁ କହିଲି... “ଆଚ୍ଛା ବିନ୍ଦ ବାବୁ ଆପଣ ବର୍ତ୍ତମାନ ସେଇ ଜାଗାଟା ରିହାରସାଲ୍ କରନ୍ତୁ ତ ! ଦେଖେ ମୁଁ... କିଏ ଠିକ୍ !”

 

ବିନ୍ଦ ପଛରୁ ଠେଲା ଖାଇ, କୁଣ୍ଠିତ ଭାବରେ ଠିଆହୋଇ କହିଲା... “ଦୁର୍ଯ୍ୟୋଧନ ଆଗେ କହିଲେ ସିନା !”

 

ମୁଁ କହିଲି... “କମ୍‍ଅନ୍ ଦୁର୍ଯ୍ୟୋଧନ !”

 

ଦେବେନ୍ଦ୍ର ହଠାତ୍ ଏପରି ପରୀକ୍ଷାରେ ପଡ଼ିଯିବ ବୋଲି ଆଶା କରିନଥିଲା ପରା ! ସେ ବଚନିକା ଆରମ୍ଭ କଲା–

 

“ପିତାମହ,

 

ଜନ୍ମ ନୁହେଁ ନର କରାୟତ୍ତ;

 

ଶ୍ରେଷ୍ଠତ୍ୱ ଦେଖାଏ ନର ଆପଣା ପୌରୁଷେ...

 

ପ୍ରମ୍ପଟର, ପ୍ରମ୍ପଟର !” ...ଦେବେନ୍ଦ୍ର ବରାବର ସେଇଠି ପୌରୁଷ ପାଖରେ ଅଟକି ଯାଉଛି !

 

ପ୍ରମ୍ପଟର ଖଣ୍ଡେ କାନମୋଡ଼ା ଖାତା କାଢ଼ି ପୁରାଣ ବୋଲିବା ପରି ପଢ଼ିଲା... “ଆସ ମିତ୍ର ଘେନ ଶିରେ... ।” ଦେବେନ୍ଦ୍ର ପୂର୍ଣ୍ଣ କରିଦେଲା ବଚନିକା,

 

ଆସ ମିତ୍ର ।

 

ଘେନ ଶିରେ ମୋର ଏ ମୁକୁଟ

 

ଆଜିଠାରୁ ହେଲ ତୁମ୍ଭେ ଅଙ୍ଗଦେଶପତି ।”

 

ଡିରେକ୍ଟର୍ ଚିହିଙ୍କିଉଠିଲେ, “ଆଲିଙ୍ଗନ । ଆଲିଙ୍ଗନ !”

 

ମୁଁ କହିଲି... “ରିପିଟ୍ ।”

 

ଦେବେନ୍ଦ୍ର “ଆଜିଠାରୁ ହେଲ ତୁମ୍ଭେ ଅଙ୍ଗଦେଶ ପତି” କହି ବିନ୍ଦକୁ କୁଣ୍ଢାଇ ପକାଇଲା ।

 

“ନାଉ ! କମ୍‍ଅନ୍ କର୍ଣ୍ଣ !”

 

ବିନ୍ଦ ମୁଣ୍ଡ ନୁଆଁଇ ଦୁଇହାତ ଜୋଡ଼ି ଚେଁ ଚେଇଁଆ କଣ୍ଠରେ ଯେପରି କହିଲା... “କର୍ଣ୍ଣ ତବ ଆଜ୍ଞାକାରୀ ।

 

ଦୁର୍ଯ୍ୟୋଧନ ହିତେ ସଦାରତ ।”

 

ସେଥିରେ ବାସ୍ତବିକ କର୍ଣ୍ଣ ପାର୍ଟଟା ପୁରାପୂରି ମର୍ଡ଼ର ! ନାରଣ ମାଷ୍ଟ୍ର ଠିକ୍ ଧରିଛନ୍ତି ।

 

ମୁଁ କହିଲି... “କର୍ଣ୍ଣ ପାର୍ଟର ଇମୋସନ୍‌ଟା ଆଗେ ବୁଝିବା ଦରକାର । କର୍ଣ୍ଣ ମହାମାନୀ, ପୁଣି ମହାଧନୁର୍ଦ୍ଧର । ସିଏ ଏମିତି ହାତ ମିଳିବ କାହିଁକି ?”

 

Unknown

ବିନ୍ଦ ଚାଲେଞ୍ଜ୍ କଲା... “ତାହେଲେ ଦେଖେଇଦେଉନା କର୍ଣ୍ଣର ଆକ୍‌ଟିଙ୍ଗଟା !”

 

ଇଏ ଆଉ ଏକ ପରୀକ୍ଷା ! ମୁଁ ଛେପ ଢୋକି କହିଲି... “ଠିକ୍ ଅଛି । ପ୍ରମ୍ପଟର୍ !” ପ୍ରମ୍ପଟିଙ୍ଗ୍ ଶୁଣି, ମୁଁ ଛାତି ଉପରେ ଦୁଇବାହୁ ଛନ୍ଦି, ମୁଣ୍ଡ ସାମାନ୍ୟ ନୁଆଇଁ, ଆବୃତ୍ତି କଲି...

 

“ଆଜିଠାରୁ ସୁଖେ, ଦୁଃଖେ, ସମ୍ପଦେ, ବିପଦେ

ଉତ୍ସବେ, ବ୍ୟସନେ କିବା ଜୀବନେ ମରଣେ

କର୍ଣ୍ଣ ତବ ଆଜ୍ଞାକାରୀ

ଦୁର୍ଯ୍ୟୋଧନ ହିତେ ସଦା ରତ ।”

 

କ୍ଳବ୍ ଘରେ ଘନ ଘନ କରତାଳି ପଡ଼ିଲା । ଡିରେକ୍ଟର ମୁଗ୍‌ଧ । ଟେବୁଲ୍ ଉପରେ ହାତ ଚାପୁଡ଼େଇ ସେ ତାରିପ୍ କଲେ... “ଫାଷ୍ଟକ୍ଲାସ୍ !” ପୂର୍ବ ଝଗଡ଼ା ଭୁଲିଯାଇ ସେମାନଙ୍କ ଆଡ଼ୁ ସୁଦ୍ଧା ପ୍ରସ୍ତାବ ଉଠିଲା... “ଏଇ ତାହେଲେ କର୍ଣ୍ଣ ପାର୍ଟ ନିଅନ୍ତୁ ।

 

“କର୍ଣ୍ଣ ପାର୍ଟ ମାନିବ !”

 

“ତାକ୍ ଲାଗିଯିବ ଇଏ କର୍ଣ୍ଣ ହେଲେ ।” –ଦେବେନ୍ଦ୍ର ସୋଚ୍ଚାର ସମର୍ଥନ ଜଣାଇଲା; “କ’ଣ କହୁଥିଲି ମନୁଆଇ ?”

 

“ତାହେଲେ ବିନ୍ଦ ?” –ମୁଁ ପଚାରିଲି ।

 

ଏଇ ବ୍ୟାପାରରୁ କ୍ଳବ୍‌ର ଏକତା ଯଦି ଭାଙ୍ଗିଯାଏ, ତାହେଲେ ଏତେବେଳକୁ ମୁଁ ମନେମନେ ଭବିଷ୍ୟତ କର୍ମ ଯୋଜନାର ଯୋଉ ଚିଠା କରିସାରିଲିଣି, ସବୁ ପଣ୍ଡ ହୋଇଯିବ !”

 

ଆଇରନୀର ଅନ୍ତ ନାହିଁ ! ବିନୋଦର ବଡ଼ ସମର୍ଥକମାନେ ସୁଦ୍ଧା କହିଲେ...ଠିକ୍ ଅଛି । ଠିକ୍ ହବ । ବିନ୍ଦଭାଇ ହବ କୁନ୍ତୀ ! କୁନ୍ତୀ ପାର୍ଟ୍ ପାଇଁ ଖୋଜାପଡ଼ିଥିଲା ! ଡାଇରେକ୍ଟରଙ୍କର ଏଥିରେ ଆପତ୍ତି ନାହିଁ । ସିଏ ବରଂ ଖୁସି । ସେଦିନ ରାତିରେ ଦେବେନ୍ଦ୍ର ଗୋଟା ଗୋଟା ସରୁ ଚକୁଳି, କ୍ଷୀରବାଟିରେ ବୁଡ଼ାଇ ଉଦରସ୍ଥ କରୁକରୁ କହିଲା... “ମନୁଆଇ ପାଇଁ ସରୁ ଚକୁଳି ହେଇଚି ପରା ! ଫାଷ୍ଟ କ୍ଲାସ୍ !”

 

କେତୀ ନିଦୁଆଳୀ ମୁହଁଟା ଛିଞ୍ଚାଡ଼ିଲା... “ମନୁଆଇ ପାଇଁ କାହିଁକି ସରୁଚକୁଳି କରିବାକୁ ଯାଉଥିଲି ମ ! ତମେ ଗିଳୁନାହଁ କି ? ଯୋଉ ତ ମନୁଆଇ !”

 

ଦେବେନ୍ଦ୍ର ଖଣ୍ଡେ ଚକୁଳି ଚାକୁଳାଉ ଚାକୁଳାଉ କହିଲା... “ମନୁଆଇ ଯୋଗୁ ଆଜି ପ୍ରୀତିପୁର ଡ୍ରାମାଟିକ୍ କ୍ଳବ୍‌ର ମାନ ରହିଲା ! ନଇଲେ ବିନ୍ଦତ ସବୁ ମର୍ଡ଼ର କରିଥିଲା ! ଜାଣିଚୁ କେତୀ, ମନୁଆଇ ହେବେ କର୍ଣ୍ଣ !”

 

“ଆଉ ତମେ ହବ ଦୁରୁଜଧନ ! ହିଃ ହିଃ ହିଃ...”

 

କେତୀ ଶୋଇବା ଘର ଭିତରକୁ ଉଠିଗଲା ।

 

ପାଖଘରେ ଦେବେନ୍ଦ୍ର ଘୁଙ୍ଗୁଡ଼ି ମାରିଲାଣି । ଶବ୍ଦରେ ଦାଣ୍ଡଘର ସୁଦ୍ଧା କମ୍ପୁଛି ! ସେଇ ସନାତନ କାଠ ଖଟ ଉପରେ ପଡ଼ି, ମୋ ଆଖିରେ ନିଦ ନାହିଁ । ବିଡ଼ି ଟାଣୁଚି ଆଉ ଅନ୍ଧାର ଭିତରକୁ ଜଳଜଳ କରି ଚାହିଁଛି । ଆଜି ନିଦ ଭାଙ୍ଗିଗଲା ନେଉଳପୁର ଷ୍ଟେସନ୍ ପ୍ଲାଟ୍‌ଫର୍ମରେ । ଶୋଇବା ପାଇଁ ଚେଷ୍ଟା କରୁଛି, ଅଜଣା ଅଚିହ୍ନା ପ୍ରୀତିପୁର ଗାଁରେ, କେତୀ ଶାଶୁଘରେ ! ଆସିଥିଲି, କର–ବା–ମର ଆନ୍ଦୋଳନରେ ଝାସଦେଇ । ଏଠି ସାଜିଲିଣି, ଥେଟର୍‌ରେ କର୍ଣ୍ଣ ! ତଥାପି ଏଇ ମଉକାରେ କ୍ଳବ୍‌ଟାକୁ ଯଦି କର–ବା–ମର ଆନ୍ଦୋଳନରେ ମତାଇପାରେ...ତାହେଲେ କରିହୁଅନ୍ତା କିଛି ! ସେଇଥିପାଇଁ ତ ହେଲି କର୍ଣ୍ଣ ! କିନ୍ତୁ ପ୍ରଜ୍ଞାଭଦ୍ରଜୀ ଏକଥା ଶୁଣିଲେ କି ଧାରଣା ତାଙ୍କର ହେବ ମୋ ପ୍ରତି ? ବୋମା ହାକିମ ନିଶ୍ଚୟ ବାପାଙ୍କୁ ଲେଖିସାରିବେଣି ପୋଷ୍ଟକାର୍ଡ଼...ମନୁକୁ ପୁଲିସ ବାନ୍ଧିନେଇଛି ! ସିଏ ଆଉ ତା’ ପାଇଁ ଦାୟୀନୁହନ୍ତି । ପିଲାଟା ନଷ୍ଟଚରିତ୍ର ! ବାପାଙ୍କ ନିଶ ଦୁଇପଟ କ୍ରୋଧରେ କମ୍ପୁଥିବ ! ମୁଠା ମୁଠା ଟଙ୍କା ପାଣିରେ ପଡ଼ିଲା ।

 

ପାଖଘରୁ ଦେବେନ୍ଦ୍ରର ଘୁଙ୍ଗୁଡ଼ିଟା ହଠାତ୍ ବନ୍ଦ ହୋଇଗଲା । ସେ ପାଟିକଲା... “ଆଃ ! ଚୁମୁଟୁଚୁ କାହିଁକି ?”

 

କେତୀ ଫିସ୍ ଫିସ୍ କଣ୍ଠରେ କହୁଚି... “ମନୁଆଇ ସେ ଘରେ ଶୋଇଛନ୍ତି ପରା !”

 

ଦେବେନ୍ଦ୍ର ପୁଣି ଘୁଙ୍ଗୁଡ଼ି ମାରିଲା ।

 

ପୁଣି କିଛି ସମୟ ପରେ... “ଆ’ୟ !” ଗୋଟାଏ ବିରାଟ ଛିଙ୍କରେ ଦେବେନ୍ଦ୍ର ଆଉ କିଛି କହିପାରିଲା ନାହିଁ । ତାପରେ ସବୁ ଚୁପ୍‍ଚାପ୍ !

 

ମୋ ମୁଣ୍ଡଭିତରେ ସବୁ ଗୋଳମାଳ ହୋଇଯାଉଚି । ଆମ ଗାଁ ନେଉଳୀମଠ ପୋଖରୀ ହୁଡ଼ାରେ ନିଛାଟିଆ ତାଳଗଛ ! ପିଜୁଳିତୋଟା । ପିଜୁଳି ଗଛ ଡାଳରୁ ଝୁଲୁଚି, ଗୋଟାଏ ଅନାବୃତ ମାଂସକ ଜଙ୍ଘ । ଜଙ୍ଘ ଉପରେ ଲାଗି ରହିଚି, ଶାଢ଼ିର ନାଲିଆ ଧଡ଼ି...ପ୍ରକୃତରେ ମୁଁ ଚରିତ୍ରହୀନ । ଇସ୍ କି ନୀଚ ମୁଁ !

 

ପାଦ ଚିପି ଚିପି ସନ୍ତର୍ପଣରେ ଦାଣ୍ଡଘର କବାଟ କିଳିଣୀ ଖୋଲି ବାହାର ପିଣ୍ଡାକୁ ଚାଲିଆସିଲି । ବେଞ୍ଚ୍ ଉପରେ ଦଣ୍ଡେ ବସିଲି । ଆକାଶରେ ଝିକିମିକି ତାରା ! ସିରିସିରି ପବନ । ଦୁଇହାତ ପାପୁଲି ଉପରେ ମୁଣ୍ଡରଖି ବେଞ୍ଚ ଉପରେ କେତେବେଳେ ଆଖିରେ ନିଦ ଲାଗିଗଲା ! ଆଶ୍ଚର୍ଯ୍ୟ ଜୀବନର ଏଇ ମୁହୂର୍ତ୍ତ ଗୁଡ଼ିକ । ଆକସ୍ମିକତାର ସମଷ୍ଟି !

 

ନବମ ପରିଚ୍ଛେଦ

 

ଥିଏଟର୍, ଥିଏଟର୍, ଥିଏଟର୍ ସରିଲା । ଜାଗୁଳେଇ–କ୍ଳବ୍ ଟୋକାଏ ମୋ ପ୍ରଶଂସାରେ ଶତମୁଖ । ମାନ୍‌ଦା ଥିଲେ ବୋଲି ସିନା ! ପ୍ରକୃତରେ କର୍ଣ୍ଣ ପାର୍ଟଟା ମୋର ଉତୁରିଥିଲା ବେଶ୍ ! ସମସ୍ତଙ୍କ ଧାରଣା ମୁଁ ଜଣେ ନାମଯାଦା ଆକ୍ଟର ! ନଇଲେ ଏମିତି ପାର୍ଟ କରିପାରିଥାନ୍ତି ? କିନ୍ତୁ ଏମାନେ ବା କ’ଣ ଜାଣିବେ, କଲେଜରେ ଆମ ଇଂରାଜୀ ଅଧ୍ୟାପକ ମିତ୍ତିର–ରସଗୋଲା ପରି ଚେହେରା–ସେକ୍‌ସ୍‌ପୀୟରଙ୍କ ହାଟ୍‌ଲେଟ ତ ପଢ଼ାନ୍ତି ନାହିଁ; କ୍ଳାସ୍‌ରେ ଏ ମୁଣ୍ଡରୁ ସେମୁଣ୍ଡ ତନ୍ନୟ ପରି ପାଦଚାରଣା କରି, ଆବୃତ୍ତି କରିଯାନ୍ତି; ଅର୍ଥ ନାହିଁ, ଭାଷା ନାହିଁ, ଟୀକା ନାହିଁ, କେବଳ ତନ୍ନୟତା ! ସିଏ ନିଜେ ଯେପରି ହାମ୍‌ଲେଟ୍‌...ପଢ଼ି ଯାଇଛନ୍ତି ସଂଶୟର ଦ୍ଵନ୍ଦ୍ୱରେ–“ଟୁ ବି ଅର୍ ନଟ୍ ଟୁବି” ଆମେ ସେଇଥିରୁ ଯାହା କିଛି ବୁଝିଯାଉ ! ପ୍ରକୃତପକ୍ଷରେ ଆମେ ଯାହାକୁ କହୁ ଅଭିନୟ ସିଏ ଏକ ବାସ୍ତବତା ! ଇଲ୍ୟୁଜନ ନୁହେଁ ! ତନ୍ମୟତା ଭିତରେ ଅଭିନେତା ଯେପରି ଏକ ନୂତନ ବାସ୍ତବ ଲୋକରେ ପ୍ରବେଶ କରେ ! ସେଇଥିପାଇଁ ତ ସେ ଏପରି ଅଭିଭୂତ କରିପାରେ ଦର୍ଶକମାନଙ୍କୁ । ମିତ୍ତିର୍ ସାହେବଙ୍କଠାରୁ ମୁଁ ଶିଖିଛି, ଇଲ୍ୟୁଜନ ମଧ୍ୟ ରିଆଲିଟି ! ମାୟା ମଧ୍ୟ ସତ୍ୟ-। ମୁଁ ତାଙ୍କରି ଛାତ୍ର । ଭାରୀ ଆଶା ଥିଲା ତାଙ୍କର, ଇଂରାଜୀ ଅନର୍ସରେ ମୁଁ ସର୍ବପ୍ରଥମ ପାଇବି ଫାଷ୍ଟକ୍ଲାସ୍ ! ଏଇଟାଇନ୍ ଇଲ୍ୟୁଜନ୍ ! ମୁଁ ଆସି ହେଲେଣି କର୍ଣ୍ଣ ! ଇଏ ବି ଏକ ଇଲ୍ୟୁଜନ୍-! କର୍ଣ୍ଣ ଏକ ଟ୍ରାଜିକ୍ ଚରିତ୍ର । ଅବଶ୍ୟ ହାମ୍‌ଲେଟ୍ ପରି ନୁହେଁ ! ଉଭୟ ଚରିତ୍ର କିନ୍ତୁ ଛିନ୍ନମୂଳ ! ଆଃ-! ବିଚାରୀ କର୍ଣ୍ଣ ! ମାତୃ–ପରି–ତ୍ୟକ୍ତ ! କାହିଁ ? କାହିଁ ମୋର ସ୍ଥିତି ? ମୋର ପରିଚୟ ? ଖୋଜିଛି, ଶାସ୍ତ୍ରବିଦ୍ୟା ମଧ୍ୟରେ, ଅହଙ୍କାର, ଅଭିମାନ ମଧ୍ୟରେ ! ସେଇ ଅହଙ୍କାର ଧରି ମିଶିଛି ମାଟିରେ-। ତାହା ହିଁ ସେମାନଙ୍କ ଜୀବନର ଟ୍ରାଜେଡ଼ୀ ! ମୁଁ ମଧ୍ୟ ଛିହ୍ନମୂଳ ! କର୍ଣ୍ଣ ପାର୍ଟ ମୋର ଆଉ ଭଲ ଉତୁରନ୍ତା ନାହିଁ ?

 

ଥିଏଟର୍ ସରିବାର ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ସୁଦ୍ଧା, ସମସ୍ତଙ୍କ ମୁହଁରେ ମୋର ପ୍ରଶଂସା । ମାନ୍‌ଦା ବାବୁ ପ୍ରୀତିପୁରିଆଙ୍କ ଇଜ୍ଜତ୍ ବଞ୍ଚେଇଦେଲା । ନଇଲେ ! ମନୁଆଇରୁ ମାନ୍‌ଦା, ମାନ୍‌ଦାରୁ ମାନ୍‌ଦା ବାବୁହୋଇ, ଅପ୍ରଭ୍ରଂଶ ହେଲାଣି ମାନ୍ଦା ବାବୁ ! ମନୁଆଇ ଡାକଟା ମୋ ବ୍ରହ୍ମ ଚିଡ଼େଇ ଦେଉଥିଲା । କେତୀ ମନୁଆଇ ଡାକିବ ବୋଲି, ଦୁନିଆସାରା ମତେ ଡାକିବେ, ସେଇ ମାଇଚିଆ ନାଁରେ ! କିନ୍ତୁ ଏ ନିର୍ବୋଧ, ଅପୋଗଣ୍ଡମାନଙ୍କୁ ମୁଁ କିପରି ବା ଶିଖାଇବି ହଳନ୍ତ୍ ଉଚ୍ଚାରଣ ପଦ୍ଧତି ! ଏମାନଙ୍କ ଉଚ୍ଚାରଣରେ ହଳନ୍ତ ନାହିଁ । ହଳନ୍ତ ଉଚ୍ଚାରଣଟା କୁଆଡ଼େ ଖୋଲ୍‌ଟି ଖୋଲ୍‌ଟି ଶୁଭେ । କିନ୍ତୁ ସେଥିପାଇଁ ମାନ୍‌ଦା ହୋଇଯିବ ମାନ୍ଦା ?

 

ଥିଏଟର୍ ପୂର୍ବର କଥା...

 

ସେଦିନ ରିହାର୍‌ସେଲ୍‌ରୁ ଫେରିବା ବେଳକୁ ରାତି ବିଳମ୍ବ ହୋଇଥିଲା । ଦେବେନ୍ଦ୍ର ଆଉ ମୁଁ ଏକାଠି ବସି ଖାଉଚୁ । ମୁହଁ ଫଣ ଫଣ କରି ଆମ ଖାଇବା ତଦାରଖ କରୁଚି କେତୀ । ଦେବେନ୍ଦ୍ର ମାଛ ଝୋଳ ହାପୁଡ଼ି କହିଲା... “ଏଥର ଦେଖିବୁ କେତୀ, ମାନୁଆଇର କର୍ଣ୍ଣ ଆକ୍‌ଟିଙ୍ଗ୍ ତାକ୍ ଲଗେଇଦବ । ରିହାର୍‌ସେଲ୍‌ରେ ଠାଏଠାଏ ଆମ ଡିରେକ୍ଟରକୁ ସୁଦ୍ଧା ପାଠ ପଢ଼ାଇ ଦଉଚନ୍ତି ମନୁଆଇ !”

 

ମୋର ପ୍ରଶଂସାରେ ଅନ୍ୟ ଦିନମାନଙ୍କ ପରି, କେତୀ କେଜାଣି କାହିଁକି, ହେର୍‌ସୀଙ୍କ ପରି ହି–ହି ହସିଲା ନାହିଁ । ଗମ୍ଭୀର କଣ୍ଠରେ ନିଦୁଆଳି ମୁହଁ ଛିଞ୍ଚାଡ଼ି ସେ ଉତ୍ତର ଦେଲା.. “ହଉ, ହଉ, ଖାଇଲ । ସବୁଦିନେ ଆଙ୍କ ଥେଟର୍ ପାଇଁ, ରାତି ଚେଇଁ ବସିବ କିଏ ?”

 

କିନ୍ତୁ କେତୀ ଆଉ ବସିଲା କୋଉଠି ? ଦୁମ୍ ଦୁମ୍ ପାଦରେ ଶୋଇବା ଘର ଭିତରକୁ ଉଠିଗଲା । କୋଉଠି କିପରି ରସଭଙ୍ଗ ହେଲା ! ସବୁଦିନେ ଖାଇବା ବେଳେ ଥିଏଟର ନେଇ ଆମ ଭିତରେ ଯୋଉ ସବୁ ଆଲୋଚନା ଚାଲେ, ଆଜି ଆଉ ସେସବୁ ନାହିଁ । କେତୀ ଚୁପ୍ ଚୁପ୍ । ବାସ୍ତବିକ୍ ଆମକୁ ଖାଇବା ପରଷିବା ପାଇଁ କେତୀକୁ ଏତେ ରାତି ପର୍ଯ୍ୟନ୍ତ ଚିଆଁଇଁ ରଖିବା ଅନ୍ୟାୟ-। କିନ୍ତୁ ଅନ୍ୟଦିନମାନଙ୍କରେ କେତୀ ଏଥିରୁ ଯେପରି ଗୋଟାଏ ଆନନ୍ଦ ପାଏ । କପଟ ଭର୍ତ୍ସନାରେ କହେ... ଏତେ ସଅଳ ସଅଳ ଫେରିଲ କାହିଁକି ବା ? ଫେରିଥାନ୍ତ ତ ଏକାଥରେ ରାତି ଦିପହରକୁ-। କି ଥେଟର୍‌ରେ ବାବ୍‌ବା ।” ଆଜି କିନ୍ତୁ କପଟ ଭର୍ତ୍ସନା ନାହିଁ, ନିଦୁଆଳୀ ମୁହଁରେ ହସର ଝଲକ ନାହିଁ-! ଗମ୍ଭୀର, ଚୁପ୍‍ଚାପ୍ ! କେତୀର ଚେହେରା କେବେ ଏପରି ଦେଖିବା ପରି ମୋର ମନେହେଉନଥିଲା । ନୀରବରେ ଖାଇବା ଶେଷ କରି ଦେବେନ୍ଦ୍ର ଶୋଇବା ଘର ଭିତରକୁ ଉଠିଗଲା । ମୁଁ ମଧ୍ୟ ଖାଇବା ଶେଷ କରି, ଦାଣ୍ଡ ଘରକୁ ଆସିଲି, ସେଇ ସନାତନ ଖଟଉପରକୁ-!

 

ୟା ପର ଘଟଣାଗୁଡ଼ା ମୋର ଦେହସହା ହୋଇଗଲାଣି । ଆଉ କିଛି ସମୟ ପରେ ଦେବେନ୍ଦ୍ର ଘୁଙ୍ଗୁଡ଼ି ମାରିବ, ତା’ପରେ କେତୀ ଚୁମୁଟିଦେବ ପରା ! ଦେବେନ୍ଦ୍ର ଚିତ୍କାର କରିବ...ଏଃ ! କେତୀ ଦେବେନ୍ଦ୍ର ନାକରେ ହୁଏତ ଗେଞ୍ଜିଦେବ ଚଢ଼େଇ ପର ! ଛିଙ୍କ ପରେ ଛିଙ୍କ ! ଏଥର କେତୀର ପାଳି ! “ଆଃ” ବୋଲି ଯେତେ ଅସ୍ଫୁଟ କଣ୍ଠରେ କେତୀ କହିଲେ ବି କାନଡେରି ଠିକ୍ ଶୁଣିପାରେ ମୁଁ ! ତାପରେ ଉଠିଆସେ, ଦାଣ୍ଡପିଣ୍ଡାରେ କାଠ ବେଞ୍ଚ୍ ଉପରକୁ । ଝିକିମିକି ତାରାବୋଳା ଆକାଶ ଆଡ଼େ ଚାହିଁ ଚାହିଁ କେତେବେଳେ ମୋର ଆଖିପତା ମୁଦି ହୋଇଆସେ !

 

ଆଜି କିନ୍ତୁ ପର୍ଯ୍ୟାୟଟା ବିପରୀତ ! ଦେବେନ୍ଦ୍ରର ଘୁଙ୍ଗୁଡ଼ି ଶବ୍ଦ ନାହିଁ । ବା କେତୀର ଚୁମୁଟା ନାହିଁ । ଦେବେନ୍ଦ୍ରର ଛିଙ୍କ ବି ନାହିଁ । ବ୍ୟାପାର କ’ଣ ? ସବୁ ନୀରବ । କିନ୍ତୁ କେତୀର କାଚଚୁଡ଼ିର ରିଣିଝିଣି କ’ଣ ମାନିବ ସଂଯମ ? କେତୀର ଅସ୍ଫୁଟ କଣ୍ଠରେ ଶୁଭିଲା... “ଯାଃ” ! ...କଣ୍ଠସ୍ଵରରେ ଅଭିମାନ !

 

ଦାମ୍ପତ୍ୟ ବ୍ୟାପାର କାନପାତି ଶୁଣିବାନି ମୋର ଅନ୍ୟାୟ ! ମୁଁ ସନ୍ତର୍ପଣରେ ଦାଣ୍ଡ କବାଟ ଖୋଲି, ଉଠିଆସିଲି ସେଇ ବେଞ୍ଚ୍ ଉପରକୁ ! କର୍ଣ୍ଣ ପାର୍ଟର ଜଞ୍ଜାଳ, ଆଉ ମନେମନେ କର–ବା–ମରର ଯୋଉ ମସୁଧା କରୁଛି, ସେସବୁ ନଥିଲେ, ଏଇ ରାତି ଅନ୍ଧାର ଭିତରେ ମୁଁ ମିଶିଯାନ୍ତିଣି ଭବଘୁରା, ଅନିକେତର ଅନିର୍ଦ୍ଦିଷ୍ଟ ବାଟରେ ! ଆଖିରେ ନିଦ ନାହିଁ । ନଡ଼ିଆ ବାଉଙ୍ଗାରେ ଶିରିଶିରି ପବନ, ଆକାଶରେ ଝିକିମିକି ତାରା, ମୋ ମୁଣ୍ଡ ସାଉଁଳାଇ ସାଉଁଳାଇ ଯେମିତି ଶୁଆଇ ପକାନ୍ତି, ଆଜି କେଜାଣି କାହିଁକି, ସେମାନେ ବି ମୁହଁ ଫଣ ଫଣ କରି ଦୂରେଇ ରହିଛନ୍ତି ।

 

ସକାଳେ ସେଇ ବେଞ୍ଚ୍ ଉପରେ ଚା’କପ୍‌ରେ ଚୁମୁକ୍ ଦେଉ ଦେଉ, ଆଉ ଗୋଟିଏ ଦିନର ରିହାର୍‍ସାଲ୍ ଯୋଜନା ଆରମ୍ଭ କରିବାପାଇଁ, ବସିଛି ଦେବେନ୍ଦ୍ର କହିଲା... “ଏୟ ! ମନୁଆଇ-!”

 

ମୋର ଅକାରଣ କ୍ରୋଧ ଆଉ ବିରକ୍ତି ପ୍ରକାଶ କରିବାପାଇଁ ଯେପରି ରାସ୍ତା ଫିଟିଗଲା-। ମୁଁ ବେଶ୍ ଗମ୍ଭୀର କଣ୍ଠରେ କହିଲି... “ଦେଖ ଦେବେନ୍ଦ୍ର ମୋତେ ଡାକିବ ଯଦି ଡାକିବ ମାନାଦା ବୋଲି । କଟକରେ ମୋତେ ସମସ୍ତେ ଡାକନ୍ତି ମାନାଦା ! ମନୁଆ–ଇ ନୁହେଁ !”

 

“କେତୀ ଡାକେ ବୋଲି... “ଦେବେନ୍ଦ୍ରର ଦୁର୍ବଳ ଯୁକ୍ତି !

 

ମୁଁ ଉତ୍ତର ଦେଲି... “କେତୀ ମଫସଲୀ ଝିଅ ! ସିଏ କ’ଣ ବୁଝିଚି ମୋତେ ? ତମମାନଙ୍କୁ ତ ଅନେକଥର କହିସାରିଲିଣି, ମୁଁ ବାହାରିଥିଲା, କର ବା ମର ପଣ ନେଇ ! ଏଠି ଷ୍ଟେଜ୍ ଉପରେ କର୍ଣ୍ଣ ପାର୍ଟରେ ନାଚିବା ପାଇଁ ନୁହେଁ ! ପ୍ରଜ୍ଞାଭଦ୍ରଜୀ ଶୁଣିଲେ କ’ଣ କହିବେ ? ଛିଃ ! ଛିଃ !”

 

ଦେବେନ୍ଦ୍ର ଏଥିରୁ କଣ ବୁଝିଲା କେଜାଣି, ମୋର ଦୁଇ ହାତ ଧରି ପକାଇ କହିଲା... “ହେ ମାନାଦା, ତୁମେ ମୋତେ ମଝି ଦରିଆରେ ବୁଡ଼େଇ ଦବ ନାଁ କଣ ?”

 

ମୁଁ ଖଣ୍ଡେ ବିଡ଼ିରୁ କଳେ ଧୂଆଁ ବେଶ୍ ଷ୍ଟାଇଲ୍‌ରେ ଉପରକୁ ଛାଡ଼ି ଉତ୍ତର ଦେଲି... “କିନ୍ତୁ ମୋ କଥା ତମମାନଙ୍କୁ ମଧ୍ୟ ରଖିବାପାଇଁ ପଡ଼ିବ । ମହାତ୍ମା ଗାନ୍ଧୀ କର–ବା–ମର ଡାକ ଦେଇଥିବାବେଳେ, ଆମେ କ’ଣ ଏଠି ମୁହଁରେ ରଙ୍ଗବୋଳି ଥେଟର୍ କରିବା ? ଆଇରନି...ଦେବେନ୍ଦ୍ର ଇଏ ଗୋଟାଏ ଆଇରନି !”

 

ସେଇଦିନୁ ଦେବେନ୍ଦ୍ରର ମାନାଦା ଡାକ, କ୍ଲବ୍ ଟୋକାଙ୍କ ମୁହଁରେ ହୋଇଗଲା ମାନ୍ଦା ବାବୁ ! ସେମାନଙ୍କ ଆଖିରେ ମୋ ପ୍ରତି ଗୋଟାଏ ନୂଆ ସମ୍ଭ୍ରମ ! ଆଶ୍ଚର୍ଯ୍ୟ ମଣିଷର ଉଚ୍ଚାରଣରେ, ନାମର ଏଇ ନାମାନ୍ତର, ରୂପାନ୍ତର ! ଗାଁରେ ମଧ୍ୟ କେହି କେହି କହିଲେ... “ଥେଟର୍ ପାଇଁ ଦେବେନ୍ଦ୍ର ବାବୁ ମାନ୍ଦାକୁ କଲିକତାରୁ ଅଣେଇଚନ୍ତି ପରା ! ତାଙ୍କ ମୁଣ୍ଡକୁ ଖିଆଲ୍ ଉଠିଲେ, କୋଉ କଥା ଅସମ୍ଭବ ?” ମୁଁ ବର୍ତ୍ତମାନ ଥେଟର୍ ଓସ୍ତାତ୍ ! ଆସିଚି କୁଆଡ଼େ କଲିକତାରୁ ! ଲିଜେଣ୍ଡ ସବୁ ତିଆରି ହୁଏ ଏମିତି !

 

କିନ୍ତୁ ସେଇ ରାତି ପରଠୁ, ମୋତେ ଏଠି ଆଉ ଭଲ ଲାଗୁ ନାହିଁ ! ତଥାପି ଛାଡ଼ି ବି ପାରୁ ନାହିଁ !

 

କେତୀ କ୍ରମେ ହୋଇଉଠୁଚି ଏକ ପ୍ରହେଳିକା ।

 

କଥା କ’ଣ ? ପୂର୍ବ ପରି ସେ ଆଉ କଥା କଥାକେ ଖିଲ୍‍ଖିଲ୍ ହସୁ ନାହିଁ । କାରଣ ଅକାରଣରେ ମନୁଆଇ, ମନୁଆଇ ଡାକୁ ନାହିଁ । ମାନ୍‌ଦା ତ ଆଦୌ ନୁହେଁ । ମାନ୍ଦା ଗୋଟାଏ କି ନାଁ ବା ? ଖାଇବାକୁ ଦେବାବେଳେ, ତା’ ରନ୍ଧାର ତାରିଫ୍ କରିବା ପାଇଁ କହୁ ନାହିଁ । “ଭଲ ଲାଗୁ ନାହିଁ ନା ? ପଚାର, ପଚାର, ମନୁଆଇକୁ ? କ’ଣ ମନୁଆଇ, ଏମିତି ମାଛବେସର ତମ ସହରରେ ଖାଇଚ ?” ମୁଁ ନୀରବରେ ମୁଣ୍ଡ ହଲାଏ ! କେତୀର ଜିଦ୍ ଏପରି ମାଛ ବେସର, ଏ ଜନ୍ମରେ ମୁଁ କେବେ ଚାଖିନାହିଁ ବୋଲି ମୋତେ ଏ ଗୁଆଁର ଦେବେନ୍ଦ୍ର ଆଗରେ ଘୋଷଣା କରିବା ପାଇଁ ପଡ଼ିବ-। ବେସରଟା କିନ୍ତୁ ଉଞ୍ଚଲୁଣିଆ । ପୁଣି ଲାଗିଯାଇଥିବାରୁ ଧୂଆଁଟିଆ ଧୂଆଁଟିଆ ଲାଗୁଛି । ମୁଁ ବାଧ୍ୟହୋଇ କହେ... “ଫାଷ୍ଟକ୍ଲାସ୍ !” କେତୀ ଏବେ କିନ୍ତୁ ଖାଇବାକୁ ଦେବାବେଳେ ଭାରୀ ଚୁପ୍‍ଚାପ୍-। ଦେବେନ୍ଦ୍ର, ମାଛଝୋଳଟା, ବଡ଼ୀତରକାରିଟା ଅଥବା ସନ୍ତୁଳାଟା ଠିକ୍ ଉତୁରିଲା ନାହିଁ ବୋଲି ଯେତେ ଉସ୍‌କାଇଲେ ସୁଦ୍ଧା !

 

ସେଦିନ ରାତିରେ ଶୋଇ ଶୋଇ, ସେଇ କଥା ଭାବୁଚି । ପାଖଘରେ ଘୁଙ୍ଗୁଡି... ଚୁମୁଟା...ଚିଙ୍କ... ଉଃ, ଆଃର ପର୍ବ ଶେଷ ହେବାପରେ, କେତୀର ଫିସ୍‍ଫିସ୍ କଥା ଶୁଣିଲି... “ମନୁଆଇକୁ ସମ୍ପତ୍ତିରୁ ଅଧେ ଭାଗଦେଇ ଏଠି ରଖିବ ନାଁ କ’ଣ ? ଥେଟ୍‌ର ତ ସରିଲା ! ମନୁଆଇ ଏଠୁ ଯାଉନାଇଁ କାହିଁକି ?”

 

“କ’ଣ ହେଲା ?” ଦେବେନ୍ଦ୍ର ଟିକିଏ ବିସ୍ମିତ ।

“ସେଦିନ କଉଡ଼ି ଖେଳ ପରେ ବଉଳ ମତେ ଭିତରକୁ ଡାକିନେଇ, ହସିହସି ପଚାରିଲା କିଲୋ ମନୁଆଇକୁ ଆଉ ଛାଡ଼ିବୁ ନାଇଁ କିଲୋ ? ବଉଳର ହସ ତ ହସ ନୁହେଁ, କତୁରୀ !”

“କ’ଣ ହେଲା ସେଉଠୁ ?”

“କି ମୋଟାବୁଦ୍ଧିଆ ମଣିଷ ମ ? ବୁଝିପାରୁନାଁ ?”

ଦେବେନ୍ଦ୍ର ଗୋଟାଏ ହାଇ ଚାପି କହିଲା... “ଥେଟର୍ ସରିଲା । ଏଥର ଚାଲିବ କର ବା ମର । ମାନାଦାକୁ ମୁଁ କଥାଦେଇଚି !”

“ସିଏ କ’ଣ ଆଉ ଏକ ଥେଟର୍ ? ଏଇ ଥେଟର୍‌ରେ ମାତି ତ ଅମାର ଅଧା କଲଣି । ବୋଉ ବୁଢ଼ୀ ଅନ୍ଧୁଣୀ ମଣିଷ । ଦେଖିପାରୁନାହାନ୍ତି । ଜାଣିପାରୁନାହାନ୍ତି । ଚାବି ଧରେଇ ଦେଇଛନ୍ତି ମତେ ! ତମେ ଅମାର ଉଜାଡ଼ିଦବ କି ? ଏତେଦିନ କହୁନଥିଲି । ଏଥର ସବୁ କହିଦେବି ତାଙ୍କୁ !”

ଦେବେନ୍ଦ୍ରର କଣ୍ଠରେ ଅସହିଷ୍ଣୁ ବିରକ୍ତି... “ଆଃ ! ଶୋଇପଡ଼ ନାଁ ! ମାନାଦା କହିଚି ସିଏ ଭାରି ଗୁପ୍ତ କଥା !”

ସେଦିନ ରାତିରେ କେତୀ ଆଉ ବୋଧହୁଏ ଚୁମୁଟିଲା ନାହିଁ । କିମ୍ବା ଦେବେନ୍ଦ୍ର ଛିଙ୍କିଲା ମଧ୍ୟ ନାହିଁ ! କେତୀ ମତେ ତାହେଲେ ଏଠୁ ତଡ଼ିଦେବା ପାଇଁ ଚାହୁଁଛି । ଭାରୀ ଅସ୍ୱସ୍ତିରେ ରାତିଟା କଟିଲା । ତା’ ଦୃଷ୍ଟିରୁ ସେ ନିଶ୍ଚୟ ଠିକ୍ ! ମତେ ଲାଗୁଚି ଅପରାଧୀ ପରି ।

 

ତା’ ପରଦିନ ଖରାବେଳେ...

 

ଦେବେନ୍ଦ୍ର, ପଟ୍ଟନାୟକ ସାହିକୁ ଯାଇଛି, ପଶା ଖେଳିବା ପାଇଁ ପଶା ତା’ର ଆଉ ଏକ ନିଶା । ତା’ ନହେଲେ ଏତେବେଳକୁ କୁମ୍ଭକର୍ଣ୍ଣ ପରି ଘୁଙ୍ଗୁଡ଼ି ମାରୁଥାନ୍ତା ! ଏତେ ନିଦ ତା’ ଆଖିରେ କୁଆଡ଼ୁ ଆସେରେ ବାବାଃ ! ମୁଁ କେତୀ ଶାଶୁଙ୍କ ପାଖରେ ଅଧ୍ୟାଏ ଭାଗବତ ବୋଲିଦେଇ, ଦାଣ୍ଡ ଘର ଖଟଉପରକୁ ଚାଲିଆସିଲି । ଭାଗବତ ବୋଲି ବୋଲି କେତୀ ଶାଶୁଙ୍କର ମୁଁ ଭାରୀ ପ୍ରିୟପାତ୍ର ହୋଇଉଠିଲିଣି ! ବୁଢ଼ୀ ମାଳା ଗଡ଼ାଇ ଗଡ଼ାଇ କହନ୍ତି... “ତୁ କୋଉ ଜନମରେ ମୋର ପୁଅ ଥେଲୁରେ ମନୁ ! ଭାଗବତ ପଦ ଶୁଣେଇ, ମୋ କାନ ମୋଛ କରିଦେଲୁ । ଦେବାକୁ କେତେ ନେହୁରା ନିମନ୍ତ ନହୁଏ ଅଧ୍ୟା ଅଧ୍ୟା ଭାଗବତ ବୋଲିବା ପାଇଁ ! ପଶା ଆଉ ଥେଟର୍‌ରେ ମାତି ତା’ର ତ ଦିନ ଗଲା ! ସିଏ ତେଇଙ୍କି କହେ, ଭାଗବତ ଶୁଣି ସେଥିରୁ କ’ଣ ପାଇବୁଲୋ ବୋଉ ! ତୋର ସେଇ ମାଳାରେ ସବୁ ଅଛି ! ବୋହୂଟା ପାଠୋଇ ବୋହୂ ବୋଲି ଆଣିଲି ଯେ; ତା’ର କଉଡ଼ି ଖେଳ । କବଚ କରି କ’ଣ ପଦେ ଦି’ପଦ ବୋଲି ଦେଇ ଉଠିଯାଏ ! ତୋ ପରି ଏମିତି ପଦ ବୋଲିବ କିଏ ?”

 

ମୁଁ ଗଳା ଲମ୍ବେଇ ଭାଗବତ ବୋଲେ । ବୁଢ଼ୀ କାନ୍ଥକୁ ଆଉଜି ବସୁ ବସୁ ଢୁଳେଇପଡ଼ନ୍ତି-। ପାଟିରୁ ଲାଳ ବୋହିବା ଆରମ୍ଭ କରେ । ମୁଁ ଭାଗବତ ବହିରେ ମୟୂରଚନ୍ଦ୍ରିକା ଖୋଷିଦେଇ ସ୍ଵସ୍ତିରେ ଦିର୍ଘଶ୍ଵାସ ପକାଇ, ସେଠୁ ଉଠିଆସେ ।

 

ଖଟଉପରେ ଗଡ଼ିପଡ଼ିଚି, ହଠାତ ଘର ଭିତରେ ଗୋଟାଏ ଛାଇ ପଡ଼ିଲା । ମୁଁ ବେକ ଭାଙ୍ଗି ଚାହିଁ ଦେଖିଲି, କେତୀ !

 

‘‘କିଲୋ, ତୋର ଆଜି କଉଡ଼ିଖେଳ ନାହିଁ କିଲୋ ?”

 

କଉଡ଼ିଖେଳର ସହୀସଙ୍ଗାତମାନଙ୍କର ଚୁଡ଼ି ଝୁଣ୍‌ଝାଣ୍ ଖିଲିଖିଲି ହସ ଆଜି ଶୁଭୁ ନାହିଁ । କେତୀର ଡବଡବି ଆଖିଦୁଇଟାରେ ଆଜି ଚପଳତା ନାହିଁ । ଗଭୀର, ଗମ୍ଭୀର । ମୁହଁର ରେଖା ସବୁ କଠୋର । ଏଠାକୁ ଆସିବା ଦିନୁ କେତୀର ଏପରି ଚେହେରା କେବେ ଦେଖିନଥିଲି ତ ! ବ୍ୟାପାର କ’ଣ ?

 

ଦାମ୍ପତ୍ୟ କଳହ ?...

 

“କିଲୋ କେତୀ, ତୋର କଉଡ଼ିଖେଳ ଆସର ଆଜି ବନ୍ଦ କାହିଁକି ?”

 

–ମୁଁ ଖଟଉପରେ ଉଠିବସି, ହସି ହସି ପଚାରିଲି ।

 

କେତୀ ବିସ୍ଫୋରଣ କରିଉଠିଲା... “ତମେ ଏତେ ଛୋଟଲୋକ ? ଗାଁରେ ମୋ ମୁଣ୍ଡ ଖାଇ ପେଟ ପୂରିଲା ନାହିଁ ! ଏଠି ଶାଶୁଘର ଗାଁକୁ ଆସିଚ... ?” କ୍ରୋଧ ଆବେଗରେ କେତୀ ଆଉ କିଛି କହିପାରିଲା ନାହିଁ !

 

“ଆରେ କଥା କ’ଣ ? କଥା କ’ଣ କେତୀ ?” ମୁଁ ପ୍ରକୃତରେ ବିସ୍ମିତ ହୋଇଉଠିଲି ।

 

କେତୀ କହି ଚାଲିଲା, ଉନ୍ମାଦିନୀ ପରି... “ତମେ ସେଦିନ ବାଁଆରେଇ ବାଁଆରେଇ ଆମ ଦାଣ୍ଡରେ ଚାଲି ଯାଉନଥିଲ !”

 

“ମୋତେ ତୁ ଡାକିନଥିଲେ, ଇଏ ତୋ ଶାଶୁଘର ବୋଲି ତ ଆଦୌ ଜାଣିପାରିନଥାନ୍ତି ! ତା’ ଛଡ଼ା ଦେବେନ୍ଦ୍ର ମୋତେ ଏଠି ଅଟକାଇ ରଖିନଥିଲେ, ମୁଁ ତ କେବେଠାରୁ ଏହି ବାଟ କାଟନ୍ତିଣି-!”

 

ସର୍ପିଣୀର ଫୁତ୍କାର “ସେ ଚଲାଖି ରଖ; ତମେ ଆସିଚ ମୋ ମହତ ସାରିବାପାଇଁ !”

 

କେତୀ ପୁଣି ଦେଇପାରିଲା ମୋତେ ଏପରି ଆଘାତ ? ଅତୀତରେ ଅବଶ୍ୟ ଏଥିପାଇଁ କିଛିଟା କାରଣ ଥାଇପାରେ । ହୁଏତ ଥିଲା ! କିନ୍ତୁ ଆଜି, ମୋର ଏପରି ଆଘାତ କରିବାର ଯଥାର୍ଥତା କୋଉଠି ? କେତୀ ମୋ ଦୃଷ୍ଟିରେ ଏବେ କୁଳନାରୀ ! ମୁଁ କାମୁକ ସତ । କିନ୍ତୁ ଲମ୍ପଟ ତ ନୁହେଁ !

 

କୈଫିୟତ ଦେବା ମୋ ପୌରୁଷକୁ ବାଧିଲା । କେତୀ ମଧ୍ୟ ରହିଲା ନାହିଁ ମୋର କୈଫିୟତ ଶୁଣିବା ପାଇଁ । ଠିକ୍ ଅଛି । ମୁଁ ତୋର ଲବ୍‌‌ଧ ଲମ୍ପଟ ! ଯେପରି ହଠାତ୍ ଆସିଥିଲା, ସେହିପରି ହଠାତ୍ ଚାଲିଯାଇ, କେତୀ ପାଖ ଘରେ ପଶି ଭିତରେ କବାଟ କିଳିଦେଲା ! ତା’ ପରେ ସୁଁ ସୁଁ କାନ୍ଦ ! କିନ୍ତୁ କାନ୍ଦ କାହିଁକି ? ଏଇ ଝିଅମାନଙ୍କୁ ବୁଝିବା ମୁସ୍କିଲ । ମୋ ଆଖିଆଗରେ ଭାସିଉଠିଲା ଶୋଭା, ଶ୍ୟାମଳୀ, ଆଉରି ଅନେକ ଝିଅଙ୍କ ପଟୁଆର । ସମସ୍ତେ ଗୋଟିଏ ଗୋଟିଏ ରହସ୍ୟ । କୁମାରୀ ଜୀବନରେ ଏମାନଙ୍କର ଥାଏ ପୁରୁଷ ସଂପର୍କରେ ଗୋଟାଏ ମୁଗ୍‌ଧ କୌତୂହଳ-। ପୁରୁଷ ତାହାକୁ ପ୍ରେମ ବୋଲି ଏକତରଫା ଧରିନେଇ ପତଙ୍ଗ ପରି ଲମ୍ଫଦିଏ ସେଇ ଶିଖା ଭିତରକୁ । ମୋର ଡେଣା ଅନେକ ପୋଡ଼ିଛି । ଆଉ ନୁହେଁ ।

 

ସେଦିନ ରାତିରେ ଅନେକ ବେଳଯାଏଁ, ବିରୂପା ବନ୍ଧରେ ବୁଲିବୁଲି, ଫେରିବା ବେଳକୁ ରାତି ନିଶ୍ଚୟ ବାରଟାରୁ ଉତ୍ତୀର୍ଣ୍ଣ ହୋଇଥିଲା । ଜାଣି ଜାଣି ଡେରି କରୁଥିଲି ମୁଁ । ଯାହାର ବାଟ ଚାହିଁ ବସିବାର ମଣିଷ ନାହିଁ, ବାଟ ଇ ତା’ର ବନ୍ଧୁ ! ଜୀବନର ଦୀକ୍ଷା ତ ନେଇଛି ଏଇ ବାଟରେ । ଅବାଟ ଇ ମୋର ବାଟ । କେତୀ ଘରକୁ ଏତେଶୀଘ୍ର ଫେରିବି କାହିଁକି ? ସିଏ ବା କାହିଁକି ମୋତେ ବାଟ ଚାହିଁ ବସିବ ? କାଲି ସକାଳେ ଉଠି ଯାହା କିଛି ବ୍ୟବସ୍ଥା କରିବି ।

 

ଫେରିଲି । ଦାଣ୍ଡ ଦୁଆର ମେଲା । ଘରଭିତରେ ଗୋଟାଏ ଲଣ୍ଠନ୍ ଜଳୁଛି । ତେର୍‌ଛା ଆଲୁଅ ପଟାଏ ପଡ଼ିଛି ଅନ୍ଧାର ଦାଣ୍ଡରେ । ଏମାନେ ଶୋଇନାହାନ୍ତି ନାଁ କ’ଣ ? ଦେବେନ୍ଦ୍ର ଥରେଥରେ ରାତି ଅଧ କରି ପଶା ଆଡ୍‌ଡ଼ାରୁ ଫେରେ । ଆଜି ସେଇପରି ହୋଇଥିବ ପରା ! ଅନ୍ଧାର ଦାଣ୍ଡରେ ମୁଁ ଦଣ୍ଡେ ଅଟକିଗଲି । ଅନ୍ଧାର ଦାଣ୍ଡର ଇଏ ଏକ ନୂଆ ଚିତ୍ରିଣୀ ଚେହେରା । ଅନ୍ଧାରରେ ଏଇ ଦାଣ୍ଡର ଚେହେରା ସବୁ ରାତିରେ ଦେଖିଛି; ଯେମିତି ଚେଇଁ ଚେଇଁ କଡ଼ ଲେଉଟାଉଛି । କିନ୍ତୁ ଲଣ୍ଠନ ଆଲୁଅ ପଡ଼ି ଦାଣ୍ଡଟା ପ୍ରକୃତରେ ଶୋଇପଡ଼ିବା ପରି ଦିଶୁଛି !

 

“କିଏ ? ମାନାଦା ?” –ଇଏ ଦେବେନ୍ଦ୍ରର କଣ୍ଠସ୍ୱର । ଓ ! ଦେବେନ୍ଦ୍ର ମୋତେ ଅପେକ୍ଷା କରି ବସିଛି ? କେତୀ ବି ! ମୁଁ ଗମ୍ଭୀର ଭାବରେ ପାହାଚ ଉପରକୁ ଉଠିଆସିଲି ।

 

ଦେବେନ୍ଦ୍ର ପଚାରିଲା... “ତମେ କୁଆଡ଼େ ଯାଇଥିଲ ମାନାଦା ? ମଙ୍ଗରାଜପୁର ଆଶ୍ରମ-? କ୍ଲବ୍‌, ଜାଗୁଳେଇମୂଳ, ସବୁଠି ଖୋଜି ଖୋଜି ତମକୁ ନ ପାଇ, ଭାବିଲି ତମେ ମଙ୍ଗରାଜପୁର ଆଶ୍ରମ ଆଡ଼େ ଯାଇଛ !”

 

ତା’ର ପ୍ରଶ୍ନକୁ ଏଡ଼ାଇଦେଇ କହିଲି... “ଯାଅ, ଯାଅ, ଶୋଇପଡ଼ ।” ବେଞ୍ଚ୍ ଉପରେ ବସି, ଖଣ୍ଡେ ବିଡ଼ିରେ ନିଆଁ ଲଗାଉଛି, କେତୀ ପକ୍‌କା ଘରଣୀ ପରି ଝଙ୍କାର କରିଉଠିଲା... “ଆସିଲ, ଖାଇବାକୁ ଦେଇ, ମୁଁ ଶୁଏ । ରାତିଅଧ ହେଲାଣି !”

 

ଏମାନେ ମୋ ଅପେକ୍ଷାରେ ଏ ପର୍ଯ୍ୟନ୍ତ ଖାଇନାହାନ୍ତି ପରା । ଦେବେନ୍ଦ୍ର ଗୋଟାଏ ହାଇମାରି କହିଲା... “ଉଠ, ମାନାଦା । ରାତି ବାସ୍ତବିକ ଅନେକ ହେଲାଣି । କେତୀ ଭୋକ ତ ତମେ ଜାଣିଛ !” ଭିତରୁ ଠାଆ ପରଷାର ଠୁଣ୍‌ଠାଣ୍ ଶବ୍ଦ ଶୁଭିଛି । କେତୀର କେତେ ଭୋକ ମୋର ଜାଣିବା ଦରକାର ନାହିଁ । ପଞ୍ଜାବୀଟା ଦେହରୁ ଓହ୍ଲାଇ, ଖଟଉପରେ ଫିଙ୍ଗିଦେଇ, ମୁଁ ରନ୍ଧାଘର ପିଣ୍ଡାକୁ ଉଠିଆସିଲି ।

 

କେତୀ ଆଜି କରିଛି ଚିତୋଉ ପିଠା । ହଁ, ଇଏ ମୋର ବିଦାୟଭୋଜି । ଚିତୋଉ ପିଠା ହୋଇନଥିଲେ ମାନିନଥାନ୍ତା । ବିଦାୟ ପାଇଁ ଭୋଜିର ବ୍ୟବସ୍ଥା କାହିଁକିରେ ବାବା ? ଇଏ ବୋଧହୁଏ ବିସର୍ଜନର ଘଟା ! ମୁଁ ହଠାତ୍‌ ନୀରବ ହୋଇପଡ଼ିଛି । ମୋ କଣ୍ଠରେ ଭାଷା ନାହିଁ ।

 

କେତୀ ଆମ ସାମ୍‌ନାରେ ବସିଛି । ଆମେ ଖାଇବା ଦୋରଖ କରୁଛି । ନିଜ ରାନ୍ଧଣାର ପ୍ରଶଂସା ଶୁଣିବାରେ ତା’ର ଆନନ୍ଦ । କଣେଇ କଣେଇ ଚାହିଁ ଦେଖିଲି, କେତୀର ସେଇ ଯାହାକୁ କହନ୍ତି ହରିଣୀଆଖିରେ ବିରକ୍ତି ନାହିଁ । ତୃପ୍ତିର ଉଜ୍ଜ୍ୱଳତା । ମୁହଁଟା କିନ୍ତୁ ନିଦୁଆଳୀ ।

 

ଦେବେନ୍ଦ୍ର କଳେ ଚିତୋଉପିଠା ଏକା ସାଙ୍ଗରେ ଚାକୁଳୋଉଛି, ଆଉ କଥା କହିବାପାଇଁ ଚେଷ୍ଟା କରୁଛି... “ଚିତୋଉ ପିଠା ଫାଷ୍ଟକ୍ଲାସ ହୋଇଛି !” ମୁଁ କଣେଇ କଣେଇ କେତୀ ମୁହଁକୁ ଚାହିଁଲି । ମୋ ମୁହଁରୁ ପ୍ରଶଂସା ଶୁଣିବା ପାଇଁ ତା’ର ଉତ୍କଣ୍ଠା । କିନ୍ତୁ ମୁଁ ମଧ୍ୟ ଆଘାତ ଦେଇପାରେ କେତୀ । ଏଇଟା ତୋର ଏକଚାଟିଆ ହେବ କାହିଁକି ?

 

ମୁଁ ଟୁକୁରାଏ ଚିତୋଉ ପିଠା ଥାଳି ଉପରେ ଛାଡ଼ିଦେଇ କହିଲି... “ଟିକିଏ ଟାଣ ହୋଇଯାଇଛି ।” କେତୀର ପ୍ରତିକ୍ରିୟା ଲକ୍ଷ୍ୟ କରିବା ପାଇଁ । ଅପେକ୍ଷା ନକରି, ହାତ ଧୋଇ ଉଠିଆସିଲି । କେତୀ ଆହତ କଣ୍ଠରେ ଉତ୍ତର ଦେଲା... “ରାତି ପାହାନ୍ତା କରି ଫେରିଲ ନାଇଁ ? ପିଠା କଅଁଳ ରହିଥାନ୍ତା !” ସକାଳ କରି ଫେରିଲେ ତୋର କ’ଣ ଯାଏ ? ମୁଁ ଚାରିଦଉଡ଼ିକଟା । ଆଜାଦ୍‌ । ଦେବେନ୍ଦ୍ର ପରି ଗୃହପାଳିତ ନୁହେଁ ଯେ ମୋତେ ଶାସନ କରିବୁ !

 

ମୁଁ ଆସି ପୁଣି ସେଇ ବେଞ୍ଚ୍ ଉପରେ ବସିଲି । ନିଦୁଆଳୀ ରାତି । ଝିକିମିକି ତାରା । ସିରିସିରି ପବନ । ମୋ ଆଖିରେ କିନ୍ତୁ ନିଦ ନାହିଁ ।

 

ତା’ ପରଦିନ ସକାଳୁ ସକାଳୁ, ସେଇ ସନାତନ ଖଟଉପରୁ, ମୋ ଝୁଲାମୁଣିଟା ଉଦ୍ଧାର କରି, ସଜାଡ଼ି ବସିଲି । ଇତିମଧ୍ୟରେ ଦେବେନ୍ଦ୍ର ମୋ ପାଇଁ ଗୋଟାଏ ଗେରୁଆ ଖଦଡ଼ ଝଲା, ଦୁଇଖଣ୍ଡ ଧୋତି, ପଞ୍ଜାବୀ, ଲୁଙ୍ଗି ପ୍ରଭୃତି କିଣିଦେଇଚି, ମୁଁ ଏକବସ୍ତ୍ର ହୋଇ କର–ବା–ମରରେ ବାହାରିଚି ବୋଲି ଶୁଣିବା ଦିନୁ । ଗୋଟାଏ ଅଇନା, ଚିରୁଣୀ ବି । ଝରକା ଉପରେ ଯୋଉ ବାସନା ଅଁଳା ତେଲ ଶିଶିଟା, ସେଇଟା କିନ୍ତୁ କେତୀ କିଣିଥିଲା । ମୁଁ ତ ମୁଣ୍ଡରେ ତେଲ ଲଗାଏ ନାହିଁ । ଜାଣିଜାଣି ସଜଡ଼ା ବାଳକୁ ଅସଜଡ଼ା କରିଦିଏ । ବାସନା ତେଲ ଶିଶି ମୋର କ’ଣ ହେବ ? ଶିଶିଟା ସେଇଠି ପଡ଼ିରହିଲା । ଦାଢ଼ି ନିଶ ସଂଯତ କରିବା ପାଇଁ କେବଳ ସେଫଟି ରେଜର୍ ନାହିଁ । ଅଇନାଟା ତକିଆ ତଳୁ ତରତରରେ ଖୋଜୁ ଖୋଜୁ, ତଳେ ପଡ଼ି ଭାଙ୍ଗିଗଲା । ପଟା ଦର୍ପଣରେ ଚେହେରା ଦେଖିଲି, ସେଥିରେ ଅନେକ ମୁହଁ । ଅନେକ ଆଖି । ଅନେକ ଭଙ୍ଗୀ । ଅଥଚ ଗୋଟିଏ ମଣିଷର ! ଭଙ୍ଗା ଅଇନା ଗୋଟାଏ ଚମତ୍କାର ସିମ୍ବଲ୍ ! ସେଇଟାକୁ ଝୁଲାମୁଣି ଭିତରେ ପୂରାଇ ଦାଣ୍ଡକୁ ବାହାରିଆସିଲି । ମଣିଷ ମନ ସତରେ ଗୋଟାଏ ଭଙ୍ଗା ଅଇନା !

 

ଅଧା ପାହାଚ ଉପରେ ହୋଇଛି, ପଛରୁ ଦେବେନ୍ଦ୍ର ଡାକିଲା... “ମାନାଦା !” ଇଏ ତ ଏତେ ସକାଳେ ଉଠିବା ଜନ୍ତୁ ନୁହେଁ । ଆଜି ନିଦ ମଳମଳ ଆଖିରେ ଉଠିଚି କିପରି ? କେତୀ ଠିଆହୋଇଛି ପଛରେ । ତାକୁ ନିଦରୁ ଉଠାଇ ଆଣିଚି ପରା ! ଥନ୍ତଲ ପେଟଉପରେ ଲୁଙ୍ଗି ଗଣ୍ଠି ସମ୍ଭାଳୁ ସମ୍ଭାଳୁ, ଦେବେନ୍ଦ୍ର ଦାଣ୍ଡକୁ ଓହ୍ଲାଇଆସି, ମୋ ହାତଟା ଧରିପକାଇ ପଚାରିଲା...

 

“ଇଏ କ’ଣ ମାନାଦା ! ତମେ ... ?”

 

ମୁଁ ଗମ୍ଭୀର କଣ୍ଠରେ ଦେବେନ୍ଦ୍ରର ହାତଟା ଛିଞ୍ଚାଡ଼ିଦେଇ ଉତ୍ତର ଦେଲି... “ମୁଁ ଏଠି ରହିବି ନାହିଁ ?” କେତୀ ପାଇଁ ପ୍ରକୃତରେ ଏଇ ବିସ୍ଫୋରଣଟା ଉଦ୍ଦିଷ୍ଟ । କେତୀ ଦେଖ୍ ମାନା ଏକ ଯାଯାବର ! କାହାପାଇଁ ତା’ର କେଆର୍ ନାହିଁ । ଆରେ ଯିଏ ଘର ଛାଡ଼ି ଦାଣ୍ଡକୁ ଓହ୍ଲାଇଚି, ତା’ର ପୁଣି ଘର ପାଇଁ ମାୟା କାହିଁକି ?

 

“କ’ଣ ହେଲା ?” –ଦେବେନ୍ଦ୍ର କଣ୍ଠରେ ଅସହାୟତା ।

 

“ଜାଣିଚ ତ କୁଣିଆଘର ଆସିନଥିଲି । ଆସିଥିଲି କର ବା ମର ପାଇଁ । ଏଠି ରହିଲେ, ସେ କାମ ଆଉ ଚଳିପାରିବ ନାହିଁ !”

 

“ମାନାଦା !”

 

“ତୁମେ କ’ଣ ଭାବିନେଇଚ ମାନାଦା ଗୋଟିଏ ବାଧ୍ୟ, ଅନୁଗତ ଜୀବ ? ତା’ ମୁହଁରେ ପାଉଡ଼ର ବୋଳି, ବେଶ ସଜେଇ ତାକୁ ଷ୍ଟେଜ୍ ଉପରେ ଯେମିତି ନଚେଇବ, ସିଏ ସେମିତି ନାଚିବ-। ଫରଗେଟ୍ ଇଟ୍ ଦେବେନ୍ଦ୍ର”–ପ୍ରକୃତରେ ଦାଣ୍ଡଟା ଇ ଷ୍ଟେଜ୍ ଆଉ ଦର୍ଶକ କବାଟ ଆହୁଡ଼ରେ କେତୀ । ତାରି ପାଇଁ ଏ ନାଟକୀୟ ସଂଳାପ ! କେତୀ ଶାଢ଼ିର ନାଲି ଧଡ଼ିଟା ବିଚାରୀକୁ ଧରାପକେଇ ଦେଉଚି !

 

ଦେବେନ୍ଦ୍ର କହିଲା... “କିନ୍ତୁ ଯିବ କୁଆଡ଼େ ? ମଙ୍ଗରାଜପୁର ଆଶ୍ରମରେ ତ ସିଲ୍ ପଡ଼ିଚି-। ଗୌରା ମଳିକ ଚଉକିଦାର, ହପ୍ତାକୁ ଦୁଇ ବାରିରେ ମଙ୍ଗରାଜପୁର ଆଶ୍ରମକୁ ଯାଇଁ, ନେଉଳପୁର ଥାନାରେ ରିପୋର୍ଟ ଦେଉଚି ! ତା’ ଛଡ଼ା ଇଉନିଅନ୍ ପ୍ରେସିଡ଼େଣ୍ଟ୍ ଗାଁ ସିଏ !”

 

କେତୀ କ’ଣ ଆଶଙ୍କା କଲା କେଜାଣି, ଦେବେନ୍ଦ୍ରକୁ କହିଲା... “ମନୁଆଇକୁ ଅଟକୋଉନାଁ !” ନିଜକୁ ଧରାପକାଇଦେବା ପାଇଁ, କେତୀର ଆଉ କୁଣ୍ଠା ନାହିଁ । କେତୀ ଦାଣ୍ଡପିଣ୍ଡାକୁ ବାହାରିପଡ଼ି, ପ୍ରାୟ ଛଳଛଳ ଆଖିରେ କହିଲା...

 

“ମନୁଆଇକୁ କହୁନା ବୋଉ ତାଙ୍କୁ ଭାରି ଖୋଜିବେ !”

 

ଦେବେନ୍ଦ୍ର ମାରଫତ୍‌ରେ ମୁଁ କେତୀକୁ ଉତ୍ତରଦେଲି... “ମା’ଙ୍କୁ ମୋର ଦଣ୍ଡବତ ଜଣାଇ କହିଦେବ ଦେବେନ୍ଦ୍ର, ମାନା ଭାଗବତ ବୋଲିବା ପାଇଁ ଏଠିକି ଆସିନଥିଲା !’’ କିନ୍ତୁ କେତୀ ଏ କଥାର ଅର୍ଥ ଧରିପାରିଲା ତ ? ସ୍ନେହକାଙ୍ଗାଳ ମଣିଷଟିଏ ତ ମୁଁ ! ପ୍ରଥମ ପ୍ରଥମର ସନ୍ଦେହ କଟିଯିବା ପରେ, ଦେବେନ୍ଦ୍ର ବୋଉଙ୍କ ମୋ ପ୍ରତି ଅନାପେକ୍ଷିକ ଶ୍ରଦ୍ଧା, ପ୍ରକୃତରେ ତାଙ୍କ ପାଖରେ ମୋତେ ବନ୍ଧାପକାଇ ଦେଇଥିଲା । ଇଚ୍ଛାହେଉଥିଲା, ଫେରିଯାଇଁ ତାଙ୍କୁ କହିଆସିବା ପାଇଁ... “ମା’ ମୁଁ ଯାଉଛି ! ପୁଣି କେବେ ଆସିବି !” କିନ୍ତୁ ଫେରିବା ବାଟରେ ପ୍ରତିବନ୍ଧକ ତ ଏଇ କେତୀ !

 

ଦେବେନ୍ଦ୍ର ମୋଆଡ଼େ କିଂକର୍ତ୍ତବ୍ୟବିମୂଢ଼ ପରି ଚାହିଁ ରହିଥିଲା । ମୁଁ ନାଟକୀୟ ଠାଣିରେ, ଦୁଇହାତ ଛାତି ଉପରେ ଛନ୍ଦି କହିଲି, “ଆନନ୍ଦରେ ଥାଅ ଦେବେନ୍ଦ୍ର । ମୁଁ ବିଦାୟ ନେଇଛି । ମୋର ରାସ୍ତା ଅନେକ ଦୂର, ଅନେକ ଦୁର୍ଗମ !” ସେତେବେଳେ ମନେପଡ଼ି ଯାଇଥିଲା ରବୀନ୍ଦ୍ର ନାଥଙ୍କ କୋଉ ଗୋଟାଏ କବିତାରୁ ଧାଡ଼ିଏ... “ଥାକ ସ୍ୱର୍ଗ ହାସିମୁଖେ, ଲଇନୁ ବିଦାୟ !”

 

ଦେବେନ୍ଦ୍ର ଆଉ ଗୋଟାଏ ସେଣ୍ଟିମେଣ୍ଟାଲ ରିଆକ୍‌ସନ କରନ୍ତା କ’ଣ, ନିତାନ୍ତ ଗଦ୍ୟ ପରି, ମୋ ପଛେ ପଛେ ଦଉଡ଼ିଆସି କହିଲା... “କ୍ଳବ୍ ଘର ଚାବିଟା ନିଅ । ମୁଁ ଆସୁଚି, ଆଚ୍ଛା ପାଗଳଲୋକ ତମେ ମାନାଦା !”

 

ଜାଗୁଳେଇ ଡ୍ରାମାଟିକ୍ କ୍ଳବ୍...ଧାଡ଼ିକିଆ ଚାଳଘର । କେବେ ଖଣ୍ଡେ ଟିଣଉପରେ ସାଇନବୋର୍ଡ଼ ଲେଖାହୋଇ ଝୁଲିଲାଣି, ଏ ପର୍ଯ୍ୟନ୍ତ ଦେଖିନଥିଲି ତ । ଗାଁ ମୁଣ୍ଡକୁ ମେଲଣ ପଡ଼ିଆ ମଝିରେ ଓହଳ ଲମ୍ବାଇ ନାଗା, ଅଘୋରୀ ସନ୍ନ୍ୟାସୀ ପରି ଠିଆହୋଇଛି ଗୋଟାଏ ବରଗଛ । କିଏ ଅନ୍ଧାର ରାତିରେ ସେଠି ପେତନୀ ଦେଖିଚି, କିଏ ଭେଟଣା ହୋଇଛି, କିଏ ନା ବ୍ରହ୍ମରାକ୍ଷସ ବରଡ଼ାଳରୁ ଗୋଡ଼ ଲମ୍ବେଇ ବସିବା ଦେଖିଚି । ପ୍ରକୃତରେ ଅନ୍ଧାର ରାତିରେ ବରଗଛଟାକୁ ଦେଖିଲେ ଭୟରେ ଦେହ ଛମ୍‍ଛମ୍ କରେ । ବୋଧହୁଏ ଗାଈ ରଖୁଆଳ ଟୋକାଏ ଖରାବେଳେ ଡାଳମାଙ୍କୁଡ଼ୀ ଖେଳି ଜାଗୁଳେଇ ସ୍ଥାନକୁ ଅପବିତ୍ର ନକରିବା ଉଦ୍ଦେଶ୍ୟରେ, ଜାଗୁଳେଇ ବରଗଛ ସମ୍ପର୍କରେ ଏ ଉପକଥା ସବୁ ସୃଷ୍ଟି କରାଯାଇଅଛି ! କିନ୍ତୁ ଦିନବେଳେ ଡାଆଣୀ ଚିରୁକୁଣୀମାନେ ଆଲୁଅରେ ତ ଆଉ ବାହାରନ୍ତି ନାହିଁ । ସେଥିପାଇଁ ଖରାବେଳେ ବରଗଛ ଡାଳରେ ହନୁମାଙ୍କଡ଼ ଆଉ ଗାଇ ରଖୁଆଳ ଟୋକାଙ୍କ ଅବାଧ ରାଜତ୍ୱ ।

 

ମାଟିରୁ ତିନି ଚାରିହାତ ଛାଡ଼ି, ଗୋଟାଏ ସରୁ ଡାଳ, ବ୍ରହ୍ମରାକ୍ଷସର ନଳୀଗୋଡ଼ ପରି, ବେଶ୍ ଲମ୍ବି ବାହାରି ପହିଛି । ସାନ ସାନ ପିଲାମାନଙ୍କର ସେଇଟା ଖରାବେଳେ ହୋଇଯାଏ ଘୋଡ଼ା ! ଅଦୂରରେ ବିରୂପା ବନ୍ଧ । ଗୋଟାଏ ଡେଙ୍ଗା ଅର୍ଜୁନଗଛ ବନ୍ଧଉପରେ ଠିଆହୋଇଛି, ପ୍ରୀତିପୁର ଗାଁର ବିଶ୍ୱସ୍ତ ପ୍ରହରୀ ପରି । ତା’ ଡାଳରେ ମଧ୍ୟ କୁଆଡ଼େ ଭୂତମାନେ ବସାବାନ୍ଧି ରହିଚନ୍ତି-। କିନ୍ତୁ ସନ୍ଧ୍ୟା ହେଲେ, ମୁଁ ବାହାରିଯାଏ ସେଇ ଅର୍ଜୁନଗଛ ମୂଳକୁ । ଅନ୍ଧାରରେ ନଈବାଲି ଦେଖାଯାଏ, ଗୋଟାଏ ଅର୍ଘାସୁର ଯେପରି ଚାରିକାତ୍ ମେଲାଇ ଶୋଇପଡ଼ିଛି । କିନ୍ତୁ ଜହ୍ନ ରାତିରେ ତା’ର ଚେହେରା ଅଲଗା । ଝିଅଟିଏ ପିଠି ମୁକୁଳା କରି ଶୋଇଛି । ଅନ୍ଧାର ଆଉ ଆଲୁଅ ପକ୍ଷରେ ନଈର ଭିନେଭିନେ ଚେହେରା ଦେଖେ, ଆଉ କର–ବା–ମର କଥା ଚିନ୍ତାକରେ । କୁଆଡ଼ୁ ଥଳକୂଳ ପାଏନାହିଁ ।

 

ଅନ୍ଧାରରେ ନଈବାଲିରୁ ଶୁଭୁଚି ଘାଘଡ଼ା ଗଳାରେ ଗୀତ,–“ଥକା ମନ ଚାଲ ଯିବା ।” –ଇଏ ଗଉରା ମଳିକ ଚଉକିଦାର, ମଙ୍ଗରାଜପୁର ଆଶ୍ରମ ତଦାରଖି କରି ଗାଁକୁ ଫେରୁଚି । ଖଜୁରି ତାଡ଼ିରେ ଟୁଳୁଟୁଳିଆ କଣ୍ଠ । ଗଉରା ତାଡ଼ି ପିଇଲେ କ’ଣ ହେଲା, ଗୁଣୀ ଲୋକ । ବେଳେବେଳେ ବେଶ୍ ଉଚ୍ଚ ଦରର କଥା କୁହେ । ସେଦିନ ପଚାରିଲି, “ଆରେ ଗଉରା, ତୁଟା ସବୁବେଳେ ତାଡ଼ି ପିଇ ନିଶା କରୁଚୁ କାହିଁକି” ? ଗଉରା ଖନି ମାରୁଥିବା ପାଟିରେ ଜବାବ ଦେଲା... “ବିଷୟାକୁ ବଳି, ଦେଶି ଖଜୁରି ତାଡ଼ି କ’ଣ ବେଶୀ ବିଷ ?” ଏଇ କଥା ପଦକରେ ଗଉରା ମଳିକ ସାଙ୍ଗରେ ଭାବ ହୋଇଗଲା । ଏମାନେ ମାଟିର ଦାର୍ଶନିକ । ଦର୍ଶନର ପେଶାଦାର ଅଧ୍ୟାପକ ନୁହନ୍ତି । ଏଇମାନଙ୍କର ଉପଲବ୍‌ଧି ହିଁ ଗଢ଼ିଛି ଦେଶର ଦର୍ଶନ । ପଣ୍ଡିତମାନେ କେବଳ ଏମାନଙ୍କର ଟିକାକାର । ସେଇଦିନୁ ଗଉରା ମଳିକ ସାଙ୍ଗରେ ଭାବ ହୋଇଯାଇଛି ।

 

ଆଉଦିନେ ମଉଳା ଜହ୍ନବୋଳା ସଞ୍ଜ ।

 

ଗଉରା ବାଲିରେ ଫେରୁଚି “କହଇ ମନ ଆରେ ମୋ ବୋଲ କର” ଗାଇ ଗାଇ । ଖନିମରା ପାଟି । ଏ ମାଟିର କବିମାନେ ଏପରି ଜୀବନ–ବିମୁଖ କାହିଁକି ? କାହିଁକି ସେମାନଙ୍କର ଏ ଔଦାସ୍ୟ ? ତା’ ନ ହୋଇଥିଲେ, ସେମାନଙ୍କ ପାରିପାର୍ଶ୍ୱିକ ପରିସ୍ଥିତିରେ ସେମାନେ ବୋଧହୁଏ ଆତ୍ମହତ୍ୟା କରିଥାନ୍ତେ ପରା ! ଏଇ ବୈରାଗ୍ୟଇ ସେମାନଙ୍କୁ ବଞ୍ଚାଇ ରଖିପାରିଛି ।

 

“ଗଉରା”...

 

“ବାବୁ ବସିଚିନି ପରା !” ...ଗଉରା ହାତରେ ଝୁଲୁଚି ଗୋଟିଏ ଠେକି ।

 

“କଣରେ ସେଇଟା ?

 

ଅମ୍ଲାନ କଣ୍ଠରେ ଉତ୍ତର ଦେଲା ଗଉରା... “ମୁଁ ନିଇତି ମଙ୍ଗରାଜପୁର ଯାଏ କାହିଁକି ? କ’ଣ ଆଶ୍ରମ ଦୋରଖି ? ପଦିଆ ଗଛରୁ ଠେକି ଉତରେଇବା ପାଇଁ ? କିବେ ମୁଁ ଚଉକିଦାର ! ତୋ ତାଡ଼ି ଚୋରି କରିବି ? ଶଳେ ! ତମ ଧନ୍ଦା ତ ହେଲା ଚୋରି ଲାଞ୍ଚ ଘୁଷ !”

 

“ମତେ ସେଥିରୁ ଚଖେଇଲୁ ଟିକିଏ !”

 

“ବାବୁ ଏଲା ଖଜୁରି ତାଡ଼ି ପିଇବେ ?” ଗଉରା କଣ୍ଠରେ ବିସ୍ମୟ । “ବାବୁ ଭାୟାମାନେ କୁଆଡ଼େ ବିଦେଶୀ ମାଲ ଟାଣନ୍ତି । ହେଲେ ଇଏ ଦୋସରା ଜିନିଷ । ପିଇବେ କେମିତି ? ଗୋଟିଏ ପତର ଠୋଲା ଆଣେ !”

 

“ଠୋଲା କ’ଣ ହେବ ବେ ? ଦେ ସେମିତି ଠେକିରୁ ତେଣ୍ଡିବି !” ...ଗଉରା ହାତରୁ ଠେକିଟା ନେଇ କେଇଢୋକ ତେଣ୍ଡିଲି । ଖଟା ତୋରାଣୀ ପରି । ପାଟିଟା ଖରାପ ହୋଇଗଲା । ଖଣ୍ଡେ ବିଡ଼ିରେ ନିଆଁ ଲଗାଇ କହିଲି... “ନେ ବିଡ଼ିଟାଣ !” ଗଉରା ସେତେବେଳକୁ ବନ୍ଧଉପରେ ଶୋଇପଡ଼ିଲାଣି । ସେଇଦିନୁ ଗଉରା ସାଙ୍ଗରେ ମୋର ଭାବ ଘନେଇଲା । ସିଏ ମୋର ନିର୍ଜନ ଘଟଣାବିହୀନ ଦିନଗୁଡ଼ିକର ସାଥୀ, ଆଉ ଏଇ ନିଛାଟିଆ ଅର୍ଜୁନ ଗଛ ।

 

କ୍ଲବ ଘରଭିତରୁ କବାଟ ଦରଆଉଜା । ଚାଳକୁ ଅନେକ ଘଣ୍ଡେ ତକ୍ତପୋଷ ଉପରେ ଶୋଇଛି । ମୁଣ୍ଡଭିତରେ ଗୁଡ଼ାଏ ଅସଂଲଗ୍ନ ଚିନ୍ତା । ଦେବେନ୍ଦ୍ର ଇତିମଧ୍ୟରେ ମୋତେ ଘେନି କ୍ଲବ୍ ଟୋକାଙ୍କ ଭିତରେ ଗୋଟାଏ ଲିଜେଣ୍ଡ ସୃଷ୍ଟି କରିଦେଇଛି । ମାନାଦା କର–ବା–ମରରେ ନାଁ ଲେଖେଇଛନ୍ତି । ପୁଲିସ ପଛେପଛେ ଛୁଟିଛି । ଏଠି ଛପି ରହିଛନ୍ତି । ସୁଭାଷ ବୋଷ ଯୋଉଦିନ ଆସିବେ, ସେଇଦିନ ସେ ପଦାକୁ ବାହାରିବେ । ତା’ ଛଡ଼ା ସିଏ ଆର୍ଟିଷ୍ଟ, ଭାବୁକ ଲୋକ ! କର୍ଣ୍ଣ ପାର୍ଟ ବାଧ୍ୟରେ କଲେ ସିନା ! ନୋହିଲେ ତମର ଏସବୁ ଖେଳ, ତାମ୍‌ସା ତାଙ୍କୁ ଭଲଲାଗେ ନାହିଁ ।

 

ମୁଁ କ୍ଲବଟୋକାମାନଙ୍କ ଆଖିରେ ଅସାଧାରଣ ! କିନ୍ତୁ ଅସାଧାରଣ ହେବାରେ ଏକ ବିପଦ ମଧ୍ୟ ରହିଛି । ବିଚାରା ଅସାଧାରଣଟି ବଡ଼ ନିଃସଙ୍ଗ । ଅସାଧାରଣତ୍ଵର ମୁଖା ତଳେ ସେ ସବୁବେଳେ ରୁଦ୍ଧଶ୍ୱାସ ! ଆଗେ ଖରାବେଳେ କ୍ଲବ୍‌ଟୋକାଏ ତାସ ପିଟନ୍ତି, କାରମ୍ ବାଡ଼ାନ୍ତି, ବେଳେବେଳେ ମୁଁ ସେମାନଙ୍କ ସହିତ ଯୋଗଦିଏ ! ବେଳ କଟିଯାଏ । ସମୟଟା ଛାତିଉପରେ ଏମିତି ପଥର ପରି ଚାପି ବସେ ନାହିଁ । କିନ୍ତୁ ଏବେ ସେମାନେ ମୋ ପ୍ରତି ସମୀହରେ, ଖରାବେଳେ ଆଉ ତାସ୍ ପିଟିବା ପାଇଁ ଆସୁନାହାନ୍ତି । ତାଙ୍କ ଆଡ଼ୁଡ଼ା ଜମୁଚି ଜାଗୁଳେଇ ମଣ୍ଡପ ଉପରେ । ଭାବୁକ ମଣିଷ ମାନ୍ଦାବାବୁ । କ’ଣ ଭାବୁଥିବ । ଆମ ଖେଳରେ ତା’ ଭାବନାର ଖିଅ ଛିଡ଼ିଯିବ ନାହିଁ ? ସନ୍ଧ୍ୟାବେଳକୁ ସେମାନେ ଅବଶ୍ୟ ଆସନ୍ତି, ଖବରକାଗଜ ପଢ଼ିବା ପାଇଁ । ଦେଶର ହାଲ ହକିୟତ୍‌ ଆଲୋଚନା କରିବାପାଇଁ, ସେମାନଙ୍କ ଚିନ୍ତା ବୁଦ୍ଧି ଅନୁସାରେ । ଏବେ ସେମାନେ ଦେଶକଥା କିଛି କିଛି ବୁଝିଗଲେଣି । ମୋଟାମୋଟି ଧାରଣା କରିନେଲେଣି, କର–ବା–ମର ଆନ୍ଦୋଳନର ତାତ୍ପର୍ଯ୍ୟ । ମୁଁ ଡ୍ରାମାଟିକ୍ ପୋଜ୍‌‌ରେ ଠିଆହୋଇ, କପାଳ ଉପରୁ ଅଲରା ବାଳ ବାଁ ହାତରେ ପଛକୁ ଛାଟିଦେଇ, ଜୀବନ ମିଶ୍ର, ଅରୁଣ ମାହାନ୍ତିଙ୍କ ପୋଜ୍‌ ପସ୍‌ଚର୍ ଅନୁକରଣ କରି, କେତେବେଳେ ହାତ ମୁଠା ମୁଠା କରି, ଆଗକୁ ଛିଞ୍ଚାଡ଼ି, ବକ୍ତୃତା ଦିଏ... “ସାଥିଗଣ, ବନ୍ଧୁଗଣ, ଗାନ୍ଧୀ ମହାତ୍ମା ଜେଲ୍‌ରେ, କଂଗ୍ରେସ ନେତାମାନଙ୍କୁ ଇଂରେଜ ସରକାର ବାନ୍ଧିନେଇ ଜେଲ୍‌ରେ ପୂରାଇଚି ! ଭାରତର ତୋଟି ଚିପି ଧରିଚି ସୟତାନ୍‌ ଗୋରା ସରକାର ! ଏଇ କ’ଣ ତମମାନଙ୍କର ତାସ୍, କାରମ୍ ପିଟିବାର ବେଳ ?” ...ଗୋଟାଏ କିଛି ଡ୍ରାମାଟିକ୍ ଆଳଙ୍କାରିକ ଏକସ୍‌ପ୍ରେସନ୍ ପାଇଁ ଗୋଟାଏ ପଜ୍ ନିଏ । ତା’ପରେ କପାଳ ଉପରକୁ ପୁଣି ଝୁଲିଆସିଥିବା ବାଳଗୁଡ଼ାକୁ ଉପରକୁ ଛାଟିଦେଇ କହେ “ମହାତ୍ମାଙ୍କର ଏଇ ସ୍ଵାଧୀନତା–ଯଜ୍ଞରେ ଆମେ କ’ଣ ଆମର ଜୀବନକୁ, ଆମର ଯୌବନକୁ ଆହୁତି ଦେବା ନାହିଁ ?”

 

ଦେବେନ୍ଦ୍ର ଇମୋସନାଲ୍ ହୋଇପଡ଼ି ଚିତ୍କାର କରେ... “ନିଶ୍ଚୟ ! ନିଶ୍ଚୟ !”

 

କ୍ଲବ୍ ଟୋକାଏ ପହଳି ଫେରାଇବା ପରି କହନ୍ତି... “ତମ ପଛରେ, ଆମେ ଅଛୁ ମାନ୍ଦାବାବୁ ! ତମେ ଆମକୁ ଖାଲି ରାସ୍ତା ଦେଖାଅ !”

 

ସେଇ ରାସ୍ତା ମୁଁ ବି ତ ଖୋଜୁଛି । କିନ୍ତୁ ପାଉଛି କୋଉଠି ?

 

ଦୁଆର ଠେଲି ଭିତରକୁ ପଶିଆସିଲା, ଦେବେନ୍ଦ୍ରଘର ଚାକର ପିଲା ଗଣ୍‌ଶା ! ହାତରେ ଟିଫିନ୍ କାରିଅର୍ ଆଉ ଓଡ଼ିଆ ଖବରକାଗଜ । ଗଣ୍‌ଶା ତଳେ ଖଣ୍ଡେ ପିଢ଼ା ପକାଇ, ଟିଫିନ୍ କାରିଅର୍‌ଟା ରଖିଦେଇ । କହିଲା... “ଦେଈ କହିଚନ୍ତି, ଥଣ୍ଡା କରିବ ନାହିଁ । ତଟ୍‌କା ତଟ୍‌କା ଖାଇଦେବ !”

 

ଟିଫିନ୍ କାରିଅର୍ ଦେଇ ଯିବାର ଅନେକ ପରେ, ମୁଁ ଜାଣିଜାଣି ଡେରିକରି ଖାଏ ବୋଲି କେତୀ ଜାଣିଲା କିପରି ? ବୋଧହୁଏ ଟିଫିନ୍ କାରିଅର୍ ଭର୍ତ୍ତିକରି ସେ ଯେତେସବୁ ଦେଇଥାଏ, ସେଥିରୁ ଅନେକ ଛାଡ଼ିଯାଏ, ସେଇଆକୁ ଲକ୍ଷ୍ୟ କରି !

 

ମୁଁ ଖଟଉପରେ ବସିପଡ଼ି କହିଲି... “ତଟକା ଖାଇବି କି ବାସୀ କରି ଖାଇଚି, ତୋର ସେଥିରେ କ’ଣ ଅଛି ? ତମ ଦେଈଙ୍କୁ କହିଦବୁ, ମୋର ଯେତେବେଳେ ଇଚ୍ଛା, ସେତେବେଳେ ଖାଇବି ! ପଳା ଏଠୁ !”

 

ଖଟଉପରୁ ଓହ୍ଲାଇ ମୁଁ କେତେଦିନୁ ନଖାଇଥିବା ଭଳି, ଲୋଭ ଆଉ ଆଗ୍ରହରେ ଟିଫିନ୍‌ କାରିଅର୍‌ର ବାଟିଗୁଡ଼ା ଖୋଲି ବସିଲି । ଗଣ୍‌ଶା କିନ୍ତୁ ଗଲା ନାହିଁ । ସୁରେଇରୁ ଗିଲାସେ ପାଣି ଢାଳି ମୋପାଖରେ ରଖିଦେଇ, ସେ ଠିଆହୋଇ ରହିଲା । ସବୁଦିନେ ସେଇ ପ୍ରକାର ସେ ପ୍ରାୟ ଠିଆହୁଏ । ଦିନେଦିନେ ଖାଇବାବେଳେ କହେ, ଏ ବେସରଟା ଭଲ ହେଇଚି; ଝାଲ୍‌ଟା ମନ୍ଦ ହୋଇନାହିଁ ! ଆରେ ଏତେ ଭାତ କାହିଁକି ଆଣିଲୁ ? ଗଣ୍‌ଶା ମୋର ଏ କମେଣ୍ଟ୍‌ ସବୁ କାହାକୁ ଜଣାଏ କେଜାଣି ? ତା’ ପରଦିନ ବେସରଟା ଆଉରି ଚମତ୍କାର ! ଆରେ ଇଏ ତ ବଡ଼ି ଫୁଲା ! ଭାରି ଟେଷ୍ଟଫୁଲ୍ ! ଦେବେନ୍ଦ୍ର ଘରେ ଥିବାବେଳେ, କେତୀଟା ଏତେ ଭଲ ରାନ୍ଧୁନଥିଲା ତ ! ଆଜି କରିଛି ଦହିମାଛ । ଏଇଟା ମୋର ଭାରି ପ୍ରିୟ । ବୋଉ ବି ଦିନେଦିନେ ରାନ୍ଧେ । ଆରେ ମନୁଆଁ ତୋ ପାଇଁ ଏତେ ଧନ୍ଦିହୋଇ ରାନ୍ଧିଲି । ମୋ ରାଣ, ଆଉ ଗୁଣ୍ଡାଏ ଖାଇଦେ ! ଓ ! ସେଇଥିପାଇଁ ଗାଣ୍‌ଶା କହୁଥିଲା ପରା, ତଟକା ତଟକା ଖାଇବ ! ସବୁ ଚାଟିଚୁଟି ଖାଇବାପାଇଁ ଇଚ୍ଛାହେଉଥିଲା । ମୁଁ ଟିକିଏ ଖାଦ୍ୟପ୍ରିୟ ତ ! କିନ୍ତୁ ପେଟିମାଛ ଖଣ୍ଡେ ବାଟି ଭିତରେ ଛାଡ଼ିଦେଇ, ନିର୍ଲିପ୍ତ ଭାବରେ ଉଠିଆସିଲି । ଭଲ, ଖରାପ କିଛି କହିଲି ନାହିଁ । କେତୀକୁ ଗଣ୍‌ଶା ନିଶ୍ଚୟ ସବୁକଥା କହିବ ! ତା’ ମନରେ ଦୁଃଖ ହେବ ନିଶ୍ଚୟ ! ବିଚାରୀ ମୋ ପରି ଭାଗାବଣ୍ଡ୍ ପାଇଁ, ଏତେ ଯତ୍ନରେ ରାନ୍ଧି ପଠାଉଚି ! ଦହିମାଛଟା ଭଲ ହୋଇଥିଲା ବୋଲି କାନ୍ଥକୁ ବାଡ଼କୁ ଶୁଣେଇ କହିଥିଲେ ହୋଇନଥାନ୍ତା ? ବିଚାରୀ କେତୀ ଉପରେ ମୋର ଏ ବିଦ୍ୱେଷ କାହିଁକି ?

 

ଖଟଉପରେ ପୁଣି ଚିତ୍ ହୋଇ, ଖବରକାଗଜଟା ଫିଟାଇ ଧରିଲି । ଆନ୍ଦୋଳନର ଖବରରେ କାଗଜପୃଷ୍ଠା ଭର୍ତ୍ତି । ବିହାରରେ ଗଢ଼ାହୋଇଚି ପାତ୍ରୀ ସରକାର, ମାନେ ସମାନ୍ତରାଳ ସରକାର । ମୁଙ୍ଗେର୍‌ରେ ରେଳଲାଇନ୍ ତାଡ଼ି ଦେଇଛନ୍ତି ଅଗଷ୍ଟ ବିପ୍ଳବୀମାନେ, ପଉଜୀ ଟ୍ରେନ୍ ଅଚଳ କରିଦେବା ପାଇଁ । ସେଦିନ ଖବରକାଗଜରେ ବାହାରିଥିଲା, ପାଟ୍‌ନା ସେକ୍ରେଟାରିଏଟ୍‌ କୋଠା ଉପରେ ସେମାନେ ଉଡ଼ାଇଲେ ତ୍ରିରଙ୍ଗୀ ଝଣ୍ଡା । ପୋଲିସ ଗୁଳିରେ ଅନେକ ମୃତାହତ ହେଲେ ! ଓଡ଼ିଶାରେ ମଧ୍ୟ କୋଉଠି କୋଉଠି ଚାଲିଲାଣି ଥାନାପୋଡ଼ି, ଡାକବଙ୍ଗଳା ପୋଡ଼ି । ବାଲେଶ୍ଵର ଜିଲ୍ଲାରେ କୋଉଠି ଖଇରାରେ ଲୋକେ, ୧୪୪ଧାରା ଅମାନ୍ୟ କରି, ଥାନା ଆକ୍ରମଣ କରିବାପାଇଁ ସଭା କରୁଥିଲେ । ପୁଲିସ ଗୁଳିରେ ୩୯ ଜଣ ମରିଛନ୍ତି । ପୁଲିସ ଗୁଳିକୁ ଡରିନାହାନ୍ତି-। ତାହାର ସାମ୍‌ନା କରିଛନ୍ତି, ମହାତ୍ମା ଗାନ୍ଧୀଙ୍କ ନାମରେ ଜୟଧ୍ୱନି ଦେଇ । ଖରବକାଗଜରେ ଲେଖାଥିଲା–ସାରା ଭାରତରେ, ଅଗଷ୍ଟ–ଆନ୍ଦୋଳନରେ ପୁଲିସଗୁଳିର ଏତେ ଲୋକ ଆଉ କୋଉଠି କୁଆଡ଼େ ମରିନାହାନ୍ତି !

 

ଉତ୍ତେଜନାରେ ମୁଁ ଖଟଉପରେ ଉଠି ବସିଲି ! କର–ବା–ମର ଶପଥ ନେଇଆସିଥିଲି, କ’ଣ ମୁହଁରେ ରଙ୍ଗ ବୋଳି ଷ୍ଟେଜ୍ ଉପରେ ନାଚିବା ପାଇଁ ? କେତୀ ହାତରୁ ଚିତୋଉ ପିଠା, ଦହିମାଛ, ମାଛବେସର ଗିଳିବା ପାଇଁ ? ଚୋରାପୀରତିରେ ଛପିଛପିକା ଜହ୍ନଆଲୁଅରେ ଲୁଚକାଳି ଖେଳିବା ପାଇଁ ? ନିଜକୁ ଶତ ଧୀକ୍‌କାର ଦେଇ, ମନର ଉତ୍ତେଜନା ଶାନ୍ତ କରିବାପାଇଁ, ଗୋଟାଏ ଗୋଇଠାରେ କବାଟ ଖୋଲି ପଦାକୁ ବାହାରିଆସିଲା ।

 

ଜାଗୁଳେଇ ମଣ୍ଡପଉପରେ ଟୋକାଏ କାରମ୍ ପିଟୁଚନ୍ତି । ବରଗଛର ପତ୍ର ଗହଳି ଭେଦି, ଚେନାଏ ସୁନେଲି ଖରାପଡ଼ିଛି, ସେମାନଙ୍କ ଉପରେ । ଦେବେନ୍ଦ୍ର ହୁଏତ ଘୁଙ୍ଗୁଡ଼ି ମାରୁଥିବ, ନୋହିଲେ ପଟ୍ଟନାୟକ ସାହିରେ ପଶାକାଠି ଖଡ଼ଖଡ଼ କରି ଚିତ୍କାର କରୁଥିବ...ପବାର ତେରରେ ! ଅଥଚ ଏଇ ଗର୍ଦ୍ଦଭମାନଙ୍କ ଉପରେ ଭରସା କରି, ମୁଁ ଅପେକ୍ଷା କରି ରହିଚି କର–ବା–ମର ପାଇଁ ।

 

ନିଉଟନ୍ ଆତ ପଡ଼ିବା ଦେଖି, ସେଇ ସାମାନ୍ୟ, ନିତିଦିନିଆ କଥାଟାରୁ କୁଆଡ଼େ ଆବିଷ୍କାର କଲେ, ମାଧ୍ୟାକର୍ଷଣ ତତ୍ତ୍ଵ ! ସେତେବେଳେ ଗଉରା ମଳିକକୁ ଦେଖି, ମୁଁ ମଧ୍ୟ ସେଇପରି ହଠାତ୍ ପାଇଗଲି ଗୋଟାଏ ଉତ୍ପୀଡ଼କ ପ୍ରଶ୍ନର ସମାଧାନ !

 

ଗଉରା ମଳିକ ନେଳିଆ ହୁଦା ଆଣ୍ଠୁ ପର୍ଯ୍ୟନ୍ତ ଝୁଲାଇ, ମୁଣ୍ଡରେ ନେଳୀ ପଗଡ଼ି ବାନ୍ଧି, ହାତରେ ଚିତାଏ ଉଞ୍ଚାର ଠେଙ୍ଗାଟାଏ ଧରି, ଭୁସ୍‍ଭୁସ୍ ହୋଇ ଧପାଲିଚି ମଙ୍ଗରାଜପୁର ଆଡ଼େ ।

 

“ଗଉରା”

 

ମୋର ଚଢ଼ାଗଳା ଶୁଣି, ଗଉରା ଅଟକି ପଡ଼ି ମୋ ଆଡ଼େ ଚାହିଁଲା ।

 

“ମୋତେ ଡାକୁଚନ୍ତି ଆଁ ?”

 

“ଶୁଣ ଏଆଡ଼େ !”

 

ଗଉରା ପିଣ୍ଡା ପାହାଚ ପାଖକୁ ଆସିବା ମାତ୍ରେ, ମୁଁ ଚଢ଼ାଗଳାରେ କହିଲି... “ଭିତରକୁ ଆ, ଗଉରା ।”

 

ଗଉରା ହଠାତ୍ କିଛି ବୁଝିନପାରି, ଭିତରକୁ ଆସିବା ମାତ୍ରେ ଧଡ଼ାସ୍ କରି କବାଟଟା ଭିତରୁ ବନ୍ଦ କରିଦେଇ କହିଲି...“ତୋ ସାଙ୍ଗରେ କଥା ଅଛି ଗଉରା !”

 

ଗଉରାକୁ ଆଚମ୍ବିତ ଲାଗୁଥାଏ । ସେ ତଳେ ବସିପଡ଼ି, ମୋ ଆଡ଼େ ଚାହିଁଲା...ଆଖିରେ ନିରୀହ ବିସ୍ମୟ ।

 

ମୁଁ ଖଣ୍ଡେ ବିଡ଼ିରୁ ଗୋଟାଏ ଲମ୍ବା ଟାଣ ନେଇ ପଚାରିଲି... “ଗୋଟାଏ ଜିନିଷ ମାଗିବି, ଦେଇପାରିବୁ ଗଉରା ?”

 

ଗଉରା କହିଲା... “ଅବିକା କୋଉଠୁ ପାଇବି ବାବୁ ? ସଞ୍ଜବେଳକୁ ସେଇ ଗଛମୂଳେ ତକେଇଥିବ ! ବଢ଼ିଆ ମାଲ୍ ଉତାରି ଆଣିବି !” –ଗଉରା ତା’ର ସହଜ ବୁଦ୍ଧିରେ ଧରିନେଇଚି, ମୁଁ ଖଜୁରି ତାଡ଼ି ମାଗୁଛି ତାକୁ ! ୟା’ ଭିତରେ ଏକାଠି ବସି, କେତେଥର ତାଡ଼ି ତେଣ୍ଡିଚୂତ !

 

“ନାଇଁରେ ଗଉରା ତାଡ଼ି ନୁହଁ !”

 

“ତାହେଲେ ?” ଗଉରାଠାରୁ ତାଡ଼ି ଛଡ଼ା ମୁଁ ଯେ ଅନ୍ୟକିଛି ଜିନିଷ ମାଗିପାରେ, ତା’ର ପ୍ରତ୍ୟୟ ହେଉନଥିଲା । ତା’ର ବା ମୋତେ ଦେଇପାରିବା ଭଳି ଆଉ ଅଛି କ’ଣ ?

 

ମୁଁ କହିଲି... “ତୋର ସେଇ ଚଉକିଦାର ହୁଦା ଆଉ ପଗଡ଼ି !”

 

“କ’ଣ ଆକୁ ପିନ୍ଧି, ଚଉକିଦାର ପାଟ୍‌ରେ ପୁଣି ନାଚିବକି ?”–ଗଉରା ପାଟିଏ ହଳଦିଆ ଦାନ୍ତ ଦେଖାଇ, ହସିଉଠିଲା ।

 

ମୋ ମୁଣ୍ଡକୁ ରକ୍ତ ଚଢ଼ିଛି । ମୁଁ ଚିତ୍କାର କଲି... “ସଟ୍‍ଅପ୍ ଗଉରା !” ...ବ୍ରିଟିଶ ସରକାରକୁ ଯେମିତି ମୁଁ ବନ୍ଦୀ କରିଛି... “ତୋର ଏଇ ହୁଦା ପଗଡ଼ୀ ଆଉ ଠେଙ୍ଗା ବ୍ରିଟିଶ ସାମ୍ରାଜ୍ୟବାଦର ନିଶାଣ ! ଗାନ୍ଧୀ ମହାତ୍ମା କହିଛନ୍ତି, ଆକୁ ମାରିବା ପାଇଁ, ନୋହିଲେ ମରିବା ପାଇଁ-!”

 

ମୋର ନାଟକୀୟ ପୋଜରେ ଗଉରା ବିଶେଷ ଇମ୍ପ୍ରେସ୍‌ଡ଼୍ ହେବାପରି ମୋର ମନେହେଲା ନାହିଁ । ନିର୍ଲିପ୍ତ କଣ୍ଠରେ ସେ କହିଲା... “ମୁଁ ତେଇଁକି ଜାଣିନାଇଁ କି, ମୋହନା ମୁଗଲ ମାତିବ, କଳିଶାସନ ଧ୍ୱଂସଯିବ !” ...ପ୍ରଥମେ ମୋହନା ମୁଗଲ ମାଟିବା କଥାଟା ଶୁଣିଥିଲି, ନେଉଳପୁର ଷ୍ଟେସନ୍ ପାଖ ବରା ଦୋକାନରେ । ଗଉରା ବି କହୁଚି ସେଇ ମଦନା ମୁଗଲ କଥା ! ମୋହନଦାସ କରମଚାନ୍ଦ୍ ଗାନ୍ଧୀ ମହନା ମୁଗଲ ହୋଇଗଲେ କେମିତି ? ବୁଝିପାରିଲି ନାହିଁ ! କହିଲି... “ହଁ ସେଇ ମୋହନା ମୁଗଲ ଚାହୁଁଚି, ତୋର ହୁଦା, ପଗଡ଼ି ଆଉ ଠେଙ୍ଗା !”

 

“କ’ଣ କରିବ ବାବୁ, ଏ କୋଚଟ ଛିଣ୍ଡା ହୁଦା ଆଉ ପଗଡ଼ି ନେଇ ?”

 

“ଆମେ ଜାଳିବୁ, ପୋଡ଼ିବୁ !” ...ମୁଁ ବିସ୍ଫୋରଣ କଲି ।

 

ଗଉରା କହିଲା “ଗୋରା ସରକାର ହଟିଲା ପରେ, ପୁଣି ଏଇ ପଗଡ଼ି ଏଇ ହୁଦା, ଏଇ ଠେଙ୍ଗା, ଆଉରି ଲମ୍ବା, ଆଉରି ମୂଳିଆ ଖୋଜା ପଡ଼ିବ ବାବୁ ! ମୋ କଥା ମନେରଖିଥା, ଗଉରା ମଳିକ କହୁଥେଲା !”

 

“ଆରେ ନା–ନା–ଗାନ୍ଧୀ ମହାରାଜାଙ୍କ ରାମରାଜ୍ୟରୁ ପୋଲିସ ଏକାଥରେ ଉଠିଯିବ । ଚାଲିବ ସତ୍ୟର ରାଜୁତି !” ...ପଦବାବୁ ଏମିତି କଥା ବେଳେବେଳେ କହନ୍ତି !

 

ଗଉରା ଅମ୍ଳାନ ଭାବରେ ତା’ର ପଗଡ଼ି ଆଉ ହୁଦା ଖୋଲି ମୋ ପାଦତଳେ ରଖିଦେଇ ପାଟିକଲା... “ମହାତ୍ମା ଗାନ୍ଧୀ କି ଜେ ! ଜେ ! ଜେ !”

 

ଭାରୀ ଉଦ୍‌ବୁଦ୍ଧ ହୋଇଉଠିଲା । ମୁଁ କହିଲି... “ମୋ ସାଙ୍ଗରେ ବାହାରକୁ ଆ ଗଉରା !”

 

ଗୋଟିଏ ହାତରେ ଗଉରାର ହୁଦା, ପଗଡ଼ି । ଆର ହାତରେ ଚିତାଏ ଉଞ୍ଚାର ତା’ର ଠେଙ୍ଗା ଧରି, ଗଉରା ମୋ ପଛେ ପଛେ ପଦାକୁ ବାହାରିଆସିଲା । ଗଉରା ପାଗଳଙ୍କ ପରି ଦୁଇହାତ ଉପରକୁ ଟେକି ନାଚୁଛି... “ଜେ ! ଜେ ! ଜେ !” ଜାଗୁଳେଇ ମଣ୍ଡପ ଉପରେ ବସି ଖେଳୁଥିବା ଟୋକାଏ, ଗୋଟାଏ କିଛି ଘଟଣା ଘଟୁଛି ବୋଲି ଦଉଡ଼ିଆସିଲେ । ମାନ୍ଦାବାବୁ ପଛରେ ତ ପୁଲିସ ଗୋଡ଼ାଉଚି ! ଗଉରା ମଳିକ ଚଉକିଦାର ତାଙ୍କୁ ଗିରଫ କଲା କି ଆଉ ! ଗଉରା କିନ୍ତୁ ନନୀଆ କୀର୍ତ୍ତନ ନାଚୁଛି; ଜେ ! ଜେ !

 

ମୁଁ ଗୋଟାଏ ଡ୍ରାମାଟିକ୍ ପୋଜ୍ ଟାଣି ଭାଷଣ ଦେଲି... “ସାଥୀଗଣ, ବନ୍ଧୁଗଣ, କର–ବା–ମର ଯଜ୍ଞ ଆରମ୍ଭ ହେଲା ଆଜିଠାରୁ । ସେଥିରେ ପ୍ରଥମ ଆହୁତି–ଗଉରା ମଳିକ ଚଉକିଦାରର ହୁଦା, ପଗଡ଼ି ଆଉ ଠେଙ୍ଗା । ଗୋରା ସରକାରର ଯେଉଁ ଦମନଯନ୍ତ୍ର ଏ ଦେଶର ମୁକ୍ତିସଂଗ୍ରାମର ତୋଟି ଚିପିଧରିଛି, ଆଜି ଆମେ ନିପାତ୍ କରିବୁ ତାକୁ !” ଟୋକାଏ ଘନଘନ କରତାଳି ଦେଲେ ।

 

କଥାଟା ଅବଶ୍ୟ ଫାର୍ସ ପରି ! କିନ୍ତୁ ଏଇ ସାମାନ୍ୟ କଥା ଭିତରେ ଥିଲା ଯୋଉ ବିସ୍ଫୋରଣ, ଯୋଉ ଇଙ୍ଗିତ ଚେତନାର ଯୋଉ ଉନ୍ମେଷ ତା’ର ପ୍ରତ୍ୟକ୍ଷ ପରିଚୟ ପାଇଗଲି । ଦେବେନ୍ଦ୍ର କୁଆଡ଼ୁ ଆସି ଜୁଟିଗଲାଣି । ସେ ଗୋଟାଏ ଗାତ ଖୋଳି, ସେଥିରେ ଗଉରା ଠେଙ୍ଗା ପୋତୁଛି । ଏଠି ତ୍ରିରଙ୍ଗୀ ଝଣ୍ଡା ଉଡ଼ାଇବା ନାଁ କ’ଣ ? ଗଉରା କ’ଣ ବୁଝିଲା କେଜାଣି, ଖଣ୍ଡେ ଡାଙ୍ଗ ଆଣି ଛକ କରି ଠେଙ୍ଗା ଦେହରେ ବାନ୍ଧିଦେଲା ! ଏ ସବୁ କାଣ୍ଡର ଅର୍ଥ ମୁଁ ବୁଝିପାରିଲି ନାହିଁ । ଗଉରା ତା’ର ହୁଦାଟାକୁ ଝୁଲାଇଦେଲା, ସେଇ କାଠିଉପରେ । ଠେଙ୍ଗା ମୁଣ୍ଡରେ ବାନ୍ଧିଦେଲା ପଗଡ଼ି ! ଦିଶୁଛି ପାଳଭୂତ ପରି । ଟୋକାଏ ଦୁଇହାତ ତାଳି ପିଟି ହସନ୍ତେ କ’ଣ ଚିତ୍କାର କରିଉଠିଲେ..., “ଏଇ ଗୋରା ସରକାର ! ଏଇ ଗୋରା ସରକାର ! ଜାଳ ପୋଡ଼ ତାକୁ !”

 

ପାଳଭୂତ ଜଳିଲା ।

 

ମହାତ୍ମା ଗାନ୍ଧୀ କି ଜୟ ଧ୍ଵନିରେ ଜାଗୁଳେଇ ପଡ଼ିଆ କମ୍ପୁଚି । କର–ବା–ମର ଉଚ୍ଚାରଣ କରିବାପାଇଁ ଯୋଉମାନଙ୍କର ଜିଭ ପଇଟୁ ନଥିଲା, ସେମାନେ ଏବେ ଗଳା ଫଟାଇ ଚିତ୍କାର କରୁଛନ୍ତି “କର–ବା–ମର !”

 

ତା’ପରେ ? ତା’ପରେ ? ନିଆଁ ତ ନିଭିଆସିଲା ! ଏଠି ନାଁ ଅଛି ? ଡାକବଙ୍ଗଳା ନାଁ ଅଛି ଥାନା ? ଥାନା ? ନେଉଳପୁରେ । ବାଟ ପାଞ୍ଚକୋଶ !

 

କିଏ ଜଣେ କହିଲା... “ଚାଲ ପୋଡ଼ିବା ଡାକଘର !”

 

ଜାଗୁଳେଇପଦାରୁ ବାଉଁଶବଣ ଭିତରଦେଇ ଯୋଉ ସବୁ ମାଟିସଡ଼କଟା ରସୁଲଗଡ଼ ଗାଁକୁ ଯାଇଛି, ସେଇ ବାଟରେ ଗଲେ, ପାଏ ଦୂରରେ ପ୍ରୀତିପୁର ଡାକଘର । ଖଇରାତି ମିଆଁର ବଖରାଏ ଚାଳଘର । ନାଲି ଟିଣରେ ଧଳା ହରଫରେ ଇଂରାଜୀରେ ଲେଖାହୋଇ ଝୁଲୁଚି “ପୋଷ୍ଟ ଅଫିସ୍‌” । ପିଣ୍ଡାଉପରେ କାନ୍ଥକୁ ଅଣ୍ଟା ହୋଇ ରହିଚି ଲିଙ୍ଗାକୃତିର, ଗୋଟାଏ ଲେଟର୍–ବକ୍‌ସ ! ଲେଟର୍‌ବକ୍‌ସ ସବୁ ଲିଙ୍ଗାକୃତି କାହିଁକି ?

 

ଆମ ଦଳ ଆସି ପହଞ୍ଚିଗଲା ଡାକଘର ପାଖରେ । ଡାକଘର...ଇଏ ବି ଗୋରା ଶାସନର ଆଉ ଏକ ନିଶାଣ !

 

କାର୍ତ୍ତିକ ଅପରାହ୍ନର ଛାଇ ହାଇ ମାରି କ୍ରମେ ଲମ୍ବିଆସୁଛି, ବାଉଁଶବଣ ଉପରେ । ଡାକଘରେ ପୋଷ୍ଟମାଷ୍ଟର ରଘୁ ପଟ୍ଟନାୟକ, ଆଖିରେ ମୋଟା ଲେନ୍‌ସର ଗୋଟାଏ ଚଷମା ନାକଆଗରେ ପିନ୍ଧି, ଖଣ୍ଡେ ତେଲଚିକ୍‌ଟା କଳା ଚଉକି ଉପରେ ବସି ରହିଛନ୍ତି, ହରକରା ଅପେକ୍ଷାରେ । ସବୁଦିନେ ଜଗୁଆ ହରକରାଟା ଏମିତି ଦହଗଞ୍ଜ କରୁଛି । ନଳଦା ଗାଁରେ ତା’ର ଘର । ନେଉଳପୁର ବଡ଼ ଡାକଘରୁ ଡାକମୁଣି ନେଇଆସିବା ବାଟରେ ତା’ ଗାଁରେ ନିଘୋଡ଼ କଡ଼େ ଶୋଇଯାଏ । ନିଦ ଭାଙ୍ଗିଲେ, ଡାକମୁଣି କାନ୍ଧରେ ପକାଇ ପ୍ରୀତିପୁର ଡାକଘର ଯେତିକି ପାଖେଇଆସେ, ସେତିକି ବେଶୀ ଝୁମୁର୍‌ଝାମର୍ ଶବ୍ଦ କରି ଆସି, ଜଗୁ ହରକରା ଡାକଘର ଭିତରକୁ ଫିଙ୍ଗିଦିଏ ଡାକମୁଣିଟା । ଯେମିତି ଗୋଟାଏ ବିରାଟ ବୋଝ ହାଲୁକା ହୋଇଗଲା । ସିଏ ଛାଇ ନେଉଟା ବେଳ । ସବୁଦିନେ ତା’ର ସେଇ ଏକା କୈଫିୟତ୍‌... “କମ୍ପାନୀ ରେଳ ଉପରେ ହାତ କାହାର ? ରେଳ ଆସି ପହଞ୍ଚିଲେ ସିନା ଡାକ ମୁଣି ମିଳିବ । ନେଉଳପୁର ଡାକବାବୁ ଡାକ ବାଣ୍ଟୁ ବାଣ୍ଟୁ ପୁଣି ଲଗେଇଦିଏ, ଏଇଟା କରିଦେ, ସେଇଟା କରିଦେ !” ସବୁ ଗାଲୁ । ମଠୁଆ, ଠାପୁଆଟା-। ଏଥର ତା’ ନାଁରେ ରିପୋଟ କରିବାପାଇଁ ପଡ଼ିବ । ସଞ୍ଜକୁ ଡାକ ଆସିଲେ, ସେ ଡାକ ସିଏ ବାଣ୍ଟିବେ କିପରି ? ମୋହରମରା, ଗାଁୱାରୀ ସର୍ଟିଙ୍ଗ୍ କରା, ନାନା ଝିଞ୍ଜଟ୍ । ଏ ମହଙ୍ଗା ଯୁଗରେ ମାସକୁ କୋଡ଼ିଏ ଟଙ୍କା ଦରମାରେ ଏ କାମ କରିବ କିଏ ? ସ୍ଵାଭାବିକ ଭାବରେ ତେଣୁ ଏ ଅଞ୍ଚଳର ଅଧିବାସୀ ଆଜିର ଡାକ ସାତଦିନ ପରେ ପାଇବାରେ ଅଭ୍ୟସ୍ତ । ଡାକ ପିଅନ ମଧ୍ୟ ତହୁଁ ବଳି-। ଆଜି, ଆଉ ଆସିବ ନାହିଁ ପରା ! କାଲି ଗୋଟାଏ ଫିସାଦି ଜୋଡ଼ିବ !

 

ତେବେ ଡାକମାଷ୍ଟର ରଘୁ ପଟ୍ଟନାୟକଙ୍କ ସମୟ ଅକାରଣ ହୁଏ ନାହିଁ । ଚିଠି ଲେଖେଇ ଖର୍ଚ୍ଚାଟା ସେ ଏବେ ବଢ଼ାଇ ଦେଇଛନ୍ତି । ସବୁ ଦରଦାମ ବଢ଼ିଲା ଦେଖୁଚ ! ଆଉ ଚିଠି ଲେଖେଇ ଖର୍ଚ୍ଚ ନବଢ଼ାଇଲେ, କୋଡ଼ିଏ ଟଙ୍କା ଦରମାରେ ସେ କୃତ୍ୟ ଚଳେଇବେ କିପରି ? କାର୍ଡ଼ ଚିଠି ଦି’ଅଣା ! ଖାମ୍ ଚିଠି ତିନିଅଣା !

 

ପିଣ୍ଡାରେ ମାଇପିଟିଏ ଓଢ଼ଣାରେ ଢାଙ୍କିଢ଼ୁଙ୍କି ହୋଇ ବସିଚି ।

 

“ଆଲୋ ମନକଥା ଲେଖିବୁ ନାଁ ସଂସାର କଥା ଲେଖିବୁ ! ମନକଥା ବି ଲେଖିପାରିବି । ହେଲେ ସେଥିପାଇଁ ଖାମ୍ ଚିଠି । ଲେଖେଇ ଖର୍ଚ୍ଚ ତିନିଅଣା !”

 

ଓଢ଼ଣା ଢାଙ୍କି ବସିଥିବା ମୂର୍ତ୍ତିଟି, ମାଟିଉପରେ ନଖରେ ଗାର ଟାଣିଟାଣି ଭାବୁଚି, ହଃ ମନକଥା ! ସଂସାର କଥା ତ ବଳେଇପଡ଼ୁଛି !

 

“ଆଲୋ କହ । ହରକରା ଆସିଯିବ ଅବିକା !”

 

“ନେଖ–ଆମର ଏଠି ଜାଗୁଳେଇ ଶରଣକୁ ତମର ସେଠି କାଳୀମାତା ଶରଣ । ନାଥିଆ ବାପ ଜାଣିବ ।” –ମୂର୍ତ୍ତିଟି ଧୀର କଣ୍ଠରେ କହିଲା ।

 

ରଘୁ ପଟ୍ଟନାୟକ କହିଲେ... “ରଘୁ ମାଷ୍ଟର୍‌କୁ ସେ ସବୁ ବତେଇବାକୁ ପଡ଼ିବ ନାହିଁ । ଏମିତି ଶ ଶ ଚିଠି ଲେଖି, ଆଙ୍ଗୁଠି ବସିଗଲାଣି । ସେତେକ ଲେଖା ସରିଲାଣି । ଏଣିକି ଅସଲ କଥା କହ...”

 

“ଜୟ ମହାତ୍ମା ଗାନ୍ଧି କି ଜୟ–ଇନ୍‌କିଲାବ୍ ଜିନ୍ଦାବାଦ୍... କର–ବା–ମର !”

 

କାର୍ଡ଼ ଲେଖା ସେଇଠି ବନ୍ଦ ରହିଲା । ବହୁକଣ୍ଠରେ ବଜ୍ର ନିର୍ଦ୍ଦୋଷ ପରି କିଳିକିଳା ରଡ଼ି ଶୁଣି, ରଘୁ ପଟ୍ଟନାୟକ କଲମ ଛାତି ସାମ୍‌ନାକୁ ଚାହିଁଲେ । ଦୂରରୁ ସବୁ ଦିଶୁଛି, ଛାଇ ଛାଇ ପରି । କାହାକୁ ଚିହ୍ନିପାରୁନାହାନ୍ତି । ଏତେଗୁଡ଼ାଏ କଣ୍ଠସ୍ୱର ଭିତରେ, କାହା କଣ୍ଠସ୍ଵର ସିଏ ବା ବାରିପାରିବେ କିପରି ?

 

ମୁଁ ପିଣ୍ଡାଉପରକୁ କୁଦିପଡ଼ି ଚିତ୍କାର କଲି... “ବାହାରିଆସି ପଦାକୁ ! ବୋଲ ଭାଇ...”

 

“ମହାତ୍ମା ଗାନ୍ଧୀ କି ଜୟ !”

 

ଏ ଅଞ୍ଚଳରେ ତ ଗାନ୍ଧିଜୀବାଲା ନଥିଲେ ! କଥା କ’ଣ ? ରଘୁ ପଟ୍ଟନାୟକ ମୋଟା ଲେନ୍‌ସ ତଳୁ ମଲାମାଛ ପରି ଶେତା ଆଖିରେ ଚାହିଁ, ନିର୍ଲିପ୍ତ କଣ୍ଠରେ ଉତ୍ତରଦେଲେ... “ଇଏ ସରକାରୀ ଡାକଘର !” ଅର୍ଥାତ୍‌ ଏଠି ଏସବୁ ଚଳିବ ନାହିଁ ।

 

ପିଣ୍ଡାତଳୁ ଦେବେନ୍ଦ୍ର ଚିତ୍କାର କଲା... “ପଦାକୁ ନ ବାହାରିଲେ, ଏଇ ଆମେ ଡାକଘରେ ନିଆଁ ଲଗେଇଲୁ । ସବୁଆଡ଼େ ଥାନା, ଡାକଘର ପୋଡ଼ା ଚାଲିଛି । ତମେ ଜାଣିନାଁ ! ତମେ ବି ଯିବ ସେଇ ନିଆଁରେ !”

 

ରଘୁ ପଟ୍ଟନାୟକ ସେଇପରି ନିର୍ଲିପ୍ତ କଣ୍ଠରେ ଉତ୍ତରଦେଲେ... “ଗାନ୍ଧୀ ମହାତ୍ମା ତାଙ୍କ କାମ କରୁଛନ୍ତି । ମୁଁ ମୋ କାମ କରୁଛି । ଡାକଘର ପୋଡ଼ିଲେ, ତା’ ସାଙ୍ଗରେ ମୋତେ ବି ପୋଡ଼ିବାକୁ ପଡ଼ିବ । ଡାକଘର ଛାଡ଼ି ମୁଁ ଯିବିନାଇଁ !”

 

“ପୋଡ଼, ପୋଡ଼ ତାକୁ । ଗୋରା ସରକାରଙ୍କ ଗୋଲାମ ଏଇଟା !”

 

ରଘୁ ପଟ୍ଟନାୟକ ଶାନ୍ତ କଣ୍ଠରେ ଉତ୍ତରଦେଲେ... “ତମେମାନେ ବି ଦିନେ ଗୋଲାମ ହେବ, ଗାନ୍ଧୀ ଚେଲାମାନଙ୍କର !”

 

ଟୋକାମାନଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଗଲା । କିଏ ଜଣେ, ମହାତ୍ମା ଗାନ୍ଧୀ କି ଜୟ, ଚିତ୍କାର କରି ନିଆଁ ହୁଳାଟାଏ ଫିଙ୍ଗିଦେଲାଣି ଡାକଘର ଉପରକୁ ! ଗୋଟାଏ କଣରେ ନିଆଁ ଧରିଗଲାଣି !

 

“ଆରେ ଡାକମାଷ୍ଟର ପୋଡ଼ି ଯିବରେ ।” ...ଚିତ୍କାର । ଖବରଦାରୀ । ରଘୁ ପଟ୍ଟନାୟକ କିନ୍ତୁ ବସିଛନ୍ତି ଖୁଣ୍ଟ ପରି, ମୋଟା ଲେନ୍‌ସ୍‌ତଳୁ ମୋତିଆ ବାନ୍ଧି ଆସୁଥିବା ଆଖିରେ ସାମ୍‌ନାକୁ ଚାହିଁ-! ଗଉରା ମଳିକ ଚଉକିଆ ତାଙ୍କୁ ଚଉକିସୁଦେ ଗୋଟିପଣେ ଉଠାଇ ରଖିଦେଇ ଦାଣ୍ଡରେ-। ଡାକବାବୁ ପୋଡ଼ିଯିବେ ଆଁ ! ଦାଣ୍ଡରେ ଡାକବାବୁ ତାଙ୍କ ହାତଭଙ୍ଗା ଚଉକି ଉପରେ ବସି ରହିଲେ ଖୁଣ୍ଟି ପରି । ଚାରିପଟେ ତାଙ୍କର ଭୂତ, ଭୈରବମାନଙ୍କର ନାଚ, କିଳିକିଳା ରଡ଼ି ।

 

ଏମାନଙ୍କର ଆଜି ଭୟ ନାହିଁ । ଏମାନେ ଆଜି ନିର୍ଭୀକ । କାରମ୍ ତାସ, ଥେଟର୍ ଛଡ଼ା ଯୋଉମାନଙ୍କର ଅନ୍ୟ ପୃଥିବୀ ନଥିଲା, ସେମାନଙ୍କ ଆଗରେ ଆଜି ଫିଟିଛି ଗୋଟାଏ ନୂଆ ଦିଗନ୍ତ-। ସେଠି କର–ବା–ମରର ଆଗ୍ନେୟ ସ୍ଵାକ୍ଷର !

 

ଡାକଘରଟା ଚାହୁଁଚାହୁଁ ଜଳିଗଲା ।

 

ମହଳ ଅନ୍ଧାର ଭିତରେ ଆମେ କିଏ କୁଆଡ଼େ ମିଶିଗଲୁ ।

 

ଡାକମାଷ୍ଟର୍ ସେଇଠି ସେଦିନ ଡାକହରକରା ଅପେକ୍ଷାରେ କେତେ–ବେଳଯାଏଁ ବସି ରହିଥିବ କେଜାଣି ?

 

ଗଉରା ବାଟରେ ଚୁପ୍‍ଚୁପ୍ ମୋ କାନରେ କହିଲା... “ତମେ ଆଉ ସେ କଲବ୍ ଘରେ ରୁହନାଇଁ ବାବୁ ! ପୁଲିସ ଆସିଯିବ କାଲି କି ଅପୁରି ଦିନକୁ !”

 

ମୋର ଭୟ ନାହିଁ ଗିରଫ୍ ହେବାକୁ । କିନ୍ତୁ ପ୍ରଜ୍ଞାଭଦ୍ରଜୀଙ୍କ କଥା ମନେପଡ଼ିଗଲା... “ଜେଲ୍‌ଖାନାରେ ବସି ଖେଚେଡ଼ି ଗିଳିଲେ କ’ଣ କର–ବା–ମର ହୋଇଯିବ ? ଆଉରି ଅନେକ କାମ ବାକି ଅଛି । ଚଟ୍ କରି ମୋ ମୁଣ୍ଡକୁ ଗୋଟାଏ ବୁଦ୍ଧି ଜୁଟିଗଲା । ମୁଁ କହିଲି... “ଚାଲ ଗଉରା, ରହିବି ତୋ ଘରେ ?”

 

“ଆଁ !” ....“ଗଉରା ଅବାକ୍ ! “ମୁଁ ପରା ମଳିକ !”

 

ପ୍ରକୃତରେ କ୍ଳବ୍ ଘର ଆଉ ନିରାପଦ ନୁହେଁ !

 

ଗାଁର ପଶ୍ଚିମ ମୁଣ୍ଡରେ ମଳିକ ସାହି । ଗୋଟାଏ ବାଉଁଶବଣ ଡେଇଁଲେ ଗଉରା ମଳିକ ଘର । ଘର ପଛକୁ ଲାଗି ଚଉକିଆ ହେତା ଜମି ଅଧମାଣେ ! ଜାଗାଟା ନିଛାଟିଆ । ମଳିକ ସାହି ଭିତରେ ନୁହେଁ । ଗଉରା ମଳିକ ନୁଆଁଣିଆ ଘରଟା ଦିଶୁଛି ମେଞ୍ଚାଏ ଅନ୍ଧାର ପରି, କିଏ ଯେମିତି ଗୋଟାଏ କୁଡ଼ିଆ ଘରର ଛବି ଆଙ୍କୁଥିଲା; ମନକୁ ନପାଇବାରୁ ଲେସିଦେଇଛି । ଦାଣ୍ଡଟା ଲିପା ପୋଛା ପବନରେ ଜହ୍ନିଫୁଲର ବାସନା ! କୁକୁରଟାଏ ଭାଉ ଭାଉ ହୋଇ ଭୁକିଉଠିଲା ।

 

“ଚୁପ୍ ବେ ଭାଲୁଆ ! ବାବୁ ଆଇଚେନି ! ଜଣାପଡ଼ୁନାଇଁ ଆଁ !” ଭାଲୁଆ କ’ଣ ବୁଝିଲା, ଚୁପ୍ ହୋଇଗଲା । “ବୋଉ, ବୋଉଲୋ” ଗଉରା କଣ୍ଠରେ ବୋଉ ଡାକଟା ବେଶ୍ ମରମିଆ ଶୁଭୁଛି-। ମୋ ମନଟା ହଠାତ୍ ଉଦାସ ହୋଇଉଠିଲା । “ଆଲୋ ଡିବିରିଟା ଆଣ ! ବାବୁ କ’ଣ ବାଟଘାଟ ଜାଣିଚିନି ?”

 

ବୁଢ଼ୀଟିଏ ଅଣ୍ଟା ପିଠି ନୁଆଁଇଁ ଡିବିଟିଏ ଧରି ଦାଣ୍ଡକୁ ବାହାରିଆସିଲା । ଗଉରା କହିଲା... “ମୁଁ ନିର୍ଜଞ୍ଜାଳୀ ମଣିଷ ବାବୁ । ଘରେ ପିଲା ତିର୍‌ଲା ନାହାନ୍ତି ଦି ଦିଟା ବାହାହେଲି । କେହି ଶଳା ରହିଲେ ନାଇଁ । ଫଳଟିଏ ବି ଛାଡ଼ିଗଲେ ନାହିଁ ।” ଗଉରା କାହିଁକି ଖଜୁରି ତାଡ଼ି ଟାଣେ, ବେଳେବେଳେ ଅଲେଖ ଭଜନ ଗାଏ, ତା’ର ରହସ୍ୟ ଏବେ ବୁଝିଲ !

 

ଦାଣ୍ଡଘରେ ବୋଦାଟାଏ ସରୁ ଦାଢ଼ିଟିଏ ଳମ୍ବେଇ ଖୁଣ୍ଟରେ ବନ୍ଧାହୋଇ ନିର୍ଲିପ୍ତପରି ଠିଆହୋଇଛି । ତା’ ଆଖି, ସନ୍ଧ୍ୟା ପରେ ଅନ୍ଧାରରେ ହିଁ ଅଭ୍ୟସ୍ତ । ଆଜି ହଠାତ୍ ଡିବି ଆଲୁଅ ଆଉ ଅଚିହ୍ନା ମଣିଷ ଦେଖି ମେଁ ମେଁ ହେଲା । ଗଉରାର ସେଇ କଥା... “ଚୁପ୍ ବେ ! ବାବୁ ଆଇଚେନି !” ସତେଯେପରି ମେଁ ମେଁ ହେବାଟା ଅସମ୍ମାନର କଥା !

 

ଦାଣ୍ଡଘରକୁ ଲାଗି ଗୁମ୍ଫା ପରି ଆଉ ବଖୁରିଏ ଘର । ତା’ ଭିତରେ କେମିତି ପଶିବି, ବୁଝିପାରୁନଥିଲି । ଭାଡ଼ିଉପରେ ଗୁଡ଼ାଏ ଧାନ ଓଳିଆ । ଭାଡ଼ିତଳେ ସାରୁ ବିଞ୍ଚା ହୋଇ ଶୁଖୁଛି । ଗଉରା ସେଇ ଗୁମ୍ଫାରେ, ତଳେ ଗୋଟାଏ ହେଁସ ପକେଇଦେଇ କହିଲା, ମାଣ୍ଡି ମୁଚୁଳା ଗଉରା ମଳିକ ଘରେ ପାଇବ ନାହିଁ ବାବୁ !”

 

ପଦ ବାବୁଙ୍କ ଚେହେରାଟା ଆଖିଆଗରେ ହଠାତ୍‌ ଭାସିଉଠିଲା । ଗଉରା ଚେହେରା ତାଙ୍କରି ପରି ନିଦା ମୁଗୁନି ପଥରଖୋଳା ! ମୁଁ କହିଲି, “ଖଣ୍ଡେ ଇଟା ଆଣିଦେଲେ ମୋର ଚଳିଯିବ-।” ପଦ ବାବୁ ମୁଣ୍ଡତଳେ କାହିଁକି ଇଟା ରଖି ଶୁଅନ୍ତି, ଏବେ ତା’ର କାରଣ ବୁଝିଲି ।

 

“ଆଲୋ ବୋଉ । ବାବୁ ରାତିରେ ଆମ ଘରେ ଠା କରିବେ !”

 

ବାବୁ କିଏ, ଗଉରା ମା’ ପ୍ରଥମେ ତ ଜାଣିନଥିଲା । ସିଏ ଭାବିଥିଲା, କିଏ ପୁଲିସ ବାବୁ ଦାରୁ ତେଣ୍ଡିବା ପାଇଁ ଆସିଥିବେ ପରା ! ହେଲେ ପୁଲିସ ବାବୁ କେବେତ ଠା କରନ୍ତି ନାହିଁ ! ଶୁକୁଆପୋଡ଼ାରେ ଚଳିଯାଏ !

 

ଗଉରା ମା’ ଥରା ଥରା ଗଳାରେ କହିଲା... “ଚାଉଳ ଦିଟା ସିନା ଫୁଟେଇଦେମି । ତୁଣ ତ ନାଇଁ । କଙ୍କଡ଼ା ସାରୁ ତୁଣ କ’ଣ ବାବୁଙ୍କୁ ଦେମି ?”

 

ଗଉରା ଦୁଆର ବନ୍ଧଉପରେ ବସିପଡ଼ି, ଖଣ୍ଡେ ବିଡ଼ିରୁ ସୋଡ଼କାଏ ଧୂଆଁ ଟାଣି କହିଲା... “ବାବୁ ଏ ଦିନେ ବିଲ କଙ୍କଡ଼ା ଫାଷ୍ଟ୍ କିଲାସ୍‌ । ଚଳେଇ ଦିଅନ୍ତୁ ରାତିଟା । ସକାଳେ ମୀନ ଖୋଜିବି ବିଲରୁ ।”

 

ଖାଇବା ଅପେକ୍ଷା, ସେତେବେଳେ ମୋର ବେଶୀ ପ୍ରୟୋଜନ ଥିଲା ମାଲ୍‌ ! ମୁଁ କହିଲି... “ମାଲ୍‌ ରଖିଚୁ ଗଉରା ?” ସାରାଦିନର ଉତ୍ତେଜନା ପରେ ଭାରୀ କ୍ଲାନ୍ତ ଅବସନ୍ନ ଲାଗୁଥିଲା । ଭାବିବା ପାଇଁ ଅନେକ କଥା ଅଛି । ମାଲ୍‌ ନିହେଲେ ମୁଣ୍ଡଟା ଠିକ୍ କାମ କରିବ ନାହିଁ ! ଗାନ୍ଧୀ ମହାରାଜ, କ୍ଷମାକର ମୋତେ ।

 

କଙ୍କଡ଼ା ସାରୁ ଝୋଳ ପ୍ରକୃତରେ ଫାଷ୍ଟ କ୍ଲାସ୍‌ । ଗଉରା ମୋଠୁ ଦୂରଛଡ଼ାରେ ବସି ମୋ ଖାଇବା ଲକ୍ଷ୍ୟ କରୁଥିଲା । ମୁଁ ଝୋଳ ଚାଟିଚୁଟି କହିଲି... “ସତରେ ଫାଷ୍ଟ୍ କ୍ଲାସ୍‌ !” କେତୀଟା ଦିନେଦିନେ ଭଲ ରାନ୍ଧିଲେ ବି ଅନାଡ଼ୀ । ଦେବେନ୍ଦ୍ର ମତେ ସାବଧାନ କରିଦେଇଥିଲା, କେତୀ ଯାହା ଯେମିତି ରାନ୍ଧୁ ପଛେ ଖାଇବାବେଳେ ମୁଣ୍ଡ ହଲାଇ ହଲାଇ ଏଇଟା ଫାଷ୍ଟ୍ କ୍ଲାସ୍‌ ସେଇଟା ବି ଫାଷ୍ଟ୍ କ୍ଲାସ୍‌ ? ନିଶ୍ଚୟ କହିବା ପାଇଁ ପଡ଼ିବ । ତା’ ନହେଲେ ସେ ମୁଣ୍ଡକୋଡ଼ି ଗର୍ ଗର୍ ହୋଇ ଓପାସ ରହିବ ! ପୁଣି କେତୀ ଆଗରେ ଆଉ କାହା ରନ୍ଧାକୁ ଫାଷ୍ଟ୍ କ୍ଲାସ୍‌ କହିଲେ, କଥା ସରିଲା ।

 

ଗଉରା ମା’ ବୁଢ଼ୀ ମୋ ପାଇଁ ମୀନ ବାଛୁଚି । ପତରପୋଡ଼ା ହବ । ଦେବେନ୍ଦ୍ର କାଲି ରାତିରେ ଲୁଚିଛପି ଆସିଥିଲା, ଖବରକାଗଜ ଧରି । ଆଉ କୋଉଠି ପୋଡ଼ିବା ପାଇଁ କିଛି ନାହିଁ । ନାର୍‌ଦାରେ ଯୋଉ ଡାକବଙ୍ଗଳାଟା ଅଛି, ସେଇଟା ବର୍ତ୍ତମାନ ଟାରଗେଟ୍ ! କିନ୍ତୁ ନାରଦାରେ ସେଥିପାଇଁ କ୍ଷେତ୍ର ପ୍ରସ୍ତୁତ କରିବ କିଏ ? ଏସବୁ ଅଣ୍ଡରଗ୍ରାଉଣ୍ଡ୍ କାମ ହୁଜୁର୍ ନୁହଁ । ଏଥିପାଇଁ ପ୍ରଥମେ ପ୍ରୟୋଜନ ମାନସିକ ପ୍ରସ୍ତୁତି, କାଡ଼ର୍, ରାଜନୈତିକ ଟ୍ରେନିଙ୍ଗ୍ ! ଦେବେନ୍ଦ୍ର ଚାଲିଯିବା ପରେ, ଗଉରା ଠେକି ମୁହଁରୁ ପତର କାଢ଼ିଲି । ଡିବି ଆଲୁଅରେ ଖବରକାଗଜ କ’ଣ ପଢ଼ିହୁଏ ?

 

ସକାଳେ ଖବରକାଗଜ ପଢ଼ୁଚି । ସୁଭାଷ ବୋଷ ଆସିଲେ ନାହିଁ । ଜର୍ମାନୀ ଯୁଦ୍ଧଜାହାଜ କୋଉଠି ଅଟକିଗଲା, କେଜାଣି ?

 

ଦାଣ୍ଡରେ କିଏ ଘାଘଡ଼ା ଗଳାରେ ଡାକୁଚି... “ଗଉରା, ଆବେ ଗଉରା !”

 

କିଏ ଡାକୁଚି ନ ଦେଖି ନଜାଣି ସୁଦ୍ଧା ଅନୁମାନ କରିପାରିଲି–ଇଏ ପୁଲିସ ନହେଲେ ବେ–ପ୍ରତ୍ୟୟଟା ଏତେ ସୁଲଭ ହେବ କିପରି ? ଡାକଘର ପୋଡ଼ି ପରେ ସେମାନେ ଯେକୌଣସି ମୁହୂର୍ତ୍ତରେ ଆସିଯିବେ, ବୋଲି ମୁଁ ମନେମନେ ଆଶଙ୍କା କରୁଥିଲି !

 

ଗଉରା ବାଡ଼ିରେ କ’ଣ କାମ କରୁଥିଲା । ଦାଣ୍ଡକୁ ଆସି କହିଲା... “ହଜୁର୍ ମତେ ତଲପ୍ କରିଥିଲେ ତ ମୁଁ ଯାଇଥାନ୍ତି ଆଁ ! ହଜୁର୍ ଏ ଗରିବ ଦୁଆରେ ପାଦଦେଲେ !”

 

ହଜୁର୍ ବୋଧହୁଏ ନେଉଳପୁର ଥାନାର ସବ୍‌ଇନ୍‌ସପେକ୍ଟର୍ ! ମୁଁ ଗୋଟାଏ ଜଳା ବାଟେ ଚାହିଁ ଦେଖିଲି, ତାଙ୍କ ସାଙ୍ଗରେ ସୋଲଟୋପି ମୁଣ୍ଡରେ ପିନ୍ଧି ଠିଆହୋଇଛନ୍ତି, ଜଣେ ହାକିମ ହେବେ ପରା !

 

ବୋମାହାକିମ ସାରଦା ବାବୁଙ୍କ କଥା ମନେପଡ଼ିଗଲା । ସୋଲଟୋପି ପିନ୍ଧିଲେ ସେ ଠିକ୍ ଏମିତି ଦିଶନ୍ତି । ଦୁଇଜଣ ନାଲିପଗଡ଼ିଆ କନେଷ୍ଟବଲ୍ ! ବ୍ୟାପାର ନିଶ୍ଚୟ ସାଂଘାତିକ !

 

“ତୋ ହୁଦା, ପଗଡ଼ି କାଇଁବେ ? ମାଜିଷ୍ଟ୍ରେଟ୍ ସାହେବଙ୍କ ସାମ୍‌ନାକୁ ଆସୁଚୁ, ଖଣ୍ଡେ କବଟା ପିନ୍ଧି ?” ...ସବ୍‌ଇନ୍‌ସପେକ୍ଟର ହୁଙ୍କାର ଛାଡ଼ିଲେ !

 

ଗଉରା କହିଲା... “ଆଜ୍ଞା ପୋଡ଼ିଦେଲେ !”

 

“କିଏ ? କୋଉଠି ?” ...ମାଜିଷ୍ଟ୍ରେଟ୍ ପଚାରିଲେ ଗମ୍ଭୀର କଣ୍ଠରେ । ଇଏ ତ ଆଉରି ସାଂଘାତିକ କଥା !

 

ଗଉରା ଉତ୍ତରଦେଲା... “ମଙ୍ଗରାଜପୁର ଆଶ୍ରମରୁ ଡୁଟୀ ଦେଇ ତ ଫେରୁଥିଲି । ନଈବାଲିରେ ପଞ୍ଝାଏ ମହାତ୍ମା ଗାନ୍ଧୀ କି ଜେ କହି, ମୋ ଦେହରୁ ହୁଦା ପଗଡ଼ି କାଢ଼ିନେଇ ଜାଳିଦେଲେ ! ଅନ୍ଧାରରେ କିଏ ଜାଣିବ କେମିତି ?”

 

“ରାତାରାତି ଥାନାରେ ଖବର ଦେଲୁ ନାଇଁ ?” ...ସବ୍‌ଇନ୍‌ସପେକ୍ଟର୍ ପଚାରିଲେ !

 

ଗଉରା ନିର୍ଲିପ୍ତ କଣ୍ଠରେ ଉତ୍ତର ଦେଲା... “ପିଠିରେ ଗୌରାଙ୍ଗ ମହାପ୍ରୁ ନାଚିଥାନ୍ତେ ହଜୁର ! ସତ କହୁଚି !”

 

ସବ୍‌ଇନ୍‌ସପେକ୍ଟର୍ କହିଲେ... “ଏବେ କ’ଣ ନାଚିବାକୁ ମନା ?” ଜଣେ କନେଷ୍ଟବଲ୍ ଆଡ଼କୁ କଣେଇ ଚାହିଁବା ମାତ୍ରେ, ଗଉରାର ଲଙ୍ଗଳା ପିଠିରେ ସେ ବସାଇ ଦେଇଗଲା, ଦୁମ୍‍ଦାମ୍ ବିଧା !

 

ମାଜିଷ୍ଟ୍ରେଟ୍ ପଚାରିଲେ... “ଡାକଘର ପୋଡ଼ିଲା କିଏ ? ସାଙ୍ଗେ ସାଙ୍ଗେ ସେ ଖବର ଥାନାରେ ପହଞ୍ଚାଇଲୁ ନାହିଁ କାହିଁକି ?”

 

ଯାହାହେଲେ ବି, ଗଉରାର ପୁଲିଶିଆ ବୁଦ୍ଧି । ସେ ଉତ୍ତର ଦେଲା... “ହୁଦା, ପଗଡ଼ି ତ ନାଇଁ ! ଥାନାକୁ ଯାନ୍ତି କେମିତି ଆଁ ?”

 

ମାଜିଷ୍ଟ୍ରେଟ୍ ଦଣ୍ଡେ ନୀରବ ରହି କଟମଟ କରି ଚାହିଁଲେ । ତା’ପରେ ପଚାରିଲେ... “ସେ ମାନ୍ଦା କିଏ ? କୁଆଡ଼େ ଗଲା ?”

 

“ମାନ୍ଦା ବାବୁ ଟୋକାଙ୍କୁ ଥେଟର୍ ଶିଖୋଉଥିଲା ହଜୁର୍ । ଯାଜପୁରିଆ କି କଲିକତିଆ । ସିଏ କେବେଠୁ ପଳେଇଲାଣି !”

 

ଏମାନେ ଯଦି ଗଉରା ଘର ଖାନତଲାସ କରିବା ପାଇଁ ପଶନ୍ତି ! ମୁଁ ବାଉଁଶବଣ ଭିତରକୁ ଦଉଡ଼ି ପଳାଇବା ପାଇଁ ପ୍ରସ୍ତୁତ ହେଉଥିଲି । କିନ୍ତୁ ସେମାନେ ଖାନ୍‌ତଲାସ ପାଇଁ ଭିତରକୁ ପଶିଲେ ନାହିଁ । ମାଜିଷ୍ଟ୍ରେଟ୍ ହୁକୁମ୍ ଦେଲେ... “ହାତକଡ଼ି ପକାଅ !”

 

କନେଷ୍ଟବଲ୍ ଦୁଇଜଣ ଗଉରା ହାତରେ ହାତକଡ଼ି ପକାଇ, ତା’ ବେକରେ ଗୋଟାଏ ଧକ୍‌କା ଦେଇ କହିଲେ... “ଚାଲ୍ ଶଳା, ମାମୁଁ ଘରକୁ !”

 

ଗଉରା ନିର୍ଲିପ୍ତ । ବଙ୍କା ଦାସ ବା’ଜୀ ତାକୁ କୁଆଡ଼େ ଶିଖାଇଚି, ଶୀତ, ଖରା ସମାନ ! ବିଧା ଆଉଁସା ଏକା କଥା ! ପଦବାବୁଙ୍କ କଥା ପୁଣି ମନେପଡ଼ିଗଲା ।

 

ଗଉରା ଗିରଫ ହୋଇଯାଇଥିବା କଥା, ତା’ ମା’ ବୁଢ଼ୀକୁ କହିଲି ନାହିଁ । କହିଲେ, ବୁଢ଼ୀ ପ୍ରଥମେ ତ ବୁଝିପାରିବ ନାହିଁ । ବୁଝିଲେ, ଯୋଉ ମଢ଼ କାନ୍ଦଣା ଆରମ୍ଭ କରିଦେବ; ସେଥିରେ ସାହିରୁ ସମସ୍ତେ ଆସି ଏଠି ଜୁଟିପଡ଼ିବେ । ନୀରବ ରହିବା ଭଲ । ଏଠୁ କୁଆଡ଼େ ପଳାଇବି ଚିନ୍ତା କରୁଚି, ହଠାତ ଦେବେନ୍ଦ୍ରର ଆବିର୍ଭାବ । ପିନ୍ଧିଚି ଖଣ୍ଡେ ଲୁଙ୍ଗି । ମଝିରୁ ଭାଙ୍ଗି ଅଣ୍ଟାରେ ଖୋଷିଚି । ଅଣ୍ଟାରେ ଭିଡ଼ିଚି ଗାମୁଛା । ଦୁଇହାତରେ ଚାରିଟା ଗଞ୍ଜା ଝୁଲୁଛନ୍ତି । ବିଚରାମାନେ ଅବସ୍ଥା ବୁଝି ନୀରବ ! ମୋ ପାଇଁ ଏ ଚାରିଟା କୁକୁଡ଼ା ଏତେବେଳେ କ’ଣ ହେବ ?

 

ଦେବେନ୍ଦ୍ର ମୋ ଗୁମ୍ଫା ଭିତରକୁ ମୁଣ୍ଡ ନୁଆଇଁ ପଶିଆସି, ବିନା ଭୂମିକାରେ କହିଲା... “ତମେ ଏ ଗାଁ ଛାଡ଼ି ସାଙ୍ଗେସାଙ୍ଗେ ପଳାଅ ମାନାଦା !”

 

“କଥା କ’ଣ ? ପୁଲିସ ତମେ ଘରେ ଜୁଟିଲାଣି ନାଁ କ’ଣ ?”

 

ଦେବେନ୍ଦ୍ର କହିଲା... “ବାପା ୟୁନିୟନ୍ ପ୍ରେସିଡ଼େଣ୍ଟ୍ ଥିଲେ ତ ! ଆମ ଘର ପ୍ରତି ପୁଲିସର ତେଣୁ ଖାତିର୍ ଅଛି । ମୋତେ ମାନ୍ଦା ଓସ୍ତାତ୍ କଥା ପଚାରିଲେ । ମୁଁ ତାଙ୍କୁ ବୁଝାଇଦେଇଚି, ଥେଟର୍ ପରେପରେ ମାନ୍ଦା ଓସ୍ତାତ୍ କଲିକତା ଚାଲିଗଲେ । ଯାଜପୁରିଆ ଲୋକ ତ ! ତାଙ୍କ ଠିକଣା ଜାଣେନାଇଁ ! କିନ୍ତୁ ପୁଲିସ ଆଉ ମାଜିଷ୍ଟ୍ରେଟ୍ କାମ୍ପ୍ ପକାଇଛନ୍ତି, ଆମ କ୍ଲବ୍ ଘରେ । ଗାଁରୁ ସମସ୍ତଙ୍କୁ ଡାକି, ଜଣ ଜଣ କରି ଏନ୍‌କ୍ୱାରୀ କରିବେ । କୁକୁଡ଼ା ଖୋଜିବା ନାଁରେ ମିଳିବ ସାହିକୁ ଚାଲିଆସିଛି । ତମେ ଏ ଗାଁ ଛାଡ଼ି ପଳାଅ ମାନାଦା !”

 

ବୁଢ଼ୀ ଭାବିଚି, ରାଉରା ଯାଇଚି ନେଉଳପୁର ଥାନା । ରନ୍ଧାଘର ଚାଳିଆରେ କନ୍ଥା ଘୋଡ଼େଇ ଶୋଇଲାଣି । ଡିସେମ୍ବର ଶୀତ ରାତି । କୁହୁଡ଼ିଆ ଜହ୍ନ ଆଲୁଅରେ ସବୁ ଅସ୍ପଷ୍ଟ, ଛପିଛପିକା । ଝୁଲାମୁଣିଟା କାନ୍ଧରେ ପକାଇ, ମୁଁ ବିଲେ ବିଲେ, ଗାଁ କଟେଇ, ବିରୂପା ବନ୍ଧଆଡ଼େ ଚାଲିଲି ।

 

ଗଉରା ବୋଦାଟା କେବଳ ମେଁ ମେଁ ହେଉଥିଲା । ଦିନସାରା ସେ ମେଁ ମେଁ ହେଉଛି, ଖୁଣ୍ଟରୁ ନ ଫିଟି ।

 

ମୁଁ କ୍ଳାନ୍ତ । ମୁଁ ବିଭ୍ରାନ୍ତ । ମୁଁ ଅବସନ୍ନ । ସୁଭାଷ ବୋଷ ଆସିଲେ ନାହିଁ ! ଖବରକାଗଜରୁ ଯାହା ଲକ୍ଷ୍ୟ କରୁଚି, ଆଉ ଆସିବେ ବି ନାହିଁ । ଜର୍ମାନୀ ଯୁଦ୍ଧ ଜାହାଜ ବି ଭାରତ ଉପକୂଳରେ ଲାଗିଲା ନାହିଁ ଲାଗିବାର ସମ୍ଭାବନା ନାହିଁ । ବ୍ରିଟିଶ ମିତ୍ରପକ୍ଷଙ୍କର ଜିତାପଟ ଆରମ୍ଭ ହୋଇଛି । କର–ବା–ମର ଧିମେଇଗଲାଣି । ଖବରକାଗଜରେ ପଢ଼ୁଚି ମରିବା ପରିବର୍ତ୍ତେ ଆରମ୍ଭ ହୋଇଗଲାଣି ସମ୍‌ଯୋତା ପାଇଁ ମସୁଧା ! ଦୂତ୍‌ ଏସବୁ ଜିଲପୀପେଞ୍ଚ ! ମୋ ମୁଣ୍ଡ ଏଥିରେ ଗଳେ ନାହିଁ । ମୁଁ ବୁଝେ ରାଜନୀତି । କିନ୍ତୁ ପେଞ୍ଚ ନୁହେଁ ।

 

କେତେଦିନ ବୁଲିବୁ, ନିକଟ ଦୂର ସମ୍ପର୍କିତ ବନ୍ଧୁବାନ୍ଧବଙ୍କ ଘରେ ଘରେ, ଏ ଗାଁରୁ ସେ ଗାଁ...ଯାଯାବର ପରି ? ସମସ୍ତଙ୍କର ମୋ ପ୍ରତି ଗୋଟାଏ ସନ୍ଦେହ, ଗୋଟାଏ ପ୍ରଚ୍ଛନ୍ନ ବିଦ୍ୱେଷ ବି ବାପ ମୁଠାମୁଠା ଟଙ୍କା ଖର୍ଚ୍ଚ କରି ପଢ଼ାଇଲା, ପିଲାଟା ବାସ୍ତୁରା ହୋଇଗଲା ! ....“କିରେ ମନୁ, ପାଠ ଛାଡ଼ି ଦେଲକିରେ ?” –ଏ ପ୍ରଶ୍ନର କୌଣସି ଉତ୍ତର ଦିଏ ନାହିଁ । ନିଖୋଜ ହୋଇ, ପହଞ୍ଚେ ଆଉ କୋଉ ଗାଁରେ !

 

ନାଃ–ଏମିତି ଆଉ ଚଳିବ ନାଇଁ ।

 

ହଠାତ ଦିନେ ପହଞ୍ଚିଲି ଗାଁରେ ।

 

ଗାଁର ଚେହେରା ଠିକ୍ ସେମିତି । ଚଇତାଳି ବି ସେମିତି ପିଟୁଛି । ବାପା କ’ଣ ପେଟୀ ଛାଡ଼ି ଦେଲେଣିକି ? ଦାଣ୍ଡ ବେଞ୍ଚ୍ ଉପରେ ସୁଖାସନରେ ବସି, ଖବରକାଗଜ ପଢ଼ୁଛନ୍ତି ! ଇଏ ତ ତାଙ୍କର କାମ ତଦାରଖି ବେଳ !

 

ମୁଁ ପାହାଚ ଉପରେ ଉଠିବାବେଳେ, ହଠାତ ମତେ ଦେଖି ଚିହ୍ନିପାରିଲେ ନାହିଁ ପରା ! ଝୁଲାମୁଣି ଦାଢ଼ି ଚେହେରାରେ ମତେ କେବେ ଦେଖିନାହାନ୍ତି ତ ! ଚଷମା ନାକଉପରକୁ ଟେକି ଗାରଡ଼େଇ ଚାହିଁଲେ ! ତାପରେ, ମତେ ଚିହ୍ନିପାରି ପାଟିକଲେ...

 

“ହେଇଟି ଶୁଣୁଚ ! ହେଇଟି...”

 

ବୋଉ କୋଉଠି ପାଖରେ ଥିଲା ପରା–“କ’ଣ ବା ?” ବୋଉ କଣ୍ଠରେ କୌତୂହଳ ନାହିଁ, ଆଗ୍ରହ ନାହିଁ, ଉତ୍କଣ୍ଠା ନାହିଁ !

 

“ତମ ଗୁଣମଣି ଆସିଲେଣି ।” –ବାପା ତାଙ୍କ ଖବରକାଗଜ ଉଢ଼ାଳରେ ପୁଣି ମୁହଁ ଲୁଚାଇଲେ ।

 

ବୋଉ ପାହାଚ ଉପରକୁ ଦଉଡ଼ିଆସି ମତେ କୁଣ୍ଢାଇ ପକାଇ ଚିତ୍କାର କରିଉଠିଲା... “ଆରେ ମନୁଆଁ !” କୋହରେ ଆଉ କିଛି କହିପାରିଲା ନାହିଁ ।

 

ମାନ୍ଦାବାବୁ ଡାକ, ଏତେଦିନ ଶୁଣି ଶୁଣି କାନିଟା ଚିକିଟା ହୋଇଯାଇଥିଲା ! ମନୁଆଁ ଡାକ ଶୁଣିବା ପାଇଁ ମୋର ଅବଚେତନରେ ଥିଲା ଯେପରି ଏକ କ୍ଷୁଧା ! ନିଛାଟିଆ ଦି’ପହରେ କାପ୍ତାର ଘୁମୁରା ଶୁଣିଲେ, ମୋତେ ଲାଗେ, ବୋଉ ଡାକୁଚି ! କାପ୍ତାର ଘୁମୁରା ଏତେ କରୁଣ କାହିଁକି ? କାହିଁକି ଗୋଟିଏ ବିଷାଦଦୟୀ ପ୍ରତିମାର ଛବି, ଭାସିଉଠେ ଆଖିଆଗରେ ?

 

ବୋଉ ହଠାତ୍‌ ଭୋ–ଭୋ କାନ୍ଦିପକାଇଲା । ମୁଁ ତାକୁ ଟାଣି ଘର ଭିତରକୁ ନେଇଗଲି । ଏଥିରେ କାନ୍ଦିବାର କ’ଣ ଅଛି ?

 

“ଆରେ ମନୁଆରେ ତୁ ଜିଅଲ ଖଟିଲୁରେ ?” ବୋଉର କାନ୍ଦଣାର ଅର୍ଥ ଏବେ ବୁଝିଲି । ଜେଲ୍‌ରେ ମୁଁ ସଜା ଖଟିଲି; ଏ ଦୁଃଖ ସେ ସମ୍ଭାଳି ପାରୁନାହିଁ ।

 

ତାକୁ ପ୍ରବୋଧ ଦେବାପାଇଁ କହିଲି... “ମୁଁ ଜେଲ୍‌ରେ ସଜା ଖଟିଲି; ଏ କଥା ତତେ କହିଲା କିଏ ? ଜେଲ୍‌ ଖିଚଡ଼ି ମୁଁ ଖାଇନାହିଁ !”

 

ବାପା ଦାଣ୍ଡରେ କାନପତେଇ ସବୁ ଶୁଣୁଥିଲେ । ଦାଣ୍ଡଘର ଭିତରକୁ ଉଠିଆସି କହିଲେ... “ଶାରଦା ବାବୁ ଚିଠି ଲେଖିଥିଲେ, ତତେ ପୁଲିସ ବାନ୍ଧିନେଲା । ତୋ ଜିନିଷପତ୍ର ମେସ୍‌ରୁ ନେଇଆସିଲି । ଶାରଦା ବାବୁ ହାକିମ ହେଲେଣି । ତାଙ୍କୁ କୋଉ କଥା ଅଜଣା ?”–

 

ମୁଁ ଉତ୍ତରଦେଲି ନାହିଁ । କିନ୍ତୁ ଶାରଦା ବାବୁ ବୋମା ହାକିମ, ମନେପଡ଼ିବା ମାତ୍ରେ, ଗୋଟାଏ ହସର କୋହ ଚାପିପାରିଲି ନାହିଁ । ଶାରଦା ବାବୁ ଯେ ଖୁବ୍‍ଶୀଘ୍ର ଗୋଟାଏ ହାକିମ ହେଉଛନ୍ତି, ସେଇପରି ଆଶଙ୍କା କରୁଥିଲି ମୁଁ !

 

ବାପା ଗୋଟାଏ ଦୀର୍ଘଶ୍ୱାସ ପକାଇ କହିଲେ... “ସବ୍‌ଦୋପଟୀ ହେଲେଣି । ତୁ ହେଇନଥାନ୍ତୁ ! ମୁଠା ମୁଠା ଟଙ୍କା ଖର୍ଚ୍ଚ କଲି, ପଢ଼ି ହାକିମ ହେବୁ ବୋଲି !”

 

ବୋଉ ବାଘୁଣୀ ପରି ଗର୍ଜନ କଲା... “ନିଆଁ ପାଉଁଶ ପଡ଼ୁ ତମ ପାଠ ମୁହଁରେ । ମୋର ଯେତେ ପଇସା ହେଲାଣି, ସେଥିରେ ତ ଖାଇବାକୁ ମଣିଷ ନାହାନ୍ତି । ପୁଅ ମୋର ଜିଅଲରୁ ଫେରିଆସିଲା, ସେତିକି ଢେର !”

 

ମୁଁ ଯେ ଆଦୌ ଜେଲ୍‌ କାଟି ନାହିଁ, ଏକଥା ବୁଝାଇ ଲାଭ ନାହିଁ । ବରଂ ସମସ୍ତେ ସେଇ ଧାରଣାରେ ଥାନ୍ତୁ, ମୁ ଜେଲ୍‌ରେ ସଜା ଖଟି ଫେରିଛି । ତା’ହେଲେ ଅନ୍ତତଃ ପ୍ରୀତିପୁର ଡାକଘର ପୋଡ଼ି ମାମଲାରେ ମୋତେ ଜୋଡ଼ିବେ ନାହିଁ ।

 

ଭାଗବତ ଘର ପିଣ୍ଡାରେ, ଜେଜେ ଯୋଉଠି, ଯେମିତି କାନ୍ଥକୁ ଆଉଜି ବସିପଡ଼ନ୍ତି, ମୁଁ ସେମିତି ବସିପଡ଼ିଲି । ଓଭରସିଅର୍ ବାବୁଙ୍କ ପାଇଁ ଯୋଉ କାନ୍‌ଭାସ୍‌ ଚଉକିଟା ଥିଲା, କୁଆଡ଼େ ଗଲା କେଜାଣି ? ଆରେ, ଦୁଆରେ ସେ ସଜନା ଗଛଟା କାହିଁ ? ଖାଲି, ଖାଲି, ଅପନ୍ତରା ଲାଗୁଛି । ହଳଦୀବସନ୍ତ ବା ଲାଞ୍ଜ ନଚାଇ ବସନ୍ତା କୋଉଠି ? କାଉଟାଏ ହାଣ୍ଡିଶାଳ ଚାଳଉପରେ ବସି ରାଉ ରାଉ ହଉଚି । ବୋଉ କହିଲା, “ଏଇଟା ଶୁଭକାଉ । ସକାଳୁ ସେମିତି ହଉଚି ।” ବୋଉ ମୁଠାଏ ଚାଉଳ ଆଣି ଦୁଆରେ ରଖିଦେଲା । କିଛି ସମୟ ପରେ, କାଉଟା ରୋଷେଇ ଘର ଚାଳ ଉପରୁ କା–କା–ହୋଇ ଉଡ଼ିଆସି, ଏଣିକି ତେଣିକି ସତର୍କ ଦୃଷ୍ଟିରେ ଚାହିଁ, ଦୁଇ ଖୁମ୍ପା ମାରିନେଇ, ପୁଣି ଉଡ଼ିଗଲା ତା’ର ପୂର୍ବ ସ୍ଥାନକୁ । ତାପରେ ଆସିଲେ ଆଉଦୁଇଟା କାଉ । ତାଙ୍କ ସଙ୍ଗରେ ବି ଯୋଗଦେଲା, ବୋଉର ଶୁଭ କାଉ । ଆଉ କାହାର ନହେଉ ପଛେ, ମୁଁ ଏତେଦିନକେ ଫେରିଛି ବୋଲି, କାଉମାନଙ୍କର ଆଜି ଭୋଜୀଭାତ ! କିନ୍ତୁ ସଜନାଗଛଟା ଗଲା କୁଆଡ଼େ ? ହଳଦୀବସନ୍ତ କାହିଁ ?

 

ବୋଉ କହିଲା... “କାର୍ତ୍ତିକ ଲଗାଣ ଝଡ଼ିରେ ଓପାଡ଼ିଦେଲାରେ ! ଆରେ ମନୁଆଁ ତୁ ଦାଢ଼ୀ ଛାଡ଼ିଚୁ କାହିଁକି ? କୋଉ ଦୁଃଖରେ ? ଗାଲ ଚିପିଲେ ଦୁଧ ବାହାରିବ ! ତୁ ଗୋଟାଏ ଦାଢ଼ୀ ଛାଡ଼ିଚୁ ?”

 

ମୁଁ ନୀରବ ରହିଲି । ଇତିମଧ୍ୟରେ ମୋର ନିଃସଙ୍ଗ ଜୀବନରେ, ସବୁ ଶୁଣି, କିଛି ନଶୁଣିବାର ଅଭ୍ୟାସ ଆୟତ୍ତ କରିସାରିଥିଲି । ତା’ନହେଲେ ବୋଉକୁ ସିଧା ଉତ୍ତର ଦେଇଥାନ୍ତି... “ତୁଟା ହୁଣ୍ଡୀଟା ଲୋ ବୋଉ । ମୋ ଗାଲ ଚିପିଲେ ଅବିକା ବାହାରିବ ଖଜୁରି ତାଡ଼ି ।” ଆଃ କାହିଁ ମୋର ହଳଦିବସନ୍ତ ? କାହିଁ ମୋର ନିଷ୍ପାପ ଶୈଶବ ?

 

ବଉ ମୋ ହାତ ଝିଙ୍କି କହିଲା “ଯା ଉଠ ! ଗାଧେଇପଡ଼ । ଯୋଉ ତ ଚେହେରା କରିଚୁ-!”

 

“ନାଁ–ତା’ ଆଗରୁ କପେ ଚା’ ।”

 

ବୋଉ ଉଠିଯାଉଥିଲା ଚା’ ତିଆରି ପାଇଁ, ମୁଁ ତାକୁ କହିଲି... “ମୋର ନାଲି ଚା’ ବୋଉ-! ସେଥିରେ ଧାପେ ଲୁଣ ପକାଇଦବୁ !” ଗଉରା ମଳିକ ଘରେ, ଦୁଇ ତିନିଦିନ ରହି ନାଲି ଚା’ ପ୍ରତି ମୋର ଗୋଟାଏ ଟେଷ୍ଟ୍ ଆସି ଯାଇଥିଲା ।

 

“ମଲା ! ଘରେ ଚେନୀ ଭାସୁଚି । କଣ୍ଟରୋଳ ଚେନୀ । ପୁଅ ଚା’ ପିଇବ ଲୁଣ ପକେଇ-! କାହିଁକି ମ ?”

 

ବାପା ଘାଉଲା ବାଘ ପରି ଦାନ୍ତ କଡ଼ମଡ଼ କରି ଦାଣ୍ଡ ପିଣ୍ଡାରୁ ଭିତର ଖଞ୍ଜାକୁ ଉଠିଆସି, ପ୍ରାୟ ବାଷ୍ପରୁଦ୍ଧ କଣ୍ଠସ୍ୱର କହିଲେ... “ତେମେ ମାଇପି ଜାତି ଗୋଟିଏ ଗୋଟିଏ ବିପଦ ! ଆମ ଘରେ ଚିନି ଭାସୁଚି, ଏଇଟା ଏଡ଼େପାଟିରେ ନକହିଲେ ଚଳନ୍ତା ନାହିଁ ? ତମ ମତଲପ୍ କ’ଣ ପୁଲିସ ହାତରେ ମତେ ବନ୍ଧେଇବା ପାଇଁ ?”

 

ବୋଉ ତା’ର ଭୁଲ୍ ବୁଝିପାରି ହାଣ୍ଡିଶାଳକୁ ଚାଲିଗଲା । ବୁଝିଲି, ଚିନିରେ ବ୍ଳାକ୍ ଧନ୍ଦା ଆରମ୍ଭ ହୋଇଯାଇଛି ! ବୋଉ କିନ୍ତୁ ଚା’ରେ କ୍ଷୀର ଚିନି ଦେଇ ମୁଠୁଣିଏ ଉଞ୍ଚ ଗୋଟାଏ ମୋଟା କାଚ ଗିଲାସରେ ଆଣି ରଖି ଦେଇଗଲା । ଇଏ ଏକାଥରେ ଇସ୍‌ପେସାଲ୍ । ଚାଲୁ ନୁହେଁ । ଧୀରେ ଧୀରେ ଚା’ ପିଇଲି ଆରାମରେ । ମୋତେ ହଠାତ, ଅନେକ ଦିନ ପରେ ଭଲ ଲାଗୁଥିଲା, ଏଇ ମାଟି, ଏଇ ପରିବେଶ ! ମୋର ଚେରମୂଳ ଏଇ ମାଟିରେ ! ମୁଁ ଅନୁଭବ କରିପାରୁଥିଲି, ତା’ର ନିବିଡ଼ ଆକର୍ଷଣ !

 

ବୋଉ ରସଭଙ୍ଗ କରି, ମୋ ବାହାଟାକୁ ଟାଣି କହିଲା... “ଆଉ ପୁଣି ବସିଲୁ କାହିଁକି ବା-! ଯା ଗାଧୋଇପଡ଼ି ଆ । ଅବେଳରେ ଗାଧୋଇଲେ, ପାଣି ଧରିବ !” ବୋଉ ଚାହେଁ, ମୋତେ ଯେମିତି ଗୋଟା ସୁଦ୍ଧା ଗିଳିଦେବା ପାଇଁ, ଯୋଉ ପେଟରୁ ଜନ୍ମ ଦେଇଥିଲା, ସେଇ ପେଟରେ ନେଇ ରଖିବା ପାଇଁ । ମତେ ହଠାତ୍ ଏଇ ଜାଗାରେ କାନ୍ଥକୁ ଆଉଜି, ଗୋଡ଼ ଦୁଇଟା ଲମ୍ବାଇ ବସିବା ପାଇଁ ଭଲ ଲାଗୁଛି । ମୁଁ ଆଉ ଦଣ୍ଡେ ବସିବି । ମୋର ଚେର ସାଙ୍ଗରେ ଯୋଗସୂତ୍ରର ନିବିଡ଼ତା ଖୋଜିବି । ମତେ ସେଥିରେ ବାଧାଦେନା । ବିରକ୍ତ କରନା ! କିନ୍ତୁ ବୋଉ ଏସବୁ କଥା ବୁଝିବ ନାଇଁ । ଯୁକ୍ତି କରି ଲାଭ ନାଇଁ । ଝୁଲାମୁଣିରୁ ଗାମୁଛାଟାଏ କାଢ଼ି କାନ୍ଧରେ ପକାଇ, ଝୁଲାମୁଣିଟା ଝୁଲାଇ, କାନ୍ତମାମୁଁଙ୍କ ସେଇ ସୁଇମିଙ୍ଗ୍–ପୁଲ୍, ଆମ ବାଡ଼ିପୋଖରୀକୁ ଚାଲିଲି-! ଠାଏ ଠାଏ ବିଲାତୀ ଦଳ ମାଡ଼ିଗଲାଣି । ନେଳୀ କଇଁ କେଇଟା ଫୁଟିଛି । ଏ ନେଳୀ କଇଁ ସହିତ ଅଛି ମୋର ଅପାପବିଦ୍ଧ ଶୈଶବର ସମ୍ପର୍କ । ସେଇ ଶୈଶବ, ହଠାତ ହାତଠାରି ଡାକୁଥିଲା ମୋତେ-। କଇଁଫୁଲ ତୋଳିବା ପାଇଁ ଲମ୍ଫଦେଲି ପୋଖରୀ ଭିତରକୁ । ଆଜି କିଏ ଆଗେ କଇଁ ଛୁଇଁବାର ପ୍ରତିଯୋଗିତା ନାହିଁ । ମୁଁ ଧୀରେ ସୁସ୍ଥେ ପହଁରି ଗୋଟାଏ ନୀଳକଇଁ ଛିଣ୍ଡାଇବାକୁ ଯାଉଛି, ହାତଟା ଅଟକିଗଲା । ଆଜି ମୁଁ କ୍ଲେଦାନ୍ତ । ବୋଧହୁଏ ଜୀବନର ଆରମ୍ଭ ଶୁଚିସ୍ନିଗ୍‌ଧ, ସୁନ୍ଦର । ତା’ପରେ ମୃତ୍ୟୁ, ଜୀବନର ସମାପ୍ତିଟା ମଧ୍ୟ ସେଇପରି ଶୁଚିସ୍ନାତ । କିନ୍ତୁ ଦୁଇଟାର ବ୍ୟବଧାନଟାରେ ଇ ଯେତିକି ପଙ୍କ, ଯେତିକି କନ୍ଦର୍ମ ! ଇଏ ଜୀବନ ! ଥାଉ ଏ ନେଳୀକଇଁଟା । କଳାଘୁମୁର ପାଣି ଭିତରେ ଅଳ୍ପ ଅଳ୍ପ ଦୋଳୁଥାଉ । ତାକୁ ଦେଖିଲେ, ବିଶ୍ଵାସ ଆସିବ–ହଁ ଜୀବନଟା ଖାଲି ପଙ୍କ ନୁହେଁ-। ଜୀବନଟା ମଧ୍ୟ ପଙ୍କଜ ! ତାପରେ ପାଗଳ ପରି ହାତ ଗୋଡ଼ କଚାଡ଼ି ଗୁଡ଼ାଏ ପହଁରିଲି-। ଚିତି ପହଁରା କାଟି, ସୂର୍ଯ୍ୟଙ୍କୁ କୁଳୁକୁଞ୍ଚା ଛାଟିଲି । ସପ୍ତରଙ୍ଗୀ ଇନ୍ଦ୍ରଧନୁ ସବୁ ଭାସିଉଠି ମିଳାଇଗଲା-। ଅନେକ କ୍ଷଣ ପହଁରିବା ପରେ, ପାଣି ଜୁଡ଼ବୁଡ଼ ହୋଇ, ପୋଖରୀକୂଳରେ ସେଇ ତେନ୍ତୁଳୀ ଗଛକୁ ଆଉଜି ଦଣ୍ଡେ ବସିଲି । କାନ୍ତମାମୁଁ ଏଇ ଷ୍ଟାଇଲ୍‌ରେ ବସୁଥିଲେ । ତେନ୍ତୁଳୀ ଡାଳ ସନ୍ଧିରେ କୋଉଠି କାପ୍ତାଟାଏ ଆଜି ବି ଘୁମୁରୁଛି । ମୋ ଝୁଲାରେ ବନ୍ଧୁକ ନାହିଁ-। ଥିଲେ ବି ମରନ୍ତି ନାହିଁ । ଅନେକବେଳୁ ସିଗାରେଟ ଟାଣି ନାହିଁ । ଲୋଚାକୋଚା ପାକେଟ୍‌ରୁ ଖଣ୍ଡେ ସିଗାରେଟ କାଢ଼ି ନିଆଁ ଲଗାଇଲି ।

 

ଆଖିଆଗରେ କାନ୍ତମାମୁଁଙ୍କ ଚେହେରାଟା ଭାସିଉଠିଲା । ଅନେକ ଦିନୁ ତାଙ୍କ ସାଙ୍ଗରେ ଛଡ଼ାଛଡ଼ି । କାନ୍ତମାମୁଁଙ୍କର ସେଦିନ ଏଇ ତେନ୍ତୁଳୀ ମୂଳେ, ସେଇ ଭୟଙ୍କର କାଳିଶୀ–ଚେହେରା ! ହାଡ଼ୁଆ କପାଳ ଉପରେ ଲମ୍ବା ଭିଜା ବାଳ ସାପ ପରି ଝୁଲୁଚି ! ଆଖିଦୁଇଟା ମନ୍ଦାରଫୁଲିଆ । କାପ୍ତାଟାର ବେକ ମୋଡ଼ି ଛୁରିରେ କାଟିବା ବେଳେ କହୁଛନ୍ତି, ରକ୍ତ ଦେବା, ନୋହିଲେ ନେବା ହେଉଛି ଜୀବନ ! କି ନିଷ୍ଠୁର, ଭୟଙ୍କର ସତ୍ୟ । ଅଥଚ ଏଇ କ’ଣ ଜୀବନର ପରିଚୟ ? ଜୀବନ ମଧ୍ୟ କ’ଣ ନୁହେଁ, ଗଉରା ମଳିକର ଉଦାସ ଭଜନ ? ତା’ର ନିର୍ଲିପ୍ତ ପ୍ରଶାନ୍ତ ? ବିଚାରା ଅବିକା ଘଣା ପେଲୁଥିବ, କି କତା ପିଟୁଥିବ ! ମୁଁ ଭୀରୁ । ଜୀବନ ଯୁଦ୍ଧରୁ ମୁଁ ପଳାତକ ! କିନ୍ତୁ କୋଉ ଇତିହାସ ଲିପିବଦ୍ଧ କରିବ, ସେମାନଙ୍କ ନିଃଶଙ୍କ, ନିଃସଙ୍ଗ ସଂଗ୍ରାମ ?

 

କେତେ ସମୟ ସେମିତି ବସିଥାନ୍ତି ଜାଣେନାଁ–ବୋଉର ଚିତ୍କାର ଶୁଭିଲା... “ମନୁଆଁ ମନୁଆଁରେ–” । ବୋଉର ସବୁଦିନେ ଆଶଙ୍କା ? ମୁଁ ପୋଖରୀରେ ବୁଡ଼ିଗଲିଣି ! ବୋଉ ପଲାଣି ଆସିବା ଦେଖି, ସିଗ୍ରେଟ୍‌ଟା ନିଭେଇଦେଲି । ସେ ହୁଣ୍ଡୀ ଧୂଆଁ ବାରି ବୁଝିପାରିଲା ନାହିଁ, ମୁଁ ସିଗାରେଟ ଟାଣୁଥିଲି । ଧୂଆଁ ଟାଣିଲେ, କଲିଜା ପୋଡ଼ିଯିବ ବୋଲି, ସେ ଅବିକା ବାହୁନା ଆରମ୍ଭ କରିଦେଇଥାନ୍ତା !

 

“କିରେ ତୋ ପାଇଁ ପଖାଳ ବାଢ଼ି ଅନେଇଚି ! ତୁ ଏଠି ଓଦାଲୁଗା ପିନ୍ଧି ଗଛକୁ ଆଉଜି କ’ଣ ବସିଚୁ କିରେ ?” ଆରମ୍ଭ ହୋଇଗଲା ବୋଉର ଜେରା । ଉତ୍ତର ଦେବା ବୃଥା ! ବୋଉ, ତୁ କ’ଣ ବୁଝିବୁ ମନର ଡେଲିକେଟ୍ କଥା ସବୁ ? ହଉ ଚାଲ୍ । ଝୁଲାମୁଣିଟା କାନ୍ଧରେ ଝୁଲାଇ ନୀରବରେ ଆଗେଆଗେ ଚାଲିଲି ।

 

ବୋଉ ପ୍ରକୃତରେ ଗୋଟାଏ ଆର୍ଟିଷ୍ଟ ! ଏଇ ଦେଖୁନା, ଚକ୍ ଚକ୍ ଘଷାମଜା କଂସାରେ ଦହି ପଖାଳ, ସେଥିରେ ନେଳିଆ ଲଙ୍କାମରିଚ ଆଉ ଆମ୍ୱକଷି ଦୁଇଟା ଭାସୁଛି । କଂସା ଚାରିପଟେ ଥାଳିଆମାନଙ୍କରେ, କୋଉଟାରେ ସବ୍‌ଜା ଶାଗଉପରେ ନାଲି ଲଙ୍କାମରିଚ, କୋଉଟାରେ ଫିକା ହଳଦିଆ ମଞ୍ଜି ବଡ଼ିଭଜା, ଫୁଲବଡ଼ି ଭଜା, ଆରଟାରେ ପତରପୋଡ଼ା ମାଛ...ରୀତିମତ୍ ଟେକ୍‌ନିକଲର୍ !

 

ମୁଁ ଲୁଙ୍ଗିଟାଏ ବେଢ଼େଇହୋଇ, ପିଢ଼ାଉପରେ କୋଉ ଯୁଗର ବୁଭୁକ୍ଷୁ ପରି ବସିପଡ଼ିଲି ।

 

ବୋଉର ବକର୍ ବକର୍ ହେବାରେ ବିରାମ ନାହିଁ “ତୋରି ପାଇଁ କୁଅରୁ ଗରା ଗରା ପାଣି ଢାଳି, ଏ ଶାଗ ପଟାଳି ବଢ଼ାଇଥିଲିରେ ମନୁଆ ! ବାପା ସେଦିନ କହୁଥିଲେ, ସପଲାଇ ବାବୁଙ୍କ ଘରକୁ ଶାଗ ପଠାଇବା ପାଇଁ । ମୁଁ କହିଲି, ହାଟରୁ କିଣି ପଠେଇଦିଅ ! ମୁଁ ଜାଣେ ତୁ ଫେରିବୁ !”

 

“ଓଭରସିଅର ବାବୁ ଆଉ ଆସୁନାହାନ୍ତି କି ?” ...ମୁଁ ପଚାରିଲି ।

 

ବୋଉ ଉତ୍ତର ଦେଲା... “ଦିନେଦିନେ ଏଣିକି ଆସୁଛନ୍ତି ସପ୍‌ଲାଇ ବାବୁ !”

 

ସପ୍‌ଲାଇ ବାବୁଙ୍କ ନାଁ ଶୁଣିଲ, ବାପା ବୋଉଆଡ଼କୁ ଗାରଡ଼େଇ ଗାରଡ଼େଇ ଅନାଉଚନ୍ତି-। ଖାଇସାରି ମୁଁ ଭାଗବତ ଘରକୁ ଉଠିଲି । ସେଇଠି ଶୋଇବି ।

 

ବୋଉ କହିଲା... “ଭାଗବତ ଘରେ ଚେନି କିରାସିନି । ତୁ ଯା, ଦାଣ୍ଡଘର ଖଟଉପରେ ଶୋଇବୁ ।” ଆମ ଦାଣ୍ଡଘରେ ମଧ୍ୟ ଗୋଟାଏ ସନାତନ ଯୁଗର ଖଟ । ମୁଁ କହିଲି... “ଭାଗବତ ଘରଟା ଆଟୁ । ଭଲ ଥଣ୍ଡା ହବ ।” ଭାଗବତ ଘର ଦରଆଉଜା କବାଟ ଠେଲି ମୁଁ ଭିତରକୁ ପଶିଗଲି ।

 

ଚିନି ବସ୍ତା ଆଉ କିରାସିନି ଟିଣ ଭିତରେ ଭାଗବତ ଗୋସେଇଁଙ୍କର ପ୍ରକୃତରେ ଅବସ୍ଥା ରୁଦ୍ଧଶ୍ଵାସ ! କଳା ବିଲେଇଟାଏ ମୂଷା ସନ୍ଧାନରେ ଗୋଟାଏ ଚିନି ବସ୍ତା ଉପରେ ଓର ପାତି ବସିଚି । ତା’ର ଆଖିଦୁଇଟା ଦୁଇମୁଣ୍ଡା ରଡ଼ ନିଆଁ ପରି ଦପ ଦପ ହେଉଚି । ମୋତେ ଦେଖି, ମିଆଉଁ ମିଆଉଁ ହୋଇ ଲାଞ୍ଜ ଟେକି, ଆଉ ଗୋଟାଏ ବସ୍ତାଉପରକୁ କୁଦା ମାରିଲା । ମୁଁ ଖଣ୍ଡେ ସଉପ ପକାଇ ତଳେ ଦୁଇଗୋଡ଼ ଫରକଟା କରି, ଚିତ୍ ହୋଇ ଶୋଇପଡ଼ିଲି । ଆରେ, ପାଦ ତଳକୁ ରହିଚି ମୋର ସେଇ ଟିଣ ଟ୍ରଙ୍କଟା...ତା’ ଧାରରେ ମୋ ନାଁ ଲେଖାହୋଇଚି ଏମ୍. ଏନ୍. ଦାସ । ଇତିହାସରେ ମୋର ଅଭିଲେଖ । ବାପା ଏ ଟ୍ରଙ୍କଟା ଉଠାଇ ଆଣିଚନ୍ତି ଜୟମଙ୍ଗଳା ମେସ୍‌ରୁ । ତା’ ପାଖରେ ଯୋଉ ବେତ ପେଡ଼ିଟା ? ସେଇଟା ମଧ୍ୟ ମୋର । ପରେ ସେସବୁ ଖୋଜିବି । ଖଣ୍ଡେ ସିଗାରେଟ ଟାଣୁଟାଣୁ ଆଖିଦୁଇଟା ମୁଦି ହୋଇଆସୁଚି । ବାପା ୟା ଭିତରେ ମୋଆଡ଼େ ଥରେ ଦୁଇଥର ଗାରଡ଼େଇ ଗାରଡ଼େଇ ଚାହିଁ ଗଲେଣି । ପ୍ରକୃତରେ ସେ ନିରୀହ ଲୋକ । ତାଙ୍କ ବିଚାର ଅନୁସାରେ ମତେ ମଣିଷ କରିବା ପାଇଁ ଚେଷ୍ଟା କରୁଚନ୍ତି । କିନ୍ତୁ ତାଙ୍କୁ ଅଯଥା ବିରକ୍ତ କରିବାପାଇଁ, ମତେ କାହିଁକି ଭଲଲାଗେ କେଜାଣି ?

 

ଦିନେ ରାତିରେ ସପ୍ଳାଇ ବାବୁ ଆସିଲେ । ସକାଳୁ ସକାଳୁ ବ୍ୟବସ୍ଥା ଦେଖି ମୁଁ ଅନୁମାନ କରିପାରୁଥିଲି । ସକାଳେ ଦୁଇଟା ଗଞ୍ଜା କୁକୁଡ଼ା ହାତରେ ଲଟକାଇ ଜଇଆ ବାଡ଼ିପଟେ ଗୋଟାଏ ଟୋକେଇ ତଳେ ଢାଙ୍କିଦେଇ ଯାଇଛି । ସୁଇମିଙ୍ଗ୍ ପୁଲକୁ ଯିବାବେଳେ ଟୋକେଇ ଟେକି ଦେଖିଲି, ମୁଠାଏ ଚାଉଳ ବି ବିଞ୍ଚିଦେଇ ଯାଇଛି ଜଇଆ ! ବିବେକ ଅଛି ନିଶ୍ଚୟ ! କୁକୁଡ଼ା ଦୁଇଟାଙ୍କର ଟାଙ୍କ ଦଉଡ଼ିରେ ଚଉକଷ ବନ୍ଧା । ସେମାନେ ଜାଣନ୍ତି, ବେକକଟା ଅଦଧାରିତ ! ତଥାପି ଚାଉଳ ଟୁକୁଛନ୍ତି, ବେଳେବେଳେ ଚାଉଳ ପାଇଁ ଖୁମ୍ପାଖୁମ୍ପି ମଧ୍ୟ ହେଉଛନ୍ତି । ଆଶ୍ଚର୍ଯ୍ୟ ଏଇ ଜୀବନ ! ଯେଉଁପର୍ଯ୍ୟନ୍ତ ଜୀବନ ଅଛି, ସେ ପର୍ଯ୍ୟନ୍ତ ଏମିତି ଖୁମ୍ପାଖୁମ୍ପି ହେବାପାଇଁ ପଡ଼ିବ ! କିନ୍ତୁ ଜୀବନର ଏ ବ୍ୟାଖ୍ୟା ମୋତେ ଭଲଲାଗେ ନାହିଁ ! ମାର୍କସ କଥା ଜୀବନ ମିଶ୍ର ଏତେ କହେ । ମୁଁ ଠିକ୍ ବୁଝାଇପାରେନାହିଁ-। ନିଜେ ବୁଝିଚି ବା କ’ଣ ? କିନ୍ତୁ ମାର୍କସ ସାଙ୍ଗରେ ମୋର ଝଗଡ଼ା ଏଇଠି !

 

ଦୂତ୍ ! ଖୁମ୍ପାଖୁମ୍ପି ହେଉଥା । ମୁଁ ପୋଖରୀ ଭିତରକୁ କୁଦାମାରିଲି । ବଗଚରାରୁ ଦୁଇଟା ବଗ ଉଡ଼ିଯାଇ ତେନ୍ତୁଳି ଡାଳରେ ବସିଲେ । ପାଣିରେ ଚିତ୍ ହୋଇ ଶୋଇ, ମୁଁ ସେମାନଙ୍କ ଉଡ଼ିବା ଷ୍ଟାଇଲ୍‌ଟା ଲକ୍ଷ୍ୟ କଲି ।

 

ସକାଳୁ ଜଇଆ ମା’ ଢିଙ୍କିଚାଳି ଚୁଲି ପୋଛୁଚି । ବାପା ଷ୍ଟୋଭ୍‌ଟା ପୋଛାପୋଛି କରୁଚନ୍ତି ।

 

“ଆଲୁମିନିୟମ ଡେକ୍‌ଚିଟା କାହିଁ ?” –ବାପା ପଚାରିଲେ ।

 

ହାଣ୍ଡିଶାଳ ଭିତରୁ ବୋଉ ଝଙ୍କାରିଉଠିଲା–“ଜଇଆ ଟିଣବାସନ ସାଙ୍ଗରେ ସେଇ ହାତିଅନ୍ଦରେ ଥିବ । ମୁଁ ତାକୁ ଛୁଇଁବିନାଇଁ ! ଏ କି ଅଲଖଣା କଥା ଲୋ ମା’ ! ଢିଙ୍କି ଚାଳି ବୋଉ ଦୃଷ୍ଟିରେ ଲକ୍ଷ୍ମୀଙ୍କର ଖାସ୍ ନିଜ ଜାଗା ।

 

ସେଠି ପୂଜା, ବ୍ରତ, ଓଷା ଦିନମାନଙ୍କରେ ଭୋଗରାଗ ପାଇଁ ଅରୁଆ ଚାଉଳ କୁଟାହୁଏ । ସେଠି କୁକୁଡ଼ା ରାନ୍ଧିବା ବୋଉର ରୁଚିକୁ ଆଦୌ ସୁହାଏ ନାହିଁ । କିନ୍ତୁ ବାପା ଏ ବିଷୟରେ ସିନିକ୍ ! ବୋଉ ନିରୁପାୟ !

ସନ୍ଧ୍ୟାକୁ ବାପା କୋଉଠୁ ଜୋଗାଡ଼ କରିଆଣିଲେ, ଗୋଟାଏ ଚେପ୍‌ଟା ବୋତଲ, ଯେମିତି ଦିନେ ଆଣୁଥିଲେ ଓଭରସିଅର ବାବୁଙ୍କ ପାଇଁ ! ତାପରେ ବସିଗଲେ କୁକୁଡ଼ା ରନ୍ଧାରେ । ବୋଉର ଏଥିରେ ପୂର୍ଣ୍ଣ ଅସହଯୋଗ । ପରଟା ପାଇଁ ଗଣ ଗଣ ହୋଇ ସେ କେବଳ ଅଟା ଦଳିଲା-! ନିଆଁନଗା ମଦ ଏ ଘରେ ପଶିଲା ! ବୋଉର ସ୍ୱର୍ଗତୋକ୍ତି । ବୋଉଲୋ, ତୁ ଯଦି ଜାଣନ୍ତୁ, ତୋ ପୁଅ ଉଡ଼େଇଚି ଠେକି, ଠେକି ଖଜୁରି ! ମୋତେ ନିଶ୍ଚୟ ଜଇଆ ଟିଣ କଂସାରେ ପଖାଳ ଖୁଆନ୍ତୁ-!

ରାତିରେ ସପ୍ଳାଇ ବାବୁଙ୍କ ଚର୍ଚ୍ଚା ବେଳେ, ବାପା ଡାକିଲେ... ‘ମନୁ’ ! ସପ୍ଳାଇ ବାବୁଙ୍କ ସାମନାକୁ ଆସିବା ଚିନ୍ତା କରିବା ମାତ୍ରେ, ମୋର ମନଟା ବିଦ୍ରୋହୀ ହୋଇଉଠୁଥିଲା । ସପ୍ଳାଇବାବୁ ମୋତେ ମନେପକାଇ ଦେଉଥିଲେ, ସେଇସବୁ ମଣିଷଙ୍କ କଥା...ହାତରେ ଲଟ୍‌କେଇ ଚାଲିଛନ୍ତି–ଯେର କାହାଳୀ ମୋଡ଼ା ଖାଲି କିରାସିନି ବୋତଲ, ମୁଣ୍ଡରେ ଉବୁଡ଼ା ହୋଇଚି ଖାଲି ଟୋକେଇ, ଚାଲୁ ଚା’ !

କିନ୍ତୁ ଦୃଶ୍ୟଟା ଦେଖିବାପାଇଁ ଆସିଲି ।

ପୃଥୁଳ ପେଟଉପରେ ଚମଡ଼ା ବେଲ୍‌ଟ୍‌ଟା ଢିଲା କରି, ଖଣ୍ଡେ ଆସନ ଉପରେ ବସି, ଗୋଟାଏ ପ୍ଳେଟରୁ କୁକୁଡ଼ା ଗୋଡ଼ ଚୋବାଉଛନ୍ତି ସପ୍ଳାଇବାବୁ, ଆଉ ମୁନ୍ଦିଏ ମୁନ୍ଦିଏ ପିଉଛନ୍ତି; ଗୋଟାଏ କାଚଗ୍ଳାସ୍‌ରୁ । ବାପା ସାମ୍‌ନାରେ ଠୁଙ୍ଗା ବସି, ତାଙ୍କ ଖାଇବା ତଦାରଖ କରୁଛନ୍ତି । ସପ୍ଳାଇ ବାବୁ ସ୍ୱଳିତ କଣ୍ଠରେ କହିଲେ...’ “ଓ ! ଏଇ ତମ ପୁଅ ! ଏଇ ଜେଲ୍ ଯାଇଥିଲା ତ !” “ଆରେ, ମୁଁ ଜେଲ୍ ଯିବାଟା ଗୋଟାଏ ଲିଜେଣ୍ଡ୍‌ର ପରିଣତ ହେଲାଣି ଦେଖୁଚି ! ବୋମା ହାକିମ ଶାରଦା ବାବୁଙ୍କ ଖଣ୍ଡେ ପୋଷ୍ଟକାର୍ଡ଼, ସୃଷ୍ଟି କରିପାରିଲା ଏପରି ଏକ ଲିଜେଣ୍ଡ, ଯାହା ବର୍ତ୍ତମାନ ଇତିହାସଠାରୁ ବଳି ସତ୍ୟ ।

 

ଦୁଇଟା ହିକ୍‌କା ମାରି ସପ୍ଳାଇ ବାବୁ କହିଲେ... “ଆରେ ନରି ବାବୁ, କାହିଁକି ମନ ଦୁଃଖ କରୁଚ ? ଇଏ ତ ଠିକ୍ ନେତା ନେତା ଚେହେରା ! ମୁଁ ଆମ କଲେକ୍ଟର୍ ସାହେବ ମୁହଁରୁ ଶୁଣିଚି, ଏଇମାନଙ୍କ ଦିନ ଆସୁଚି ! ତମର ଆଉ ଦୁଃଖ କ’ଣ ? ତମେ ଆଜି ମୋତେ ଭୋଗ ଲଗାଉଚ । କାଲି ମୁଁ ଏମାନଙ୍କୁ ଭୋଗ ଲଗାଇ ପ୍ରସାଦ ପାଇବି । ଦେଖିବନାଇଁ ! ହାଁ–ଗୋବିନ୍ଦ ଦାସର କଥା ଏକ, ବାପା ଏକ !” ତାପରେ ଆଉ ଦୁଇ ଢୋକ–କୁକୁଡ଼ା ଗୋଡ଼ରୁ ପୁଳାଏ ପୁଳାଏ !

 

ସପ୍ଳାଇ ବାବୁ କହି ଚାଲିଲେ, “ତମେ ବୁଝିନାଁ ନରିବାବୁ ଏ ଜେଲ୍ ଯିବାଟା ଭଲ ଧନ୍ଦା ! ଦେଖିବ ନାଇଁ ! ତମ ନାଁ କ’ଣ ଟି ହେ ବାବୁ ! କାଲି ସିଧା କଟକ ବାହାରିଯାଅ । ସେଠି ଧରାଧରି କରି କଂଟ୍ରୋଲ କମିଟିର ଗୋଟାଏ ମେମ୍ବର ଟେମ୍ବର୍ ହୋଇପଡ଼; ନୋହିଲେ ବୋଉ ବଡ଼ ମଝିଆଳୀ ନେତାଙ୍କ ପାଖଲୋକ ! ମନଇଚ୍ଛା ପଡ଼ିକାର୍ଡ଼ କାଟିବ, ଭୂତ ପ୍ରେତଙ୍କ ପାଇଁ ସୁଦ୍ଧା ! ମୁଁ ବି ମନଇଚ୍ଛା ତମ ବାପାଙ୍କୁ ଚିନି କିରାସିନି ଲୁଗା ଯୋଗାଇଦେବି । ଆଉ ଚିନ୍ତା କ’ଣ ?”

 

ହଁ, ସେଇପରି ତ ଆରମ୍ଭ ହୋଇଗଲାଣି !

 

ବାପାଙ୍କ ଦୁଇଆଖି ସମ୍ଭାବନାରେ ଉଜ୍ଜ୍ୱଳ । ମୁଁ କିନ୍ତୁ ଘୃଣାରେ ସେଠାରୁ ଦାଣ୍ଡପିଣ୍ଡାକୁ ପଳାଇଆସିଲି । ସପ୍ଳାଇ ବାବୁ ବିଦାୟ ନେଲେ । ଅର୍ଥାତ୍ ବାପା ଓ ଜଇଆ ବାଉରୀ ତାଙ୍କୁ ଟେକାଟେକି କରି ସାଇକେଲରେ ଲଦିବା ପରେ, ଜଇଆ ସାଈକଲ ଗଡ଼ାଇ ଗଡ଼ାଇ ନେଇଗଲା । ସପ୍ଳାଇ ବାବୁଙ୍କର ତ ବେସମାଳ ଅବସ୍ଥା !

 

ସପ୍ଳାଇବାବୁ ବିଦାୟ ନେଇଯିବାପରେ, ବାପା ମୁଁ ଏକାଠି ସେଇ ଢିଙ୍କିଶାଳରେ ଖାଇ ବସିଚୁ–ଉପଲକ୍ଷ କୁକୁଡ଼ା ତରକାରି । ବୋଉ ତ ପରଶିବ ନାହିଁ । ମୁଁ ଖାଉଚି ବୋଲି କେବଳ ଦୂରଛଡ଼ା ହୋଇ ବସିଛି । ପାଖରେ ବସିଛି ସେଇ କଳା ବିଲେଇଟା । ହାଡ଼ ପାଇଁ ମ୍ୟାଉଁ ମ୍ୟାଉଁ ହଉଚି । ବାପା କିନ୍ତୁ ହାଡ଼ ଚୋବେଇ ଗୁଣ୍ଡ ବା ଛୋଟ ଛୋଟ ହାଡ଼ଖଣ୍ଡ ଗୁଡ଼ା କେବଳ ତଳେ ଫିଙ୍ଗିଦେଉଛନ୍ତି... ଆଉ ନିଜ ରାନ୍ଧଣାର ନିଜେ ତାରିଫ୍ କରୁଛନ୍ତି । ମୁଁ ରାମ ବିଷ୍ଣୁ, କିଛି ନକହି ତଳକୁ ମୁହଁ ପୋତି, ପରଟା ଟୁକୁରାଏ ଟୁକୁରାଏ ଛିଣ୍ଡେଇ ମୁହଁରେ ପୂରାଉଛି ।

 

ବୋଉର ସତର୍କ ଦୃଷ୍ଟିରୁ ବାଦ ଗଲା ନାହିଁ, ସେ କହିଲା... “କିରେ ମନୁଆଁ, କୁକୁଡ଼ା ତୁଣ ଖାଉନୁ ?”

 

କୁକୁଡ଼ା ଦେଖିଲା ମାତ୍ରେ ଅରୁଚି ଆସୁଛି । ଆଜି ସକାଳେ ଏଇ ଗଞ୍ଜା ଦୁଇଟାଙ୍କୁ ଦେଖିଥିଲି, ଚାଉଳ ପାଇଁ ଖୁମ୍ପାଖୁମ୍ପି ହେଉଥିଲେ । ଏବେ ଜବେଇ ହୋଇପଡ଼ିଛନ୍ତି, ତରକାରିରେ ! କୃଷ୍ଣଚୂଡ଼ା ଫୁଲପରି ସେମାନଙ୍କ ଲାଲ ମୁକୁଟ, ପୌରୁଷସ୍ଫୀତ ଇନ୍ଦ୍ରଧନୁରଙ୍ଗୀ କଣ୍ଠ ସବୁ ଗଲା ମଣିଷର ଜଠରରେ ! ...ମୋର ବର୍ତ୍ତମାନ ଯୋଉ ମୁଡ଼ ସେଥିରେ, ବୋଉ ସାଙ୍ଗରେ କଥା କଟାକଟି ହେବାର ପ୍ରବୃତ୍ତି ନଥିଲା । ପରଟା ଟୁକ୍‌ରାଏ ଟୁକ୍‌ରାଏ ଝୋଳରେ ବୁଡ଼ାଇ ଖାଇଲି ।

 

ବାପା କଥା ଆରମ୍ଭ କଲେ, ବେଶ୍ ଧୀରେସୁସ୍ଥେ–“ପାଠ ନହେଲା ତ ନାଇଁ, ତୁ ଏବେ ଏ କଂଟ୍ରୋଲ ବେପାର ସମ୍ଭାଳ । ନେଇଆଣି ଥୋଇପାରିଲେ ଏଥିରେ ଭଲ ଦି ପଇସା ଅଛି । ପୁଣି ମୁଁ ପେଶୀ ଠିକାଦାରୀ ଆରମ୍ଭ କରିବି ଭାବୁଚି ।”

 

ମୁଁ ନୀରବ ରହିଲି ।

 

ବାପା ପଚାରିଲେ... “କ’ଣ କହୁଚ ? ପାଠ ନହେଲା ନାହିଁ ।”

 

‘‘ଭାବି ଦେଖିବି” ...କହି ଉଠିଆସିଲି । ମୁଡ଼୍ ଖରାପ !

 

ବୋଉ ଚିତ୍କାର କଲେ... “କିରେ ତୁଉଣ ସେମିତି ଛାଡ଼ିଗଲୁ ? ଯାଃ ନିଆଁନଗା ବିଲେଇଟା ଝାମ୍ପିନେଇ ପଳାଇଲାଣି । ଏଇଟା ଆଉ ମଣିଷ ହବନାଇଁ !”

 

ସେଦିନ ରାତିରେ ଦାଣ୍ଡଘରେ, ସେଇ ସନାତନ କାଳର ଖଟଉପରେ ଆଉ ଶୋଇଲି ନାହିଁ । ମୋ ଭିତରର ଯାଯାବର ପୁଣି ଗଣ୍ଠିଲି ବାନ୍ଧିବା ପାଇଁ ଅସ୍ଥିର ହୋଇଉଠିଲାଣି । ଦାଣ୍ଡପିଣ୍ଡାରେ ସେଇ ବେଞ୍ଚ୍ ଉପରେ ଶୋଇଲି । ବୋଉ ପଚାରିଲା... “କିରେ ଦାଣ୍ଡଲୋକଙ୍କ ପରି ଏଠି ଦାଣ୍ଡଟାରେ ଶୋଇବୁ କ’ଣ ?” ଉତ୍ତର ଦେଲି ନାହିଁ । ସବୁ କଥାର ଉତ୍ତର ନଥାଏ ବୋଉ । ତଥାପି ଟୋଟାଏ ସିନ୍ ଏଡ଼ାଇବା ପାଇଁ କହିଲି... “ଏଠି ସିରି ସିରି ପବନ ଦଉଚି ।”

 

ରାତିରେ କିନ୍ତୁ ନିଦ ହେଲା ନାହିଁ ।

 

ବାପାଙ୍କ ଶୋଇବା ଘରଟା ପାଖରେ । କାନପତେଇ ଶୁଣିଲି, ବାପା ବୋଉଙ୍କ ଭିତରେ ମୋ ବିଷୟରେ ଚାଲିଚି ମନ୍ତ୍ରଣା । ବାପା କହୁଚନ୍ତି... “ତା’ ଗୋଡ଼ ଏଯାଏଁ ତ ଲାଖିଲା ନାହିଁ । ପରଝିଅଟା ଆଣି ପୁଣି ବେକରେ ଛନ୍ଦିବି ?”

 

ବୋଉଟା ତ ହାଉଡ଼ୀ । ତା’ ପାଖରେ ଗୁପ୍ତକଥା କିଛି ନାହିଁ । ସିଏ କଥା କହେ, ଯେମିତି ସାଇଲୋକଙ୍କୁ ଶୁଣାଇବା ପାଇଁ । ବୋଉ କହିଲା... “ତେଇଁକି ବେକରେ ପଡ଼ିଲେ; ବଳେ ବଜେଇ ଶିଖିବ ନାଇଁ ? ସମୁଦି କହୁଚନ୍ତି; ଦିମାଣ କଳିନ୍ଦ ଜମି ଝିଅନାଁରେ ଦେବେ । ଜୋଇଁକୁ ଘଡ଼ି, ସାଇକଲ !”

 

ବାପା କହିଲେ... “ଟଙ୍କା ପାଞ୍ଚଶ, ବାଟଖର୍ଚ୍ଚ ନଦେଲେ, ମୁଁ କିନ୍ତୁ ସେଠି ରାଜି ହଉନାଇଁ । ଢେର୍ ଢେର୍ ଲୋକ ମୋ ଘରେ ବନ୍ଧୁ ବାନ୍ଧିବା ପାଇଁ ଗୋଡ଼ଟେକି ବସିଚନ୍ତି । ଆମେ ହେଲୁ ଶ୍ରୀକରଣ । ସେମାନେ ବଢ଼ି ବଢ଼ି କରଣ !”

 

ବୋଉ କହିଲା... “ହଉ କଥାଟା ପକାଅ ଆଗେ !”

 

ବାପା ହାଇ ମାରି ଉତ୍ତର ଦେଲେ... “ମନୁଆଁ ରାଜି ହେଲେ ତ !”

 

ଡେରିରେ ନିଦ ଭାଙ୍ଗିଲା । ଆଉରି ଶୋଇଥାନ୍ତା । କିନ୍ତୁ ମୁଣ୍ଡ ସାଉଁଳାରେ ନିଦ ଭାଙ୍ଗିଗଲା । ବୋଉ ହେମାଳ ହାତ ମୋ କପାଳ ଉପରେ ରଖି, ପଚାରୁଛି... “ତୋ ଦିହପା କ’ଣ ହେଇଚିକିରେ ? ଏତେବେଳ ଯାଏଁ କାହିଁକି ଶୋଇଚୁ ?”

 

ମୁଁ ଉତ୍ତର ନଦେଇ, ବେଞ୍ଚଉପରୁ ଉଠିଆସି, ଭଗତ ଘର ପିଣ୍ଡାରେ କାନ୍ଥକୁ ଆଉଜି ବସିଲି । ଆଃ ! ସଜନା ଗଛଟା ନଥିବାରୁ ଭାରି ଖାଲି ଖାଲି ଲାଗୁଛି । ଧଳା ଧଳା ଫୁଲରେ ଏତେବେଳକୁ ଗଛଟା ଭର୍ତ୍ତି ହୋଇଯାଆନ୍ତାଣି । ହଳଦିବସନ୍ତ ଆଉ ଗୁଣ୍ଡୁଚିମୂଷାମାନେ ମଧ୍ୟ ଆସୁନାହାନ୍ତି । ବୋଉ ବଡ଼ ସରାଗରେ ଗିଲାସେ ସ୍ପେସାଲ ଚା’ ଆଣି ଦେଲା । କ’ଣ କହିବ କହିବ ବୋଲି ହଉଚି । ମୁଁ ଜାଣେ କ’ଣ କହିବୁ ବୋଉ । ହେଲେ ଏଇ ସକାଳୁ ସକାଳୁ ମୁଡ଼୍ ଖରାପ କରିବା ପାଇଁ ମୁଁ ରାଜି ନୁହେଁ । ଧୀରେ ଧୀରେ ଚା’ ଶେଷ କରି ଝୁଲାମୁଣିଟା କାନ୍ଧରେ ପକାଇ, ମୁଁ ଚାଲିଲି ବାଡ଼ି ପୋଖରୀକୁ । ସେଥିରେ । ମୋର ସିଗାରେଟ ଦିଆସିଲି ! ବାପା ବୋଉଙ୍କ ଆଗରେ କାହିଁକି ସିଗାରେଟ ଟାଣିପାରୁ ନାହିଁ କେଜାଣି ? ଏଇଟା ମୋର ମୋଟାଏ ଉଇକ୍‌ନେସ୍ !

 

ତା’ ପରଦିନ ରାତି... ଦୁତ୍ ...ଏଇସବୁ ବିଡ଼ମ୍ବନା, ଆଇରନୀ... ଫ୍ରମ୍ ସବ୍‌ଲାଇମ୍ ଟୁ ରିଡ଼ିକୁଲସ୍ ! ଏଥିରୁ କିଏ ବା ବାଦ୍ ପଡ଼ିଛି ? କର–ବା–ମରରୁ କଂଟ୍ରୋଲ ଦୋକାନ ! ପ୍ରଜ୍ଞାଭଦ୍ରାଜୀ, ତମେ ବର୍ତ୍ତମାନ କୋଉ ଜେଲ୍‌ରେ ଘଣା ପେଲୁଥିବ ଜାଣେନାଁ ! କିନ୍ତୁ ମୁଁ ତ ଜେଲ୍‌ରେ ଖିଚୁଡ଼ି ଖାଇଥାନ୍ତି ! ଦୁଶ୍ଚିନ୍ତା ନଥାନ୍ତା ! ତମେ ମୋତେ ଏ ଘୋର ଦୁର୍ଗମ ପଥକୁ ଟାଣିଲ କାହିଁକି ?

 

ବାହାର ପିଣ୍ଡାରେ, ବେଞ୍ଚ୍ ଉପରେ ଶୋଇଚି । ଦାଣ୍ଡଘରେ ଗୁଳୁଗୁଳି । କେତୀ ଅବିକା ଦେବେନ୍ଦ୍ର ପେଟ ଚୁମୁଟୁଥିବ ! ଓଁ ! ଓଁ ! ଓଁ ! ଭୂର୍ଭୁବସ୍ଵ... ଗାୟତ୍ରୀ ମନ୍ତ୍ର ଭୁଲିଗଲାଣି । ପଦବାବୁଙ୍କଠୁ ଶିଖିଥିଲି ।

 

ବୋଉ କହୁଚି–ହୁଣ୍ଡୀଟା ବୁଝୁନାଇଁ, ମୁଁ ଏଇଠି ପିଣ୍ଡାରେ ଶୋଇଚି କାନଡ଼େରି ଶୁଣିଲି । ମୁଁ ଜାଣେ ଇଏ ଅଶ୍ଳୀଳତା ! ତଥାପି ଏହାର ଏକ ଆକର୍ଷଣ ଅଛି । ବୋଉ କହୁଚି... “ମନୁଆଁ ମନ ଘର ଧରିଲାଣି । ହେ ମା’ ଜାଗୁଳେଇ......”

 

ବାପାଙ୍କ କଣ୍ଠରୁ ଶୁଭିଲା... “ହୁଃ” ! ବୋଉ କଥାରେ ତାଙ୍କର ପତିଆରା ନାହିଁ । ବୋଉ କହିଲା... “ତମେ ଏଥର ପଦନ ମହାନ୍ତି ଘରେ କଥା ପକାଅ ।”

 

ବାପା ! ଉତ୍ତର ଦେଲେ ... “ମନୁଆଁ ଗୋଡ଼ ଲାଗିନାଇଁ ! ମୋ ବେକରେ ଆଣି ବୋହୂଟାଏ ଛନ୍ଦିବି ?”–ହିସାବୀ ମଣିଷ !

 

ବୋଉ କିନ୍ତୁ ବେହିସାବୀ । ସେ କହିଲା ... “ବେକରେ ପଡ଼ିଲେ ବଳେ ବଜେଇ ଶିଖିବ ନାଇଁ ! ମାୟାଧର କହୁଥିଲା, ସମୁଦିଙ୍କୁ ଜଣା, ପୁଅ ଝିଅର ଯାଇଛି । ସିଏ କହୁଛନ୍ତି, ଇଏ ତ ଭଲ କଥା । ଆଗତକୁ ଭଲ ଅଛି ଏଥିରେ । ଘର, ବର କୋଉଥିରେ ଖୁଣ ନାଇଁ । କହୁଚି ତ ଝିଅ ନାଁରେ ଦି’ମାଣେ କଳିନ୍ଦ ଜମି ଦବ । ସାଇକଲ । ଘଡ଼ି । ଆଉ କ’ଣ ?”

 

ବାପାଙ୍କ କମେଣ୍ଟ... “ବାଟ ଖର୍ଚ୍ଚ ସାତଶ ନଦେଲେ, ମୁଁ ରାଜି ହଉନାଇଁ ଏକା ! ମୁଠାମୁଠା ଟଙ୍କା ଖର୍ଚ୍ଚ କରି ମନୁଆକୁ ପଢ଼େଇଲି । ସିଏ ସିନା ପଢ଼ିଲା ନାଇଁ !” ପାଞ୍ଚଶରୁ ମୋ ଦର ବଢ଼ିଲାଣି ସାତଶହ !

 

ବୋଉ କହିଲା... “ହଉ କଥା ପକାଅ ।”

 

ତା’ ପରଦିନ ସକାଳେ, ମୁଁ ପଖାଳକଂସା ପାଖରେ ବସିଚି, ବୋଉ ତା’ର ଡିପ୍ଲୋମାସିରେ କଥା ଆରମ୍ଭ କଲା... “ଆରେ ମନୁଆଁ, ତତେ ପାଳି ପୋଛି, ମଣିଷ କରିଥିଲି କ’ଣ ଏଇ ବୁଢ଼ୀ ଦିନେ, ଚୁଲିପାଖରେ ନଳୀ ଫୁଙ୍କି ଫୁଙ୍କି ଅନ୍ଧୁଣୀ ହବାପାଇଁ ?”

ମୁଁ ମ୍ଳାନ ହସି ଉତ୍ତର ଦେଲି... “ଗୋଟାଏ ପୁଝାରୀ ରଖୁନୁ । ବାପାଙ୍କ କଂଟ୍ରୋଲ ଧନ୍ଦା ତ ମନ୍ଦରେ ଚାଲିନାଇଁ !”

ବୋଉ ଆର୍ତ୍ତନାଦ କଲା–ସତେ ଯେମିତି ପୁଝାରୀ ଆସିଗଲାଣି–“ଆରେ ମୋ ବଡବଡୁଆ ଘରେ ପୁଝାରୀ ପଶିବ ?”

“ତା’ ନହେଲେ, ନଳୀ ଫୁଙ୍କିବୁ ! କଳା ଚଷମା ପିନ୍ଧୁନୁ ? ମୁଁ କ’ଣ କରିବି ?”–ବୋଉର ଡିପ୍ଲୋମାସି ଫେଲ୍ କରିଗଲା ।

ବୋଉ ଶେଷକୁ କେଇଥର ଛେପ ଢୋକି କହିଲା... “କନ୍ୟାଟିଏ ବୁଝିଚି !” ମୁଁ ଚୁପ୍‍ଚାପ୍ ପଖାଳ ଗେବିଲି । ପ୍ରଜ୍ଞାଭଦ୍ରଜୀ, ଜେଲ୍‌ଖାନାକୁ ତ ମନାକଲ ! ଶେଷକୁ ବସିବି ବାହାବେଦୀରେ, ଗୋଡ଼ର ଅଳତା ନାଇ, ବଉଳପାଟ, ପାଞ୍ଚି ପିନ୍ଧି ?

ପଚାରିଲି... “ସୁନାନାକୀ ତ ?”

ବୋଉ ମୋର ସୂକ୍ଷ୍ମ ପରିହାସଟା ବୁଝିପାରିଲା ନାହିଁ । ମୋଆଡ଼େ ଡବ ଡବ ଚାହିଁ ଉତ୍ତର ଦେଲା... “ଗୋଟିଏ ଚାଉଳରେ ଗଢ଼ାରେ ପୁଅ । ପଞ୍ଚୁ ପାଣ୍ଡବ ଦେଉଳରେ ଦେଖିଆସିଚି । ଦବା ନବା ବି ଭଲ ।”

 

ମୁଁ ନୀରବରେ ପଖାଳ କଂସାଟା ଅଧାଅଧି କରିଦେଲିଣି । ଆଃ...ଏଇ ଆଶାନ୍ୱିତ ଆଖି ଦୁଇଟାକୁ ମିଳନ କରିଦେବି ନାଇଁ ! ବୋଉ ଭାବୁଚି, ତା’ କଥାଟା ମୋ ମନକୁ ଘେନିଲାଣି । ସେ କହିଲା... “ଆମ ବେଳ ନିଆରା ଥିଲା । ପୁଅମାନେ ଏବେ ଝିଅ ନଦେଖି, ବାହା ହବାପାଇଁ ରାଜି ହେଉନାହାନ୍ତି ! ତୁ କହିବୁ ତ ପଞ୍ଚୁ ପାଣ୍ଡବ ଦେଉଳରେ ମୁଁ କନ୍ୟାଦେଖା ପାଇଁ ବନ୍ଦୋବସ୍ତ କରିବି ।”

 

ଅନେକ ସୁନାନାକୀମାନଙ୍କୁ ତୋ ଗୁଣମନ୍ତ ପୁଅ ଦେଖିସାରିଲାଣି ଲୋ ବୋଉ ! ତ୍ରାହି ତ୍ରାହି ଡାକୁଚି ଏବେ ସେମାନଙ୍କ ଜ୍ୱାଳାରେ !

 

ବୋଉର ଆଶା ଆଉରି ବଢ଼ୁଚି । ସିଏ କହିଲା... “ମନୁଆରେ, ମୋ ମୁଣ୍ଡ ଖାଇବୁ, ଦାଢ଼ି କାଟିପକା । ଆମ ଘରେ ବାଡ଼ୁଅ ପୁଅ କେହି ଦାଢ଼ି ରଖନ୍ତି ନାଇଁ !” ଦାଢ଼ି ରଖି ପଞ୍ଚୁ ପାଣ୍ଡବ ଦେଉଳକୁ ଗଲେ, ସମୁଦୁଣୀ ମନକୁ ପାଇବ ନାହିଁ ପରା !

 

ମୁଁ ଉତ୍ତର ଦେଲି... “ନଟିଆବାପ ଭଣ୍ଡାରୀ ଗାଁରେ ଅଛି ତ ? ନାଁ ବେଭାର ନେଇଯାଇଚି ?” କଣ୍ଠରେ ମୋର ପରିହାସରେ ସେଇ ତୀକ୍ଷ୍ମତା ।

 

“ସାଇକେଲ ମାରିଦଉନୁ ହରିପୁର ବଜାରକୁ । ନଟିଆବାପ ନଥିଲେ, କ’ଣ ଆଉ ଭଣ୍ଡାରୀ ନାହାନ୍ତି ?” –କନ୍ୟାଦେଖା ବ୍ୟାପାରରେ, ବୋଉ ମନ ଭାରୀ ଖୁସୀ ! ତା’ର ଆଶା ବଢ଼ୁଚି-

 

ଭିତରର ଯାଯାବରଟି କିନ୍ତୁ ଗଣ୍ଠିଲି ବାନ୍ଧିବା ପାଇଁ, କମ୍ବଳ ଗୁଡ଼ାଇ ମୋ କାନ୍ଧରେ ଝୁଲାଇଲାଣି ।

 

ବାପା ନାହାନ୍ତି । ବୋଉ ମନଖୁସିରେ ପଡ଼ିଶା ଘରକୁ ବୁଲିଯାଇଛି । ଉଦାସ ଖରାବେଳେ । ବସ୍‍ଷ୍ଟାଣ୍ଡରୁ ଜଗତପୁର ଷ୍ଟେସନ୍‌କୁ ବସ୍ ମିଳିବ ଏତିକିବେଳେ । ବାପାଙ୍କ ତକିଆ ତଳ ଉଣ୍ଡାଳି, ହଠାତ୍ ଆଲମାରି ଚାବିଟା ପାଇଗଲି । ଗୋଟାଏ ଥାକରେ ବିଡ଼ା ବିଡ଼ା ନୋଟ । କେତେଟା ଗାଞ୍ଜିଆ ଖୁଚୁରାରେ ଟୁଳଟୁଳ ହେଉଚି । କେତେଖଣ୍ଡ ହାଣ୍ଡ ନୋଟ୍ ବି ! ଓ ! ମହାଜନୀ ସାଇଡ଼୍ ବିଜିନେସ୍‌ଟା ମଧ୍ୟ ଚାଲିଲାଣି ତା’ହେଲେ ? ଦିଟା ଦଶଟଙ୍କିଆ ବିଡ଼ା କାଢ଼ି ଆଲମାରି ବନ୍ଦ କରିଦେଲି ।

 

ଏ ସବୁ ତ ଦିନେ ମୋରି ପାଇଁ ବୋଲି ବାପା କହନ୍ତି । ତାହେଲେ, କାଲି ପାଇଁ ଅପେକ୍ଷା ନକରି, ଆଜି ନେଇଗଲେ ଆପତ୍ତି କ’ଣ ?

 

ଝୁଲାମୁଣିଟା କାନ୍ଧରେ ପକାଇ ଦାଣ୍ଡେ ଦାଣ୍ଡେ ଚାଲିଲି ବସ୍‌‌ଷ୍ଟାଣ୍ଡକୁ ।

 

ଷ୍ଟେସନ୍‌ରୁ ରେଳପୋଲ ଉପରେ ଚାଲିଚାଲି ଯାଏ କଟକ । ରେଳ ପାଇଁ ଅପେକ୍ଷା କରିବାକୁ ଧୈର୍ଯ୍ୟ ମୋର ନଥାଏ । ସିଗ୍‌ନାଲ ଖୁଣ୍ଟପାଖରୁ ପୁଣି ଫେରିଆସିଲି । କଟକ ଯିବାକୁ ହଠାତ୍ ପ୍ରବୃତ୍ତି ହେଲା ନାହିଁ । ରେବଟା ମନେପଡ଼ୁଥିଲା । ତା’ର ସେ ଲମ୍ବା ଲମ୍ବା ଦୁଇଟା ଦୀଘଳ ଆଖି । ଚପଳ ଛନ୍ଦା ନଈର ସୁଅଉପରେ ସକାଳେ ଖରା ଯେମିତି ଝଲମଲ ହେଉଚି । କପାଳ ଉପରେ ହାତମାରି ଦେଖିଲି ! ଆଶ୍ଚର୍ଯ୍ୟ ସେ କ୍ଷତ ଚିହ୍ନଟା ଅନ୍ୟଠି...ବୋଧହୁଏ ଆଉରି ଗଭୀର, ଆଉରି ସ୍ପର୍ଶାତୁର ! “ଘରେ ସଫା କନା ତ ଖଣ୍ଡେ ରଖିବ ନାହିଁ । ଶାଢ଼ିଟା ନଚିରି ଆଉ କ’ଣ କରନ୍ତି-?” ଦୂତ୍ ଏଇ ସବୁ ଚିପ୍ ସେଣ୍ଟିମେଣ୍ଟ୍ ! ସବୁ ଝିଅ ଏମିତି ଗୋଟାଏ ମାୟା ମରୀଚିକା ସୃଷ୍ଟି କରି, କ୍ଳାନ୍ତ ଯାଯାବରକୁ ଦଉଡ଼ାନ୍ତି । ମୁଁ କିନ୍ତୁ ଆଜି ପଥଶ୍ରାନ୍ତ ! ବୋମା–ହାକିମଙ୍କ ନବକଳେବର ଦେଖିବାପାଇଁ ମଧ୍ୟ କୌତୂହଳ ନାହିଁ । ଦଧିକୁ ମଧ୍ୟ । ତା’ର ବି ରୂପାନ୍ତର ଘଟିଥିବ । ଏ. ଆର୍. ପି. କନାର ହାଫ୍ ପ୍ୟାଣ୍ଟ୍ ପିନ୍ଧି, ଅଣ୍ଟାରେ ବାନ୍ଧିଥିବ ଡୋରିଆ ଗାମୁଛା । ହାକିମଙ୍କ ଅର୍ଦ୍ଦଳି-! ନାଃ...କଟକ ଯିବି ନାହିଁ । ସେଠି ସ୍ଥବିରତା । ଉତ୍ତେଜନା ନାହିଁ ।

 

ପ୍ଳାଟ୍‌ଫର୍ମରେ ଗୋଟାଏ ସିମେଣ୍ଟ ବେଞ୍ଚ୍ ଉପରେ ବସି ସିଗାରେଟ ଟାଣୁଚି । ବେଲ୍ ପଡ଼ିଲା । ଜଣେ ଖଲାସିକୁ ପଚାରିଲି... “କୋଉ ଗାଡ଼ି ଆସୁଚି ?”

 

“ହାଉଡ଼ା ପେସେଞ୍ଜର୍ !”

 

ମନ ଚଞ୍ଚଳ ହୋଇଉଠିଲା ।

 

କାନ୍ତମାମୁଁ ଏବେ ସହାୟ । ସେଇ ମୋତେ ଦେଇପାରିବେ, ନୂଆ ରାସ୍ତାର ଇସାରା । ଶୈଶବରୁ, ତାଙ୍କର ଗୋଟାଏ ଗଭୀର ଛାପ, କିପରି କେଜାଣି ପଡ଼ିଯାଇଛି ମୋ ମନଉପରେ । ଖେନ୍ତୀ ମୋତିଙ୍କ ସାଈରେ ରହନ୍ତି । ଅଥଚ ଏକପ୍ରକାର ସନ୍ନ୍ୟାସୀ । ଜୁଆ ଖେଳନ୍ତି । ବ୍ଲାଇଣ୍ଡ । ଅଥଚ ହାରିଗଲେ ଦୁଃଖ ନାହିଁ !

 

ମନେପଡ଼ୁଚି ତାଙ୍କ କଥା–“ଗୋଠେ ଛୁଆ ଧରି, ଭାଇଙ୍କ ପରି ମୁଁ କର୍ମ ଆବରି ପଡ଼ିବାକୁ ଚାହେ ନାହିଁ !” ସେମିତି ତ ଅନେକେ ପଡ଼ିଛନ୍ତି । ପରିବାମୁଣି ଝୁଲାଇ ସକାଳୁ ବଜାର ଯାଉଛନ୍ତି । ବୋଉ ମୋତେ ବି ଚାହୁଁଚି ସେଇ ରାସ୍ତା ଧରିବା ପାଇଁ ! ମାମୁଁ ହୋଇ ଭଣଜାକୁ କିଏ ବିଅର୍ ଯାଚନ୍ତି ? ଅଥଚ କାନ୍ତମାମୁଁ ଯାଚନ୍ତି । ମୁଁ ଯେମିତି ତାଙ୍କର ଇଆର୍ ଦୋସ୍ତ୍ ! ଝୁଲାମୁଣିରେ ପୁଣି ଛୁରି ପିସ୍ତଲ୍ !–“ଆରେ ସାପ ହୋଇ ଜନ୍ମିଚୁ ତ ମାରାତ୍ମକ ବିଷ ରଖିବୁ । ଦଂଶନ କଲେ ଏକାଥରେ ଖତମ୍ ! କିନ୍ତୁ କାହାକୁ କେବେ ଦଂଶନ କରିବୁ ନାଇଁ । ସାପ ହୋଇ ନିର୍ବିଷ ହେବୁ କ’ଣ ?” ଦାମୀ କଥା ! ଅସାଧାରଣ ମଣିଷ !

 

ସୁଟ୍‌କା, ନୁଟ୍‌ନା, ଶୋଭା ! ...ପ୍ଲାଟଫର୍ମ୍ ଉପରେ ପାସେଞ୍ଜର୍ ଗାଡ଼ିଟା ରହିବା ମାତ୍ରେ, ଗୋଟାଏ ଖୁନ୍ଦାଖୁନ୍ଦି କମ୍ପାର୍ଟମେଣ୍ଟ୍ ଭିତରକୁ କୁଦାମାରିଲ । ଡବଲ୍ୟୁ ଟି । ହାଉଡ଼ା ଯିବାପାଇଁ ସ୍ଥିର କଲି ତ ଗାଡ଼ିକୁ ଦେଖିବା ମାତ୍ରେ । ଟିକେଟ୍ କାଟିବା ପାଇଁ ବେଳ କାହିଁ ?

 

ଷ୍ଟେସନ୍ ବାହାରେ ମନେପଡ଼ିଲା–କଲିକତା ଆସିଲି ପ୍ରାୟ ଛଅବର୍ଷ ପରେ । ବାଟ ଘାଟ ଭୁଲିଗଲିଣି । ସେ ଗଳିଟା ପାଇବି କୋଉଠି ? କିପରି ? ହଠାତ୍ ମନେପଡ଼ିଗଲା, କାନ୍ତମାମୁଁ ସେଦିନ ମୋର ବାହାଟିଏ ଘିଡ଼ି ଘିଡ଼ି ଟାଣି ମୋତେ ଯେଉଁ ବସ୍ ଭିତରକୁ ନେଇଥିଲେ, ତା’ର କଣ୍ଡକ୍‌ଟର କଳା ଚମଡ଼ା ମୁଣ୍ଡିଟାଏ କାନ୍ଧରେ ଝୁଲାଇ ଆପ୍ରାଣ ଚିତ୍କାର କରୁଥିଲା... ଚିତ୍ତରଞ୍ଜନ୍ ଆଭିନ୍ୟୁ, ଏସ୍‌ପ୍ଲାନେଡ଼, ଗରିଆହଟା ! ଏବେବି ଜଣେ କଣ୍ଡକ୍ଟର୍ ସେହିପରି ଚିତ୍କାର କରୁଥିଲା । ବସ୍‌ଟା ଆଜି ଖୁନ୍ଦାଖୁନ୍ଦି ନୁହେଁ । ଡେଇଁପଡ଼ିଲି ବସ୍ ଭିତରକୁ । ଗଳିଟାର ନାଁ ତ କିନ୍ତୁ ଜାଣେ ନାହିଁ !

 

“ଟିକେଟ”...କଣ୍ଡକ୍ଟର୍‌କୁ ଉତ୍ତର ଦେଇପାରିଲି ନାହିଁ । ଶେଷରେ ବସ୍ ଯୋଉଠି ରହିବ, ସେଇ ନାଁଟା କହିଦେଲି... ଗରିଆହଟା !

 

ବସ୍ ବାହାରକୁ ମୁହଁ କାଢ଼ି, ଗୋଟାଏ ପରିଚିତ ମୁହଁ ଖୋଜୁଛି । ହଠାତ ଆଖିପଡ଼ିଗଲା, ଗୋଟାଏ ଚଉତରା ବନ୍ଧା ଓସ୍ତଗଛ ମୂଳେ, ଅନୁଚ୍ଚ ମନ୍ଦିରଟିଏ... କାଳୀ ମନ୍ଦିର । ଶୋଭା, ତା’ର ମାଉସୀ, କ୍ଷେନ୍ତୀ ପ୍ରଭୃତି ପ୍ରତି ଗୁରୁବାର ଦିନ ଏଇ କାଳୀବାଡ଼ୀକୁ ଆସନ୍ତି ପୂଜା ଦେବାପାଇଁ ! ଦେହରେ ସିନା ପଙ୍କ ଲେପିଛନ୍ତି, କିନ୍ତୁ ଭିତରେ ଯେ ଗୋଳାଚନ୍ଦନ ! ପ୍ରତି ସପ୍ତାହରେ କେତେ ବ୍ରତ, କେତେ ଓପାସ !

 

“ରଖ ! ରଖ ! କାଳୀମନ୍ଦିର ପାଖରେ ଓହ୍ଲାଇପଡ଼ିଲି । ସେଦିନ ତ ଓହ୍ଲାଇଥିଲି, ଏଇପରି ଗୋଟାଏ ଜାଗାରେ ! ଗଳିଟା ନିଶ୍ଚୟ ଏଇଠି, କୋଉଠି ପାଖରେ । ଫୁଟ୍‌ପାଥ୍‌ରେ ଚାଲୁଚାଲୁ ଗୋଟାଏ ବହୁ ପରିଚିତ ସ୍ଥାନର ବାସ୍ନା ପାଇଲି । ସେଲୁନ୍‌ଟାଏ ନୂଆ ଖୋଲିଚି ପରା ! ସେଦିନ ତ ଦେଖିନଥିଲି ! ହଠାତ୍ ଉଠିଆସିଲି ସେଲୁନ୍ ଭିତରକୁ ! ଅଇନାରେ ନିଜ ଚେହେରା ଦେଖିଲି । ପ୍ରକୃତରେ ଦାଢ଼ିଗୁଡ଼ା ଅରମା ହୋଇ ବଢ଼ିଛି ! ...ସେଲୁନ୍‌ବାଲା କହିଲା... “ତମ ଚୂଳ ଆଉ ଦାଢ଼ିର ଯୋଉ ଅବସ୍ଥା ନାଁ, ବାରଣା ପଇସାରୁ ଅଧଲାଟାଏ ବି କମ୍ ନେବିନାହିଁ ।” ଦାଢ଼ି ଉପରେ ସିଏ ବୋଧହୁଏ ଆରମ୍ଭ କରିବ ପ୍ରଥମ ଆକ୍ରମଣ ! ଖଣ୍ଡେ ଲମ୍ବା ଚଉକୋଣିଆ ପଥରଉପରେ ଖୁର ଘଷିଲାଣି । ମୁଁ ଗୋଟାଏ ଉଞ୍ଚା ଚଉକି ଉପରେ ପଛକୁ ବେକ ଭାଙ୍ଗି ବସିପଡ଼ିଲି । ଅଇନାରେ ହଠାତ୍ ବୋଉ ମୁହଁଟା ଭାସିଉଠିଲା । ବୋଉ ଲୋ, ଏଇ ଦେଖ ତୋ କଥା ରଖି ଦାଢ଼ି କାଟିଦଉଚି । କିନ୍ତୁ ପଞ୍ଚୁପାଣ୍ଡବ ଦେଉଳରେ କନ୍ୟାଦେଖାଟା ଆଉ ହବନାଇଁ !

 

“ଦାଢ଼ି କୋଉ କଟ୍ ଛାଡ଼ିବ ? ଫ୍ରେଞ୍ଚ୍ କଟ୍ ହେଲେ ନେବି କିନ୍ତୁ ଆଉ ଚାରଣା ଅଧିକା । ସେଥିରେ କାରିଗରୀ ଅଛି ତ !”

 

“ପୂରାପୂରି ସାଫ୍ କରିଦିଅ” ...ଉତ୍ତରଦେଲି, ବେଶ୍ ଦୃଢ଼ ଅପରିବର୍ତ୍ତନୀୟ ସିଦ୍ଧାନ୍ତ ନେଇଥିବା ପରି କଣ୍ଠରେ !

 

ଦାଢ଼ିଟା ପ୍ରକୃତରେ ଗୋଟାଏ ମୁଖା, ଗୋଟାଏ ଛଦ୍ମବେଶ ! ଏ ପର୍ଯ୍ୟନ୍ତ ମୋ ମୁହଁରେ ଥିଲା ଗୋଟାଏ ମୁଖା । ମୁଖାଟା ଖସିପଡ଼ିବା ପରେ ଏ ନୂଆ ମାନାକୁ ମୁଁ ଚିହ୍ନିପାରିଲି ନାହିଁ । ଅଇନାରେ ଏ ମୁହଁଟା କାହାର ?

 

କତୁରୀ କଚ୍ କଚ୍ କରି, ସେଲୁନ୍‌ବାଲା ମୋ ମୁଣ୍ଡଟାକୁ ଝାଙ୍କି ବୁଲାଇଦେଲା ! ମୋର ଲମ୍ବା ଅଲରା ବାଳ ଉପରେ ତା’ର କ୍ରୋଧ ମଧ୍ୟ କମ୍ ନୁହେଁ ଦେଖୁଚି !

 

ସେଲୁନ୍‌ରୁ ବାହାରି ଫୁଟ୍‌ପାଥ୍ ଉପରେ ଗୋଟାଏ ମାଟି ଭାଣ୍ଡରୁ ଚା’ ପାଉଚି... ହଠାତ କାହାର ଗୋଟାଏ ବଜ୍ର ମୁଷ୍ଟି ମୋର ଦୁଇ କାନ୍ଧକୁ ଜୋର୍‌ରେ ହଲାଇଦେଲା । ଚମକିପଡ଼ି ଚାହିଁ ଦେଖେ, ମୋଠାରୁ ଅଳ୍ପ ଡେଙ୍ଗା । ଜଣେ ବଳିଷ୍ଠ ଯୁବକ, ମୋତେ ଚାହିଁ ମୁର୍‌କି ମୁର୍‌କି ହସୁଛି । କିନ୍ତୁ କିଏ ଏ ଲୋକଟା ? ଚିହ୍ନିଲା ଚିହ୍ନିଲା ପରି ଲାଗୁଛି; ଅଥଚ ଚିହ୍ନିପାରୁ ନାହିଁ ! ପିନ୍ଧିଚି ମିଲିଟାରୀ ଓଲିଭ୍ ଖାକି ରଙ୍ଗର ଗୋଟାଏ କାମିଜ୍ ଭଳି କୁର୍ତ୍ତା । ଅଣ୍ଟାରେ ଚଉଡ଼ା ବେଲ୍‌ଟ । ମୁଣ୍ଡରେ ଫଉଜୀ ଟୋପି ! ମୁଁ କ’ଣ ଏଠି ଗିରଫ ହେଲି କି ?

 

“ଚିହ୍ନିପାରିଲ ନାଇଁ ଦାଦାବାବୁ ? ମୁଁ ଯେ ନୁଟ୍‌ନା !” ...ହାଃ–ହାଃ–ହାଃ...ଅଟ୍ଟହାସ କରିଉଠିଲା ସେ ! ...ଠିକ୍ ଜାଣିଚି ଭୁଲିଯିବଣି !” ଏମାନେ ଯେପରି ମୋର କୋଉ ଯୁଗର ଆତ୍ମୀୟ-!

 

“କିନ୍ତୁ ତୋତେ ତ ଦେଖିଥିଲି ଭାଇ, ଖଣ୍ଡେ ନେଳିଆ ଲୋଚାକୋଚା ହାଫ୍‌ପାଣ୍ଟ୍ ଆଉ ଛିଣ୍ଡା ହାଫସାର୍ଟ୍‌ରେ...ପକେଟମାର୍ ଧନ୍ଦା କରୁଥିଲୁ ! ଏବେ ଫଉଜରେ ମିଶିଲୁଣି ନାଁ କ’ଣ ?” ...ଖାଲି ମାଟିଭାଣ୍ଡଟା ତଳକୁ ପକାଇଦେଲି ।

 

ନୁଟ୍‌ନା କହିଲା...”ନାଁରେ ଦାଦା, ପକେଟ୍‌ମାର ଧନ୍ଦାରେ ତାଲିମ୍ ଦେଉଚି ଏବେ ଅନ୍ୟ ପିଲାମାନଙ୍କୁ । ନିଜେ ସେ ଧନ୍ଦା ଛାଡ଼ିଦେଇଚି । ମୁଁ ଏବେ ଏଇ ବସ୍ତିର ମସ୍ତାନ୍ !”

 

ଚାଲି ଚାଲି ଆମେ ଆସି ପହଞ୍ଚିଗଲୁ, ଅଳ୍ପ ପାଖରେ ସେଇ ଅଣଓସାରିଆ ଗଳି ମୁଣ୍ଡରେ । ନୁଟ୍‌ନା ଗୋଟାଏ ହୁଇସିଲ୍ ମାରିଲା । ପାଖରେ କୋଉଠି ଥିଲା ସୁଟ୍‌କା, ଧାଇଁଆସିଲା । “ଦାଦାବାବୁ ଯେ ! ଅନେକ ଦିନ ପରେ ପାଦ ପଡ଼ିଲା !” ସେ ବି ମୋତେ ଚିହ୍ନିପାରିଚି ପ୍ରଥମ ଦେଖାରେ । ସୁଟ୍‌କାର ଦାନ୍ତ ସେଇପରି ଚିକ୍‍ଚିକ୍ । ସେ ମଧ୍ୟ ପିନ୍ଧିଚି ନୁଟ୍‌ନା ପରି ପୋଷାକ । କିନ୍ତୁ ମୁହଁରେ ତା’ର ଗୋଟାଏ ଦାଢ଼ି !

 

“ତୁ ବି ମସ୍ତାନ୍ ହେଲୁଣି ନାଁ କଣରେ ସୁଟ୍‌କା ?” –ମୁଁ ପଚାରିଲି ।

 

ସୁଟ୍‌କା ଉତ୍ତର ଦେଲା...”ମୁଁ ନୁଟ୍‌ନାଦାର ଆସିଷ୍ଟାଣ୍ଟ୍ !”

 

ଆମେ ଗଳି ଭିତରକୁ ପଶିଲୁ । ଅଣଓସାରୀ ଗଳି ଦୁଇକଡ଼େ, ସେଇପରି ରେଲିଙ୍ଗ୍ ଦିଆ କାନ୍ଦୁରା କାନ୍ଦୁରା, ଶିଉଳିଧରା କୋଠା । ଗୋଟାଏ ଘରୁ ହାରମୋନିଅମ୍ ଧରି ଫଟା ଗଳାରେ କିଏ ଗୋଟାଏ ଗୀତ ସାଧୁଚି ରେଲିଙ୍ଗ୍ ଉହାଡ଼ରେ କୋଉଠି କୋଉଠି କଲେଇଛଡ଼ା ବାଟି ପରି ଉଚ୍ଚ ମାରୁଛି ଗୋଟାଏ ଗୋଟାଏ ମୁହଁ । ନୁଟ୍‌ନାକୁ ସେଇ ସମ୍ଭାଷଣ...‘‘ଦାଦା ପେନ୍ନାମ୍ !”–“ଆରେ ମୋର ଦାଦାବାବୁକୁ ଆଗେ ପେନ୍ନାମ୍ କର !” ନୁଟ୍‌ନା କହୁଛି ।

 

ସୁଟ୍‌କା ହଠାତ୍ କହିଲା... “ବିନ୍ଦିଆକୁ ଜବରଦସ୍ତ ନେଇଯିବା ପାଇଁ ଆସିଥିଲେ କସ୍‍ବାରୁ ସେମାନେ, ସାତ ଆଠ ଗୁଣ୍ଡା ! ସକାଳେ !”

 

“ତା’ପରେ ?” ...ଶାନ୍ତ କଣ୍ଠରେ ପଚାରିଲା ନୁଟ୍‌ନା !

 

ସୁଟ୍‌କା ଉତ୍ତର ଦେଲା...”ମୁଁ ପାଇପ୍ ଗନ୍ କାଢ଼ି ଗଳି ମୁଣ୍ଡରେ କହିଲି, ଥ୍ରୀ କହିବା ଆଗରୁ ନଯାଇଛ ତ ଦମାଦମ୍ ଗୁଳି ମାରି ଉଡ଼ାଇଦେବି ! ସେମାନେ ଧମକାଇ ଯାଇଛନ୍ତି, ଆସିବେ ଆଉଦିନେ, ସେମାନଙ୍କ ବି ଅଛି ପାଇପ୍ ଗନ୍ !”

 

ନୁଟ୍‌ନା କହିଲା...”ଠିକ୍ ଅଛି, ସୋଡ଼ାବୋତଲ୍ ଆଉ ଡବଲ ପାଉଁରୁଟି ଜୋଗାଡ଼ କରି ରଖ, ହାସିନା ଘର ଛାତ ଉପରେ । ଆଉ ଗୋଟାଏ କାହାକୁ ଡିଉଟି ଲଗେଇଦେ ସେଠି ! ସେମାନେ ଗଳି ଭିତରକୁ ପଶିଲେ ଧମାଧମ୍ ଡବଲରୋଟୀ !”

 

ଇଏ ଏକାଥରେ ମିଲିଟାରୀ କାର୍‌ବାର୍ ! ଏମାନେ ଏତେ ହିଂସ୍ର ନଥିଲେ ତ ! ମହାଯୁଦ୍ଧ ଆଜି ବୋଧହୁଏ ପ୍ରାଣେ ପ୍ରାଣେ ଜାଳିଦେଇଚି ହିଂସା, ଜିଙ୍ଘାସାର ଦାବାନଳ ! ପାଇପ୍ ଗନ୍ ତ ବୁଝିଲି । କିନ୍ତୁ ଡବଲ ରୋଟୀ କ’ଣ ? ପଚାରିଲି । ସୁଟ୍‌କା ହାତ ପାପୁଲି ଗୋଲ୍ କରି ବୁଝାଇଦେଲା ସଙ୍କେତରେ । ବୋଧହୁଏ ହାତବୋମା !

 

କିନ୍ତୁ ବିନ୍ଦିଆ କିଏ ? ନାଁଟା ତ ବେଶ୍ ଚମତ୍କାର ! ତାପରେ କାହିଁକି ଏ ରଣସଜ୍ଜା-? ‘‘ବିନ୍ଦିଆ କିଏରେ ?” ନୁଟ୍‌ନା କହିଲା... “ମୁଜାଫର୍‌ପୁରରୁ କେତେଜଣ ଦଲାଲ ବେୟାଲିସ୍ ସାଲ୍‌ର ଅକାଳ ବେଳେ ତାକୁ ଆଣି ବିକ୍ରି କରିଦେଇ ଯାଇଥିଲେ, ରାଣୀ ମାସୀ ଘରେ । ବିନ୍ଦିଆ କିନ୍ତୁ ଏଠିକୁ ଆସିବା ଦିନୁ ଖାଲି କାନ୍ଦୁଚି । ସିଏ କହୁଚି ରାସ୍ତାକାମ କରିପାରିବ ସେ । କିନ୍ତୁ ଇଏ ନୁହେଁ । ରାଣୀମାସୀକୁ କାନ୍ତୁଦା କହିଲା, ଦିଗୁଣା ଟଙ୍କା ଦେବି ତତେ । ପଠେଇଦେ ତାକୁ ତା’ ଦେଶକୁ ! ସେଠି ସେ ବାହା ସାଦୀ ହେଉ । ରାଣୀମାସୀ ପ୍ରାଣରେ ମାୟା ଅଛି ତ ! ସିଏ ବି ଝିଅର ଚେହେରା ଦେଖି ରାଜି । ଏ ଖବର କସ୍‍ବାର ସେଇ ଦଲାଲ୍‌ମାନେ ପାଇବା ଦିନୁ ଆସୁଛନ୍ତି ବିନ୍ଦିଆକୁ ଫେରାଇନେଇ ଆଉ କୋଉଠି ବିକ୍ରି କରିଦେବା ପାଇଁ । କାନ୍ତୁଦାର କିନ୍ତୁ କଡ଼ା ଅର୍ଡ଼ର, ବିନ୍ଦିଆ ଯେପରି ସେମାନଙ୍କ ହାତରେ ନପଡ଼େ !”

 

ଆରେ କାନ୍ତମାମୁଁଙ୍କ କଥା ଏ ପର୍ଯ୍ୟନ୍ତ ପଚାରିପାରିଲି ନାହିଁ ତ ?

 

“କାନ୍ତ ମାମୁଁ ଖବର କ’ଣ ?”

 

ଆମେ ଚାଲିଥିଲୁ, କାନ୍ତ ମାମୁଁଙ୍କ ଆସନ୍ତା ଆଡ଼େ, ଶୋଭାର ମାସୀମାରେ । ଆଉ ଶୋଭା ଖବର କ’ଣ ? କେତେଥର ଛେପ ଢୋକି ପଚାରିଲି...ଶୋଭା ସେଇ ଜାହାଜୀ ସାହେବମାନଙ୍କ ହୋଟେଲ୍‌କୁ ଯାଉଛି ନାଁ କ’ଣ ?”

 

ସୁଟ୍‌କା କହିଲା... “ଶୋଭାଦି ଏବେ ସତୀ ସାବିତିର୍ ହୋଇଚି ସାରଦାବାବୁ ! ବାଗ୍‌ବଜାରର ଏକ ମାରଓ୍ଵାଡ଼ିର ରଖ୍‌ନି ! ମାରଓ୍ଵାଡ଼ି ବାଗ୍‌ବଜାରରେ ଶୋଭାଦି ପାଇଁ ଗୋଟାଏ ଘର ବି ବନେଇଦେଇଚି !” ମନ ଭିତରେ ଈର୍ଷାର ତୁଷାନଳ ! ଶୋଭା, ମାରଓ୍ଵାଡ଼ିର ରକ୍ଷିତା ହେଉ କି ଭିତିରେ ଜାହାଜୀ ସାହେବମାନଙ୍କ ପାଖକୁ ଯାଉ, ତୋର କ’ଣ ଯାଏରେ ଯାଯାବର ?

 

ସୁଟ୍‌କା କହିଲା... “ଶୋଭାଦି ପ୍ରତି ବୃହସ୍ପତିବାର୍ ଘୋଡ଼ାଗାଡ଼ି ଚଢ଼ି ଯେତେବେଳେ ଆମ କାଳୀବାଡ଼ିକୁ ଆସେ ନା, ତାକ୍ ଲାଗିଯାଏ ! ନାଲିପାଡ଼୍ ରଦଶାଢ଼ି । ଭିଜା ଚୂଳ ଅଣ୍ଟାତଳ ପର୍ଯ୍ୟନ୍ତ ଲମ୍ବିଛି । ହାତରେ ପୂଜା ଥାଳି, ସେଥିରେ ନଡ଼ିଆ, ବେଲପତ୍ର ଆଉ ସବୁ କ’ଣ ମଥାମୁଣ୍ଡ ! ଏକାଥରେ ସତୀ ସାବିତିର୍ !”

 

ମୁଁ ସିଗ୍ରେଟ୍‌ର ଗୋଟାଏ ଟାଣ ଦେଇ କହିଲି... “ସବୁ ଝିଅ, ଶୋଭା ଆଉ ସତୀ ସାବିତ୍ରୀଙ୍କ ମିଶାମିଶିରେ ସୁଟ୍‌କା । ସମାଜ କେବଳ, ସେମାନଙ୍କୁ ଟାଣିଆଣେ ତମର ଏଇ ଅନ୍ଧଗଳିକୁ !” ତିଳବାଈ ଭିତରେ ମୁଁ କ’ଣ ସତୀସାବିତ୍ରୀର ଚେହେରା ଦେଖିନାଇଁ ?

 

କିନ୍ତୁ ଭିତରେ ଭିତରେ, କିଏ ଯେପରି ଗୋଟାଏ ସ୍ପର୍ଶାତୁର କ୍ଷତଚିହ୍ନକୁ ବାରମ୍ବାର ଛୁଇଁଯାଉଛି ! ଇଏ ଈର୍ଷା । ଇଏ ଶୋଭା ପ୍ରତି ମୋର ଅନ୍ଧମୋହ । ମୋ ହାତମୁଠାରୁ ମୋର ଐଶ୍ୱର୍ଯ୍ୟ ବାଗ୍‌ବଜାରର ସେଇ ମାରଓ୍ଵାଡ଼ୀ ଯେପରି ଛଡ଼ାଇନେଇଛି ! ଯାଯାବର, ଏ ମନଟା ଏକ ବିଚିତ୍ର ଜାନୁଆର୍‌ରେ ! ଆକୁ ଚିହ୍ନିଚି ଗଉରା ମଳିକ, ଚଉକିଦାର । ସେଦିନ ନିଛାଟିଆ ନଈବନ୍ଧରେ, ସେଇ ଅର୍ଜୁନଗଛ ମୂଳେ ଛପିଛପିକା ଜହ୍ନ ଆଲୁଅରେ ବସି କହୁଥିଲା, ମନଟା କୁଆଡ଼େ ପାଗଳା ହାତୀ ! ଏ କଥା ତାକୁ କହିଥିଲା ବଙ୍କା ଦାସ ବାବାଜୀ ମନ ମୋର ବାଇଆ ହାତୀ, ବୁଦ୍ଧି ତାକୁ ଆଗୁଳେ ନିତି ବଙ୍କାଦାସ ବାବାଜୀକୁ ଥରେ ଜାଗୁଳେଇ ବର ମୂଳେ ଦେଖିଥିଲି । ଆଖିବୁଜି ଚିଲମ୍‌ ଶୋଷୁଥିଲା ।

 

ମୁଁ କହିଲି... “ଶୋଭାର ସଦ୍‌ଗତି ହେଲା, ଭଲହେଲା । କିନ୍ତୁ କାନ୍ତ ମାମୁଁଙ୍କ ଖବର କ’ଣ ?”

 

ଏଥର ଉତ୍ତର ଦେଲା ନୁଟ୍‌ନା... “ବୟାଲ୍ଲିଶ୍ ଆନ୍ଦୋଳନ ହରତାଳରେ କାନ୍ତୁଦା ଟ୍ରାମ୍ ପୋଡ଼ିଲାବେଳେ, ପୁଲିସ ଚଳାଇଲା ଗୋଲୀ ହାସପାତାଳରେ ଡାକ୍ତରମାନେ ଆଣ୍ଠୁଠୁ ପାଦଟା ଏକଦମ୍ କାଟି ଉଡ଼ାଇଦେଲେ । କାନ୍ତୁ ଦା ଏବେ ଗୋଟାଏ ପାଦରେ ଚାଲେ, କାଖତଳେ କାଠ କ୍ରଚ୍ ଧରି ।”

 

“କାନ୍ତମାମୁଁ ବି ତାହେଲେ ବୟାଳିଶ କର–ବା–ମର ଆନ୍ଦୋଳନରେ ଯୋଗଦେଇଥିଲେ-?” –ମୁଁ ପଚାରିଲି । କାନ୍ତମାମୁଁଙ୍କ ପ୍ରାଣରେ ବିହେଲେ ବାଜିଥିଲା କର–ବା–ମରର ପ୍ରତିଧ୍ଵନି-? ତାହେଲେ ମୋର ରାସ୍ତା ଠିକ୍ ଅଛି ।

 

ଏଇଠି, ଏଇ ପିଣ୍ଡାଉପରେ ସେଦିନ ଚାରିକାତ୍ ମେଲାଇ ଅର୍ଘାସୁର ପରି ଶୋଇଥିଲା, ଅମୀର ଚାଚା । ବାଳୁଆ ଛାତିରେ ଗୋଟାଏ ମୋଟା ନାଲିଆ ହିଡ଼ ! ଛୁରି ଭୁସାର କ୍ଷତଚିହ୍ନ ! “ଅମୀର୍ ଚାଚା ଖବର କ’ଣ ?”

 

ନୁଟ୍‌ନା ଉତ୍ତର ଦେଲା...”ଦୁଇ ବସ୍ତି ଲଢେ଼ଇରେ ତାକୁ କିଏ ଛୁରି ଭୂଷିଦେଲା ପେଟରେ-। ସେଇଠି ଖତମ୍ ! ସେଇଥିପାଇଁ ତ ମୁଁ ଏବେ ଏ ପଡ଼ାର ମସ୍ତାନ୍ !”

 

ଆଗରେ ଗଳିମୁଣ୍ଡରେ, ଶୋଭାମାସୀମା’ର ସେଇ କାନ୍ଦୁରା, ଶିଉଳିଧରା ଦୋତାଲା କୋଠା । ଗୋଟିଏ ଦୁଇଟା ଓସ୍ତ ଗଛ ଉଠିଲାଣି କାନ୍ଥ ଫାଟରେ । ଏବେ ସେ କାଠ ଶିଡ଼ି ଉପରେ ଉଠିବା ପାଇଁ ଭୟ ନଥିଲା, କିମ୍ବା ଶିଡ଼ିଟା ଦୋହଲୁନଥିଲା ! ଭିତରୁ ଶୁଭୁଥିଲା ଗୋଟାଏ ରେଡ଼ିଓରେ ଫଟା ଆୱାଜ ! ଶିଡ଼ିରେ ଏତେ ଗୁଡ଼ାଏ ପାଦଶବ୍ଦ ଶୁଣି ଭିତରୁ ଗୋଟାଏ ଘାଉଲା ବାଘ କଣ୍ଠର ଗର୍ଜନ ପରି, କାନ୍ତମାମୁଁଙ୍କ ଚିତ୍କାର ଶୁଭିଲା...”କିଏ ?”

 

କାନ୍ତମାମୁଁଙ୍କର ସେଇ ଘର । ବାହାରେ ଝୁଲୁଚି ଗୋଟାଏ ଛିଣ୍ଡା ପର୍ଦ୍ଦା । ଭିତରଟା ଛାଇଛାଇଆ; ଝରକା କାଚରେ ଏ.ଆ.ର.ପି.ର କଳା ଢାଙ୍କୁଣି ପାଇଁ । କାନ୍ତମାମୁଁ ଗୋଟାଏ ଖଟଉପରେ ଶୋଇ ରେଡ଼ିଓ ଶୁଣୁଛନ୍ତି । ରେଡ଼ିଓଟାଇ ଯେପରି ବାହାର ପୃଥିବୀ ସହିତ ତାଙ୍କର ଏକମାତ୍ର ଯୋଗସୂତ୍ର । ଖଟପାଖରେ ଟେବୁଲ୍ ଉପରେ ବସିଛି ଗୋଟାଏ କଳା ବିଲେଇ । ତା’ର ଆଖିଦୁଇଟା ଛାଇ ଛାଇଆ ପାତଳା ଅନ୍ଧାର ଭିତରେ ଦୁଇମୁଣ୍ଡା ରଡ଼ନିଆଁ ପରି ଦିଶୁଛି ।

 

“କିଏରେ ଏଟା ?” ...କାନ୍ତ ମାମୁଁ ପଚାରିଲେ ।

 

ନୁଟ୍ ନା ଉତ୍ତର ଦେଲା...‘‘ମାନଦା ଆସିଛି !”

 

“ମାନା ! ...ମାନା ! ମାନା ଆସିଛି ? ଜାନ୍‌ଲାଟା ଖୋଲିଦେ ତ !” ସେ ବୋଧହୁଏ ମୋତେ ଭଲକରି ଦେଖିବାପାଇଁ ଚାହାନ୍ତି ।

 

ଝରକା ଖୋଲିଦେଲା ନୁଟ୍‍ନା । ଆଲୁଅରେ କାନ୍ତମାମୁଁଙ୍କ ଚେହେରା ଆଉରି ଭୟଙ୍କର ଦିଶୁଛି । ମୁଣ୍ଡରେ ଚନ୍ଦା ପଡ଼ିଲାଣି । ସାପ ପରି ସେ ଲମ୍ବା ବାଳ ନାହିଁ । ଦୁଇଟା କୋରଡ଼ ଭିତରେ ଆଖିଦୁଇଟା କିନ୍ତୁ ଦପ୍‍ଦପ୍ କରୁଛି । ଦାଢ଼ି ଅଧେ ପାଚିଗଲାଣି । ପଞ୍ଜାବୀ ତଳୁ ପଞ୍ଜରା ହାଡ଼ ବେଶ୍ ବାରିହୋଇଯାଉଚି । ଏ କ’ଣ ହୋଇଛି କାନ୍ତମାମୁଁଙ୍କ ଚେହେରା ? କାନ୍ତମାମୁଁ ଖଟଉପରେ ଉଠିବସିଲେ । ସେଇଠି ଖଟ ପାଦପାଖକୁ ଡେରାହୋଇଚି ଗୋଟାଏ କ୍ରଚ । କାନ୍ତମାମୁଁ ଏଇ କ୍ରଚ ଉପରେ ଭାରାଦେଇ ଚାଲନ୍ତି ପରା ! ବଡ଼ ବିଷଣ୍ଣ ପରିବେଶ ! କଲିକତା ଆସି ଭୁଲ୍ କରିଛି । ମୁଁ ଆସିଥିଲି କାନ୍ତମାମୁଁଙ୍କ ପାଖରୁ ପ୍ରେରଣା ପାଇଁ । କିନ୍ତୁ ପ୍ରେରଣା ପରିବର୍ତ୍ତେ ଇଏ ଯେ ଅବସାଦ ! ମନ ସଙ୍କୁଚିତ ହୋଇଯାଉଛି, କାନ୍ତମାମୁଁଙ୍କ ଚେହେରା ଦେଖି !

 

କାନ୍ତମାମୁଁ ମୋଆଡ଼େ ତୀକ୍ଷ୍‌ଣ ଦୃଷ୍ଟିରେ ଚାହିଁ ପଚାରିଲେ..‘‘କିରେ, ଦେଶ ଉଦ୍ଧାର କରି ଫେରିଲୁ ? ଜେଲରେ ଖିଚଡ଼ି ଖାଇ ତ ବେଶ୍ ଗୋଲ୍‍ ଗୋଲ୍ ଦିଶୁଚି !” ଜେଲ୍ ଖିଚଡ଼ି ତ ଖାଇ ନାହିଁ; କିନ୍ତୁ କେତୀର ଚିତୋଉ ପିଠା, ଗୋବରା ଚଉକିଆର ଖଜୁରିରସ, ଗାଁରେ ବୋଉର ପଖାଳ ପରସା, ମୋତେ ପ୍ରକୃତରେ ଗୋଲ୍ ଗୋଲ୍ କରିଦେଇଚି !

 

ଜେଲ୍‌ରେ କ’ଣ ଖିଚ୍ଡ଼ି ଖାନ୍ତି କୟଦିମାନେ ? ପ୍ରଜ୍ଞାଭଦ୍ରଜୀ ତ କହୁଥିଲେ ସେଇ ଖିଚ୍ଡ଼ି କଥା ! କାନ୍ତମାମୁଁଙ୍କ ପାଖରେ ତାହେଲେ ପହଞ୍ଚିଯାଇଛି, ମୋର ଜେଲ୍ ଯିବା ଲିଜେଣ୍ଡ୍‌ ! କାନ୍ତମାମୁଁଙ୍କୁ କହିବାପାଇଁ ଇଚ୍ଛାହେଲା ନାହିଁ, ମୁଁ ଜେଲ୍ ଯାଇନାହିଁ । ଥିଲି ଅଣ୍ଡର୍‌ଗ୍ରାଉଣ୍ଡ୍‌ରେ । କର–ବା–ମର ଆନ୍ଦୋଳନରେ ମୋର ଏକମାତ୍ର ଭୂମିକା–ଗୋଟାଏ ଛୋଟିଆ ମଫସଲୀ ଡାକଘରପୋଡ଼ି !

 

କାନ୍ତମାମୁଁ ବାଁ ଜଙ୍ଘ ଉପରେ ଅକାରଣରେ ଗୋଟାଏ ଚାପୁଡ଼ା ପିଟି, ପାଗଳ ପରି ହୋ–ହୋ ହୋଇ ହସିଉଠିଲେ । ତା’ପରେ କହିଲେ... “ଶାଲା, ଗୋଟାଏ ଗୋଡ଼ ଗଲା ମୋର !” ଓଃ ! କି ବିଭତ୍ସ ଦିଶୁଚି, ଆଣ୍ଠୁଉପରୁ ଯେଉଁଠୁ ଗୋଡ଼ କଟାଯାଇଛି–ସେଇ ଜାଗାଟା ! ଗୋଟାଏ ମାଂସ ପିଣ୍ଡୁଳା !

 

କାନ୍ତମାମୁଁଙ୍କ ହାଡ଼ୁଆ ମୁହଁରେ ଖଣ୍ଡେ ସିଗାରେଟ ଦପ୍‍ଦପ୍ ଜଳିଉଠିଲା । ଟେବୁଲ୍ ଉପରେ ରହିଛି ଦୁଇଥାକ ତାସ୍ । ଗୋଟାଏ ଥାକ ତାସ୍ ଫଟାଫଟ୍ ଫେଣ୍ଟି କାନ୍ତମାମୁଁ ପୁଣି କହିଲେ...“ଦେଶ ! ଦେଶ ! ଦେଶ ଉଦ୍ଧାର ଏପରି ହୁଏ ନାହିଁ, ହୋଇନାହିଁରେ ମାନା ! ବକ୍ତୃକ୍ତା ଦେଇ ଚିଠି ଲେଖି, କେହି କେବେ ସ୍ଵାଧୀନତା ପାଇନାହିଁ ! ବାହୁବଳରେ ଛଡ଼େଇ ଆଣିବାକୁ ପଡ଼େ ସ୍ଵାଧୀନତା ! ତୁ କାହିଁକି କଲେଜ ଛାଡ଼ିଲୁ ? ତୋ ବାପା ହା–ହୁତାଶ କରି ଚିଠି ଲେଖିଥିଲା । ମୁଁ ଜାଣେ ନିଧିଭାଇଙ୍କର ବଡ଼ ଆଶା ଥିଲା, ତୁ ହାକିମ ହେବୁ ! ଏବେ ଦେଖିବୁ ଦେଶ ଯଦି ସ୍ୱାଧୀନ ହୁଏ, ହେବ ହାକିମମାନଙ୍କର, ହାକିମମାନଙ୍କ ପାଇଁ !”

 

କାନ୍ତମାମୁଁ ହଠାତ୍ ଉତ୍ତେଜିତ ହୋଇପଡ଼ିବାର କାରଣ କ’ଣ ଥିଲା, ବୁଝିପାରିଲି ନାହିଁ । ସେ ହିଂସ୍ର ଭାବରେ ହଠାତ୍ କ୍ରଚ୍‌ଟା ବାଁ କାଖତଳେ ରଖି ଘରଭିତରେ ପାଦଚାରଣା ଆରମ୍ଭ କରିଦେଲେ ! କାନ୍ତମାମୁଁ କ’ଣ ଇଏ ସବୁ କହୁଚନ୍ତି ? ମୁଁ ଭୁଲ୍ କରିଚି ? ତାହେଲେ ତମେ ଗୋଡ଼ ହରେଇଲ କାହିଁକି ? ଭୟ ଲାଗିଲା ପଚାରିବା ପାଇଁ !

 

ଘର ଭିତରକୁ ଧଇଁସଇଁ ହୋଇ ଦଉଡ଼ିଆସିଲା, ବାର ତେର ବର୍ଷର ଗୋଟାଏ ନହନହକା ଟୋକା ! ପିନ୍ଧିଚି ଖଣ୍ଡେ ଖାକି ହାଫ୍ ପ୍ୟାଣ୍ଟ୍ । ଦେହରେ ଗୋଟାଏ ଛିଟଗେଞ୍ଜି । ଆଖିଦୁଇଟା ହସରେ ଉଜ୍ଜ୍ୱଳ !

 

“ଦେଖି, ଆଜି କି ଶିକାର୍ ପାଇଲୁ କେଷ୍ଟୋ !... “କାନ୍ତମାମୁ ବଢ଼େଇଦେଲେ ଗୋଟାଏ ଶିରାଳ ହାତ ।

 

ସେ ପିଲାଟି ନାହିତଳୁ ଗୋଟାଏ ପର୍ସ୍ କାଢ଼ି, ଧରାଇଦେଲା ତାଙ୍କ ହାତରେ, ଯେମିତି ନୁଟ୍‌ନା ଦିନେ ଧରାଇ ଦେଉଥିଲା । କାନ୍ତମାମୁଁ ଗଣି ଦେଖିଲେ, ପଚିଶ ଟଙ୍କାର ନୋଟ ! ତାପରେ କେଷ୍ଟୋ ହାତକୁ ଖଣ୍ଡେ ପାଞ୍ଚ ଟଙ୍କିଆ ନୋଟ୍ ଫିଙ୍ଗିଦେଇ, ନୁଟ୍‌ନାକୁ କହିଲେ... “ରାଣୀ କହୁଥିଲା, ବିନ୍ଦିଆକୁ ସେ ଆଉ କେତେଦିନ ବସେଇ ବସେଇ ପୋଷିବ ? ତା’ର ତ ନିଜ ରକ୍ଷଣ ଅସମ୍ଭବ ! ରାଣୀକୁ ଯା ଦେଇଆସିବୁ ଦଶଟଙ୍କା ! ଆଉ ମୋ ପାଇଁ ବିଅର !”

 

କେଷ୍ଟୋ ଚିଲ ପରି ଧାଇଁ ପଳେଇଲା । ଆଜି ତା’ର ପାଞ୍ଚଟଙ୍କା ରୋଜଗାର ! ବାହାରେ ତା’ରି ପାଇଁ ତା’ର କୋଉ ସାଥୀ ଏଇ ହୁଇସିଲ୍ ମାରୁଛି । ଗୋଟାଏ ଚଢ଼େଇର ଅନୁକରଣ କରି ! ସୁଟ୍‌କା ଆଉ ନୁଟ୍‌ନା, ଜାଣନ୍ତି ଫ୍ଲସ୍‌ରେ ହାରି, କାନ୍ତୁଦାର ମିଜାଜ ଖରାପ ! ମୋରି ପାଇଁ କେବଳ ସେମାନେ ତା’ ସାମ୍‌ନାକୁ ଆସିଥିଲେ ଯେପରି ! ଓଃ ! ସେଥିପାଇଁ କାନ୍ତମାମୁଁ ଏତେ ପେସିମିଷ୍ଟିକ୍ ପରା ! ସେମାନେ ମଧ୍ୟ ସେଠାରୁ ପଳାଇବା ପାଇଁ ଉସ୍‌ଖୁସ୍ ହେଉଥିଲେ ।

 

ମୁଁ ପଚାରିଲି... “ମୁଁ କ’ଣ କରିବି କାନ୍ତମାମୁଁ ?” କହିପାରିଲି ନାହିଁ, ମୁଁ ତମରି ପାଖକୁ ଆସିଥିଲି କାନ୍ତମାମୁଁ, ଅବଲମ୍ବନ ପାଇଁ, ପ୍ରେରଣା ପାଇଁ !

 

କାନ୍ତମାମୁଁ ହଠାତ୍ ମୋଆଡ଼େ ବୁଲିପଡ଼ି କହିଲେ... “ଯା, ରହିବୁ, ସୁଟ୍‌କା ଆଉ ନୁଟ୍‌ନାଙ୍କ ଆସ୍ତାନରେ !”

 

କିନ୍ତୁ ମୁଁ କ’ଣ ଆସିଥିଲି, ସୁଟ୍‌କା, ନୁଟ୍‌ନାଙ୍କ ଆସ୍ତାନାରେ ମୋର ଯୌବନ କ୍ଷୟ କରିବା ପାଇଁ ?

 

ସୁଟ୍‌କା ମୋର ଗୋଟାଏ ବାହା ଧରି କହିଲା... “ଚାଲ ମାନାଦା !”

 

ନାଃ ! ଆଉ ଭଲ ଲାଗୁ ନାହିଁ ଚୁଙ୍ଗ୍–ଦ୍ୱାରେ ବିଅର୍ ପିଆ, ଫ୍ରାୟଡ଼୍–ରାଇସ୍–ପୁତୁଳ, କେଷ୍ଟୋ, ନିତାଇମାନଙ୍କର ନୁଟ୍‌ନାକୁ ପ୍ରଦତ୍ତ ଗୁରୁ–ଦକ୍ଷିଣାରେ ! ବିଅର୍ ପିଇବାବେଳେ, ଚାଇନିଜ୍ ରେସ୍ତାରେଁରେ ବସି, ଚାଉମିନ୍ ନୋହିଲେ ଫ୍ରାୟଡ଼୍–ରାଇସ୍ ଖାଇବା ବେଳେ ମନେହୁଏ, ଆଜି ନିଶ୍ଚୟ କାହାର ପଥି ମାରା ପଡ଼ିଲା, କାହାର ଓଷଦ କିଣା ହୋଇପାରିଲା ନାହିଁ, କାହାର ବା ବଜାର ସଉଦା ବନ୍ଦ ! ଗ୍ଳାସ୍ ଅଧା ଛାଡ଼ିଦେଇ ଉଠିଆସେ । କହେ...‘‘ଏଇ ଆସୁଚି ।” କିନ୍ତୁ ଆଉ ଫେରେ ନାହିଁ ।

 

ସୁଟ୍‌କା କମେଣ୍ଟ୍ କରେ...‘‘ଦାଦାବାବୁ ମୁଣ୍ଡରେ ଛିଟ୍ ଅଛି !”

 

ଏସ୍‌ପ୍ଳାନେଡ଼୍‌ରେ ବୁଲୁଛି । ବାଗ୍‌ବଜାର... ହାରିସନ୍‌ରୋଡ଼... ଚିତ୍‌ପୁର... ବାଲିଗଂଜ୍...ଶିଆଲ୍‌ଦା... ଟଂ ଟଂ କରି ପ୍ରାଗ୍‍ଐତିହାସିକ ଡାଇନୋସାରସ୍‍ମାନଙ୍କ ପରି ଡିପୋରୁ ମାଡ଼ିଆସୁଛନ୍ତି ଟ୍ରାମ୍, ମେଳାମେଳା ପାସେଞ୍ଜର୍‌ଙ୍କୁ ଗର୍ଭସ୍ଥ କରି ଚାଲିଯାଉଛନ୍ତି ! ଗୋଟାଏ ଖାକି ୟୁନିଫର୍ମ ପିନ୍ଧା ଲୋକ ଚିତ୍କାର କରି ଚାଲିଚି... ହାରିସନ୍ ରୋଡ଼... ଚିତ୍ତରଞ୍ଜନ ଏଭିନ୍ୟୁ... ଏସ୍‌ପ୍ଳାନେଡ଼ର ସଙ୍ଗୀତ !

 

ସେଇଠି ବୁଲୁଛନ୍ତି, ଭିଡ଼ଭିତରେ କେଷ୍ଟା, ପୁତୁଳ୍ ଆଉ ନିତାଇ । ଶିକାର୍ ଖୋଜୁଛନ୍ତି ।

 

“କେଷ୍ଟୋ... ଏୟ କେଷ୍ଟୋ !”

 

“ଦାଦାବାବୁ ଯେ ! କୁଆଡ଼େ ଯିବେ ?” ...କେଷ୍ଟା ଦି’ ପାଟି ଦାନ୍ତ ମେଲି ହସିହସି ପଚାରିଲା ।

 

“ତୁ ବିଚରା ଗରିବମାନଙ୍କର ବଜାର ମାରା କରୁଛୁ କାହିଁକି ? ଶେଠ୍‍ମାନଙ୍କର ପକେଟ୍ ତ ଦିନେ କାଟିଲୁ ନାହିଁ !”

 

କେଷ୍ଟୋ ଉତ୍ତର ଦେଲା...”ଶେଠ୍‌ମାନେ ତ ଆଉ ଟ୍ରାମ୍ ବସ୍‌ରେ ଯାଉନାହାନ୍ତି ! ସେମାନେ ଯିବାଆସିବା କରୁଛନ୍ତି ଫିଟନ୍ ନୋହିଲେ କାର୍‌ରେ । ଟ୍ରାମ୍‌ରେ ଉଠନ୍ତୁ ତ ! ସାଫ୍ ହୋଇଯିବ !” ହି–ହି–ହସିଉଠିଲା କେଷ୍ଟୋ । ତା’ ସାଙ୍ଗରେ ଯୋଗଦେଲେ ପୁତୁଳ୍ ଆଉ ନିତାଇ । ତିନୋଟି ନିଷ୍ପାପ ମୁହଁ ! ମୋତେ ଅପରାଧୀ ପରି ଲାଗିଲା ।

 

ମୁଁ କହିଲି...‘‘ଏ ପକେଟକଟା ଧନ୍ଦା ଭାରି ଖରାପ କେଷ୍ଟୋ !”

 

କେଷ୍ଟୋର କଁଅଳ ମୁହଁଟା ହଠାତ୍ କଠୋର ହୋଇଉଠିଲା । ସେ କହିଲା...‘‘ହାରିସନ୍ ରୋଡ଼ର ଶେଠ୍‌ଜୀମାନଙ୍କୁ ଯାଅ ବୁଝାଇବ ସେ କଥା !” ପୁତୁଳ ହୁଇସିଲ୍ ମାରିଲା । ଗୋଟାଏ ଶିକାର୍ ଠାବ କରିଛି ସେ ! କେଷ୍ଟୋ ଏସ୍‌ପ୍ଳାନେଡ଼୍ ଟ୍ରାମ୍ ଡିପୋର ପାସେଞ୍ଜର୍ ଭିଡ଼–ଭିତରେ ହଜିଗଲା ! ଏମିତି ନୀତିବାକ୍ୟ ସେ ଅନେକ ଶୁଣିଛି !

 

ସାରାଦିନ ପାଦରେ ଚାଲିଚାଲି କ୍ଳାନ୍ତ ହେବାପରେ ମଇଦାନ୍‌ରେ ଗୋଟାଏ ଶିରୀଷ ଗଛ ଛାଇରେ ଶୋଇଲି; ମୁଣ୍ଡତଳେ ଝୁଲାମୁଣିଟା ରଖି ! କରିବାର ବା କ’ଣ ଅଛି ? ଶେଷକୁ କ’ଣ ଏମିତି ଶୁଖିଲା ପତ୍ର ପରି ଉଡ଼ି ଉଡ଼ି ଜୀବନ କଟିବ ? ସିରିସିରି ପବନରେ ଆଖିଦୁଇଟା ମୁଦି ହୋଇଗଲା ।

 

ଏ. ଆର୍. ପି. ଘଙ୍କୁଣୀ ତଳେ ସେତେବେଳକୁ ବତୀଖୁଣ୍ଟମାନଙ୍କରେ ମିଞ୍ଜିମିଞ୍ଜି ଆଲୁଅ ଜଳିଲାଣି । ମୁଁ ନୁଟ୍‌ନାର ଆସ୍ତାନା ଆଡ଼େ ଫେରିଲି ।

 

ଗଳି ମୁଣ୍ଡରେ ଠିଆହୋଇଚି ନୁଟ୍‌ନା । ଦିନସାରା ଗଳିଟା ଦରମଲା ସାପ ପରି ଧକୋଉଥିଲା । ଏବେ ବେଶ୍ ଚଞ୍ଚଳ ହୋଇଉଠିଛି ।

 

ନୁଟ୍‌ନା କହିଲା...‘‘କାନ୍ତୁଦା ଆଜି ଫ୍ଳାସ୍‌ରେ ବସିଛି ।”

 

କାନ୍ତମାମୁଁ କେମିତି ବ୍ଲାଇଣ୍ଡ ଖେଳନ୍ତି ଦେଖିବାପାଇଁ ପ୍ରବଳ ଆଗ୍ରହ ଥିଲା । ମୁଁ କହିଲି... “ଚାଲ ଯିବା !”

 

ନୁଟ୍‌ନା କହିଲା...”ଖେଳ ପାଖକୁ ବାହାର ଲୋକ ଯିବା ମନା !” ସୁଟ୍‌କା ଗାର୍ଡ଼ ଦଉଚି ଶିଡ଼ି ପାଖରେ । ବାଦଲ୍ ଗାର୍ଡ଼ ଦେଉଥିବ ପର୍ଦ୍ଦା ବାହାରେ । ତମେ ଦାଦାବାବୁ, ଠିଆହେବ କିନ୍ତୁ ପର୍ଦ୍ଦା ବାହାରେ, ବାଦଲ୍ ପାଖରେ । ସବୁ ଦେଖିପାରିବ ସେଠୁ । ଭିତରକୁ ଗଲେ କାନ୍ତୁଦା ଭୟଙ୍କର ଚିଡ଼ିବ !”

 

ସୁଟ୍‌କା ଶିଡ଼ି ତଳେ ମତେ ମଧ୍ୟ ସେଇଆ ସତର୍କ କରିଦେଲା । ପର୍ଦ୍ଦା ଏପଟେ ବାଦଲ୍ ମୋର ଗୋଟିଏ ବାହା ଚାପିଧରି ଫିସ୍‍ଫିସ୍ କଣ୍ଠରେ କହିଲା... ‘‘ଭିତରକୁ ଯାଇପାରିବ ନାହିଁ ଦାଦାବାବୁ !”

 

କାନ୍ତମାମୁଁ ଖଟଉପରେ ବସିଚନ୍ତି ଚେକା ପକାଇ । ବାଁଗୋଡ଼ ଆଣ୍ଠୁଉପରକୁ ମାଂସ ପିଣ୍ଡୁଳାଟା ଇଲେକ୍‌ଟିକ୍ ଆଲୁଅରେ ଦିଶୁଛି ଆଉରି ବୀଭତ୍ସ । ଟେବୁଲ ଚାରିପଟେ ବସିଛନ୍ତି ତିନିଜଣ ଗିଲକରା ପଞ୍ଜାବୀ ପିନ୍ଧା ଶେଠ ଚେହେରାର ମଧ୍ୟବୟସୀ ମଣିଷ । ଟେବୁଲ ଉପରେ ଖେଳାମେଳା ହୋଇପଡ଼ିଛି ପଟ ପଟ ତାଆସ । ମଦ ବୋତଲ୍ କେତେଟା ତଳେ ଗଡ଼ୁଛନ୍ତି ମୁର୍ଦ୍ଦାର ପରି । ଟେବୁଲ ଉପରେ ଗୋଟାଏ ମଦ ବୋତଲର ଆୟୁ ପୁରିଯିବ ଆଉ ଅଳ୍ପ ସମୟ ପରେ ! ବେକରେ ସୁନାଚେନ୍ ପକାଇଥିବା ଚନ୍ଦା ମୁଣ୍ଡିଆ ଜଣକ ଏ ବାଜିଟା ଜିତିଥିଲା ପରା ! ଗୁଡ଼ାଏ ନୋଟ୍ ସେ ପକେଟରେ ପୂରାଇ; ଗ୍ଳାସଟାକୁ ଏକା ଢୋକରେ ଶେଷ କରିଦେଲା । କାନ୍ତ ମାମୁଁ ହାରୁଛନ୍ତି ନାଁ ଜିତୁଛନ୍ତି, ଚେହେରାରୁ ଠିକ୍ ଜଣାପଡ଼େ ନାହିଁ । ଜଣାପଡ଼େ କେବଳ ତାଙ୍କ ମୁଡ଼୍‍ରୁ । ତାଙ୍କ ହାଡୁଆ ମୁହଁରେ ଖଣ୍ଡେ ସିଗ୍ରେଟ୍ ଦପ୍ ଦପ୍ କରୁଛି । ଏପର୍ଯ୍ୟନ୍ତ ସେ ହାରି ଚାଲିଛନ୍ତି ପରା !

 

ଏ ବାଜିଟା କାନ୍ତମାମୁଁଙ୍କ ଡିଲ୍ । କାନ୍ତମାମୁଁ ମୁଠାଏ ତାଆସ ଦୁଇହାତରେ କେତେଥର ଫଟାଫଟ୍ ଫେଣ୍ଟିଲେ । ତା’ପରେ ଡାକିଲେ... “ଏଇ ଲଛିଆ !”

 

ଘର କୋଣରେ ଝିଅଟିଏ କୋଉଠି ଥିଲା କେଜାଣି, ଧାଇଁଆସି ଠିଆହୋଇଗଲା କାନ୍ତମାମୁଁଙ୍କ ପାଖରେ । କାନ୍ତମାମୁଁ ନୀରବ ଇଙ୍ଗିତରେ ତାଙ୍କ ଗ୍ଳାସଟାକୁ କେବଳ ଠୁକିଦେଲେ ଟେବୁଲ୍ ଉପରେ ।

 

ଲଛିଆକୁ ତ ଦେଖିନଥିଲି ଏପର୍ଯ୍ୟନ୍ତ । ନୂଆ ଆସିଛି ପରା । ନିଶ୍ଚୟ ପଛିମା ଝିଅ । ପିନ୍ଧିଛି ଗୋଟାଏ ଲାଲ ଘାଘ୍‌ରା ଆଉ ଲାଲ୍ ପେଟୀକୋଟ୍ । ପେଟୀକୋଟ୍ ତଳୁ ଉଙ୍କିମାରୁଛି ଦୁଇଟି କୁମାରୀ ସ୍ତନ । ପେଟୀକୋଟ୍ ଆଉ ଘାଘ୍‌ରା ମଝିରେ ତା’ର ମସୃଣ ପେଟର ଚମଡ଼ା ଆଉ ନାଭି ଗର୍ତ୍ତଟାରେ ପ୍ରଚଣ୍ଡ ସେକ୍‌ସ ଆପିଲ ! ଚନ୍ଦାମୁଣ୍ଡିଆ ଶେଠନନ୍ଦନଙ୍କ ଗ୍ଳାସରେ ବୋତଲରୁ ଡାଳିବାବେଳେ ଶେଠ ନନ୍ଦନ ତା’ର ଛାତିଉପରେ ମୁହଁରଖି, ପିଠିରେ ଦୁଇଟା ଚାପୋଡ଼ା ମାରିଲେ । ଲଛିଆ ମୁହଁଟା କୁଞ୍ଚିତ କରି କହିଲା... “ଆରେ... !” ଅନ୍ୟମାନଙ୍କର ଆଖି ଲଛିଆ ଉପରେ ଲାଖିଯାଇଛି, କେତେବେଳେ ସେ ସେମାନଙ୍କ ପାଖକୁ ଆସିବ ! କାନ୍ତମାମୁଁ କିନ୍ତୁ ନିର୍ବିକାର । ଏଇ ମୌକାରେ ଦୁଇପଟ ତାଆସ ଅନ୍ୟ ତାଆସ ମୁଠାରୁ କାଢ଼ି ତାଙ୍କ ହାତରେ ରଖିସାରିଲେଣି । ଅନ୍ୟମାନେ ନିଜ ନିଜ ତାଆସ ଦେଖିବାବେଳେ ଲଛିଆ କାନ୍ତମାମୁଁଙ୍କୁ ଆଖିଠାରରେ କ’ଣ ସବୁ ଯେପରି କହୁଛି । ସେ ଠାର ବୁଝନ୍ତି କେବଳ କାନ୍ତମାମୁଁ ଆଉ ଲଛିଆ ।

କିନ୍ତୁ କାନ୍ତମାମୁଁ ଏତେ ତଳକୁ ଓହ୍ଲାଇଆସିବେ ଏ ଧାରଣା ମୋର ନଥିଲା ! ତାଙ୍କର ବ୍ଲାଇଣ୍ଡ ଖେଳିବା, ହାରରେ ତାଆସ ମୁଠା ନଦେଖି–ମୋ ଦୃଷ୍ଟିରେ ଥିଲା ଭାଗ୍ୟ ପ୍ରତି ଏକ ବେସାଲିସୀ ଚାଲେଞ୍ଚ । କିନ୍ତୁ ସେଥିରେ ପୁଣି ଏତେ ମାରପେଞ୍ଚ୍ ? କାନ୍ତମାମୁଁଙ୍କ ପ୍ରତି ଗୋଟାଏ ଘୃଣା ମୋ ଭିତରେ ହଠାତ୍ ଉଙ୍କିମାରି ଉଠିଲା ।

କାନ୍ତମାମୁଁ ତାଙ୍କ ତାଆସ ମୁଠା ଦେଖିଲେ ନାଇଁ । ଏକା ଢୋକରେ ଗ୍ଲାସଟାକୁ ଶେଷ କରିଦେଇ, ଖଣ୍ଡେ ସିଗ୍ରେଟରେ ଗୋଟାଏ ଜଳନ୍ତା ସିଗ୍ରେଟରୁ ନିଆଁ ଲଗାଇଲେ । ସମସ୍ତଙ୍କ ଦୃଷ୍ଟି ତାଙ୍କରି ଉପରେ । ସସପେନ୍‌ସ୍ । ସେଇ ପ୍ରଥମେ ଲଗାଇବେ ବାଜି । କାନ୍ତମାମୁଁ ପକେଟରୁ ଖଣ୍ଡେ ଝକ୍‌ଝକିଆ ଶହେ ଟଙ୍କିଆ ନୋଟ୍ କାଢ଼ି ଟେବୁଲ ଉପରେ ବାଜି ଲଗେଇଦେଲେ !

ଚନ୍ଦାମୁଣ୍ଡିଆ ଜଣକ କହିଲା... “ଆରେ ବାବୁଜୀ ଏକାଥରେ ଶହେ ଶଙ୍କା ?” ...ଖେଳର ନିୟମ ଅନୁସାରେ ତାଙ୍କୁ ଦୁଇଗୁଣ ବାଜି ଲଗେଇବା ପାଇଁ ପଡ଼ିବ ତ ! ଅନ୍ୟମାନେ ବି ସେଇପରି ହାରରେ !

କାନ୍ତମାମୁଁ ବେପରୋୟା ଭାବରେ କଳେ ସିଗାରେଟ ଧୂଆଁ ଛାଡ଼ି ହିନ୍ଦୀରେ କହିଲେ... “ନୋହିଲେ ମୁଙ୍ଗଫଲୀ ବିକ୍ରି କରିବ ଯାଅ !” ଏପରି ଆକ୍ଷେପ ବରଦାସ୍ତ କରିବା ପାଇଁ ଶେଠନନ୍ଦନ ପ୍ରସ୍ତୁତ ନଥିଲେ । କିନ୍ତୁ ଏ ଖେଳରେ ତ ଏଇଆ ନିୟମ ! ଶେଠନନ୍ଦନ ଗିଲକରା ପଞ୍ଜାବୀ ପକେଟରେ ଗୋଟାଏ ଡାୟରୀ ଭିତରୁ ଦୁଇଶହ ଟଙ୍କାର ନୋଟ କାଢ଼ି ରଖିଲେ । କାନ୍ତମାମୁଁଙ୍କ ଶହେ ଟଙ୍କା ପାଖରେ କାନ୍ତମାମୁଁଙ୍କ ଷ୍ଟେକ୍‌ର ଦୁଇଗୁଣ ! ଶେଠକୀଙ୍କ ପାଖ ଲୋକଟା ରଖିଲା ଚାରିଶହ ! ତା’ ପାଖଲୋକ ଆଠଶହ ରଖିବାବେଳେ ଥରଥର କମ୍ପୁଥିଲ ତା’ ହାତଟା ! କିନ୍ତୁ ଏ ଖେଳରେ ନିୟମ ତ ଏଇଆ !

ଘରଭିତରେ ଅସ୍ଵାଭାବିକ ସ୍ତବ୍ଧତା । ଲଛିଆ ପ୍ରତି ସୁଦ୍ଧା କାହାର ନଜର ନାହିଁ ! ଯିଏ ଆଠଶହ ବାଜି ଲଗେଇଥିଲା, ତା’ର ଆଖିଟା କିନ୍ତୁ ଉଜ୍ଜ୍ୱଳ ଦିଶୁଛି । ହାତ ଭଲ ଅଛି ପରା ! ସେ କହିଲା... ‘ଶୋ !”

ପ୍ରଥମେ ନିଜ ମୁଠାଟା ଦେଖାଇଦେଲା...ନାଲିପାନ ରାଜା, କଳାପାନ ଦଶ, ଚିଡ଼ିତନ ଦଶ ଆଉ ଟିକା । କାନ୍ତମାମୁଁ କିନ୍ତୁ ଏକ୍ସପୋଜ କରୁନାହାନ୍ତି ।

ଅନ୍ୟମାନେ ନିଜ ନିଜ ମୁଠା ଏକ୍ସପୋଜ କଲାବେଳେ, ମୁହଁ ସେମାନଙ୍କର କଳା ପଡ଼ିଯାଉଛି । ଏବେ ସମସ୍ତଙ୍କ ଆଖି କାନ୍ତମାମୁଁଙ୍କ ଉପରେ ।

ସେ ନିର୍ଲିପ୍ତ ଭାବରେ, ନିଜ ମୁଠା ମେଲାଇ ଟେବୁଲ୍ ଉପରେ ରଖିଦେଲେ.....ଡାୟମଣ୍ଡ ବିବି ଆଉ ତିନ୍ ଗୋଲାମ ! ସମସ୍ତଙ୍କ ଆଖି ତାଳୁରେ ଖୋସି ହୋଇଗଲା ! ଇଏ ଯାଦୁ ! କ୍ଵଚିତ୍ କେହି ଏମିତି ହାତ ପାଇଥାଏ ।

 

କାନ୍ତମାମୁଁ ଉନ୍ନାଦ ପରି ଅଟ୍ଟହାସ କରିଉଠିଲେ... “ଏକ ବିବି ତିନି ଗୋଲାମ ! ଏକ ବିବି ତିନି ଗୋଲାମ୍ !” ....ତାପରେ ଟଙ୍କା ସବୁ ଗୋଟେଇ ପକେଟରେ ପୂରାଇଲେ ।

ଚନ୍ଦାମୁଣ୍ଡିଆ ଶେଠନନ୍ଦନଙ୍କ ଆଖିଦୁଇଟା କଠୋର ହୋଇଉଠିଲା ! “ଆଚ୍ଛା ଲଗାଓ ଔର ମର୍ତ୍ତେ !” ଜିଣିବା ନୋହିଲେ ଫତୁର୍‌ ହେବାର ନିଶା !

କାନ୍ତମାମୁଁ ପର୍ଦ୍ଦାଆଡ଼େ ଚାହିଁ, କ’ଣ ଇସାରାଦେଲେ ପରା ! ବାଦଲ୍ ତଳକୁ ଦଉଡ଼ିଗଲା-! ସୁଟ୍‌ଳା ମୁହୂର୍ତ୍ତକ ଭିତରେ ଶିଡ଼ିରେ ଦୁମ୍‍ଦୁମ୍ ଉଠିଆସି, ଅନୁଚ୍ଚ କଣ୍ଠରେ ଚିତ୍କାର କଲା...‘‘ପୋଲିସ୍; ପୋଲିସ୍ !”

ପୋଲିସ୍ ନାଁ ଶୁଣି, ଗିଲକରା ପଞ୍ଜାବୀପିନ୍ଧା, ଶେଠନନ୍ଦନମାନେ କିପରି ଖସି କୁଆଡ଼େ ପଳାଇବେ ବୋଲି ଯେପରି ବାଟ ଖୋଜି ପାଇଲେ ନାହିଁ । ଫିଟନ ଗାଡ଼ି ସବୁ ଗଳି ମୁଣ୍ଡରେ । ପୋଲିସ କଥା ମିଛ । ଲୁଟ୍ ପରେ ଖେଳ ଭାଙ୍ଗିଦେବା ପାଇଁ କାନ୍ତମାମୁଁଙ୍କର ଇଏ ଗୋଟାଏ ପୂର୍ବକଳ୍ପିତ ଯୋଜନା । ସେ ମାତାଲ କଣ୍ଠରେ ହସିହସି ଚିତ୍କାର କରୁଥାନ୍ତି... ଏକ ବିବି ତିନ୍ ଗୋଲାମ୍ ! ଏକ ବିବି ତିନ୍ ଗୋଲମ୍ !

ମୁଁ ଘୃଣାରେ ସେଠାରୁ ପଳାଇଆସିଲି । ମୋ ପଛେପଛେ ଧାଇଁଛି ଯେପରି ସେଇ ଚିତ୍କାର...ଏକ ବିବି, ତିନ୍ ଗୋଲାମ୍ ! ଏହାର ଅର୍ଥ କ’ଣ ?

ଆସ୍ତାନାରେ ନୁଟ୍‌ନା ନାହିଁ । କେଷ୍ଟୋ ଆଉ ନିତାଇ ମଧ୍ୟ ଦେଖାନାହାନ୍ତି । ସୁଟ୍‌କା ଗୋଟାଏ ରମ୍ ବୋତଲ ମୁହଁରେ ଲଗାଇ ଢକ ଢକ ପିଉଚି, ଆଉ ବାଦଲ୍‌କୁ କହୁଛି ଚାନାଚ୍‌ର୍ ଆଣିବା ପାଇଁ ।

 

ମୁଁ ପଚାରିଲି... “ଏକ ବିବି ତିନ୍ ଗୋଲାମର ମାନେ କ’ଣ ? କାନ୍ତମାମୁଁ କାହିଁକି ସେପରି ପ୍ରଳାପ କରୁଛନ୍ତି !”

 

ସୁଟ୍‌କା ଉତ୍ତର ଦେଲା... “କାନ୍ତୁଦା ସେମିତି ବେଳେବେଳେ ଗୋଟାଏ ଗୋଟାଏ ହେୟାଁଲୀ କଥା କହେ; ଯାହାର ଅସଲ ମାନେ ବୁଝିବା ମୁଷ୍‌କିଲ !”

 

ମୋ ଭିତରେ ସେଇ ଅଟ୍ଟହାସର ପ୍ରତିଧ୍ଵନି... ଏକ ବିବି ତିନ୍ ଗୋଲାମ୍ ।

 

ବାଦଲ୍ ଗୋଟାଏ କୋଣରେ କୁଣ୍ଡଳୀ ମୋଡ଼ି ଶୋଇପଡ଼ିଲାଣି । ସୁଟକା ବସ୍ତିରେ ଟହଲ ମାରି ଫେରିବ ରାତି ଅଧକୁ । ନୁଟନା ମଧ୍ୟ ଏତେଶୀଘ୍ର ଫେରିବ ବୋଲି ମୁଁ ଆଶା କରୁନଥିଲି । ଏ ପରିବେଶ ମୋତେ ଆଉ ଭଲ ଲାଗୁନଥିଲା ! ବାପାଙ୍କ କଂଟ୍ରୋଲ ବେପାର, ବୋଉର ସୁନାନାକୀ ଝିଅ ଛାଡ଼ି, ମୁଁ ଏ ପଙ୍କ ଭିତରକୁ ପଶିଲି କାହିଁକି ? କାନ୍ତମାମୁଁ ମୋତେ ଏମିତି ଧୋକ୍‌କା ଦେବେ ବୋଲି ତ ଭାବିନଥିଲି ! ଢଳ ଢଳ କୈଶୋରରେ ଯିଏ ମୋ ମନଉପରେ ଏତେ ଗଭୀର ଛାପ ପକାଇଥିଲା, ଆଖିଆଗରେ ଦେଖିଲି, ତା’ର ଅସଲ ଚେହେରା । ଦୂର ପର୍ବତ ଦୂରରୁ ହିଁ ସୁନ୍ଦର ଦିଶେ !

 

ଦୁଆରେ କିଏ ଠକ୍‍ଠକ୍ କଲା ।

 

“କିଏ ?”

 

“ମୁଁ ନୋଟନ୍ । ଦରଜା ଖୋଲ ।”

 

ନୁଟ୍‌ନା ବଡ଼ ଅବସନ୍ନ ଭାବରେ ଭିତରକୁ ପଶିଆସି କହିଲା... “କେଷ୍ଟୋ ଆଉ ନିତାଇକୁ ପୁଲିସ ଧରିନେଇଛି ଲାଲବଜାର !”

 

ସର୍ବନାଶ ! କିନ୍ତୁ ଏଥିପାଇଁ କ’ଣ ମୁଁ ଦାୟୀ ନୁହେଁ ? ନୁଟନା ବହିଲା... “ଶାଲା ଉପରେ ଏବେ ହେଉଥିବ ଧୁଲାଇ ! ମନାକରୁଛି ନିଜ ଏରିଆ ଛାଡ଼ି, ଅନ୍ୟ ଏରିଆକୁ ଯିବୁନାଇଁ ! ଚିତ୍‌ପୁର ରୋଡ଼ରେ ଗୋଟାଏ ବସ୍‌ରେ ଜଣକର ପକେଟ ମାରୁମାରୁ ପଡ଼ିଛନ୍ତି ସେ ଦୁଇଟା !”

 

“କିନ୍ତୁ କ’ଣ ହେବ କେଷ୍ଟୋର !”–ତା’ର ନିଷ୍କାପ ମୁହଁର ଉଜ୍ଜ୍ୱଳ ହସ ମୋ ଆଖିଆଗରେ ଭାସିଉଠୁଥିଲା । ମୁଁ କହିଲି... “ଚାଲ ଯିବା ଲାଲ ବଜାର ! ସେ ଦୁଇଟାଙ୍କୁ ମୁକୁଳେଇବା ପାଇଁ ଚେଷ୍ଟା କରିବା । ମୋ ପାଖରେ କିଛି ଟଙ୍କା ଅଛି ।”

 

ନୁଟ୍‍ନା କିନ୍ତୁ ଜୋତାମିଶା ପାଦରେ ତା’ର ଖଟିଆ ଉପରେ ଦେହ ଲମ୍ବାଇ କହିଲା... “ଦରକାର ନାହିଁ । ଲାଲ ବଜାର ଗାରଦରେ ଧୂଲାଇ ନ ଖାଇଲେ ଏ ଲାଇନ୍‌ରେ କେହି ଠିକ୍ ଉତୁରନ୍ତି ନାହିଁ । ଧୁଲାଇ ଦେଇ ସେମାନଙ୍କୁ କାଲି ଛାଡ଼ିଦେବେ ସେମାନେ । କିନ୍ତୁ କାଲି, ସେଠୁ ଧୁଲାଇ ଖାଇ ଯିଏ ବାହାରିବ, ସିଏ ହେବ ଆଉରି ଭୟଙ୍କର ! ପକେଟ୍ କାଟୁଥିଲା । ଏଣିକି ବେକ କାଟିବ ! ଏଇ ଥାନା, ହାଜତ୍ ଏସବୁ ତ ପକେଟମାର୍‍ମାନଙ୍କ ପାଇଁ ଗୋଟାଏ ଗୋଟାଏ କଲେଜ୍-!” ନୁଟ୍‌ନା ହସିଉଠିଲା ନିଜ ରସିକତାରେ ! “ମୁଁ କ’ଣ କମ୍ ଧୁଲାଇ ଖାଇଛି ?”

 

ତା’ ପରଦିନ...

 

ଆମେ ବସିଚୁ ଚୁଙ୍ଗ୍‍ଦ୍ଵାର ଗୋଟାଏ କାଠ କାବିନ ଭିତରେ ।

 

ନୁଟ୍‌ନା ପକେଟ ଆଜି ଗରମ ନୁହେଁ । କେଷ୍ଟୋ, ନିତାଇ, ଲାଲ୍‌ବଜାରରେ ଧୁଲାଇ ଖାଉଚନ୍ତି । ନୁଟ୍‌ନା ପକେଟ ଆଉ ଗରମ ହୁଅନ୍ତା କିପରି ?

 

ଯୋଉଠି ଟେବୁଲ ଉପରେ ଲାଇନ ବାନ୍ଧି ଛଅଟା ବିଆର ବୋତଲ ସାଲ୍ୟୁଟ୍ ମାରନ୍ତି, ଆଜି ସେଠି ମାତ୍ର ଦୁଇଟା ଚାବି–ମାର୍କା ଜାପାନୀ ବିଅର !

 

ସୁଟ୍‌କା ତିନିଟା ଗ୍ଲାସ୍‌ରେ ବିଅର୍ ଢାଳୁଥିଲା; ମୁଁ ହଠାତ୍ ଉଠିପଡ଼ି କହିଲି... “ମୁଁ ଏଇ ଟିକିଏ ଆସୁଚି ।”

 

କାଲି ରାତିଠୁ ମୁଁ ଖୋଜୁଚି ନିର୍ଜନତା, ନିସ୍ତବ୍‌ଧତା । ଭିତରର ଯାଯାବରଟା ପୁଣି କମ୍ବଳ ଗୁଡ଼ାଇ ପିଠି ଉପରେ ଲଦି ସାରିଲାଣି । କାଲି ରାତିଠୁ ମୋର ଭାବନାର କ୍ଷଅ ସବୁ ଅଡ଼ୁଆ ତଡ଼ୁଆ ହୋଇଯାଇଛି । ପଦବାବୁଙ୍କ କାଲି ରାତିରେ ସ୍ଵପ୍ନରେ ଦେଖିଥିଲି । କେବେ ଦେଖେ ନାହିଁ ତ ! ସେ କହୁଚନ୍ତି...‘‘ଏଇ କ’ଣ ଜୀବନ ?” ମୋର ନିଦଟା ଚାଉଁକରି ଭାଙ୍ଗିଗଲା । ସୁଟ୍‌କା, ନୁଟ୍‌ନା ଘୁଙ୍ଗୁଡ଼ି ମାରୁଚନ୍ତି; ଆଉ ଭାବୁଚି ଜୀବନ କ’ଣ ? ଜୀବନର ସଂଜ୍ଞା ଯାହାହଉ ପଛେ, ଏ ଅନ୍ଧଗଳି କେବେ ଜୀବନ ହୋଇନପାରେ ! ତା’ହେଲେ ଜୀବନ କ’ଣ ? କିଏ ଦେବ ମୋତେ ତା’ର ଉତ୍ତର ?

 

ଷ୍ଟ୍ରାଣ୍ଡ ରୋଡ଼ କେତେବେଳେ ଟପି, ଗଙ୍ଗା କୂଳେକୂଳେ ଚାଲିଛି । ଉପରେ ମୁଣ୍ଡଫଟା ଖରା । ଖିଆଲ୍ ନାହିଁ । ଗୋଟାଏ ଟାକ୍‌ସିବାଲା, ଟାକ୍‌ସି ଅଟକାଇ ମୋତେ କ’ଣ ଗାଳି ଦେଲା । ତା’ ଟାକ୍‌ସି ଆଗରେ ପଡ଼ିଯାଇଥିଲି ପରା ! ଜାହାଜମାନଙ୍କରୁ ବେଳେବେଳେ ସାଇରେନ୍ ବାଜିଉଠୁଚି, ମୋର ଅଶାନ୍ତ ଆତ୍ମାର ଚିତ୍କାର ପରି ! କିନ୍ତୁ ମୁଁ ଚାଲିଛି କୁଆଡ଼େ ? ଆଉ ସେ ଗଳିକୁ ଫେରିବି ନାହିଁ । କାନ୍ତମାମୁଁ ମେତେ ଏମିତି ହତାଶ କରିବେ; ଏ ବିଶ୍ଵାସ ତ ନଥିଲା ! ସାଇରେନ୍ ବାଜିବା ବେଳେ, ଯେପରି ସେଇ ଭୟଙ୍କର ଅଟ୍ଟହାସ ପବନରେ ଉଡ଼ିଯାଉଚି ... ଏକ ବିବି, ତିନ୍ ଗୋଲାମ୍ ! କିନ୍ତୁ ଏ ପ୍ରହେଳିକାର ଅର୍ଥ କ’ଣ ? ଇଏ କ’ଣ କେଉଁ ଭବିଷ୍ୟତ ବାଣୀ ? ସ୍ୱାଧୀନତା ସମ୍ପର୍କରେ କାନ୍ତମାମୁଁ ଏବେ ଭୟଙ୍କର ସିନିକ୍ !

 

ଆଉଟ୍‌ରାମ୍ ଘାଟ ଟପିଗଲିଣି । କିଛି ଦୂରରେ ଗୋଟାଏ ବରଗଛ । ଆଖିଆଗରେ ସବୁ ଜାଲଜାଲୁଆ ଦେଖାଯାଉଛି । ନାଃ...ଆଉ ପାରିବି ନାହିଁ । ବରଗଛ ଛାଇରେ ମୁଣ୍ଡତଳେ ଝୁଲାମୁଣିଟା ରଖି ଶୋଇପଡ଼ିଲି । ସିରି ସିରି ଥଣ୍ଡା ପବନରେ ମୋର ଆଖି ମୁଦି ହୋଇଆସିଲା । କାଲି ରାତିରେ ଭଲ ନିଦ ହୋଇନଥିଲା ତ !

 

କେତେବେଳ ପର୍ଯ୍ୟନ୍ତ ଶୋଇଥାନ୍ତି ଜାଣେ ନାହିଁ । କିନ୍ତୁ ପଶ୍ଚିମ ଆକାଶରୁ ଅସ୍ତଗାମୀ ସୂର୍ଯ୍ୟର ଚେନାଏ ଖରା ମୁହଁଉପରେ ପଡ଼ିବାରୁ, ଉଠିବସିଲି । ମୁଣ୍ଡଟା ଆଉ ଭାରୀ ଲାଗୁନାହିଁ । ଖଣ୍ଡେ ସିଗ୍ରେଟ୍‌ରେ ନିଆଁ ଲଗାଇଲି । ଘାଟଟା ନିର୍ଜନ । ଯୋଉ କେତେଜଣ ତେଲ୍‌ମାଲିସ୍ଵାଲା ଆଉ ଚାନାଚୁର୍‌ବାଲା ବସିଥିଲେ, ସେମାନେ କେତେବେଳୁ ଚାଲିଗଲେଣି ।

 

ନିର୍ଜନ ଘାଟରେ ଦେଖିଲି ଗୋଟାଏ ହୁଲୀ ଡଙ୍ଗା ଲଙ୍ଗର୍ ପକେଇଛି । କେତେବେଳେ ସୁଅରେ ହଂସ ପରି ଭାସିଯାଉଛି, ଲହରୀ ଆଘାତରେ କେତେବେଳେ ମାଙ୍କଡ଼ଚିତ୍ ମାରୁଛି ଆଉ କେତେବେଳେ ବା ଭଉଁରୀରେ ପଡ଼ି ପାଗଳା ଦରବେଶ୍‌ମାନଙ୍କ ପରି ଚକାଭଉଁରୀ ନଚୁଛି ! କିନ୍ତୁ ମୋତେ ଯେପରି କ’ଣ କହୁଛି ! ଯେମିତି କହେ ପ୍ରୀତିପୁର, ଗାଁରେ ସେଇ ନିଛାଟିଆ ନଈବନ୍ଧ ଉପରେ ଅର୍ଜୁନଗଛ, ଯେମିତି କହୁଥିଲା ନେଉଳୀ ମଠ ତୋଟା ପୋଖରୀ ହୁଡ଼ାରେ ସେଇ ଡଙ୍ଗା ତାଳଗଛଟା !

 

ମୁଁ ପଚାରିଲି... “ଜୀବନ ନଦୀରେ କ’ଣ ଏମିତି ଚକର କାଟୁଥିବୁ ? ଏମିତି ଭାସୁଥିବୁ ? ଏମିତି ମାଙ୍କଡ଼ଚିତ ମାରୁଥିବୁ ?”

 

ଡଙ୍ଗା ଉତ୍ତର ଦେଲା...”ଜୀବନ ନଦୀ ନୁହେଁ ! ସଂସାର ହଉଚି ନଦୀ । ସଂସାର ବହି ଚାଲିଛି, କିନ୍ତୁ ଜୀବନ ଏକ ସ୍ଥିର ବିନ୍ଦୁ ! ମୁଁ ମାଙ୍କଡଚିତ ମାରୁ ନାହିଁ, ଚକ୍‌ର କାଟୁନାହିଁ, ଘୂରୁନାହିଁ ! ଏ ସବୁ ନଈ ସୁଅର ଖେଳ !”

 

“ମାନେ ?”

 

“ସଂସାର ନଦୀରେ ମୁଁ ହେଉଛି ଜୀବନ ! ନଦୀରେ ସ୍ରୋତ ଅଛି, ଘୂର୍ଣ୍ଣୀ ଅଛି, ତରଙ୍ଗ ଅଛି । ମୁଁ ସେଥିରେ ଭାସିବି, ଘୁରିବି, ପଡ଼ିବି, ଉଠିବି । କିନ୍ତୁ ସ୍ଥିର ଭାବରେ ତାକୁ ପାରିହେବି ନିଶ୍ଚୟ, ପୁଝାରୀ ଧରି !”

 

ମୁଁ ପଚାରିଲି...”କିନ୍ତୁ ସୁଅ ଯଦି ଭସାଇନେଲା ?”

 

ଡଙ୍ଗା ହସିହସି ଉତ୍ତର ଦେଉଚି...‘‘ନାଉରି ଯେ ମୋ ଦେହରେ ଖଞ୍ଜି ଦେଇଯାଇଛି ଲଙ୍ଗର୍ !”

 

“କିନ୍ତୁ କେଉଁ ଘାଟରେ ଲାଗିବ ତୁମେ ?”

 

“ନାଉରି ଜାଣେ ସେ କଥା” ! ଡଙ୍ଗାଟା ପୁଣି ଚକାଚକା ଭଉଁରୀ ଖେଳିଲା !

 

ମୁଁ ପାଟିକରି କହିଲି... “ମୋର ଲକ୍ଷ୍ୟ କ’ଣ ? କେଉଁ ଘାଟରେ ମୁଁ ଲାଗିବି ? ମୋର ଘାଟ କେଉଁଠି ? ନାଉରି କିଏ ! ମୋର ନାଉରି କାହିଁ ?”

 

“ସେ ପ୍ରଶ୍ନର ଉତ୍ତର ତମେ ନିଜେ ନିଜର ଭିତରେ ଖୋଜିବ ଭାଇ ! ଏପରି ପ୍ରଶ୍ନ ପଚାରିଚନ୍ତି ଅନେକ, ଆଉରି ବି ପଚାରିବେ ଅନେକ ! କେହି ଉତ୍ତର ପାଇବେ । କେହି ବା ପାଇବେ ନାହିଁ ।” ଡଙ୍ଗା ପୁଣି ଚକା ଚକା ଭଉଁରୀ ଖେଳିଲା ।

 

ସୂର୍ଯ୍ୟ ଅସ୍ତ ଗଲେଣି । ନଦୀଉପରେ ଓହ୍ଲାଇଆସିଲାଣି ସନ୍ଧ୍ୟାର ତରଳ ଅନ୍ଧକାର । ରାସ୍ତା କଡ଼େ କଡ଼େ ଏ. ଆର.ପି.ର ଅନ୍ଧପୁଟୁଳି ବନ୍ଧା ଲାଇଟ ସବୁ ଜଳିଉଠିଲାଣି । ଛାୟାମୂର୍ତ୍ତି ପରି କିଏ ଜଣେ ଘାଟରୁ ଓହ୍ଲାଇ ଡଙ୍ଗାରୁ ଲଙ୍ଗର ଉଠାଇଲା । ତା’ପରେ ଆଉଲା ମାରି, ଡଙ୍ଗାକୁ ବାହିନେଲା ଆର ଘାଟକୁ । ଡଙ୍ଗା ସୁଅ କାଟି କାଟି ଚାଲିଚି । ହଂସ ପରି ।

 

କିନ୍ତୁ କାହିଁ ମୋର ନାଉରି ? କିଏ ମୋତେ ଦେବ, ମୋର ଘାଟର ଠିକଣା ?

 

ସେଠାରୁ ଉଠିଆସିଲି ରାସ୍ତାକୁ !

 

“ସମାଲକେ ! ସମାଲ୍‌କେ !” ଚିତ୍କାର କରି ଗୋଟାଏ ଘୋଡ଼ାଗାଡ଼ି ମୋତେ କଟାଇ ଚାଲିଗଲା । ଆଉ ଜଣେ ଟ୍ୟାକ୍‌ସୀବାଲା ଗାଡ଼ିଭିତରୁ ମୁହଁ ପଦାକୁ କାଢ଼ି ମୋତେ ଗାଳିଦେଲା ! ମୁଁ ବୋଧହୁଏ ବେସମାଳ ହୋଇଚାଲିଛି ।

 

ମୋ ଆଖିଆଗରେ ଭାସିଉଠୁଚି ବିରୂପା କୂଳର ସେଇ ସବୁ ଗାଁ... ରୋଗିଣା ଧାନ କିଆରି, ପତର କାହାଳୀଠିପିମୋଡ଼ା ଖାଲି କିରୋସିନି ବୋତଲ ସେଇ ସବୁ ମଣିଷ, କାନ୍ଧରେ ସେମାନଙ୍କର ଅଖା, ମୁଣ୍ଡରେ ଉବୁଡ଼ା ହେଇଚି ଟୋକେଇ, ଅଣ୍ଟାରେ ଗୁଞ୍ଜିହୋଇଛି ପ୍ରେମିକଦନ୍ତର ସହି ମୋହର ପାଇଁ ଦରଖାସ୍ତ ଆଉ ଆଠଣା ମାମୁଲି !

 

ସେଇ ମୋର ଘାଟ !

 

ସେଇମାନେ ମୋର ପୁଝାରୀ ।

 

ନାଉରି ମୋର ଦୁର୍ଦ୍ଦାନ୍ତ ଯୌବନ !

 

କିନ୍ତୁ ପ୍ରାଣରେ ମୋର ନୂଆ ବ୍ୟାକୁଳତା ! ପାଦରେ ତୀବ୍ର ଚଞ୍ଚଳତା । ଦୁଇ ଆଖିଆଗରେ ହଠାତ୍ ଖୋଲିଯାଇଛି ଗୋଟିଏ ନୂଆ ଦିଗନ୍ତ !

Image